ଜୀବ ମୁକ୍ତି

ଅଷ୍ଟ୍ରେଲୀୟ ଦାର୍ଶନିକ ପିଟର‌୍‌ ସିଙ୍ଗର‌୍‌ ବ୍ରିଟେନ୍‌ର ଅକ୍ସଫୋର୍ଡ ବିଶ୍ବବିଦ୍ୟାଳୟର ଛାତ୍ର ଥିବା ବେଳେ ୧୯୭୦ରେ ଜଣେ ସହପାଠୀଙ୍କ ସହିତ ମଧୢାହ୍ନ ଭୋଜନ କରିବା ସମୟରେ ଆବିଷ୍କାର କଲେ ଯେ ସାଥୀ ଜଣକ ହେଉଛନ୍ତି ଶାକାହାରୀ- ମା˚ସ ଭକ୍ଷଣ କରୁ ନାହାନ୍ତି। ଏକ ମା˚ସାହାରୀ ସମାଜରେ ଏହା ବିରଳ ହୋଇଥିବାରୁ ଏହା ସିଙ୍ଗର‌୍‌ଙ୍କଠାରେ ପ୍ରବଳ ଅନୁସନ୍ଧିତ୍ସାକୁ ଜନ୍ମ ଦେଲା। ଏହି ଅନୁସନ୍ଧାନର ଫଳ ସ୍ବରୂପ ସିଙ୍ଗର‌୍‌ ଯେ କେବଳ ନିଜେ ଶାକାହାରୀ ହୋଇଗଲେ, ତାହା ନୁହେଁ, ୧୯୭୫ରେ ତାଙ୍କ ଦ୍ବାରା ରଚିତ ଏକ ପୁସ୍ତକ, ‘ଆନିମଲ୍‌ ଲିବରେସନ୍‌’ (ଜୀବ ମୁକ୍ତି), ପ୍ରକାଶ ପାଇଲା, ଯାହା ସମୟକ୍ରମେ ‘ଜୀବମୁକ୍ତି ଆନ୍ଦୋଳନ’ର ଦାର୍ଶନିକ ଭିତ୍ତିଭୂମି ରୂପେ ସ୍ବୀକୃତି ଲାଭ କରିଛି। ‘ଜୀବ ଅଧିକାର ଆନ୍ଦୋଳନ’କାରୀମାନେ ଏହାକୁ ଏକ ନୈତିକ ଆନ୍ଦୋଳନ ରୂପେ ପ୍ରଦର୍ଶିତ କରୁଥିବା ବେଳେ, ସିଙ୍ଗର‌୍‌ ଏହାକୁ ଜୀବମାନଙ୍କର ସର୍ବାଧିକ ମଙ୍ଗଳ ସାଧନ ପ୍ରସଙ୍ଗ ରୂପେ ବିଚାର କରି ଏକ ନୂତନ ଚିନ୍ତାଧାରାକୁ ଜନ୍ମ ଦେଲେ।
ଏଥିରେ ସେ ପ୍ରସିଦ୍ଧ ବ୍ରିଟିସ୍‌ ଦାର୍ଶନିକ ଜେରେମି ବେନ୍ଥାମ୍‌ଙ୍କୁ ଅନୁସରଣ କରି ବେନ୍ଥାମ୍‌ ମାନବ ସମାଜ ପାଇଁ ଯେଉଁ ଭଳି ଚିନ୍ତାଧାରା ପ୍ରକାଶ କରିଥିଲେ, ସିଙ୍ଗର‌୍‌ ଜୀବଜଗତ୍‌ ପାଇଁ ମଧୢ ସେଇ ଚିନ୍ତାଧାରାର ସମ୍ପ୍ରସାରଣ ଘଟାଇଲେ। ମାନବ ସମାଜର ସର୍ବାଧିକ ମଙ୍ଗଳ ସାଧନ ଥିଲା ବେନ୍ଥାମ୍‌ଙ୍କର ଦର୍ଶନର ମୂଳ ମନ୍ତ୍ର। ସିଙ୍ଗର‌୍‌ଙ୍କ ମତରେ ଏହି ମନ୍ତ୍ର ମଧୢ ପଶୁ ସମାଜ ନିମିତ୍ତ ପ୍ରୟୋଗ କରାଯିବା ଉଚିତ। ସର୍ବାଧିକ ମଙ୍ଗଳ ହେଉଛି ସର୍ବନିମ୍ନ ଯନ୍ତ୍ରଣାର ଅନ୍ୟ ନାମ। ଯେହେତୁ ପଶୁମାନେ ମଧୢ ମନୁଷ୍ୟ ଭଳି ଯନ୍ତ୍ରଣା ଅନୁଭବ କରିଥାନ୍ତି (ଏହା ସପ୍ତଦଶ ଶତାବ୍ଦୀର ଫରାସୀ ଦାର୍ଶନିକ ରେନି ଡେକାର୍ଟ‌୍‌ଙ୍କ ମତର ବିପରୀତ, ଯାହା ଅନୁସାରେ ପଶୁମାନଙ୍କର ଯନ୍ତ୍ରଣା ଅନୁଭବ ଶକ୍ତି ନଥାଏ), ଯନ୍ତ୍ରଣାଠାରୁ ଦୂରରେ ରହିବା ପାଇଁ, ଅର୍ଥାତ୍‌ ସର୍ବନିମ୍ନ ସମ୍ଭବ ଯନ୍ତ୍ରଣାର ସମ୍ମୁଖୀନ ହେବା ପାଇଁ ସେମାନଙ୍କର ମଧୢ ମନୁଷ୍ୟମାନଙ୍କ ସହିତ ସମାନ ଅଧିକାର ରହିଛି। ତାଙ୍କ ମତରେ ପଶୁମାନେ ମନୁଷ୍ୟଠାରୁ ଭିନ୍ନ ଜାତିର ଜୀବ ହୋଇଥିବାରୁ ସେମାନଙ୍କର ଯନ୍ତ୍ରଣାଠାରୁ ମୁକ୍ତି ପାଇବା ଅଧିକାର ମନୁଷ୍ୟଠାରୁ କମ୍‌ ବୋଲି ବିଚାର କରିବା ଯାହା, ଏକ ବର୍ଣ୍ଣବୈଷମ୍ୟଭିତ୍ତିକ ସମାଜରେ ଜଣେ କୃଷ୍ଣକାୟର ଯନ୍ତ୍ରଣାମୁକ୍ତି ଅଧିକାର ଜଣେ ଶ୍ବେତକାୟଠାରୁ କମ୍‌ ବୋଲି ବିଚାର କରିବା ତାହା। ସିଙ୍ଗର‌୍‌ଙ୍କ ଦର୍ଶନ ଅନୁସାରେ କୌଣସି ଜୀବର ଅଧିକାର ତା’ର ବୁଦ୍ଧି ଉପରେ ନିର୍ଭର କରିଥାଏ ବୋଲି ବିଚାର କରିବା ଉଚିତ ନୁହେଁ; ତାହା ତା’ର ଯନ୍ତ୍ରଣା ଅନୁଭବ କରିବା କ୍ଷମତା ଉପରେ ନିର୍ଭର କରିଥାଏ। ଏହି ମତ ସପକ୍ଷରେ ଏକ ଶକ୍ତିଶାଳୀ ଉଦାହରଣ ଦେବାକୁ ଯାଇ ସେ କହିଛନ୍ତି ଯେ ଅନେକ ସମୟରେ କୌଣସି ମାନସିକ ନ୍ୟୂନତା ପୀଡ଼ିତ ମନୁଷ୍ୟର ବୁଦ୍ଧି କେତେକ ପଶୁଠାରୁ ମଧୢ କମ୍‌ ହୋଇଥିବା ଦେଖାଯାଇଥିଲେ ମଧୢ ଏହି କାରଣରୁ ତାକୁ ଯନ୍ତ୍ରଣାମୁକ୍ତି ଅଧିକାରରୁ ବଞ୍ଚିତ କରାଯାଇ ନଥାଏ। ତେଣୁ ତାଙ୍କର ପ୍ରଶ୍ନ ହେଲା ପଶୁ ପ୍ରତି ମଧୢ କାହିଁକି ସମାନ ଅଧିକାର ଲାଗୁ ହେବ ନାହିଁ? ମନୁଷ୍ୟ ଭଳି ଯଦି ପଶୁମାନେ ମଧୢ ସର୍ବନିମ୍ନ ଯନ୍ତ୍ରଣାର ସମ୍ମୁଖୀନ ହେବା ପାଇଁ ହକ୍‌ଦାର, ତେବେ ସେମାନଙ୍କ ପାଇଁ ତାହା ନିଶ୍ଚିତ କରିବାର ଏକ ସମ୍ଭବ ଓ ଫଳପ୍ରଦ ଉପାୟ କ’ଣ ହୋଇପାରେ? ସିଙ୍ଗର‌୍‌ଙ୍କ ସମାଧାନ ହେଉଛି ମନୁଷ୍ୟମାନେ ତାଙ୍କ ପରି ସମସ୍ତେ ଶାକାହାରୀ ଜୀବନ ଶୈଳୀ ଆପଣାଇବା। ଆହୁରି ଭଲ ହେବ ଯଦି କେବଳ ଆହାରରେ ସୀମିତ ନରହି, ଏହି ଚିନ୍ତାଧାରା ସମଗ୍ର ଜୀବନ ଶୈଳୀରେ ପ୍ରତିଫଳିତ ହୁଏ- ଖାଦ୍ୟ, ପୋଷାକ, ଜୋତା, ବ୍ୟାଗ୍‌ କିମ୍ବା ଅନ୍ୟାନ୍ୟ କୌଣସି ବ୍ୟବହାର୍ଯ୍ୟ ଦ୍ରବ୍ୟରେ କୌଣସି ପଶୁଲବ୍‌ଧ ଅ˚ଶର ଚିହ୍ନବର୍ଣ୍ଣ ନଥିବ। ଏପରି ଜୀବନ ଶୈଳୀ ଗ୍ରହଣ କରିଥିବା ବ୍ୟକ୍ତିମାନେ (‘ଭେଗାନ୍‌’ ରୂପେ ପରିଚିତ) ଦୁଧ, ଅଣ୍ତା, ମା˚ସ ପରି କୌଣସି ପଶୁଲବ୍‌ଧ ଖାଦ୍ୟ ଖାଆନ୍ତି ନାହିଁ। ସିଙ୍ଗର‌୍‌ ଆଶା କରିଥିଲେ ତାଙ୍କର ପୁସ୍ତକ ମନୁଷ୍ୟ ଜୀବନ ଶୈଳୀରେ ଏହିଭଳି ଏକ ବ୍ୟାପକ ପରିବର୍ତ୍ତନ ଆଣି ମାନବେତର ଜୀବଜଗତ୍‌କୁ ମାନବକୃତ ଯନ୍ତ୍ରଣାରୁ ମୁକ୍ତି ଦେବାରେ ସଫଳ ହେବ। ଏକବି˚ଶ ଶତାବ୍ଦୀର ଆରମ୍ଭ ବେଳକୁ ସିଙ୍ଗର‌୍‌ କିନ୍ତୁ ସ୍ବୀକାର କରିଥିଲେ ଯେ ତାଙ୍କ ପୁସ୍ତକ ସେପରି ପରିବର୍ତ୍ତନ ଆଣିବାରେ ବିଫଳ ହୋଇଛି। ସେ ଥରେ ଏକ ପ୍ରଖ୍ୟାତ ପତ୍ରିକାରେ ନିଜର ମର୍ମବେଦନା ପ୍ରକାଶ କରି କହିଥିଲେ ଯେ, ଯେ କୌଣସି ଏକ ମ୍ୟାକ୍‌ ଡୋନାଲ୍‌ଡସ ରେଷ୍ଟୁରାଣ୍ଟ୍‌ରେ ପଶିଗଲେ ତାଙ୍କର ବିଫଳତା ଜଳଜଳ ହୋଇ ଦେଖାଯାଇଥାଏ। ଏଥିରୁ ମନେହୁଏ ସେ ସମୟର ସମାଜ ସିଙ୍ଗର‌୍‌ଙ୍କର ଦର୍ଶନକୁ ଗ୍ରହଣ କରିବା ପାଇଁ ପ୍ରସ୍ତୁତ ନଥିଲା।

ବର୍ତ୍ତମାନ କିନ୍ତୁ ମନେହେଉଛି ଯେ ବିଳମ୍ବରେ ହେଲେ ମଧୢ ଜୀବମୁକ୍ତି କ୍ଷେତ୍ରରେ ଏବେ ଏପରି ଅଗ୍ରଗତି ଘଟିବାକୁ ଆରମ୍ଭ କରିଛି ଯାହା ୭୨ ବର୍ଷୀୟ ସିଙ୍ଗର‌୍‌ଙ୍କୁ ଶେଷରେ ହତାଶା ତ୍ୟାଗ କରି ଆଶାବାଦୀ ହେବା ପାଇଁ ଉତ୍ସାହିତ କରୁଥିବ। ଯଦି ଆମେରିକାକୁ ଏକ ଉଦାହରଣ କ୍ଷେତ୍ର ରୂପେ ନିଆଯାଏ, ଏହାର ସତ୍ୟତା ଦେଖିବାକୁ ମିଳିଥାଏ। ସେଠାରେ ଏବେ କେବଳ ମା˚ସ ଓ ଚମଡ଼ା ନୁହେଁ, ଅଣ୍ତା, ରେଶମ, ପଶମ ଆଦି ସମସ୍ତ ପ୍ରକାର ପଶୁ ବା ଜୀବଲବ୍‌ଧ ପଦାର୍ଥ ବର୍ଜିତ ଜୀବନ ଶୈଳୀ (ଭେଗାନ୍‌) ଅଧିକରୁ ଅଧିକ ଲୋକପ୍ରିୟ ହେବା ଦେଖାଯାଉଛି। ବିଶେଷ କରି ଆଜିର ଯୁବ ପିଢ଼ି (ମିଲେନିଆଲ୍‌ସ)ମାନଙ୍କ ମଧୢରେ ଏହି ଧାରା ଅଧିକ ପରିଲକ୍ଷିତ ହେଉଛି। ଏକ ସର୍ବେକ୍ଷଣ ଅନୁସାରେ ୨୫-୩୫ ବର୍ଷୀୟ ଆମେରିକୀୟମାନଙ୍କ ମଧୢରୁ ପୂରା ଏକ-ଚତୁର୍ଥା˚ଶ ନିଜକୁ ଶାକାହାରୀ କିମ୍ବା ଭେଗାନ୍‌ ରୂପେ ବର୍ଣ୍ଣନା କରିଛନ୍ତି। ଗତ ବର୍ଷ ଜୁନ୍‌ ସୁଦ୍ଧା ଏକ ବର୍ଷ ମଧୢରେ ସେଠାରେ ସମସ୍ତ ଖାଦ୍ୟଦ୍ରବ୍ୟ ବିକ୍ରିରେ ଯେଉଁ ହାରରେ ବୃଦ୍ଧି ଘଟିଥିଲା, କେବଳ ଭେଗାନ୍‌ ଖାଦ୍ୟ ବିକ୍ରିରେ ତା’ର ଦଶଗୁଣ ହାରରେ ବୃଦ୍ଧି ଘଟିବା ଦେଖାଯାଇଥିଲା। ଆଶା କରାଯାଉଛି କ୍ରମେ ସେଠାରେ ଓ ତାକୁ ଅନୁକରଣ କରି ବାକି ପୃଥିବୀରେ ଏକ ସିଙ୍ଗର‌୍‌-ଅନୁମୋଦିତ ଜୀବମୁକ୍ତି-ଦାୟିନୀ ଜୀବନ ଶୈଳୀ ମୁଖ୍ୟ ଧାରାରେ ପରିଣତ ହୋଇଯିବ।

ଏପରି ସମ୍ଭାବନା କିନ୍ତୁ ଏକ ନୂତନ ଚିନ୍ତାକୁ ଜନ୍ମ ଦେବା ଆରମ୍ଭ କଲାଣି। ତାହା ହେଲା, ଯଦି ପଶୁଲବ୍‌ଧ ସମସ୍ତ ପଦାର୍ଥ ବର୍ଜନ କରାଯାଏ, ତେବେ କ˚ସେଇଖାନାରୁ ଡାଇରି ଫାର୍ମ ପର୍ଯ୍ୟନ୍ତ ବନ୍ଦ ହୋଇଯିବ ଏବ˚ ଫଳରେ ଅଲୋଡ଼ା ମାଲିକହୀନ ଗାଈଗୋରୁମାନଙ୍କ ସ˚ଖ୍ୟାରେ ବିସ୍ଫୋରକ ବୃଦ୍ଧି ଘଟିବ। ଖାଦ୍ୟ ଓ ଯତ୍ନ ଅଭାବରୁ ସେମାନେ ଘୋର ଦୁର୍ଦଶାର ସମ୍ମୁଖୀନ ହେବେ। ସେମାନଙ୍କ ଅନୁପ୍ରବେଶ ଫସଲ ପାଇଁ ବିଶେଷ ବିପଦ ସୃଷ୍ଟି କରିବ। ଏ ସମସ୍ୟାର ସମାଧାନ କ’ଣ? ମନେ ହେଉଛି ଭାରତ ଏହାର ସମାଧାନର ଉପାୟ ଆବିଷ୍କାର କରିଛି। ଗାଈକୁ ଗୋମାତା ରୂପେ ଦେଖିବା ନିଶ୍ଚିତ ରୂପେ ଏକ ସିଙ୍ଗର‌୍‌-ସୁଲଭ ଚିନ୍ତାଧାରା, କାରଣ ଗୋ-ସେବା ହେଉଛି ଗୋମାତା-ଦର୍ଶନର ଅବିଚ୍ଛେଦ୍ୟ ଅଙ୍ଗ ଯାହା ସମସ୍ତ ପ୍ରକାର ଗୋ-ଯନ୍ତ୍ରଣା ଦୂର ନିମିତ୍ତ ଉଦ୍ଦିଷ୍ଟ। ବର୍ତ୍ତମାନ ଭାରତର ଅନେକ ରାଜ୍ୟରେ ଗୋହତ୍ୟା ନିଷିଦ୍ଧ ହେବା ପରେ ସେ ଅଞ୍ଚଳରେ ବୁଲା ଗୋରୁଗାଈଙ୍କ ସ˚ଖ୍ୟାରେ ଯେଭଳି ହୁ ହୁ ବୃଦ୍ଧି ଘଟିଛି, ତାହାର ମୁକାବିଲା ପାଇଁ ଏଠାରେ ଯେଉଁ କୌଶଳ ଉଦ୍ଭାବିତ ହୋଇଛି ତାହା ହେଲା- ଗୋ-ମାହାସୁଲ (କାଓ ସେସ୍‌)। ଅବକାରୀ ଦ୍ରବ୍ୟରୁ ଆରମ୍ଭ କରି ବିଜୁଳି ବିଲ୍‌ ପର୍ଯ୍ୟନ୍ତ ଉପରେ ଏଭଳି ସେସ୍‌ ଲାଗୁ କରି ରାଜସ୍ଥାନ, ଉତ୍ତର ପ୍ରଦେଶ, ପଞ୍ଜାବ ଆଦି ରାଜ୍ୟ ସରକାରମାନେ ଆଦାୟ କରୁଥିବା ସମ୍ବଳ ବିନିଯୋଗ କରି ପରିତ୍ୟକ୍ତ ଗାଈ ଗୋରୁମାନଙ୍କର ରକ୍ଷଣାବେକ୍ଷଣ କରି ସେମାନଙ୍କୁ ଯନ୍ତ୍ରଣାମୁକ୍ତ କରିବା ହେଉଛି ଏ କୌଶଳର ଉଦ୍ଦେଶ୍ୟ। ପାଶ୍ଚାତ୍ୟ ଜଗତ୍‌ର ସଚେତନ ଜନସାଧାରଣ ଜୀବମୁକ୍ତି ନିମିତ୍ତ ଏପରି ଏକ ସେସ୍‌ ପଇଠ କରିବା ପାଇଁ ବୋଧହୁଏ କୁଣ୍ଠିତ ହେବେ ନାହିଁ। ଏହା କିଛି ଆର୍ଥିକ ବୋଝ ସୃଷ୍ଟି କରିଲେ ମଧୢ ଜୀବମୁକ୍ତି ମାଧୢମରେ ଏଥିରୁ ଯେଉଁ ଦାର୍ଶନିକ ଆନନ୍ଦ ମିଳିବ, ସେ ତୁଳନାରେ ଏ ବୋଝ କିଛି ନୁହେଁ। ପିଟର‌୍‌ ସିଙ୍ଗର‌୍‌ ନିଶ୍ଚୟ ଏପରି ସେସ୍‌ର ସମର୍ଥନ କରିବେ।

ସମ୍ବନ୍ଧିତ ଖବର