ଦୋହରା ସ୍ୱାସ୍ଥ୍ୟ ଆହ୍ଵାନ

ପ୍ରଥମ ଥର ପାଇଁ ସାମଗ୍ରିକ ଭାବେ ଦେଶର ସ୍ୱାସ୍ଥ୍ୟ ସମସ୍ୟା ଏବଂ ରାଜ୍ୟ ଓ୍ଵାରୀ ବିଭିନ୍ନ ରୋଗର ବୋଝ ସମ୍ପର୍କରେ ବିଶଦ ତଥ୍ୟ ଓ ବିବରଣୀ ସହ ଏକ ବିଶ୍ୱସନୀୟ ରିପୋର୍ଟ ପ୍ରକାଶ ପାଇଛି। ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ, ଭାରତୀୟ ଚିକିତ୍ସା ବିଜ୍ଞାନ ଗବେଷଣା ପରିଷଦ (ଆଇ ସିଏମ୍‌ଆର୍‌), ଭାରତର ଜନସ୍ୱାସ୍ଥ୍ୟ ପ୍ରତିଷ୍ଠାନ (ପିଏଚ୍‌ଏଫ୍‌ଆଇ) ଏବଂ ସ୍ୱାସ୍ଥ୍ୟ ମେଟ୍ରିକ୍ସ ଓ ମୂଲ୍ୟାୟନ ପ୍ରତିଷ୍ଠାନ (ଆଇଏଚ୍‌ଏମ୍‌ଇ)ର ମିଳିତ ଅନୁଧ୍ୟାନ ପରେ ପ୍ରସ୍ତୁତ ଏହି ରିପୋର୍ଟ ସ୍ୱାସ୍ଥ୍ୟ ସମସ୍ୟାର ମୁକାବିଲା ଦିଗରେ ଏକ ବଳିଷ୍ଠ ପ୍ରୟାସ। ସମସ୍ୟାକୁ ଜାଣିଲେ, ବୁଝିଲେ ତା’ର ମୁକାବିଲା ସକାଶେ ଫଳପ୍ରଦ ଯୋଜନାର ନକ୍ସା ତିଆରି କରିବା ସହଜ ହୁଏ। ଆଶା, ଗତ ସପ୍ତାହରେ ପ୍ରକାଶିତ ‘ହେଲ୍‌ଥ ଅଫ୍‌ ଦି ନେସନ୍‌ସ ଷ୍ଟେଟ୍‌ସ: ଇଣ୍ଡିଆ ଷ୍ଟେଟ୍‌ ଲେଭେଲ୍‌ ଡିଜିଜ୍‌ ବର୍ଡନ୍‌’ ଶୀର୍ଷକ ଏହି ରିପୋର୍ଟ ନିଶ୍ଚୟ ଆଗାମୀ ଦିନରେ ସ୍ୱାସ୍ଥ୍ୟ ସମସ୍ୟାର ମୁକାବିଲା ଦିଗରେ ରାଜନୈତିକ ନେତୃତ୍ୱ ଓ ନୀତି ନିର୍ଦ୍ଧାରକଙ୍କ ପାଇଁ ମାର୍ଗଦର୍ଶିକା ହେବ।

ସ୍ୱାସ୍ଥ୍ୟ କ୍ଷେତ୍ରରେ ୧୯୯୦ରେ ଦେଶ ଓ ରାଜ୍ୟଗୁଡ଼ିକର ସ୍ଥିତି ସହ ୨୦୧୬ର ସ୍ଥିତିକୁ ତୁଳନା କରି ତିଆରି କରାଯାଇଥିବା ଏହି ରିପୋର୍ଟ ଅନୁଯାୟୀ ବିଗତ ଅଢ଼େଇ ଦଶକ ମଧ୍ୟରେ ଭାରତ ସ୍ୱାସ୍ଥ୍ୟ ସେବା କ୍ଷେତ୍ରରେ ଉଲ୍ଲେଖନୀୟ ଅଗ୍ରଗତି ହାସଲ କରିଛି। ଉଭୟ ଭାରତୀୟ ପୁରୁଷ ଓ ମହିଳାଙ୍କ ହାରାହାରି ଆୟୁ ବଢ଼ିଛି, ରୋଗ ବୋଝ କମିଛି। ବିଭିନ୍ନ ରୋଗରେ ଆକ୍ରାନ୍ତ ହୋଇ ଅକାଳରେ ମୃତ୍ୟୁ ମୁଖରେ ପଡୁଥିବା ଲୋକଙ୍କ ସଂଖ୍ୟା ମଧ୍ୟ ହ୍ରାସ ପାଇଛି। କିନ୍ତୁ ଏହା ଯଥେଷ୍ଟ ନୁହେଁ। ତଥାପି ଦେଶରେ ସ୍ୱାସ୍ଥ୍ୟ ସମସ୍ୟା ଗୁରୁତର। ଠିକଣା ପ୍ରତିଷେଧକମୂଳକ ଓ ପ୍ରତିକାରମୂଳକ ଚିକିତ୍ସା ସେବା ଅଭାବରୁ ମୃତ୍ୟୁ ସଂଖ୍ୟା ଉଦ୍‌ବେଗଜନକ। ମାତୃ ଓ ଶିଶୁ ମୃତ୍ୟୁ ହାର କମିଥିଲେ ବି ଚିନ୍ତାଜନକ ସ୍ତରରେ ରହିଛି। ସ୍ୱାସ୍ଥ୍ୟ ସୂଚକାଙ୍କ ଆଧାରିତ ମାନ୍ୟତା ତାଲିକାରେ ବିଶ୍ୱର ୧୯୫ଟି ିଦେଶ ମଧ୍ୟରେ ଭାରତର ସ୍ଥାନ ୧୪୫ରେ। ଏପରିକି ସ୍ୱାସ୍ଥ୍ୟ ଦୃଷ୍ଟିରୁ ଭାରତ ପଡ଼ୋଶୀ ବାଂଲାଦେଶ, ନେପାଳ ଓ ଶ୍ରୀଲଙ୍କାଠାରୁ ମଧ୍ୟ ପଛରେ। ତେବେ ଯାହା ଅଧିକ ତାତ୍ପର୍ଯ୍ୟପୂର୍ଣ୍ଣ ଓ ବିଶେଷ ଧ୍ୟାନ ଆକର୍ଷଣ କରୁଛି ତାହା ହେଲା ରିପୋର୍ଟରେ ଉପସ୍ଥାପିତ ସ୍ୱାସ୍ଥ୍ୟ ସମସ୍ୟାର ପରିବର୍ତ୍ତିତ- ବିଡ଼ମ୍ବିତ ଚିତ୍ର।

ଗୋଟିଏ ପକ୍ଷରେ ସାଧାରଣତଃ ଗରିବ, ଅନୁନ୍ନତ ଦେଶଗୁଡ଼ିକୁ କବଳିତ କରୁଥିବା ସଂକ୍ରାମକ ଓ ପୁଷ୍ଟିହୀନତାଜନିତ ରୋଗଗୁଡ଼ିକର ପ୍ରାଦୁର୍ଭାବ ଆଶାଜନକ ଭାବେ କମୁନାହିଁ। ଅଥଚ ଅନ୍ୟପକ୍ଷରେ ସାଧାରଣତଃ ଧନୀ ଦେଶରେ ଦେଖାଯାଉଥିବା ଜୀବନଶୈଳୀ ଜନିତ ଅଣସଂକ୍ରାମକ ରୋଗଗୁଡ଼ିକର ପ୍ରାଦୁର୍ଭାବ ବୃଦ୍ଧି ପାଇବାରେ ଲାଗିଛି। ଡାଇରିଆ(ତରଳ ଝାଡ଼ା), ଯକ୍ଷ୍ମା ଆଦି ପୁଷ୍ଟିହୀନତା ଜନିତ ଓ ସଂକ୍ରାମକ ରୋଗର ବୋଝ ୧୯୯୦ରୁ ୨୦୧୬ ମଧ୍ୟରେ ୬୦.୯ରୁ ୩୨.୭ ପ୍ରତିଶତକୁ ହ୍ରାସ ପାଇଛି। ଏହା କିନ୍ତୁ ଆଦୌ ସନ୍ତୋଷଜନକ ନୁହେଁ। ଅନ୍ୟପକ୍ଷରେ, ହୃଦ୍‌ରୋଗ, ଆଜ୍‌ମା ବା ଶ୍ୱାସ, କ୍ୟାନ୍‌ସର, ମଧୁମେହ ଜନିତ ଅଣ-ସଂକ୍ରାମକ ରୋଗର ବୋଝ ୩୦.୫ରୁ ୫୫.୪ ପ୍ରତିଶତକୁ ବୃଦ୍ଧି ପାଇଛି। ସଡ଼କ ଦୁର୍ଘଟଣା ସମେତ ବିଭିନ୍ନ ଦୁର୍ଘଟଣା ଓ ଅନ୍ୟ କାରଣରୁ ଆଘାତ ଜନିତ ଶାରୀରିକ ଓ ମାନସିକ ଅସୁସ୍ଥତାର ବୋଝ ମଧ୍ୟ ୮.୬ରୁ ୧୧.୯ ପ୍ରତିଶତକୁ ବୃଦ୍ଧି ପାଇଛି। ଏହାର ଅର୍ଥ ଉଭୟ ଦାରିଦ୍ର୍ୟ- ଅନଗ୍ରସରତା ଏବଂ ଆର୍ଥିକ ଅଭିବୃଦ୍ଧି ତଥା ବିକାଶ ପ୍ରସୂତ ସ୍ୱାସ୍ଥ୍ୟ ସମସ୍ୟାର ଦୋହରା ବୋଝ ଭାରତକୁ ବୋହିବାକୁ ପଡୁଛି।

ଅପପୁଷ୍ଟି କାରଣରୁ ପ୍ରାୟ ୪୮ ନିୟୁତ ଶିଶୁଙ୍କ ଓଜନ ଓ ଉଚ୍ଚତା ବୟସ ତୁଳନାରେ କମ୍‌ ଥିବା ବେଳେ ୧୪.୨ ନିୟୁତ ଶିଶୁ ପୃଥୁଳତା ବା ମେଦ ବହୁଳତାରେ ଆକ୍ରାନ୍ତ, ଯେଉଁମାନଙ୍କ ଓଜନ ବୟସ ତୁଳନାରେ ଅଧିକ। ଉଭୟ ପୁଷ୍ଟିହୀନତା ଏବଂ ମେଦ ବହୁଳତା ଅନେକ ରୋଗର କାରଣ। ଗୋଟିଏ ପଟେ ଡାଇରିଆ, ମ୍ୟାଲେରିଆ ନିୟନ୍ତ୍ରଣ ହୋଇ ପାରୁନାହିଁ, ଅନ୍ୟପଟେ ମଧୁମେହ ଜନିତ ବିଭିନ୍ନ ପ୍ରକାର ରୋଗ ଓ ବାୟୁ ପ୍ରଦୂଷଣ ଜନିତ ରୋଗରେ ମୃତ୍ୟୁସଂଖ୍ୟା ବଢ଼ିଚାଲିଛି। କେବଳ ଏତିକି ନୁହେଁ ରାଜ୍ୟ-ରାଜ୍ୟ ମଧ୍ୟରେ ସ୍ୱାସ୍ଥ୍ୟ ସମସ୍ୟାର ଚିତ୍ର ଓ ଚରିତ୍ରରେ ମଧ୍ୟ ବ୍ୟାପକ ବିଭିନ୍ନତା ସମସ୍ୟାକୁ ଆହୁରି ଅଧିକ ଜଟିଳ କରି ଦେଉଛି। ଓଡ଼ିଶା ଓ ଝାଡ଼ଖଣ୍ଡ ଭଳି ପଛୁଆ ରାଜ୍ୟରେ ଡାଇରିଆ ସବୁଠାରୁ ବଡ଼ ଘାତକ ହୋଇଥିବା ବେଳେ ପଞ୍ଜାବ, କେରଳ ଭଳି ଆଗୁଆ ରାଜ୍ୟରେ ହୃଦ୍‌ରୋଗ ସବୁଠାରୁ ବଡ଼ ଘାତକ।

ନିଃସନ୍ଦେହ, ସ୍ୱାସ୍ଥ୍ୟ ସମସ୍ୟାର ଚିତ୍ର ଓ ଚରିତ୍ରରେ ଏ ବିଡ଼ମ୍ବନାପୂର୍ଣ୍ଣ ପରିବର୍ତ୍ତନ ସ୍ୱାସ୍ଥ୍ୟ ସେବା କ୍ଷେତ୍ରରେ ଦୋହରା ଆହ୍ଵାନ ସୃଷ୍ଟି କରୁଛି। ଉଭୟ ଦାରିଦ୍ର୍ୟ ଓ ସମୃଦ୍ଧି ପ୍ରସୂତ ପୁରୁଣା ଓ ନୂଆ ସ୍ୱାସ୍ଥ୍ୟ ସମସ୍ୟାର ମୁକାବିଲା କରିବାକୁ ପଡ଼ିବ। ଫଳରେ ସମସ୍ୟାର ଚିତ୍ର ଓ ଚରିତ୍ରରେ ପରିବର୍ତ୍ତନ ସହ ତାଳ ଦେଇ ସ୍ୱାସ୍ଥ୍ୟ ସେବାର ଚିତ୍ର ଓ ଚରିତ୍ରରେ ମଧ୍ୟ ପରିବର୍ତ୍ତନ ଏକାନ୍ତ ଅପରିହାର୍ଯ୍ୟ। ଏଥିପାଇଁ ମୌଳିକ ଆବଶ୍ୟକତା ହେଲା, ସ୍ୱାସ୍ଥ୍ୟ ବାବଦ ସରକାରୀ ଖର୍ଚ୍ଚ ବୃଦ୍ଧି। ଅଧିକ ବ୍ୟୟବରାଦ ହେଲେ ସିନା ସ୍ୱାସ୍ଥ୍ୟ ସେବା ପାଇଁ ଭିତ୍ତିଭୂମିର ସଂପ୍ରସାରଣ, ଗୁଣାତ୍ମକ ଉନ୍ନତି ଓ ଲୋକବଳରେ ବୃଦ୍ଧି ସମ୍ଭବ। କିନ୍ତୁ ଆଶ୍ଚର୍ଯ୍ୟର ବିଷୟ ହେଲା ବର୍ତ୍ତମାନର କ୍ଷମତାସୀନ ସରକାର ଆବଶ୍ୟକତା ଅନୁଯାୟୀ ସ୍ୱାସ୍ଥ୍ୟ ସେବା ବାବଦ ଖର୍ଚ୍ଚ ବୃଦ୍ଧି ବିଷୟ ଆଦୌ ଗୁରୁତ୍ୱର ସହ ବିଚାର କରୁ ନାହାନ୍ତି।

ମୋଦୀ ସରକାରଙ୍କ ଦ୍ୱାରା ଜାରି ଚିଠା ସ୍ୱାସ୍ଥ୍ୟ ନୀତି ଅନୁଯାୟୀ ଆଗାମୀ ୨୦୨୫ ସୁଦ୍ଧା ସ୍ୱାସ୍ଥ୍ୟ ସେବା ବାବଦ ଖର୍ଚ୍ଚ ଜିଡିପିର ୨.୫ ପ୍ରତିଶତକୁ ବୃଦ୍ଧି ଲାଗି ଲକ୍ଷ୍ୟ ରଖାଯାଇଛି। ବର୍ତ୍ତମାନ ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ସରକାର ଜିଡିପିର ମାତ୍ର ୧.୨ ପ୍ରତିଶତ ଖର୍ଚ୍ଚ କରୁଛନ୍ତି। ଓଇସିଡି ଦେଶ ମାନଙ୍କର ସ୍ୱାସ୍ଥ୍ୟ ବାବଦ ହାରାହାରି ମୁଣ୍ଡ ପିଛା ଖର୍ଚ୍ଚ ବାର୍ଷିକ ୩୪୮୪ ଡଲାର ଓ ଚୀନ୍‌ର ୪୮୦ ଡଲାର ଥିବା ବେଳେ ଭାରତର ସ୍ୱାସ୍ଥ୍ୟ ବାବଦ ମୁଣ୍ଡ ପିଛା ଖର୍ଚ୍ଚ ୭୫ ଡଲାର ମାତ୍ର। ଏହା ଆବଶ୍ୟକତା ପୂରଣ ପାଇଁ ଘୋର ନିଅଣ୍ଟ। ବିଶ୍ୱରେ ଦେଶମାନଙ୍କ ହାରାହାରି ସ୍ୱାସ୍ଥ୍ୟସେବା ବାବଦ ଖର୍ଚ୍ଚ ଜିଡିପିର ୬ ପ୍ରତିଶତ, ହୋଇଥିବା ବେଳେ ଆଗାମୀ ସାତବର୍ଷରେ ଏହି ପରିମାଣକୁ ୨.୫ ପ୍ରତିଶତକୁ ବୃଦ୍ଧି ପାଇଁ ସରକାରଙ୍କ ଲକ୍ଷ୍ୟ ନିରାଶାଜନକ। ମନେ ହେଉଛି ସରକାର ସମସ୍ୟାର ଗମ୍ଭୀରତାକୁ ଠିକ୍‌ ଭାବେ ବୁଝି ପାରୁ ନାହାନ୍ତି। ପ୍ରଖ୍ୟାତ ଆନ୍ତର୍ଜାତିକ ମେଡିକାଲ ପତ୍ରିକା ‘ଲାନ୍‌ସେଟ୍‌’ ଅନୁଯାୟୀ କ୍ରମଶଃ ଅଧିକରୁ ଅଧିକ ଜଟିଳ ହେଉଥିବା ସ୍ୱାସ୍ଥ୍ୟ ସମସ୍ୟାର ମୁକାବିଲା ପାଇଁ ଭାରତ ଜିଡ଼ିପିର ଅନ୍ତତଃ ୬ ପ୍ରତିଶତ ସ୍ୱାସ୍ଥ୍ୟ ସେବା ପାଇଁ ଖର୍ଚ୍ଚ କରିବା ଏକାନ୍ତ ଆବଶ୍ୟକ। ଅନ୍ୟଥା ସ୍ୱାସ୍ଥ୍ୟ ସମସ୍ୟାର ପ୍ରଭାବଶାଳୀ ମୁକାବିଲା ହୋଇପାରିବ ନାହିଁ।

ତେଣୁ ସ୍ୱାସ୍ଥ୍ୟ ସମସ୍ୟା ସଂକ୍ରାନ୍ତ ସଦ୍ୟତମ ଅନୁଧ୍ୟାନ ରିପୋର୍ଟକୁ ଆଖି ଆଗରେ ରଖି ସରକାର ସ୍ୱାସ୍ଥ୍ୟ ନୀତିରେ ଆବଶ୍ୟକ ପରିବର୍ତ୍ତନ ଆଣନ୍ତୁ। ଅଧିକ ବ୍ୟୟବରାଦ ସହ ପୁରୁଣା ଓ ନୂଆ ସମସ୍ୟାର ମୁକାବିଲା ଲାଗି ଅଧିକରୁ ଅଧିକ ଲୋକଙ୍କ ପାଖରେ ଯେମିତି ମୌଳିକ ସ୍ୱାସ୍ଥ୍ୟ ସେବା ପହଞ୍ଚେ ଓ ଅନ୍ତତଃ ଜିଲ୍ଲା ସ୍ତରରେ ଉନ୍ନତ ମାନର ବିଶେଷଜ୍ଞ ଚିକିତ୍ସା ସୁବିଧା ଉପଲବ୍‌ଧ ହୁଏ, ତାକୁ ଲକ୍ଷ୍ୟରେ ରଖି ଯୋଜନା ପ୍ରସ୍ତୁତ କରନ୍ତୁ। ମନେ ରଖିବାକୁ ହେବ ଯେ ସ୍ୱାସ୍ଥ୍ୟ ଓ ଶିକ୍ଷା ଭଳି ସାମାଜିକ କ୍ଷେତ୍ରରେ ବିନିଯୋଗ ବିନା ସାମଗ୍ରିକ ଅଭିବୃଦ୍ଧି କିମ୍ବା ବିକାଶ ଲକ୍ଷ୍ୟ ହାସଲ ସମ୍ଭବ ନୁହେଁ।

ସମ୍ବନ୍ଧିତ ଖବର