ଜାତିଶୂନ୍ୟ ଦାରିଦ୍ର୍ୟ

ରାମଦାସ ଅଠଵାଲେ ହେଉଛନ୍ତି ଦେଶର ଜଣେ ଛାମୁଆଁ ଦଳିତ ନେତା ଓ ରିପବ୍ଲିକାନ୍‌ ପାର୍ଟି ଅଫ୍‌ ଇଣ୍ତିଆର ସଭାପତି। ସମାଜର ତଥାକଥିତ ଉଚ୍ଚ ଜାତି ଏବ˚ ଅନ୍ୟାନ୍ୟ ଅଣଆରକ୍ଷିତ ବର୍ଗମାନଙ୍କର ଆର୍ଥନୈତିକ ପଛୁଆ ସଦସ୍ୟମାନଙ୍କ ପାଇଁ କେନ୍ଦ୍ର କ୍ୟାବିନେଟ୍‌ ୧୦% ଆରକ୍ଷଣ ପ୍ରସ୍ତାବକୁ ଅନୁମୋଦନ କଲା ପରେ କେନ୍ଦ୍ର ସରକାରରେ ସାମାଜିକ ନ୍ୟାୟ ଓ ସଶକ୍ତୀକରଣ ମନ୍ତ୍ରୀ ଥିବା ଅଠଵାଲେ ଏହାକୁ ସ୍ବାଗତ କରି ମନ୍ତବ୍ୟ ଦେଇଛନ୍ତି ଯେ ଏହା ଦଳିତ ଓ ସବର୍ଣ୍ଣମାନଙ୍କ ମଧୢରେ ରହିଥିବା ବିଦ୍ବେଷ ଦୂର କରିବାରେ ସହାୟକ ହେବ। ତାଙ୍କ ମତରେ ଦାରିଦ୍ର୍ୟ ଉଭୟ ଦଳିତ ଗରିବ ଓ ସବର୍ଣ୍ଣ ଗରିବ ପାଇଁ ଏକାପ୍ରକାର ଅସୁବିଧା ସୃଷ୍ଟି କରୁଥିଲେ ହେଁ ଶିକ୍ଷା ଓ ଚାକିରି କ୍ଷେତ୍ରରେ ଆରକ୍ଷଣ ଦଳିତ ଓ ଅନ୍ୟାନ୍ୟ କେତେକ ବର୍ଗଙ୍କ ପାଇଁ ଏକ ସୁଯୋଗର ଦ୍ବାର ଖୋଲି ଦେଉଥିବା ବେଳେ, ତଥାକଥିତ ଉଚ୍ଚ ଜାତିର ଗରିବମାନଙ୍କ ପାଇଁ ତାହା ବନ୍ଦ ରହି ଆସିଛି। ଏହା ଉଚ୍ଚ ଜାତିମାନଙ୍କ ମଧୢରେ ଏକ ବଞ୍ଚିତ ମାନସିକତାକୁ ଜନ୍ମ ଦେଇଥାଏ, ଯାହା ସାମାଜିକ ବିଭାଜନକୁ ଦୃଢ଼ ଏବ˚ ଚିରସ୍ଥାୟୀ କରିଥାଏ। ତେଣୁ ତାଙ୍କ ମତରେ ଉଚ୍ଚ ଜାତିର ଅର୍ଥନୈତିକ ପଛୁଆ ଗୋଷ୍ଠୀକୁ ମଧୢ ଆରକ୍ଷଣ ସୁବିଧା ଯୋଗାଇବା ହେଉଛି ସାମାଜିକ ନ୍ୟାୟର ଅ˚ଶ ବିଶେଷ। ତାହା ଏହି ବିଭାଜନ ଦୂର କରିବାରେ ସହାୟକ ହୋଇଥାଏ।

ଅଠଵାଲେଙ୍କ ଏହି ମନ୍ତବ୍ୟ ଆମ ପାଇଁ ଏକ ପରିଚିତ ସ୍ବରର ପ୍ରତିଧ୍ବନି ଭଳି ମନେ ହୋଇଥାଏ, କାରଣ ବିଜୁ ପଟ୍ଟନାୟକ ଥିଲେ ଦେଶର ଏକମାତ୍ର ସାହସୀ ରାଜନେତା ଯିଏ ଦେଶରେ ମଣ୍ତଳ ରାଜନୀତି ନିଆଁ ଲଗାଇ ଦିଆଯାଇଥିବା ବେଳେ ଘୋଷଣା କରିଥିଲେ ଯେ ଗରିବର ଜାତି ନାହିଁ। କିନ୍ତୁ ଉଭୟ ଅଠଵାଲେ ଏବ˚ ବିଜୁ ପଟ୍ଟନାୟକଙ୍କ ବହୁ ପୂର୍ବରୁ, ଅର୍ଧ ଶତାବ୍ଦୀରୁ ଅଧିକ କାଳ ତଳେ ଠିକ୍‌ ଏହି ଭଳି ଏକ ଅଣପାରମ୍ପରିକ ଚିନ୍ତାଧାରା ପ୍ରକାଶ ପାଇବା ଦେଖାଯାଇଥିଲା ଜଣେ ଜନନାୟକଙ୍କ ମୁହଁରୁ ଯାହାଙ୍କୁ ସାରା ପୃଥିବୀରେ ଅବହେଳିତ, ନିଷ୍ପସିତ ମାନଙ୍କର ସ୍ବରର ବାହକ ରୂପେ ସ୍ବୀକାର କରାଯାଇଥାଏ। ସେ ହେଉଛନ୍ତି ଆମେରିକାର କୃଷ୍ଣକାୟମାନଙ୍କର ନାଗରିକ ଅଧିକାର ହାସଲ ଯୁଦ୍ଧର ସେନାପତି ପ୍ରବାଦ ପୁରୁଷ ସହିଦ ମାର୍ଟିନ୍‌ ଲୁଥର‌୍‌ କିଙ୍ଗ୍‌।

ଗତାନୁଗତିକ ଚିନ୍ତାଧାରା ସମ୍ପନ୍ନ ସମସ୍ତେ ଆଶା କରିବା କଥା ଯେ କୃଷ୍ଣକାୟ ନିଗ୍ରୋ ମାର୍ଟିନ୍‌ ଲୁଥର‌୍‌ କିଙ୍ଗ୍‌ ଶ୍ବେତକାୟ ଆମେରିକୀୟ ମାନଙ୍କ ପାଇଁ କୌଣସି ପ୍ରକାର ଆରକ୍ଷଣ ପ୍ରସ୍ତାବ (ଯାହାକୁ ସେଠାରେ ‘ଆଫାମେଟିଭ୍‌ ଆକ୍‌ସନ୍‌’ ବା ‘ଅସ୍ତିସୂଚକ କାର୍ଯ୍ୟ’ ରୂପେ ବର୍ଣ୍ଣନା କରାଯାଇଥାଏ)ର ବିରୋଧ କରିବେ। କିନ୍ତୁ କିଙ୍ଗ୍‌ଙ୍କର ଏ ସ୍ପର୍ଶକାତର ପ୍ରସଙ୍ଗ ପ୍ରତି ଆଭିମୁଖ୍ୟ ଥିଲା ଏହାର ସମ୍ପୂର୍ଣ୍ଣ ବିପରୀତ, ଯାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରି ଦେଇଥିଲା। ସେ ଶ୍ବେତକାୟମାନଙ୍କ ପାଇଁ ଅର୍ଥନୈତିକ ପଛୁଆ ଅବସ୍ଥା ଭିତ୍ତିରେ ଆରକ୍ଷଣ ବ୍ୟବସ୍ଥା ପ୍ରବର୍ତ୍ତନ ସପକ୍ଷରେ ଦୃଢ଼ ଯୁକ୍ତି ଉପସ୍ଥାପନ କରିଥିଲେ। ଏଥିରେ ସନ୍ଦେହ ନାହିଁ ଯେ ଦାସ ପ୍ରଥା ଓ ବର୍ଣ୍ଣବୈଷମ୍ୟର ଶିକାର ନିଗ୍ରୋମାନେ ଆମେରିକାରେ ଶହ ଶହ ବର୍ଷ ଧରି ଦାରିଦ୍ର୍ୟ, ଅଶିକ୍ଷା ଓ ଶୋଷଣ ମଧୢରେ କାଳ କାଟି ଆସିଛନ୍ତି। ସେମାନଙ୍କ ପାଇଁ ସମାନ ଅଧିକାର ହାସଲ କରିବା ସକାଶେ କିଙ୍ଗ୍‌ ଆନ୍ଦୋଳନ ଚଳାଇଥିଲେ। ସେମାନଙ୍କୁ ଶିକ୍ଷା, ନିଯୁକ୍ତି ଆଦି କ୍ଷେତ୍ରରେ ଆରକ୍ଷଣ ପ୍ରଦାନ କରା ନଗଲେ ସେମାନେ ଶ୍ବେତକାୟମାନଙ୍କ ସହିତ ପ୍ରତିଯୋଗିତା କରିପାରିବେ ନାହିଁ ବୋଲି ମଧୢ କିଙ୍ଗ୍‌ ଜାଣିଥିଲେ। କିନ୍ତୁ ସେ ଏହା ମଧୢ ଜାଣିଥିଲେ ଯେ ଶ୍ବେତକାୟମାନଙ୍କ ମଧୢରେ ଏପରି କେତେକ ଅଛନ୍ତି ଯେଉଁମାନଙ୍କ ଅର୍ଥନୈତିକ ଅବସ୍ଥା ଏପରି ଦୁର୍ବଳ ଯେ ସେମାନେ ଶିକ୍ଷା ଓ ନିଯୁକ୍ତି କ୍ଷେତ୍ରରେ ସ୍ବଚ୍ଛଳ ବର୍ଗଙ୍କ ସହିତ ପ୍ରତିଯୋଗିତା କରିପାରିବେ ନାହିଁ। କିଙ୍ଗ୍‌ ତେଣୁ ନିଗ୍ରୋମାନଙ୍କ ସହିତ ଏହି ଦୁର୍ବଳ ଶ୍ରେଣୀର ଶ୍ବେତକାୟମାନଙ୍କ ପାଇଁ ଆରକ୍ଷଣ ପ୍ରଦାନ କରାଯିବା ଚାହୁଁଥିଲେ। ଏହାକୁ ସେ ଏକ ମୌଳିକ ନ୍ୟାୟ ରୂପେ ବିଚାର କରୁଥିଲେ। ସେ ତେଣୁ ଲେଖିଥିଲେ, ‘‘ଏହା ଏକ ସରଳ ନ୍ୟାୟର କଥା ଯେ ଆମେରିକା ନିଗ୍ରୋମାନଙ୍କୁ ସେମାନଙ୍କର ପଛୁଆ ଅବସ୍ଥାରୁ ଉପରକୁ ଉଠାଇବାର ରଚନାତ୍ମକ ଉଦ୍ୟମ କରୁଥିବା ସହିତ ଏକ ବିଶାଳ ବିସ୍ମୃତ ଶ୍ବେତକାୟ ଦରିଦ୍ର ବର୍ଗର ମଧୢ ଉଦ୍ଧାର କରିବା ଆବଶ୍ୟକ।’’

ମାର୍ଟିନ୍‌ ଲୁଥର‌୍‌ କିଙ୍ଗ୍‌ ଏହା ମଧୢ ବୁଝିଥିଲେ ଯେ କେବଳ କୃଷ୍ଣକାୟମାନଙ୍କ ପାଇଁ ଆରକ୍ଷଣ ବ୍ୟବସ୍ଥା ସେଠାରେ ବର୍ଣ୍ଣବିଦ୍ବେଷକୁ ଆହୁରି ଗଭୀର କରିବ; ଠିକ୍‌ ଯେଉଁଭଳି ଆଶଙ୍କା ଅଠଵାଲେ ପ୍ରକାଶ କରିଛନ୍ତି। ବିଳମ୍ବରେ ହେଲେ ମଧୢ ବର୍ତ୍ତମାନ ସରକାର ଆରକ୍ଷଣ କ୍ଷେତ୍ରରେ ନେଇଥିବା ପଦକ୍ଷେପ ତେଣୁ ଏକ ଦୃଢ଼ ସାମାଜିକ ନ୍ୟାୟ ଭିତ୍ତିଭୂମି ଉପରେ ଯେ ପ୍ରତିଷ୍ଠିତ; ଏଥିରେ କୌଣସି ସନ୍ଦେହ ନାହିଁ। କିନ୍ତୁ ଏହା କେତେଦୂର ଏକ ଫଳପ୍ରସୂ ବାସ୍ତବ ପଦକ୍ଷେପ, ତାହା ଆଉ ଏକ ପ୍ରଶ୍ନ। ଏ ପଦକ୍ଷେପର ଉଦ୍ଦେଶ୍ୟ ମଧୢ ସନ୍ଦେହରୁ ଊର୍ଦ୍ଧ୍ବରେ ନୁହେଁ। ପାଖାପାଖି ପାଞ୍ଚ ବର୍ଷ କାଳ କ୍ଷମତାରେ ରହିବା ପରେ ସାଧାରଣ ନିର୍ବାଚନର ଦ୍ବାର ଦେଶରେ ଉପସ୍ଥିତ ହେବା ବେଳକୁ ଯାଇ ସରକାର ହଠାତ୍‌ ଏପରି ସାମାଜିକ ନ୍ୟାୟ ସଚେତନ କାହିଁକି ହୋଇ ପଡ଼ିଲେ, ତାହାର କାରଣ ଖୋଜିବା କଷ୍ଟକର ନୁହେଁ। ମୂଳରୁ ଉଚ୍ଚ ଜାତି ମାନଙ୍କର ଏକ ଦଳ ରୂପେ ପରିଚିତି ଲାଭ କରିଥିବା ଭାରତୀୟ ଜନତା ପାର୍ଟି ନିକଟ ଅତୀତରେ ସେହି ବର୍ଗର ସମର୍ଥନ ହରାଇ ବସିଛି ବୋଲି ଏକ ବ୍ୟାପକ ଧାରଣା ଏବେ ବଳବତ୍ତର ହୋଇଛି। ସଦ୍ୟ ସମାପ୍ତ ରାଜ୍ୟ ବିଧାନସଭା ନିର୍ବାଚନ ମାନଙ୍କରେ ଭାଜପାର ଶୋଚନୀୟ ପରାଜୟ ଦଳ ଓ ତାର ନେତାଙ୍କୁ ଛାନିଆ କରିଦେଇଛି। ସେମାନେ ତେଣୁ କୌଣସି ଏକ ନୂତନ ମ୍ୟାଜିକ୍‌ କରିବାକୁ ଚାହୁଁଛନ୍ତି ଯାହା ମୂଳ ସମର୍ଥକମାନଙ୍କୁ ପୁଣି ଘରକୁ ଫେରାଇ ଆଣିବ।

କିନ୍ତୁ ବର୍ତ୍ତମାନ ଉନ୍ମୋଚନ କରାଯାଇଥିବା ଏହି କୋଟା ମ୍ୟାଜିକ୍‌ର ସବୁଠାରୁ ସହଜ ଅ˚ଶ ହେଉଛି- ଏହାର ଘୋଷଣା। କ୍ୟାବିନେଟ୍‌ ଏକ ନିଷ୍ପତ୍ତି ଗ୍ରହଣ କରିବା ମାତ୍ରେ ତାହା ଯଦି ଆଇନରେ ପରିଣତ ହୋଇ ଯାଉଥାନ୍ତା, ତେବେ ଏ ମ୍ୟାଜିକ୍‌ କାର୍ଯ୍ୟ କରିବା ନେଇ କୌଣସି ସନ୍ଦେହ ରହନ୍ତା ନାହିଁ। କିନ୍ତୁ ଏହା କାର୍ଯ୍ୟ କରିବା ରାସ୍ତାରେ ଏପରି ପ୍ରତିବନ୍ଧ ମାନ ରହିଛି ଯେ ତାହା ନିର୍ବାଚନ ପୂର୍ବରୁ ବାସ୍ତବତାରେ ପରିଣତ ହେବାର କୌଣସି ସମ୍ଭାବନା ନାହିଁ କହିଲେ ଚଳେ। ପ୍ରତିବନ୍ଧମାନ ଏପରି ସୁପରିଚିତ ଯେ ସେଗୁଡ଼ିକର ବ୍ୟାଖ୍ୟାନ ଏଠାରେ ଅନାବଶ୍ୟକ। ତେବେ ଏତିକି କୁହାଯାଇ ପାରେ ଯେ ଏଥିପାଇଁ ସମ୍ବିଧାନର ସ˚ଶୋଧନ ଲୋଡ଼ା, ଯେଉଁଥିପାଇଁ ଏନ୍‌ଡିଏର ନିଜସ୍ବ ଶକ୍ତି ନାହିଁ। ଏହା ମଧୢ ସୁପ୍ରିମ୍‌ କୋର୍ଟଙ୍କ ନିର୍ଦ୍ଦେଶିତ ସର୍ବାଧିକ ୫୦% ଆରକ୍ଷଣ ସୀମା ଉଲ୍ଲ˚ଘନ କରୁଥିବାରୁ ଏହା ବିରୁଦ୍ଧରେ ମାମଲା ମାନ ଆରମ୍ଭ ହେବା ସୁନିଶ୍ଚିତ। ଯଦି ଏ ସମସ୍ତ ପ୍ରତିବନ୍ଧ ଲ˚ଘନ କରାଯାଇ ପାରିବ ବି, ତାହା ସବୁ ବର୍ତ୍ତମାନର ଲୋକସଭାର ଜୀବନ କାଳ ମଧୢରେ ସମାପ୍ତ ହୋଇ ପାରିବା ଅସମ୍ଭବ। ଏଣୁ ବର୍ତ୍ତମାନ ପାଇଁ ସରକାରଙ୍କର ମାର୍ଟିନ୍‌ ଲୁଥର‌୍‌ କିଙ୍ଗ୍‌ ସୁଲଭ ଉଚ୍ଚ ବର୍ଗ କୋଟା ଘୋଷଣା କେବଳ ଏକ ଫମ୍ପା ଘୋଷଣା ମାତ୍ର। ଯେହେତୁ ପ୍ରାୟ ସମସ୍ତ ରାଜନୈତିକ ଦଳମାନେ ଏହାର ସମର୍ଥକ, ଏ ଫମ୍ପା ଘୋଷଣା ଭାଜପାକୁ କ୍ଷମତା ଧରି ରଖିବାରେ ବିଶେଷ ସହାୟକ ହେବା ସମ୍ଭାବନା କ୍ଷୀଣ।

ସମ୍ବନ୍ଧିତ ଖବର