ସାଇନ୍‌ସ ସର୍କସ୍‌!

ଧର୍ମ ଓ ବିଜ୍ଞାନ ସ୍ବାଭାବିକ ଭାବରେ ପରସ୍ପରର ପରିପନ୍ଥୀ ହୋଇଥାନ୍ତି। ବିଜ୍ଞାନ ତଥ୍ୟ, ପ୍ରମାଣ ଓ ସ୍ପଷ୍ଟ ଯୁକ୍ତି ଉପରେ ପ୍ରତିଷ୍ଠିତ ହୋଇଥିବା ବେଳେ ଧର୍ମ ସମ୍ପୂର୍ଣ୍ଣ ରୂପେ କଳ୍ପନା ଓ (ଅନ୍ଧ) ବିଶ୍ବାସ ଉପରେ ନିର୍ଭର କରିଥାଏ। ହିନ୍ଦୁ ଧର୍ମ କିନ୍ତୁ ପୃଥିବୀର ଏକମାତ୍ର ଧର୍ମ ଯେଉଁଠି ସମୟ ସମୟରେ ଏ ଉଭୟ ଧାରାର ଏକ ଚମତ୍କାର ମିଳନ ଘଟିବା ଦେଖାଯାଇଥାଏ। ସେଥିପାଇଁ ବି˚ଶ ଶତାବ୍ଦୀର ପ୍ରସିଦ୍ଧ ମହାକାଶ ବିଜ୍ଞାନୀ ତଥା ବିଜ୍ଞାନ ଦୂତ ସ୍ବର୍ଗତ କାର୍ଲ ସାଗାନ୍‌ ତାଙ୍କର ସର୍ବପ୍ରସିଦ୍ଧ ପୁସ୍ତକ ‘କସ୍‌ମସ୍‌’ରେ ଲେଖିଥିଲେ: ‘‘ହିନ୍ଦୁ ଧର୍ମ ହେଉଛି ପୃଥିବୀର ମହାନ୍‌ ଧର୍ମମାନଙ୍କ ମଧୢରେ ଏକମାତ୍ର ଧର୍ମ ଯିଏ ଏହି ଧାରଣା ଉପରେ ପ୍ରତିଷ୍ଠିତ ଯେ ଏ ବିଶ୍ବ ବ୍ରହ୍ମାଣ୍ତ (କସ୍‌ମସ୍‌) ନିଜେ ଅସରନ୍ତି ସ˚ଖ୍ୟକ ବିଲୟ ଓ ପୁନର୍ଜନ୍ମ ଦେଇ ଗତି କରିଥାଏ। ଏହା ହେଉଛି ଏକମାତ୍ର ଧର୍ମ ଯେଉଁଥିରେ ବ୍ୟବହୃତ ସମୟ ମାପକ (ଟାଇମ୍‌ସ୍କେଲ୍‌) ଆଧୁନିକ ବ୍ରହ୍ମାଣ୍ତ ବିଜ୍ଞାନ (ସାଇଣ୍ଟିଫିକ୍‌ କସ୍‌ମୋଲୋଜି)ର ସମୟ ମାପ ସହିତ ମେଳ ଖାଇଥାଏ। ଏହାର ସମୟ ଚକ୍ର ଆମର ସାଧାରଣ ଦିନ ଓ ରାତିରୁ ଆରମ୍ଭ କରି ବ୍ରହ୍ମାଙ୍କର ଗୋଟିଏ ଦିନ ଓ ରାତି ପର୍ଯ୍ୟନ୍ତ ବ୍ୟାପି ଥାଏ ଯାହା ହେଉଛି ୮୬୪ କୋଟି ବର୍ଷ ଲମ୍ବା। ଏହା ହେଉଛି ପୃଥିବୀ କିମ୍ବା ସୂର୍ଯ୍ୟର ବୟସଠାରୁ ଆହୁରି ଲମ୍ବା ଏବ˚ ମହାବିସ୍ଫୋରଣ (ବିଗ୍‌ ବ୍ୟାଙ୍ଗ୍‌) ଘଟିବା ପରର ସମୟର ପ୍ରାୟ ଅଧା।’’

ସେଇ କାର୍ଲ ସାଗାନ୍‌ ଯଦି ଏବେ ଜୀବିତ ଥା’ନ୍ତେ, ତେବେ ସେଇ ହିନ୍ଦୁ ଧର୍ମର ବୈଜ୍ଞାନିକ ଐତିହ୍ୟ ସାବ୍ୟସ୍ତ କରିବା ପାଇଁ ସଦ୍ୟ ସମାପ୍ତ ଇଣ୍ତିଆନ୍‌ ସାଇନ୍‌ସ କ˚ଗ୍ରେସ୍‌ରେ କେତେକ ତଥାକଥିତ ବୈଜ୍ଞାନିକ କରିଥିବା ବିକଳ ଉଦ୍ୟମ ଦେଖି ବିସ୍ମିତ ଓ ବ୍ୟଥିତ ହୁଅନ୍ତେ ଇତି ମଧୢରେ ଭାରତରେ ବିଜ୍ଞାନର ଏ ଭଳି ଅଧୋଗତି କିପରି ଘଟିଛି। ଜଳନ୍ଧରଠାରେ ଏକ ଘରୋଇ ବିଶ୍ବବିଦ୍ୟାଳୟ ପରିସରରେ ଅନୁଷ୍ଠିତ ଇଣ୍ତିଆନ୍‌ ସାଇନ୍‌ସ୍‌ କ˚ଗ୍ରେସର ୧୦୬ତମ ବାର୍ଷିକ ସମ୍ମିଳନୀରେ ଉପସ୍ଥାପିତ ତଥାକଥିତ ଗବେଷଣାଭିତ୍ତିକ ସନ୍ଦର୍ଭମାନଙ୍କରେ ପ୍ରଦର୍ଶିତ ହୋଇଥିଲା ଯେ ରାମାୟଣ, ମହାଭାରତ ପରି ପ୍ରାଚୀନ ମହାକାବ୍ୟ ମାନଙ୍କରେ ଷ୍ଟେମ୍‌ ସେଲ୍‌ ରିସର୍ଚ୍ଚରୁ ଆରମ୍ଭ କରି ଟେଷ୍ଟଟ୍ୟୁବ୍‌ ସନ୍ତାନ, ବ୍ୟୋମଯାନ ଓ ଗାଇଡେଡ୍‌ ମିସାଇଲ୍‌ ଆଦି ସମ୍ବନ୍ଧରେ ବିଶଦ ଜ୍ଞାନ କୌଶଳ ଉପଲବ୍‌ଧ ଅଛି।

ଏ ଭଳି ଦାବି ମାନ ପୁଣି ଯେଉଁମାନେ କରିଥିଲେ ସେମାନେ କେବଳ ଯେ ବୈଜ୍ଞାନିକର ବେଶ ପରିଧାନ କରିଛନ୍ତି ତାହା ନୁହେଁ, ସେମାନେ ମଧୢ ବିଭିନ୍ନ ଅନୁଷ୍ଠାନମାନଙ୍କରେ ଦାୟିତ୍ବପୂର୍ଣ୍ଣ ପଦପଦବି ମଣ୍ତନ କରି ରହିଛନ୍ତି। ଯେମିତି, ଆନ୍ଧ୍ର ବିଶ୍ବବିଦ୍ୟାଳୟର କୁଳପତି ଥିବା ପ୍ରଫେସର‌୍‌ ନାଗେଶ୍ବର ରାଓ। ସେ ମହାଶୟ ବାଳକବାଳିକାମାନଙ୍କ ପାଇଁ ଉଦ୍ଦିଷ୍ଟ ଏକ ବିଶେଷ ଅଧିବେଶନରେ ଅଭିଭାଷଣ ପ୍ରଦାନ କରି ଏହି କୋମଳମତି ଶିଶୁମାନଙ୍କୁ କହିଥିଲେ ଯେ ଟେଷ୍ଟଟ୍ୟୁବ୍‌ ପଦ୍ଧତି ବ୍ୟବହାର କରି ମହାଭାରତରେ ଜଣେ ନାରୀ (ଗାନ୍ଧାରୀ) ଏକୁଟିଆ ୧୦୦ଟି ସନ୍ତାନଙ୍କୁ ଜନ୍ମ ଦେଇଥିଲେ। ନାଗେଶ୍ବର ରାଓଙ୍କ ଭାଷାରେ ଶହେଟି ଡିମ୍ବାଣୁରେ ଜୀବନ ସଞ୍ଚାର କରାଯାଇ ସେଗୁଡ଼ିକୁ ଶହେଟି ମାଟିପାତ୍ରରେ ରଖି ଦିଆଯାଇଥିଲା। ହଜାର ହଜାର ବର୍ଷ ତଳେ ଭାରତରେ ଯେ ଷ୍ଟେମ୍‌ ସେଲ୍‌ ଗବେଷଣା ଚାଲିଥିଲା, ଏହା ତା’ର ପ୍ରମାଣ ବୋଲି ନାଗେଶ୍ବର ରାଓ ତାଙ୍କ ଭାଷଣ ଶୁଣୁଥିବା କିଶୋରକିଶୋରୀମାନଙ୍କ ମୁଣ୍ତରେ ଭର୍ତ୍ତି କରିବାକୁ ଚେଷ୍ଟା କରିଥିଲେ। ଏତେ ବଡ଼ ଜଣେ ବ୍ୟକ୍ତିଙ୍କ କଥା ନିଶ୍ଚୟ ଏକ ବିଜ୍ଞାନସମ୍ମତ ସତ୍ୟ ହୋଇଥିବ, ନମନୀୟ ମସ୍ତିଷ୍କସମ୍ପନ୍ନ କିଶୋରକିଶୋରୀମାନେ ନିଶ୍ଚୟ ତାହା ଭାବିଥିବେ। ପ୍ରଫେସର ରାଓ କେବଳ ଜୈବ ବିଜ୍ଞାନରେ ନିଜକୁ ମଧୢ ସୀମିତ ରଖି ନଥିଲେ। ସେ ପଦାର୍ଥ ବିଜ୍ଞାନ ଓ ଅସ୍ତ୍ରବିଜ୍ଞାନରେ ପ୍ରବେଶ କରି ଏହା ମଧୢ କହିଥିଲେ ଯେ ହିନ୍ଦୁମାନଙ୍କ ଦେବତା ରାମ ଏପରି କ୍ଷେପଣାସ୍ତ୍ର ବ୍ୟବହାର କରୁଥିଲେ, ଯାହା ଉଦ୍ଦିଷ୍ଟ ଲକ୍ଷ୍ୟକୁ ଅନୁଧାବନ କରି ତାହାକୁ ଭେଦ କଲା ପରେ ପୁଣି ତାଙ୍କ ପାଖକୁ ଫେରି ଆସୁଥିଲା। ନାଗେଶ୍ବର ଅବଶ୍ୟ ପକ୍ଷପାତିତା କରିନାହାନ୍ତି। ସେ ରାମଙ୍କ ପରମ ଶତ୍ରୁ ରାବଣକୁ ମଧୢ ଏପରି ବୈଜ୍ଞାନିକ ଜ୍ଞାନକୌଶଳରୁ ବଞ୍ଚିତ କରି ନାହାନ୍ତି। ସେ କହିଥିଲେ ରାବଣ ତା ରାଜ୍ୟ ଲଙ୍କାରେ ଅନେକ ସ˚ଖ୍ୟକ ବିମାନ ବନ୍ଦର ନିର୍ମାଣ କରିଥିଲା ଓ ୨୪ ପ୍ରକାରର ବିମାନ ମାନ ବ୍ୟବହାର କରୁଥିଲା।

ତାମିଲନାଡୁ ଏ ବାବଦରେ ଆନ୍ଧ୍ରର ପଛରେ ପଡ଼ିବାକୁ ପ୍ରସ୍ତୁତ ନୁହେଁ। ସେଠାକାର ଜଣେ ବୈଜ୍ଞାନିକ, କାନ୍ନନ୍‌ କୃଷ୍ଣନ୍‌ ତାଙ୍କ ଦ୍ବାରା ଉପସ୍ଥାପିତ ସନ୍ଦର୍ଭରେ ଦାବି କରିଥିଲେ ଯେ- ନିଃଶ୍ବାସ ବନ୍ଦ ରଖନ୍ତୁ- ଆଇଜାକ୍‌ ନିଉଟନ୍‌ ଓ ଆଲବର୍ଟ ଆଇନ୍‌ଷ୍ଟାଇନ୍‌ ପଦାର୍ଥ-ବିଜ୍ଞାନକୁ ଠିକ୍‌ ଭାବରେ ବୁଝି ନଥିଲେ। ନିଉଟନ୍‌ଙ୍କ ମାଧୢାକର୍ଷଣ ତତ୍ତ୍ବ ଓ ଆଇନ୍‌ଷ୍ଟାଇନ୍‌ଙ୍କ ଆପେକ୍ଷିକ ତତ୍ତ୍ବ ଭ୍ରମାତ୍ମକ ବୋଲି ସେ ଦର୍ଶାଇଥିଲେ। ସେ ମଧୢ ଚାଟୁକାରିତାର ସମସ୍ତ ସୀମା ଲ˚ଘନ କରି ଏକ ପ୍ରସ୍ତାବ ଦେଇଥିଲେ ଯେ ‘ମାଧୢାକର୍ଷଣ ତରଙ୍ଗ’ର ନାମକରଣ କରାଯାଉ- ‘ନରେନ୍ଦ୍ର ମୋଦୀ ତରଙ୍ଗ’! ଏଥିରେ ଆଶ୍ଚର୍ଯ୍ୟ ହେବାର କିଛି ନାହିଁ କାରଣ ବିଜ୍ଞାନ କ˚ଗ୍ରେସ ଭଳି ବୌଦ୍ଧିକ ସମାବେଶରେ ଏ ଭଳି ଅଜ୍ଞାନର ପ୍ରବେଶ ପଛରେ ତାଙ୍କର ଏକ ପ୍ରମୁଖ ଭୂମିକା ରହିଛି। ୨୦୧୪ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ହିଁ ନାଟକୀୟ ଢଙ୍ଗରେ ଘୋଷଣା କରିଥିଲେ ଗଣେଶଙ୍କର ହାତୀ ମୁଣ୍ତ ହେଉଛି ପ୍ରମାଣ ଯେ ପ୍ରାଚୀନ ଭାରତରେ ପ୍ଲାଷ୍ଟିକ୍‌ ସର୍ଜରିର ପ୍ରଚଳନ ଥିଲା। ଏଭଳି ଦାବିମାନ ବିଜ୍ଞାନ ନା ନକଲି ବିଜ୍ଞାନ, ତାହା ନିର୍ଣ୍ଣୟ କରିବା ପାଇଁ   ଆଉ ଜଣେ କାର୍ଲ- ପ୍ରସିଦ୍ଧ ବିଜ୍ଞାନ- ଦାର୍ଶନିକ ସ୍ବର୍ଗତ କାର୍ଲ ପପ୍ପର ଯେଉଁ ଏକ  ପରୀକ୍ଷା ବ୍ୟବହାର କରିଥିଲେ, ତାହା ହେଉଛି ମିଥ୍ୟା ସାବ୍ୟସ୍ତ ଯୋଗ୍ୟତା (ଫଲ୍‌ସିଫାୟାବିଲିଟି)। ଉପରୋକ୍ତ କୌଣସିଟି ଦାବି ଏହି ‘ପପ୍ପର ପରୀକ୍ଷା’ରେ ଉତ୍ତୀର୍ଣ୍ଣ ହୋଇପାରିବେ ନାହିଁ। ଭାରତର ତୋଷାମଦକାରୀ ସ˚ସ୍କୃତିରୁ ବିଜ୍ଞାନ ଓ ଗବେଷଣା କ୍ଷେତ୍ର ଆଦୌ ମୁକ୍ତ ନୁହେଁ। ତେଣୁ ନିଉଟନ୍‌ଙ୍କୁ ଅପସାରିତ କରି ନରେନ୍ଦ୍ର ମୋଦୀଙ୍କୁ ସ୍ଥାପନ କରିବା ପାଇଁ ଏଠାରେ ବୈଜ୍ଞାନିକମାନଙ୍କର ଉଦ୍ୟମରେ ଆଶ୍ଚର୍ଯ୍ୟ ହେବାର କିଛି ନାହିଁ।

କର୍ଲ ସାଗାନ୍‌ଙ୍କୁ ଯାହା ଅଧିକ କଷ୍ଟ ଦିଅନ୍ତା, ତାହା ହେଲା ଆଧୁନିକ କାଳରେ ମଧୢ ଯେଉଁ ଦେଶରେ ବିଚକ୍ଷଣ ବୈଜ୍ଞାନିକମାନଙ୍କର ଆବିର୍ଭାବ ଘଟିବା ବନ୍ଦ ହୋଇ ନଥିଲା, ସେଠାରେ ବର୍ତ୍ତମାନ କଳ୍ପନା ଓ ଅନ୍ଧବିଶ୍ବାସ ବିଜ୍ଞାନକୁ ଏପରି ସ୍ଥାନଚ୍ୟୁତ କରିବାକୁ ଉଦ୍ୟତ ହୋଇଛି। ପଦାର୍ଥ ବିଜ୍ଞାନ କ୍ଷେତ୍ରରେ ସଦ୍ୟତମ ଚାଞ୍ଚଲ୍ୟ ସୃଷ୍ଟି କରିଥିବା ‘ହିଗ୍‌ସ ବୋସନ୍‌’ ପାର୍ଟିକ୍‌ଲର ନାମକରଣର ଅର୍ଧେକ ହୋଇଛି ଭାରତୀୟ ପଦାର୍ଥ ବିଜ୍ଞାନୀ ସତ୍ୟେନ୍ଦ୍ର ନାଥ ବୋଷ୍‌ଙ୍କ ନାମରେ। ପାର୍ଟିକ୍‌ଲ ପଦାର୍ଥ ବିଜ୍ଞାନୀ ଅଶୋକ ସେନ୍‌ ପୃଥିବୀର ସର୍ବାଧିକ ପୁରସ୍କାର ରାଶି ବହନ କରୁଥିବା ଫଣ୍ତାମେଣ୍ଟାଲ୍‌ ଫିଜିକ୍‌ସ ପ୍ରାଇଜ୍‌ ହାସଲ କରିଛନ୍ତି। କିନ୍ତୁ ଏ ଅଜ୍ଞାନ ବିଜ୍ଞାନ ସମୟରେ ସେମାନଙ୍କର ମୂଲ୍ୟ କ’ଣ? ତେଣୁ ହିଁ ନୋବେଲ୍‌ ପୁରସ୍କାର ବିଜେତା ବୈଜ୍ଞାନିକ ଭେଙ୍କଟ୍‌ ରାମନ୍‌ ରାମକୃଷ୍ଣନ୍‌ ଇଣ୍ତିଆନ୍‌ ସାଇନ୍‌ସ କ˚ଗ୍ରେସକୁ ଏକ ସର୍କସ ବୋଲି ଆଖ୍ୟା ଦେଇଛନ୍ତି।

ସମ୍ବନ୍ଧିତ ଖବର