‘କାଳିଆ’କୁ ରକ୍ଷା କର!

0 1,077

ପଞ୍ଚଦଶ ଅର୍ଥ କମିସନର ଅଧ୍ୟକ୍ଷ ଏନ୍‌କେ ସିଂହ ନବୀନ ପଟ୍ଟନାୟକ ସରକାରଙ୍କ ‘କାଳିଆ’ ଯୋଜନାର ଉଚ୍ଚ ପ୍ରଶଂସା କରିଛନ୍ତି। ଅବଶ୍ୟ, ଏକା ଅର୍ଥ କମିସନ୍‌ର ଅଧ୍ୟକ୍ଷ ନୁହଁନ୍ତି, ଜାତୀୟ ସ୍ତରରେ ବହୁ ଜଣାଶୁଣା ଅର୍ଥଶାସ୍ତ୍ରୀ, ଅର୍ଥନୈତିକ ବ୍ୟାପାରର ସମୀକ୍ଷକ ଓ ଚାଷ ଓ ଚାଷୀ ପ୍ରସଙ୍ଗରେ ବିଶେଷଜ୍ଞମାନେ ସାଂପ୍ରତିକ କୃଷି-ସଙ୍କଟର ମୁକାବିଲା ଦିଗରେ ଏକ ଉପଯୋଗୀ ଯୋଜନା ଭାବେ ‘କାଳିଆ’ ସମ୍ପର୍କରେ ଅନୁକୂଳ ମତ ଦେଇଛନ୍ତି। ଗୋଟିଏ ସାଧାରଣ ମତ ଯେ, ଋଣ ଛାଡ଼ର ବିକଳ୍ପ ଭାବେ କୃଷକ ସଶକ୍ତୀକରଣ ଓ କୃଷି ଆୟ ବୃଦ୍ଧି ଲକ୍ଷ୍ୟରେ ‘କାଳିଆ’ ଯୋଜନା ଏକ ନୂଆ ପ୍ରୟୋଗ। ବିଶେଷଜ୍ଞଙ୍କ ମୁହଁରେ ‘କାଳିଆ’ (କୃଷକ ଆସିଷ୍ଟାନ୍ସ ଫର୍‌ ଲାଇଭଲିହୁଡ଼ ଆଣ୍ଡ୍‌ ଇନ୍‌କମ୍‌ ଅଗ୍‌ମେଣ୍ଟେସନ୍‌)ର ପ୍ରଶଂସା ଉପରଠାଉରିଆ କି ଖାଲି ପୋଥିଗତ ନୁହେଁ। ତାହା ପ୍ରତିଫଳିତ ହୋଇଛି କ୍ଷେତ୍ର ସ୍ତରରେ ସମ୍ଭାବ୍ୟ ହିତାଧିକାରୀଙ୍କ ମଧ୍ୟରେ ଯୋଜନା ନେଇ ପ୍ରକାଶ ପାଇଥିବା ବିପୁଳ ଆଗ୍ରହରୁ। ଗାଁ ଗହଳିରେ ଏବେ ପଞ୍ଚାୟତ ର୍କ୍ୟାାଳୟ ଗୁଡ଼ିକ ସମ୍ମୁଖରେ ‘କାଳିଆ’ ପାଇଁ ରଥଯାତ୍ରା ପରି ଭିଡ଼। ଗହଳି ମଧ୍ୟରେ ବିଭିନ୍ନ ସ୍ଥାନରେ ଆବେଦନ ଫର୍ମ ପାଇଁ ଅବ୍ୟବସ୍ଥା, ବିଶୃଙ୍ଖଳା ଏପରିକି ଅସାଧୁ କାରବାରର ଖବର ମିଳିଛି। ଘରେ ନ ପଶୁଣୁ ମୁଣ୍ଡରେ ଚାଳ ବାଜିଲା ଭଳି ପ୍ରାରମ୍ଭରୁ ଏହି ବିଭ୍ରାଟ ଓ ବିଶୃଙ୍ଖଳା ସ୍ୱତଃ ପ୍ରଶ୍ନ ସୃଷ୍ଟି କରୁଛି ‘କାଳିଆ’ ଭଳି ,କ ମେଗା ଯୋଜନାର କାର୍ଯ୍ୟକାରିତା ପାଇଁ ସରକାରୀ କଳର ଆବଶ୍ୟକ ପ୍ରସ୍ତୁତି ଅଛି ତ?
‘କାଳିଆ’ ଯୋଜନାର ସଫଳ କାର୍ଯ୍ୟକାରିତା ସରକାରୀ ଦଳ ଆଗରେ ନିଶ୍ଚୟ ଏକ ହିମାଳୟ ତୁଲ୍ୟ ଆହ୍ଵାନ ଛିଡ଼ା କରିଛି। ବିଶେଷଜ୍ଞମାନେ ମଧ୍ୟ ଠିକ୍‌ ଏହି ବିଷୟ ଉପରେ ଗୁରୁତ୍ୱ ଦେଉଛନ୍ତି। ‘କାଳିଆ’ ପଛର ଉଦ୍ଦେଶ୍ୟ ମହତ୍‌ ଥିଲେ ସୁଦ୍ଧା, ଏହାର କାର୍ଯ୍ୟକାରିତା ଉପରେ ଯୋଜନାର ସଫଳତା ନିର୍ଭର କରୁଛି। ସରକାରୀ କଳ ପାଇଁ ଯୋଜନାର ରୂପାୟନ ନେଇ ଦୁଇଟି ମୁଖ୍ୟ ଆହ୍ଵାନ। ପ୍ରଥମ ରଥଯାତ୍ରା ପରି ଭିଡ଼କୁ ସମ୍ଭାଳି ବ୍ୟବସ୍ଥିତ ଓ ଶୃଙ୍ଖଳିତ ଭାବେ ଆବେଦନ ଫର୍ମ ବଣ୍ଟନ। ଦ୍ୱିତୀୟ, ଅଯୋଗ୍ୟଙ୍କୁ ବାଦ୍‌ ଦେଇ ପ୍ରକୃତ ଯୋଗ୍ୟ ହିତାଧିକାରୀ ଚୟନ। ‘କାଳିଆ’ ଯୋଜନା ପାଇଁ ଏ ରଥ ଯାତ୍ରା ଭଳି ପ୍ରବଳ ଭିଡ଼ ଆଦୌ ଅସ୍ୱାଭାବିକ କିମ୍ବା ଅପ୍ରତ୍ୟାଶିତ ନୁହେଁ। କାରଣ କୃଷି ଉପରେ ରାଜ୍ୟ ଲୋକ ସଂଖ୍ୟାର ୬୧.୮୨% ନିର୍ଭରଶୀଳ ଓ ସମସ୍ତେ ଏହାର ହିତାଧିକାରୀ ହେବାକୁ ଆଶାୟୀ। ଲୋକସଂଖ୍ୟାର ୬୧.୮୨%ର ଅର୍ଥ ପ୍ରାୟ ୫୨ ଲକ୍ଷ ପରିବାର। ସରକାରଙ୍କ ତଥ୍ୟ ଅନୁଯାୟୀ ରାଜ୍ୟରେ ଚାଷୀଙ୍କ ସଂଖ୍ୟା ୪୧ ଲକ୍ଷ ୪ ହଜାର ଏବଂ କୃଷିି ଶ୍ରମିକଙ୍କ ସଂଖ୍ୟା ୬୭ ଲକ୍ଷ ୪୦ ହଜାର। ଅର୍ଥାତ୍‌ କୋଟିଏରୁ ଅଧିକ ଆଶାୟୀଙ୍କ ମଧ୍ୟରୁ ‘କାଳିଆ’ ପାଇଁ ଯୋଗ୍ୟ ହିତାଧିକାରୀ ଚୟନ ନିଶ୍ଚୟ ଏକ ଦୁରୂହ ବ୍ୟାପାର। ଯୋଜନାର ମାପକାଠି ଅନୁଯାୟୀ ହିତାଧିକାରୀ ହେବା ପାଇଁ ୪୦ ଲକ୍ଷ ଚାଷୀଙ୍କ ମଧ୍ୟରୁ ୯୨% କ୍ଷୁଦ୍ର ଓ ନାମମାତ୍ର ଚାଷୀ ଯୋଗ୍ୟତା ରଖୁଥିବା ବେଳେ, ୬୭ ଲକ୍ଷ କୃଷି ଶ୍ରମିକଙ୍କ ମଧ୍ୟରୁ ସବୁ ଭୂମିହୀନ ହିତାଧିକାରୀ ହେବାକୁ ଯୋଗ୍ୟ। ତେଣୁ ‘କାଳିଆ’ ଯୋଜନା ପାଇଁ ଆବେଦନକାରୀଙ୍କ ପ୍ରବଳ ଭିଡ଼ ହେବା ସ୍ୱାଭାବିକ। ଚାହିଦା ଅନୁଯାୟୀ ଆବଶ୍ୟକ ସଂଖ୍ୟକ ଆବେଦନ ଫର୍ମ ମିଳୁନାହିଁ। କେତେକ ସ୍ଥାନରେ ଏହାର ସୁଯୋଗ ନେଇ ‘ମାଗଣା’ ଫର୍ମ ବିକ୍ରି କରାଯାଉଛି। ଆବେଦନକାରୀଙ୍କ ଭିଡ଼କୁ ଦେଖି ପ୍ରଥମ ପର୍ଯ୍ୟାୟ ଆବେଦନ ତାରିଖ ୧୫ ପର୍ଯ୍ୟନ୍ତ ଘୁଞ୍ଚାଯିବା ଏବଂ ଆବଶ୍ୟକ ସ୍ଥଳେ ଫର୍ମର .ଜେରକ୍‌ସ କପି ଗ୍ରହଣ କରାଯିବ ବୋଲି ଘୋଷଣା ଏକ ଠିକଣା ନିଷ୍ପତ୍ତି।
ଶୃଙ୍ଖଳିତ, ବ୍ୟବସ୍ଥିତ ଭାବେ ହିତାଧିକାରୀଙ୍କ ପାଇଁ ଫର୍ମ ଉପଲବ୍ଧ କରାଇ, ସେଗୁଡ଼ିକ ଠିକଣା ସମୟରେ ଗ୍ରହଣ ଅପେକ୍ଷା ସରକାରୀ କଳ ପାଇଁ ଅଧିକ ବଡ଼ ଆହ୍ଵାନ ହେଲା କୋଟିଏରୁ ଊର୍ଦ୍ଧ୍ୱ ହିତାଧିକାରୀଙ୍କ ମଧ୍ୟରୁ ୪୨ ଲକ୍ଷ ଯୋଗ୍ୟ ହିତାଧିକାରୀ ଚୟନ। ୩୨ ଲକ୍ଷ କ୍ଷୁଦ୍ର, ନାମମାତ୍ର ଭାଗଚାଷୀ ଓ ପ୍ରାୟ ୧୦ ଲକ୍ଷ ଭୂମିହୀନ ଶ୍ରମିକଙ୍କୁ ଲକ୍ଷ୍ୟରେ ରଖି ଏହି ଯୋଜନାର ପରିକଳ୍ପନା କରାଯାଇଛି। ଏହି ବୃହତ୍‌ ସଂଖ୍ୟାର ଆବେଦନକାରୀଙ୍କ ମଧ୍ୟରୁ ଯୋଗ୍ୟ ହିତାଧିକାରୀ ଚୟନ ପ୍ରଶାସନ ପାଇଁ ଏକ କଡ଼ା ଆହ୍ଵାନ ହୁଅନ୍ତା ନାହିଁ, ଯଦି ଆବେଦନକାରୀଙ୍କ ମଧ୍ୟରେ ବହୁ ସଂଖ୍ୟାରେ ନକଲି ଯୋଗ୍ୟତାଧାରୀ ସାମିଲ ହୋଇ ଅବସ୍ଥାକୁ ଗୋଳିଆ କରୁ ନ ଥାନ୍ତେ। ଗରିବଙ୍କ ପାଇଁ ଉଦ୍ଦିଷ୍ଟ ଯୋଜନାରେ ଏହା ସବୁବେଳେ ଏକ ରୋଗ। ଅନେକ ଧୋବଧାଉଳିଆ ବଡ଼ବଡ଼ିଆ ଅସାଧୁ ଉପାୟରେ ଯୋଜନାର ଫାଇଦା ମାରି ନେବାକୁ ଅପଚେଷ୍ଟା କରନ୍ତି। ଅନେକ କ୍ଷେତ୍ରରେ ଅସାଧୁମାନେ ସଫଳ ମଧ୍ୟ ହୋଇଥାନ୍ତି। ଅନ୍ୟପକ୍ଷରେ, ଅନେକ ଯୋଗ୍ୟ ଗରିବ ହିତାଧିକାରୀ, ସେମାନଙ୍କ ପାଇଁ ଉଦ୍ଦିଷ୍ଟ ଯୋଜନାରୁ ଲାଭ ପାଇବାରୁ ବଞ୍ଚିତ ହୋଇଥାନ୍ତି। ଦୁଇ ବର୍ଷ ତଳେ ଗରିବଙ୍କ ପାଇଁ ଖାଦ୍ୟ ସୁରକ୍ଷା ନିଶ୍ଚିତ କରିବା ପାଇଁ ଉଦ୍ଦିଷ୍ଟ ଜାତୀୟ ଖାଦ୍ୟ ନିରାପତ୍ତା ଯୋଜନା କ୍ଷେତ୍ରରେ ମଧ୍ୟ ଠିକ୍‌ ଏହା ଦେଖାଯାଇଥିଲା। ଗୋଟିଏ ଗୋଟିଏ ଜିଲ୍ଲାରେ ମୋଟ ଲୋକସଂଖ୍ୟା ଠାରୁ ଶସ୍ତା ଚାଉଳ ପାଇଁ ଆବେଦନକାରୀଙ୍କ ସଂଖ୍ୟା ଟପି ଯାଇଥିଲା। ସରକାରୀ କର୍ମଚାରୀ, ଶିକ୍ଷକ ଓ ଅନ୍ୟ ଉଚ୍ଚ ଆୟକାରୀ ସ୍ୱଚ୍ଛଳ ବର୍ଗର ଲୋକେ ହିତାଧିକାରୀ ତାଲିକାରେ କଳେବଳେ ନାମ ଦରଜ କରି ନେଇଥିଲେ। ପରବର୍ତ୍ତୀ ସମୟରେ ଅଳ୍ପସଂଖ୍ୟକ ‘ନକଲି ହିତାଧିକାରୀ’ଙ୍କୁ ଚିହ୍ନଟ କରାଯାଇ ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯାଇଥିଲେ ସୁଦ୍ଧା ବର୍ତ୍ତମାନ ବି ଅନେକ ‘ସ୍ୱଚ୍ଛଳ’ ଲୋକ, ‘ଗରିବ’ର ନକଲି ପ୍ରମାଣପତ୍ର ଯୋଗାଡ଼ କରି ଗରିବଙ୍କ ଚାଉଳରେ ଭାଗ ବସାଉଛନ୍ତି। ଅଥଚ, ଅନେକ ଗରିବ ଏଥିରୁ ବାଦ୍‌ ପଡ଼ିଛନ୍ତି। ପ୍ରାୟ ସବୁ ଗରିବ କଲ୍ୟାଣ ଯୋଜନାର ହିତାଧିକାରୀ ତାଲିକାରେ ଧୋବଧାଉଳିଆ, ବଡ଼ବଡ଼ିଆ, ସ୍ୱଚ୍ଛଳଙ୍କ ସଂଖ୍ୟା କିଛି କମ୍‌ ନୁହେଁ। ‘କୁଟୀର ଜ୍ୟୋତି’ ସତ୍ତ୍ୱେ ଅନେକ ଗରିବଙ୍କ କୁଡ଼ିଆ ଅନ୍ଧାରରେ। ଅଥଚ, ‘କୁଟୀର ଜ୍ୟୋତି’ ଆଲୁଅରେ ଅନେକ କୋଠାଘର ଆଲୋକିତ। କେବଳ ଓଡ଼ିଶାରେ ନୁହେଁ, ସାରା ଭାରତରେ ଗରିବ କଲ୍ୟାଣ ଯୋଜନାଗୁଡ଼ିକର ଏହା ହେଉଛି ଦୁର୍ଭାଗ୍ୟଜନକ ବିଡ଼ମ୍ବିତ ଭାଗ୍ୟ।
‘କାଳିଆ’ ଯୋଜନା ମଧ୍ୟ ସମାନ ଦଶା ଭୋଗିବାର ଆଶଙ୍କା ଦେଖା ଦେଇଛି। ହିତାଧିକାରୀ ହେବାର କୌଣସି ଯୋଗ୍ୟତା ରଖୁନଥିବା, ଚାଷ କିମ୍ବା ଜମି ସହ ଦୂର ଦୂର ପର୍ଯ୍ୟନ୍ତ କୌଣସି ସମ୍ପର୍କ ନଥିବା ଲୋକେ ମଧ୍ୟ ‘କାଳିଆ’ ଯୋଜନାର ହିତାଧିକାରୀ ହେବାକୁ ଆବେଦନକାରୀଙ୍କ ଭିଡ଼ରେ ସାମିଲ ହୋଇଛନ୍ତି। ଦୁର୍ଭାଗ୍ୟର ବିଷୟ କେତେକ କ୍ଷେତ୍ରରେ ସରକାରୀ କଳର ବାବୁମାନେ ଯୋଜନା ଅପହରଣର ଏହି ହୀନ ଚକ୍ରାନ୍ତରେ ସକ୍ରିୟ ଭାବେ ସହଯୋଗ କରୁଛନ୍ତି। କେତେକ ସ୍ଥାନରେ ସରକାରୀ ଚାକିରିଆ ହିତାଧିକାରୀ ତାଲିକାରେ ସ୍ଥାନ ପାଇଥିବା ଅଭିଯୋଗ ଆସିଲାଣି। ହିତାଧିକାରୀଙ୍କୁ ଛାଣି ନକଲି ଅସଲିଙ୍କୁ ଅଲଗା କରିବା ପ୍ରଶାସନ ପାଇଁ ନିଶ୍ଚୟ ଏକ ଅଗ୍ନିପରୀକ୍ଷା। ବିଡ଼ମ୍ବନା ହେଲା, ଯେଉଁ ‘ଧୋବଧଉଳିଆ’ମାନେ ଚାଷୀ ଓ କୃଷି ଶ୍ରମିକଙ୍କ ଯୋଜନାରୁ ଫାଇଦା ମାରିନେବା ପାଇଁ ବିକଳ, ସେମାନେ ସବୁବେଳେ ଚାଷୀଙ୍କ ପାଇଁ ‘କାଳିଆ’ ହେଉ କି ଭୋକିଲା ଗରିବଙ୍କ ପାଇଁ ‘ଆହାର’ ଭଳି କଲ୍ୟାଣକାରୀ ଯୋଜନା ହେଉ; ନାକଟେକି ନୀତିଗତ ଭାବେ ଏହାର ବିରୋଧ କରିଥାନ୍ତି। ଗରିବଙ୍କୁ ରିହାତି ଅଯଥା ତହବିଲରୁ ଟିକସଦାତାଙ୍କ ଅର୍ଥ ଶ୍ରାଦ୍ଧ ବୋଲି ମତ ଦିଅନ୍ତି। ଅବଶ୍ୟ, ଏହା ଭିନ୍ନ କଥା ଯେ, ଟେଲିଭିଜନ୍‌ରୁ ଆରମ୍ଭ କରି ଏସ, କାର୍‌ି କିଣିବା ପାଇଁ ରିହାତି (ଡିସ୍‌କାଉଣ୍ଟ୍‌) କିମ୍ବା ଦାମୀ ଜୋତା, ପୋଷାକ ପାଇଁ ‘ଗୋଟିଏ କିଣିଲେ ଗୋଟିଏ ମାଗଣା’ ଯୋଜନାକୁ ଏହି ବର୍ଗ ଅନାଇ ରହିଥାନ୍ତି। କି ଶଠତା, କି ଛଳନା!
ମାନ୍ୟବର ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି, ‘କାଳିଆ’ରେ ଯେମିତି ଜଣେ ବି ଯୋଗ୍ୟ ହିତାଧିକାରୀ ଏହାର ଲାଭରୁ ବଞ୍ଚିତ ନ ହୁଅନ୍ତି।ଏହାର ଅର୍ଥ ଯୋଜନାର ଠିକଣା କାର୍ଯ୍ୟକାରିତା ଉପରେ ସେ ଗୁରୁତ୍ୱ ଦେଇଛନ୍ତି। କିନ୍ତୁ ଏହା ସେତେବେଳେ ସମ୍ଭବ ହୋଇ ପାରିବ, ଯେତେବେଳେ ନକଲି ଧୋବଧାଉଳିଆ ହିତାଧିକାରୀଙ୍କଠାରୁ ‘କାଳିଆ’କୁ ସୁରକ୍ଷା ଦିଆଯାଇ ପାରିବ। ଇତିହାସ କହେ, ବହୁ ଦିନ ଧରି ବର୍ଗୀ ଓ ଯବନ ଆକ୍ରମଣକାରୀଠାରୁ କାଳିଆ ଠାକୁରଙ୍କ ପ୍ରତି ବିପଦ ଥିଲା। ଏବେ ଧୋବଧାଉଳିଆ ନକଲି ହିତାଧିକାରୀ ଓ ସେମାନଙ୍କ ସ୍ତାବକ ବାବୁ ଓ କୁଜିନେତା ରୂପକ ବର୍ଗୀମାନଙ୍କ ଲୋଲୁପ ନଜର ‘କାଳିଆ’ ଉପରେ। ସେଥିରୁ ଯଦି କାଳିଆକୁୁ ପ୍ରଶାସନ ସୁରକ୍ଷା ଦେଇ ନ ପାରେ, ତେବେ ନା ଯୋଜନାରୁ ଈପ୍‌ସିତ ଫଳ ମିଳିବ, ନା ସରକାର ଓ ଶାସକ ଦଳ ସେଥିରୁ ଯେଉଁ ରାଜନୈତିକ ଲାଭର ଆଶା ରଖିଛନ୍ତି, ତାହା ପୂରଣ ହେବ।

ସମ୍ବନ୍ଧିତ ଖବର

Leave A Reply

Your email address will not be published.