ଆରକ୍ଷଣର ଅନ୍ଧଗଳିରୁ ବାଟ

0 180

ସାଧାରଣ ବର୍ଗର ତଥାକଥିତ ‘ଗରିବ’ ବା ଅର୍ଥନୈତିକ ଦୃଷ୍ଟିରୁ ପଛୁଆଙ୍କ ପାଇଁ ଶିକ୍ଷା ଓ ଚାକିରିରେ ୧୦% ଆରକ୍ଷଣ ବ୍ୟବସ୍ଥା ସ˚କ୍ରାନ୍ତ ୧୨୪ତମ ସମ୍ବିଧାନ ସ˚ଶୋଧନ ସ˚ସଦରେ ଗୃହୀତ ହେବାର ଚବିଶ ଘଣ୍ଟା ନ ପୂରୁଣୁ, ଏହାର ସାମ୍ବିଧାନିକ ବୈଧତାକୁ ପ୍ରଶ୍ନ କରି ଉଚ୍ଚତମ ନ୍ୟାୟାଳୟରେ ଆବେଦନ ଦାଏର‌୍‌ ହୋଇଛି। ‘ୟୁଥ୍‌ ଫର‌୍‌ ଇକ୍ୟୁଆଲିଟି’ ନାମକ ସାମାଜିକ ସ˚ଗଠନ ପକ୍ଷରୁ ସୁପ୍ରିମ୍‌ କୋର୍ଟରେ ଉକ୍ତ ଆବେଦନ ଆଦୌ ଅପ୍ରତ୍ୟାଶିତ ନୁହେଁ। ଉଭୟ ଲୋକସଭା ଓ ରାଜ୍ୟସଭାରେ ‘ରାଜନୈତିକ ବାଧୢବାଧକତା’ ଦୃଷ୍ଟିରୁ ସବୁ ଦଳର ସଦସ୍ୟ ସ˚ଶୋଧନ ସପକ୍ଷରେ ଭୋଟ ଦେଇଥିଲେ ସୁଦ୍ଧା, ବିଲ୍‌ ଆଇନରେ ପରିଣତ ହେଲେ ତାହା ନ୍ୟାୟିକ କଷଟିରେ ଉତୁରି ନପାରେ ବୋଲି ଘୋର ଆଶଙ୍କା ମଧୢ ପ୍ରକାଶ କରିଥିଲେ।
ସ˚ସଦରେ ଆଲୋଚନା ଚାଲିଥିବା ବେଳେ ଦୁଇଟି ଯାକ ସଦନରେ ଏବ˚ ବାହାରେ ଯେଉଁସବୁ କାରଣ ଦର୍ଶାଇ ୧୨୪ତମ ସ˚ଶୋଧନର ସାମ୍ବିଧାନିକ ବୈଧତା ଉପରେ ପ୍ରଶ୍ନ ଉଠାଯାଇଥିଲା, ଠିକ୍‌ ସେହି ସବୁ ଯୁକ୍ତିକୁ ଆୟୁଧ କରି ୧୦% ଆରକ୍ଷଣକୁ ଅସିଦ୍ଧ ଘୋଷଣା ଲାଗି ଆବେଦନକାରୀ ପ୍ରାର୍ଥନା କରିଛନ୍ତିି। ମୁଖ୍ୟତଃ ଚାରିଟି ଯୁକ୍ତି ଆଧାରରେ ସାଧାରଣ ବର୍ଗରେ ୧୦% ଆରକ୍ଷଣର ବିରୋଧ କରାଯାଇଛି। ପ୍ରଥମ, ସମ୍ବିଧାନରେ ଶିକ୍ଷା ଓ ସାମାଜିକ ଦୃଷ୍ଟିରୁ ପଛୁଆଙ୍କ ପାଇଁ ଆରକ୍ଷଣର ବ୍ୟବସ୍ଥା ଥିବା ବେଳେ ଅର୍ଥନୈତିକ ଅନଗ୍ରସରତାକୁ ଆରକ୍ଷଣର ମାପକାଠି ଭାବେ ସ୍ବୀକାର କରାଯାଇ ନାହିଁ। ଦ୍ବିତୀୟ ସୁପ୍ରିମ୍‌ କୋର୍ଟ ସତେଇଶ ବର୍ଷ ତଳେ ଧାର୍ଯ୍ୟ କରିଥିବା ଆରକ୍ଷଣର ସର୍ବୋଚ୍ଚ ୫୦% ସୀମାର ଏହା ଉଲ୍ଲ˚ଘନ। କାରଣ, ସାଧାରଣ ବର୍ଗର ଗରିବଙ୍କ ପାଇଁ ୧୦% ଆରକ୍ଷଣ ପରେ ବିଭିନ୍ନ ବର୍ଗ ପାଇଁ ମୋଟ ଆରକ୍ଷଣ ୬୦%ରେ ପହଞ୍ଚିଯିବ। ତୃତୀୟ, ସମ୍ବିଧାନ ବହିର୍ଭୂତ ମାପକାଠିରେ ସାଧାରଣ ବର୍ଗର ଅର୍ଥନୈତିକ ପଛୁଆଙ୍କ ପାଇଁ ଆରକ୍ଷଣ ସମ୍ବିଧାନର ମୌଳିକ ଢାଞ୍ଚା (ବେସିକ୍‌ ଷ୍ଟ୍ରକ୍‌ଚର‌୍‌)ର ବିରୋଧାଚରଣ। ସବୁ ନାଗରିକଙ୍କୁ ସମାନ ଅଧିକାର ଓ ସମାନ ସୁଯୋଗ ପ୍ରଦାନ ପାଇଁ ସାମ୍ବଧାନିକ ବ୍ୟବସ୍ଥା ତଥା ଭାବନାର ଏହା ପରିପନ୍ଥୀ। ଚତୁର୍ଥ, ସାଧାରଣବର୍ଗଙ୍କ ମଧୢରେ ଅର୍ଥନୈତିକ ଦୃଷ୍ଟିରୁ ପଛୁଆ ଚିହ୍ନଟ ଯେଉଁ ମାପଦଣ୍ତ ସ୍ଥିର କରାଯାଇଛି, ତାହା ଆଦୌ ଯୁକ୍ତି ସ˚ଗତ ନୁହେଁ। ବାର୍ଷିକ ଆଠ ଲକ୍ଷ ଟଙ୍କା ଆୟ କରୁଥିବା ଜଣେ ଆୟକର ଦାତାଙ୍କୁୁ ଯଦି ‘ଗରିବ’ ଶ୍ରେଣୀଭୁକ୍ତ କରାଯାଏ, ତେବେ ‘ଗରିବ’ର ସ˚ଜ୍ଞା ଓ ଦାରିଦ୍ର୍ୟ ସୀମାରେଖାର ପୁନଃ ବ୍ୟାଖ୍ୟାନ ଆବଶ୍ୟକ ବୋଲି ଯୁକ୍ତି ଦର୍ଶାଯାଇଛି।
ଆବେଦନକାରୀ ‘ୟୁଥ୍‌ ଫର‌୍‌ ଇକ୍ୟୁଆଲିଟି’ ପକ୍ଷରୁ ୧୦% ଆରକ୍ଷଣ ସ˚କ୍ରାନ୍ତ ସମ୍ବିଧାନ ସ˚ଶୋଧନ ବିରୋଧରେ ଦର୍ଶାଯାଇଥିବା ଅଧିକା˚ଶ ଯୁକ୍ତି ପୂର୍ବରୁ ସୁପ୍ରିମ୍‌ କୋର୍ଟ ଓ ବିଭିନ୍ନ ରାଜ୍ୟର ହାଇକୋର୍ଟମାନେ ଗ୍ରହଣ କରିଛନ୍ତି। ତଦନୁଯାୟୀ, ବିଭିନ୍ନ ମାମଲାର ରାୟ ମଧୢ ଶୁଣାଇଛନ୍ତି: ଯାହା ନ୍ୟାୟିକ ଦୃଷ୍ଟାନ୍ତ ଭାବେ ସର୍ବମାନ୍ୟ। ଏହି ଯୁକ୍ତି ଗୁଜରାଟ, ରାଜସ୍ଥାନ, ହରିଆନା ଆଦି ଅନେକ ରାଜ୍ୟରେ ଏହି କାରଣରୁ ୫୦% ସୀମା ଡେଉଁଥିବା ବିଭିନ୍ନ ସବର୍ଣ୍ଣ ଓ ସ୍ବଚ୍ଛଳ-ବର୍ଗଙ୍କ ପାଇଁ ଆରକ୍ଷଣ ସ˚କ୍ରାନ୍ତ ଆଇନ ରଦ୍ଦ ହୋଇଛି। ସାମ୍ବିଧାନିକ ବ୍ୟବସ୍ଥା ଓ ପୂର୍ବ ନ୍ୟାୟିକ ରାୟ ଗୁଡ଼ିକର ଆଲୋକରେ ବର୍ତ୍ତମାନ ସୁଦ୍ଧା କୌଣସି ପ୍ରକାର ଆରକ୍ଷଣର ସୁବିଧା ପାଉ ନଥିବା ସାଧାରଣ ବର୍ଗରେ ୧୦% ଆରକ୍ଷଣ ବିରୋଧରେ ଆବେଦନ ଉପରେ ମାନ୍ୟବର ସୁପ୍ରିମ୍‌ କୋର୍ଟଙ୍କ ନିଷ୍ପତ୍ତି ଯାହା ବି ହେଉ, ଏତିକିରେ ଯେ, ଦେଶରେ ସ୍ବାଧୀନତା ପୂର୍ବରୁ ଓ ପରେ ଆରକ୍ଷଣକୁ କେନ୍ଦ୍ର କରି ଚାଲିଆସିଥିବା ବିବାଦ ତୁଟିିଯିବ, ଛିଣ୍ତୁ ନଥିବା ‘କୋଟା’ ଗଣିତ ଛିଣ୍ତିଯିବ, ଏ ଆଶା କ୍ଷୀଣ। ଗୋଟିଏ ପକ୍ଷରେ, ସାଧାରଣ ବର୍ଗରେ ୧୦% ଆରକ୍ଷଣକୁ କେନ୍ଦ୍ର କରି ବିବାଦର ସୂତ୍ରପାତ ହୋଇଛି। ଅନ୍ୟ ପକ୍ଷରେ ପଛୁଆ ବର୍ଗ (ଓବିସି)ଙ୍କ ପାଇଁ ଆରକ୍ଷଣ ୨୭ ରୁ ୫୪%କୁ ବୃଦ୍ଧି ପାଇଁ ଦାବି ବିବାଦକୁ ନୂଆ ମୋଡ଼ ଦେଇଛି। ଓବିସିଙ୍କ ପାଇଁ ଆରକ୍ଷଣ ବୃଦ୍ଧି ପଛରେ ଯୁକ୍ତି ହେଲା, ମଣ୍ତଳ କମିସନ ରିପୋର୍ଟ ଅନୁଯାୟୀ ଦେଶର ଲୋକସ˚ଖ୍ୟାରେ ପଛୁଆ ବର୍ଗରେ ଅନ୍ତର୍ଭୁକ୍ତ ଜାତି ଗୁଡ଼ିକର ଭାଗ ୫୨% ଥିଲା। ତେଣୁ ଓବିସିଙ୍କ ପାଇଁ ୫୨% ଆରକ୍ଷଣ ହେବା ଉଚିତ ଥିଲା। ସର୍ବାଧିକ ୫୦%ରେ ଆରକ୍ଷଣକୁ ସୀମିତ ରଖିବା ଲାଗି ସୁପ୍ରିମ୍‌ କୋର୍ଟଙ୍କ ରାୟ ଦୃଷ୍ଟିରୁ ଓବିସିଙ୍କ ପାଇଁ ଆରକ୍ଷଣକୁ ୫୨% ବଦଳରେ ୨୭%କୁ କମାଇ ଦିଆଯାଇଥିଲା। ଯେହେତୁ, ଏବେ ସାଧାରଣ ବର୍ଗଙ୍କ ପାଇଁ ୧୦% ଆରକ୍ଷଣ ବ୍ୟବସ୍ଥା ପରେ ୫୦% ସୀମା ସ˚ପୂର୍ଣ୍ଣ ଅପ୍ରାସଙ୍ଗିକ ହୋଇପଡ଼ିଛି, ଜନଗଣନାରେ ଓବିସିଙ୍କ ଜନସ˚ଖ୍ୟା ଆଧାରରେ ଆରକ୍ଷଣ ୨୭%ରୁ ୫୪%କୁ ବୃଦ୍ଧି ଆବଶ୍ୟକ।
ଅନୁରୂପ ଯୁକ୍ତି ଦର୍ଶାଇ ଅନୁସୂଚିତ ଜାତି, ଅନସୁଚିତ ଜନଜାତିଙ୍କ ପାଇଁ ମଧୢ ଆରକ୍ଷଣ ଯଥାକ୍ରମେ ୧୫% ଓ ୭.୫%ରୁ ଅଧିକ କରିବା ଲାଗି ଲାଗି ଦାବି ହେଉଛି। କେବଳ ସେତିକି ନୁହେଁ, ସାଧାରଣ ବର୍ଗର ଯେଉଁ ଅର୍ଥନୈତିକ ପଛୁଆଙ୍କ ଉତ୍‌ଥାନ ପାଇଁ ପ୍ରଥମ ଥର ପାଇଁ ଆରକ୍ଷଣର ବ୍ୟବସ୍ଥା କରାଯାଇଛି, ସେହି ବର୍ଗର ଲୋକସ˚ଖ୍ୟା ଅନୁପାତରେ ୧୦% ଆରକ୍ଷଣ ଆଦୌ ଯଥେଷ୍ଟ ନୁହେଁ ଦର୍ଶାଇ ଅଧିକ ଆରକ୍ଷଣ ଦାବି ହେଉଛି। ଉଲ୍ଲେଖନୀୟ, ସାଧାରଣ ବର୍ଗରେ ୧୦% ଆରକ୍ଷଣ ପାଇଁ ମୋଦୀ ସରକାର ୟୁପିଏ ଅମଳରେ ଗଠିତ ‘ଅର୍ଥନୈତିକ ପଛୁଆ ବର୍ଗ ପାଇଁ ଜାତୀୟ କମିସନ’ଙ୍କ ରିପୋର୍ଟକୁ ଉଦ୍ଧାର କରିଛନ୍ତି। ମେଜର ଜେନେରାଲ ଏସ.ଆର. ସିନୋଙ୍କ ଅଧୢକ୍ଷତାରେ ଏହି କମିସନଙ୍କ ଠାରେ ସେତେବେଳେ ଅନେକ ରାଜ୍ୟ ସାଧାରଣ ବର୍ଗର ଅର୍ଥନୈତିକ ଦୃଷ୍ଟିରୁ ପଛୁଆଙ୍କ ପାଇଁ ୧୪ ରୁ ୧୫% ଆରକ୍ଷଣ ପାଇଁ ପ୍ରସ୍ତାବ ରଖିିଥିଲେ।
ସମ୍ବିଧାନର ୧୨୪ ସ˚ଶୋଧନ, ବିଶେଷକରି ଆରକ୍ଷଣ ସୁବିଧା ପାଇଁ ଧାର୍ଯ୍ୟ ଅର୍ଥନୈତିକ ମାପକାଠି (ବାର୍ଷିକ ଆଠ ଲକ୍ଷ ଆୟ, ପାଞ୍ଚ ଏକର ଜମି, ୧୦୦୦ ବର୍ଗ ଫୁଟର ଘର ଆଦି) ପରିପ୍ରେକ୍ଷୀରେ ଆରକ୍ଷଣର ପରିସର ଏତେ ବ୍ୟାପକ ହୋଇଯାଇଛି ଯେ, ସମ୍ଭବତଃ ଦେଶର ଆଉ କୌଣସି ବର୍ଗ, ଗୋଷ୍ଠୀ, ଜାତି କିମ୍ବା ସ˚ପ୍ରଦାୟ ନାହାନ୍ତି, ଯେଉଁମାନେ କୌଣସି ନା କୌଣସି କୋଟା ବ୍ୟବସ୍ଥାର ଅନ୍ତର୍ଭୁକ୍ତ ନୁହନ୍ତି। ତଥାପି ଅଧିକ ଆରକ୍ଷଣ ପାଇଁ ଅସୁସ୍ଥ ପ୍ରତିଯୋଗିତା ଅଯଥା ସାମାଜିକ ଅସ୍ବସ୍ତିର ମଞ୍ଜି ବୁଣିଛି। ସମ୍ବିଧାନ ସଭାରେ ୧୯୪୮ରେ ସମ୍ବିଧାନ ପ୍ରଣେତା ବିଆର‌୍‌ ଆମ୍ବେଦକର କହିଥିଲେ- ଯୁଗ ଯୁଗ ଧରି ସମାଜର ଅବହେଳିତ ବର୍ଗଙ୍କୁ ସାମାଜିକ ନ୍ୟାୟ ଦେବା ଲାଗି ଆରକ୍ଷଣ ଆବଶ୍ୟକ। କିନ୍ତୁ ଆରକ୍ଷଣର ପରିସର ଅତ୍ୟନ୍ତ ସୀମିତ ହେବା ଉଚିତ। ମେଧା ଓ ଯୋଗ୍ୟତା ପାଇଁ ପର୍ଯ୍ୟାପ୍ତ ପରିସର ଛାଡ଼ି ଦିଆଯିବା ଦରକାର। କିନ୍ତୁ ବିଡ଼ମ୍ବନା ଗତ ସାଢେ଼ ସାତ ଦଶକର ଠିକ୍‌ ଓଲଟା ହୋଇଛି। ଆରକ୍ଷଣର ପରିସର ଲଗାତାର ସ˚ପ୍ରସାରିତ ହୋଇ ଚାଲିଛି। ପରିଣତି, ମେଧା ଓ ଯୋଗ୍ୟତା ଲାଗି ପରିସର ସ˚କୁଚିତ ହୋଇ ଚାଲିଛି। ଏହାର କାରଣ, ଅର୍ଥନୈତିକ, ସାମାଜିକ କମ୍‌, ଅଧିକ ରାଜନୈତିକ । ଭୋଟ ବ୍ୟାଙ୍କ୍‌ର ରାଜନୀତିରେ ଦେଶ ଆରକ୍ଷଣର ଅନ୍ଧଗଳିରୁ ବାହାରିବାର ବାଟ ପାଉନାହିଁ।
ଆରକ୍ଷଣର ଏ ଅନ୍ଧଗଳିରୁ ଦେଶ ମୁକୁଳିବାର ବାଟ କ’ଣ? ଯେତେବେଳେ ଆରକ୍ଷଣର ସ˚ପ୍ରସାରଣ ପାଇଁ ପ୍ରତିଯୋଗିତା ନ ହୋଇ ନିଯୁକ୍ତିର ପରିସର ବୃଦ୍ଧି ଲାଗି ପ୍ରତିଦ୍ବନ୍ଦ୍ବିତା ହେବ, ସେତେବେଳେ ଯାଇ ଅନ୍ଧଗଳିରୁ ମୁକୁଳିବାର ବାଟ ଫିଟିବ। ତେବେ, ବିଡ଼ମ୍ବନା, ଆରକ୍ଷଣ ସ˚ପ୍ରସାରିତ ହୋଇ ଚାଲିଛି, ଅଥଚ ନିଯୁକ୍ତି ସୁଯୋଗ ସ˚କୋଚନର ଶିକାର ହୋଇ ଚାଲିଛି। ସିଏମ୍‌ଆଇଇ (ସେଣ୍ଟର ଫର‌୍‌ ମନିଟରି˚ ଇଣ୍ତିଆନ୍‌ ଇକୋନମି)ର ତଥ୍ୟ ଅନୁଯାୟୀ ଗତ ଡିସେମ୍ବରରେ ଦେଶର ବେକାରି ହାର ଥିିଲା ୭.୪%। ଏହା ଗତ ୨୭ ମାସରେ ସର୍ବାଧିକ। ୨୦୧୮ ଜାନୁଆରିରୁ ଡିସେମ୍ବର ମଧୢରେ ନୂଆ ନିଯୁକ୍ତି ସୁଯୋଗ ସୃଷ୍ଟି ହେବା ପରିବର୍ତ୍ତେ, ୧ କୋଟି ୧୦ ଲକ୍ଷ ନିଯୁକ୍ତି ଉଭାନ୍‌ ହୋଇ ଯାଇଛି। ନିଯୁକ୍ତି କ୍ଷେତ୍ରରେ ଏ ନିରାଶାଜନକ ଦୃଶ୍ୟପଟ ନ ବଦଳିଲେ ଆରକ୍ଷଣ ଯୋଗୁ ଭୋଟ ଅମଳ ଅବଶ୍ୟ ହୋଇପାରେ। କିନ୍ତୁ ନା କୌଣସି ବର୍ଗର ବେକାରଙ୍କ ଭାଗ୍ୟରେ ‘କୋଟା’ରେ ନିଯୁକ୍ତି ଜୁଟିବ ନା ଭାରତୀୟଙ୍କ ସମାନ ସୁଯୋଗ ଓ ସମାନ ଅଧିକାରର ସାମ୍ବିଧାନିକ ସ୍ବପ୍ନ ସାକାର ହେବ।

ସମ୍ବନ୍ଧିତ ଖବର

Leave A Reply

Your email address will not be published.