ଧର୍ମ ଓ ପୁଲିସ୍‌

‘‘ଯାହା ମୁଁ କରଇ, ଯାହା ମୁଁ କହଇ, ଯାହା ମୁଁ ଚିନ୍ତଇ ମନେ/ଜଗତର କର୍ତ୍ତା ପରମ-ଈଶ୍ବର ଜାଣୁଛନ୍ତି ପ୍ରତି କ୍ଷଣେ।’’ ପୃଥିବୀରେ ଏପରି କୌଣସି ଧର୍ମ ନାହିଁ ଯେଉଁଥିରେ ଭକ୍ତକବି ମଧୁସୂଦନ ରାଓଙ୍କର ବର୍ଣ୍ଣବୋଧରେ ଥିବା ଏହି ଆତ୍ମ ସଚେତନତା ସୃଷ୍ଟିକାରୀ ନୀତିବାଣୀ ଏକ ପ୍ରମୁଖ ସ୍ଥାନ ଦଖଲ କରି ନଥାଏ। ଯିଏ ଯେଉଁ ଧର୍ମରେ ବିଶ୍ବାସ କରୁଥାଉ ନା କାହିଁକି, ପିଲାଟି ବେଳୁ ସେ ଜାଣିଥାଏ ଯେ ସେ ଯଦି କୌଣସି ଅନୈତିକ କାର୍ଯ୍ୟ କରେ, ତାହା ଆଉ କେହି ଦେଖୁ ଥାଉ କି ନଥାଉ, ଈଶ୍ବରଙ୍କ ନଜରରୁ ତାହାକୁ ଲୁଚାଇ ହେବ ନାହିଁ। ସମସ୍ତ ଧର୍ମରେ ମଧୢ ଅନୈତିକ କାର୍ଯ୍ୟ ବା ତଥାକଥିତ ‘ପାପ’ ପାଇଁ ଈଶ୍ବର ଦଣ୍ତର ବ୍ୟବସ୍ଥା କରିଥାନ୍ତି, ଯାହା ଏହି ଜନ୍ମରେ କିମ୍ବା ମୃତ୍ୟୁ ପରେ ଭୋଗିବାକୁ ପଡ଼ିଥାଏ ବୋଲି କୁହାଯାଇଥାଏ। ଦଣ୍ତର ଭୟ ଧର୍ମବିଶ୍ବାସୀମାନଙ୍କୁ ଅନୈତିକ କାର୍ଯ୍ୟରୁ ନିବୃତ୍ତ କରେ ବୋଲି ବିଶ୍ବାସ କରାଯାଏ।

ପ୍ରତ୍ୟେକ ଧର୍ମରେ ଚୋରି ବା ପର ଧନ ହାତେଇବାକୁ ଏକ ପାପ କାର୍ଯ୍ୟ ରୂପେ ବିବେଚନା କରା ଯାଇଥାଏ। ଆଜିର ସମାଜରେ ସବୁ ଧର୍ମର ଭକ୍ତମାନଙ୍କ ସ˚ଖ୍ୟା ଅସୁମାରି। ସେମାନଙ୍କୁ ସେମାନଙ୍କ ଧର୍ମ ଭାବନାରେ ସାହାଯ୍ୟ କରିବା ପାଇଁ ଈଶ୍ବରଙ୍କ ପ୍ରତିନିଧି ବୋଲାଉଥିବା ଗୁରୁ, ବାବା, ମାତାମାନଙ୍କର ମଧୢ ଅଭାବ ନାହିଁ। ଅନେକ ଭକ୍ତ ତ ନିଜର ପରିଧାନ ଠାରୁ ଗାଡ଼ି ମଟର ଶରୀର ପର୍ଯ୍ୟନ୍ତରେ ନିଜର ଭକ୍ତିଭାବକୁ ବିଜ୍ଞପିତ କରିବା ମଧୢ ଦେଖାଯାଇଥାଏ। ତେଣୁ ଏହି ସମ୍ବାଦପତ୍ରରେ ପ୍ରକାଶିତ ସଚିତ୍ର ଖବର ଅନୁସାରେ ଗତ ଗୁରୁବାର ଅପରାହ୍‌ଣରେ ୧୬ ନମ୍ବର ଜାତୀୟ ରାଜପଥରେ ଯେଉଁ ଏକ ଦୃଶ୍ୟ ଦେଖିବାକୁ ମିଳିଥିଲା, ତାହା ଉପରୋକ୍ତ ବର୍ଣ୍ଣବୋଧ ସୁଲଭ ନୈତିକତା ଉପରେ ଯେ ଏକ ଗଭୀର ପ୍ରଶ୍ନବାଚୀ ଲଗାଇଥାଏ, ପ୍ରତ୍ୟେକ ସଚେତନ ପାଠକ ଏହା ଅନୁଭବ କରିଥିବେ।

ସେଇ ଖବର (୧୮ ଜାନୁଆରି ସ˚ସ୍କରଣ) ଅନୁସାରେ ଜାତୀୟ ରାଜପଥର ଗଙ୍ଗପଡ଼ା ଠାରେ ଏକ ଜିଅନ୍ତା ମାଛ ବୋଝେଇ ଟ୍ରକ୍‌ ଓଲଟି ପଡ଼ିବା ପରେ ଗାଡ଼ି ଭିତରେ ଉଭୟ ଡ୍ରାଇଭର‌୍‌ ଓ ହେଲ୍‌ପର ଅସହାୟ ଅବସ୍ଥାରେ ଅଟକି ରହି ଯାଇଥିଲେ। ମାଛମାନେ ରାସ୍ତାରେ ପଡ଼ି ଛଟପଟ ହେଉଥିଲେ। ରାସ୍ତାର ଉଭୟ ଦିଗରେ ଯାଉଥିବା ଗାଡ଼ି ମଟର ଏହା ଦେଖି ଅଟକି ଯାଇଥିଲେ ଓ ସେଥିରୁ ଆରୋହୀମାନେ ଓହ୍ଲାଇ ଘଟଣାସ୍ଥଳୀକୁ ଛୁଟି ଆସିଥିଲେ। ସେମାନେ କିନ୍ତୁ କେହି ବି ଦୁର୍ଘଟଣାଗ୍ରସ୍ତ ଟ୍ରକ୍‌ରେ ଫସି ରହିଥିବା ଚାଳକ ଓ ହେଲ୍‌ପର‌୍‌ଙ୍କୁ ଉଦ୍ଧାର କରିବା ପାଇଁ କୌଣସି ଉଦ୍ୟମ କରିବା ପରିବର୍ତ୍ତେ ରାସ୍ତାରୁ ମାଛ ଗୋଟାଇବାରେ ଲାଗି ପଡ଼ିଲେ। ସେମାନେ ଏ ଚୋରି କାର୍ଯ୍ୟଟିକୁ ଏପରି ଦକ୍ଷତାର ସହିତ ସମାପନ କଲେ ଯେ ମାତ୍ର ପ୍ରାୟ ଦଶ ମିନିଟ୍‌ ମଧୢରେ ପୂରା ଛ’ କ୍ବିଣ୍ଟାଲ୍‌ ଯାକ ମାଛ ସଫା ହୋଇଗଲା। ଏ ପାପରେ ଭାଗୀଦାର ସମସ୍ତେ ସ୍ବଚ୍ଛଳ ବର୍ଗର। ସେମାନଙ୍କ ମଧୢରୁ କେହି ହେଲେ ଅସହାୟ ଦୁଇ ଜଣଙ୍କୁ ଉଦ୍ଧାର କରି ପୁଣ୍ୟ ଅର୍ଜନ କରିବାକୁ ଚାହିଁଲେ ନାହିଁ। ସେଇ ଖବର ଅନୁସାରେ ଶେଷରେ ଯାଁଳା ଫାଣ୍ତି ପୁଲିସ୍‌ ସେଠାରେ ପହଞ୍ଚି ସେମାନଙ୍କୁ ଉଦ୍ଧାର କରିଥିଲେ।

ସେ ଦିନ ଯେଉଁମାନେ ପାପ କାର୍ଯ୍ୟ ପ୍ରତି ଏପରି ଆଗ୍ରହ ଓ ପୁଣ୍ୟ ଅର୍ଜନ ପ୍ରତି ଏପରି ଅନାଗ୍ରହ ପ୍ରଦର୍ଶନ କରିଥିଲେ ସେମାନଙ୍କ ମଧୢରେ ବିଭିନ୍ନ ଧର୍ମର ଧର୍ମବିଶ୍ବାସୀମାନଙ୍କର ସ˚ଖ୍ୟାଧିକ୍ୟ ଥିବାର ସମସ୍ତ ସମ୍ଭାବନା ରହିଛି। ନୈତିକତାର ଯେ ଧର୍ମ ସହିତ କୌଣସି ସମ୍ପର୍କ ନାହିଁ, କେବଳ ଜଣେ ଆଶାରାମ ବା ରାମରହିମ ବା ନିତ୍ୟାନନ୍ଦ ବା ସାରଥି ନୁହନ୍ତି, ପୃଥିବୀସାରା ପ୍ରତିଦିନ, ପ୍ରତି ମୂହୂର୍ତ୍ତରେ ଘଟୁଥିବା ଏଇ ଭଳି ଅସୁମାରି ଘଟଣା ତାହାର ସ୍ବାକ୍ଷର ବହନ କରିଥାଏ। ତଥାପି ଯଦି ଏ ନେଇ କାହାରି ମନରେ କିଛି ସନ୍ଦେହ ରହିଥାଏ, ତାହା ନିଶ୍ଚିତ ରୂପେ ଦୂର ହୋଇଯିବ ପ୍ରଖ୍ୟାତ ବିବର୍ତ୍ତନ-ମନସ୍ତତ୍ତ୍ବବିତ୍‌ ଷ୍ଟିଭେନ୍‌ ପିଙ୍କର‌୍‌ ବର୍ଣ୍ଣନା କରିଥିବା ତାଙ୍କର ଏହି ଅନୁଭୂତିରୁ। ଶାନ୍ତିପ୍ରିୟ କାନାଡ଼ାର ମଣ୍ଟ୍ରିଲ୍‌ ସହରରେ ବଢ଼ିଥିବା ପିଙ୍କର‌୍‌ଙ୍କର କିଶୋର ଅବସ୍ଥାର ଏ ଘଟଣା। ୧୯୬୯ ଅକ୍ଟୋବର ୧୭ ସକାଳ ୮ଟାରେ ମଣ୍ଟ୍ରିଲ୍‌ ପୁଲିସ୍‌ ଧର୍ମଘଟ ଆରମ୍ଭ କରିଦେଲା। ପୂର୍ବାହ୍ନ ୧୧.୨୦ରେ ପ୍ରଥମ ବ୍ୟାଙ୍କ୍‌ ଡକାୟତି ଘଟିଲା। ଲୁଟତରାଜ ଯୋଗୁ ମଧୢାହ୍ନ ସୁଦ୍ଧା ଅଧିକା˚ଶ ଦୋକାନ ବଜାର ବନ୍ଦ ହୋଇଗଲା। ତାହାର କେତେ ଘଣ୍ଟା ମଧୢରେ ଟ୍ୟାକ୍‌ସି ଡ୍ରାଇଭର‌୍‌ମାନେ ସେମାନଙ୍କ ସହିତ ପ୍ରତିଯୋଗିତା କରୁଥିବା ଏକ କାର‌୍‌ ସର୍ଭିସ୍‌ର ଗ୍ୟାରେଜ୍‌କୁ ଜାଳିଦେଲେ; ଦଙ୍ଗାକାରୀମାନେ ହୋଟେଲ୍‌ ଓ ରେଷ୍ଟୁରାଣ୍ଟ୍‌ ମାନଙ୍କରେ ଧସେଇ ପଶି ମାଗଣା ଖାଇଗଲେ; ଜଣେ ଡାକ୍ତର ତାଙ୍କ ଘରେ ପଶିଥିବା ଏକ ଡକାୟତକୁ ଗୁଳି କରି ମାରିଦେଲେ; ଛାତ ଉପରେ ଛକିଥିବା ଜଣେ ବନ୍ଧୁକଧାରୀର ଗୁଳିରେ ଜଣେ ପୁଲିସ ଅକାରଣେ ପ୍ରାଣ ହରାଇଲେ। ସନ୍ଧ୍ୟା ସୁଦ୍ଧା ଛ’ଟି ବ୍ୟାଙ୍କ୍‌ରେ ଡକାୟତି ଘଟିଥିଲା, ପ୍ରାୟ ଶହେଟି ଦୋକାନ ଲୁଟ୍‌ ହୋଇଥିଲା, ୧୨ଟି ସ୍ଥାନରେ ଅଗ୍ନିକାଣ୍ତ ଘଟିଥିଲା। ଏତିକି ସମୟ ମଧୢରେ ପ୍ରାୟ ତିନି ନିୟୁତ ଡଲାର‌୍‌ ମୂଲ୍ୟର (ସେ ସମୟର ମୂଲ୍ୟ ଅନୁସାରେ) ସମ୍ପତ୍ତି ନଷ୍ଟ ହୋଇ ସାରିଥିଲା। ନଗର କର୍ତ୍ତୃପକ୍ଷ ଅନନ୍ୟୋପାୟ ହୋଇ ସେନାବାହିନୀ ଓ ଘୋଡ଼ସବାର ବାହିନୀକୁ ଡକାଇବା ପରେ ପରିସ୍ଥିତି ନିୟନ୍ତ୍ରଣାଧୀନ ହୋଇଥିଲା।

ପିଙ୍କର‌୍‌ ଲେଖିଛନ୍ତି ଯେ ଅଧିକା˚ଶ ମଣ୍ଟ୍ରିଲ୍‌ବାସୀ ଈଶ୍ବର ବିଶ୍ବାସୀ ଥିଲେ। ସେ ତେଣୁ ପଚାରିଛନ୍ତି, ଯେତେବେଳେ ନଶ୍ବର ପୁଲିସ୍‌ ସାମୟିକ ଭାବରେ ଦୃଶ୍ୟପଟରୁ ଅନ୍ତର୍ହିତ ହୋଇଗଲେ, ସେତେବେଳେ ସର୍ବଦ୍ରଷ୍ଟା ଈଶ୍ବରଙ୍କ ପ୍ରତି ଭୟ ମଣ୍ଟ୍ରିଲ୍‌ବାସୀଙ୍କୁ ଅପରାଧ କରିବାରୁ ନିବୃତ୍ତ କଲା ନାହିଁ କାହିଁକି? ଈଶ୍ବରବିଶ୍ବାସ ଯୋଗୁ ଯେ ଆମେ ଭଲ ମଣିଷ ହୋଇଥାଉ, ମଣ୍ଟ୍ରିଲ୍‌ ପୁଲିସ୍‌ ଧର୍ମଘଟ ଥିଲା ଏହି ଧାରଣାର ସତ୍ୟତା ପରଖିବା ପାଇଁ ଏକ ଜୀବନ୍ତ ପରୀକ୍ଷା। ପରୀକ୍ଷାରେ ଏହି ଧାରଣା ମିଥ୍ୟା ପ୍ରମାଣିତ ହୋଇଥିଲା, ଯେମିତି ଗଙ୍ଗପଡ଼ା ମାଛ ଟ୍ରକ୍‌ ଓଲଟିବା ଘଟଣାରେ ହୋଇଛି। ପିଙ୍କର‌୍‌ ଏହି ପ୍ରସଙ୍ଗରେ ପ୍ରସିଦ୍ଧ ସନ୍ଦେହୀ ସାମ୍ବାଦିକ ଏଚ୍‌ ଏଲ୍‌ ମେଙ୍କେନ୍‌ଙ୍କୁ ଉଦ୍ଧାର କରିଛନ୍ତି: ‘‘ଲୋକମାନେ ଯେତେବେଳେ କହନ୍ତି ଆମର ଧର୍ମ ଦରକାର, ସେତେବେଳେ ସେମାନେ ପ୍ରକୃତରେ ଯାହା କହିବାକୁ ଚାହାନ୍ତି ତାହା ହେଲା ଆମର ପୁଲିସ୍‌ ଦରକାର।’’

ନୈତିକତାର ଆଧାର ତା’ହେଲେ କ’ଣ? କେତେକ ଲୋକ କାହିଁକି ନୈତିକ ଆଚରଣ ପ୍ରଦର୍ଶନ କରନ୍ତି ଓ ଅନ୍ୟ କେତେକ କାହିଁକି ତାହା କରନ୍ତି ନାହିଁ? ପିଙ୍କର‌୍‌ ଏହାର ଉତ୍ତର ଦେବାକୁ ଯାଇ ଲେଖିଛନ୍ତି: ‘‘ଆମେ ଜାଣୁ କେତେକ ଲୋକଙ୍କ ଠାରେ ଏକ ନୈତିକ ଚେତନାର ଅଭାବ ଥାଏ ଠିକ୍‌ ଯେମିତି ବର୍ଣ୍ଣାନ୍ଧ (କଲର୍ ବ୍ଲାଇଣ୍ଡ୍‌) ବ୍ୟକ୍ତିମାନଙ୍କ ଠାରେ ଏକ ଫଟୋ- ପିଗ୍‌ମେଣ୍ଟ୍‌ର ଅଭାବ ଥାଏ। ସେମାନଙ୍କ ଠାରେ ଏହି ନୈତିକବୋଧ ଶକ୍ତିର ଏକ ଶୀତଳ ଅଭାବ ଦେଖାଯାଇଥାଏ, ସେମାନେ କିନ୍ତୁ ନିର୍ବୋଧ ନୁହନ୍ତି କିମ୍ବା ସାମାଜିକ ସମ୍ପର୍କ ସ୍ଥାପନରେ ଅଦକ୍ଷ ନୁହନ୍ତି, ବର˚ ଅନେକ ସମୟରେ ସେମାନେ ଅନ୍ୟର ଭାବାବେଗକୁ ନିୟନ୍ତ୍ରଣ କରିବାରେ ସିଦ୍ଧହସ୍ତ ହୋଇଥାନ୍ତି।’’ ସେ ଦିନ ଯେଉଁମାନେ ଗଙ୍ଗପଡ଼ାଠାରେ ରୁଣ୍ତ ହୋଇ ମାଛ ଗୋଟାଇଲେ କିନ୍ତୁ ସଙ୍କଟାପନ୍ନ ଡ୍ରାଇଭର‌୍‌ ଓ ହେଲ୍‌ପର‌୍‌ଙ୍କୁ ଆଡ଼ ଆଖିରେ ସୁଦ୍ଧା ଚାହିଁଲେ ନାହିଁ, ସେମାନଙ୍କୁ ବୁଝିବା ପାଇଁ ପିଙ୍କର‌୍‌ଙ୍କ ଏହି ଅନୁଶୀଳନ ବେଶ୍‌ ସହାୟକ ହୋଇଥାଏ। ଆଶ୍ଚର୍ଯ୍ୟ ହେବାର ନାହିଁ, ସେ ଦିନ ମେଙ୍କେନ୍‌ଙ୍କ ଉକ୍ତିକୁ ଅନୁସରଣ କଲା ଭଳି ଶେଷରେ ଯାଁଳା ପୁଲିସ୍‌ ହିଁ ଆସି ସେମାନଙ୍କୁ ଉଦ୍ଧାର କରିଥିଲେ।

ସମ୍ବନ୍ଧିତ ଖବର