ସ୍ବିଜର୍ଲାଣ୍ତ୍ର ଡାଭସ୍ଠାରେ ପୃଥିବୀର ଧନ ଓ କ୍ଷମତାର ପ୍ରତିନିଧିମାନେ ସେମାନଙ୍କର ବାର୍ଷିକ ସମ୍ମିଳନୀରେ ଏକାଠି ହୋଇ ଯେତେବେଳେ ବାହାରର ବରଫଭିଜା ଆଲ୍ପସ ଥଣ୍ତାକୁ ଭିତରର ଉଷ୍ମ ଆଳାପ ଆଲୋଚନା, ମଉଜ ମଜଲିସ ଦ୍ବାରା ପ୍ରତିହତ କରିବାକୁ ଚେଷ୍ଟା କରିଥାନ୍ତି, ଠିକ୍ ସେତିକିବେଳେ ଏକ ରଙ୍ଗଭଙ୍ଗକାରୀ ଅନୁପ୍ରବେଶକାରୀ ଭଳି ଆନ୍ତର୍ଜାତିକ ଏନ୍ଜିଓ ଅକ୍ସଫାମ୍ ପୃଥିବୀରେ ଧନୀ ଦରିଦ୍ର ମଧୢରେ ଆୟ ଓ ସମ୍ପଦରେ ଥିବା ତାରତମ୍ୟ ପ୍ରଦର୍ଶନ କରିବା ପାଇଁ ଉଦ୍ଦିଷ୍ଟ ତା’ର ବାର୍ଷିକ ରିପୋର୍ଟ ପ୍ରକାଶ କରିଥାଏ। ସୋମବାର ଦିନ ପ୍ରକାଶ ପାଇଥିବା ଏ ବର୍ଷର ସେଇ ରିପୋର୍ଟ ‘ଡାଭସ୍ ମ୍ୟାନ୍’ ରୂପେ ଅଭିହିତ ଡାଇସ୍ କ୍ଲବ୍ର ପ୍ରତିନିଧିମାନଙ୍କ ପାଇଁ ଚିରାଚରିତ ଭାବରେ ଯେତିକି ଅସ୍ବସ୍ତି ସୃଷ୍ଟି କରିଥାଏ, ତାହା କରିଛି। ତେବେ ଆମ ପାଇଁ ଯାହା ବିଶେଷ ଗୁରୁତ୍ବ ବହନ କରିଥାଏ, ତାହା ହେଲା ଏ ରିପୋର୍ଟ ବହନ କରୁଥିବା ଭାରତର ଚିତ୍ର।
Sambad is now on WhatsApp
Join and get latest news updates delivered to you via WhatsApp
ଅକ୍ସଫାମ୍ ଏଥର ଆବିଷ୍କାର କରିଛି ଯେ ବିଲ୍ ଗେଟ୍ସ, ମାର୍କ ଜୁକର୍ ବର୍ଗ, ଜେଫ୍ ବେଜସ୍ ଆଦି ପୃଥିବୀର ପ୍ରଥମ ଆଠଜଣ ଧନୀମାନଙ୍କର ମୋଟ ସମ୍ପଦର ମୂଲ୍ୟ ଯେତେ, ପୃଥିବୀର ଜନସ˚ଖ୍ୟାର ଦରିଦ୍ରତମ ଅର୍ଧେକଙ୍କ ମୋଟ ସମ୍ପଦର ମୂଲ୍ୟ ହେଉଛି ତା’ଠାରୁ କମ୍। ରିପୋର୍ଟ ଅନୁସାରେ ଭାରତର ଚିତ୍ର ହେଲା- ଦେଶର ସର୍ବାଧିକ ଧନୀ ୧% ଲୋକଙ୍କର ମୋଟ ସମ୍ପଦର ମୂଲ୍ୟ ଯାହା ଜନସ˚ଖ୍ୟାର ତଳ ଆଡ଼ୁ ୯୦% ଲୋକଙ୍କର ମୋଟ ସମ୍ପଦର ମୂଲ୍ୟ ହେଉଛି ତାହା। କେବଳ ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ ଚେଆର୍ମ୍ୟାନ୍ ମୁକେଶ ଅମ୍ବାନୀଙ୍କର ସମ୍ପଦର ମୂଲ୍ୟ ହେଉଛି ଭାରତର ଜନସ˚ଖ୍ୟାର ତଳ ଆଡ଼ୁ ୩୦% ଲୋକଙ୍କର ମୋଟ ସମ୍ପଦର ମୂଲ୍ୟ ସହିତ ସମାନ। ଦେଶରେ ସମ୍ପଦର ବଣ୍ଟନରେ ତାରତମ୍ୟ ବୃଦ୍ଧି ପାଇ ଚାଲିଛି ବୋଲି ଦୁଇ ବର୍ଷ ତଳେ ତାରକା ଫରାସୀ ଅର୍ଥନୀତିଜ୍ଞ ଥମାସ୍ ପିକେଟି ଏବ˚ ତାଙ୍କର ସାଥୀ ଗବେଷକ ଲୁକାସ ଚାନ୍ସେଲ୍ ସେମାନଙ୍କର ଗବେଷଣା ଦ୍ବାରା ଯାହା ଆବିଷ୍କାର କରିଥିଲେ, ଅକ୍ସଫାମ୍ ରିପୋର୍ଟ ମଧୢ ସେଇ ଧାରା ଅବ୍ୟାହତ ରହିଛି ବୋଲି ସାବ୍ୟସ୍ତ କରିଛି। ଅକ୍ସଫାମ୍ ରିପୋର୍ଟର ପ୍ରସ୍ତୁତି ପଦ୍ଧତି ତ୍ରୁଟିଶୂନ୍ୟ ନୁହେଁ ବୋଲି କେତେକ ଅର୍ଥନୀତିଜ୍ଞ ମତ ବ୍ୟକ୍ତ କରୁଥିଲେ ହେଁ, ଦେଶରେ ଯେ ସମ୍ପଦ ଓ ଆୟ ବଣ୍ଟନରେ ଘୋର ଅସମତୁଲତା ଲାଗି ରହିଛି, ଏହା କେହି ହେଲେ ଅସ୍ବୀକାର କରିବେ ନାହିଁ।
ସ୍ବାଭାବିକ ଭାବରେ ସାମ୍ୟବାଦୀ ବା ସମାଜବାଦୀ ଚିନ୍ତାଧାରା ସମ୍ପନ୍ନ ସମସ୍ତେ ଏ ଭଳି ଅସମତୁଲ ବଣ୍ଟନକୁ ଦେଶର ଏକ ପ୍ରଧାନ ସମସ୍ୟା ରୂପେ ବିଚାର କରିବେ। ସେମାନେ ହୁଏତ ଏ ଭଳି ଅସମତୁଲ ବଣ୍ଟନ ପୁଞ୍ଜିବାଦରେ ବିଶ୍ବାସ କରୁଥିବା ସମସ୍ତଙ୍କ ପାଇଁ ସ୍ବାଗତଯୋଗ୍ୟ ବୋଲି ବିଚାର କରୁଥିବେ। କିନ୍ତୁ ସେମାନେ ଆଶ୍ଚର୍ଯ୍ୟ ହୋଇପାରନ୍ତି ଏପରି ବୈଷମ୍ୟ ସେମାନଙ୍କ ପାଇଁ ଯେତେ ଚିନ୍ତାଜନକ, ପୁଞ୍ଜିବାଦୀମାନଙ୍କ ପାଇଁ ମଧୢ ସେତିକି ଚିନ୍ତା ସୃଷ୍ଟି କରିଥାଏ। ନିଜର ବ୍ୟବସାୟରେ ବୃଦ୍ଧି ହାସଲ କରିବା ପାଇଁ ଚାହୁଁଥିବା ସମସ୍ତ ପୁଞ୍ଜିବାଦୀ ବହୁଦେଶୀୟ କମ୍ପାନିମାନଙ୍କ ପାଇଁ ପୃଥିବୀର ସର୍ବାଧିକ ଜନବହୁଳ ଦେଶ ଚୀନ୍ ଗତ ଦୁଇ ଦଶନ୍ଧି ଧରି ବାଧୢତାମୂଳକ ଗନ୍ତବ୍ୟ ସ୍ଥଳୀ ରୂପେ କାର୍ଯ୍ୟ କରି ଆସୁଥିଲା। ବର୍ତ୍ତମାନ ଚୀନ୍ର ଅର୍ଥନୀତି ଶିଥିଳ ହେବାକୁ ଆରମ୍ଭ କରିବା ପରେ ଏହି କମ୍ପାନିମାନେ ଅନ୍ୟ ଯେଉଁ ଦେଶ ଆଡ଼େ ମୁହାଁଇବାକୁ ସ୍ବାଭାବିକ ଭାବରେ ଉଦ୍ୟତ ହୁଅନ୍ତେ, ତାହା ହେଉଛି ଭାରତ। ବାସ୍ତବରେ ସେମାନେ ଭାରତକୁ ହିଁ ସେମାନଙ୍କ ପାଇଁ ଚୀନ୍ର ଉତ୍ତରାଧିକାରୀ ରୂପେ ବିଚାର କରନ୍ତି। ଅବିଳମ୍ବେ ଭାରତର ଜନସ˚ଖ୍ୟା ଚୀନ୍ର ଜନସ˚ଖ୍ୟାକୁ ପଛରେ ପକାଇବାକୁ ଯାଉଛି। ଯେଉଁ ଭଳି ଅର୍ଥନୈତିକ ଅଭିବୃଦ୍ଧି ହାର ଚୀନ୍କୁ ଆଜି ଏକ ଅର୍ଥନୈତିକ ମହାଶକ୍ତିରେ ପରିଣତ କରିଛି, ଭାରତ ମଧୢ ମଝିରେ ମଝିରେ ସେଇ ଭଳି ଅଭିବୃଦ୍ଧି ହାର ହାସଲ କରିବା ଦେଖାଯାଉଛି। ଏବ˚ ଚୀନ୍ରେ ଯେପରି ଏକ ବିଶାଳ ମଧୢବିତ୍ତ ଖାଉଟି ଶ୍ରେଣୀ ସୃଷ୍ଟି ହୋଇ ଅଭିବୃଦ୍ଧିକୁ ଇନ୍ଧନ ଯୋଗାଇଛି, ଭାରତରେ ମଧୢ ସେଇ ଭଳି ଏକ ମଧୢବିତ୍ତ ଶ୍ରେଣୀ ସୃଷ୍ଟି ହେବାର ଆଭାସ ମିଳିଲାଣି ବୋଲି ଅନେକ ପର୍ଯ୍ୟବେକ୍ଷକ ବିଶ୍ବାସ କରୁଛନ୍ତି। ଆଇକିଆ, ସଫ୍ଟବ୍ୟାଙ୍କ୍, ଆମାଜନ୍ ବା ଷ୍ଟାର୍ବକ୍ସ ଭଳି ବହୁଦେଶୀୟ କମ୍ପାନିମାନଙ୍କର ମୁଖ୍ୟମାନେ ଯେତେବେଳେ ଭାରତ ଗସ୍ତରେ ଆସି ଘୋଷଣା କରୁଛନ୍ତି ଯେ ଭାରତ ସେମାନଙ୍କର ଆଗାମୀ ଯୋଜନାର କେନ୍ଦ୍ର ସ୍ଥଳରେ ରହିଛି, ସେମାନେ ସେତେବେଳେ ମନଶ୍ଚକ୍ଷୁରେ ଯାହା ଦେଖୁଛନ୍ତି ତାହା ହେଲା ୩୦-୪୦ କୋଟି ସ˚ଖ୍ୟକ ହାତ ଖୋଲା ଖର୍ଚ୍ଚ କରୁଥିବା ବିଳାସ ପ୍ରିୟ ମଧୢବିତ୍ତ ଭାରତୀୟ। କିନ୍ତୁ ସତକଥା ହେଲା ଏପରି ଏକ ମଧୢବିତ୍ତ ଶ୍ରେଣୀକୁ ଖୋଜି ପାଇବା କଷ୍ଟ।
କେତେ ଦିନ ତଳେ ଏ ସମ୍ବନ୍ଧରେ ଏକ ମର୍ଯ୍ୟାଦାଜନକ ପ୍ରକାଶନ ପ୍ରଦାନ କରିଥିବା ଏକ ତୁଳନାତ୍ମକ ଚିତ୍ର ପ୍ରକୃତ ପରିସ୍ଥିତିକୁ ହୃଦୟଙ୍ଗମ କରିବାରେ ବେଶ୍ ସହାୟକ ହୋଇଥାଏ। ବାର୍ଷିକ ଅନ୍ୟୂନ ୨୦,୦୦୦ ଡଲାର୍ ଅର୍ଜନ କରୁଥିବା ବ୍ୟକ୍ତିଙ୍କ ସ˚ଖ୍ୟା ହେଉଛି ପ୍ରାୟ ୮୦ ଲକ୍ଷ, ଯାହା ପ୍ରାପ୍ତବୟସ୍କ ଭାରତୀୟ ଲୋକସ˚ଖ୍ୟାର ପ୍ରାୟ ମାତ୍ର ୧% ଏବ˚ ଲୋକସ˚ଖ୍ୟା ଓ ଆୟ ଅନୁସାରେ ପ୍ରାୟ କ୍ଷୁଦ୍ର ହ˚କ˚ ସହିତ ତୁଳନୀୟ। ଲୋକସ˚ଖ୍ୟାର ପରବର୍ତ୍ତୀ ୯% ସେଇଭଳି ନିମ୍ନ ଆୟକାରୀ କେନ୍ଦ୍ରୀୟ ଇଉରୋପ୍ ସହ ତୁଳନୀୟ। ଭାରତ ଲୋକସ˚ଖ୍ୟାର ପରବର୍ତ୍ତୀ ୪୦%ଙ୍କର ଅବସ୍ଥା ଏହାର ଗରିବ ପଡେ଼ାଶୀ ପାକିସ୍ତାନ ଓ ବା˚ଲାଦେଶ ଭଳି। ଦେଶର ବାକି ପ୍ରାୟ ୫୦ କୋଟି ଲୋକମାନଙ୍କର ଆର୍ଥିକ ଅବସ୍ଥା ଆଫ୍ରିକାର ଦରିଦ୍ରତମ ଅଞ୍ଚଳର ଲୋକମାନଙ୍କ ସହ ସମାନ। ଚୀନ୍ର ମଧୢବିତ୍ତ ବର୍ଗ ସହିତ ତୁଳନୀୟ ହେବା ଭଳି ଏକ ମଧୢମ ବର୍ଗ ଭାରତରେ ଆବିର୍ଭାବ ହେବାର ସମ୍ଭାବନାକୁ ଯାହା ପ୍ରତିହତ କରିଥାଏ, ତାହା ହେଲା ଅକ୍ସଫାମ୍ ବା ପିକେଟି ସୂଚାଇଥିବା ବଣ୍ଟନ ବୈଷମ୍ୟ।
୧୯୮୦ରୁ ୨୦୧୪ ମଧୢରେ ଦେଶରେ ଯେତିକି ଅଧିକ ଆୟ ସୃଷ୍ଟି ହୋଇଥିଲା ତାହାର ପ୍ରାୟ ଏକ-ତୃତୀୟା˚ଶ ଯାଇଥିଲା ମାତ୍ର ୧% ସର୍ବୋଚ୍ଚ ଆୟକାରୀଙ୍କର ପକେଟ୍କୁ। ସ୍ବଚ୍ଛଳମାନେ ୧୯୮୦ ତୁଳନାରେ ବର୍ତ୍ତମାନ ଦଶ ଗୁଣ ଅଧିକ ଧନୀ ହୋଇଛନ୍ତି। ମଝିରେ ଯେଉଁମାନେ ଅଛନ୍ତି, ସେମାନଙ୍କ ଆୟ ଏହି ସମୟରେ ଦୁଇଗୁଣ ମଧୢ ହୋଇନାହିଁ। ତେଣୁ ବଜାର ଭିତ୍ତିକ ପୁଞ୍ଜିବାଦର ମେରୁଦଣ୍ତ ମଧୢବିତ୍ତ ଶ୍ରେଣୀର ଉପସ୍ଥିିତି ଏଠାରେ ଅତ୍ୟନ୍ତ ଦୁର୍ବଳ ହୋଇ ରହିଛି। ଏହାର ଏକ ଚିହ୍ନ ସ୍ବରୂପ ମାତ୍ର ୩% ଭାରତୀୟ ଏରୋପ୍ଲେନ୍ରେ ବସିଛନ୍ତି, ୪୫ ଜଣରେ ଜଣକର ମଟର ଗାଡ଼ିଟିଏ ଅଛି। ଏଚ୍ଏସ୍ବିସି ପରି ବ୍ୟାଙ୍କ୍ ଭାରତରେ ପ୍ରାୟ ୩୦ କୋଟି ମଧୢବିତ୍ତ ଅଛନ୍ତି ବୋଲି ଯେଉଁ ଆକଳନ କରିଛି, ସେମାନଙ୍କ ମଧୢରୁ ଅନେକ ଦିନକୁ ମାତ୍ର ୩ ଡଲାର୍ ରୋଜଗାର କରିଥାନ୍ତି। ତେଣୁ ପୁଞ୍ଜିବାଦୀ ବ୍ୟବସାୟ ପାଇଁ ଚୀନ୍ ପରେ ଭାରତ ଯେ ଏକ ଖାଉଟି ସ୍ବର୍ଗ ରୂପେ ଆବିର୍ଭୂତ ହେବ, ତାହା ଅତି ବେଶିରେ ହେଉଛି ଏକ ସୁଦୂର ସମ୍ଭାବନା।
ସମ୍ପଦ ଓ ଆୟର ବଣ୍ଟନରେ ଥିବା ବୈଷମ୍ୟ ଦୂର ହେବା ତେଣୁ ସାମ୍ୟବାଦୀମାନଙ୍କ ପାଇଁ ଯେତିକି ବାଞ୍ଛନୀୟ ପୁଞ୍ଜିବାଦୀମାନଙ୍କ ପାଇଁ ମଧୢ ସେତିକି ବାଞ୍ଛନୀୟ। ଉଭୟ କିସମର ନୀତି ନିର୍ଦ୍ଧାରକମାନେ ତେଣୁ କାଳ ବିଳମ୍ବ ନକରି ବୈଷମ୍ୟ ଯନ୍ତାରୁ ମୁକୁଳିବାର ବାଟ ଖୋଜିବା ଆବଶ୍ୟକ।