ଶେଷ ଅସ୍ତ୍ର?

ପରଦା ଆଢ଼ୁଆଳରେ କ˚ଗ୍ରେସର ରଣକୌଶଳ ଓ ଯୋଜନାକୁ ଚୂଡ଼ାନ୍ତ ରୂପରେଖ ଦେବାରେ ନିର୍ଣ୍ଣାୟକ ଭୂମିକା ଗ୍ରହଣ କରି ଆସୁଥିବା ନେହରୁ-ଗାନ୍ଧୀ ପରିବାରର ଆଉ ଜଣେ ସଦସ୍ୟ ପୂର୍ବତନ ପ୍ରଧାନମନ୍ତ୍ରୀ ସ୍ବର୍ଗତ ରାଜୀବ ଗାନ୍ଧୀଙ୍କ ତନୟା ପ୍ରିୟଙ୍କା ଗାନ୍ଧୀଙ୍କୁ ଏବେ ପ୍ରତ୍ୟକ୍ଷ ଭୂମିକାରେ ଜାତୀୟ ରାଜନୀତିର ମୁଖ୍ୟ ମଞ୍ଚରେ ଦେଖିବାକୁ ମିଳିବ। ଅନ୍ୟଭାଷାରେ କହିଲେ, ଊଣେଇଶ ନିର୍ବାଚନ ମହାକୁମ୍ଭ ପୂର୍ବରୁ ନେହରୁ-ଗାନ୍ଧୀ ପରିବାରର ‘ରାଜନୈତିକ ଲିଗାସି’ର ନବୀନତମ ସୂତ୍ରଧର ଭାବେ କ˚ଗ୍ରେସ ଅଧୢକ୍ଷ ରାହୁଲଙ୍କ କନିଷ୍ଠ ଭଗ୍ନୀ ପ୍ରିୟଙ୍କା ସକ୍ରିୟ ରାଜନୀତିରେ ବୁଡ଼ ପକେଇଛନ୍ତି। ବାର ଦିନ ତଳେ ଜାନୁଆରି ୧୨ରେ ଜନ୍ମଦିନ ପାଳି ଥିବା ୪୭ ବର୍ଷୀୟା ପ୍ରିୟଙ୍କାଙ୍କୁ ନିଦ୍ଦିର୍ଷ୍ଟ ଭାବେ ୩୨ ଲୋକସଭା ଆସନ ଥିବା ଉତ୍ତର-ପ୍ରଦେଶର ପୂର୍ବାଞ୍ଚଳ ଦାୟିତ୍ବରେ କ˚ଗ୍ରେସ ସାଧାରଣ ସ˚ପାଦକ ନିଯୁକ୍ତ କରାଯାଇଛି। ଦଳର ସାଧାରଣ ସ˚ପାଦିକା ଭାବେ ସେ ସ୍ବତଃ କ˚ଗ୍ରେସର ସର୍ବୋଚ୍ଚ ନୀତି ନିର୍ଧାରଣକାରୀ ସ˚ସ୍ଥା କାର୍ଯ୍ୟକାରିଣୀରେ ସ୍ଥାନ ପାଇଛନ୍ତି।

ଗୁରୁବାର ପ୍ରତ୍ୟୁଷରେ ପ୍ରକାଶିତ ଏମିତି କୌଣସି ଗୋଟିଏ ସମ୍ବାଦପତ୍ର ନାହିଁ, ଯେଉଁଠି ପ୍ରିୟଙ୍କାଙ୍କ ପ୍ରତ୍ୟକ୍ଷ ରାଜନୀତିକୁ ଲମ୍ଫ ପ୍ରଦାନ ମୁଖ୍ୟ ଶିରୋନାମା ହୋଇ ନାହିଁ, କି ପୂର୍ବ ସନ୍ଧ୍ୟାରେ ଏମିତି କୌଣସି ସମାଚାର ଚ୍ୟାନେଲ ନଥଲା, ଯେ ଏହାକୁ ମୁଖ୍ୟ ସମ୍ବାଦ ଭାବେ ପ୍ରସାର କରି ନଥିଲା। ପରବର୍ତ୍ତୀ ସାଧାରଣ ନିର୍ବାଚନ ପ୍ରସଙ୍ଗରେ ଏହା ଘଟଣାର ଗୁରୁତ୍ବର ସୂଚନା ଦେବା ସହ ଆଜି ଦିନରେ ମଧୢ ଭାରତୀୟ ରାଜନୀତିରେ ନେହରୁ-ଗାନ୍ଧୀ ପରିବାରର ପ୍ରମୁଖତା ପ୍ରତି ସ˚କେତ ଦେଉଛି। ନେହରୁ-ଗାନ୍ଧୀ ଡିଏନ୍‌ଏ ସହ ଉତ୍ତରାଧିକାରୀ ସୂତ୍ରରେ ପରିବାରର ନବୀନତମ ପ୍ରତିନିଧି ପ୍ରିୟଙ୍କାଙ୍କ ପ୍ରତ୍ୟକ୍ଷ ଭୂମିକା ରାଜନୀତିର ଘଟଣା ପ୍ରବାହକୁ କେତେଦୂର ପ୍ରଭାବିତ କରିବ, ତାହା ଭବିଷ୍ୟତ ସମୟ କହିବ। କିନ୍ତୁ ବର୍ତ୍ତମାନ ସମୟରେ ଗୋଟିଏ ବିଷୟ ଅତ୍ୟନ୍ତ ସ୍ପଷ୍ଟ ଯେ,ତଥାପି ପୁନରୁଦ୍ଧାରର ବାଟ ତଲାସୁଥିବା ସର୍ବପୁରାତନ ଦଳ ପାଇଁ ପ୍ରିୟଙ୍କାଙ୍କ ଆଗମନ ନିଶ୍ଚୟ ବିପୁଳ ଆଶା ଓ ସମ୍ଭାବନାର ପ୍ରତୀକ। ଘଟଣାଚକ୍ରରେ ସ˚ପ୍ରତି ଏକ ‘କର ବା ମର’ ସ୍ଥିତିର ସମ୍ମୁଖୀନ ହୋଇଥିବା କ˚ଗ୍ରେସକୁ ଅଗତ୍ୟା ‘ଶେଷ ପୁଞ୍ଜି’ ବିନିଯୋଗ କରିବାକୁ ପଡ଼ିଛି। କେତେକ ପର୍ଯ୍ୟବେକ୍ଷକ ମହଲରେ ପ୍ରତ୍ୟକ୍ଷ ରାଜନୀତିର ମଇଦାନକୁ ପ୍ରିୟଙ୍କାଙ୍କ ଓହ୍ଲାଇବାକୁ କ˚ଗ୍ରେସର ‘ବ୍ରହ୍ମାସ୍ତ୍ର’ ପ୍ରୟୋଗ ବୋଲି ମଧୢ ଅଭିିହିତ କରାଯାଉଛି।

ଏ ବ୍ରହ୍ମାସ୍ତ୍ରର ସଫଳତା ଓ ବିଫଳତା ନିର୍ବିଶେଷରେ ସର୍ବପୁରାତନ ଦଳର ଦୃଷ୍ଟିକୋଣରୁ ସା˚ପ୍ରତିକ ରାଜନୈତିକ ବାସ୍ତବତାକୁୁ ବିଚାର କଲେ କ˚ଗ୍ରେସ ପକ୍ଷରେ ଏହାର ପରୀକ୍ଷା ଛଡ଼ା ଅନ୍ୟ ବିକଳ୍ପ ନଥିଲା। ୟୁପିରେ ଗୋଟିଏ ପଟେ ବିଜେପି ଏବ˚ ଅନ୍ୟ ପଟେ ସମାଜବାଦୀ ପାର୍ଟି- ବହୁଜନ ସମାଜ ପାର୍ଟି ମେଣ୍ଟ ମଧୢରେ ତୀବ୍ର ଧ୍ରୁବୀକରଣ ଭିତରେ ନିଜର ସତ୍ତା ହରାଇବା ଆଶଙ୍କା ଦଳକୁ ଖାଇ ଯାଉଛି। ଏହି ଘଡ଼ିସନ୍ଧି ସମୟରେ ଆଶଙ୍କାକୁ ପ୍ରତିହତ କରି ରାଜନୈତିକ ଦୃଷ୍ଟିରୁ ଦେଶର ସବୁଠାରୁ ଗୁରୁତ୍ବପୂର୍ଣ୍ଣ ରାଜ୍ୟରେ କୌଣସିମତେ ଆଶାକୁ ବଞ୍ଚାଇ ରଖିବା ସକାଶେ କ˚ଗ୍ରେସ ଅସ୍ତ୍ରାଗାରରେ ପ୍ରିୟଙ୍କା ହେଉଛନ୍ତି ଶେଷ ତଥା ଶ୍ରେଷ୍ଠ ଅସ୍ତ୍ର। ଏତିକି ବେଳେ ଯଦି ଶ୍ରେଷ୍ଠ ଅସ୍ତ୍ରର ପ୍ରୟୋଗ ନହୁଏ, ତେବେ, ଆଉ କେତେବେଳେ ହେବ?

କ˚ଗ୍ରେସର ଏହି ଶେଷ ତଥା ବର୍ତ୍ତମାନ ପରିସ୍ଥିତିରେ ଶ୍ରେଷ୍ଠ ଅସ୍ତ୍ରର ଶକ୍ତି ଓ ଦୁର୍ବଳତାର ଏବେ ଆକଳନ କରାଯାଉ। ପ୍ରିୟଙ୍କାଙ୍କ ଶକ୍ତି ହେଲା, କ˚ଗ୍ରେସ କର୍ମୀଙ୍କ ମଧୢରେୂ ସେ ବେଶ୍‌ ଲୋକପ୍ରିୟ। ଲଢେ଼ଇର ମଇଦାନରେ ପ୍ରିୟଙ୍କାଙ୍କ ଉପସ୍ଥିତି ଦଳୀୟ କର୍ମୀଙ୍କ ମଧୢରେ ଉତ୍ସାହ ଭରିଦେଇପାରେ। ଯାହା କ˚ଗ୍ରେସରେ ଲଢ଼ୁଆ ମନୋଭାବର ନିଅଣ୍ଟିଆକୁ କିଛି ପରିମାଣରେ ଭରଣା କରିବ ବୋଲି ଆଶା। ଏ ପ୍ରକାର ଆଶା ଅକାରଣ ନୁହେଁ। କେବଳ ଦଳୀୟ କର୍ମୀ ନୁହଁନ୍ତି, କ˚ଗ୍ରେସର ସମର୍ଥକମାନେ ମଧୢ ପ୍ରିୟଙ୍କାଙ୍କଠାରେ ସ୍ବର୍ଗତ ପ୍ରଧାନମନ୍ତ୍ରୀ, ଭାରତୀୟ ରାଜନୀତିର ଲୌହମାନବୀ ଇନ୍ଦିରା ଗାନ୍ଧୀଙ୍କୁ ଆବିଷ୍କାର କରିଥାଆନ୍ତି। ଏ କଥା ସ୍ବର୍ଗତ ପିତା ରାଜୀବ ଗାନ୍ଧୀ ମଧୢ କହିଥିଲେ। ନେହରୁ-ଗାନ୍ଧୀ ପରିବାର ସହ ପରାମର୍ଶଦାତା ଭାବେ ଦୀର୍ଘଦିନ ଧରି କାର୍ଯ୍ୟ କରିଥିବା ଵାଇ. ଶାରଦା ପ୍ରସାଦଙ୍କ ମତରେ ପ୍ର୍ରିୟଙ୍କାଙ୍କଠାରେ ନିଜ ବ୍ୟକ୍ତିତ୍ବର ଛାପ ଥିବା ସ୍ବର୍ଗୀୟା ଇନ୍ଦିରା ଅନୁଭବ କରୁଥିଲେ। ଏହା ଅନସ୍ବୀକାର୍ଯ୍ୟ ଯେ ଜବାହରଙ୍କଠାରୁ ଆରମ୍ଭ କରି ଇନ୍ଦିରା-ରାଜୀବ, ଏପରିକି ସୋନିଆଙ୍କ ପର୍ଯ୍ୟନ୍ତ ନେହରୁ-ଗାନ୍ଧୀ ପରିବାରର ସଦସ୍ୟ ମାନଙ୍କ ନେତୃତ୍ବ, ବ୍ୟକ୍ତିତ୍ବ, ଭାବମୂର୍ତ୍ତି ଭାରତୀୟ ମତଦାତାଙ୍କୁ ଆକର୍ଷିତ କରିଆସିଛି। ଏହାରି ବଳରେ କ˚ଗ୍ରେସ ଦୀର୍ଘ ବର୍ଷ ଶାସନରେ ରହିଛି। ସେଥିପାଇଁ ୧୩୪ ବର୍ଷ ପୁରୁଣା କ˚ଗ୍ରେସ ନେହରୁ- ଗାନ୍ଧୀ ପରିବାର ବାହାରେ ନେତୃତ୍ବ ବିଷୟ ଚିନ୍ତା ସୁଦ୍ଧା କରିବାକୁ ଅକ୍ଷମ। ପ୍ରିୟଙ୍କାଙ୍କ ଯାଦୁ ଦେଖିବାକୁ ମିଳିଥିଲା ୧୯୯୯ରେ। ପ୍ରିୟଙ୍କାଙ୍କ ଲୋକପ୍ରିୟତା ଓ ତାଙ୍କ ପ୍ରତି ମତଦାତାଙ୍କ ଶ୍ରଦ୍ଧା, ସମ୍ମାନ, ଅନୁରାଗର ପ୍ରମାଣ ମିଳିଥିଲା, ଯେତେବେଳେ ସେ ନେହରୁ ଗାନ୍ଧୀଙ୍କ ପାରିବାରିକ ଆସନ କୁହାଯାଉଥିବା ରାଏବରେଲି ଓ ଆମେଥିକୁ ବିରୋଧୀଙ୍କ କବ୍‌ଜାରୁ ମୁକ୍ତ କରିପାରିଥିଲେ। ବର୍ତ୍ତମାନ ପରିସ୍ଥିତିରେ ପ୍ରିୟଙ୍କାଙ୍କ ସେହି ୧୯୯୯ ଯାଦୁର ପୁନରାବୃତ୍ତିକୁ କ˚ଗ୍ରେସ ଅପେକ୍ଷା କରିଛି। ୨୦୦୯ରେ ମଧୢ ୟୁପିରେ କ˚ଗ୍ରେସର ଭଲ ପ୍ରଦର୍ଶନ (୨୫ ଲୋକସଭା ଆସନରେ ବିଜୟ)ରେ ପ୍ରିୟଙ୍କାଙ୍କ ଉଲ୍ଲେଖନୀୟ ଅବଦାନ ଥିଲା। ପରବର୍ତ୍ତୀ ଊଣେଇଶ ନିର୍ବାଚନ ପ୍ରିୟଙ୍କାଙ୍କ ପାଇଁ ନିଜକୁ ପ୍ରମାଣିତ କରିବା ଲାଗି ଆଉ ଏକ ସୁଯୋଗ। ତେବେ ଏଥର ରାଜୀବ-ସୋନିଆ ତନୟାଙ୍କ ପାଇଁ ଆହ୍ବାନ ପୂର୍ବାପେକ୍ଷା ସହସ୍ରଗୁଣ ଅଧିକ କଠିନ। ବିଗତ ଦୁଇ ଦଶକରେ ବଦଳି ଯାଉଥିବା ରାଜନୈତିକ ଦୃଶ୍ୟପଟରେ ପ୍ରିୟଙ୍କା ୟୁପିରେ କ˚ଗ୍ରେସ ପାଇଁ ଯେତେ ସହାୟକ ହେବେ, ଦେଶର ଅବଶିଷ୍ଟ ଅଞ୍ଚଳରେ ତା’ଠାରୁ ଅଧିକ ସହାୟକ ସାବ୍ୟସ୍ତ ହୋଇପାରନ୍ତି। ଦେଶର ଅନେକ ଅଞ୍ଚଳରେ ଏବେ ବି ନେହରୁ- ଗାନ୍ଧୀଙ୍କ ପ୍ରତି ବିପୁଳ ଶ୍ରଦ୍ଧା ଓ ସମ୍ମାନ ରହିଛି, ଯାହାକୁ ଭୋଟରେ ରୂପାନ୍ତର କରିବାରେ ପ୍ରିୟଙ୍କା ମାଧୢମ ହୋଇପାରନ୍ତି। ଅବଶ୍ୟ, ଗୋଟିଏ ବିଷୟ ନିଶ୍ଚିତ ଯେ, ଭୋଟ ମଇଦାନରେ ପ୍ରିୟଙ୍କାଙ୍କ ଉପସ୍ଥିତି ଗୋଟିଏ ପକ୍ଷରେ ଜାତି, ଧର୍ମର ଗଣିତ ଓ ଅନ୍ୟପକ୍ଷରେ ପାରମ୍ପରିକ ଧର୍ମନିରପେକ୍ଷ, ଗଣତାନ୍ତ୍ରିକ ମୂଲ୍ୟବୋଧ, ଆଦର୍ଶ ମଧୢରେ ଲଢେ଼ଇକୁ ନୂଆ ମୋଡ଼ ଦେବାର ଏକ ଉଜ୍ଜ୍ବଳ ସମ୍ଭାବନା ସୃଷ୍ଟି କରୁଛି।

କ˚ଗ୍ରେସର ଏହି ଶ୍ରେଷ୍ଠ ତଥା ଶେଷ ଅସ୍ତ୍ରର ଦୁର୍ବଳତା ମଧୢ କିଛି କମ୍‌ ନୁହେଁ। ଗଣତନ୍ତ୍ର ପରିପନ୍ଥୀ ସାମନ୍ତବାଦୀ ମନୋଭାବ ଓ ପରିବାରବାଦକୁ ଅସ୍ତ୍ର କରି କ˚ଗ୍ରେସ ଉପରେ ଆକ୍ରମଣ ପାଇଁ ପ୍ରିୟଙ୍କାଙ୍କ ପ୍ରବେଶ ବିରୋଧୀଙ୍କୁ ନୂଆ ବାରୁଦ ଯୋଗାଇବ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସମେତ ଅନ୍ୟ ବହୁ ବିରୋଧୀ ନେତାଙ୍କ ବୟାନରୁ ଏହାର ଯଥେଷ୍ଟ ସ˚କେତ ମିଳିଲାଣି। ତେବେ, ଭାରତୀୟ ରାଜନୀତିର ପରିବାରବାଦ ଏକ ପ୍ରଭାବଶାଳୀ ଅସ୍ତ୍ର ନୁହେଁ। କାରଣ, କ˚ଗ୍ରେସର ପରିବାରବାଦ ନେଇ ଅଧିକ ଆଲୋଚନା ହୋଇଥାଏ ସତ, କିନ୍ତୁ କେବଳ ବାମପନ୍ଥୀଙ୍କୁ ଛାଡ଼ି ଅନ୍ୟ କୌଣସି ଦଳ ପରିବାରବାଦ ପ୍ରସଙ୍ଗରେ ତୁଳସୀପତ୍ର ନୁହଁନ୍ତିି। ଏପରିକି ପରିବାରବାଦ ନେଇ କ˚ଗ୍ରେସ ଉପରେ ସବୁବେଳେ ବର୍ଷି ଆସୁଥିବା ଭାରତୀୟ ଜନତାପାର୍ଟି ମଧୢ ପରିବାରବାଦର ଭୂତାଣୁରୁ ମୁକ୍ତ ନୁହେଁ। ପରିବାରବାଦ ପ୍ରସଙ୍ଗରେ ପ୍ରିୟଙ୍କାଙ୍କୁ ରକ୍ଷଣାତ୍ମକ ହେବାକୁ ପଡ଼ି ନପାରେ। କିନ୍ତୁ ସ୍ବାମୀ ରବର୍ଟ ଭଦ୍ରାଙ୍କ ବିଭିନ୍ନ ବିବାଦୀୟ ବ୍ୟାବସାୟିକ କାରବାର ଉପରେ ଉଠୁଥିବା ପ୍ରଶ୍ନ ପ୍ରିୟଙ୍କାଙ୍କ ପାଇଁ ରାଜନୈତିକ ବୋଝ ହୋଇପାରେ। ଏହି ବିନ୍ଦୁରେ ନିଶ୍ଚୟ ପ୍ରିୟଙ୍କା ଆଦୌ ଜେଜେମା ଇନ୍ଦିରାଙ୍କ ସମକକ୍ଷ ହୋଇପାରିବେ ନାହିଁ। ଆଜି ମଧୢ ଭାରତର ରାଜନୀତିରେ ଇନ୍ଦିରାଙ୍କ ସ୍ବାମୀ ଫିରୋଜ ଗାନ୍ଧୀଙ୍କ ନାମ ଜଣେ ନିର୍ଭୀକ ସଚ୍ଚୋଟ ରାଜନେତା ଭାବେ ସମ୍ମାନର ସହ ନିଆଯାଏ।

ଆସନ୍ତା ଲୋକସଭା ନିର୍ବାଚନରେ ସାନଭଉଣୀ ପ୍ରାର୍ଥୀ ହେବା ପ୍ରସଙ୍ଗରେ ଭ୍ରାତା କ˚ଗ୍ରେସ ଅଧୢକ୍ଷ ରାହୁଲ କହିଛନ୍ତି ଯେ, ପ୍ରିୟଙ୍କା ପ୍ରାର୍ଥୀ ହେଉ ଅବା ନ ହେଉ, ମୂଳ ଲକ୍ଷ୍ୟ ହେଲା ଆମେ ‘ବ୍ୟାକ୍‌ ଫୁଟ୍‌’ରେ ରହିବୁ ନାହିଁ। ଅର୍ଥାତ୍‌ ପ୍ରିୟଙ୍କାଙ୍କୁ ଅସ୍ତ୍ର କରି ଊଣେଇଶ ପାଇଁ ରାହୁଲ ଏକ ଆକ୍ରତ୍ମଣାତ୍ମକ ଅଭିଯାନର ପରିକଳ୍ପନା କରିଛନ୍ତି। ଏ ଅଭିଯାନ କେତେ ସଫଳ ହେବ ତାହା ନିର୍ଭର କରୁଛି, ଶ୍ରେଷ୍ଠ ଓ ଶେଷ ଅସ୍ତ୍ରର ଦୁର୍ବଳତାକୁ ସର୍ବନିମ୍ନ ସ୍ତରକୁ କମାଇ ଶକ୍ତିର ସର୍ବାଧିକ ଉପଯୋଗ ଉପରେ।

ସମ୍ବନ୍ଧିତ ଖବର