ଅମାବାସ୍ୟାର ଚାନ୍ଦ

ତାଙ୍କ ପାଇଁ ଓଡ଼ିଆ ଉପନ୍ୟାସ ଜଗତ୍‌ରେ ସବୁଦିନ ପାଇଁ ଏକ ସ୍ବତନ୍ତ୍ର ସ୍ଥାନ ସୃଷ୍ଟି କରିଥିବା ତାଙ୍କର ଉପନ୍ୟାସ ‘ଅମାବାସ୍ୟାର ଚନ୍ଦ୍ର’ର କାହାଣୀର ଭିତ୍ତିଭୂମି ସ୍ବରୂପ ବାରିଷ୍ଟର‌୍‌ ଗୋବିନ୍ଦ ଦାସ ପୁସ୍ତକଟିର ଆରମ୍ଭରେ ପ୍ରସିଦ୍ଧ ପ୍ରତ୍ୟୁତ୍ପନ୍ନମତି ଆମେରିକୀୟ କଥାକାର ମାର୍କ ଟ୍ବେନ୍‌ଙ୍କର ଏହି ଉକ୍ତି ଉଦ୍ଧାର କରିଥିଲେ: ‘‘ଏଭ୍‌ରି ମ୍ୟାନ୍‌ ଇଜ୍‌ ଏ ମୁନ୍‌ ଆଣ୍ତ୍‌ ହାଜ୍‌ ଏ ଡାର୍କ ସାଇଡ୍‌ ହୁଇଚ୍‌ ହି ନେଭର‌୍‌ ସୋଜ୍‌ ଟୁ ଏନିବଡ଼ି।’’ (‘‘ପ୍ରତ୍ୟେକ ଲୋକ ହେଉଛି ଏକ ଚନ୍ଦ୍ର ଏବ˚ ତା’ର ଏକ ଅନ୍ଧାରି ପାର୍ଶ୍ବ ଅଛି ଯାହା ସେ କାହାରିକୁ ହେଲେ ଦେଖାଏ ନାହିଁ’’)। ଉପନ୍ୟାସର ନାୟକ କାଉଲ୍‌ଙ୍କୁ ଲକ୍ଷ୍ୟ କରି ଗୋବିନ୍ଦ ଦାସ ମାର୍କ ଟ୍ବେନ୍‌ଙ୍କର ଏହି ଚନ୍ଦ୍ର ଉପମାକୁ ଉଦ୍ଧାର କରିଥିଲେ ହେଁ (ଚନ୍ଦ୍ରର କେବଳ ଗୋଟିଏ ନିର୍ଦ୍ଦିଷ୍ଟ ପାର୍ଶ୍ବ ସର୍ବଦା ପୃଥିବୀ ଆଡ଼କୁ ମୁହଁ କରିଥାଏ, ତେଣୁ ଅନ୍ୟ ପାର୍ଶ୍ବଟିକୁ ପୃଥିବୀବାସୀ କେବେ ହେଲେ ଦେଖିପାରନ୍ତି ନାହିଁ), ଟ୍ବେନ୍‌ଙ୍କ ଉକ୍ତିରେ ଥିବା ‘ମ୍ୟାନ୍‌’(ପୁରୁଷ)ରେ ‘ଓମ୍ୟାନ୍‌’ (ନାରୀ)ମାନେ ଯେ ମଧୢ ଅନ୍ତର୍ଭୁକ୍ତ, ଏହା କେହି ଅସ୍ବୀକାର କରିବେ ନାହିଁ।

ଯଦି ବି ସେ ନେଇ କୌଣସି ଚରମ ନାରୀବାଦୀଙ୍କ ମନରେ କୌଣସି ସନ୍ଦେହ ରହିଯାଇଥିବ, ଏବେ ସେଇ ଚନ୍ଦ୍ରଙ୍କ ନାମ ବହନ କରିଥିବା ଭାରତର ଜଣେ ମହିୟସୀ ମହିଳାଙ୍କର ଲୋକଲୋଚନକୁ ଆସିଥିବା ଅନ୍ଧାରି ପାର୍ଶ୍ବଟିକୁ ଦେଖିବା ପରେ ସେମାନଙ୍କ ମନରୁ ସମସ୍ତ ସନ୍ଦେହ ନିଶ୍ଚିତ ରୂପେ ଦୂର ହୋଇଯାଇଥିବ। ସେ ହେଉଛନ୍ତି ଭାରତୀୟ ବ୍ୟାଙ୍କି˚ କ୍ଷେତ୍ରରେ ଶୀର୍ଷ ସଫଳତା ହାସଲ କରି ପଦ୍ମଭୂଷଣ ସମ୍ମାନରେ ବିଭୂଷିତ ହୋଇଥିବା ଭାରତର ଦ୍ବିତୀୟ ବୃହତ୍ତମ ଘରୋଇ କ୍ଷେତ୍ର ବ୍ୟାଙ୍କ୍‌ ଆଇସିଆଇସିଆଇ ବ୍ୟାଙ୍କ୍‌ର ଏକଦା ମୁଖ୍ୟ ଥିବା ଚନ୍ଦା କୋଛାର‌୍‌।

ବ୍ୟାଙ୍କି˚ ବ୍ୟବସାୟ ସର୍ବଦା ଏକ ପୁରୁଷ ଅଧ୍ୟୁଷିତ କ୍ଷେତ୍ର ରୂପେ ଯେଉଁ ଅଭିଯୋଗର ସମ୍ମୁଖୀନ ହୋଇ ଆସୁଥିଲା ନିକଟ ଅତୀତରେ ତିନି ଚାରିଜଣ ଶୀର୍ଷ ଶ୍ରେଣୀର ମହିଳା ବ୍ୟାଙ୍କର‌୍‌ଙ୍କର ଆବିର୍ଭାବ ଭାରତୀୟ ବ୍ୟାଙ୍କି˚କୁ ସେ କଳଙ୍କରୁ ପ୍ରାୟ ସମ୍ପୂର୍ଣ୍ଣ ମୁକ୍ତ କରିବାରେ ସାହାଯ୍ୟ କରିଥିଲା। ଆଉ ଏ ଚାରିଜଣଙ୍କ ମଧୢରେ ଯିଏ ଥିଲେ ଉଜ୍ଜ୍ବଳତମ ତାରକା ସେ ହେଉଛନ୍ତି ଚନ୍ଦା କୋଛାର‌୍‌। ୧୯୮୪ରେ ସେତେବେଳେ ‘ଇଣ୍ତଷ୍ଟ୍ରିଆଲ୍‌ କ୍ରେଡିଟ୍‌ ଆଣ୍ତ୍‌ ଇନ୍‌ଭେଷ୍ଟମେଣ୍ଟ୍‌ କର୍ପୋରେସନ୍‌ ଅଫ୍‌ ଇଣ୍ତିଆ’ ରୂପେ ପରିଚିତ ସ˚ସ୍ଥାରେ ମ୍ୟାନେଜ୍‌ମେଣ୍ଟ୍‌ ଟ୍ରେନି ରୂପେ ଯୋଗ ଦେଇଥିବା ଚନ୍ଦା ପରବର୍ତ୍ତୀ ସମୟରେ ଏହାକୁ ଏକ ପଥପ୍ରଦର୍ଶନକାରୀ ଘରୋଇ କ୍ଷେତ୍ର ବ୍ୟାଙ୍କ୍‌ରେ ପରିଣତ କରିବାରେ ଏକ ପ୍ରମୁଖ ଭୂମିକା ନିର୍ବାହ କରି ୨୦୦୯ଠାରୁ ବର୍ତ୍ତମାନ ବସ୍ତୁତଃ ବହିଷ୍କୃତ ହେବା ପର୍ଯ୍ୟନ୍ତ ଆଇସିଆଇସିଆଇ ବ୍ୟାଙ୍କ୍‌ର ମୁଖ୍ୟ ରୂପେ ଦାୟିତ୍ବ ନିର୍ବାହ କରିଆସିଥିଲେ। ଗତବର୍ଷ ମାର୍ଚ୍ଚରେ ହଠାତ୍‌ ତାଙ୍କ ବିରୁଦ୍ଧରେ ଅଭିଯୋଗ ଶୁଣାଗଲା ଯେ ସେ ତାଙ୍କ ସ୍ବାମୀଙ୍କ ଦ୍ବାରା ପ୍ରତିଷ୍ଠିତ ଏକ କମ୍ପାନିକୁ ଋଣ ମଞ୍ଜୁର କରି ପ୍ରିୟାପ୍ରୀତି ତୋଷଣ କରିଛନ୍ତି। ବର୍ତ୍ତମାନ ସିବିଆଇ ବିଧିବଦ୍ଧ ଭାବରେ ତାଙ୍କ ବିରୁଦ୍ଧରେ ଅଭିଯୋଗ ଫର୍ଦ୍ଦ ଦାଖଲ କରିବା ପରେ ଚନ୍ଦା କୋଛାର‌୍‌ଙ୍କ ସମ୍ବନ୍ଧରେ ଅଭିଯୋଗ ଆଉ ଏକ କଳ୍ପନାଜଳ୍ପନା ବା ଉଡ଼ା ଖବର ଇଲାକାରେ ନରହି ଏକ କଠୋର ବାସ୍ତବତାର ରୂପ ଗ୍ରହଣ କରିଛି।

ଏକ ନାରୀ-ବିରୋଧୀ ପରମ୍ପରାର ଅ˚ଶ ସ୍ବରୂପ ଚିରାଚରିତ ଭାବରେ ଶୁଣିବାକୁ ମିଳିଥାଏ ଯେ ପ୍ରତ୍ୟେକ ଦୁର୍ନୀତିଗ୍ରସ୍ତ ପୁରୁଷ ପଛରେ ଥାଏ ଜଣେ ନାରୀ- ଅର୍ଥାତ୍‌ ତାଙ୍କର ପତ୍ନୀ। ଅର୍ଥାତ୍‌ ପତ୍ନୀଙ୍କୁ ତୁଷ୍ଟ କରିବା ପାଇଁ ହିଁ ପୁରୁଷ ଦୁର୍ନୀତି କରିଥାଏ। କୁହାଯାଇପାରେ ଚନ୍ଦା କୋଛାର‌୍‌ ଠିକ୍‌ ତା’ର ବିପରୀତ ଆଚରଣ ପ୍ରଦର୍ଶନ କରି ସେଇ ଲିଙ୍ଗଗତ ବିଦ୍ବେଷ ଦୂର କରିଛନ୍ତି। ଅଭିଯୋଗ ଅନୁସାରେ ସ୍ବାମୀ ଦୀପକଙ୍କୁ ତୁଷ୍ଟ କରିବା ପାଇଁ ସେ ଦୁର୍ନୀତି କରିଛନ୍ତି। ଏଣୁ କୁହାଯିବ, ପ୍ରତ୍ୟେକ ଦୁର୍ନୀତିଗ୍ରସ୍ତ ନାରୀ ପଛରେ ଥାଏ ଜଣେ ପୁରୁଷ- ତା’ର ସ୍ବାମୀ। ପ୍ରଥମେ ଜଣେ ଶୁଷୁରି ବାଦକ (ହୁଇସିଲ୍‌ ବ୍ଲୋଅର‌୍‌)ଙ୍କ ଅଭିଯୋଗରୁ ଆରମ୍ଭ ହୋଇଥିବା ଚନ୍ଦାଙ୍କର କଳଙ୍କିତ କାହାଣୀ ଅନୁସାରେ ଆଇସିଆଇସିଆଇ ବ୍ୟାଙ୍କ୍‌ ବେଣୁଗୋପାଳ ଧୂତ୍‌ଙ୍କର ଭିଡିଓକନ୍‌ ଗ୍ରୁପ୍‌ର ବିଭିନ୍ନ କମ୍ପାନିଙ୍କୁ ମୋଟ ପ୍ରାୟ ୩,୨୫୦ କୋଟି ଟଙ୍କାର ଋଣ ଅନୁମୋଦନ କରିଥିଲା, ଯେଉଁଥିରେ ବ୍ୟାଙ୍କି˚ ରେଗୁଲେସନ୍‌ ଆକ୍ଟ, ରିଜର୍ଭ ବ୍ୟାଙ୍କ୍‌ର ନିର୍ଦ୍ଦେଶାବଳୀ ଏବ˚ ବ୍ୟାଙ୍କ୍‌ର ନିଜର ଋଣନୀତିର ଉଲ୍ଲ˚ଘନ କରାଯାଇଥିଲା। ୨୦୦୯ ସେପ୍‌ଟେମ୍ବର ୭ରେ ଏକ ଭିଡିଓକନ୍‌ ଗ୍ରୁପ୍‌ କମ୍ପାନିକୁ ୩୦୦ କୋଟି ଟଙ୍କାର ଋଣ ରାଶି ମିଳିଯିବାର ଠିକ୍‌ ପରଦିନ ଧୂତ୍‌ ‘ନ୍ୟୁପାଵାର‌୍‌’ ନାମକ ଏକ କମ୍ପାନିକୁ ୬୪ କୋଟି ଟଙ୍କା ନିବେଶ ରୂପେ ହସ୍ତାନ୍ତରିତ କରି ଦେଇଥିଲେ। ‘ନ୍ୟୁପାଵାର‌୍‌’ ହେଉଛି ୨୦୦୮ରେ ଧୂତ୍‌ ଓ ଦୀପକ କୋଛାର‌୍‌ ମିଶି ପ୍ରତିଷ୍ଠା କରିଥିବା ଏକ ଅକ୍ଷୟ ଶକ୍ତି କମ୍ପାନି। ଏହି କମ୍ପାନି ପାଇଁ ଏହା ଥିଲା ଏକ ସର୍ବପ୍ରଥମ ବୃହତ୍‌ ପୁଞ୍ଜିନିବେଶ ଯାହାକୁ ବ୍ୟବହାର କରି କମ୍ପାନି ତା’ର ପ୍ରଥମ ଶକ୍ତି କେନ୍ଦ୍ର ହସ୍ତଗତ କରିଥିଲା। ତାତ୍ପର୍ଯ୍ୟପୂର୍ଣ୍ଣ ଭାବରେ ଭିଡିଓକନ୍‌କୁ ଋଣ ଅନୁମୋଦନ କରିଥିବା ଆଇସିଆଇସିଆଇ ବ୍ୟାଙ୍କ୍‌ର ଋଣ କମିଟିରେ ଚନ୍ଦା କୋଛାର‌୍‌ ଜଣେ ସଦସ୍ୟ ଥିଲେ ଏବ˚ ଏ ଋଣ ଯୋଗୁଁ ତାଙ୍କ ସ୍ବାମୀ ଲାଭବାନ୍‌ ହେବାର ସମ୍ଭାବନା ସମ୍ବନ୍ଧରେ ସେ କୌଣସି ସୂଚନା ଦେଇ ନଥିଲେ। ଏହା ସ୍ପଷ୍ଟ ଭାବରେ ଲିଖିତ ଓ ଅଲିଖିତ ଆଚରଣ ବିଧିର ଉଲ୍ଲ˚ଘନ କରିଥିଲା, କାରଣ ଏଥିଯୋଗୁଁ ସ୍ବାର୍ଥ ସ˚ଘାତ ଘଟିଥିଲା- ବ୍ୟାଙ୍କ୍‌ର ସ୍ବାର୍ଥ ଓ ଚନ୍ଦା କୋଛାର‌୍‌ଙ୍କର ବ୍ୟକ୍ତିଗତ ସ୍ବାର୍ଥ ମଧୢରେ ସ˚ଘାତ।

ଚନ୍ଦା କୋଛାର‌୍‌ଙ୍କ ଅନିୟମିତ କାର୍ଯ୍ୟର ଟିକିନିଖି ବିବରଣୀ ପ୍ରଦାନ ଏଠାରେ ଆମର ଉଦ୍ଦେଶ୍ୟ ନୁହେଁ। ଏଠାରେ ଯାହା ବୃହତ୍ତର ପ୍ରସଙ୍ଗ ତାହା ହେଲା ଚନ୍ଦା କୋଛାର‌୍‌ ଏଥିଯୋଗୁଁ କେବଳ ନିଜର କ୍ଷତି ସାଧନ କରି ନାହାନ୍ତି, ସେ ଲିଙ୍ଗଗତ ନ୍ୟାୟ ହାସଲ ପାଇଁ ନାରୀମାନେ ଯୁଗ ଯୁଗ ଧରି ଚଳାଇ ଆସିଥିବା ସ˚ଗ୍ରାମ ପ୍ରତି ଏକ ଭୀଷଣ ଧକ୍କା ପହଞ୍ଚାଇଛନ୍ତି। କାହିଁକି କେଜାଣି ବିଶ୍ବାସ କରାଯାଇଥାଏ ଯେ ନାରୀମାନେ ସାଧାରଣତଃ ପୁରୁଷମାନଙ୍କ ଅପେକ୍ଷା କମ୍‌ ଦୁର୍ନୀତିପ୍ରବଣ ହୋଇଥାନ୍ତି। ତେଣୁ ନାରୀମାନେ ଅଧିକରୁ ଅଧିକ ନିଷ୍ପତ୍ତି ଗ୍ରହଣକାରୀ ପଦ ପଦବିରେ ରହିଲେ, ସମାଜରେ ଦୁର୍ନୀତିର ହ୍ରାସ ଘଟିବ ବୋଲି ଏହି ମତବାଦ ଅନୁସାରେ ବିଶ୍ବାସ କରାଯାଇଥାଏ। କିନ୍ତୁ ଏହି ଧାରଣାକୁ ଯେଉଁମାନେ ବିରୋଧ କରନ୍ତି, ସେମାନେ କହନ୍ତି ଯେ ନାରୀମାନେ ଯେତେବେଳେ ପୁରୁଷମାନଙ୍କ ସହିତ ସମାନ ନିୟନ୍ତ୍ରକ ଆସନ ମାନ ଦଖଲ କରିବେ, ସେତେବେଳେ ଦୁଇଟି କଥା ଘଟିବ: ସେମାନେ ଦୁର୍ନୀତି ନେଟ୍‌ଵାର୍କରେ ପ୍ରବେଶ କରିବାର ସୁଯୋଗ ପାଇଯିବେ, ଦ୍ବିତୀୟରେ ସେମାନେ ଦୁର୍ନୀତି କରିବାର ଜ୍ଞାନକୌଶଳ ମଧୢ ହାସଲ କରିନେବେ। ତେଣୁ ନାରୀମାନେ ଉଚ୍ଚ ପଦପଦବି ହାସଲ କଲେ ଏ ପରି ପଦପଦବି ବଣ୍ଟନରେ ଥିବା ଲିଙ୍ଗଗତ ବୈଷମ୍ୟ ଦୂର ହେବା ସହିତ ନାରୀ ଓ ପୁରୁଷ ମଧୢରେ ଥିବା ତଥାକଥିତ ନୈତିକ ବୈଷମ୍ୟ ମଧୢ ଦୂର ହୋଇଯିବ- ଜଣେ ନୀତିହୀନ ବିଜୟ ମାଲ୍ୟାଙ୍କ ସହ ସମାନ ହେବା ପାଇଁ ଜଣେ ନୀତିହୀନା ଚନ୍ଦା କୋଛାର‌୍‌ଙ୍କର ମଧୢ ଆବିର୍ଭାବ ଘଟିବ।

ସତେଯେମିତି ଏହି ନିଷ୍ଠୁର ସତ୍ୟକୁ ପ୍ରମାଣିତ କରିବା ପାଇଁ ଏହି ସମୟରେ ପଞ୍ଜାବ ନେସନାଲ୍‌ ବ୍ୟାଙ୍କ୍‌ରେ ସେ ମୁଖ୍ୟ ନିର୍ବାହୀ ଅଧିକାରୀ ଥିବା ସମୟରେ ହୋଇଥିବା ଏକ ୧୩,୦୦୦ କୋଟି ଟଙ୍କାର ବିଶାଳ ଠକେଇ ଅଭିଯୋଗରେ ଆଲ୍ଲାହାବାଦ ବ୍ୟାଙ୍କ୍‌ର ମୁଖ୍ୟ ଥିବା ଉଷା ଅନନ୍ତ ସୁବ୍ରମଣ୍ୟମ୍‌ଙ୍କୁ କ୍ଷମତାଚ୍ୟୁତ କରାଯାଇଥିଲା। ଆକ୍ସିସ୍‌ ବ୍ୟାଙ୍କ୍‌ର ମୁଖ୍ୟ ଶିଖା ଶର୍ମାଙ୍କର ଅପାରଗତା ଜନିତ ପ୍ରସ୍ଥାନ ଚାନ୍ଦର ଏହି କଳଙ୍କକୁ ଆହୁରି ଘନୀଭୂତ କରିବ ଯାହା। ଆଶା ଆଗାମୀ ଦିନର ନେତୃସ୍ଥାନୀୟା ନାରୀମାନେ ଏ କାଳିମା ଦୂର କରିବାରେ ସଫଳ ହେବେ।

ସମ୍ବନ୍ଧିତ ଖବର