ମୋଦୀ ପାସ୍‌, ମୁଡି ଫେଲ୍‌

‘ମୁଡିଜ୍‌’ ତା’ର ରାଷ୍ଟ୍ରୀୟ ମାନ୍ୟତା (ସୋଭରେନ୍‌ ରେଟିଙ୍ଗ୍‌) ତାଲିକାରେ ଭାରତକୁ ଗୋଟିଏ ପାହାଚ ଉଠାଇଥିବା ଖବର ବର୍ତ୍ତମାନ ଗାଁ ଗହଳରେ ମଧ୍ୟ ପହଞ୍ଚି ଗଲାଣି। କାରଣ କେନ୍ଦ୍ରରେ କ୍ଷମତାସୀନ ମୋଦୀ ସରକାର ଏହାକୁ ତାଙ୍କ ପାଇଁ ଏକ ବିଶେଷ ପ୍ରଶଂସାପତ୍ର ରୂପେ ପ୍ରଦର୍ଶିତ କରି ଏହାର ବ୍ୟାପକ ପ୍ରଚାର କରିବାରେ ଲାଗିଛନ୍ତି। ବିତ୍ତୀୟ ଜଗତ୍‌ ସହିତ ଅପରିଚିତ ସାଧାରଣ ଲୋକମାନେ ‘ମୁଡିଜ୍‌’ ରେଟିଙ୍ଗ୍‌ର ତାତ୍ପର୍ଯ୍ୟ କ’ଣ ବୁଝିଥାନ୍ତୁ ବା ନଥାନ୍ତୁ, ଅନ୍ତତଃ ଦୁଇଟି ଅଣ ବିତ୍ତୀୟ କାରଣରୁ ସେମାନେ ମୋଦୀ ସରକାରଙ୍କୁ ଏଥିପାଇଁ ନିଶ୍ଚିତ ଭାବରେ ସାବାସି ଦେବେ। ପ୍ରଥମଟି ହେଲା, ଦୀର୍ଘ ୧୩ ବର୍ଷ ପରେ ମୁଡିଜ୍‌ ଏଇ ପ୍ରଥମ ଥର ଭାରତର ରେଟିଙ୍ଗ୍‌ରେ ବୃଦ୍ଧି ଘଟାଇବା ଉଚିତ ମନେ କରିଛି। ତିନିବର୍ଷ ତଳେ କ୍ଷମତାକୁ ଆସିବା ପରେ ମୋଦୀ ସରକାର ଭାରତୀୟ ଅର୍ଥନୀତି ପାଇଁ କରିଥିବା ଉତ୍ତମ କାର୍ଯ୍ୟର ଏହା ଫଳ ବୋଲି ସରକାର ଦାବି କରିବା ସ୍ୱାଭାବିକ। ଭାରତ ହାସଲ କରିଥିବା ରେଟିଙ୍ଗ୍‌ରେ ଏହି ଆରୋହଣ ଏକ ଦ୍ୱିତୀୟ କାରଣ ଯୋଗୁଁ ବେଶ୍‌ ତାତ୍ପର୍ଯ୍ୟପୂର୍ଣ୍ଣ ମନେ ହୋଇଥାଏ, ଯେତେବେଳେ ଆମେ ଏ ବାବଦରେ ଭାରତର ଅନ୍ୟ କେତେକ ସମଜାତୀୟ ଦେଶର ଉପଲବ୍‌ଧି ଉପରେ ନଜର ପକାଉ। ଭାରତକୁ ଅର୍ଥନୀତିଜ୍ଞମାନେ ଏକ ବିକାଶୋନ୍ମୁଖୀ ଅର୍ଥନୀତି ରୂପେ ବର୍ଣ୍ଣନା କରିଥାନ୍ତି। ଜି-୨୦ ନାମକ ୨୦ଟି ସବଳ ଅର୍ଥନୀତି ସମ୍ପନ୍ନ ଦେଶମାନଙ୍କୁ ନେଇ ଗଠିତ ଗୋଷ୍ଠୀରେ ୧୦ଟି ଦେଶ ହେଉଛନ୍ତି ଏହି ବିକାଶୋନ୍ମୁଖୀ ଶ୍ରେଣୀର। ବିଗତ ପାଞ୍ଚ ବର୍ଷ ମଧ୍ୟରେ ଏମାନଙ୍କ ମଧ୍ୟରୁ ଯେଉଁ ଦୁଇଟି ମାତ୍ର ବିକାଶୋନ୍ମୁଖୀ ଦେଶ ନିଜର ରେଟିଙ୍ଗ୍‌ରେ ଉନ୍ନତି ହାସଲ କରିପାରିଛନ୍ତି, ସେମାନଙ୍କ ମଧ୍ୟରୁ ଏବେ ଗୋଟିଏ ହୋଇଛି ଭାରତ। ଅନ୍ୟ ଏଭଳି ମର୍ଯ୍ୟାଦା ଲାଭ କରିଥିବା ଦେଶଟି ହେଉଛି ମେକ୍‌ସିକୋ। ସେତିକି ନୁହେଁ, ମୁଡିଜ୍‌ ମଧ୍ୟ ବିଗତ ପାଞ୍ଚ ବର୍ଷ ମଧ୍ୟରେ ଉପରୋକ୍ତ ଦଶଟି ବିକାଶୋନ୍ମୁଖୀ ଦେଶ ମାନଙ୍କ ମଧ୍ୟରୁ ପାଞ୍ଚଟି ଦେଶର ରେଟିଙ୍ଗ୍‌ରେ ଅନ୍ତତଃ ଗୋଟିଏ ପାହାଚ ଅବନତି ଘଟାଇଛି। ଏଭଳି ମର୍ଯ୍ୟାଦା ହରାଇଥିବା ଦେଶମାନେ ହେଲେ- ବ୍ରାଜିଲ୍‌, ଦକ୍ଷିଣ ଆଫ୍ରିକା, ରୁଷିଆ, ସାଉଦି ଆରବ ଏବଂ ଆମର ପ୍ରତିଦ୍ୱନ୍ଦ୍ୱୀ ପଡ଼ୋଶୀ ଚୀନ୍‌। ଏଣୁ ମୁଡିଜ୍‌ର ରେଟିଙ୍ଗ୍‌ ବୃଦ୍ଧିକୁ ନେଇ ଭାରତ ଗର୍ବ ବୋଧ କରିବା ଯଥାର୍ଥ।

ମୁଡିଜ୍‌ ହେଉଛି ପୃଥିବୀ ବ୍ୟାପୀ ନିବେଶକ ମାନଙ୍କ ଦୃଷ୍ଟିରେ ବିଶ୍ୱସନୀୟତା ଉପଭୋଗ କରୁଥିବା ମାତ୍ର ତିନିଗୋଟି ଏଭଳି ରେଟିଙ୍ଗ୍‌ ଏଜେନ୍‌ସି ମାନଙ୍କ ମଧ୍ୟରୁ ଗୋଟିଏ (ଅନ୍ୟଦୁଇଟି ହେଲେ ‘ଫିଚ୍‌’ ଏବଂ ‘ଷ୍ଟାଣ୍ଡାଡ୍‌ର୍ ଆଣ୍ଡ୍‌ ପୁଅର୍‌’)। ଏମାନେ କୌଣସି ଦେଶର ଅର୍ଥନୀତିର ସ୍ୱାସ୍ଥ୍ୟ ଓ ଶକ୍ତିକୁ ଆକଳନ କରି ସେ ଦେଶର ରେଟିଙ୍ଗ୍‌ରେ ଯଦି ହ୍ରାସ ବୃଦ୍ଧି ଘଟାନ୍ତି, ତାହା ସେ ଦେଶ ପ୍ରତି ଆନ୍ତର୍ଜାତିକ ନିବେଶକ ମାନଙ୍କର ଆଭିମୁଖ୍ୟକୁ ପ୍ରଭାବିତ କରିଥାଏ। ଉଦାହରଣ ସ୍ୱରୂପ ଯଦି ଏକ ଦେଶର ରେଟିଙ୍ଗ୍‌ରେ ଉନ୍ନତି ଘଟେ ତେବେ ସେ ଦେଶର ସରକାର ଅପେକ୍ଷାକୃତ କମ୍‌ ସୁଧ ହାରରେ ବଣ୍ଡ୍‌ ବିକ୍ରି କରି ପୁଞ୍ଜି ବଜାରରୁ ଋଣ ସଂଗ୍ରହ କରି ପାରିବେ। ସେଇ ଭଳି ସେ ଦେଶର କମ୍ପାନିମାନେ ମଧ୍ୟ ସହଜରେ ଓ ପୂର୍ବାପେକ୍ଷା କମ୍‌ ସୁଧରେ ଆନ୍ତର୍ଜାତିକ ପୁଞ୍ଜି ବଜାରରୁ ଋଣ ସଂଗ୍ରହ କରିପାରିବେ। ଏହାର ସରଳ ଅର୍ଥ ହେଲା ରେଟିଙ୍ଗ୍‌ରେ ଉନ୍ନତି ଯୋଗୁଁ ସମ୍ପୃକ୍ତ ଦେଶର ଋଣ ପରିଶୋଧ କରିବା କ୍ଷମତା ଉପରେ ନିବେଶକ ମାନଙ୍କର ବିଶ୍ୱାସରେ ଉନ୍ନତି ଘଟିଥାଏ।
ଭାରତରେ କ୍ଷମତାସୀନ ସରକାରମାନେ ସର୍ବଦା ଅଭିଯୋଗ କରି ଆସିଛନ୍ତି ଯେ ଆନ୍ତର୍ଜାତିକ କ୍ରେଡିଟ୍‌ ରେଟିଙ୍ଗ୍‌ ଏଜେନ୍‌ସିମାନେ ଚିରାଚରିତ ଭାବରେ ବିକାଶୋନ୍ମୁଖୀ ଦେଶମାନଙ୍କ ପ୍ରତି ଏକ ପାତରଅନ୍ତର ଆଭିମୁଖ୍ୟ ପ୍ରଦର୍ଶନ କରି ଆସିଛନ୍ତି ଏବଂ ବିଶେଷ କରି ଭାରତ ପ୍ରତି ସେମାନେ ଏକ ପ୍ରତିକୂଳ ମନୋଭାବ ପୋଷଣ କରିବା ଦେଖାଯାଇଛି। ସରକାରଙ୍କର ସଦ୍ୟତମ ଅର୍ଥନୈତିକ ସର୍ବେକ୍ଷଣ ରିପୋର୍ଟରେ ଏହା ଉପରେ ବିଶେଷ ଆଲୋକପାତ କରିବା ପାଇଁ ଏହି ଅଭିଯୋଗକୁ ଏକ ବିଶେଷ କୋଠରିରେ ଉଲ୍ଲେଖ କରିବା ଦେଖାଯାଇଥିଲା। ସେଥିରେ ସରକାର ଯୁକ୍ତି ବାଢ଼ିଥିଲେ ଯେ ଭାରତ ଏକ ଦୃଢ଼ ଅଭିବୃଦ୍ଧି ପଥରେ ଆଗେଇ ଚାଲିଛି, ଏବଂ ଗତ ତିନି ବର୍ଷ ମଧ୍ୟରେ ଯେଉଁଭଳି ରାଜକୋଷୀୟ ଶୃଙ୍ଖଳା ପାଳନ କରାଯାଇଛି, ସେଥିରୁ ନିଶ୍ଚିତ ରୂପେ ଜଣାପଡ଼େ ଯେ ଆସନ୍ତା ବର୍ଷ ମାନଙ୍କରେ ସରକାରଙ୍କର ରାଜକୋଷୀୟ ନିଅଣ୍ଟ ଏବଂ ଋଣ ଅନୁପାତରେ ବିଶେଷ ହ୍ରାସ ଘଟି ଚାଲିବ। ଏଣୁ ଭାରତର ରେଟିଙ୍ଗ୍‌ରେ ବୃଦ୍ଧି ଘଟିବା ହେଉଛି ଯୁକ୍ତିଯୁକ୍ତ।

ଏବେ ମନେ ହେଉଛି ଅନ୍ତତଃ ତିନିଟି ମଧ୍ୟରୁ ଗୋଟିଏ ରେଟିଙ୍ଗ୍‌ ଏଜେନ୍‌ସି ସରକାରଙ୍କର ଏହି ଯୁକ୍ତିକୁ ଗ୍ରହଣ କରିଛି। ନିରପେକ୍ଷ ଭାବରେ ଦେଖିଲେ ଭାରତ ଯେ ଏ ରେଟିଙ୍ଗ୍‌ ବୃଦ୍ଧି ପାଇଁ ହକ୍‌ଦାର ଏଥିରେ କୌଣସି ସନ୍ଦେହ ନାହିଁ। ଓ୍ଵାର୍ଲଡ୍‌ ବ୍ୟାଙ୍କ୍‌ର ‘ବ୍ୟବସାୟ କରିବାରେ ସୁବିଧା’ ତାଲିକାରେ ୩୦ ପାହାଚ ଉନ୍ନତି ପରେ, ମୁଡିଜ୍‌୍‌ର ଏହି ରେଟିଂ ବୃଦ୍ଧି ମୋଦୀ ସରକାରଙ୍କୁ ବେଶ୍‌ ଉଲ୍ଲସିତ କରିଛି। କିନ୍ତୁ ଏଥିପାଇଁ ମୋଦୀ ସରକାର ଯେତିକି ପ୍ରଶଂସାର ହକ୍‌ଦାର, ତାଙ୍କୁ ପ୍ରଶଂସାପତ୍ର ପ୍ରଦାନ କରିଥିବା ସଂସ୍ଥା ‘ମୁଡିଜ୍‌’ ତାର କାର୍ଯ୍ୟ ପାଇଁ ସେତିକି ପ୍ରଶଂସାର ହକ୍‌ଦାର ନୁହେଁ। ଏହାର କାରଣ ହେଉଛି ମୁଡିଜ୍‌ ତାର ରେଟିଙ୍ଗ୍‌ ପ୍ରଦାନ କରିବାର ସମୟ। ଏବେ ଯେଉଁ ସମୟରେ ମୁଡିଜ୍‌ ଭାରତୀୟ ଅର୍ଥନୀତିକୁ ସ୍ୱୀକୃତି ପ୍ରଦାନ କରିଛି, ସେଇ ସମୟର ସତ୍ୟ ହେଲା ଲଗାତର ଗତ ଛ ଚଉଠ ଧରି ଦେଶର ଅର୍ଥନୈତିକ ଅଭିବୃଦ୍ଧି ହାରରେ ହ୍ରାସ ଘଟି ଚାଲିଛି। ସେତିକି ନୁହେଁ, ବିମୁଦ୍ରୀକରଣ ଏବଂ ଜିଏସ୍‌ଟି ପ୍ରବର୍ତ୍ତନ ଭଳି ଦୁଇ ଅସ୍ଥିରତା ସୃଷ୍ଟିକାରୀ ସଂସ୍କାର ପଦକ୍ଷେପ ଯୋଗୁଁ ସରକାରଙ୍କ ରାଜକୋଷ କିପରି ପ୍ରଭାବିତ ହେବାକୁ ଯାଉଛି, ଏଇ ମୁହୂର୍ତ୍ତରେ ତାହା କାହାରିକୁ ସଠିକ୍‌ ଜଣାନାହିଁ- ମୁଡିଜ୍‌କୁ ମଧ୍ୟ ନୁହେଁ। ତେଣୁ ଆଗାମୀ ଦିନ ମାନଙ୍କରେ ରାଜକୋଷୀୟ ନିଅଣ୍ଟରେ ଯେ ବୃଦ୍ଧି ନ ଘଟିବ, ତାହା କିଏ କହିବ? ଏହା ସତ ଦୀର୍ଘକାଳୀନ ଭିତ୍ତିରେ ଭାରତୀୟ ଅର୍ଥନୀତିର ମୌଳିକ ଶକ୍ତି ଅତୁଟ ରହିବ ବୋଲି କୁହାଯାଇପାରେ। କିନ୍ତୁ ମୁଡିଜ୍‌ ଯଦି ବର୍ଷେ କି ଦୁଇବର୍ଷ ପୂର୍ବରୁ ଏକଥା କହି ଭାରତର ରେଟିଙ୍ଗ୍‌ରେ ବୃଦ୍ଧି କରିଥାନ୍ତା ତା’ହେଲେ ନିବେଶକଙ୍କ ମଧ୍ୟରେ ସେ ଅଧିକ ପ୍ରତ୍ୟୟ ସୃଷ୍ଟି କରିଥାନ୍ତା। ମୁଡିଜ୍‌ର ବିଳମ୍ବିତ ଜ୍ଞାନୋଦୟ ଦେଖି ଲାଗୁଛି -ମୋଦୀ ପାସ୍‌, ମୁଡି ଫେଲ୍‌।

ସମ୍ବନ୍ଧିତ ଖବର