ବଜେଟ୍‌ ଆଶା

ଫେବ୍ରୁଆରି ପହିଲା (ଆଜି) ସ˚ସଦରେ ୨୦୧୯-୨୦ ଆର୍ଥିକ ବର୍ଷ ପାଇଁ ପୂର୍ଣ୍ଣାଙ୍ଗ ସାଧାରଣ ବଜେଟ ଉପସ୍ଥାପିତ ହେବ ନାହିଁ। ଅବଶ୍ୟ ପୂର୍ଣ୍ଣାଙ୍ଗ ବଜେଟ ବଦଳରେ ସରକାର ଉପସ୍ଥାପନ କରିବାକୁ ଯାଉଥିବା ଅନ୍ତରୀଣ ବଜେଟର ଚିତ୍ର ଓ ଚରିତ୍ର ସରଳ ଲେଖାନୁଦାନ (ଭୋଟ-ଅନ୍‌-ଆକାଉଣ୍ଟ-ଆର୍ଥିକ ବର୍ଷର ପ୍ରଥମ ତିନି ମାସ ପାଇଁ ରୁଟିନ୍‌ ସରକାରୀ ଖର୍ଚ୍ଚ ପାଇଁ ବ୍ୟୟବରାଦ)ରେ ସୀମିତ ରହିବ ନାହିଁ। ଆଗାମୀ ସାଧାରଣ ନିର୍ବାଚନକୁ ଆଖି ଆଗରେ ରଖି ମତଦାତାଙ୍କ ମନ ଜିଣିବା ସକାଶେ କିଛି ନୂଆ ଯୋଜନା ଘୋଷଣା ଲାଗି ମୋଦୀ ସରକାର ଭୋଟ ପୂର୍ବରୁ ଏ ଶେଷ ସୁଯୋଗକୁ ହାତଛଡ଼ା କରିବେ ନାହିଁ। ତିନିଟି ରାଜ୍ୟର ବିଧାନସଭାରେ ବିଜେପିର ବିପର୍ଯ୍ୟୟ ପରେ ପରିବର୍ତ୍ତିତ ରାଜନୈତିକ ପାଣପାଗ ପରିପ୍ରେକ୍ଷୀରେ ଦ୍ବିତୀୟ ଇନି˚ସ ପାଇଁ ଆଶା ବାନ୍ଧିଥିବା ସରକାରଙ୍କ ପାଇଁ ଏହା ଏକ ବାଧୢବାଧକତା।

ଆଉ ମାତ୍ର କିଛି ଘଣ୍ଟା ପରେ ସ˚ସଦରେ ଆଗତ ହେବାକୁ ଯାଉଥିବା ଅନ୍ତରୀଣ ବଜେଟ୍‌ର ରୂପରେଖ କ’ଣ ହେବ? ବିଜେପି ପ୍ରତି ବିମୁଖ ଦୁର୍ଦଶାଗ୍ରସ୍ତ ଚାଷୀଙ୍କ ସମର୍ଥନ ଫେରି ପାଇବା ଲାଗି କ’ଣ କିଛି ନୂଆ ପ୍ୟାକେଜ୍‌ ଘୋଷଣା ହେବ? ମଧୢମ ଆୟକାରୀ ବର୍ଗଙ୍କ ମଧୢରେ ପତିଆରା ବଢ଼ାଇବା ଲାଗି ଆୟକର ଛାଡ଼ ସୀମା ବୃଦ୍ଧି କରାଯିବ କି? ପଇଁଚାଳିଶ ବର୍ଷରେ ସର୍ବାଧିକ ସ୍ତରରେ ପହଞ୍ଚିଥିବା ବେକାରିର ମୁକାବିଲା ଲାଗି ସରକାର କ’ଣ କିଛି ନୂଆ ସୂତ୍ର ବାହାର କରିବେ? ଏଭଳି ଆହୁରି ଅନେକ ପ୍ରଶ୍ନ ଉପରେ ଉତ୍କଣ୍ଠା ଲାଗି ରହିଛି ଓ ବିଭିନ୍ନ ମହଲରେ କଳ୍ପନା ଜଳ୍ପନାର ଅନ୍ତ ହେଉ ନାହିଁ। ଏସବୁ ପ୍ରଶ୍ନର ଉତ୍ତର ଖୋଜିବା ଅଳ୍ପ ଦିନ ତଳେ ଅର୍ଥ ମନ୍ତ୍ରଣାଳୟର ଅତିରିକ୍ତ ଦାୟିତ୍ବ ନେଇଥିବା ମନ୍ତ୍ରୀ ପିୟୁଷ ଗୋଏଲଙ୍କ ପାଇଁ ନିଶ୍ଚୟ ଏକ ଆହ୍ବାନ। ତେବେ ଯଦି କୌଣସି ଗୋଟିଏ ପ୍ରଶ୍ନ ଉପରେ ସବୁଠାରୁ ଅଧିକ କଳ୍ପନା ଜଳ୍ପନା ଚାଲିଛି ଓ ଉତ୍କଣ୍ଠା ଚରମରେ, ତେବେ ତା’ ହେଲା ‘ସର୍ବନିମ୍ନ ନିଶ୍ଚିତ ଆୟ’ ବିଷୟ କାମଚଳା ବଜେଟରେ ସ୍ଥାନ ପାଇବ କି? ବିଶେଷକରି, ଗତ ସପ୍ତାହରେ ‘ସର୍ବନିମ୍ନ ନିଶ୍ଚିତ ଆୟ’ ପ୍ରସଙ୍ଗରେ ରାହୁଲଙ୍କ ଘୋଷଣା ପରେ ଏ ପ୍ରସଙ୍ଗ ଭାରତୀୟ ରାଜନୀତିର କେନ୍ଦ୍ରସ୍ଥଳ ଦଖଲ କରି ନେଇଛି। ଏ ପ୍ରସଙ୍ଗରେ ବ୍ୟାପକ ବିତର୍କର ମଧୢ ସୂତ୍ରପାତ ହୋଇଛି।

ରାୟପୁରଠାରେ ଆୟୋଜିତ ‘କିଷାନ ଆଭାର ସମ୍ମେଳନ’ରେ କ˚ଗ୍ରେସ ଅଧୢକ୍ଷ ରାହୁଲ ଗାନ୍ଧୀ ଘୋଷଣା କରିଥିଲେ ଯେ, ତାଙ୍କ ଦଳ କ୍ଷମତାକୁ ଆସିଲେ ଗରିବଙ୍କ ପାଇଁ ସର୍ବନିମ୍ନ ନିଶ୍ଚିତ ଆୟ ଯୋଜନା କାର୍ଯ୍ୟକାରୀ କରିବ। ‘ସର୍ବନିମ୍ନ ନିଶ୍ଚିତ ଆୟ’ ଯୋଜନାର ରୂପରେଖ ସମ୍ପର୍କରେ ରାହୁଲ କିଛି ସ୍ପଷ୍ଟ କରି ନାହାନ୍ତି। ସର୍ବନିମ୍ନ ଆୟର ପରିମାଣ କେତେ, ତାହା ମଧୢ ଅସ୍ପଷ୍ଟ। ତଥାପି ଏଥିରେ କୌଣସି ସନ୍ଦେହ ନାହିଁ ଯେ, ରାହୁଲଙ୍କ ଏହି ଘୋଷଣା ନିର୍ବାଚନ ପୂର୍ବରୁ ମୋଦୀ ସରକାରଙ୍କ ଉପରେ ପ୍ରବଳ ଚାପ ସୃଷ୍ଟି କରିଛି। ରାହୁଲଙ୍କ ଘୋଷଣାର କିଭଳି ଉତ୍ତର ଦିଆଯିବ, ସେ ନେଇ ସରକାରର ସର୍ବୋଚ୍ଚ ସ୍ତରରେ ମାନସ ମନ୍ଥନ ଚାଲିଛି। ଦୁର୍ଦଶାରେ ଥିବା କ୍ଷୁବ୍‌ଧ ଚାଷୀଙ୍କୁ ମନାଇବା ପାଇଁ ଋଣଛାଡ଼ର ବିକଳ୍ପ ସ୍ବରୂପ ଏକ ସ୍ବତନ୍ତ୍ର ଆର୍ଥିକ ପ୍ୟାକେଜ୍‌ ଘୋଷଣା ବିଷୟ ସରକାରଙ୍କ ସକ୍ରିୟ ବିଚାରାଧୀନ ଥିଲା। ଏହି ପ୍ୟାକେଜ୍‌ରେ ତେଲେଙ୍ଗାନାର ରୟତ ବନ୍ଧୁ କିମ୍ବା ଓଡ଼ିଶାର ‘କାଳିଆ’ ଢାଞ୍ଚାରେ ଚାଷୀଙ୍କ ଖାତାରେ କିଛି ନଗଦ ସିଧାସଳଖ ଜମା ବିଷୟ ବିଚାର କରାଯାଇଥିଲା। କିନ୍ତୁ ରାହୁଲଙ୍କ ଘୋଷଣା ପରିପ୍ରେକ୍ଷୀରେ ‘ସର୍ବନିମ୍ନ ନିଶ୍ଚିତ ଆୟ’ ବିଷୟ ମଧୢ ବିଚାରକୁ ନେବା ଲାଗି ସରକାର ଏକପ୍ରକାର ବାଧୢ ହୋଇଛନ୍ତି। ପ୍ରଥମେ ଗତବର୍ଷ ସରକାରଙ୍କ ‘ଅର୍ଥନୈତିକ ସର୍ଭେ’ରେ ସର୍ବଜନୀନ ସର୍ବନିମ୍ନ ନିଶ୍ଚିତ ଆୟ (ୟୁନିଭର୍ସାଲ ମିନିମମ୍‌ ଗ୍ୟାରେଣ୍ଟଡ଼ ଇନ୍‌କମ୍‌) ବିଷୟ ଉଲ୍ଲେଖ କରାଯାଇଥିଲା। ନିକଟରେ ତିନିଟି ରାଜ୍ୟରେ ବିପର୍ଯ୍ୟୟ ପରେ କ˚ଗ୍ରେସର କୃଷିଋଣ ଛାଡ଼ ପ୍ରତିଶ୍ରୁତିର ପାଲଟା ଜବାବ ସ୍ବରୂପ ସର୍ବଜନୀନ ନିଶ୍ଚିତ ସର୍ବନିମ୍ନ ଆୟକୁ କାର୍ଯ୍ୟକାରୀ କରିବା ଲାଗି ସରକାରୀ ଦଳର କେତେକ ମହଲରେ ମତ ପ୍ରକାଶ ମଧୢ ପାଇଥିଲା। ଏ ପ୍ରସ୍ତାବକୁ ହଠାତ୍‌ ଗ୍ରହଣ କରିବା ଲାଗି ସରକାର କୁଣ୍ଠିତ ହେବାର ପ୍ରଧାନ କାରଣ ଅର୍ଥାଭାବ। ସର୍ବନିମ୍ନ ନିଶ୍ଚିତ ଆୟ ପାଇଁ ଆବଶ୍ୟକ ଏତେ ବିପୁଳ ପରିମାଣ ପାଣ୍ଠି ଆସିବ କେଉଁଠୁ?

ଅର୍ଥନୈତିକ ସର୍ଭେରେ ଦିଆଯାଇଥିବା ପ୍ରସ୍ତାବ ଅନୁଯାୟୀ ଗୋଟିଏ ପରିବାର ପାଇଁ ଦୈନିକ ୩୨୧ ଟଙ୍କା (ଅଣକୁଶଳୀ ଶ୍ରମିକଙ୍କ ସର୍ବନିମ୍ନ ମଜୁରି) ହିସାବରେ ମାସିକ ୯,୬୩୦ ଟଙ୍କାର ସର୍ବନିମ୍ନ ଆୟ ନିଶ୍ଚିତ କରାଯିବା କଥା। ଅର୍ଥନୈତିକ ସର୍ଭେରେ ଏହି ସର୍ବନିମ୍ନ ନିଶ୍ଚିତ ଆୟ ଯୋଜନା ଦେଶର ୭୫% ପରିବାରଙ୍କୁ ସାମିଲ କରିବା ଲାଗି ପ୍ରସ୍ତାବ ଦିଆଯାଇଥିଲା। ତେବେ ମାତ୍ର ୨୫% ଦରିଦ୍ରତମ ପରିବାରଙ୍କ ପାଇଁ ଏହି ଯୋଜନା ବାବଦ ବାର୍ଷିକ ୭ ଲକ୍ଷ କୋଟିରୁ ଅଧିକ ଟଙ୍କା ଆବଶ୍ୟକ। ଆଉ ଏକ ହିସାବ ଅନୁଯାୟୀ, ଯଦି ସର୍ବନିମ୍ନ ନିଶ୍ଚିତ ଆୟ ପରିମାର ବାର୍ଷିକ ୩,୧୮୦ ଟଙ୍କାକୁ କମାଇ ଦିଆଯାଏ, ତେବେ ୨୫% ଗରିବ ପରିବାରଙ୍କ ପାଇଁ ବ୍ୟୟ ଆସିବ ପ୍ରାୟ ୨.୫ ଲକ୍ଷ କୋଟି ଟଙ୍କା। ଯଦି ୨୦% ଦରିଦ୍ରତମ ଗରିବଙ୍କ ପାଇଁ ସର୍ବନିମ୍ନ ଆୟ ନିଶ୍ଚିତ କରାଯାଏ, ତେବେ ବାର୍ଷିକ ୧ ଲକ୍ଷ ୭୫ ହଜାର କୋଟି ଟଙ୍କା ବ୍ୟୟ ହେବ। ଏତେ ବିପୁଳ ପରିମାଣରେ ପାଣ୍ଠି ଯୋଗାଡ଼ କରିବା ସରକାରଙ୍କ ପାଇଁ ସହଜ ନୁହେଁ। ପୁଣି ଚାଷ ଓ ଆର୍ଥିକ- ସାମାଜିକ ଦୃଷ୍ଟିରୁ ଦୁର୍ବଳ ବର୍ଗଙ୍କୁ ଦିଆଯାଉଥିବା ଅନ୍ୟ ରିହାତି ବନ୍ଦ ହେଲେ ତା’ର ନକାରାତ୍ମକ ପ୍ରଭାବ ପଡ଼ିବା ଆଶଙ୍କା ରହିଛି। ତେବେ ଇଚ୍ଛା ଥିଲେ ଉପାୟ ବଳେ ଆସେ। ଯଦି ସରକାରଙ୍କ ଇଚ୍ଛା ଶକ୍ତି ଅଛି ତେବେ ‘ସର୍ବନିମ୍ନ ନିଶ୍ଚିତ ଆୟ’ ଲାଗୁ କରିବା ବାଟରେ ସମ୍ବଳ ବାଧକ ହେବ ନାହିଁ। ପ୍ରଚଳିତ ବ୍ୟବସ୍ଥାରେ ଦେଶର ଧନୀ ଶିଳ୍ପପତି ଓ ବ୍ୟବସାୟୀ ମାନଙ୍କୁ ପ୍ରୋତ୍ସାହନ ଓ ରିହାତି ନାମରେ ବାର୍ଷିକ ହାରାହାରି ୧ ଲକ୍ଷ ୫୦ ହଜାର କୋଟି ଟଙ୍କା ଦିଆଯାଉଛି। ଏତିକି ଟଙ୍କାରେ ପରୀକ୍ଷା ମୂଳକ ଭାବେ ଦେଶର ୩୦ କୋଟି ପରିବାରଙ୍କ ମଧୢରୁ ସବୁଠାରୁ ଗରିବ ୫ କୋଟି ପରିବାରଙ୍କ ପାଇଁ ‘ସର୍ବନିମ୍ନ ନିଶ୍ଚିତ ଆୟ’ ଯୋଜନାର ପ୍ରବର୍ତ୍ତନ କରାଯାଇପାରେ। ଧନୀ ଶିଳ୍ପପତି, ବ୍ୟବସାୟୀଙ୍କୁ ଦିଆଯାଉଥିବା ଟଙ୍କାରୁ ୫ କୋଟି ପରିବାରଙ୍କୁ ପରିବାର ପିଛା ବାର୍ଷିକ ୩୦ ହଜାର ଟଙ୍କା ସର୍ବନିମ୍ନ ଆୟ ନିଶ୍ଚିତ କରାଯାଇପାରିବ।

‘ସର୍ବନିମ୍ନ ନିଶ୍ଚିତ ଆୟ’ ପ୍ରସ୍ତାବକୁ ସରକାର ଗ୍ରହଣ କରନ୍ତୁ କି ନ କରନ୍ତୁ, ଦେଶର ଆର୍ଥିକ ଓ ସାମାଜିକ ଦୃଷ୍ଟିରୁ ଦୁର୍ବଳତମ ବର୍ଗଙ୍କ ପାଇଁ ଏହାର ଯେ ଆବଶ୍ୟକତା ରହିଛି, ଏଥିରେ ସନ୍ଦେହ ନାହିଁ। ଏହା ମଧୢ ନିଃସନ୍ଦେହ ଯେ, ଏହି ଦୁର୍ବଳତମ ବର୍ଗରେ ଅଧିକା˚ଶ କ୍ଷୁଦ୍ର ଓ ନାମମାତ୍ର ଚାଷୀ ଓ କୃଷି ଉପରେ ନିର୍ଭରଶୀଳ ଅଣକୁଶଳୀ ଶ୍ରମିକ। ଏହି ବର୍ଗର ଆର୍ଥିକ ଦୁର୍ଦଶାର ପ୍ରଧାନ କାରଣ ଚାଷର ବିପର୍ଯ୍ୟସ୍ତ ଅବସ୍ଥା। ୧୯୯୧ରୁ ୨୦୧୮ ମଧୢରେ ଦେଶର ଜିଡିପିରେ ଚାଷର ଭାଗ ୨୯%ରୁ ୧୫%କୁ ଖସି ଆସିଛି। ଅଥଚ ଚାଷ ଉପରେ ନିର୍ଭରଶୀଳ ଭାରତୀୟଙ୍କ ଭାଗ ୭୪%ରୁ ମାତ୍ର ୬୫%କୁ ଖସିଛି। ବୋଝ ଉପରେ ନଳିତାବିଡ଼ା ଭଳି ୨୦୦୧ରୁ ୨୦୧୭ ମଧୢରେ ଉତ୍ପାଦନ ଖର୍ଚ୍ଚ ଅନୁପାତରେ ଫସଲର ସହାୟକ ମୂଲ୍ୟ ବୃଦ୍ଧି ପରିବର୍ତ୍ତେ ୧୪% ହ୍ରାସ ଚାଷୀଙ୍କ ଦୁର୍ଦଶାକୁ ବହୁଗୁଣିତ କରିଛି। ବିପର୍ଯ୍ୟସ୍ତ କୃଷି ଉପରେ ନିର୍ଭରଶୀଳ ଏହି ଦୁର୍ବଳବର୍ଗଙ୍କ ଦୁର୍ଦଶା ଲାଘବ ଲାଗି ସରକାରଙ୍କ ପାଖରେ କ’ଣ ଇଲମ ଅଛି? ଏହାର ଉତ୍ତର ପାଇଁ ଅନ୍ତରୀଣ ହେଲେ ସୁଦ୍ଧା ଆଜିର ବଜେଟକୁ ଚାଷୀ ଓ ଗରିବ ବର୍ଗ ଆଶାର ସହ ଅନେଇ ରହିଛନ୍ତି।

ସମ୍ବନ୍ଧିତ ଖବର