ଊଣେଇଶ ନିର୍ବାଚନ ବୈତରଣୀ ପାର ହୋଇ ପୁଣି ଥରେ ଦିଲ୍ଲୀ ଫେରିବା ଆଶାରେ ମୋଦୀ ସରକାରଙ୍କ ଅନ୍ତରୀଣ ଅର୍ଥମନ୍ତ୍ରୀ ପିୟୁଷ ଗୋଏଲ୍ ଆଜି ଲୋକସଭାରେ ଅନ୍ତରୀଣ ବଜେଟ ଆଳରେ ଏକ ପୂର୍ଣ୍ଣାଙ୍ଗ ‘ସାନ୍ତାକ୍ଲଜ’୍ ବଜେଟ୍ ଆଗତ କରିଛନ୍ତି। ଚାଷୀ, ଶ୍ରମିକ, ମଧୢବିତ୍ତ, ପେନ୍ସନ୍ ଭୋଗୀ, ବ୍ୟବସାୟୀ, ସାଧାରଣ ଖାଉଟି, ମହିଳା, ଅନୁସୂଚୀତ ଜାତି ଓ ଜନଜାତି- ପ୍ରାୟ ସବୁ ବର୍ଗର ମତଦାତାଙ୍କୁ ଖୁସି କରି ନିର୍ବାଚନ ପୂର୍ବରୁ ଏକ ‘ଫିଲଗୁଡ୍’ ବାତାବରଣ ସୃଷ୍ଟି ଲାଗି ବଜେଟରେ କିଛି ନା କିଛି ଅଛି। ଆସନ୍ନ ଭୋଟକୁ ଆଖି ଆଗରେ ରଖି ଗୋଏଲ୍ଙ୍କ ‘ଖୁଲ୍ ଯା ସିିମ୍ ସିମ୍’ ବଜେଟ୍ କେବଳ କିଛି ସୁବିଧା ରିହାତି ରୂପକ ଉପହାରରେ ସୀମିତ ରହିନାହିଁ। ପରବର୍ତ୍ତୀ ଗୋଟିଏ ଦଶକ ପର୍ଯ୍ୟନ୍ତ ମୋଦୀଙ୍କ ନେତୃତ୍ବରେ ଶାସନରେ ରହିବାର ଲକ୍ଷ୍ୟରେ ନକ୍ସା ସ୍ବରୂପ ଏକ ଦଶସୂତ୍ରୀ ‘ଭିଜନ-୨୦୩୦’ର ମଧୢ ଘୋଷଣା କରାଯାଇଛି। ୨୦୨୨ ସୁଦ୍ଧା ନୂଆ ଭାରତର ସ୍ବପ୍ନ ସାକାର ହେବ ବୋଲି ଘୋଷଣା କରିଥିବା ଏହି ବଜେଟ ଉପରେ ‘ଅନ୍ତରୀଣ’ର ମୋହର ଲାଗିଥିଲେ ସୁଦ୍ଧା ଏହା କୌଣସି ଗୁଣରେ ୨୦୧୯-୨୦ ଆର୍ଥିକ ବର୍ଷ ପାଇଁ ପୂର୍ଣ୍ଣାଙ୍ଗ ବଜେଟଠାରୁ କମ୍ ନୁହେଁ। ଚିତ୍ର ଚରିତ୍ର ଦୃଷ୍ଟିରୁ ଅର୍ଥମନ୍ତ୍ରୀଙ୍କ ଦୀର୍ଘ ବଜେଟ ଅଭିଭାଷଣ ମଧୢ ନିର୍ବାଚନୀ ଭାଷଣର ଏକ ସ୍ପଷ୍ଟ ପ୍ରତିବିମ୍ବ ଥିଲା।
Sambad is now on WhatsApp
Join and get latest news updates delivered to you via WhatsApp
ଗୋଏଲ୍ଙ୍କ ସର୍ବତୋଷୀ ସାନ୍ତାକ୍ଲଜ୍ ବଜେଟରେ ବିଭିନ୍ନ ବର୍ଗଙ୍କ ମନ ତୋଷିବା ଲାଗି ଅନେକ ପ୍ରସ୍ତାବ ରହିଛି। ସେଥି ମଧୢରୁ ତିନିଟି ପ୍ରସ୍ତାବ ରାଜନୈତିକ- ଅର୍ଥନୈତିକ ସାମାଜିକ ଦୃଷ୍ଟିକୋଣରୁ ସୁଦୂରପ୍ରସାରୀ ଓ ସର୍ବୋପରି ଆଗାମୀ ନିର୍ବାଚନ ପରିପ୍ରେକ୍ଷୀରେ ଅତ୍ୟନ୍ତ ଗୁରୁତ୍ବପୂର୍ଣ୍ଣ। ପ୍ରଥମ, ରାହୁଲ ଗାନ୍ଧୀଙ୍କ ‘ସର୍ବନିମ୍ନ ନିଶ୍ଚିତ ଆୟ’ ପ୍ରତିଶ୍ରୁତିର ମୁକାବିଲା ପାଇଁ ସରକାର ‘ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧି’ ଯୋଜନା ଘୋଷଣା କରିଛନ୍ତି। ଏହି ଯୋଜନାରେ ଓଡ଼ିଶାର ‘କାଳିଆ’ ଢାଞ୍ଚାରେ ୨ ହେକ୍ଟର ବା ୫ ଏକର ପର୍ଯ୍ୟନ୍ତ ଜମି ଥିବା ପ୍ରତ୍ୟେକ କ୍ଷୁଦ୍ର ଓ ନାମମାତ୍ର ଚାଷୀଙ୍କ ଖାତାରେ ଆୟ ସହାୟତା ବାବଦ ବାର୍ଷିକ ଛଅ ହଜାର ଟଙ୍କା ଜମା ହେବ। ତିନିଟି ଦୁଇ ହଜାର ଟଙ୍କିଆ କିସ୍ତିରେ ଦେଶର ୧୨ କୋଟି ଚାଷୀ ଉପକୃତ ହେବାକୁ ଯାଉଥିବା ଏ ଯୋଜନା ଓଡ଼ିଶାର ‘କାଳିଆ’ର ଜୟ କହିଲେ ବୋଧହୁଏ ଅତ୍ୟୁକ୍ତି ହେବ ନାହିଁ। ଜାତୀୟ ସ୍ତରରେ ଏହା ‘କାଳିଆ’ ଯୋଜନାର ଏକ ପରିବର୍ଦ୍ଧିତ ସ˚ସ୍କରଣ। ଅବଶ୍ୟ ‘କାଳିଆ’ରେ ଓଡ଼ିଶାର କ୍ଷୁଦ୍ର ଓ ନାମମାତ୍ର ଚାଷୀଙ୍କ ପାଇଁ ବାର୍ଷିକ ୧୦ ହଜାର ଟଙ୍କା ପ୍ରଦାନର ବ୍ୟବସ୍ଥା ଅଛି। ‘କାଳିଆ’ର ଆଉ ଏକ ବିଶେଷତ୍ବ ହେଲା, ଏଥିରେ ଭୂମିହୀନ କୃଷି ଶ୍ରମିକଙ୍କ ପାଇଁ ମଧୢ ସ୍ବାଧୀନ କାରବାର ଲାଗି ୧୨,୫୦୦ ଟଙ୍କା ସହାୟତାର ପ୍ରାବଧାନ ଅଛି। ପୁଣି ୫୦ ହଜାର ପର୍ଯ୍ୟନ୍ତ କୃଷି ଋଣ ମଧୢ ସୁଧ ମୁକ୍ତ।
ବଜେଟର ଦ୍ବିତୀୟ ବଡ଼ ପ୍ରସ୍ତାବ ହେଲା, ଅଣ-ସ˚ଗଠିତ କ୍ଷେତ୍ରରେ କାର୍ଯ୍ୟରତ ଶ୍ରମିକଙ୍କ ପାଇଁ ‘ପ୍ରଧାନମନ୍ତ୍ରୀ ଶ୍ରମ ଯୋଗୀ ମାନ୍ଧନ୍’ ଯୋଜନା। ଏଥିରେ ଷାଠିଏ ବର୍ଷ ବୟସ ପରେ ଅଣ-ସ˚ଗଠିତ କ୍ଷେତ୍ରର ଶ୍ରମିକମାନେ ମାସିକ ୩ ହଜାର ଟଙ୍କା ପେନ୍ସନ୍ ପାଇବେ। ଅବଶ୍ୟ, ଏଥିପାଇଁ ଶ୍ରମିକଙ୍କୁ ପ୍ରତିି ମାସ ୧୦୦ ଟଙ୍କା ଜମା କରିବାକୁ ପଡ଼ିବ। ଅଣ-ସ˚ଗଠିତ କ୍ଷେତ୍ରରେ କାର୍ଯ୍ୟରତ ଶ୍ରମିକଙ୍କ ସାମାଜିକ ସୁରକ୍ଷା କ୍ଷେତ୍ରରେ ଏହା ଏକ ବଳିଷ୍ଠ ପଦକ୍ଷେପ।
ତୃତୀୟ ବଡ଼ ଘୋଷଣା ଦେଶର ବିଶାଳ ମଧୢବିତ୍ତ ବର୍ଗଙ୍କୁ ଖୁସି କରିବା ଲାଗି ଉଦ୍ଦିଷ୍ଟ। ଆୟକର ଛାଡ଼ ସୀମା ପ୍ରଚଳିତ ୨.୫ ଲକ୍ଷରୁ ୫ ଲକ୍ଷ ଟଙ୍କାକୁ ବୃଦ୍ଧି କରାଯାଇଛି। ଫଳରେ ବାର୍ଷିକ ୬.୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଆୟ କରୁଥିବା ବ୍ୟକ୍ତିମାନଙ୍କୁ କୌଣସି ଆୟକର ଦେବାକୁ ପଡ଼ିବ ନାହିଁ। ଏହାଦ୍ବାରା ୩ କୋଟିରୁ ଅଧିକ ମଧୢମ ଆୟକାରୀ କରଦାତା ଉପକୃତ ହେବେ। ମୁଖ୍ୟତଃ ସହରାଞ୍ଚଳର ମଧୢବିତ୍ତଙ୍କ ମଧୢରେ ନିଜର ଜନାଧାରକୁ ଅତୁଟ ରଖିବା ଉଦ୍ଦେଶ୍ୟରେ କେବଳ ଆୟକର ଛାଡ଼ ସୀମା ବୃଦ୍ଧି କରାଯାଇ ନାହିଁ, ପେନ୍ସନ୍ ଭୋଗୀଙ୍କ ବ୍ୟାଙ୍କ୍ ଓ ଡାକଘର ଜମା ସୁଧ ଉପରେ ମଧୢ ଟିଡିଏସ୍ ସୀମାକୁ ୧୦ ହଜାରରୁ ୪୦ ହଜାର ଟଙ୍କାକୁ ବୃଦ୍ଧି କରାଯାଇଛି। ଫଳରେ ନିଜ ଜମା ଉପରେ ବାର୍ଷିକ ୪୦ ହଜାର ଟଙ୍କା ପର୍ଯ୍ୟନ୍ତ ସୁଧ ଉପରେ ଜମାକାରୀଙ୍କୁ କୌଣସି ଟିକସ ଲାଗିବ ନାହିଁ। ଏହି ବର୍ଗଙ୍କୁ ଲାଭ ଦେବା ପାଇଁ ଘର ଭଡ଼ା ଉପରେ ଟିଡିଏସ୍ ସୀମାକୁ ମଧୢ ବାର୍ଷିକ୧.୮ ଲକ୍ଷରୁ ୨.୪ ଲକ୍ଷ ଟଙ୍କାକୁ ବୃଦ୍ଧି କରାଯାଇଛି। ଘର କିଣା ପାଇଁ ମଧୢ ଏହି ବର୍ଗର ଗ୍ରାହକଙ୍କ ସକାଶେ ରିହାତି ଘୋଷଣା କରାଯାଇଛି। ଗ୍ରାଚ୍ୟୁଇଟି ସୀମା ୧୦ ଲକ୍ଷରୁ ୩୦ ଲକ୍ଷକୁ ବୃଦ୍ଧି କରାଯାଇଛି।
ଏହି ମଧୢମ ଆୟକାରୀ ବର୍ଗରେ ଆସୁଥିବା ଆତ୍ମ ନିଯୁକ୍ତ ବ୍ୟବସାୟୀ ଓ ଏମ୍ଏସ୍ଏମ୍ଇ ଉଦ୍ୟୋଗୀଙ୍କ ପାଇଁ ମଧୢ ଗୋୟଲ୍ ବେଶ୍ କିଛି ରିହାତି ପ୍ରଦାନ କରିଛନ୍ତି। ଜିଏସ୍ଟି ପଞ୍ଜିକୃତ ଏମ୍ଏସ୍ଏମ୍ଇମାନଙ୍କୁ ଋଣ ସୁଧ ଉପରେ ୨ ପ୍ରତିଶତ ରିହାତି ମିଳିବ। ପାଞ୍ଚକୋଟି ଟଙ୍କା ପର୍ଯ୍ୟନ୍ତ ବାର୍ଷିକ କାରବାର କରୁଥିବା ବ୍ୟବସାୟୀଙ୍କୁ ଏଣିକି କେବଳ ତିନି ମାସକୁ ଥରେ ରିଟର୍ଣ୍ଣ ଦାଖଲ କରିବାକୁ ପଡ଼ିବ। ସାଧାରଣ ଖାଉଟିମାନଙ୍କୁ ଆଶ୍ବସ୍ତ କରାଯାଇଛି ଯେ, ବିଭିନ୍ନ ଅତ୍ୟାବଶ୍ୟକ ସାମଗ୍ରୀ ଉପରେ ଜିଏସ୍ଟି ହ୍ରାସ କରି ପ୍ରାୟ ୮୦ ହଜାର କୋଟିର ରିହାତି ଦିଆଯାଇଛି ଓ ଆଗାମୀ ଦିନରେ ଅଧିକା˚ଶ ସାମଗ୍ରୀ ଉପରେ ଜିଏସ୍ଟି ୦%ରୁ ୫% ଭିତରେ ସୀମିତ ରଖାଯିବ। ମହିଳାଙ୍କୁ ଖୁସି କରିବା ଲାଗି ଏହା ଉଦ୍ଦିଷ୍ଟ। ଅନୁସୂଚିତ ଜାତି ଓ ଜନଜାତିଙ୍କ ପାଇଁ ବଜେଟର ବ୍ୟୟବରାଦ ଉଲ୍ଲେଖନୀୟ ଭାବେ ବୃଦ୍ଧି କରାଯାଇଛି।
ସାନ୍ତାକ୍ଲଜ୍ ଗୋଏଲ୍ ତାଙ୍କ ବଜେଟ ଶାସକ ଦଳ ପ୍ରତି ମୁହଁ ମୋଡ଼ିଥିବା କିମ୍ବା ମୁହଁ ମୋଡ଼ିବାକୁ ଯାଉଥିବା ସମାଜର ଅଧିକା˚ଶ ବର୍ଗର ମତ ଦାତାଙ୍କୁ ନିଶ୍ଚୟ କିଛି ପରିମାଣରେ ଖୁସି କରି ମନାଇବା ଲାଗି ଚେଷ୍ଟା କରିଛନ୍ତି। କିନ୍ତୁ ଦେଶର ସବୁଠାରୁ ବଡ଼ ସମସ୍ୟା କୁହାଯାଉଥିବା ଉତ୍କଟ ବେକାରିର ମୁକାବିଲା ପାଇଁ ବଜେଟରେ କିଛି ସୂତ୍ର ନାହିଁ। ଚାକିରି ଆଶାରେ ପ୍ରତିବର୍ଷ ନିଯୁକ୍ତି ବଜାରରେ ପାଦ ଦେଉଥିବା କୋଟିଏରୁ ଅଧିକ ଯୁବକଙ୍କ ପାଇଁ ବଜେଟ ବିଶେଷ କୌଣସି ଆଶା ସୃଷ୍ଟି କରୁନାହିଁ। ପଇଁଚାଳିଶ ବର୍ଷର ସର୍ବାଧିକ ସ୍ତରରେ ପହଞ୍ଚିଥିବା ବେକାରି ସମସ୍ୟାର ମୁକାବିଲା ଲାଗି ବଜେଟରେ କୌଣସି ଦିଶା ନିର୍ଦ୍ଦେଶ ମଧୢ ନାହିଁ। ପୁଣି ସର୍ବତୋଷୀ ସାନ୍ତାକ୍ଲଜ୍ ବଜେଟରେ ଘୋଷଣା କରାଯାଇଥିବା ବିଭିନ୍ନ ଯୋଜନା ପାଇଁ ସମ୍ବଳ କେଉଁଠୁ ଆସିବ, ତାହା ମଧୢ ହିସାବ କରାଯାଇ ନାହିଁ। ବଜେଟ ବ୍ୟୟ ଅଟକଳ ୧୩.୩% ବଢ଼ିଛି। ଅନ୍ୟପଟେ ଦୁଇଟି ଘୋଷଣା- ଚାଷୀଙ୍କ ଆୟ ସହାୟତା ଯୋଜନାରେ ୭୫ ହଜାର ଟଙ୍କା ଖର୍ଚ୍ଚ ଓ ଆୟକର ଛାଡ଼ ସୀମା ବୃଦ୍ଧି ଯୋଗୁ ୧୮,୫୦୦ କୋଟିର କ୍ଷତି- ପ୍ରାୟ ଲକ୍ଷେ କୋଟି ଭରଣା କେମିତି ହେବ ତା’ର ସ୍ପଷ୍ଟ ଉତ୍ତର ନାହିଁ। ତଥାପି ବିତ୍ତୀୟ ନିଅଣ୍ଟ ୩.୪% ଓ ଚଳନ୍ତି ଖାତାରେ ନିଅଣ୍ଟ ଜିଡ଼ିପିର ୨.୫%ରେ ସୀମିତ ରହିବ ବୋଲି ଆଶା ପ୍ରକାଶ କରାଯାଇଛି; ଯାହା ବଜେଟ ଗଣିତର ଏକ ଗୋଳମାଳିଆ ଚିତ୍ର ପ୍ରଦାନ କରୁଛି।
ମୋଟାମୋଟି ପୁଣି ନିର୍ବାଚନ ଜିଣିବାର ଏକ ମାତ୍ର ଲକ୍ଷ୍ୟ ରଖି ସାଧାରଣ ଭାବେ ଶାସକ ଦଳ ସପକ୍ଷରେ ଏକ ‘ଫିଲ୍ଗୁଡ଼୍’ ବାତାବରଣ ତିଆରି ଲାଗି ମୋଦୀ ସରକାର ଭୋଟ ପୂର୍ବରୁ ଶେଷ ସୁଯୋଗର ଭରପୂର ଉପଯୋଗ କରିଛନ୍ତି। ଅର୍ଥମନ୍ତ୍ରୀ ତାଙ୍କ ଭାଷଣରେ କହିଲେ ‘ଏହା ଏକ ଅନ୍ତରୀଣ ବଜେଟ ମାତ୍ର ନୁହେଁ, ବିକାଶର ଏକ ମାଧୢମ’। କିନ୍ତୁ ଅସଲରେ ନିର୍ବାଚନ ବୈତରଣୀ ପାର ହେବା ଲାଗି ମୋଦୀ ସରକାର ପାଇଁ ଏହା ‘ଗାଈର ଲାଞ୍ଜ’। ସମୟ କହିବ, ନିର୍ବାଚନ ପାଇଁ ‘ଟେଲର ମେଡ୍’ ଏ ଭୋଟ ସର୍ବସ୍ବ ଫିଲ୍ଗୁଡ୍ ବଜେଟ ମତଦାତାଙ୍କ ମନରେ କେତେ ମାତ୍ରାରେ ଫିଲ୍ଗୁଡ୍ ସୃଷ୍ଟି କରିବ ଓ ଗାଈର ଲାଞ୍ଜ ଭାବେ ମୋଦୀ ସରକାରଙ୍କୁ ନିର୍ବାଚନ ବୈତରଣୀ ପାର୍ କରାଇ ପାରିବ ନା ନାହିଁ?