ଅନିଶ୍ଚିତତାରେ ରେଳ ବିକାଶ

0

ଶୁକ୍ରବାର ଲୋକସଭାରେ ଅନ୍ତରୀଣ ସାଧାରଣ ବଜେଟ ସହ ଆଗତ ୨୦୧୯-୨୦ ରେଳ ବଜେଟରେ ପୂର୍ବତଟ ରେଳବାଇକୁ ମିଳିଛି ୭୦୧୦ କୋଟି ଟଙ୍କା। ଏହା ଗତବର୍ଷ ତୁଳନାରେ ୧୩% ଅଧିକ। ଏଥିରୁ ନୂଆ ଓ ନିର୍ମାଣାଧୀନ ରେଳ ପ୍ରକଳ୍ପ ଗୁଡ଼ିକ ପାଇଁ ୨,୬୩୦ କୋଟି ଟଙ୍କା ବ୍ୟୟବରାଦ କରାଯାଇଛି। ସାରା ଦେଶରେ କାର୍ଯ୍ୟକାରୀ ହେଉଥିବା ନୂଆ ରେଳ ଲାଇନ ଗୁଡ଼ିକ ପାଇଁ ୭,୨୫୫ କୋଟି ଟଙ୍କାର ବ୍ୟବସ୍ଥା ହୋଇଥିବା ବେଳେ କେବଳ ପୂର୍ବତଟ ରେଳବାଇ ଭାଗରେ ୨,୬୩୦ କୋଟି ଟଙ୍କା ମିଳିବା ନିଶ୍ଚୟ ଉଲ୍ଲେଖନୀୟ। ଗତ ବର୍ଷ ତୁଳନାରେ ପୂର୍ବତଟ ଅଧୀନସ୍ଥ ରେଳପଥ ପ୍ରକଳ୍ପ ଗୁଡ଼ିକ ଲାଗି ବ୍ୟୟବରାଦରେ ୬୭% ବୃଦ୍ଧି କରାଯାଇଛି। ତେବେ ‘ବେଲ ପାଚିଲେ କୁଆର କି ଯାଏ’ ନୀତିରେ ଏଥିରେ ଓଡ଼ିଶାବାସୀ ଖୁସି ହେବାର କାରଣ ଖୋଜି ପାଉ ନାହାନ୍ତି।

ତେବେ ଏ ବର୍ଦ୍ଧିତ ବ୍ୟୟବରାଦ ବର୍ଷ ବର୍ଷ ଧରି ମଠେଇ ମଠେଇ ଚାଲିଥିବା ଓଡ଼ିଶାର ଗୁରୁତ୍ବପୂର୍ଣ୍ଣ ନିର୍ମାଣାଧୀନ ରେଳଲାଇନ ଗୁଡ଼ିକର କାର୍ଯ୍ୟ ତ୍ବରାତ୍ବିନ ହେବାର କୌଣସି ସମ୍ଭାବନା ସୃଷ୍ଟି କରି ପାରୁନାହିଁ। ଅନ୍ୟପକ୍ଷରେ ଯଦି କୁହାଯାଏ ଦୁଇ ବର୍ଷର ମଧ୍ୟାନ୍ତର ପରେ ରେଳ ବିକାଶ କ୍ଷେତ୍ରରେ ଓଡ଼ିଶା ପ୍ରତି ଏଥର ମଧୢ ଉପେକ୍ଷା ଓ ଅନ୍ୟାୟର କ୍ରମ ଅପରିବର୍ତ୍ତିତ ରହିଛି, ତେବେ ବୋଧହୁଏ ତିଳେ ସୁଦ୍ଧା ଭୁଲ୍‌ ହେବ ନାହିଁ। ଓଡ଼ିଶାର ମାତ୍ର ଦୁଇଟି ନିର୍ମାଣାଧୀନ ରେଳପଥ ପ୍ରକଳ୍ପ ପାଇଁ ବ୍ୟୟବରାଦ ବଢ଼ିଥିବା ବେଳେ ଅର୍ଥନୈତିକ- ସାମାଜିକ ପ୍ରଗତି ଓ ସର୍ବୋପରି ରାଜ୍ୟର ଭାବଗତ ସ˚ହତି ଦୃଷ୍ଟିରୁ ଅତ୍ୟନ୍ତ ଗୁରୁତ୍ବପୂର୍ଣ୍ଣ ଚାରିଟି ରେଳପଥ ପ୍ରକଳ୍ପ ପାଇଁ ବ୍ୟୟବରାଦ ପୂର୍ବାପେକ୍ଷା କମାଇ ଦିଆଯାଇଛି। ଅନୁଗୁଳ-ସୁକିନ୍ଦା ଓ ହରିଦାସପୁର-ପାରାଦୀପ ରେଳପଥ ପାଇଁ ବ୍ୟୟବରାଦ ଯଥାକ୍ରମେ ୨୦୦ରୁ ୨୫୦ କୋଟି ଓ ୨୦୦ରୁ ୪୦୦ କୋଟି ଟଙ୍କା ବୃଦ୍ଧି ପାଇଛି। କିନ୍ତୁ ଖୋର୍ଦ୍ଧା-ବଲାଙ୍ଗୀର, ତାଳଚେର- ବିମଳାଗଡ଼ ଜୟପୁର- ମାଲମାନଗିରି ଓ ଜୟପୁର- ନବରଙ୍ଗପୁର ରେଳପଥ ପାଇଁ ବ୍ୟୟବରାଦ ଗତ ବଜେଟ ତୁଳନାରେ ଏ ବର୍ଷ ହ୍ରାସ ପାଇଛି। ଏହା ରେଳବାଇ କ୍ଷେତ୍ରରେ ଓଡ଼ିଶା ପ୍ରତି କ୍ରମାଗତ ଉପେକ୍ଷା ଓ ଅନ୍ୟାୟର ଆଉ ଏକ ଦୁଃଖଦ ପ୍ରମାଣ। ରାଜ୍ୟରେ ରେଳବାଇର ବିକାଶ ପ୍ରସଙ୍ଗରେ କେନ୍ଦ୍ର ସରକାରଙ୍କ ନିଷ୍ଠା ଓ ଆନ୍ତରିକତା ଉପରେ ଏହା ସ୍ବତଃ ପ୍ରଶ୍ନବାଚୀ ସୃଷ୍ଟି କରୁଛି। କମ୍‌ ବ୍ୟୟବରାଦ ସ୍ବାଭାବିକ ଭାବେ ପ୍ରକଳ୍ପ ଗୁଡ଼ିକୁ ଆହୁରି ବିଳମ୍ବିତ କରାଇବ।

ଦୁଇବର୍ଷ ପୂର୍ବ ପର୍ଯ୍ୟନ୍ତ ସୁରେଶ ପ୍ରଭୁ ମହୋଦୟ ରେଳମନ୍ତ୍ରୀ ଥିବା ବେଳେ ରେଳବାଇ ଭିତ୍ତିଭୂମି ବିକାଶ ଓ ସ˚ପ୍ରସାରଣ ଦୃଷ୍ଟିରୁ ଓଡ଼ିଶାକୁ ‘ଫୋକସ୍‌ ରାଜ୍ୟ’ର ମାନ୍ୟତା ଦିଆଯାଇଥିଲା। ଅବଶ୍ୟ, ଏହା ଓଡ଼ିଶା ପ୍ରତି କୌଣସି ଅନୁଗ୍ରହ କିମ୍ବା ଅନୁକମ୍ପା ନଥିଲା। ଦଶନ୍ଧି ଦଶନ୍ଧି ଧରି ରେଳବାଇ କ୍ଷେତ୍ରରେ ଓଡ଼ିଶା ପ୍ରତି ଉପେକ୍ଷା ଓ ଅନ୍ୟାୟର ଏହା ଥିଲା ବିଳମ୍ବିତ ପ୍ରାୟଶ୍ଚିତ। ପ୍ରଭୁଙ୍କ ରେଳବଜେଟ ଗୁଡ଼ିକରେ ଓଡ଼ିଶାର ରେଳପ୍ରକଳ୍ପ ଗୁଡ଼ିକ ପାଇଁ ଲଗାତାର ବ୍ୟୟ ବୃଦ୍ଧି କରାଯାଉଥଇଲା। କିନ୍ତୁ ଗତ ଦୁଇ ବର୍ଷରେ ମୋଟାମୋଟି ପୂର୍ବତଟ ରେଳବାଇ ପାଇଁ ବ୍ୟୟବରାଦ ବଢ଼ିଥିଲେ ସୁଦ୍ଧା ଓଡ଼ିଶାର ପ୍ରକଳ୍ପଗୁଡ଼ିକ ପାଇଁ ବ୍ୟୟବରାଦ ସ˚କୁଚିତ ହୋଇଛି। ଯାହା ରେଳ ବିକାଶ କ୍ଷେତ୍ରରେ ଓଡ଼ିଶା ‘ଫୋକସ୍‌’ ବାହାରକୁ ଚାଲି ଯାଉଥିବାର ଅଶୁଭ ସ˚କେତ ଦେଉଛି।

ପ୍ରଥମେ ଗତ ପାଖାପାଖି ଅଢେ଼ଇ ଦଶକ ଧରି ନିର୍ମାଣାଧୀନ ୨୮୯ କିମି ଖୋର୍ଦ୍ଧା-ବଲାଙ୍ଗୀର ରେଳପଥ ପ୍ରକଳ୍ପ ବିଷୟ ନିଆଯାଉ। ଗତ ମାସ ୧୫ ତାରିଖ ଦିନ ମାନ୍ୟବର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବଲାଙ୍ଗୀର ପଟୁ ନିର୍ମିତ ୧୫.୭୫ କିମି ରେଳପଥର ଲୋକାର୍ପଣ କରିଥିଲେ। ଏ ଅବସରରେ ସେ ଓଡ଼ିଶାରେ ରେଳବାଇର ବିକାଶ ପାଇଁ କେନ୍ଦ୍ରର ପ୍ରତିଶ୍ରୁତିବଦ୍ଧତା ଦୋହରାଇଥିଲେ। ଆଶା କରାଯାଉଥିଲା, ୨୮୯ କିମିରୁ ମାତ୍ର ୭୧ କିମି ସ˚ପୂର୍ଣ୍ଣ ହୋଇଥିବା ଖୋର୍ଦ୍ଧା-ବଲାଙ୍ଗୀର ରେଳପଥକୁ ଧାର୍ଯ୍ୟ ଲକ୍ଷ୍ୟ- ୨୦୨୧ ସୁଦ୍ଧା ସ˚ପୂର୍ଣ୍ଣ କରିବା ଲାଗି ବଜେଟରେ ଅଧିକ ପାଣ୍ଠି ମଞ୍ଜୁର ହେବ। କିନ୍ତୁ ସେ ଆଶାର ବିପରୀତ ଘଟିଛି। ଏହି ଗୁରୁତ୍ବପୂର୍ଣ୍ଣ ରେଳପ୍ରକଳ୍ପ ବାବଦ ବ୍ୟୟବରାଦ ଗତ ବର୍ଷର ୬୨୫ କୋଟି ଟଙ୍କାରୁ ୫୬% କାଟି ୩୫୦ କୋଟି ଟଙ୍କାକୁ କମାଇ ଦିଆଯାଇଛି। କ୍ରମାଗତ ଦ୍ବିତୀୟ ବର୍ଷ ପାଇଁ ଖୋର୍ଦ୍ଧା-ବଲାଙ୍ଗୀର ପ୍ରକଳ୍ପ ପାଇଁ ବ୍ୟୟବରାଦ ହ୍ରାସ କରାଯାଇଛି। ୨୦୧୭-୧୮ ଓ ୧୮-୧୯ରେ ଏ ପ୍ରକଳ୍ପ ପାଇଁ ଯଥାକ୍ରମେ ୭୦୦ ଓ ୬୨୫ କୋଟିର ବ୍ୟୟ ବରାଦ କରାଯାଇଥିଲା ବେଳେ ଏ ଥର(୧୯-୨୦ରେ) ତହିଁରୁ ଆହୁରି ୨୭୫ କୋଟି କମାଇ ବ୍ୟୟ ପରାଦକୁ ୩୫୦ କୋଟି ଟଙ୍କାରେ ଧାର୍ଯ୍ୟ କରାଯାଇଛି। ବ୍ୟୟବରାଦରେ ଏ ପ୍ରକାର ଲଗାତାର କାଟ୍‌ ଫଳରେ ଅବଶିଷ୍ଟ ୨୧୮ କିମି ରେଳପଥର ନିର୍ମାଣ ଆସନ୍ତା ଦୁଇ ବର୍ଷ ମଧୢରେ ସ˚ପୂର୍ଣ୍ଣ ହେବା କ’ଣ ସମ୍ଭବ? ପ୍ରକଳ୍ପ କାର୍ଯ୍ୟ ସ˚ପୂର୍ଣ୍ଣ ପାଇଁ ଧାର୍ଯ୍ୟ ତାରିଖ ବାରମ୍ବାର ପଦ୍ମ ଘୁଞ୍ଚିଲା ପରି ଘୁଞ୍ଚି ଘୁଞ୍ଚି ଯିବା ଓଡ଼ିଶାରେ ରେଳବାଇ ପ୍ରକଳ୍ପଗୁଡ଼ିକର ମ‌େଠଈ ଚରିତ୍ରର ପ୍ରମାଣ। ସ୍ବାଧୀନତା ପରେ ରାଜ୍ୟରେ ଯେଉଁ କେତୋଟି ହାତଗଣତି ରେଳପଥ ପ୍ରକଳ୍ପ କାର୍ଯ୍ୟକାରୀ ହୋଇଛି, ସେଥିରୁ କୌଣସି ଗୋଟିକର ବି ନିର୍ମାଣ ନିର୍ଦ୍ଧାରିତ ସମୟଠାରୁ ଅନ୍ତତଃ ଦଶ ବର୍ଷରୁ କମ୍‌ ବିଳମ୍ବିତ ହୋଇ ନାହିଁ। ପ୍ରଧାନମନ୍ତ୍ରୀଙ୍କ ଦପ୍ତର (ପିଏମ୍‌ଓ)ର ହସ୍ତକ୍ଷେପ ସତ୍ତ୍ବେ ୨୩ ବର୍ଷ ହେଲା ନିର୍ମାଣ ଚାଲିଥିବା ୮୦ କିମିର ହରିଦାସପୁର-ପାରାଦୀପ ରେଳପଥ ସ˚ପୂର୍ଣ୍ଣ ହୋଇପାରୁ ନାହିଁ। ଏଥର ବଜେଟରେ ଏହି ପ୍ରକଳ୍ପ ପାଇଁ ବ୍ୟୟବରାଦ ୧୦୦% ବୃଦ୍ଧି କରାଯାଇଥିଲେ ସୁଦ୍ଧା ପୁନଃନିର୍ଦ୍ଧାରିତ ତାରିଖ ସୁଦ୍ଧା ସ˚ପୂର୍ଣ୍ଣ ହେବା ନେଇ ଯଥେଷ୍ଟ ସନ୍ଦେହ ରହିଛି।

ରାଜ୍ୟର ପଶ୍ଚିମାଞ୍ଚଳକୁ ପୂର୍ବାଞ୍ଚଳ ସହ ଯୋଡ଼ୁଥିବା ଖୋର୍ଦ୍ଧା-ବଲାଙ୍ଗୀର ରେଳପଥ ବ୍ୟତୀତ ପଶ୍ଚିମ-ଉତ୍ତରାଞ୍ଚଳ ଓ ପୂର୍ବ ଓଡ଼ିଶା ମଧୢରେ ଯୋଗାଯୋଗ ପାଇଁ ଉଦ୍ଦିଷ୍ଟ ତାଳଚେର-ବିମଳାଗଡ଼ ପ୍ରକଳ୍ପ ମଧୢ ବ୍ୟୟବରାଦ କାଟର ଶିକାର ହୋଇଛି। ଗତ ବଜେଟରେ ତାଳଚେର-ବିମଳାଗଡ଼ ରେଳ ଲାଇନ ପାଇଁ ୩୦୦ କୋଟି ଟଙ୍କା ବ୍ୟୟବରାଦ କରାଯାଇଥିଲା। ଏଥର ତାହା ୧୫୦ କୋଟି ଟଙ୍କାକୁ ହ୍ରାସ ପାଇଛି ଅର୍ଥାତ୍ ଏଥର ବ୍ୟୟବରାଦକୁ ଗତ ବର୍ଷ ତୁଳନାରେ ଅଧା କମାଇ ଦିଆଯାଇଛି। ସେହିପରି ରାଜ୍ୟର ନକ୍ସଲ ପ୍ରଭାବିତ ଆଦିବାସୀ ବହୁଳ ଦକ୍ଷିଣ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ ଦୁଇଟି ରେଳ ପ୍ରକଳ୍ପ ଜୟପୁର-ମାଲକାନଗିରି, ନବରଙ୍ଗପୁର-ଜୟପୁର ରେଳପଥ ବାବଦ ବ୍ୟୟ ବରାଦ ଯଥାକ୍ରମେ ୯୫ରୁ ୭୦ କୋଟି ଟଙ୍କାକୁ ଓ ୧୫୦ କୋଟିରୁ ମାତ୍ର ୧୦ କୋଟିକୁ କମାଇ ଦିଆଯାଇଛି। ଫଳରେ ପ୍ରକଳ୍ପ ଗୁଡ଼ିକର ଭବିଷ୍ୟତ ନେଇ ଅନିଶ୍ଚିତତା ସୃଷ୍ଟି ହୋଇଛି। ନକ୍ସଲ ପ୍ରଭାବିତ ଆଦିବାସୀ ବହୁଳ ଅଞ୍ଚଳର ଅର୍ଥନୈତିକ- ସାମାଜିକ ପ୍ରଗତିର ପ୍ରତିଶ୍ରୁତି ରଖୁଥିବା ଏହି ଦୁଇଟି ରେଳପ୍ରକଳ୍ପର ଦଶା ଗୁଣୁପୁର- ଥେରୁବାଲି ପ୍ରକଳ୍ପ ଭଳି ହେବ ନାହିଁ ତ? ଗତ ୨୦୧୭-୧୮ ବଜେଟରେ ୯୮କିମି ଥେରୁବାଲି-ଗୁଣୁପୁର ରେଳ ଲାଇନ ନିର୍ମାଣ ବିଷୟ ଘୋଷଣା କରାଯାଇଥିଲା। କିନ୍ତୁ ଗତ ଦୁଇବର୍ଷ ହେଲା ଏ ପ୍ରକଳ୍ପ ନେଇ କୌଣସି ସ୍ବର ଶବ୍ଦ ଶୁଣାଯାଉଛି। ଆଶଙ୍କା ପ୍ରକାଶ ପାଇଛି ଯେ, ଲାଭଜନକ ନ ହେବା କାରଣ ଦର୍ଶାଇ ପ୍ରକଳ୍ପକୁ ବାତିଲ କରି ଦିଆଯାଇପାରେ। ଏମିତି ଅପମୃତ୍ୟୁର ଶିକାର ହୋଇଥିବା ଆଉ ଏକ ରେଳ ପ୍ରକଳ୍ପ ହେଲା ଶୀତଳାପଲ୍ଲୀ ଵାଗନ କାରଖାନା। ଏମିତିିରେ ମୋଟାମୋଟି ବ୍ୟୟବରାଦ ବୃଦ୍ଧିକୁ ଦର୍ଶାଇ ଓଡ଼ିଶାର ରେଳବିକାଶ ନେଇ ନିଷ୍ଠା ଓ ଆନ୍ତରିକତାର ଯେତେ ଦାବି କଲେ ବି ଓଡ଼ିଶାବାସୀ କେମିତି ବିଶ୍ବାସ କରିବେ?

ବ୍ୟୟବରାଦରେ ସ˚କୋଚନ କେବଳ ପ୍ରକଳ୍ପଗୁଡ଼ିକୁ ବିଳମ୍ବିତ କରୁନାହିଁ, ସମୟ ଗଡ଼ିବା ସହ ପ୍ରକଳ୍ପ ବାବଦ ବ୍ୟୟ ଅଟକଳ ମଧୢ ବଢ଼ି ଚାଲିଛି। ଉଦାହରଣ ସ୍ବରୂପ ୧୫ରୁ ତେଇଶ ବର୍ଷ ଧରି ନିର୍ମାଣାଧୀନ ଚାରିଟି ଗୁରୁତ୍ବପୂର୍ଣ୍ଣ ପ୍ରକଳ୍ପ ଖୋର୍ଦ୍ଧା-ବଲାଙ୍ଗୀର, ପାରାଦୀପ-ହରିଦାରପୁର, ଅନୁଗୁଳ-ସୁକିନ୍ଦା ଓ ତାଳଚେର-ବିମଳାଗଡ଼।ର ମୋଟ ୬୨୩ କିମି ରେଳପଥ ପାଇଁ ମୂଳ ବ୍ୟୟ ଅଟକଳ ଥିଲା ମାତ୍ର ୧୯୭୪ କୋଟି ଟଙ୍କା। ବିଳମ୍ବ ଫଳରେ ୨୦୧୭ ଶେଷସୁଦ୍ଧା ଏହି ବ୍ୟୟବରାଦ ୭୯୮୦ କୋଟି ଟଙ୍କାକୁ ବୃଦ୍ଧି ପାଇଛି। ପ୍ରକଳ୍ପଗୁଡ଼ିକ ପାଇଁ ଆଶାଜନକ ଭାବେ ବ୍ୟୟବରାଦ ନହେବା ଯେତିକି ଚିନ୍ତାଜନକ, ମଞ୍ଜୁର ଅର୍ଥ ପୂରା ଖର୍ଚ୍ଚ ନ ହୋଇ ପାରିବା ତା’ଠାରୁ ଅଧିକ ଚିନ୍ତାର ବିଷୟ। କୌଣସି ଗୋଟିଏ ବର୍ଷ ବି ବରାଦ ହୋଇଥିବା ଅର୍ଥର ଖର୍ଚ୍ଚ ୭୦%କୁ ଟପି ପାରୁନାହିଁ। ଏହା ପ୍ରକଳ୍ପ କାର୍ଯ୍ୟକାରିତାରେ ରେଳବାଇର ଅଦକ୍ଷତାର ଦୁଃଖଦ ବୟାନ। ସେଥିପାଇଁ ଓଡ଼ିଶାରେ ପ୍ରାୟ ସବୁ ରେଳ ପ୍ରକଳ୍ପ କଚ୍ଛପ ଗତିରେ ଚାଲିଛି।

ଏ ଅଦକ୍ଷତାକୁ ଘୋଡ଼ାଇବା ପାଇଁ ଜମି ଅଧିଗ୍ରହଣରେ ମନ୍ଥରତା ପାଇଁ ରାଜ୍ୟ ସରକାରଙ୍କୁ ଦୋଷ ଦେବା ଏକ ଅଭ୍ୟାସ। ଜମି ଅଧିଗ୍ରହଣରେ ଅଗ୍ରଗତି ନିଶ୍ଚୟ ଆଶାଜନକ ନୁହେଁ। କିନ୍ତୁ ଯେତିକି ଜମି ହସ୍ତାନ୍ତର ହେଉଛି, ସେତିକିି ଜମିରେ, ପର୍ଯ୍ୟାପ୍ତ ପାଣ୍ଠି ଉପଲବ୍‌ଧ ଥିବା ସତ୍ତ୍ବେ, କାର୍ଯ୍ୟରେ ଆଶାଜନକ ଅଗ୍ରଗତି ହେଉ ନାହିଁ କାହିଁକି? ରେଳବାଇ କର୍ତ୍ତୃପକ୍ଷଙ୍କ ନିକଟରେ ଏହାର କୌଣସି ନିର୍ଦ୍ଦିଷ୍ଟ ଉତ୍ତର ନାହିଁ। ଜମି ଅଧିଗ୍ରହଣ, ଜଙ୍ଗଲ ଅନୁମତି, ପରିବେଶ ମଞ୍ଜୁରି ଆଦି ବିଷୟକୁ ଆଳ କରି ରେଳବାଇ କର୍ତ୍ତୃପକ୍ଷ ନିଜର ଅଦକ୍ଷତାକୁ କେବଳ ଘଣ୍ଟ ଘୋଡ଼ାଇବାର ଅପଚେଷ୍ଟା କରୁଛନ୍ତି ମାତ୍ର। ଏଠାରେ ମନେ ପକାଇ ଦିଆଯାଇପାରେ ଯେ ସମ୍ବଲପୁର-ତାଳଚେର‌ ପ୍ରକଳ୍ପ ‌େକ୍ଷତ୍ରରେ ତତ୍କାଳୀନ ଆର୍‌ଡିସି ଅଧିଗୃହୀତ ଜମିକୁ ପ୍ରତ୍ୟାହାରର ଧମକ ଦେଇ ନ ଥିଲେ ରେଳପଥ ନିର୍ମାଣ ଆହୁରି ବିଳମ୍ବିତ ହୋଇଥାଆନ୍ତା। ଉଲ୍ଲେଖନୀୟ ଯେ, କୌଣସି ରେଳପ୍ରକଳ୍ପ ପାଇଁ ଏବେ ଏକା ରେଳବାଇ ବା କେନ୍ଦ୍ର ସରକାର ପୁଞ୍ଜି ବିନିଯୋଗ କରୁନାହାନ୍ତି। ରାଜ୍ୟ ସରକାର ଓ ଅନ୍ୟ ଶିଳ୍ପାନୁଷ୍ଠାନମାନେ ମଧୢ ଏଥିରେ ଭାଗିଦାର। ପ୍ରକଳ୍ପ ବିଳମ୍ବ ହେଲେ ଏ ସହଯୋଗୀମାନେ ସେମାନଙ୍କ ବିନିଯୋଗରୁ କୌଣସି ଲାଭ ପାଇପାରିବେ ନାହିଁ।

ଏବେ ପ୍ରଶ୍ନ, କେମିତି ଓଡ଼ିଶା ପ୍ରତି ରେଳବାଇ କ୍ଷେତ୍ରରେ ଉପେକ୍ଷା ଓ ଅବହେଳାର ଏ ଦୁର୍ଭାଗ୍ୟଜନକ କ୍ରମରେ ପୂର୍ଣ୍ଣଚ୍ଛେଦ ପଡ଼ିବ? ରେଳପ୍ରକଳ୍ପ ଗୁଡ଼ିକର ମଠେଈ ଚରିତ୍ର ବଦଳି କାର୍ଯ୍ୟ କେମିତି ତ୍ବରାନ୍ବିତ ହେବ? ଏହାର ଦୁଇଟି ଉତ୍ତର। ଓଡ଼ିଶା ପ୍ରତି ରେଳବାଇର ଆଭିମୁଖ୍ୟରେ ପରିବର୍ତ୍ତନ; ଯାହା ଉଭୟ ବଜେଟ ଏବ˚ ପ୍ରକଳ୍ପ ରୂପାୟନରେ ଦକ୍ଷତାରେ ପ୍ରତିଫଳିତ ହେବା ଉଚିତ। ଦ୍ବିତୀୟ, ପରସ୍ପର ଦୋଷ ଲଦାଲଦି ଛାଡ଼ି କେନ୍ଦ୍ର ଓ ରାଜ୍ୟ ମଧୢରେ ଅଧିକ ସମନ୍ବୟ ଓ ସହଯୋଗ।

ସମ୍ବନ୍ଧିତ ଖବର

Leave A Reply

Your email address will not be published.