ଲକ୍ଷ୍ମୀ-ଅଲକ୍ଷ୍ମୀ

ଭାରତରେ ପକ୍ଷୀମାନଙ୍କ ସମ୍ବନ୍ଧରେ ସାଧାରଣ ପାଠକମାନଙ୍କ ମଧୢରେ ଆଗ୍ରହ ସୃଷ୍ଟି କରିବାରେ ଆଦ୍ୟ ଭୂମିକା ଗ୍ରହଣ କରିଥିବା ଏଡ୍‌ଵାର୍ଡ ହାମିଲ୍‌ଟନ୍‌ ଆଇଟ୍‌କେନ୍‌(ତାଙ୍କର ଅଗଣିତ ପ୍ରଶ˚ସକଙ୍କ ପାଇଁ କେବଳ ‘ଇଏଚ୍‌ଏ’) ଯଦି ଆଜି ସେଦିନ ଭଳି ବମ୍ବେ (ଆଜିର ମୁମ୍ବାଇ)ରେ ଆତଯାତ ହେଉଥାନ୍ତେ, ତେବେ ସୋମବାର ଦିନ ତାଙ୍କ ପ୍ରିୟ ସହରର ବିମାନ ବନ୍ଦରରେ ଦେଖିବାକୁ ମିଳିଥିବା ଏକ ବିରଳ ଦୃଶ୍ୟ ଦ୍ବାରା ପ୍ରଭାବିତ ହୋଇ ତାଙ୍କର କ୍ଲାସିକ୍‌ ‘କମନ୍‌ ବାର୍ଡସ୍‌ ଅଫ୍‌ ବମ୍ବେ’ (‘ବମ୍ବେର ଜଣାଶୁଣା ପକ୍ଷୀ’) ପୁସ୍ତକରେ ନିଶ୍ଚିତ ରୂପେ ତାହା ଅନ୍ତର୍ଭୁକ୍ତ କରିଥାନ୍ତେ। ୧୯୦୯ରେ ପ୍ରକାଶିତ ତାଙ୍କର ଏହି ଅନବଦ୍ୟ ବିହଙ୍ଗ ବିବରଣୀରେ ସେ ଆମେ ଜାଣିଥିବା ‘ଧଳା ପେଚା’ (‘ବାର୍ଣ୍ଣ ଆଉଲ୍‌’ ବା ‘ସ୍କ୍ରିଚ୍‌ ଆଉଲ୍‌’) ସମ୍ବନ୍ଧରେ ବର୍ଣ୍ଣନା କଲା ବେଳେ କବି ଥମାସ୍‌ ଗ୍ରେ’ଙ୍କର ସୁପରିଚିତ କବିତା ‘ଏଲିଜି ରିଟ୍‌ନ ଇନ୍‌ ଏ କଣ୍ଟ୍ରି ଚର୍ଚୟାର୍ଡ‌୍‌’ (‘‘ଏକ ଗ୍ରାମ୍ୟ କବରଖାନାରେ ଲିଖିତ ବିଷାଦ ଗୀତି’)ରେ ଏହି ରାତ୍ରିଚର ପକ୍ଷୀଟି ଚନ୍ଦ୍ରଙ୍କ ନିକଟରେ କରିଥିବା ଅଭିଯୋଗର ଉଦ୍ଧାର କରିଛନ୍ତି: ‘‘… ଦି ମୋପିଙ୍ଗ୍‌ ଆଉଲ୍‌ ଡଜ୍‌ ଟୁ ଦି ମୁନ୍‌ କମ୍ପ୍ଲେନ୍‌/ଅଫ୍‌ ସଚ୍‌ ଆଜ୍‌, ଵାଣ୍ତରି˚ ନିଅର‌୍‌ ହର‌୍‌ ସିକ୍ରେଟ୍‌ ବାଵର‌୍‌, ମୋଲେଷ୍ଟ୍ ହର‌୍‌ ଆନ୍‌ସିଏଣ୍ଟ୍‌ ସଲିଟାରି ରେନ୍‌।’’ ସ˚କ୍ଷେପରେ କହିଲେ, ଅନୁପ୍ରବେଶକାରୀ କବି କବରଖାନାରେ ତା’ର ନିର୍ଜନ ରାଜତ୍ବରେ ବ୍ୟାଘାତ ସୃଷ୍ଟି କରୁଛନ୍ତି ବୋଲି, ସେଠାରେ ଛପି ରହିଥିବା ପେଚାଟି ଜହ୍ନ ନିକଟରେ ଫେରାଦ ହେଉଛି।
ସୋମବାର ଦିନ ଘଟଣାଟି କୌଣସି କବରଖାନାରେ ଘଟି ନଥିଲା, ଘଟିଥିଲା ବିମାନ ବନ୍ଦରରେ ଠିଆ ହୋଇଥିବା ଜେଟ୍‌ ଏଆର‌୍‌େଵଜ୍‌ର ଏକ ବୋଇ˚-୭୭୭ ବିମାନର ପାଇଲଟ୍‌ଙ୍କ ପାଇଁ ଉଦ୍ଦିଷ୍ଟ କକ୍‌ପିଟ୍‌ ଭିତରେ। ପାଇଲଟ୍‌ଙ୍କ ପାଇଁ ଥିବା ସିଟ୍‌ ପାଖରେ ନିଶ୍ଚିନ୍ତରେ ବସିରହିଥିବା ଏହି ସୁଦକ୍ଷ ଉଡ଼ାଳିର ନିର୍ଜନ ରାଜତ୍ବ ଭଙ୍ଗକାରୀ କୌଣସି କବି ନଥିଲେ, ସେମାନେ ଥିଲେ କବିତ୍ବହୀନ କେତେକ ଗ୍ରାଉଣ୍ତ୍‌ ଡ୍ୟୁଟି କର୍ମଚାରୀ। ପ୍ରକାଶିତ ଖବର ଅନୁସାରେ ଗ୍ରେ’ଙ୍କ କବିତାର ପକ୍ଷୀ ଭଳି କିନ୍ତୁ ଅନୁପ୍ରବେଶକାରୀଙ୍କ ବିରୁଦ୍ଧରେ କୌଣସି ଅଭିଯୋଗ କରିବା ପରିବର୍ତ୍ତେ କକ୍‌ପିଟ୍‌ରେ ବସିଥିବା ପେଚାଟି ସୁନା ପିଲାଙ୍କ ପରି କର୍ମଚାରୀଙ୍କ ହାତରେ ଧରା ଦେଇଥିଲା ଓ ସେମାନେ ଆଜିର ଫେସନ୍‌ ଅନୁସାରେ ପକ୍ଷୀଟି ସହିତ ନିଜର ସେଲ୍‌ଫି ମଧୢ ଉଠାଇଥିଲେ। ପରେ ପେଚାଟିକୁ ମୁକ୍ତ କରିଦିଆଯାଇଥିଲା।

‘ଇଏଚ୍‌ଏ’ ଏହି ଘଟଣାକୁ ନିଜ ପୁସ୍ତକରେ କେଉଁ ରୂପରେ ବର୍ଣ୍ଣନା କରିଥାନ୍ତେ ତାହା ଆମକୁ ଜଣା ନାହିଁ, କିନ୍ତୁ ଜେଟ୍‌ ଏଆର‌୍‌େଵଜ୍‌ ମାଲିକ ନରେଶ ଗୋୟାଲ୍‌ ଯଦି ଏହାକୁ ଏକ ଶୁଭ ସ˚କେତ ବହନକାରୀ ଦୈବୀ ଘଟଣା ରୂପେ ବିଚାର କରୁଥାନ୍ତି, ଏଥିରେ କେହି ଆଶ୍ଚର୍ଯ୍ୟ ହେବେ ନାହିଁ। ଏକଦା ଦେଶର ଏକ ନମ୍ବର ଏଆର‌୍‌ଲାଇନ୍‌ସ ରୂପେ ଭାରତୀୟ ଆକାଶରେ ରାଜୁତି କରୁଥିବା ଜେଟ୍‌ ଏଆର‌୍‌େଵଜ୍‌ ବର୍ତ୍ତମାନ ଏକ ଜୀବନ ମରଣ ବିତ୍ତୀୟ ସ˚କଟର ସମ୍ମୁଖୀନ। ପ୍ରାୟ ୮,୦୦୦ କୋଟି ଟଙ୍କାର ଋଣ ଭାରରେ ଚାପି ହୋଇଥିବା ଏହି ଏଆର‌୍‌ଲାଇନ୍‌ କୌଣସି ଉପାୟରେ ଏହି ଭାର ଲାଘବ କରିବାକୁ ବାଟ ଖୋଜିବାରେ ଲାଗିଛି। ଗତ ଶୁକ୍ରବାର ଦିନ ଏ ଦିଗରେ ଏକ ଆଶାର ଝଲକ ସୃଷ୍ଟି କରି ଏହାର ଅନ୍ୟତମ ମୁଖ୍ୟ ଋଣଦାତା ଷ୍ଟେଟ୍‌ ବ୍ୟାଙ୍କ୍‌ ଅଫ୍‌ ଇଣ୍ତିଆର ଚେଆର‌୍‌ମ୍ୟାନ୍‌ ରଜନୀଶ କୁମାର ସୂଚନା ଦେଇଛନ୍ତି ଯେ ଜେଟ୍‌ ଏଆର‌୍‌େଵଜ୍‌ର ଋଣଦାତାମାନେ ‘ସଶକ୍ତ’ ଯୋଜନା ଅନୁସାରେ ଜେଟ୍‌ର ଋଣର ପୁନର୍ଗଠନ କରିବାକୁ ଚିନ୍ତା କରୁଛନ୍ତି। ଯଦି ‘ଇଣ୍ତିଆନ୍‌ ବ୍ୟାଙ୍କ୍‌ସ ଆସୋସିଏସନ୍‌’ର ସ୍କ୍ରିନି˚ କମିଟି ଦ୍ବାରା ଏହି ପୁନର୍ଗଠନ ପ୍ରସ୍ତାବ ଅନୁମୋଦିତ ହୁଏ ତେବେ ଏହି ବିଶାଳ ଋଣର ଏକ ଅ˚ଶକୁ ଜେଟ୍‌ ଏଆର‌୍‌େଵଜ୍‌ର ଅ˚ଶଧନରେ ରୂପାନ୍ତରିତ କରାଯିବ। ଅର୍ଥାତ୍‌ ଋଣଦାତାମାନେ ଅ˚ଶପତ୍ରଧାରୀ ଆ˚ଶିକ ମାଲିକରେ ପରିଣତ ହୋଇଯିବେ, ଯାହା ଫଳରେ ଋଣ ବୋଝ ହାଲୁକା ହୋଇଯିବ। ଶୁକ୍ରବାର ଦିନ ଏ ସୂଚନା ପ୍ରକାଶ ପାଇବା ପରେ ପରେ ସୋମବାର ଦିନ ଜେଟ୍‌ ଏଆର‌୍‌େଵଜ୍‌ର ଏକ ବିମାନର ଖୋଦ୍‌ ନିୟନ୍ତ୍ରଣ କକ୍ଷରେ ଧଳା ପେଚାର ଆବିର୍ଭାବ ଏକ ଶୁଭ ସ˚କେତ ବ୍ୟତୀତ ଆଉ କ’ଣ ବୋଲି ବିଚାର କରାଯାଇପାରେ?

କାରଣ ଯେ କୌଣସି ବ୍ୟବସାୟର ଆରାଧୢ ଦେବୀ ହେଉଛନ୍ତି ଲକ୍ଷ୍ମୀ ଏବ˚ ଲକ୍ଷ୍ମୀଙ୍କ ସହ ଉଲୂକ ବା ଏହି ହୃତ୍‌ପିଣ୍ଡ ଆକୃତିର ମୁଖମଣ୍ତଳଧାରୀ/ଧାରିଣୀ ଧଳା ପେଚାର ଘନିଷ୍ଠ ସମ୍ପର୍କ ପ୍ରତ୍ୟେକ ହିନ୍ଦୁକୁ ଜଣା। ତେବେ ଏଇଠି ଏକ ଅଡ଼ୁଆ ମଧୢ ରହିଛି। ନରମ ଧଳା ଲୋମ ଆଚ୍ଛାଦିତ ଛାତି, ଧୂସର ବାଦାମି ରଙ୍ଗର ଛିଟ ଛିଟ ପିଠି ଏବ˚ ନିଃଶବ୍ଦରେ ଉଡ଼ି ମୂଷା ବ˚ଶ ନିପାତ କରି ଚାଷୀକୁଳର ଅଶେଷ ମଙ୍ଗଳ କରୁଥିବା ଏହି ରାତି ଜଗୁଆଳି ଓ ଦିନରେ ଘୁମାଉଥିବା ପକ୍ଷୀଟି ସହିତ ଲକ୍ଷ୍ମୀଙ୍କର ପ୍ରକୃତ ସମ୍ପର୍କ କ’ଣ? ଏକ ମତ ଅନୁସାରେ ଏହି ପେଚା ହେଉଛି ଲକ୍ଷ୍ମୀଙ୍କ ବାହନ। କିନ୍ତୁ ପୁରାଣବିତ୍‌ ଦେବଦତ୍ତ ପଟ୍ଟନାୟକ ଏଥିରେ ଥିବା ଅସୁବିଧା ପ୍ରତି ଦୃଷ୍ଟି ଆକର୍ଷଣ କରି କହିଛନ୍ତି ଯେ ପେଚାର ଚକାଆଖି ହେଉଛି ଜଗନ୍ନାଥ/ବିଷ୍ଣୁଙ୍କର ଚକାଡେ଼ାଳା ପରି- ତେଣୁ ସେ ଲକ୍ଷ୍ମୀଙ୍କ ସ୍ବାମୀ ବିଷ୍ଣୁଙ୍କର ପ୍ରତୀକ। ସ୍ବାଭାବିକ ଭାବରେ ଲକ୍ଷ୍ମୀ ତାଙ୍କର ସ୍ବାମୀଙ୍କୁ ନିଜର ବାହନ ରୂପେ ବ୍ୟବହାର କରିବେ ନାହିଁ। ଅନ୍ୟ ଏକ ମତ ଅନୁଯାୟୀ ପେଚା ହେଉଛି ଲକ୍ଷ୍ମୀଙ୍କର ବଡ଼ ଭଉଣୀ ଅଲକ୍ଷ୍ମୀ। ତେଣୁ ସେ ହେଉଛି ସ୍ତ୍ରୀଲିଙ୍ଗଧାରିଣୀ। ଯେହେତୁ ଦେବଦେବୀଙ୍କ ବାହନମାନେ ସର୍ବଦା ପୁ-ଲିଙ୍ଗଧାରୀ ହୋଇଥାନ୍ତି ନିଜର ଭଉଣୀ ତଥା ସ୍ତ୍ରୀ-ଲିଙ୍ଗଧାରିଣୀ ପେଚା ତେଣୁ ଲକ୍ଷ୍ମୀଙ୍କ ବାହନ ହୋଇପାରିବ ନାହିଁ। ଲକ୍ଷ୍ମୀଙ୍କ ବାହନ ହେଉଛି ହାତୀ; ପେଚା ହେଉଛି ତାଙ୍କ ସହଚରୀ ଅଲକ୍ଷ୍ମୀ। ଯଦି ଏହା ହୋଇଥାଏ ତେବେ ଜେଟ୍‌ର ବିମାନରେ ଅଲକ୍ଷ୍ମୀଙ୍କର ଆବିର୍ଭାବକୁ ଗୋୟାଲ୍‌ ଓ ତାଙ୍କ କମ୍ପାନି କେତେଦୂର ଏକ ମଙ୍ଗଳ ସୂଚନା ରୂପେ ସ୍ବାଗତ କରିବେ ସେ ନେଇ ସନ୍ଦେହର ଆବିର୍ଭାବ ହୋଇପାରେ। ସେଇ ଦେବଦତ୍ତ ପଟ୍ଟନାୟକ ଏ ସନ୍ଦେହର ଏକ ଚତୁର ସମାଧାନ ମଧୢ ଆବିଷ୍କାର କରିଛନ୍ତି। ତାଙ୍କ ମତରେ ଲକ୍ଷ୍ମୀଙ୍କ ସହିତ ଅଲକ୍ଷ୍ମୀ ସର୍ବଦା ଯୋଡ଼ି ହୋଇ ରହିଥାନ୍ତି। ଲକ୍ଷ୍ମୀ ଧନର ସକାରାତ୍ମକ ଶକ୍ତି ବା ସୌଭାଗ୍ୟ ବହନ କରୁଥିବା ବେଳେ ଅଲକ୍ଷ୍ମୀ ବହନ କରିଥାନ୍ତି ଧନର ନକାରାତ୍ମକ ଶକ୍ତି ବା ଦୁର୍ଭାଗ୍ୟ। ଧନକୁ ଭଲ କାର୍ଯ୍ୟରେ ଲଗାଇବା ନିମିତ୍ତ ଲକ୍ଷ୍ମୀ ବ୍ୟକ୍ତିକୁ ପ୍ରବୃତ୍ତ କରିଥିବା ବେଳେ ଅଲକ୍ଷ୍ମୀ ଧନକୁ ମନ୍ଦ କାର୍ଯ୍ୟରେ ଲଗାଇବା ପାଇଁ ପ୍ରବୃତ୍ତ କରିଥାନ୍ତି। ଜଣେ ବିବେକବନ୍ତ ବ୍ୟକ୍ତି ଧନ ପ୍ରାପ୍ତି ପରେ ଲକ୍ଷ୍ମୀଙ୍କ ସମ୍ବନ୍ଧରେ ଯେତିକି ସଚେତନ ହେବ, ଅଲକ୍ଷ୍ମୀଙ୍କ ସମ୍ବନ୍ଧରେ ମଧୢ ସେତିକି ସଚେତନ ହେବା ଆବଶ୍ୟକ। ତା’ହେଲେ ସେ ଧନର ମନ୍ଦ ପ୍ରଭାବରୁ ମୁକ୍ତ ରହିପାରିବ।
ଏ ସମ୍ପର୍କରେ ସେ ପ୍ରଦାନ କରିଥିବା ଏକ ଚମତ୍କାର କାହାଣୀ ଅନୁସାରେ ଥରେ ଜଣେ ବ୍ୟବସାୟୀ ଉଭୟ ଲକ୍ଷ୍ମୀ ଓ ତାଙ୍କ ଭଉଣୀ ଅଲକ୍ଷ୍ମୀଙ୍କର ସମ୍ମୁଖୀନ ହୁଅନ୍ତେ ସେମାନଙ୍କ ମଧୢରୁ କିଏ ଅଧିକ ସୁନ୍ଦର ବୋଲି ଭଉଣୀ ଦ୍ବୟ ତାଙ୍କୁ ପଚାରିଲେ। ଯାହାକୁ ବି ଅଧିକ ସୁନ୍ଦର କହିଲେ ଅନ୍ୟଜଣକ ଅସନ୍ତୁଷ୍ଟ ହେବେ ଜାଣି ବ୍ୟବସାୟୀ ଜଣକ କହିଲେ: ଲକ୍ଷ୍ମୀ ଘରକୁ ଆସିବା ବେଳେ ଅଧିକ ସୁନ୍ଦର ଦିଶନ୍ତି ଓ ଅଲକ୍ଷ୍ମୀ ଘରୁ ଚାଲିଯିବା ବେଳେ ଅଧିକ ସୁନ୍ଦର ଦିଶନ୍ତି। ଏହା ଶୁଣି ଲକ୍ଷ୍ମୀ ତାଙ୍କ ଘରେ ପ୍ରବେଶ କଲେ ଓ ଅଲକ୍ଷ୍ମୀ ସେଠାରୁ ପ୍ରସ୍ଥାନ କଲେ। ଏଣୁ ଅଲକ୍ଷ୍ମୀଙ୍କୁ ମଧୢ ଲକ୍ଷ୍ମୀଙ୍କ ଭଳି ସ୍ବୀକାର କରିବା ଆବଶ୍ୟକ ଏବ˚ ତାଙ୍କୁ ଚାଲିଯିବାକୁ ଦେବା ହେଉଛି ବୁଦ୍ଧିମାନର କାର୍ଯ୍ୟ। ଯଦି ବି ସେ ପେଚାଟି ଅଲକ୍ଷ୍ମୀ ହୋଇଥାଏ, ଜେଟ୍‌ କର୍ମଚାରୀମାନେ ତାକୁ ଚାଲିଯିବାକୁ ଦେଇ ତାହା ହିଁ କରିଛନ୍ତି।

ସମ୍ବନ୍ଧିତ ଖବର