ଲିଵିସ୍ କ୍ୟାରଲ୍ଙ୍କ ଆମୋଦଦାୟକ ଉଦ୍ଭଟ ଘଟଣା ପରିପୂର୍ଣ୍ଣ ବିଶ୍ବବିଶ୍ରୁତ ପିଲାଙ୍କ କାହାଣୀ ‘ଆଲିସେସ୍ ଆଡ୍ଭେଞ୍ଚର୍ସ ଇନ୍ ଓଣ୍ତର୍ଲ୍ୟାଣ୍ତ୍’ (ସ˚କ୍ଷିପ୍ତରେ ଆଲିସ୍ ଇନ୍ ଓଣ୍ତରଲ୍ୟାଣ୍ତ୍ ରୂପେ ପରିଚିତ)ରେ ଡୋଡୋ ପକ୍ଷୀ (ଯାହା ଏକ ବିଲୁପ୍ତ ପ୍ରଜାତି!) ଦ୍ବାରା ପକ୍ଷୀମାନଙ୍କର ଏକ ଦୌଡ଼ ପ୍ରତିଯୋଗିତା ଆୟୋଜିତ ହୋଇଛି। ରାଜନୀତିର ଗନ୍ଧ ବହନ କରୁଥିବା ‘କକସ୍ ରେସ୍’ ନାମରେ ନାମିତ ଏହି ଦୌଡ଼ ପାଇଁ ପ୍ରସ୍ତୁତ ହୋଇଥିବା ଗୋଲାକାର ରେସ୍କୋର୍ସରେ କୌଣସି ଆରମ୍ଭ ବା ଶେଷ ହେବା ଚିହ୍ନ ନାହିଁ, ପ୍ରତିଯୋଗୀମାନେ ଯେ କୌଣସି ସ୍ଥାନରୁ ଯେ କୌଣସି ସମୟରେ ଦୌଡ଼ିବା ଆରମ୍ଭ କରିପାରିବେ ଏବଂ ଯେତେବେଳେ ଚାହିଁବେ ଦୌଡ଼ିବା ବନ୍ଦ କରି ଦେଇ ପାରିବେ। ସେମାନେ ଏହିଭଳି ବିଶୃଙ୍ଖଳିତ ଭାବରେ ପ୍ରାୟ ଅଧଘଣ୍ଟା ଦୌଡ଼ିବା ପରେ ଡୋଡୋ ହଠାତ୍ ପ୍ରତିଯୋଗିତାର ସମାପ୍ତି ଘୋଷଣା କରିଦେଇଛି। ତା’ପରେ ଯେତେବେଳେ ପ୍ରତିଯୋଗୀମାନେ ଧଇଁସଇଁ ଅବସ୍ଥାରେ ଡୋଡୋକୁ ବେଢ଼ି ଯାଇ କିଏ ବିଜୟୀ ହୋଇଛି ବୋଲି ପଚାରନ୍ତି, ଡୋଡୋ ସେ ପ୍ରଶ୍ନର ହଠାତ୍ କୌଣସି ଉତ୍ତର ନଦେଇ ପାରି ଅନେକ ସମୟ ଧରି କପାଳରେ ଆଙ୍ଗୁଳି ଦେଇ ବସିରହେ। ପ୍ରତିଯୋଗୀମାନେ ନିରବରେ ଉତ୍ତର ପାଇଁ ଅପେକ୍ଷା କରିଥାନ୍ତି। ଶେଷରେ ଡୋଡୋ କହିବା ଦେଖାଯାଏ: ‘‘ପ୍ରତ୍ୟେକ ପ୍ରତିଯୋଗୀ ବିଜୟୀ ହୋଇଛନ୍ତି ଏବ˚ ସମସ୍ତେ ନିଶ୍ଚିତ ଭାବରେ ପ୍ରାଇଜ୍ ପାଇବେ।’’
Sambad is now on WhatsApp
Join and get latest news updates delivered to you via WhatsApp
ବର୍ତ୍ତମାନ ପଶ୍ଚିମବଙ୍ଗରେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଓ ସିବିଆଇ ଅର୍ଥାତ୍ ପରୋକ୍ଷରେ ଭାରତ ସରକାରଙ୍କ ମଧୢରେ ଦେଖା ଦେଇଥିବା କକସ୍ ରେସ୍ ଯେ ଆଲିସ୍ ଇନ୍ ଓଣ୍ତର୍ଲ୍ୟାଣ୍ତ୍ର ‘କକସ୍ ରେସ୍’ ଠାରୁ କୌଣସି ଗୁଣରେ କମ୍ ନୁହେଁ, ଏଥିରେ କୌଣସି ସନ୍ଦେହ ନାହିଁ- ଏ ପ୍ରତିଯୋଗିତାର କୌଣସି ନିୟମ ଶୃଙ୍ଖଳା ନାହିଁ, କେନ୍ଦ୍ରୀୟ ତଦନ୍ତ ସ˚ସ୍ଥାର ଅଧିକାରୀ ମାନଙ୍କୁ ରାଜ୍ୟ ପୁଲିସ୍ ଅଟକାଇ ଦେଉଛି, ରାଜ୍ୟ ରାଜଧାନୀର ପୁଲିସ୍ କମିସନର୍ କେନ୍ଦ୍ରୀୟ ସ˚ସ୍ଥା ସହିତ ଲୁଚକାଳି ଖେଳି ଚାଲିଛନ୍ତି, ମୁଖ୍ୟମନ୍ତ୍ରୀ ଲୁଚି ବୁଲୁଥିବା ପୁଲିସ୍ କମିସନର୍ଙ୍କ ସମର୍ଥନରେ ରାସ୍ତାକଡ଼ରେ ଧାରଣାରେ ବସି ସେଠାରୁ ଶାସନ କାର୍ଯ୍ୟ କରୁଛନ୍ତି, ପୁଲିସ୍ ଓ ଅନ୍ୟ କର୍ମଚାରୀମାନେ ତାଙ୍କ ସହିତ ଧାରଣାରେ ବସି ପଡୁଛନ୍ତି, ଅନ୍ୟ ବିରୋଧୀ ଦଳ ନେତାମାନେ ଆପଣାଛାଏଁ ପ୍ରତିଯୋଗିତାରେ ସାମିଲ ହୋଇ ଯାଉଛନ୍ତି….।
ଶେଷରେ ମାମଲା ସୁପ୍ରିମ୍କୋର୍ଟରେ ପହଞ୍ଚିବା ପରେ କିଏ ବିଜୟୀ ହୋଇଛି ତାହା ଘୋଷଣା କରିବା ଦାୟିତ୍ବ ପଡ଼ିଛି କୋର୍ଟଙ୍କ ମୁଣ୍ତରେ। କୋର୍ଟ ତତ୍କ୍ଷଣାତ୍ ଶୁଣାଣି ନକରି ଦୁଇ ଦିନ ଧରି ଚିନ୍ତା କରିବା ପରେ ଯେଉଁ ରାୟ ଦେଇଛନ୍ତି, ସେଥିରେ ବସ୍ତୁତଃ ପ୍ରତ୍ୟେକ ପ୍ରତିଦ୍ବନ୍ଦ୍ବୀ ବିଜୟୀ ଘୋଷିତ ହୋଇଛନ୍ତି, ଯେମିତି ‘କକସ୍ ରେସ୍’ ରେ ଘଟିଥିଲା। ଏହାର ପ୍ରକୃଷ୍ଟ ପ୍ରମାଣ ହେଲା ରାୟ ପ୍ରକାଶ ପାଇବା ପରେ ନିଜ ପକ୍ଷର ବିଜୟ ଘଟିଛି ବୋଲି ଘୋଷଣା କରି ମମତା ବାନାର୍ଜୀ ତାଙ୍କର ଦଳବଳ ସହ ଧାରଣା ସାଙ୍ଗ କରିଛନ୍ତି। ତେଣେ କେନ୍ଦ୍ର ସରକାରଙ୍କ ମୁଖପାତ୍ରମାନେ ଦାବି କରିବାରେ ଲାଗିଛନ୍ତି ଯେ ସୁପ୍ରିମ୍ କୋର୍ଟ ତାଙ୍କ ରାୟରେ କେନ୍ଦ୍ର ସରକାର ତଥା ସିବିଆଇର ଆଭିମୁଖ୍ୟକୁ ଯଥାର୍ଥ ସାବ୍ୟସ୍ତ କରିଛନ୍ତି, ଯାହା ହେଉଛି ସେମାନଙ୍କର ବିଜୟ। ଆଉ ପର୍ଯ୍ୟବେକ୍ଷକମାନଙ୍କ ମଧୢରୁ କେତେକ ଏହାକୁ ସୁପ୍ରିମ୍ କୋର୍ଟଙ୍କର ବିଜ୍ଞତାର ପରିଚୟ ବୋଲି ପ୍ରଶ˚ସା କରୁଛନ୍ତି, ଯାହାକୁ କୋର୍ଟଙ୍କର ବିଜୟ ବୋଲି ମଧୢ ବିଚାର କରାଯାଇ ପାରେ। ଅର୍ଥାତ୍ କଲିକତାଠାରେ ଅନୁଷ୍ଠିତ ‘କକସ୍ ରେସ୍’ରେ କେବଳ ସମସ୍ତ ପ୍ରତିଯୋଗୀ ନୁହଁନ୍ତି, ସମସ୍ତ ଷ୍ଟେକ୍ହୋଲ୍ଡରମାନେ ବିଜୟ ଲାଭ କରିଛନ୍ତି।
କିନ୍ତୁ ଏହି ସର୍ବଜନୀନ ବିଜୟ ଭଳି ମନେ ହେଉଥିବା ଏକ ବିରଳ ‘ଵିନ୍-ଵିନ୍’ ପରିସ୍ଥିତିରେ ତଥାପି ଯଦି ଜଣେ ପରାଜିତ କିଏ ରହିଯାଇଥାଏ, ତେବେ ତାହା ହେବ ବୋଧହୁଏ ଭାରତ ନାମକ ଏକ ଦେଶରେ ସମ୍ବିଧାନର ଶାସନ। ନିର୍ଦ୍ଦିଷ୍ଟ ଭାବରେ କହିଲେ ଏହା ହେଉଛି ସମ୍ବିଧାନର ଧାରା-୨୫୬। ଏହି ଧାରାର ପ୍ରଥମ ଭାଗରେ କୁହାଯାଇଛି ରାଜ୍ୟମାନେ ସେମାନଙ୍କର ପ୍ରଶାସନିକ କ୍ଷମତା (ଇଗ୍ଜେକ୍ୟୁଟିଭ୍ ପାଵାର୍)କୁ ଏପରି ବ୍ୟବହାର କରିବେ ଯେପରି ତାହା ପାର୍ଲିଆମେଣ୍ଟ ଦ୍ବାରା ପ୍ରଣୀତ ଆଇନ୍ମାନ ଏବ˚ ରାଜ୍ୟମାନଙ୍କ ପ୍ରତି ପ୍ରଯୁଜ୍ୟ ଆଇନ୍ମାନଙ୍କର ପାଳନ କରିବ। ଏହି ଧାରାର ଦ୍ବିତୀୟ ଭାଗରେ କୁହାଯାଇଛି କେନ୍ଦ୍ର ସରକାର ଆବଶ୍ୟକ ସ୍ଥଳେ ଏହା କରିବାକୁ ରାଜ୍ୟମାନଙ୍କୁ ନିର୍ଦ୍ଦେଶ ଦେବା ହେଉଛି କେନ୍ଦ୍ର ସରକାରଙ୍କର ପ୍ରଶାସନିକ କ୍ଷମତାର ଅନ୍ତର୍ଭୁକ୍ତ। ଏଥିରୁ ସ୍ପଷ୍ଟ ଯେ ଯଦି ରାଜ୍ୟ ସରକାରମାନେ ଆପଣା ଛାଏଁ ଏହି ଧାରାର ପ୍ରଥମ ଭାଗଟି ଅନୁପାଳନ କରନ୍ତି, ତେବେ ଦ୍ବିତୀୟ ଭାଗଟି ଅନାବଶ୍ୟକ ହୋଇଯିବ। ଯଦି ଦ୍ବିତୀୟ ଭାଗଟି କେତେବେଳେ ସକ୍ରିୟ ହେବା ଦେଖାଯାଏ, ତେବେ ବୁଝାଯିବ ଯେ ରାଜ୍ୟମାନେ ପ୍ରଥମ ଭାଗଟି ପାଳନ କରିନାହାନ୍ତି, ଅର୍ଥାତ୍ ସମ୍ବିଧାନର ଅନୁପାଳନ କରିନାହାନ୍ତି।
ଏଥିରୁ ଜଣାପଡେ଼ ସମ୍ବିଧାନ ଏପରି ଏକ ସମ୍ଭାବ୍ୟ ପରିସ୍ଥିତି ପ୍ରତି ସଚେତନ ଯେ ସମୟ ସମୟରେ ଅବହେଳା ଯୋଗୁଁ ହେଉ କିମ୍ବା ସୁଚିନ୍ତିତ ଅବଜ୍ଞାଭାବ ଯୋଗୁଁ ହେଉ ରାଜ୍ୟମାନେ ପାର୍ଲିଆମେଣ୍ଟ ଦ୍ବାରା ପ୍ରଣୀତ ଆଇନ ପାଳନ କରି ନ ପାରନ୍ତି। ସେତେବେଳେ କେନ୍ଦ୍ର ଏହି ସାମ୍ବିଧାନିକ ଧାରା ଉପଯୋଗ କରି ରାଜ୍ୟମାନଙ୍କୁ ଏପରି ଉଦ୍ୟମରୁ ନିବୃତ୍ତ ରହିବା ପାଇଁ ନିର୍ଦ୍ଦେଶ ଦେଇ ପାରେ ଏବ˚ ତଥାପି ଯଦି ରାଜ୍ୟମାନେ ଅବାଧୢ ହୁଅନ୍ତି, ତେବେ ସେମାନଙ୍କୁ ପରିଣାମ ଭୋଗ କରିବାକୁ ହେବ ବୋଲି ସତର୍କ କରି ଦେଇ ପାରେ। ଯଦିବା ପରିଣାମ ସମ୍ବନ୍ଧରେ ଧାରା-୨୫୬ ନିରବ ରହିଥାଏ, ଏକ ଚରମ ପରିଣତି ପାଇଁ ବ୍ୟବସ୍ଥା କରାଯାଇଛି ଧାରା-୩୫୬ରେ, ଯାହା ସ˚କ୍ଷେପରେ ହେଉଛି ସମ୍ପୃକ୍ତ ରାଜ୍ୟରେ ଆଇନର ଶାସନ ଭୁଶୁଡ଼ି ପଡ଼ିଥିବା ଯୋଗୁଁ ସେଠାରେ ରାଷ୍ଟ୍ରପତି ଶାସନ ଜାରି। ଏଥିରେ କୌଣସି ସାଧାରଣ ପର୍ଯ୍ୟବେକ୍ଷକଙ୍କର ମଧୢ ସନ୍ଦେହ ରହେନାହିଁ ଯେ ପଶ୍ଚିମବଙ୍ଗ ସରକାର ସମ୍ବିଧାନର ଧାରା-୨୫୬ର ଖୋଲା ଉଲ୍ଲ˚ଘନ କରିଛନ୍ତି। ଦେଶର ସର୍ବୋଚ୍ଚ ଅଦାଲତଙ୍କ ମୁଖ୍ୟ ଦାୟିତ୍ବ ହେଉଛି ସମ୍ବିଧାନର ରକ୍ଷା କରିବା। ତେଣୁ ମାମଲାର ଅନ୍ତିମ ରାୟ ପ୍ରଦାନ ସମୟରେ ତାହା ବର୍ତ୍ତମାନର ଡୋଡୋ ସୁଲଭ ସର୍ବସନ୍ତୋଷ ବିଧାନ ନିମିତ୍ତ ଉଦ୍ଦିଷ୍ଟ ନହୋଇ ସେଥିରେ ଯେପରି ସମ୍ବିଧାନ ସୁରକ୍ଷାକୁ ପ୍ରାଥମିକତା ଦିଆଯାଏ, ଚିନ୍ତିତ ଦେଶବାସୀ ତାହା ଆଶା କରୁଛନ୍ତି।