ବାସ୍ତବତା ପ୍ରତି ଆଖି ବୁଜି ଦେଲେ ବାସ୍ତବତା ବଦଳି ଯାଏ ନାହିଁ। ସମସ୍ୟା ପ୍ରତି ମୁହଁ ମୋଡ଼ି ଦେଲେ ସମସ୍ୟା ଚାଲିଯାଏ ନାହିଁ। ନିଯୁକ୍ତି ମରୁଡ଼ି ନେଇ ଦେଶରେ ସୃଷ୍ଟି ହୋଇଥିବା ସ˚କଟ ପ୍ରସଙ୍ଗରେ କେନ୍ଦ୍ରରେ କ୍ଷମତାସୀନ ସରକାରଙ୍କ ଆଭିମୁଖ୍ୟ ଏ ପ୍ରକାର ମନେ ହେଉଛି। ପାଞ୍ଚବର୍ଷ ପରେ ପ୍ରଥମ ଥର ପାଇଁ ଦେଶରେ ନିଯୁକ୍ତି ସୁଯୋଗ ସୃଷ୍ଟି ଓ ବେକାରି ନେଇ ଜାତୀୟ ନମୁନା ସର୍ବେକ୍ଷଣ ସ˚ସ୍ଥା (ଏନ୍ଏସ୍ଏସ୍ଓ) ଦ୍ବାରା ପ୍ରସ୍ତୁତ ୨୦୧୭-୧୮ ବର୍ଷର ସର୍ଭେ ରିପୋର୍ଟକୁ ‘ଅସ˚ପୂର୍ଣ୍ଣ’ କହି ସରକାର ଚାପି ଦେଇଛନ୍ତି। ତେବେ ରିପୋର୍ଟକୁ ଚାପି ଦେଲେ ସୁଦ୍ଧା ସେଥିରେ ପ୍ରତିଫଳିତ ନିଷ୍ଠୁର ବାସ୍ତବତା ବଦଳି ଯିବ ନାହିଁ କି ୪୫ ବର୍ଷରେ ସବୁଠାରୁ ଉତ୍କଟ ହୋଇଥିବା ବେକାରି ସମସ୍ୟାର ଲାଘବ ହେବନାହିଁ।
Sambad is now on WhatsApp
Join and get latest news updates delivered to you via WhatsApp
ଏନ୍ଏସ୍ଓ ରିପୋର୍ଟ ଅନୁଯାୟୀ ବେକାରି ହାର ୨୦୧୧-୧୨ରେ ୨.୨%ରୁ ବଢ଼ି ୨୦୧୭-୧୮ରେ ୬.୧%ରେ ପହଞ୍ଚିଛି। ବିଶେଷକରି, ୧୫ରୁ ୧୯ ବର୍ଷ ବୟସ ଗୋଷ୍ଠୀଙ୍କ ମଧୢରେ ବେକାରି ପାଞ୍ଚବର୍ଷରେ ୩ ଗୁଣରୁ ଅଧିକ ବୃଦ୍ଧି ପାଇ ପାଇ ୫%ରୁ ୧୭.୪%କୁ ବୃଦ୍ଧି ପାଇଛି। ସହରାଞ୍ଚଳରେ ଏହି ବୟସ ଗୋଷ୍ଠୀର ଯୁବକଙ୍କ ମଧୢରେ ବେକାରି ୧୮.୭% ଓ ଯୁବତୀଙ୍କ ମଧୢରେ ୨୭.୨%। ବିଶ୍ବରେ ସବୁଠୁ ଅଧିକ ଯୁବକଙ୍କ ଦେଶ କୁହାଯାଉଥିବା ‘ତରୁଣ ଭାରତ’ପାଇଁ ଏହା ଏକ ବିଡ଼ମ୍ବନା। ବାର୍ଷିକ କୋଟିଏ ନୂଆ ନିଯୁକ୍ତି ସୁଯୋଗ ସୃଷ୍ଟିର ପ୍ରତିଶ୍ରୁତି ଦେଇ କ୍ଷମତାକୁ ଆସିଥିବା ସରକାରଙ୍କ ପାଇଁ ଏହା ଅଡ଼ୁଆ ହୋଇପାରେ। କିନ୍ତୁ ଏହା ହିଁ ନିଷ୍ଠୁର ବାସ୍ତବତା। ଏକବି˚ଶ ଶତାବ୍ଦୀର ଆରମ୍ଭରୁ ଦେଶରେ ପ୍ରାଥମିକ ଶିକ୍ଷାଠାରୁ ଆରମ୍ଭ କରି ଉଚ୍ଚଶିକ୍ଷା, ବୈଷୟିକ ଶିକ୍ଷା ପର୍ଯ୍ୟନ୍ତ ସବୁ ସ୍ତରରେ ଶିକ୍ଷାର ପ୍ରସାର ହୋଇଛି। ଫଳରେ ପୂର୍ବାପେକ୍ଷା ଅଧିକ ଶିଶୁ ପ୍ରାଥମିକ ଶିକ୍ଷା ବ୍ୟବସ୍ଥା ମଧୢକୁ ଆସୁଛନ୍ତି। ଉଚ୍ଚଶିକ୍ଷା ଓ ବୈଷୟିକ ଶିକ୍ଷାରେ ଅଧିକ ଯୁବକ ଓ ଯୁବତୀ ପ୍ରବେଶ କରିଛନ୍ତି। କିନ୍ତୁ ଶିକ୍ଷା ଓ ତାଲିମ ପରେ କୃଷି କ୍ଷେତ୍ର ବାହାରେ ନିଯୁକ୍ତି ଖୋଜୁଥିବା ଏହି ବିଶାଳ ଯୁବବର୍ଗଙ୍କ ପାଇଁ ସୁଯୋଗ ନାହିଁ। ଚାହିଦାକୁ ଚାହିଁ ସୃଷ୍ଟି ହେଉଥିବା ନୂଆ ନିଯୁକ୍ତି ସୁଯୋଗ ସମୁଦ୍ରକୁ ଶଙ୍ଖେ। ଏହା ହିଁ ଉତ୍କଟ ନିଯୁକ୍ତି ମରୁଡ଼ିର କାରଣ। ଏନ୍ଏସ୍ଏସ୍ଓ ରିପୋର୍ଟରେ ବେକାରିର ଯେଉଁ ଉଦ୍ବେଗଜନକ ଚିତ୍ର ଅଙ୍କାଯାଇଛି ତାହା ଯେ ବାସ୍ତବତାର ନିଚ୍ଛକ ପ୍ରତିଛବି, ଏହାର ଅନେକ ଦୁଃଖଦ ଉଦାହରଣ ଗତ ଦୁଇ ବର୍ଷରେ ଦେଖିବାକୁ ମିଳିଛି। ଗତବର୍ଷ ଅଗଷ୍ଟରେ ଉତ୍ତର ପ୍ରଦେଶରେ ଅଳ୍ପ କେତୋଟି ପିଅନ ପଦ ପାଇଁ ୯୦ ହଜାରରୁ ଅଧିକ ପ୍ରାର୍ଥୀ ଆବେଦନ କରିଥିଲେ। ଆବେଦନକାରୀଙ୍କ ମଧୢରେ ଥିଲେ ପ୍ରାୟ ଅଶୀ ହଜାର ଗ୍ରାଜୁଏଟ୍ ଓ ୩,୭୦୦ ପିଏଚ୍ଡି ଡିଗ୍ରିଧାରୀ। ପାଞ୍ଚମାସ ତଳେ ଶିରୋନାମାକୁ ଆସିଥିବା ଏହି ଘଟଣା ଗୋଟିଏ ବ୍ୟତିକ୍ରମ ନଥିଲା। କେଉଁଠି ଝାଡୁଦାର ପାଇଁ ହଜାର ହଜାର ଆବେଦନକାରୀଙ୍କ ମଧୢରେ ଇଞ୍ଜିନିୟରି˚, ମ୍ୟାନେଜ୍ମେଣ୍ଟ ସ୍ନାତକଙ୍କ ଭିଡ଼ ତ ଆଉ କେଉଁଠି ଚପରାସି, ରାତ୍ରି ଜଗୁଆଳ ନିଯୁକ୍ତି ପାଇଁ ଉଚ୍ଚଶିକ୍ଷିତଙ୍କ ଲମ୍ବା ଧାଡ଼ି ଭଳି ଖବର ନିୟମିତ ବ୍ୟବଧାନରେ ଗଣମାଧୢମରେ ଶିରୋନାମାକୁ ଆସିଛି; ଯାହା ଏବେ ଏନ୍ଏସ୍ଏସ୍ଓ ରିପୋର୍ଟରେ ପ୍ରତିଫଳିତ ହୋଇଛି ମାତ୍ର।
ଏନ୍ଏସ୍ଏସ୍ଓ ରିପୋର୍ଟ ସାମ୍ନାକୁ ଆଣିିଥିବା ଉତ୍କଟ ବେକାରିର ଚିତ୍ର ଉଦ୍ବେଗଜନକ ହେଲେ ସୁଦ୍ଧା ଆଦୌ ଅପ୍ରତ୍ୟାଶିତ ନୁହେଁ। ୨୦୧୧-୧୨ ପରେ ସରକାରୀ ଓ ବେସରକାରୀ ସ୍ତରରେ ନିଯୁକ୍ତି ଓ ବେକାରି ପ୍ରସଙ୍ଗରେ କରାଯାଇଥିବା ପ୍ରତ୍ୟେକଟି ସର୍ଭେରେ ବେକାରି ସ˚ଖ୍ୟା ବୃଦ୍ଧି ପାଇ ଚାଲିଥିବାର ସ୍ପଷ୍ଟ ସ˚କେତ ମିଳି ଆସୁଥିଲା। ସେହି ଅସ୍ବସ୍ତିକର ଧାରା ଜାରି ରହିଥିବାର ଅଶୁଭ ସ˚କେତ ଦେଉଛି ଏନ୍ଏସ୍ଏସ୍ଓ- ୨୦୧୭-୧୮ ରିପୋର୍ଟ। ଦେଶର ସବୁଠାରୁ ବିଶ୍ବସନୀୟ ସର୍ଭେ ସ˚ସ୍ଥା ଏନ୍ଏସ୍ଏସ୍ଓର ରିପୋର୍ଟକୁ ସରକାର ବିଶ୍ବାସ କରୁନାହାନ୍ତିି। ଅଥଚ, ସରକାରଙ୍କ ଶ୍ରମ ମନ୍ତ୍ରଣାଳୟର ୨୦୧୫-୧୬ ନିଯୁକ୍ତି ସ˚କ୍ରାନ୍ତ ସର୍ଭେରେ ବେକାରି ବଢ଼ି ଚାଲିଥିବାର ଧାରା ସ୍ପଷ୍ଟ ଜଣା ପଡ଼ି ଯାଇଥିଲା। ଶ୍ରମ ମନ୍ତ୍ରଣାଳୟର ଆକଳନ ଅନୁଯାୟୀ ୨୦୧୧ରୁ ୨୦୧୪ ପର୍ଯ୍ୟନ୍ତ ବାର୍ଷିକ ୩ରୁ ୪ ଲକ୍ଷ ନୂଆ ନିଯୁକ୍ତି ସୃଷ୍ଟି ହେଉଥିଲା। ପରବର୍ତ୍ତୀ ୨୦୧୫ରେ ୧,୫୫୦୦୦ ଏବ˚ ୨୦୧୬ରେ ୨,୩୧୦୦୦କୁ ଏହା କମି ଆସିଥିଲା। ଅନ୍ୟପକ୍ଷରେ ବାର୍ଷିକ ନୂଆ ନିଯୁକ୍ତି ଆଶାୟୀଙ୍କ ସ˚ଖ୍ୟା ପ୍ରାୟ କୋଟିଏ। ଏଥିରେ ବେକାରି ବୃଦ୍ଧି ପାଇବା ଆଦୌ ଅସ୍ବାଭାବିକ ନୁହେଁ। ମେକ୍ ଇନ୍ ଇଣ୍ତିଆ, ଷ୍ଟାଟ୍-ଅପ୍ ଇଣ୍ତିଆ ଭଳି ଆରମ୍ଭ କରାଯାଇଥିବା ଅନେକ ଯୋଜନା କାନକୁ ଭଲ ଶୁଣାଯାଉଥିଲେ ମଧୢ ପର୍ଯ୍ୟାପ୍ତ ସ˚ଖ୍ୟାରେ ନୂଆ ନିଯୁକ୍ତି ସୁଯୋଗ ସୃଷ୍ଟି କରି ପାରି ନାହିଁ। ଏହାର ପରିଣତି ପ୍ରତ୍ୟେକ ଶିକ୍ଷିତ ବର୍ଗରେ ୨୦୧୧-୧୨ରୁ ୨୦୧୫-୧୬ ମଧୢରେ ବେକାରି ହାର ବୃଦ୍ଧି ପାଇଥିଲା। ଦଶମ ପାସ୍ଙ୍କ ମଧୢରେ ବେକାରି ୨%ରୁ ୪.୪%କୁ, ଦ୍ବାଦଶ ପାସ୍ଙ୍କ ମଧୢରେ ୪.୧%ରୁ ୮.୪% ଗ୍ରାଜୁଏଟ୍ ଓ ପୋଷ୍ଟ ଗ୍ରାଜୁଏଟ୍ଙ୍କ ମଧୢରେ ୫.୩%ରୁ ୮.୫%କୁ ବୃଦ୍ଧିର ଆକଳନ କରାଯାଇଥିଲା। ଏପରିକି ବୈଷୟିକ ତାଲିମ ପ୍ରାପ୍ତ ଓ ଧନ୍ଦାମୂଳକ ଶିକ୍ଷାରେ ଡିଗ୍ରିଧାରୀଙ୍କ ମଧୢରେ ବେକାରି ଯଥାକ୍ରମେ ୬.୯%ରୁ ୧୧% ଓ ୪.୯%ରୁ ୭.୯%କୁ ବୃଦ୍ଧି ପାଇଥିଲା। ଏହାର ଅର୍ଥ ମାଧୢମିକ, ଉଚ୍ଚଶିକ୍ଷା ଓ ବୈଷୟିକ ଶିକ୍ଷାର ପ୍ରସାର ଯୋଗୁ ଯେତିକି ସ˚ଖ୍ୟକ ଶିକ୍ଷିତ ଓ ତାଲିମପ୍ରାପ୍ତ ଯୁବକ ବାହାରି ଶିଳ୍ପ ଓ ସେବା କ୍ଷେତ୍ରରେ ନିଯୁକ୍ତି ତଲାସ କଲେ, ସେହି ଅନୁପାତରେ ଶିଳ୍ପ ଓ ସେବା କ୍ଷେତ୍ରରେ ନୂତନ ନିଯୁକ୍ତି ସୃଷ୍ଟି ହେଲା ନାହିଁ। କୃଷି କ୍ଷେତ୍ରରେ ନିୟୋଜିତ ଲୋକଙ୍କ ସ˚ଖ୍ୟା ସାମୟିକ ଭାବେ ହ୍ରାସ ପରେ ପୁଣି ବୃଦ୍ଧି ମଧୢ ଏହାର ଆଉ ଏକ ପ୍ରମାଣ। ୨୦୦୪-୦୫ରୁ ୨୦୧୧-୧୨ ମଧୢରେ କୃଷିରେ ନିୟୋଜିତ ଲୋକଙ୍କ ସ˚ଖ୍ୟା ୮୬.୮ ନିୟୁତରୁ ୬୦.୯ ନିୟୁତକୁ ହ୍ରାସ ପାଇଥିଲା; ଯାହା ଭାରତୀୟ ଅର୍ଥନୀତି ପାଇଁ ଏକ ଶୁଭ ସୂଚନା ଥିଲା। କିନ୍ତୁ ୨୦୧୨ ପରେ ଏହି ଧାରା ଓଲଟି କୃଷିରେ ନିୟୋଜିତ ଶ୍ରମିକଙ୍କ ସ˚ଖ୍ୟା ୨୦୧୬ ସୁଦ୍ଧା ପୁଣି ୮୪.୮ ନିଯୁତକୁ ବୃଦ୍ଧି ପାଇଥିଲା। ୨୦୧୧-୧୨ରୁ ୨୦୧୫-୧୬ ମଧୢରେ ଶିଳ୍ପ କ୍ଷେତ୍ରରେ ସ˚କୋଚନ ଫଳରେ ଚାରିବର୍ଷରେ ଶ୍ରମଶକ୍ତି କୋଟିଏରୁ ଅଧିକ ହ୍ରାସ ପାଇଥିଲା। ୨୦୧୭-୧୮ର ଏନ୍ଏସ୍ଏସ୍ଓ ରିପୋର୍ଟରେ ବେକାରି ୬.୧%ରେ ପହଞ୍ଚିବା ଏହାର ସ୍ପଷ୍ଟ ସ˚କେତ ଯେ, ୨୦୧୧-୧୨ ପରେ ନିଯୁକ୍ତି ସ˚କୋଚନର ଧାରା କେବଳ ଜାରି ରହିନାହିଁ, ବର˚ ତାହା ଅଧିକ ତ୍ବରାନ୍ବିତ ହୋଇଛି। ସିଏମ୍ଆଇଇ (ସେଣ୍ଟର ଫର ମନିଟରି˚ ଇଣ୍ତିଆନ୍ ଇକୋନମି)ର ରିପୋର୍ଟରେ ମଧୢ ଏହା ପ୍ରତିଫଳିତ ହୋଇଛି। ସିଏମ୍ଆଇଇର ଆକଳନ ଅନୁଯାୟୀ ୨୦୧୮ ଶେଷ ସୁଦ୍ଧା ଦେଶରେ ବେକାରି ୭.୪% କୁ ବୃଦ୍ଧି ପାଇଛି ଏବ˚ ୨୦୧୮ ଡିସେମ୍ବର ପୂର୍ବବର୍ତ୍ତୀ ୧୨ ମାସରେ ପ୍ରାୟ ୧ କୋଟି ୧୦ ଲକ୍ଷ ନିଯୁକ୍ତି ଉଭାନ୍ ହୋଇଯାଇଛି।
ଘର ବୁଡ଼ି ଆଣ୍ଠୁଏ ପାଣି, ଅଥଚ କଣା ମେଘ ଦୁଲୁକୁଛି ବୋଲି କହିବା ଭଳି ସରକାର ଇପିଏଫ୍ଓର ନିଯୁକ୍ତି ସ˚ଖ୍ୟା ଓ ‘ମୁଦ୍ରା’ ଯୋଜନାରେ ଦିଆଯାଇଥିବା ଋଣ ପରିମାଣକୁ ଦେଖାଇ ଏନ୍ଏସ୍ଏସ୍ଓରେ ଦର୍ଶାଯାଇଥିବା ବେକାରି ହାରକୁ ସ୍ବୀକାର କରିବା ଲାଗି ନାରାଜ। ରାଜନୈତିକ ପ୍ରତିଦ୍ବନ୍ଦ୍ବୀଙ୍କ ଆକ୍ରମଣର ମୁକାବିଲା ଲାଗି ଏହା ଏକ କୌଶଳ ହୋଇପାରେ। କିନ୍ତୁ କଦାପି ଏକ ଦୃଢ ନେତୃତ୍ବର ପରିଚାୟକ ନୁହେଁ। ବାସ୍ତବତାକୁ ସ୍ବୀକାର ନ କଲେ,ସମସ୍ୟାରୁ ମୁକୁଳିବାର ବାଟ ବାହାରିବ କିପରି? ବର˚ ସମସ୍ୟା ଅଧିକ ଗମ୍ଭୀର ହୋଇ ପଡ଼ିବ। ଏକ ଆକଳନ ଅନୁଯାୟୀ ଆଗାମୀ ୧୫ ବର୍ଷ ପାଇଁ ଦେଶରେ ବାର୍ଷିକ ଅନ୍ୟୂନ ୧ କୋଟି ୬୦ ଲକ୍ଷ ନୂଆ ନିଯୁକ୍ତି ସୃଷ୍ଟି ହେବା ଆବଶ୍ୟକ। ଏହା ଏକ କଡ଼ା ଆହ୍ବାନ। କିନ୍ତୁ ବାସ୍ତବତାକୁ ଅଣଦେଖା କରି ଏ କଡ଼ା ଆହ୍ବାନର ସଫଳ ମୁକାବିଲା ସମ୍ଭବ ନୁହେଁ।
ତେଣୁ କେବଳ ଶାସକ ଦଳ ନୁହେଁ, ଊଣେଇଶ ଜନାଦେଶ ପାଇ କ୍ଷମତା ଆଶାୟୀ ଅନ୍ୟ ପ୍ରତିଦ୍ବନ୍ଦ୍ବୀ ରାଜନୈତିକ ଦଳମାନେ ନିଯୁକ୍ତି ମରୁଡ଼ି ଯୋଗୁ ଦେଖା ଦେଇଥିବା ସଙ୍କଟର ମୁକାବିଲା ସକାଶେ ନୀଳ ନକ୍ସା ସହ ଜନତାଙ୍କ ପାଖକୁ ଯିବାକୁ ପଡ଼ିବ। ଏହା ଏକ ଗୁରୁତର ସମସ୍ୟା। ଏହାର ସମାଧାନ ଲାଗି ଆଜି ହିଁ ବାଟ ଖୋଜିବାକୁ ପଡ଼ିବ। ଆସନ୍ତା କାଲି ବି ଏଥି ଲାଗି ବହୁତ ବିଳମ୍ବ ହୋଇଯିବ।