ଉପଲବ୍‌ଧି, ପ୍ରାଥମିକତାର ଇସ୍ତାହାର

0 114

ଫେବ୍ରୁଆରି ପହିଲା ଦିନ କେନ୍ଦ୍ରର କାମଚଳା ଅର୍ଥମନ୍ତ୍ରୀ ପିୟୁଷ ଗୋଏଲ ଲୋକସଭାରେ ‘କାମଚଳା’ ବଜେଟ ନାମରେ ବସ୍ତୁତଃ ୨୦୧୯-୨୦ ବର୍ଷ ପାଇଁ ଏକ ପୂର୍ଣ୍ଣାଙ୍ଗ ବଜେଟ ଉପସ୍ଥାପନ କଲେ। ନିର୍ବାଚନକୁ ଆଖି ଆଗରେ ରଖି ‘ଜୋସ୍‌’ରେ ଭର୍ତ୍ତି ବଜେଟରେ ପିଛିଲା ତାରିଖରୁ ନୂଆ ଯୋଜନାର ପ୍ରବର୍ତ୍ତନ ହେଲା। ଏପରିକି, ଟିକସ ଦାତା ମାନଙ୍କ ପାଇଁ ଆଗୁଆ ରିହାତି ମଧୢ ଘୋଷଣା ହେଲା। ପାଞ୍ଚବର୍ଷ ପାଇଁ ଜନାଦେଶ ପାଇ କ୍ଷମତାକୁ ଆସିଥିବା ଗୋଟିଏ ନିର୍ବାଚିତ ସରକାରଙ୍କ ପକ୍ଷରେ ମିଆଦ ଶେଷ ହେବାର ଦୁଇ ମାସ ପୂର୍ବରୁ ‘ଅନ୍ତରୀଣ’ ବଜେଟର ଛଦ୍ମ ଆବରଣ ତଳେ ପୂୂର୍ଣ୍ଣାଙ୍ଗ ବଜେଟର ଉପସ୍ଥାନ ସ˚ସଦୀୟ ଗଣତନ୍ତ୍ରର ପରମ୍ପରା ଓ ଭାବନାର ଆଦୌ ଅନୁକୂଳ ନଥିଲା।

ଏହି ପୃଷ୍ଠଭୂମିରେ ଗୁରୁବାର ଦିନ ରାଜ୍ୟ ସରକାର କେନ୍ଦ୍ର ରାସ୍ତାରେ ନ ଯାଇ କେବଳ ଆଗାମୀ ଆର୍ଥିକ ବର୍ଷର ପ୍ରଥମ ଚାରି ମାସ ସକାଶେ ୫୬,୯୨୧ କୋଟି ଟଙ୍କାର ‘ଲେଖାନୁଦାନ’ ବିଧାନସଭାରେ ଆଗତ କରିବା ନିଶ୍ଚୟ ଏକ ଆଶ୍ବାସନା। ଗଣତାନ୍ତ୍ରିକ ପରମ୍ପରାକୁ ସମ୍ମାନ ଜଣାଇ ନିର୍ବାଚନ ନେଇ ତାତି ବଢ଼ି ଚାଲିଥିବା ସତ୍ତ୍ବେ ସରକାର ସ˚ଯମ ଅବଲମ୍ବନ କରି ‘କାମଚଳା’ ବଜେଟରେ କୌଣସି ନୂଆ ଯୋଜନା ଘୋଷଣା କରିନାହାନ୍ତି। ନିର୍ବାଚନ ପରେ ସାନି ଜନାଦେଶ ସହ ନୂଆ ଆଭିମୁଖ୍ୟ, ନୂଆ ପ୍ରାଥମିକତା ସହ ପୂର୍ଣ୍ଣାଙ୍ଗ ବଜେଟ ପ୍ରସ୍ତୁତି ଲାଗି ପରବର୍ତ୍ତୀ ସରକାର ପାଇଁ ଯଥେଷ୍ଟ ସ୍ବାଧୀନତା ଛାଡ଼ି ଦେଇଛନ୍ତି। ଏହା ଗଣତାନ୍ତ୍ରିକ ପରମ୍ପରା ଓ ଭାବନାର ଅନୁକୂଳ। ଗୋଟିଏ ଗଣତନ୍ତ୍ରରେ ବିଧି ବ୍ୟବସ୍ଥା ଯେତିକି ଗୁରୁତ୍ବପୂର୍ଣ୍ଣ, ପରମ୍ପରା ମଧୢ ସେତିକି ଗୁରୁତ୍ବପୂର୍ଣ୍ଣ।

ତେବେ ମାନ୍ୟବର ଅର୍ଥମନ୍ତ୍ରୀ ଶଶୀଭୂଷଣ ବେହେରା ଗଣତାନ୍ତ୍ରିକ ପରମ୍ପରା ଅନୁଯାୟୀ ଚାରିମାସିଆ କାମଚଳା ବଜେଟରେ କୌଣସି ନୂଆ ଯୋଜନା ଘୋଷଣା କରିନଥିଲେ ମଧୢ ଆସନ୍ନ ନିର୍ବାଚନକୁ ଆଖି ଆଗରେ ରଖି ରାଜ୍ୟବାସୀଙ୍କ ଆଗରେ ସରକାରଙ୍କ ଉପଲବ୍‌ଧି ଓ ଆଗାମୀ ଦିନର ପ୍ରାଥମିକତା ନେଇ ଏକ ଇସ୍ତାହାର ଉପସ୍ଥାପନ କରିବାର ଏ ସୁଯୋଗକୁ ହାତଛଡ଼ା କରିନାହାନ୍ତି। ଅନ୍ୟ ଅର୍ଥରେ କହିବାକୁ ଗଲେ, ଚାରିମାସ ପାଇଁ ୫୬,୯୨୧ କୋଟି ଟଙ୍କାର ଲେଖାନୁଦାନ ଉପସ୍ଥାପନ ଅବସରରେ ଗୃହରେ ଅର୍ଥମନ୍ତ୍ରୀଙ୍କ ୨୧ ପୃଷ୍ଠାର ଭାଷଣ ବିଗତ ଦିନରେ ସରକାର ହାସଲ କରିଥିବା ସଫଳତା ଓ ଆଗାମୀ ଦିନରେ ବିକାଶ ଓ କଲ୍ୟାଣ କାର୍ଯ୍ୟକ୍ରମକୁ ଆଗେଇ ନେବା ଲାଗି ପ୍ରାଥମିକତାର ଏକ ସୂଚନା ପତ୍ର।

ମୋଟାମୋଟି ଅର୍ଥମନ୍ତ୍ରୀ ମହୋଦୟ ତାଙ୍କ ଭାଷଣ ମାଧୢମରେ ସରକାରଙ୍କ ଏକ କୃଷକ ବନ୍ଧୁ, ଗରିବ ଦରଦୀ, ମହିଳାଙ୍କ ପ୍ରତି ସମ୍ବେଦନଶୀଳ ଛବି ଆଙ୍କି ଶାସନର ଲୋକାଭିମୁଖୀ, କଲ୍ୟାଣକାରୀ ଓ ବିକାଶମୁହାଁ ଚିତ୍ର ଉପସ୍ଥାପନ ଲାଗି ପ୍ରୟାସ କରିଛନ୍ତି। ସଫଳତା ଗୁଡ଼ିକ ମଧୢରେ ଲଗାତାର ଜାତୀୟ ହାରଠାରୁ ଅଧିକ ହାରରେ ରାଜ୍ୟର ଅର୍ଥନୈତିକ ଅଭିବୃଦ୍ଧି, ଜଳସେଚନର ସ˚ପ୍ରସାରଣ, ସଡ଼କ-ପୋଲ ଆଦି ନୂଆ ଭିତ୍ତିଭୂମିର ନିର୍ମାଣ, ମହିଳା ସଶକ୍ତୀକରଣ, ସ୍ବାସ୍ଥ୍ୟସେବାରେ ଉନ୍ନତି, ଗରିବ ଓ ଅନ୍ୟ ଦୁର୍ବଳବର୍ଗଙ୍କ କଲ୍ୟାଣ, କ୍ରୀଡାର ପ୍ରସାର କ୍ଷେତ୍ରରେ ପ୍ରଗତିର ନୂଆ ମାଇଲଖୁଣ୍ଟ ପ୍ରତି ଦୃଷ୍ଟି ଆକର୍ଷଣ ଲାଗି ଅର୍ଥମନ୍ତ୍ରୀ ଚେଷ୍ଟା କରିଛନ୍ତି। କେବଳ ବଜେଟ ଅଭିଭାଷଣରେ ନୁହେଁ, କାମଚଳା ବଜେଟରେ ବିଭିନ୍ନ ଯୋଜନା ଓ କ୍ଷେତ୍ର ପାଇଁ ବ୍ୟୟବରାଦରେ ମଧୢ ଅର୍ଥମନ୍ତ୍ରୀ ଏହା ସ୍ପଷ୍ଟ କରି ଦେଇଛନ୍ତି ଯେ, ଚାଷର ବିକାଶ, ଚାଷୀର କଲ୍ୟାଣ, ଗ୍ରାମାଞ୍ଚଳର ଉନ୍ନତି, ମହିଳା ସଶକ୍ତୀକରଣ, ଯୁବ କଲ୍ୟାଣ ଆଦି ବର୍ତ୍ତମାନ ସରକାରଙ୍କ ପାଇଁ ଯେମିତି ପ୍ରାଥମିକତାର କ୍ଷେତ୍ର ହୋଇ ରହିଛି, ଆଗାମୀ ଦିନରେ ମଧୢ ଏ ସବୁ କ୍ଷେତ୍ର ସେମିତି ପ୍ରାଥମିକତାର ତାଲିକାର ଉପରେ ରହିବ। କାମଚଳା ବଜେଟରେ ମୋଟ ବ୍ୟୟ ଅଟକଳର ୧୬.୭% କୃଷି କ୍ଷେତ୍ର ପାଇଁ ଦିଆଯାଇଛି। ଚାଷୀଙ୍କ କଲ୍ୟାଣ ପାଇଁ ସାରା ଦେଶରେ ‘ଆଦର୍ଶ ଯୋଜନା’ ଭାବେ ସ୍ବୀକୃତି ପାଇଥିବା କାଳିଆ ଯୋଜନା ପାଇଁ ସର୍ବାଧିକ ୪,୪୬୧ କୋଟି ଟଙ୍କା ସମେତ କୃଷି କ୍ଷେତ୍ର ପାଇଁ ମୋଟ ୧୯,୫୫୭ କୋଟି ଟଙ୍କା ବ୍ୟୟବରାଦ କରାଯାଇଛି। ସାମାଜିକ ସୁରକ୍ଷା ପ୍ରତି ସରକାରଙ୍କ ଗୁରୁତ୍ବ ପ୍ରତିଫଳିତ ହୋଇଛି ମଧୁବାବୁ ପେନ୍‌ସନ୍‌ ଯୋଜନାର ବ୍ୟୟବରାଦରେ। ଏହି ଯୋଜନାରେ ୪୮ ଲକ୍ଷ ହିତାଧିକାରୀଙ୍କ ପାଇଁ ୨,୧୨୦ କୋଟି ଟଙ୍କାର ବ୍ୟବସ୍ଥା କରାଯାଇଛି। ମହିଳା କଲ୍ୟାଣ ଓ ସଶକ୍ତୀକରଣ ସହ ଯୋଡ଼ି ହୋଇଥିବା ମିସନ ଶକ୍ତି ଓ ମମତା ଯୋଜନା ପାଇଁ ଯଥାକ୍ରମେ ୩୦୧ ଓ ୩୦୫ କୋଟି ଟଙ୍କା ଦିଆଯାଇଛି। ଗ୍ରାମାଞ୍ଚଳରେ ଗମନାଗମନ ଓ ପାନୀୟଜଳ ତଥା ଅନ୍ୟ ଭିତ୍ତିଭୂମିର ବିକାଶ ଲାଗି ମଧୢ ବ୍ୟୟବରାଦ ବେଶ୍‌ ଉଲ୍ଲେଖନୀୟ।

ଅର୍ଥମନ୍ତ୍ରୀଙ୍କ ବକ୍ତବ୍ୟ, ବିକାଶ ଓ କଲ୍ୟାଣ କ୍ଷେତ୍ରରେ ରାଜ୍ୟରେ ସ˚ପ୍ରତି ଚାଲୁଥିବା ଅଗ୍ରଗତିିର ଧାରା ସମ୍ପର୍କରେ ସୂଚନା ଦେବା ସହ ଆଗାମୀ ଦିନରେ ଏହି ଧାରା ଆହୁରି ତ୍ବରାନ୍ବିତ ହେବାର ପ୍ରତିଶ୍ରୁତି ଦେଉଛି। କୁହାଯାଇ ପାରେ ପ୍ରତ୍ୟକ୍ଷରେ ନହେଲେ ମଧୢ ପରୋକ୍ଷରେ ଅର୍ଥମନ୍ତ୍ରୀ ତାଙ୍କ ଭାଷଣରେ ବିକାଶ ଓ କଲ୍ୟାଣ କ୍ଷେତ୍ରରେ ପ୍ରଗତିର ଏକ ନୂଆ ନକ୍ସା ଉପସ୍ଥାପନ କରିଛନ୍ତି। ତେବେ ଏ ପ୍ରସଙ୍ଗରେ ଏକ ବିରୋଧାଭାସ ଏଠାରେ ଉଲ୍ଲେଖର ଅବଶ୍ୟ ଅପେକ୍ଷା ରଖୁଛି। ଅର୍ଥମନ୍ତ୍ରୀ ମହୋଦୟ ପୂରା ୨୦୧୯-୨୦ ଆର୍ଥିକ ବର୍ଷରେ ସମ୍ଭାବ୍ୟ ଆୟ-ବ୍ୟୟର ଯେଉଁ ଚିଠା ଅଟକଳ ଉପସ୍ଥାପନ କରିଛନ୍ତି, ତାହା ପ୍ରଗତିର ନକ୍ସା ପାଇଁ ସମ୍ବଳ ଆବଶ୍ୟକତାକୁ ଅକୁଳାଣ ପଡ଼ିପାରେ। ୨୦୧୮-୧୯ ଆର୍ଥିକ ବର୍ଷର ମୂଳ ବଜେଟର ମୋଟ ବ୍ୟୟ ଅଟକଳର ପରିମାଣ ଥିଲା ୧ ଲକ୍ଷ ୨୦ ହଜାର ୨୮ କୋଟି ଟଙ୍କା। ପରେ ସେପ୍‌ଟେମ୍ବରରେ ଅତିରିକ୍ତ ବଜେଟରେ ପୁଣି ୧୨,୭୯୦ କୋଟି ଟଙ୍କାର ବ୍ୟୟବରାଦ କରାଯାଇଥିଲା। ଫଳରେ ୨୦୧୮-୧୯ ପୂରା ବର୍ଷ ପାଇଁ ମୋଟ ବ୍ୟୟ ଅଟକଳ ୧ ଲକ୍ଷ ୩୨, ୮୧୮ କୋଟି ଟଙ୍କା। ପ୍ରଗତିର ଧାରାକୁ ଆଗେଇ ନେବା ଲାଗି ଚଳିତ ୨୦୧୮-୧୯ ବଜେଟ ତୁଳନାରେ ୨୦୧୯-୨୦ ପାଇଁ ମୋଟ ବ୍ୟୟ ଅଟକଳ ଆନୁପାତିକ ଭାବେ ବୃଦ୍ଧି ପାଇବା ଆବଶ୍ୟକ। ଅଥଚ, ଆଗାମୀ ବର୍ଷ ପାଇଁ ବ୍ୟୟ ଅଟକଳ ସେହି ସମାନ ୧ ଲକ୍ଷ ୩୨ ହଜାର ୬୬୦ ହେବ ବୋଲି ଆକଳନ କରାଯାଇଛି। ପୁଣି କାର୍ଯ୍ୟକ୍ରମ ବାବଦ ଖର୍ଚ୍ଚ ୭୦ ହଜାର କୋଟି ଟଙ୍କା ହେବ ବୋଲି ଅଟକଳ କରାଯାଇଛି; ଯାହା ଚଳିତ ବର୍ଷର ୬୭ ହଜାର କୋଟି ତୁଳନାରେ ମାତ୍ର ୩ ହଜାର କୋଟି ଟଙ୍କା ଅଧିକ। ପୁଞ୍ଜିଗତ ଖର୍ଚ୍ଚ ବାବଦ ଚଳିତ ବର୍ଷ ୨୪,୫୬୭ କୋଟି ବରାଦ କରାଯାଇଥିବା ବେଳେ ୨୦୧୯-୨୦ରେ ଏହା ୨୩,୭୮୪ କୋଟି ହେବ ବୋଲି ଅଟକଳ କରାଯାଇଛି। ବଜେଟ ଆଗତ ଅବସରରେ ଉପସ୍ଥାପିତ ବିକାଶ ଓ କଲ୍ୟାଣର ନକ୍ସାକୁ ବାସ୍ତବାୟିତ କରିବା ପାଇଁ ଏତିକି ପର୍ଯ୍ୟାପ୍ତ ହେବ ନାହିଁ। ଉଭୟ କାର୍ଯ୍ୟକ୍ରମ ଓ ପୁଞ୍ଜିଗତ ଖର୍ଚ୍ଚ ପରିମାଣ ବୃଦ୍ଧି ଏକାନ୍ତ ଅପରିହାର୍ଯ୍ୟ। ୨୦୧୯-୨୦ ବର୍ଷ ପାଇଁ ଉପସ୍ଥାପିତ ଚିଠା ଆକଳନରେ ଆଉ ଏକ ବିରୋଧାଭାସ ହେଲା- ରାଜସ୍ବ ଆୟ ବୃଦ୍ଧିକୁ ପ୍ରଶାସନିକ ବ୍ୟୟ ବୃଦ୍ଧି ପ୍ରାୟ ଖାଇଯିବ। ୨୦୧୮-୧୯ରେ ରାଜସ୍ବ ଆୟ ୧ ଲକ୍ଷ ୨୦୦ କୋଟିରୁ ବୃଦ୍ଧି ପାଇ ୨୦୧୯-୨୦ରେ ୧ ଲକ୍ଷ ୧୦ ହଜାର ୭୧୦ କୋଟି ହେବ। ଅନ୍ୟପକ୍ଷରେ ପ୍ରଶାସନିକ ବ୍ୟୟ ୫୦ ହଜାର ୭୬୧ କୋଟିରୁ ବଢ଼ି ୫୮ ହଜାର ୧୭୦ କୋଟି ଟଙ୍କାରେ ପହଞ୍ଚିବ ବୋଲି ଆକଳନ କରାଯାଇଛି। ଫଳରେ ରାଜସ୍ବ ବଳକା ପରିମାଣ ୧୦,୫୫୫ କୋଟିରୁ ୮,୪୩୩ କୋଟି ଟଙ୍କାକୁ ହ୍ରାସ ପାଇବ। ବିତ୍ତୀୟ ନିଅଣ୍ଟ ମଧୢ ୧୩,୯୩୫ ରୁ ୧୬,୧୯୩ କୋଟି ଟଙ୍କାକୁ ବୃଦ୍ଧି ପାଇବ। ୨୦୧୯-୨୦ ବର୍ଷ ପାଇଁ ଆକଳନ କରାଯାଇଥିବା ଏହି ସମ୍ଭାବ୍ୟ ବଜେଟ ଗଣିତ ବିକାଶ ଓ କଲ୍ୟାଣର ଧାରାକୁ ପ୍ରଭାବିତ କରିବା ଆଶଙ୍କାକୁ ଏଡ଼ାଯାଇ ନପାରେ। ବିତ୍ତୀୟ ସ୍ଥିତିକୁ ବିକାଶ ଓ କଲ୍ୟାଣ ଓ ସର୍ବୋପରି ଲୋକାଭିମୁଖୀ ଶାସନ ଅନୁକୂଳ କରିବା ସକାଶେ ବଜେଟ ଗଣିତରେ ସୁଧାର ଆବଶ୍ୟକ।

ମୋଟ ଉପରେ ନବୀନ ସରକାରଙ୍କ ଚତୁର୍ଥ ପାଳିର ଶେଷ କଥା କାମଚଳା ବଜେଟକୁ ‘ନିର୍ବାଚନ ବଜେଟ’ କୁହାଯାଇ ନପାରେ। କିନ୍ତୁ ବଜେଟ ଭାଷଣ ପଢିବା ବେଳେ ଅର୍ଥମନ୍ତ୍ରୀଙ୍କ ନଜରରେ ନିଶ୍ଚୟ ରାଜ୍ୟର ୩ କୋଟି ୧୮ ଲକ୍ଷ ଭୋଟର ଥିଲେ।

ସମ୍ବନ୍ଧିତ ଖବର

Leave A Reply

Your email address will not be published.