ସାକ୍ଷୀ ଦୁର୍ଯ୍ୟୋଧନ

‘‘ବିଶ୍ବ ଦେଖ ମଧୁମୟରେ ଜୀବନ/ ବିଶ୍ବ ଦେଖ ମଧୁମୟ/ ମଧୁର ଝରଣ କରିବ ହରଣ/ ତୋ ପାପ ମରଣ ଭୟରେ ଜୀବନ।’’ ସ୍ବଭାବକବି ଗଙ୍ଗାଧର ମେହେରଙ୍କର ଏହି ଜୀବନଧର୍ମୀ ଦର୍ଶନର ସମ୍ପୂର୍ଣ୍ଣ ବିପରୀତ ମତବାଦରେ ବିଶ୍ବାସ କରୁଥିବା ସାମ୍ପ୍ରତିକ ପୃଥିବୀର କୌଣସି ଜଣେ ବ୍ୟକ୍ତିଙ୍କୁ ଯଦି ଖୋଜାଯାଏ, ତେବେ ମୁମ୍ବାଇର ଯୁବ ବ୍ୟବସାୟୀ ରାଫାଏଲ୍‌ ସାମୁଏଲ୍‌ଙ୍କଠାରୁ ସେଥିପାଇଁ ଅଧିକ ଯୋଗ୍ୟ କେହି ବୋଧହୁଏ ମିଳିବେ ନାହିଁ। କାରଣ ସେ ପୃଥିବୀ ପୃଷ୍ଠରେ ମନୁଷ୍ୟ ଜୀବନର ଆବିର୍ଭାବକୁ ଏପରି ତୀବ୍ର ବିରୋଧ କରନ୍ତି ଯେ, ତାଙ୍କର ବିନାନୁମତିରେ ତାଙ୍କୁ ଜନ୍ମ ଦେଇଥିବାରୁ ଏହି ୨୭ ବର୍ଷୀୟ ଯୁବକ ନିଜର ମାତାପିତାଙ୍କ ବିରୁଦ୍ଧରେ ଅଦାଲତରେ ମୋକବ୍ଦମା କରିବାକୁ ଯାଉଛନ୍ତି ବୋଲି ଘୋଷଣା କରି ପୃଥିବୀ ସାରା ଗଣମାଧୢମରେ ଚାଞ୍ଚଲ୍ୟ ସୃଷ୍ଟି କରିଛନ୍ତି। ସାମୁଏଲଙ୍କ କହିବା ଅନୁସାରେ ଦୁଃଖ ଯନ୍ତ୍ରଣା ହେଉଛି ମନୁଷ୍ୟ ଜୀବନର ଅବିଚ୍ଛେଦ୍ୟ ଅ˚ଶ, ତେଣୁ ସନ୍ତାନର ଅନୁମତି ନ ନେଇ ତାକୁ ସୃଷ୍ଟି କରି ଏଭଳି ଏକ ଜୀବନର ବୋଝ ବହନ କରିବାକୁ ବାଧୢ କରିବା ହେଉଛି ଦାସ ପ୍ରଥା ସହ ସମାନ।

ସାମୁଏଲଙ୍କ ଚିନ୍ତାଧାରା ଦେଖିଲେ ମନେହୁଏ ସତେ ଯେମିତି ସେ ବି˚ଶ ଶତାବ୍ଦୀର ପ୍ରସିଦ୍ଧ ବ୍ରିଟିସ କବି ଫିଲିପ୍‌ ଲାର୍କିନ୍‌ଙ୍କର ଏ ବାବଦରେ ଉପଦେଶକୁ ଅକ୍ଷରେ ଅକ୍ଷରେ ପାଳନ କରୁଛନ୍ତି। ବ୍ରିଟେନ୍‌ର ରାଜକବି (ପୋଏଟ୍‌ ଲରିଏଟ୍‌) ପଦବିକୁ ପ୍ରତ୍ୟାଖ୍ୟାନ କରିଥିବା ଏହି କବିଙ୍କର ବୋଧହୁଏ ସର୍ବାଧିକ ଆଦୃତ କବିତାଟି ହେଉଛି ‘ଦିସ୍‌ ବି ଦି ଭର୍ସ’। ଊନବି˚ଶ ଶତାବ୍ଦୀର ମହାନ୍‌ ସ୍କଟିସ୍‌ ସାହିତ୍ୟିକ ରବର୍ଟ ଲୁଇସ୍‌ ଷ୍ଟିଭେନ୍‌ସନ୍‌ଙ୍କର ସୁପରିଚିତ କବିତା ‘ରିକ୍ବାଏମ୍‌’ର ଏକ ଧାଡ଼ିକୁ ନିଜ କବିତାର ଶୀର୍ଷକ ରୂପେ ବ୍ୟବହାର କରି ଲାର୍କିନ୍‌ କବରଖାନାର ସ୍ମୃତି ପ୍ରସ୍ତରରେ ତାଙ୍କ ସମ୍ବନ୍ଧରେ ଯାହା ଖୋଦେଇ ହେବା ଚାହିଁଛନ୍ତି, ତାହା ହେଲା: ‘‘ଦେ ** ୟୁ ଅପ୍‌/ ଇଓର‌୍‌ ମମ୍‌ ଆଣ୍ତ୍‌ ଡାଡ୍‌/ ଦେ ମେ ନଟ୍‌ ମିନ୍‌ ଟୁ/ ବଟ୍‌ ଦେ ଡୁ/ ଦେ ଫିଲ୍‌ ୟୁ ଵିଥ୍‌ ଦି ଫଲ୍‌ଟ୍‌ସ ଦେ ହାଡ୍‌/ ଆଣ୍ତ ଆଡ୍‌ ସମ୍‌ ଏକ୍‌ସଟ୍ରା ଜଷ୍ଟ୍ ଫର‌୍‌ ୟୁ। … ମ୍ୟାନ୍‌ ହାଣ୍ତ୍‌ସ ଅନ୍‌ ମିଜେରି ଟୁ ମ୍ୟାନ୍‌/ ଇଟ୍‌ ଡିପେନ୍‌ସ ଲାଇକ୍‌ ଏ କୋଷ୍ଟାଲ୍‌ ସେଲ୍‌ଫ/ ଗେଟ୍‌ ଆଉଟ୍‌ ଆଜ୍‌ ଅର୍ଲି ଆଜ୍‌ ୟୁ କ୍ୟାନ୍‌/ ଆଣ୍ତ୍‌ ଡୋଣ୍ଟ୍‌ ହାଭ୍‌ ଏନି କିଡ୍‌ସ ଇଓର‌୍‌ସେଲ୍‌ଫ।’’ ଏହାର ସରଳ ସାରମର୍ମ ହେଲା: ତୁମ ମାତା ପିତା ତୁମକୁ ଅସୁବିଧାରେ ପକାଇବାକୁ ଚାହୁଁନଥିଲେ ମଧୢ ସେମାନେ ନିଜର ଦୋଷ ଦୁର୍ବଳତା ସହିତ ଖାସ୍‌ ତୁମ ପାଇଁ ଆଉ କିଛି ଅଧିକା ମଧୢ ମିଶାଇ ତୁମକୁ ସୃଷ୍ଟି କରିଥାନ୍ତି। ମନୁଷ୍ୟ ପିଢ଼ି ପରେ ପିଢ଼ି କେବଳ ଦୁର୍ଦଶା ହସ୍ତାନ୍ତରିତ କରିଥାଏ ଯାହା ସମୟକ୍ରମେ ଗଭୀରତର ହୋଇ ଚାଲିଥାଏ। ତୁମେ ତେଣୁ ଯେତେ ଶୀଘ୍ର ପାର ଏଥିରୁ ମୁକୁଳି ଯାଅ ଏବ˚ ନିଜର କୌଣସି ସନ୍ତାନ ସୃଷ୍ଟି କର ନାହିଁ।

ସାମୁଏଲ୍‌ ଏହି ଘୋଷଣା କରିବା ସମୟରେ ନିଜକୁ ଜଣେ ଜନ୍ମ- ବିରୋଧୀ ରୂପେ ବର୍ଣ୍ଣନା କରିଛନ୍ତି, ଯାହା କେବଳ ଲାର୍କିନ୍‌ଙ୍କର ଉପରୋକ୍ତ ଚିନ୍ତାଧାରା ସହିତ ମେଳ ଖାଇଥାଏ, ତାହା ନୁହେଁ, ଏହା ଏ ସମ୍ପର୍କିତ ଏକ ନିର୍ଦ୍ଦିଷ୍ଟ ଦାର୍ଶନିକ ମତବାଦର ଅନୁସରଣ କଲା ଭଳି ମଧୢ ମନେ ହୋଇଥାଏ। ଜନ୍ମ-ବିରୋଧବାଦ ରୂପେ ପରିଚିତି ଲାଭ କରିଥିବା ଏହି ଦାର୍ଶନିକ ମତବାଦର ପ୍ରବକ୍ତାମାନେ ବିଶ୍ବାସ କରିଥାନ୍ତି ଯେ ଜୀବନ ହେଉଛି ଏତେ ଦୁଃଖମୟ ଯେ ମନୁଷ୍ୟ କରୁଣା ପ୍ରଦର୍ଶନ କାରଣରୁ ସନ୍ତାନ ସୃଷ୍ଟି ସମ୍ପୂର୍ଣ୍ଣ ବନ୍ଦ କରିଦେବା ଉଚିତ। ଏହି ଚିନ୍ତାଧାରାକୁ ଆଉ ଟିକିଏ ସମ୍ପ୍ରସାରିତ କରି କୁହାଯାଇଥାଏ, ଭଲ ଲୋକମାନେ ନିଜର ସନ୍ତାନସନ୍ତତିଙ୍କୁ ସମସ୍ତ ପ୍ରକାର ଦୁଃଖ କଷ୍ଟରୁ ଦୂରରେ ରଖିବା ପାଇଁ ପ୍ରାଣପଣେ ସବୁ ପ୍ରକାର ଚେଷ୍ଟା କରିଥାନ୍ତି, କିନ୍ତୁ ସେମାନଙ୍କ ମଧୢରୁ କେହି ହେଲେ ହୃଦୟଙ୍ଗମ କଲା ଭଳି ମନେ ହୁଏ ନାହିଁ ଯେ ପିଲାମାନଙ୍କୁ ସମସ୍ତ ଯନ୍ତ୍ରଣାରୁ ସୁରକ୍ଷିତ ରଖିବାର ଏକମାତ୍ର ନିଶ୍ଚିତ ଉପାୟ ହେଉଛି ସେମାନଙ୍କୁ ମୂଳରୁ ଜନ୍ମ ନ ଦେବା। ଯେଉଁମାନେ ଏ ଭଳି ନକାରାତ୍ମକ ମତବାଦକୁ ମିଥ୍ୟା ସାବ୍ୟସ୍ତ କରିବା ଉଦ୍ଦେଶ୍ୟରେ ଘୋଷଣା କରନ୍ତି ଯେ ଜୀବନ ଦୁଃଖପୂର୍ଣ୍ଣ ନୁହେଁ, ଏବ˚ ସେମାନେ ଗଙ୍ଗାଧର ମେହେର କହିଥିବା ଭଳି ସୁଖମୟ ଜୀବନ ବିତାଉଛନ୍ତି, ଜନ୍ମ-ବିରୋଧୀମାନେ ଏଭଳି ଆଶାବାଦୀମାନଙ୍କୁ ଉଦାହରଣ ଛଳରେ ସେମାନଙ୍କର ନିତିଦିନିଆ କଷ୍ଟସବୁର କେତେକ ନମୁନା ମନେ ପକାଇ ଦେଇଥାନ୍ତି: ଆମକୁ ଭୋକ, ଶୋଷ ଲାଗିଥାଏ; ଥଣ୍ତା, ଗରମ ଲାଗିଥାଏ; ବାଥ୍‌ରୁମ୍‌ ଯିବାକୁ ପଡ଼ିଥାଏ; ହାଲିଆ ଲାଗିଥାଏ; ଛିଙ୍କ କାଶ ହୋଇଥାଏ; ଟ୍ରାଫିକ୍‌ ଜାମ୍‌ରେ ପଡ଼ିବାକୁ ହୋଇଥାଏ; ଧାଡ଼ିରେ ଛିଡ଼ା ହୋଇ ଅପେକ୍ଷା କରିବାକୁ ପଡ଼ିଥାଏ; ଫର୍ମ ପୂରଣ କରିବାକୁ ପଡ଼ିଥାଏ; କାମ ଖୋଜିବାକୁ ହୋଇଥାଏ; କାର୍ଯ୍ୟ କ୍ଷେତ୍ରରେ ହତାଶ ହେବାକୁ ପଡ଼ିଥାଏ; ଚିର ଯୌବନ ଚାହୁଁଥିଲେ ବି ଆମର ବୟସ ବଢ଼ି ବଢ଼ି ଆମକୁ ବିରୂପ କରି ଚାଲିଥାଏ; …। ଅନିବାର୍ଯ୍ୟ ଯନ୍ତ୍ରଣାର ତାଲିକା ଅସରନ୍ତି। ସେମାନଙ୍କ ମତରେ ଜନ୍ମ ଯେତିକି ଖରାପ, ମୃତ୍ୟୁ ମଧୢ ସେତିକି ଖରାପ। ତେଣୁ ଜନ୍ମ ଓ ମୃତ୍ୟୁର ସଣ୍ଡୁଆଶି ଆକ୍ରମଣରୁ ସୁରକ୍ଷିତ ରହିବାର ଏକମାତ୍ର ଉପାୟ ହେଉଛି ମୂଳରୁ ଜନ୍ମ ଗ୍ରହଣ ନ କରିବା।

ଯଦି କେହି ମତ ପୋଷଣ କରୁଥାନ୍ତି ଯେ ଜୀବନରେ ଥିବା ଦୁଃଖର ଭରଣା କରିବା ପାଇଁ ଅନୁରୂପ ସୁଖ ମଧୢ ରହିଛି, ଏହାର ଖଣ୍ତନ ପାଇଁ ଯୁକ୍ତି ହେଲା- ନିରବଚ୍ଛିନ୍ନ ଯନ୍ତ୍ରଣା ସମ୍ଭବ, କିନ୍ତୁ ନିରବଚ୍ଛିନ୍ନ ଆନନ୍ଦ ସମ୍ଭବ ହୋଇ ନଥାଏ। ଯଦି କୁହାଯାଏ ଜନ୍ମ ନଘଟିଲେ ସମ୍ପୃକ୍ତ ସମ୍ଭାବ୍ୟ ବ୍ୟକ୍ତି ଜୀବନର ଦୁଃଖରୁ ତ୍ରାହି ପାଏ ସତ, କିନ୍ତୁ ଜୀବନର ସୁଖରୁ ମଧୢ ବଞ୍ଚିତ ହୁଏ, ଜନ୍ମ-ବିରୋଧୀ ଦାର୍ଶନିକମାନଙ୍କ ନିକଟରେ ଏହାର ବଳିଷ୍ଠ ଜବାବ ମଧୢ ଉପଲବ୍‌ଧ ଅଛି। ଯେମିତି ଛାମୁଆଁ ଜନ୍ମ-ବିରୋଧୀ ଦାର୍ଶନିକ ଡେଭିଡ୍‌ ବେନାଟାର‌୍‌ କହନ୍ତି ଯେ ଯେଉଁ ବ୍ୟକ୍ତି ଜନ୍ମଲାଭ କରିଛି ସେ ହିଁ କେବଳ ଭଲ କଥାରୁ ଆନନ୍ଦ ପାଏ ଓ ମନ୍ଦ କଥାରୁ କଷ୍ଟ ପାଏ। ଯଦି ସିଏ ମୂଳରୁ ଜନ୍ମ ହୋଇ ନଥାଏ, ତେବେ ସେ ମନ୍ଦ କଥା ଜନିତ କଷ୍ଟ ପାଇବାରୁ ରକ୍ଷା ପାଇଯିବ, କିନ୍ତୁ ଭଲ କଥାରୁ ମିଳୁଥିବା ଆନନ୍ଦରୁ ବଞ୍ଚିତ ହେବ ନାହିଁ କାରଣ ସେ କେବେ ହେଲେ ତାହା ଉପଭୋଗ କରିନଥିଲା। ତେଣୁ କୁହାଯିବ: ମନ୍ଦର ଅନୁପସ୍ଥିତି ହେଉଛି ଭଲ, କିନ୍ତୁ ଭଲର ଅନୁପସ୍ଥିତି ମନ୍ଦ ନୁହେଁ। ଅତଏବ ପୃଥିବୀରେ ଜୀବନର ଅନୁପସ୍ଥିତି ହେଉଛି ଏକାନ୍ତ କାମ୍ୟ।

ପୃଥିବୀରେ ଜୀବନର ଅନୁପସ୍ଥିତି ଯଦି ହେଉଛି ଆଦର୍ଶ ଅବସ୍ଥା, ତେବେ ଏଠାରେ ଜୀବନର ଉପସ୍ଥିତିର କାରଣ କ’ଣ? ଏ ପ୍ରଶ୍ନର ଉତ୍ତର ହେଉଛି- ପ୍ରକୃତିର ତାଡ଼ନା। ପ୍ରକୃତି ଏଠାରେ ଯେଉଁ ଢାଞ୍ଚାରେ ଜୀବନର ସର୍ଜନା କରିଛି, ତାହା ଅନୁସାରେ ଜୀବନର ସୃଷ୍ଟି ଘଟେ ପ୍ରଜନନ ମାଧୢମରେ ଏବ˚ ପ୍ରଜନନ ହେଉଛି ଯୌନାଚରଣ ସହିତ ଅଙ୍ଗାଙ୍ଗୀ ଭାବରେ ଜଡ଼ିତ। ଏହା ସତ ଯେ ନିକଟ ଅତୀତରେ ମନୁଷ୍ୟ ଜନ୍ମ ନିରୋଧକ ବ୍ୟବହାର ଦ୍ବାରା ଯୌନକ୍ରିୟା ଓ ପ୍ରଜନନ ମଧୢରେ ଇଚ୍ଛାକୃତ ବିଭାଜନ ସୃଷ୍ଟି କରିବାରେ ସମର୍ଥ ହୋଇଛି; କିନ୍ତୁ ପ୍ରଜନନର ଇଚ୍ଛା ମନୁଷ୍ୟର ଏପରି ଏକ ପ୍ରାକୃତିକ ପ୍ରବୃତ୍ତି ରୂପେ ନିଜର ଆସ୍ଥାନ ସୁଦୃଢ଼ କରି ରଖିଛି ଯେ ଅଧିକା˚ଶ ମନୁଷ୍ୟଙ୍କ କର୍ଣ୍ଣ କୁହରରେ ଲାର୍କିନ୍‌ ବା ବେନାଟର‌୍‌ଙ୍କ ଆହ୍ବାନ ପ୍ରବେଶ କରେ ନାହିଁ। ଆଉ ପ୍ରକୃତିର ନିୟମ ଏ ପରି ଯେ ଯେଉଁମାନେ ଏ ଆହ୍ବାନ ଶୁଣି ସନ୍ତାନ ସୃଷ୍ଟିରେ ଅନ୍ତ ଘଟାନ୍ତି, ସେମାନେ କ୍ରମେ ଲୋପ ପାଇ ଯାଆନ୍ତି। ଏକ ମାନବ ଗୋଷ୍ଠୀ କଳ୍ପନା କରାଯାଉ ଯେଉଁଠି ସମସ୍ତେ ନିଜର ଜିନ୍‌ ଦ୍ବାରା ନିୟନ୍ତ୍ରିତ ହୋଇ ଯୌନକ୍ରିୟା ପ୍ରତି ଆକର୍ଷିତ ହୋଇଥାନ୍ତି। ସେଠାରେ ସ୍ବାଭାବିକ ଭାବରେ ପ୍ରଜନନ ଘଟିବ। ସେମାନଙ୍କ ସନ୍ତାନସନ୍ତତିମାନେ ମଧୢ ଏହି ଜିନ୍‌ ବହନ କରି ପିଢ଼ି ପରେ ପିଢ଼ି ପ୍ରଜନନ କରିଚାଲିଥାନ୍ତି। ଏବେ ଏହି ଗୋଷ୍ଠୀରେ କେତେକ ପ୍ରଜନନ ଅନିଚ୍ଛୁକ ଜିନ୍‌ ସମ୍ପନ୍ନ ବ୍ୟକ୍ତିଙ୍କୁ ଭର୍ତ୍ତି କରିଦିଆଯାଉ। ସେମାନେ ଯେହେତୁ ସନ୍ତାନ ସୃଷ୍ଟି କରିବେ ନାହିଁ, ପର ପିଢ଼ିରେ ସେମାନଙ୍କ ଭଳି ପ୍ରଜନନ ଅନିଚ୍ଛୁକମାନଙ୍କର ଆବିର୍ଭାବ ଘଟିବ ନାହିଁ। ଅତଏବ ପ୍ରଜନନ ବନ୍ଦ କରିବା ପାଇଁ ବିବେକ ଦେଉଥିବା ଡାକ ନ ଶୁଣି ପ୍ରକୃତିର ଡାକ ଶୁଣି ମୂଳ ମନୁଷ୍ୟ ସମାଜ ପ୍ରଜନନ କରିଚାଲିବ। ମହାଭାରତରେ ଦୁର୍ଯ୍ୟୋଧନ କହିଥିବା ଭଳି: ‘‘ଜାନାମି ଧର୍ମମ୍‌ ନଚମେ ପ୍ରବୃତ୍ତିଃ/ଯାନାମି ଅଧର୍ମମ୍‌ ନଚମେ ନିବୃତ୍ତିଃ/ ‌େକନାପିଦେବେନ ହୃ୍ତ୍‌ସ୍ଥିତେନ/ଯଥା ନିଯୁକ୍ତୋସ୍ମି ତଥା କରୋମି।’’ ଅର୍ଥାତ୍‌ ‘‘ଧର୍ମ କ’ଣ ଜାଣିଛି କିନ୍ତୁ ତା’ ପାଇଁ ପ୍ରବୃତ୍ତି ନାହିଁ, ଅଧର୍ମ କ’ଣ ଜାଣିଛି କିନ୍ତୁ ସେଥିପାଇଁ ନିବୃତ୍ତି ନାହିଁ; କେଉଁ ଏକ ଦେବତା ମୋ ହୃଦୟରେ ବସି ଯାହା କହୁଛନ୍ତି ମୁଁ ତାହା ହିଁ କରୁଛି।’’ ଏଠାରେ କେଉଁ ଏକ ଦେବତା ହେଉଛନ୍ତି ପ୍ରକୃତି ବା ଜିନ୍‌! ମନେହୁଏ ଅଦାଲତରେ ରାଫାଏଲ୍‌ ସାମୁଏଲଙ୍କ ମାତା ପିତା ଦୁର୍ଯ୍ୟୋଧନଙ୍କୁ ସାକ୍ଷୀ ଭାବରେ ଉପସ୍ଥାପିତ କରି ପାରିବେ।

ସମ୍ବନ୍ଧିତ ଖବର