ଟ୍ବିଟର‌୍‌ ବିକୃତି

ଭାରତୀୟ ପାର୍ଲାମେଣ୍ଟର ‘ଇନ୍‌ଫର୍ମେସନ ଟେକ୍ନୋଲୋଜି ଷ୍ଟାଣ୍ତି˚ କମିଟି’ ନିଜେ ନିଜକୁ ଏକ ଲଜ୍ଜାଜନକ ରଜ୍ଜୁରେ ବାନ୍ଧିବାକୁ ଯାଉଥିବା ଭଳି ମନେ ହେଉଛି। ସୋମବାର ଦିନ ‘ଟ୍ବିଟର‌୍‌’ର ମୁଖ୍ୟ ନିର୍ବାହୀ ଅଧିକାରୀ (ସିଇଓ) ଜ୍ୟାକ୍‌ ଡର୍ସିଙ୍କୁ କମିଟି ସମ୍ମୁଖରେ ହାଜର ହେବା ପାଇଁ ଆଉ ଅଧିକ ୧୫ ଦିନ ସମୟ ଦେଇଛି। ଯଦି ଏହି ନିର୍ଦ୍ଦେଶ ମାନି ଜ୍ୟାକ୍‌ ଡର୍ସି ପ୍ରକୃତରେ ଆମେରିକାରୁ ଆସି ଏହି କମିଟି ସମ୍ମୁଖରେ ଜବାବ ଦେବା ପାଇଁ ହାଜର ହୁଅନ୍ତି, ଆମେ ସମସ୍ତେ ଆଶ୍ଚର୍ଯ୍ୟ ହେବୁ। ଯଦି ଡର୍ସି ଏଥିପ୍ରତି କର୍ଣ୍ଣପାତ ନକରନ୍ତି, ତେବେ କ’ଣ ଘଟିପାରେ ଦେଖାଯାଉ। ଲୋକ ସଭା କିମ୍ବା ରାଜ୍ୟ ସଭାର ବାଚସ୍ପତି ଏହାକୁ ଏକ ସ୍ବାଧିକାର କମିଟିର ବିଚାର ପାଇଁ ପଠାଇ ଦେଇ ପାରନ୍ତି, ଏବ˚ ସ୍ବାଧିକାର କମିଟିର ଯେ ଡର୍ସିଙ୍କ ଉପରେ କିଛି ଅଧିକ ନିୟନ୍ତ୍ରଣ ରହିଛି, ତାହା ନୁହେଁ। ସରକାର ମଧୢ ଡର୍ସିଙ୍କ ବିରୁଦ୍ଧରେ କୌଣସି କଠୋର ପଦକ୍ଷେପ ଯଥେଷ୍ଟ କାରଣ ବିନା ନେଇ ପାରିବେ ନାହିଁ ଏବ˚ ଯଦି ନିଅନ୍ତି ମାମଲା ଅଦାଲତକୁ ଯିବା ନିଶ୍ଚିତ। ସ˚କ୍ଷେପରେ କହିଲେ ଅନୁରାଗ ଠାକୁର ଅଧୢକ୍ଷତାଧୀନ ଏହି ଷ୍ଟାଣ୍ତି˚ କମିଟି ଜ୍ୟାକ୍‌ ଡର୍ସିଙ୍କୁ ସମନ୍‌ କରି ଏପରି ଏକ ଅନାବଶ୍ୟକ ପରିସ୍ଥିତି ସୃଷ୍ଟି କରିଛି ଯାହା କାହାରି ପାଇଁ ସୁଖକର ନୁହେଁ।

ଏହାର କାରଣ ନୁହେଁ ଅନୁରାଗ ଠାକୁର ନିଜର ସୀମା ବାହାରକୁ ଯାଇ ଜ୍ୟାକ୍‌ ଡର୍ସିଙ୍କୁ ସମନ୍‌ କରିବା, ଏହାର କାରଣ ହେଉଛି ଏଭଳି ପଦକ୍ଷେପ ପଛରେ ନିହିତ ଥିବା ଅତ୍ୟନ୍ତ ଗୁରୁତ୍ବହୀନ ଘଟଣାର ଭୂମିକା। ‘ୟୁଥ୍‌ ଫର‌୍‌ ସୋସିଆଲ୍‌ ମିଡିଆ ଡେମୋକ୍ରାସି’ ନାମକ ଏକ ଅନାମଧେୢୟ ସ˚ଗଠନର ଯେଉଁ ଅଭିଯୋଗକୁ ଭିତ୍ତି କରି ଅନୁରାଗ ଠାକୁର ଜ୍ୟାକ୍‌ ଡର୍ସିଙ୍କୁ ଏଠାକୁ ଡକାଇଛନ୍ତି, ତାହା ହେଲା କେତେକ ଟ୍ବିଟର‌୍‌ ଏକାଉଣ୍ଟକୁ କମ୍ପାନି ଅଚଳ କରି ଦେଇଛି। ଏହି ଏକାଉଣ୍ଟଗୁଡ଼ିକରେ ମୁଖ୍ୟତଃ ଦକ୍ଷିଣପନ୍ଥୀ ଚିନ୍ତାଧାରାସମ୍ପନ୍ନ ବ୍ୟବହାରକାରୀମାନେ ସକ୍ରିୟ ଥାନ୍ତି। ପାର୍ଲାମେଣ୍ଟ୍‌ର ଉକ୍ତ ଷ୍ଟାଣ୍ତି˚ କମିଟି ପାଇଁ ଏହା କେତେଦୂର ପ୍ରାସଙ୍ଗିକ, ତାହା ସନ୍ଦେହଜନକ। କିନ୍ତୁ ଯାହା ନିଃସନ୍ଦେହ ତାହା ହେଲା, ଉକ୍ତ ଷ୍ଟାଣ୍ତି˚ କମିଟିର ଅତୀତର କାର୍ଯ୍ୟ ଦେଖିଲେ ଏହି ପ୍ରସଙ୍ଗଟି ଯେ ତା’ପାଇଁ ଅତିଶୟ ଗୌଣ, ଏ ନେଇ କୌଣସି ସନ୍ଦେହ ରହେ ନାହିଁ। ଉଦାହରଣ ସ୍ବରୂପ ଏହାର କାର୍ଯ୍ୟକାଳ ମଧୢରେ ଏହି କମିଟି ଯେଉଁ ସବୁ ପ୍ରସଙ୍ଗମାନଙ୍କର ସମୀକ୍ଷା କରିଛି, ସେଥିରେ ଅନ୍ତର୍ଭୁକ୍ତ ଅଛି ପ୍ରସାର ଭାରତୀର କାର୍ଯ୍ୟ, ଡିଜିଟାଲ ଇଣ୍ତିଆ କାର୍ଯ୍ୟକ୍ରମ, ଇଣ୍ତିଆ ପୋଷ୍ଟ ପେମେଣ୍ଟ୍‌ସ ବ୍ୟାଙ୍କ୍‌ ସ୍ଥାପନ, ‘ଟ୍ରାଇ’ର କାର୍ଯ୍ୟକଳାପ, କଲ୍‌ ଡ୍ରପ୍‌ ଇତ୍ୟାଦି। କମିଟି ଏ ସମସ୍ତ ପ୍ରସଙ୍ଗରେ କରିଥିବା କାର୍ଯ୍ୟ ମଧୢ ପ୍ରଶ˚ସନୀୟ ହୋଇଛି। ତେଣୁ ଏ ସବୁ ତୁଳନାରେ ବର୍ତ୍ତମାନ ଯେଉଁ ପ୍ରସଙ୍ଗକୁ ନେଇ କମିଟି ଏକ ବହୁଦେଶୀୟ ସୋସିଆଲ୍‌ ମିଡିଆ କମ୍ପାନିର ମୁଖ୍ୟଙ୍କ ସହ ମୁକାବିଲା କରିବାକୁ ବାହାରିଛି ତାହା ଅତ୍ୟନ୍ତ ହାସ୍ୟାସ୍ପଦ ମନେହୁଏ।

କମିଟି ତାହାର ଏହି ପଦକ୍ଷେପ ପାଇଁ ଯେଉଁ କାରଣ ଉଲ୍ଲେଖ କରିଛି, ତାହା ହେଲା ସାମାଜିକ ଗଣମାଧୢମ ପ୍ଲାଟ୍‌ଫର୍ମରେ ନାଗରିକମାନଙ୍କର ସ୍ବାର୍ଥର ସୁରକ୍ଷା। ସରଳ ଭାବରେ କହିଲେ ଟ୍ବିଟର‌୍‌ରେ ଦକ୍ଷିଣପନ୍ଥୀମାନଙ୍କର ପୂର୍ବ ପ୍ରାଧାନ୍ୟରେ ହ୍ରାସ ଘଟବା ଦେଖାଦେଇଥିବାରୁ ସେମାନେ ଟ୍ବିଟର‌୍‌ ବିରୁଦ୍ଧରେ ଏପରି ଅଭିଯୋଗ କରୁଛନ୍ତି। ଏହା ଜଣାଶୁଣା ଯେ ଦକ୍ଷିଣପନ୍ଥୀ ରୂପେ ପରିଚିତ ମୋଦୀ ସରକାର ଯେତେବେଳେ କ୍ଷମତାକୁ ଆସିଲା ସେ ସମୟରେ ଟ୍ବିଟର ଭଳି ସାମାଜିକ ଗଣମାଧୢମରେ ସେମାନେ ପ୍ରାୟ ସମ୍ପୂର୍ଣ୍ଣ ଆଧିପତ୍ୟ ବିସ୍ତାର କରିଥିଲେ। ଏବେ ମଧୢ ସେମାନଙ୍କର ଉପସ୍ଥିତି ବଳିଷ୍ଠ ଥିଲେ ହେଁ ପ୍ରତିପକ୍ଷ କ୍ରମେ ଏ କ୍ଷେତ୍ରରେ ଅନୁପ୍ରବେଶ କରିବା ଆରମ୍ଭ କରିଛି। ଏହା ସ୍ବାଭାବିକ। କାରଣ ଭାରତ ଭଳି ଅମର୍ତ୍ୟ ସେନ୍‌ଙ୍କ ଭାଷାରେ ଏକ ‘ଯୁକ୍ତିପ୍ରିୟ’ ଗଣତନ୍ତ୍ରରେ କୌଣସି ଏକ ସରକାର ଚାରିବର୍ଷରୁ ଅଧିକ କାଳ ଶାସନ କ୍ଷମତାରେ ରହିବା ପରେ ତା’ ବିରୁଦ୍ଧରେ ଖୋଲାଖୋଲି ସମାଲୋଚନା ଜୋର‌୍‌ ଧରିବା ଅନିବାର୍ଯ୍ୟ।

ଇତି ମଧୢରେ ‘ଟ୍ବିଟର‌୍‌’, ‘ଫେସ୍‌ବୁକ୍‌’ ପରି ସୋସିଆଲ୍‌ ନେଟ୍‌ଵାର୍କ କମ୍ପାନିମାନେ ମଧୢ ପୃଥିବୀସାରା ସମାଲୋଚନାର ଶିକାର ହୋଇଛନ୍ତି ଯେ ସେମାନେ ମିଥ୍ୟା ଖବର ବା ‘ଫେକ୍‌ ନିଉଜ୍‌’ ପ୍ରସାରର ମାଧୢମରେ ପରିଣତ ହୋଇଛନ୍ତି। ଏଥପାଇଁ ସେମାନେ ଆପଣା ଛାଏଁ ସନ୍ଦିଗ୍‌ଧ ମେସେଜ୍‌ ମାନ ପ୍ରସାର ଉପରେ ଅଙ୍କୁଶ ଲଗାଇବା ଆରମ୍ଭ କରିଛନ୍ତି। ନିକଟ ଅତୀତରେ ତଥାକଥିତ ପିଲା ଚୋର ସମ୍ପର୍କିତ ମିଥ୍ୟା ଖବର ସୋସିଆଲ୍‌ ନେଟ୍‌ଵାର୍କରେ ପ୍ରସାରିତ ହୋଇ ଭାରତରେ ଯେଉଁଭଳି ନୃଶ˚ସ ହତ୍ୟାକାଣ୍ତମାନ ଘଟାଇଥିଲା, ତାହା ବିଶ୍ବବ୍ୟାପୀ ଚର୍ଚ୍ଚାର ବିଷୟବସ୍ତୁ ପାଲଟିଥିଲା। ଏଣୁ ମିଥ୍ୟା ଆତଙ୍କ, ଘୃଣା, ବିଦ୍ବେଷ ଆଦି ପ୍ରସାର ବନ୍ଦ କରିବା ପାଇଁ ଟ୍ବିଟର‌୍‌ ଭଳି ସ˚ସ୍ଥା ବିଶେଷ ଭାବରେ ଯତ୍ନବାନ୍‌ ହୋଇ ଉଠିଛନ୍ତି।

ଏଥି ସତ୍ତ୍ବେ ଭାରତରେ ନାଗରିକମାନେ ଟ୍ବିଟର‌୍‌ ଆଦି ସୋସିଆଲ୍‌ ନେଟ୍‌ଵାର୍କରେ ଯେଉଁଭଳି ବାକ୍‌ ସ୍ବାଧୀନତା ଉପଭୋଗ କରିବା ଦେଖାଯାଉଛି, ତାହା ଅଶ୍ରୁତପୂର୍ବ କହିଲେ ଅତ୍ୟୁକ୍ତି ହେବ ନାହିଁ। ଏଣୁ ନାଗରିକର ବାକ୍‌ ସ୍ବାଧୀନତାର ସୁରକ୍ଷା ନିମିତ୍ତ ପାର୍ଲାମେଣ୍ଟ୍‌ କମିଟି ଟ୍ବିଟର‌୍‌ ସିଇଓଙ୍କୁ ହାଜର ହେବାକୁ ଡକାଇଛି ବୋଲି ଯୁକ୍ତି ଦର୍ଶାଇବା ଭିତ୍ତିହୀନ। ଛୋଟ ଛୋଟ କଥାରେ ବହୁଦେଶୀୟ କମ୍ପାନିମାନଙ୍କର ମୁଖ୍ୟମାନଙ୍କୁ ଡକାଇ ଆଣ୍ଠେଇ ଦେବା ଭଳି ବାହାସ୍ଫୋଟ ଭାରତର ବ୍ୟବସାୟ ଅନୁକୂଳ ଲକ୍ଷ୍ୟ ଓ ଭାବମୂର୍ତ୍ତି ସହିତ ଖାପ୍‌ ଖାଏ ନାହିଁ। ଏହା ସ୍ବୀକାର କରିବାକୁ ହେବ ଯେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତାଙ୍କ ସମୟରେ ବିଦେଶରେ ଭାରତ ସମ୍ବନ୍ଧରେ ଏକ ସମ୍ମାନଜନକ ବିକୃତିଶୂନ୍ୟ ଭାବମୂର୍ତ୍ତି ସୃଷ୍ଟି କରିବାରେ ସଫଳ ହୋଇଛନ୍ତି, ଯାହା ଫଳରେ ବହୁଦେଶୀୟ କମ୍ପାନି ଓ ନିବେଶକମାନେ ଭାରତକୁ ସେମାନଙ୍କର ପ୍ରଥମ ପସନ୍ଦ ଗନ୍ତବ୍ୟସ୍ଥଳ ରୂପେ ବିଚାର କରିବା ଆରମ୍ଭ କରିଛନ୍ତି। ଅନୁରାଗ ଠାକୁରଙ୍କର ଟ୍ବିଟର‌୍‌ ବିକୃତି ଭଳି ଆଭିମୁଖ୍ୟ ସେମାନଙ୍କୁ ପଥଚ୍ୟୁତ କରିବ।

ସମ୍ବନ୍ଧିତ ଖବର