ମେଣ୍ଟ- କ˚ଗ୍ରେସ ବନାମ ବିଜେପି

ଦକ୍ଷିଣର ଅନ୍ୟତମ ପ୍ରମୁଖ ଆଞ୍ଚଳିକ ରାଜନୈତିକ ଶକ୍ତି ତଥା ତାମିଲନାଡୁର ମୁଖ୍ୟ ବିରୋଧୀ ଦଳ ଡିଏମ୍‌କେ (ଦ୍ରାବିଡ଼ ମୁନେତ୍ରା କାଜାଗମ୍‌) ଏବ˚ ଜାତୀୟ ସ୍ତରରେ ମୁଖ୍ୟ ବିରୋଧୀ କ˚ଗ୍ରେସ ମଧୢରେ ଊଣେଇଶ ନିର୍ବାଚନ ପାଇଁ ମେଣ୍ଟ ଚୂଡ଼ାନ୍ତ ହୋଇଛି। ଚଉଦ ସାଧାରଣ ନିର୍ବାଚନରେ ପୃଥକ୍‌ ପୃଥକ୍‌ ଲଢ଼ିଥିବା ଡିଏମ୍‌କେ ଓ କ˚ଗ୍ରେସ୍‌ ପାଞ୍ଚବର୍ଷ ପରେ ପୁଣି ପରସ୍ପର ସହ ହାତ ମିଳାଇବା ସତ୍ତ୍ବେ ବିରୋଧୀ ପକ୍ଷର ମହାମେଣ୍ଟ ନକ୍ସା ବାସ୍ତବାୟିତ ହେବା ନେଇ ଆଶା ଅପେକ୍ଷା ଆଶଙ୍କା ଅଧିକ। ମହାରାଷ୍ଟ୍ରରେ କ˚ଗ୍ରେସ-ଏନ୍‌ସିପି ମଧୢରେ ମେଣ୍ଟ ପାଇଁ ନୀତିଗତ ନିଷ୍ପତ୍ତି ହୋଇଛି। ଅଥଚ, ଆସନ ଭାଗବଣ୍ଟା ଛିଣ୍ତୁ ନାହିଁ। ବିହାରରେ ମଧୢ କ˚ଗ୍ରେସ, ରାଷ୍ଟ୍ରୀୟ ଜନତା ଦଳ ଓ ଅନ୍ୟ ସହଯୋଗୀମାନଙ୍କ ମଧୢରେ ସମାନ ଅବସ୍ଥା। ପଶ୍ଚିମବଙ୍ଗରେ ଶାସକ ତୃଣମୂଳ ଓ ବାମପନ୍ଥୀଙ୍କ ମଧୢରୁ କାହାର ହାତ ଧରିବ, ସେ ନେଇ କ˚ଗ୍ରେସର ଦ୍ବନ୍ଦ୍ବ ରହିଛି। ଯଦିଓ, ବାମପନ୍ଥୀଙ୍କ ସହ କଥାବାର୍ତ୍ତା ଚାଲିଛି। କେରଳରେ ମଧୢ ୟୁଡିଏଫ୍‌ର ସହଯୋଗୀଙ୍କ ସହ ଆସନ ଭାଗବଣ୍ଟାର ଅଡୁଆ ଛିଣ୍ତୁ ନାହିଁ। ଅଧିକ ଆସନ ପାଇଁ ସହଯୋଗୀଙ୍କ ଦାବିକୁ ଗ୍ରହଣ କରିବା କ˚ଗ୍ରେସ ପକ୍ଷରେ ସହଜ ହେଉନାହିଁ। ସବୁଠାରୁ ଅଧିକ ଲୋକସଭା ଆସନ ଥିବା ଉତ୍ତର-ପ୍ରଦେଶରେ ତ ବିରୋଧୀ ମହାମେଣ୍ଟର ସମ୍ଭାବନା ହଜିଯାଇଛି। ସମାଜବାଦୀ ପାର୍ଟି ଓ ବହୁଜନ ସମାଜପାର୍ଟି ଏକତରଫା ଭାବେ ଆସନ ବାଣ୍ଟି ନେବା ପରେ କ˚ଗ୍ରେସ ଏକାକୀ ଲଢ଼ିବା ପାଇଁ ଅଣ୍ଟାଭିଡ଼ି ‘ଶେଷଅସ୍ତ୍ର’ ପ୍ରିୟଙ୍କା ଗାନ୍ଧୀଙ୍କ ନେତୃତ୍ବରେ ମଇଦାନକୁ ଓହ୍ଲାଇବା ଲାଗି ବାଧୢ ହୋଇଛି। ଆନ୍ଧ୍ରପ୍ରଦେଶରେ କ˚ଗ୍ରେସ ସହ ପ୍ରାକ୍‌- ନିର୍ବାଚନୀ ଆସନ ବୁଝାମଣା ପାଇଁ ତେଲୁଗୁ ଦେଶମ୍‌ ପ୍ରସ୍ତୁତ ନୁହେଁ।

‘ମୋଦୀ ହଟାଅ’ ରଣହୁଙ୍କାର ଦେଉଥିବା ବିରୋଧୀଙ୍କ ‘ମହାମେଣ୍ଟ’ ନେଇ ଅନିଶ୍ଚିତତା ଲାଗି ରହିଥିବା ବେଳେ ଶାସକ ମେଣ୍ଟ ଏନ୍‌ଡିଏକୁ ଏକ ନୂଆ ରୂପରେ ଗଢ଼ି ତୋଳିବାରେ ବିଜେପି ଆଗରେ ଅଛି। ମାତ୍ର ଦୁଇଦିନ ମଧୢରେ ୮୭ ଲୋକସଭା ଆସନ ଥିବା ଦୁଇଟି ରାଜ୍ୟ- ତାମିଲନାଡୁ ଏବ˚ ମହାରାଷ୍ଟ୍ରରେ ଯଥାକ୍ରମେ ନୂଆ ଓ ପୁରୁଣା ସହଯୋଗୀଙ୍କ ସହ ବିଜେପି ଆସନ ଭାଗବଣ୍ଟା ଚୂଡ଼ାନ୍ତ କରିଛି। ତାମିଲନାଡୁରେ ଆନ୍ନାଡିଏମ୍‌କେ ସହ ମେଣ୍ଟ ବିଜେପି ପାଇଁ ରାଜନୈତିକ ଦୃଷ୍ଟିରୁ ଅତ୍ୟନ୍ତ ଗୁରୁତ୍ବପୂର୍ଣ୍ଣ। କାରଣ ଆନ୍ନାଡିଏମ୍‌କେ ଏନ୍‌ଡିଏରେ ସାମିଲ ହେବା ଫଳରେ ଦକ୍ଷିଣର ଅନ୍ୟତମ ଆଞ୍ଚଳିକ ଦଳ ତେଲୁଗୁଦେଶମ୍‌ ମେଣ୍ଟ ଛାଡ଼ିବା ଯୋଗୁ ଯେଉଁ କ୍ଷତି ହୋଇଥିଲା, ତାହା କିଛିମାତ୍ରାରେ ଭରଣା ହୋଇଛି। ମହାରାଷ୍ଟ୍ରରେ ମଧୢ ‘ଅବୁଝା’ ସହଯୋଗୀ ଶିବସେନାକୁ ମନାଇ ମେଣ୍ଟରେ ସ୍ଥିତାବସ୍ଥା ବଜାୟ ରଖିପାରିବା ବିଜେପି ନେତୃତ୍ବ ପାଇଁ ଏକ ବଡ଼ ଆଶ୍ବସ୍ତି। ଉତ୍ତର-ପୂର୍ବରେ ସହଯୋଗୀ ଭାବେ ଆସାମ ଗଣ ପରିଷଦ ଏନ୍‌ଡିଏରୁ ଦୂରେଇ ଯିବା ପରେ ଏ କ୍ଷତି ଭରଣା ପାଇଁ ବିଜେପି ଆଉ ଦୁଇଟି ଦକ୍ଷିଣ ରାଜ୍ୟରେ ନୂଆ ସହଯୋଗୀ ଖୋଜୁଛି। କେରଳରେ ଓବିିସିଙ୍କ ମଧୢରେ ସମର୍ଥନ ଥିବା ଭାରତୀୟ ଧର୍ମ ଜନସେନା ଏବ˚ ଆନ୍ଧ୍ରରେ ସିନେ ଅଭିନେତା ପବନ କଲ୍ୟାଣଙ୍କ ଜନସେନା ସହ ମୂଲଚାଲ ଚଳାଇଛି। ଏହି ଦଳମାନେ ଅନାମଧେୟ ହେଲେ ସୁଦ୍ଧା ‘ନାହିଁ ମାମୁ ଠାରୁ କଣା ମାମୁ ଭଲ’ ନ୍ୟାୟରେ ଯତ୍‌କିଞ୍ଚିିତ ଲାଭ ପାଇବା ଆଶାରେ ଏମାନଙ୍କୁ ସାଙ୍ଗରେ ନେବା ଲାଗି ବିଜେପି ଆଗ୍ରହୀ।

ସମଭାବାପନ୍ନ ଅଣ-ବିଜେପି ଦଳମାନଙ୍କୁ ନେଇ ଜାତୀୟ ସ୍ତରରେ ଏକ ମହାମେଣ୍ଟ ଗଠନ ଲାଗିି ବହୁ ପୂର୍ବରୁ ଉଦ୍ୟମ ଆରମ୍ଭ କରିଥିଲେ ସୁଦ୍ଧା କ˚ଗ୍ରେସକୁ ଆଶାଜନକ ସଫଳତା ମିଳୁ ନଥିବା ବେଳେ ବିଜେପି ଏ କ୍ଷେତ୍ରରେ ଆଗୁଆ ରହିବାର କାରଣ କ’ଣ ହୋଇପାରେ? ସର୍ବପୁରାତନ ଦଳ ତା’ର ପୁରୁଣା ମାନସିକତାରୁ ମୁକୁଳି ବାସ୍ତବତାକୁ ସ୍ବୀକାର କରି ପରିବର୍ତ୍ତିତ ପରିସ୍ଥିତି ସହ ସାଲିସ କରି ପାରୁନାହିଁ। ବର୍ତ୍ତମାନର କ˚ଗ୍ରେସ ଅତୀତର ‘ଗ୍ରାଣ୍ତ ଓଲ୍‌ଡ଼ ପାର୍ଟି’ର ଏକ ଫିକା ଛାଇ ମାତ୍ର। ଏ କଠୋର ବାସ୍ତବତାକୁୁ କ˚ଗ୍ରେସ ମ୍ୟାନେଜରମାନେ ଗ୍ରହଣ କରିବାକୁ ନାରାଜ। ଅନ୍ୟପକ୍ଷରେ ବିଜେପି ନେତୃତ୍ବ ଚଉଦରେ ଏକାକୀ ସ˚ଖ୍ୟାଗରିଷ୍ଠତା ହାସଲର ଅହଙ୍କାରରୁ ବାହାରି ଊଣେଇଶର ଅବସ୍ଥାକୁ ଜାଣି ବ୍ୟବସ୍ଥା ନ୍ୟାୟରେ ‘ଭଗବାନ ଗଧ ପାଦ’ ଧରିଲା ଭଳି ସାଲିସ କରିବାକୁ ଆଦୌ କୁଣ୍ଠାବୋଧ କରୁନାହାନ୍ତି। ମହାରାଷ୍ଟ୍ର ଓ ବିହାରରେ ସହଯୋଗୀମାନଙ୍କୁ ପୂର୍ବାପେକ୍ଷା ବିଜେପି ଅଧିକ ସ˚ଖ୍ୟକ ଆସନ ଛାଡ଼ି ଦେଇଛି। ବିହାରରେ ଚଉଦରେ ବିଜେପି ୨୨ଟି ଲୋକସଭା ଆସନରେ ବିଜୟୀ ହୋଇଥିଲା। ଏଥର କିନ୍ତୁ ଦଳ ୧୭ଟି ଆସନରେ ପ୍ରତିଦ୍ବନ୍ଦ୍ବିତା କରିବ। ଜେଡି(ୟୁ)କୁ ସନ୍ତୁଷ୍ଟ କରିବା ଲାଗି ବିଜେପିକୁ ପାଞ୍ଚଟି ଆସନ ଛାଡ଼ିବାକୁ ପଡ଼ିଲା। ଗତଥର ମାତ୍ର ଦୁଇଟି ଆସନରେ ବିଜୟୀ ଜେଡି (ୟୁ) କୁ ୧୭ଟି ଆସନ ଦେବା ବିଜେପି ପାଇଁ ରାଜନୈତିକ ବାଧୢବାଧକତା ହେଲେ ସୁଦ୍ଧା କିଛି ମାତ୍ରାରେ ନିଶ୍ଚୟ ଉଦାରତା। ନୂଆ ଭାଗବଣ୍ଟା ଅନୁଯାୟୀ ୪୦ ଆସନରୁ ବିଜେପି ୧୭, ଜେଡି(ୟୁ) ୧୭ ଓ ରାମବିଳାସ ପାଵାନଙ୍କ ଲୋକ ଜନଶକ୍ତି ପାର୍ଟି ୬ଟି ଆସନରେ ପ୍ରାର୍ଥୀ ଦେବେ। ପାଶଵାନଙ୍କୁ ଗତଥର ଅପେକ୍ଷା ଗୋଟିଏ କମ୍‌ ଆସନ ଦିଆଯାଇଥିବାରୁ, ତା’ର ଭରଣା ପାଇଁ ଗୋଟିଏ ରାଜ୍ୟସଭା ଆସନ ଦେବା ଲାଗି ବିଜେପି ଓ ଜେଡି(ୟୁ) ପ୍ରତିଶ୍ରୁତି ଦେଇଛନ୍ତି। ମହାରାଷ୍ଟ୍ରର ଶିବସେନାକୁ ବିଜେପି କେବଳ ପୂର୍ବାପେକ୍ଷା ୩ଟି ଅଧିକ ଲୋକସଭା ଆସନ ଛାଡ଼ିନାହିଁ, ବିଧାନସଭାରେ ୫୦: ୫୦ ଅନୁପାତରେ ଦୁଇ ଦଳ ମଧୢରେ ଆସନ ଭାଗ ଲାଗି ବୁଘାମଣା ହୋଇଛି। ଗତ ବିଧାନସଭା ନିର୍ବାଚନରେ ଦୁଇ ସହଯୋଗୀ ପୃଥକ୍‌ ପୃଥକ୍‌ ଲଢ଼ିଥିଲେ। ଲୋକସଭା ସହ ବିଧାନସଭା ସକାଶେ ମଧୢ ବୁଝାମଣା ଚୂଡ଼ାନ୍ତ କରିବା ମେଣ୍ଟରେ ସ୍ଥିରତା ପାଇଁ ଜରୁରୀ ଥିଲା। ଏବେ ମୁଖ୍ୟମନ୍ତ୍ରୀ ପଦ ନେଇ ଦୁଇଦଳ ମଧୢରେ ଚାଲିଥିବା ବିବାଦ କେବଳ ଚା’ କପ୍‌ରେ ଝଡ଼। ମାତ୍ର। ଏହା ମେଣ୍ଟକୁ ପ୍ରଭାବିତ କରିବା ସମ୍ଭାବନା କ୍ଷୀଣ। ତାମିଲନାଡୁରେ ମଧୢ ବିଜେପି ସ୍ବଇଚ୍ଛାରେ ତିନିଦଳିଆ ମେଣ୍ଟର କନିଷ୍ଠତମ ସହଯୋଗୀର ଭୂମିକାକୁ ଗ୍ରହଣ କରିନେଇଛି। ତାମିଲନାଡୁର ୩୯ଟି ଲୋକସଭା ଆସନରୁ ଆନ୍ନାଡିଏମ୍‌କେ ୨୮, ପିଏମ୍‌କେ ୭ଟିରେ ପ୍ରତିଦ୍ବନ୍ଦ୍ବିତା କରିବେ ବୋଲି ନିଷ୍ପତ୍ତି ହୋଇଥିବା ବେଳେ ବିଜେପିକୁ ମାତ୍ର ପାଞ୍ଚଟି ଆସନରେ ସନ୍ତୁଷ୍ଟ ରହିବାକୁ ପଡ଼ିଛି।

ବିଜେପି ପକ୍ଷରେ ଏହା ଏକ ବାଧୢବାଧକତା। ଏକଦା ଅଟଳ ବିହାରୀ ବାଜପେୟୀ ଏବ˚ ଲାଲକୃଷ୍ଣ ଆଡଭାନୀଙ୍କ ପରାମର୍ଶଦାତା ଭାବେ କାର୍ଯ୍ୟ କରିଥିବା ବିଜେପିର ପୁରୁଖା ନେତା ସୁଧୀର କୁଲକର୍ଣ୍ଣୀଙ୍କ ଭାଷାରେ ଊଣେଇଶର ବାସ୍ତବତା ମୋଦୀ-ଶାହ ଯୋଡ଼ିକୁ ‘ମିଲାବଟ ରାଜନୀତି’ ପାଇଁ ବାଧୢ କରିଛି। ଏହାଛଡ଼ା ବିଜେପିର ଅନ୍ୟ ବିକଳ୍ପ ନଥିଲା। ବିଜେପି ନେତୃତ୍ବ ହୃଦୟଙ୍ଗମ କରିଛନ୍ତି ଯେ ଚଉଦର ସଫଳତା ଊଣେଇଶରେ ଦୋହରାଇବା ଦଳ ପକ୍ଷରେ ସମ୍ଭବ ହୋଇନପାରେ। ପ୍ରଧାନମନ୍ତ୍ରୀ ମୋଦୀଙ୍କ ଲୋକପ୍ରିୟତା ହ୍ରାସ ପାଉଛି। ଦଳ ଦ୍ବାରା ଶାସିତ ତିନିଟି ରାଜ୍ୟରେ ପରାଜୟରୁ ମଧୢ ସ˚କେତ ସ୍ପଷ୍ଟ ଯେ, ଗତ ସାଢେ଼ ଚାରି ବର୍ଷରେ କେନ୍ଦ୍ର ସରକାରଙ୍କ ପ୍ରଦର୍ଶନରେ ଲୋକେ ସନ୍ତୁଷ୍ଟ ନୁହନ୍ତି। ଜନ ଅସନ୍ତୋଷ ଏକ ‘ସରକାର ବିରୋଧୀ’ ମାନସିକତାରେ ରୂପାନ୍ତରିତ ହେଉଛି। ତେଣୁ ଦଳ ପାଇଁ ମହଙ୍ଗା ପଡ଼ିଲେ ସୁଦ୍ଧା ଯଥା ସମ୍ଭବ ପୁରୁଣା ସହଯୋଗୀଙ୍କୁ ସାଥୀରେ ରଖି ନୂଆ ସହଯୋଗୀ ଖୋଜା ଚାଲିଛି। ଏଥିପାଇଁ ଅନେକ ସ୍ଥାନରେ ମୂଲଚାଲରେ ସାଲିସ କରିବାକୁ ନେତୃତ୍ବ କୁଣ୍ଠିତ ନୁହଁନ୍ତି। ଏହାର ପରିଣତି ବିଷୟରେ ମଧୢ ବିଜେପି ନେତୃତ୍ବ ଅବଗତ। ଏନ୍‌ଡିଏରେ ଦଳର ପ୍ରାଧାନ୍ୟ ପୂର୍ବାପେକ୍ଷା କ୍ଷୁଣ୍ଣ ହୋଇପାରେ। କିନ୍ତୁ ଏହାଦ୍ବାରା ଯଦି ବୃହତ୍ତର ଲକ୍ଷ୍ୟ- ପୁନର୍ବାର କ୍ଷମତାକୁ ପ୍ରତ୍ୟାବର୍ତ୍ତନ- ହାସଲ ସମ୍ଭବ ତେବେ ‘ସାଲିସ’ କରିବାରେ ବିଶେଷ କ୍ଷତି ନାହିଁ। ସର୍ବପୁରାତନ ଦଳ କ˚ଗ୍ରେସ ପ୍ରତିଦ୍ବନ୍ଦ୍ବୀ ବିଜେପିଠାରୁ ଅନ୍ୟ କିଛି ନହେଲେ ବି, ଅନ୍ତତଃ ଏତିକି ଶିକ୍ଷା ଲାଭ କରିବା ଉଚିତ। ବୃହତ୍ତର ‘ମୋଦୀ ହଟାଅ’ ଲକ୍ଷ୍ୟ ଯଦି ହାସଲ କରିବାର ଅଛି, ତେବେ ବାସ୍ତବତାକୁ ସ୍ବୀକାର କରି ଅହଙ୍କାର ସହ ସାଲିସ କରିବା ଲାଗି ‘ଗ୍ରାଣ୍ତ୍‌ ଓଲ୍‌ଡ଼ ପାର୍ଟି’ ପକ୍ଷରେ ସାମାନ୍ୟତମ କୁଣ୍ଠା ରହିବା ଉଚିତ ନୁହେଁ।

ସମ୍ବନ୍ଧିତ ଖବର