ଫ୍ଲାଇଙ୍ଗ୍‌ କଫିନ୍‌

0

ସ୍ବାଧୀନତା ପ୍ରାପ୍ତି ପରେ ଭାରତୀୟ ସେନାବାହିନୀର ଶେଷ ଅଣଭାରତୀୟ ସେନାଧୢକ୍ଷ ଥିଲେ ଜେନେରାଲ୍‌ ରୟ ବୁଚର‌୍‌। ପ୍ରବାଦ ଅନୁସାରେ ଜେନେରାଲ୍‌ ବୁଚର‌୍‌ ଭାରତୀୟ ସେନାବାହିନୀର ସମ୍ପ୍ରସାରଣ ଓ ଆଧୁନିକୀକରଣ ପାଇଁ ଏକ ଯୋଜନା ପ୍ରସ୍ତୁତ କରି ଜବାହରଲାଲ ନେହରୁଙ୍କ ନିକଟରେ ଉପସ୍ଥାପିତ କରନ୍ତେ, ନେହରୁଙ୍କର ଉତ୍ତର ଥିଲା: ‘‘ଜେନେରାଲ୍‌! ଏହା ଏକ ଅହି˚ସ ଦେଶ। ଆମର ନୀତି ହେଉଛି ଅହି˚ସା। ସେନାବାହିନୀର ଉଚ୍ଛେଦ କରିଦିଅ। ଆମେ ଆଇନ ଶୃଙ୍ଖଳା ରକ୍ଷା କରିବା ପାଇଁ କେବଳ ପୁଲିସ ଦରକାର କରୁ।’’ ଏହା ବୋଧହୁଏ ‘ପଞ୍ଚଶୀଳ’ର ପ୍ରବକ୍ତା ନେହରୁଙ୍କର ସେଇ ଅହି˚ସାପ୍ରେମୀ ମାନସିକତାର ଅ˚ଶ, ଯେଉଁଥିପାଇଁ ୧୯୬୨ ଯୁଦ୍ଧରେ ଚୀନ୍‌ ଭାରତକୁ ଶୋଚନୀୟ ଭାବରେ ପରାସ୍ତ କରି ଆକ୍‌ସାଇ ଚୀନ୍‌ ଅଞ୍ଚଳ ଦଖଲ କରି ନେବା ପରେ ଏହାକୁ ଏକ ଗୁରୁତ୍ବହୀନ ଘଟଣା ରୂପେ ପ୍ରଦର୍ଶିତ କରିବା ଉଦ୍ଦେଶ୍ୟରେ ନେହରୁ ପାର୍ଲାମେଣ୍ଟ୍‌ରେ ଏ ସମ୍ପର୍କିତ ଏକ ବିତର୍କରେ ଅ˚ଶ ଗ୍ରହଣ କରି କହିଥିଲେ: ‘‘ସେଠାରେ ଘାସ ପତ୍ରଟିଏ ମଧୢ କଅଁଳେ ନାହିଁ।’’ ଅର୍ଥାତ୍‌ ଆକ୍‌ସାଇ ଚୀନ୍‌ ଏପରି ଏକ ଜୀବନ-ପ୍ରତିକୂଳ ଉଷର ଭୂଇଁ ଯେ ତାହା ଚୀନ୍‌ ଦଖଲକୁ ଚାଲିଗଲେ ଭାରତ କିଛି ହରାଇବ ନାହିଁ। (ତୁଙ୍ଗ ସା˚ସଦ ମହାବୀର ତ୍ୟାଗୀ ଏହାର ଜବାବ ଆକାରରେ ନିଜର କେଶହୀନ ଲଣ୍ତା ମୁଣ୍ତ ପ୍ରତି ଅଙ୍ଗୁଳି ନିର୍ଦ୍ଦେଶ କରି କହିଥିଲେ: ‘‘ଏଠାରେ ମଧୢ କିଛି ହେଲେ କଅଁଳୁ ନାହିଁ… ଏହାକୁ କ’ଣ କାଟି ଦିଆଯିବା ବା କାହାକୁ ଦେଇ ଦିଆଯିବା ଉଚିତ?’’)

ନେହରୁଙ୍କର ଏତାଦୃଶ ଆଖିମୁଖ୍ୟ ଯୋଗୁଁ ହେଉ କିମ୍ବା ଅନ୍ୟ କୌଣସି କାରଣ ଯୋଗୁଁ ହେଉ, ଏହା ଜଣାଶୁଣା ଯେ ୧୯୬୨ରେ ଆଧୁନିକ ଅସ୍ତ୍ରଶସ୍ତ୍ର ସୁସଜ୍ଜିତ ଚୀନା ସୈନ୍ୟମାନଙ୍କର ସାମନା କରିଥିବା ଭାରତୀୟ ସୈନ୍ୟମାନଙ୍କ ପାଦରେ ଉପଯୁକ୍ତ ବୁଟ୍‌ ନଥିଲା, ଶରୀରକୁ ଥଣ୍ତାରୁ (ଅକ୍ଟୋବର‌୍‌ ନଭେମ୍ବରର ପ୍ରଚଣ୍ତ ହିମାଳୟ ଥଣ୍ତା) ସୁରକ୍ଷା ଦେବା ପାଇଁ ଉପଯୁକ୍ତ ଶୀତବସ୍ତ୍ର ନଥିଲା, ଏବ˚ ଚୀନା ଗୁଳିବର୍ଷଣର ଜବାବ ଦେବା ପାଇଁ ହାତରେ ସ୍ବୟ˚ଚାଳିତ ରାଇଫ୍‌ଲ ନଥିଲା (ଥିଲା .୩୦୩ ବୋଲ୍‌ଟ ଆକ୍‌ସନ୍‌ ବନ୍ଧୁକ)। ଭାରତୀୟ ସୈନ୍ୟମାନଙ୍କ ମୁଣାରେ ମଧୢ ଯଥେଷ୍ଟ ଗୁଳି ନଥିଲା, ଯାହା ନିମିଷକ ମଧୢରେ ସରିଯିବା ପରେ ସେମାନେ ଅସୀମ ବୀରତ୍ବ ପ୍ରଦର୍ଶନ କରି ବନ୍ଧୁକର ବାୟୋନେଟ୍‌ ଦ୍ବାରା ଯୁଦ୍ଧ କରି ଶତ୍ରୁ ନାଶ କରି ନିଜର ପ୍ରାଣପାତ କରିବାର ଅନେକ କାହାଣୀ ସେ ସମୟରେ ଦେଶବାସୀଙ୍କୁ ରୋମାଞ୍ଚିତ କରିଥିଲା। କୁହାଯାଇଥାଏ ୧୯୬୨ର ଚୀନ୍‌ ଯୁଦ୍ଧରେ ଭାରତୀୟ ସେନାବାହିନୀ ସବୁ କିଛି ହରାଇଥିଲା କେବଳ ଗୋଟିଏ ଜିନିଷକୁ ଛାଡ଼ି- ତାହା ହେଉଛି ସେମାନଙ୍କର ବୀରତ୍ବ।

ବର୍ତ୍ତମାନ କି˚ବଦନ୍ତି ପାଲଟିଥିବା ଭାରତୀୟ ବାୟୁସେନାର ଯୁବ ଵିଙ୍ଗ୍‌ କମାଣ୍ତର‌୍‌ ଅଭିନନ୍ଦନ ବର୍ଦ୍ଧମାନଙ୍କର ପାକିସ୍ତାନୀ ବିମାନ ବାହିନୀ ସହିତ ବାୟୁ ଯୁଦ୍ଧର ଯେଉଁ ବିବରଣୀ ପୃଥିବୀସାରା ଚର୍ଚ୍ଚାର ବିଷୟ ପାଲଟିଛି, ତାହା ଯଦି କାହାକୁ ପାୟ ଛ’ଦଶନ୍ଧି ତଳର ସେଇ ଭାରତୀୟ ବୀର ସୈନିକମାନଙ୍କର ଗାଥା ମନେ ପକାଇ ଦେଉଥାଏ, ସେଥିରେ ଆଶ୍ଚର୍ଯ୍ୟ ହେବାର କିଛି ନାହିଁ। ଵିଙ୍ଗ୍‌ କମାଣ୍ତର‌୍‌ ଅଭିନନ୍ଦନ ଯେଉଁ ରୁଷୀୟ ମିଗ୍‌-୨୧ ବାଇସନ୍‌ ଉଡ଼ାଇ ତା’ଠାରୁ ବହୁ ଉନ୍ନତ ଅତ୍ୟାଧୁନିକ ପାକିସ୍ତାନ ଏଆର‌୍‌ଫୋର୍ସର ଆମେରିକୀୟ ଏଫ୍‌-୧୬ ଯୁଦ୍ଧ ବିମାନକୁ କ୍ଷେପଣାସ୍ତ୍ର ମାଡ଼ କରି ତଳକୁ ଖସାଇବାରେ ସଫଳ ହେବା ପରେ ତାହା ଯାନ୍ତ୍ରିକ ସମସ୍ୟା ଯୋଗୁଁ ସହଜରେ ଶତ୍ରୁ ଗୁଳି ମାଡ଼ର ଶିକାର ହୋଇ ସୀମା ସେପଟେ ତଳକୁ ଖସି ପଡ଼ିଲା, ସେଇ ମିଗ୍‌-ବିମାନ ନିୟମ ଅନୁସାରେ ୧୯୯୦ ଦଶକ ମଧୢବର୍ତ୍ତୀ ସମୟରୁ ଅବସର ନେଇ ଯାଇଥିବା କଥା କିନ୍ତୁ ସେବେଠାରୁ ବାରମ୍ବାର ତାର ମରାମତି ଓ ଉନ୍ନତୀକରଣ କରାଯାଇ ଭାରତୀୟ ବାୟୁସେନାରେ ତାହାକୁ ବ୍ୟବହାର କରାହୋଇ ଆସୁଛି। ଭାରତ ହେଉଛି କୌଣସି ଗୁରୁତ୍ବପୂର୍ଣ୍ଣ ବିମାନ ବାହିନୀ ଥିବା ଏକମାତ୍ର ଦେଶ ଯିଏ ତଥାପି ମିଗ୍‌-୨୧ ବିମାନ ବ୍ୟବହାର କରୁଛି। ବାସ୍ତବରେ ଏହି ମିଗ୍‌-୨୧ ବିମାନ ଧରି ପାକିସ୍ତାନର ଏଫ୍‌-୧୬ର ମୁକାବିଲାର ଏକମାତ୍ର ସମ୍ଭାବ୍ୟ ପରିଣାମ ହୁଅନ୍ତା ଅଭିନନ୍ଦନଙ୍କର ନିଶ୍ଚିତ ଅନ୍ତ। ଏହା ସତ୍ତ୍ବେ ଅଭିନନ୍ଦନ ଯେଉଁ କୀର୍ତ୍ତି ସ୍ଥାପନ କରିଛନ୍ତି, ତାହା ତାଙ୍କୁ ଯୋଗାଇ ଦିଆଯାଇଥିବା ଯୁଦ୍ଧ ବିମାନ ଯୋଗୁଁ ନୁହେଁ, ତାହା ହେଉଛି ୧୯୬୨ର ବାହାଦୁର ନିରସ୍ତ୍ର ସୈନିକଙ୍କ ଭଳି ଅଭିନନ୍ଦନଙ୍କ ବିଶୁଦ୍ଧ ବୀରତ୍ବର କୀର୍ତ୍ତି।

ବର୍ତ୍ତମାନ ଯାହା ଜନସାଧାରଣଙ୍କୁ ମଧୢ ଅଛପା ନୁହେଁ ତାହା ହେଲା ଏହି ମିଗ୍‌-୨୧ର ଅନ୍ୟ ନାମ ‘ଫ୍ଲାଇଙ୍ଗ୍‌ କଫିନ୍‌’ ବା ‘ଉଡ଼ନ୍ତା କଫିନ୍‌’। ଏପରି ଭୟଙ୍କର ନାମକରଣର କାରଣ ମଧୢ ସମସ୍ତଙ୍କୁ ଜଣା: ୧୯୭୧ରୁ ୨୦୧୨ ଏପ୍ରିଲ୍‌ ମଧୢରେ ୪୮୨ଟି ମିଗ୍‌ ବିମାନ ଦୁର୍ଘଟଣା ଘଟି ୧୭୧ ଜଣ ପାଇଲଟ୍‌, ୩୯ ଜଣ ବେସାମରିକ ବ୍ୟକ୍ତି, ଆଠଜଣ ସାମରିକ କର୍ମଚାରୀ ଏବ˚ ଜଣେ ବିମାନ କର୍ମଚାରୀଙ୍କ ମୃତ୍ୟୁ ଘଟିଥିଲା ବୋଲି ଖୋଦ୍‌ ୟୁପିଏ ସରକାର ମଇ ୨୦୧୨ରେ ପାର୍ଲାମେଣ୍ଟ୍‌କୁ ଜଣାଇଥିଲେ। କଳ୍ପନା କରାଯାଉ, ଅଭିନନ୍ଦନଙ୍କ ପରି ଜଣେ ଅମୂଲ୍ୟ ପ୍ରତିରକ୍ଷା ମାନବ ସମ୍ବଳଙ୍କୁ ଏହି କଫିନ୍‌ରେ ପଶି ଲଢ଼ିବାକୁ ଛାଡ଼ି ଦିଆଯାଇଛି! ଏହାର ସରଳ କାରଣ ହେଲା ଆମ ବିମାନ ବାହିନୀ ପାଖରେ ଏହି ବିମାନ ମାନ ହିଁ ରହିଛି।

୧୯୯୯ର କାର‌୍‌ଗିଲ୍‌ ଯୁଦ୍ଧରେ ମିରାଜ୍‌-୨୦୦୦ ବିମାନମାନ ଚମତ୍କାର ପ୍ରଦର୍ଶନ କରିଥିଲେ। ପର ପର ତିନିଜଣ ବାୟୁସେନା ମୁଖ୍ୟ ମିଗ୍‌-୨୧ ସବୁକୁ ହଟାଇ ଭାରତୀୟ ବିମାନ ବାହିନୀରେ ସେ ସ୍ଥାନରେ ମିରାଜ୍‌-୨୦୦୦ ଭର୍ତ୍ତି କରିବା ପାଇଁ ପ୍ରବଳ ଉଦ୍ୟମ କରିଥିଲେ ହେଁ ସରକାରୀ ବ୍ୟବସ୍ଥା ତାହା କରାଇ ଦେଇ ନଥିଲା। ଏହାର ଏକ ସରଳ ମନସ୍ତାତ୍ତ୍ବିକ କାରଣ ମଧୢ ରହିଛି। ପ୍ରଧାନମନ୍ତ୍ରୀ ରାଜୀବ ଗାନ୍ଧୀଙ୍କ ସମୟରେ ହୋଇଥିବା ବୋଫର୍ସ ଦୁର୍ନୀତି ପରବର୍ତ୍ତୀ ସମୟରେ ଏପରି ଏକ ଛାନିଆ ଭାବ ସୃଷ୍ଟି କରିଥିଲା ଯେ ଏନ୍‌ଡିଏ ସରକାରରେ ପ୍ରତିରକ୍ଷା ମନ୍ତ୍ରୀ ଥିବା ଜର୍ଜ ପର୍ଣ୍ଣାଣ୍ତେସ୍‌ଙ୍କ ପରି ସାହସୀ ନେତା ମଧୢ ମିରାଜ୍‌-୨୦୦୦ କ୍ରୟ ଭଳି ବଡ଼ କାରବାରରେ ପଶିବାକୁ କୁଣ୍ଠିତ ହେଲେ। ଡରକୁଳା ରକ୍ଷାମନ୍ତ୍ରୀ ଏ କେ ଆଣ୍ଟୋନିଙ୍କ କଥା ଛାଡ଼। ଏହା ପରିବର୍ତ୍ତେ ୨୦୦୭ରେ କ˚ଗ୍ରେସ ନେତୃତ୍ବାଧୀନ ସରକାର ଏକ ‘ମିଡିଅମ୍‌ ମଲ୍‌ଟି ରୋଲ୍‌ କମ୍ବାଟ ଏଆରକ୍ରାଫ୍‌ଟ’ (ଏମ୍ଏମ୍‌ଆ୍ର୍‌ସିଏ’) ନିର୍ମାଣ ପାଇଁ ପ୍ରକ୍ରିୟା ଆରମ୍ଭ କଲା। ଏଥିପାଇଁ ଛ’ଟି ବିଦେଶୀ ଭେଣ୍ତର‌୍‌ଙ୍କର ସ˚କ୍ଷିପ୍ତ ତାଲିକା ପ୍ରସ୍ତୁତ ହେଲା। ପ୍ରଥମ ୧୮ଟି ବିମାନ ଉଡ଼ିବାକ୍ଷମ ଅବସ୍ଥାରେ ଭାରତ କ୍ରୟ କରିବ ଏବ˚ ବାକି ୧୦୮ଟି ଏଠାରେ ଟେକ୍ନୋଲୋଜି ହସ୍ତାନ୍ତର ଭିତ୍ତିରେ ନିର୍ମିତ ହେବା କଥା।

ନରେନ୍ଦ୍ର ମୋଦୀ କିନ୍ତୁ ଭିନ୍ନ କିସମର ନେତା। ଦେଶର ପ୍ରତିରକ୍ଷା ଆବଶ୍ୟକତାକୁ ପ୍ରାଧାନ୍ୟ ଦେଇ ସେ ୨୦୧୫ ଏପ୍ରିଲ୍‌ରେ ଉପରୋକ୍ତ ଦୀର୍ଘସୂତ୍ରୀ ପ୍ରକ୍ରିୟାଠାରୁ ଦୂରେଇ ଯାଇ ଫ୍ରାନ୍‌ସଠାରୁ ମିରାଜ୍‌ର ପରବର୍ତ୍ତୀ ସ˚ସ୍କରଣ ରାଫାଲ୍‌ ଯୁଦ୍ଧ ବିମାନରୁ ୩୬ଟି ଉଡ଼ିବାକ୍ଷମ ଅବସ୍ଥାରେ କ୍ରୟ କରିବା ପାଇଁ ଘୋଷଣା କଲେ। ପରବର୍ତ୍ତୀ ସମୟରେ ସରକାର ବିଳମ୍ବିତ ‘ଏମ୍‌ଏମ୍‌ଆରସିଏ’ ପାଇଁ ହୋଇଥିବା ଟେଣ୍ତର ପ୍ରତ୍ୟାହାର କରିନେଲେ। ଏହା ପରର କାହାଣୀ ହେଲା ନେହରୁଙ୍କର ଚତୁର୍ଥ ପିଢ଼ି ଦାୟାଦ ରାହୁଲ ଗାନ୍ଧୀ ରାଫାଲ୍‌ ଆସିବା ପଥରେ ଉଦ୍ଭଟ ଓ କପୋଳକଳ୍ପିତ ପ୍ରତିବନ୍ଧମାନ ସୃଷ୍ଟି କରିବାକୁ ଚଳାଇଥିବା ପ୍ରାଣମୂର୍ଚ୍ଛା ଉଦ୍ୟମ। ନିଜର ରାଜନୈତିକ ଉଚ୍ଚାଶା ସାର୍ଥକ କରିବା ପାଇଁ ଅଭିନନ୍ଦନଙ୍କ ଭଳି ଦେଶର ରକ୍ଷକମାନଙ୍କୁ ‘ଫ୍ଲାଇଙ୍ଗ୍‌ କଫିନ୍‌’ ଭିତରେ ବନ୍ଦୀ କରି ରଖିବାର ପରିଣାମ କିପରି ଭୟାବହ ତାହା ବୋଧହୁଏ ସେ ଏ ଯାଏ ବୁଝିପାରୁନାହାନ୍ତି।

ସମ୍ବନ୍ଧିତ ଖବର

Leave A Reply

Your email address will not be published.