ନିଶ ନିଶା

ପୁଲଵାମା, ବାଲାକୋଟ ଓ ତାହାକୁ ଅନୁସରଣ କରି ଭାରତ-ପାକିିସ୍ତାନ ମଧୢରେ ଘଟିଥିବା ସ˚କ୍ଷିପ୍ତ ବାୟୁଯୁଦ୍ଧକୁ ଯଦି ଏକ ସମୁଦ୍ର ମନ୍ଥନ ରୂପେ ବିଚାର କରାଯାଏ, ତେବେ ଏଥିରୁ ଯେଉଁ ସର୍ବାଧିକ ଦୃଶ୍ୟମାନ ଫଳ ଫଳିଛି, ତାହା ଯେଉଁ ପ୍ରସିଦ୍ଧ ସରସ ସାହିତ୍ୟିକଙ୍କର ସର୍ବାଧିକ ସନ୍ତୋଷ ବିଧାନ କରନ୍ତା, ସେ ହେଉଛନ୍ତି ଏବେବି ପୃଥିବୀ ସାରା କୋଟି କୋଟି ପାଠକ ପାଠିକାଙ୍କର ହୃଦୟରେ ଆସ୍ଥାନ ଜମାଇ ରହିଥିବା ବି˚ଶ ଶତାବ୍ଦୀର ମହାନ୍‌ ବ୍ରିଟିସ୍‌ ଔପନ୍ୟାସିକ ସ୍ବର୍ଗତ୍‌ ପିଜି ଓଡ୍‌ହାଉସ୍‌। ଆମର ଏପରି ବିଚାରର କାରଣ ନିମ୍ନୋକ୍ତ ଘଟଣାରୁ ସ୍ପଷ୍ଟ ହେବ।
ଜର୍ମାନୀ ରାଇନ୍‌ଲ୍ୟାଣ୍ତ୍‌ର ପୁନର୍ଦଖଲ କରିବାର ପ୍ରାୟ ଛ’ ମାସ ପରେ ୧୯୩୬ ସେପ୍‌ଟେମ୍ବରରେ ଓଡ୍‌ହାଉସ୍‌ ତାଙ୍କର ଏକ ବହୁଳ ଆଦୃତ କାହାଣୀ ପ୍ରକାଶ କରିଥିଲେ, ଯାହାର ଶୀର୍ଷକ ଥିଲା- ‘ବେରିଡ୍‌ ଟ୍ରେଜର‌୍‌୍‌’ (ପୋତା ଧନ)। ଏକ ପାନଶାଳା (ପବ୍‌)ରେ ବସି ମଦ୍ୟପାନ କରୁଥିବା କେତେକ ଗ୍ରାହକଙ୍କ ମଧୢରେ ହେଉଥିବା ଜର୍ମାନୀ ଓ ହିଟ୍‌ଲର‌୍‌ଙ୍କ ସମ୍ବନ୍ଧରେ ଆଲୋଚନାର ବର୍ଣ୍ଣନାରୁ କ୍ଷୁଦ୍ର କାହାଣୀଟିର ଆରମ୍ଭ ହୋଇଛି। ହିଟ୍‌ଲର‌୍‌ ଏକ ବ୍ୟାପକ ଯୁଦ୍ଧ ଆରମ୍ଭ କରିବେ କି ନାହିଁ ସେ ନେଇ ସାଧାରଣ ଲୋକମାନଙ୍କ ମନରେ ଏକ ଗଭୀର ଦ୍ବନ୍ଦ୍ବ ଲାଗି ରହିଥାଏ। ଓଡ୍‌ହାଉସ୍‌ଙ୍କ କାହାଣୀର ‘ଆଙ୍ଗ୍‌ଲର‌୍‌ସ ରେଷ୍ଟ’ ନାମକ ସେଇ ବ୍ରିଟିସ୍‌ ପବ୍‌ରେ ଆଲୋଚନାରତ ମଦ୍ୟପମାନଙ୍କର ମନ ମଧୢ ଏହି ହିଟ୍‌ଲର‌୍‌ ସୃଷ୍ଟ ଅନିଶ୍ଚିତତା ଦ୍ବାରା ଆନ୍ଦୋଳିତ ହେଉଥାଏ। ଏହାକୁ ସୁନ୍ଦର ଭାବରେ ପ୍ରତିଫଳନ କରିଥିବା ଓଡ୍‌ହାଉସ୍‌ଙ୍କ ଗଳ୍ପର ପ୍ରଥମ ଅନୁଚ୍ଛେଦଟି ଥିଲା ଏହିପରି:
‘ଆଙ୍ଗ୍‌ଲର‌୍‌ସ ରେଷ୍ଟ’ର ବାର‌୍‌ ପାର୍ଲର‌୍‌ରେ ଜମାର୍ନୀର ପରିସ୍ଥିତି ଆଲୋଚନାର ବିଷୟବସ୍ତୁ ପାଲଟିଥିଲା ଏବ˚ ସମସ୍ତେ ପ୍ରାୟ ଏକମତ ହୋଇଥିଲେ ଯେ ହିଟ୍‌ଲର‌୍‌ ଦୋଛକିରେ ଛିଡ଼ା ହୋଇଛନ୍ତି ଏବ˚ ସେ ଖୁବ୍‌ ଶୀଘ୍ର କୌଣସି ନିର୍ଦ୍ଦିଷ୍ଟ ପଦକ୍ଷେପ ନେବାକୁ ବାଧୢ ହେବେ। ହ୍ବିିସ୍କି ଓ ସ୍ପ୍ଲାସ୍‌ ପାନ କରୁଥିବା ଜଣେ କହିଲେ ହିଟ୍‌ଲର‌୍‌ ଯେଉଁ ନୀତି ଅବଲମ୍ବନ କରିଛନ୍ତି ତାହା କେବଳ ଏକ ଦୋଦୋପାଞ୍ଚ ନୀତି ମାତ୍ର। ସେ କହିଲେ, ‘‘ସେ ତାହାକୁ ବଢ଼ିବାକୁ ଦେବା ଉଚିତ କିମ୍ବା ଖିଅର ହୋଇ ସମ୍ପୂର୍ଣ୍ଣ ସଫା କରିଦେବା ଉଚିତ। ସେ ଏପରି ବାଡ଼ ଉପରେ ବସି ରହିଲେ ଚଳିବ ନାହିଁ। ଜଣେ ମରଦ ପିଲା ନିଶ ରଖିପାରେ ବା ନପାରେ। ଏଥିପାଇଁ କୌଣସି ମଧୢମ ମାର୍ଗର ପ୍ରଶ୍ନ ନାହିଁ।’’
ଏଥିରେ ସନ୍ଦେହ ନାହିଁ ଯେ ଓଡ୍‌ହାଉସ୍‌ଙ୍କ କାହାଣୀର ଏହି ସ˚ଟିପ୍ତ ଉଦ୍ଧୃତିଟି ପାଠ କଲାପରେ ପାଠକ ପାଠିକାଙ୍କ ମାନସପଟରେ ଯେଉଁ ଚେହେରାଟି ଉଙ୍କିମାରି ସାରିଥିବ ତାହା ହେଉଛି ଆଡଲଫ୍‌ ହିଟ୍‌ଲରଙ୍କ ପ୍ରସିଦ୍ଧ ଖଣ୍ତି ନିଶ ବିଶିଷ୍ଟ ମୁଖମଣ୍ତଳ। ପାନଶାଳାର ସେ ମନ୍ତବ୍ୟକାରଙ୍କ ମତରେ ହିଟ୍‌ଲର‌୍‌ ମନ ସ୍ଥିର କରିପାରୁ ନାହାନ୍ତି ନିଜର ନିଶଟିକୁ ଦୁଇ ପଟକୁ ପୂରା ଲମ୍ବିବାକୁ ଦେବେ କି ନିଶକୁ ପୂରା ଚାଞ୍ଛି ଉଡ଼ାଇ ଦେବେ। ସେ ଦୋଦୋପାଞ୍ଚ ହୋଇ ନିଜର ନାକ ତଳେ ଏକ ଖଣ୍ତି ନିଶ ରଖିବା ଭଳି ସେ ବୋଧହୁଏ ମନ ସ୍ଥିର କରିପାରୁ ନାହାନ୍ତି ଯୁଦ୍ଧ ଆରମ୍ଭ କରିବେ କି ନ କରିବେ। ସତେ ଯେମିତି ହିଟ୍‌ଲର‌୍‌ଙ୍କ ଖଣ୍ତି ନିଶ ଥିଲା ତାଙ୍କର ଅସଲ ଦୁର୍ବଳ ବ୍ୟକ୍ତିତ୍ବର ପରିଚୟ! ଉପରବର୍ଣ୍ଣିତ ସମୁଦ୍ର ମନ୍ଥନର ଯେଉଁ ସର୍ବାଧିକ ଦୃଶ୍ୟମାନ ଫଳଟି ଓଡ୍‌ହାଉସ୍‌ ତଥା ‘ଆଙ୍ଗଲର‌୍‌ସ ରେଷ୍ଟ୍’ ପବ୍‌ର ତାଙ୍କର ସେ ମନ୍ତବ୍ୟକାରଙ୍କର ସମ୍ପୂର୍ଣ୍ଣ ସନ୍ତୋଷ ବିଧାନ କରନ୍ତା, ତାହା ହେଉଛି ବର୍ତ୍ତମାନ ଭାରତୀୟ ଉପମହାଦେଶରେ ଜପମାନସକୁ ସମ୍ପୂର୍ଣ୍ଣ ଆବିଷ୍ଟ କରି ରଖିଥିବା ଵିଙ୍ଗ୍‌ କମାଣ୍ତର‌୍‌ ଅଭିନନ୍ଦନ ବର୍ଦ୍ଧମାନଙ୍କର ଅଣହିିଟ୍‌ଲରୀୟ ମଧୢମ ମାର୍ଗ-ବିରୋଧୀ ସମ୍ପୂର୍ଣ୍ଣ ସମ୍ପ୍ରସାରିତ ନିଶ।
ସତେ ଯେମିତି ଓଡ୍‌ହାଉସ୍‌ଙ୍କର ନିଶତତ୍ତ୍ବକୁ ପ୍ରମାଣିତ କଲା ଭଳି ଏକ ନିଶ (ବିଭିନ୍ନ ବର୍ଣ୍ଣନା ଅନୁସାରେ ‘ହାଣ୍ତଲ୍‌ବାର‌୍‌’, ‘ଗନ୍‌ସ୍ଲିଙ୍ଗର‌୍‌’, ‘ଫ୍ରାଞ୍ଜ୍‌ ଜୋଶେଫ୍‌’ ଆଦି ନାମରେ ନାମିତ ସତ, ଏହା କିନ୍ତୁ ବର୍ତ୍ତମାନ ନିଜର ଏକ ସମ୍ପୂର୍ଣ୍ଣ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଛି- ‘ଅଭିନନ୍ଦନ ନିଶ’) ଧାରଣ କରିଥିବା ଅଭିନନ୍ଦନ ବର୍ଦ୍ଧମାନଙ୍କର ଯେଉଁ ଚାରିତ୍ରିକ ଦିଗ ଦେଶ ବିଦେଶରେ ଚର୍ଚ୍ଚିତ ହେବାରେ ଲାଗିଛି ତାହା ହେଲା ଏକ ସମ୍ପୂର୍ଣ୍ଣ ଆତ୍ମବିଶ୍ବାସଭରା, ସ୍ଥିରମନା, ବିଚକ୍ଷଣ, ପେସାଦାର, ସାହସୀ, ଦେଶଭକ୍ତ ଯୋଦ୍ଧାର। କୁହାଯାଇଥାଏ, ଗୋଟିଏ ଚିତ୍ର ହେଉଛି ହଜାରେ ଶବ୍ଦ ସହିତ ସମାନ। ଵିଙ୍ଗ୍‌ କମାଣ୍ତର‌୍‌ ଅଭିନନ୍ଦନଙ୍କ କ୍ଷେତ୍ରରେ ତାହାହିଁ ଘଟିବା ଦେଖାଯାଇଛି। ତାଙ୍କ ନିଶର କେବଳ ଚିତ୍ରଟିଏ ହିଁ ତାଙ୍କ ସମ୍ବନ୍ଧରେ ସବୁ କଥା କହି ଦେଇଥାଏ। ଯିଏ ବି ତାଙ୍କ ନିଶର ଛବି ଦେଖେ, ତାର ମନେ ପଡ଼ିଯାଏ ପାକିସ୍ତାନୀମାନେ ସୋସିଆଲ୍‌ ମିଡିଆରେ ପ୍ରସାର କରିଥିବା ତାଙ୍କର ରକ୍ତ ଜୁଡୁବୁଡୁ ମୁହଁରୁ ଉଙ୍କି ମାରୁଥିବା ତାଙ୍କର ଏହି ପ୍ରସିଦ୍ଧ ନିଶର ଚିତ୍ର, ମନେ ପଡ଼ିଯାଏ ସେଠାରେ ଶତ୍ରୁ ଘେରରେ ଥାଇ ସେ କିପରି ଭାରତ ମାତାଙ୍କ ଜୟଗାନ କରିଥିଲେ, କିପରି ଗୁଳି ଫୁଟାଇ ସେମାନଙ୍କୁ ଘଉଡ଼ାଇବାକୁ ଚେଷ୍ଟା କରିଥିଲେ, କିପରି ଗୁପ୍ତ କାଗଜପତ୍ର ଗିଳି ପକାଇବାକୁ ଚେଷ୍ଟା କରିଥିଲେ, କିପରି ଶତ୍ରୁପକ୍ଷର ପ୍ରଶ୍ନକର୍ତ୍ତାଙ୍କର ଅନେକ ପ୍ରଶ୍ନର ଉତ୍ତର ଦେବା ପାଇଁ ଦୃଢ଼ତାର ସହିତ ମନା କରି ଦେଇଥିଲେ।
ପାକିସ୍ତାନୀ ପକ୍ଷ ସେମାନଙ୍କ ଭାଗ୍ୟକୁ ଦୋଷ ଦେଉଥିବେ, ଯଦି ଜଣେ ଭାରତୀୟ ପାଇଲଟ୍‌ ପାକିସ୍ତାନ ମାଟିରେ ଗଳି ପଡ଼ିବାର ଥିଲା, ଏପରି ଜଣେ ଶକ୍ତିଶାଳୀ କାହାଣୀ ସୃଷ୍ଟିକାରୀ ଓଡ୍‌ହାଉସୀୟ ନିଶଧାରୀ ଯୋଦ୍ଧାଙ୍କୁ ହିଁ କାହିଁକି ଭାଗ୍ୟ ବାଛିଲା? ଅଭିନନ୍ଦନ ଓ ତାଙ୍କର ନିଶ ଭାରତୀୟ ମାନଙ୍କର ଦେଶ ଭକ୍ତି ତନ୍ତ୍ରୀକୁ ଏପରି ସ୍ପର୍ଶ କରିଛି ଯେ ସୋସିଆଲ୍‌ ମିଡିଆରେ ତାଙ୍କ ନିଶର ଆଇକନ୍‌ ଭାଇରାଲ୍‌ ହୋଇ ଯାଇଥିବା ବେଳେ ସେଲୁନ୍‌ମାନଙ୍କରେ ‘ଅଭିନନ୍ଦନ ନିଶ’ ବନାଇବା ପାଇଁ ଯୁବକମାନଙ୍କର ଧାଡ଼ି ଲାଗିଛି। ବୋଧହୁଏ ଅଭିନନ୍ଦନଙ୍କ ନିଶ ପ୍ରତି ଯେଉଁ ସର୍ବଶ୍ରେଷ୍ଠ ସ୍ବୀକୃତି ମିଳିଛି ତାହା ହେଲା ଦେଶର ବିଭିନ୍ନ ସହରରେ ଝିଅମାନେ ମଧୢ ନିଜ ମୁହଁରେ ଅଭିନନ୍ଦନ ଷ୍ଟାଇଲ୍‌ ନିଶ ଆଙ୍କି ପ୍ରଦର୍ଶନ କରିବା। ଏମିତିକି ପ୍ରସିଦ୍ଧ ଅମୂଲ ବିଜ୍ଞାପନର ଝିଅଟି ଦୁଧପିଆ ନିଶ ଦେଖାଇ କହୁଛି- ‘ମୁଚ୍ଛ୍ ନେହିଁ ତୋ କୁଛ୍‌ ନେହିଁ’। ନିର୍ବାଚନ ଅବ୍ୟବହିତ ପୂର୍ବରୁ ସୃଷ୍ଟି ହୋଇଥିବା ଏ ଦେଶଭକ୍ତିର ଜୁଆର କ୍ଷମତାସୀନ ମୋଦୀ ସରକାରକୁ ସାହାଯ୍ୟ କରିବାର ସମସ୍ତ ସମ୍ଭାବନା ରହିଛି, ଯାହା ପାକିସ୍ତାନ ଆଦୌ ଚାହେଁ ନାହିଁ। କିନ୍ତୁ କିଏ ଜାଣିଥିଲା ହଳେ ନିଶ ହିଁ ଶେଷରେ ସେମାନଙ୍କ ଉପରେ ଏମିତି ଦାଉ ସାଧିବ!

ସମ୍ବନ୍ଧିତ ଖବର