ପୁଣି ରାଫେଲ ଭୂତ

ମାନ୍ୟବର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ନିଜକୁ ଦେଶର ଚୌକିଦାର ବୋଲି ଦାବି କରନ୍ତି। ଅଥଚ, ‘ଜାତୀୟ ନିରାପତ୍ତା’ ଭଳି ଗୁରୁତ୍ବପୂର୍ଣ୍ଣ ପ୍ରସଙ୍ଗ ସହ ଯୋଡ଼ି ହୋଇଥିବା ତାଙ୍କ ସରକାରର ପ୍ରତିରକ୍ଷା ମନ୍ତ୍ରଣାଳୟରେ ସୁରକ୍ଷିତ ଅତ୍ୟନ୍ତ ସ୍ପର୍ଶକାତର ‘ଗୋପନୀୟ ଦଲିଲ୍‌’ ଚୋରି ହୋଇଯାଇଛି। ଏହା କେହି ଅଭିଯୋଗ କରି ନାହାନ୍ତି। ବର˚ ଖୋଦ୍‌ ସରକାର ପ୍ରତିରକ୍ଷା ସ˚କ୍ରାନ୍ତ ଗୁରୁତ୍ବପୂର୍ଣ୍ଣ ‘ଗୋପନୀୟ ଦଲିଲ’ ଚୋରି ହୋଇଥିବା ସ୍ବୀକାର କରିଛନ୍ତି। ରାଫେଲ୍‌ ଯୁଦ୍ଧ ବିମାନ ଖର୍ଦ୍ଦି କାରବାରରେ ଅନିୟମିତତା ଓ ଦୁର୍ନୀତିର ତଦନ୍ତ ଦାବିରେ ଉଚ୍ଚତମ ନ୍ୟାୟାଳୟରେ ଆଗତ ଏକ ସାନି ଆବେଦନ ଉପରେ ଶୁଣାଣି ବେଳେ ସରକାରଙ୍କ ଆଟର୍ଣ୍ଣି ଜେନେରାଲ୍‌ (ଏଜି) ସୂଚନା ଦେଇଥିଲେ ଯେ, ରାଫେଲ୍‌ ସ˚କ୍ରାନ୍ତ ଗୁରୁତ୍ବପୂର୍ଣ୍ଣ ‘ଗୋପନୀୟ ଦଲିଲ’ ଚୋରି ହୋଇଯାଇଛି।

ତେବେ ମୋଦୀ ସରକାରଙ୍କ ପାଇଁ ବିଡ଼ମ୍ବନା ହେଲା, ‘ଜାତି ଗଲା ସିନା ପେଟ ପୂରିଲା ନାହିଁ’ ନୀତିରେ ‘ଗୋପନୀୟ ଦଲିଲ ଚୋରି’କୁ ଆଳ କରି ରାଫେଲ୍‌ କାରବାରର ନ୍ୟାୟିକ ସମୀକ୍ଷାରୁ ଖସି ଯିବା ଲାଗି ଅପଚେଷ୍ଟା ସଫଳ ହୋଇପାରି ନାହିଁ। ଗତ ୨୦୧୮, ଡିସେମ୍ବର ୧୪ରେ ରାଫେଲ୍‌ କାରବାରରେ ସରକାରଙ୍କୁ ସୁପ୍ରିମ କୋର୍ଟ ‘କ୍ଲିନ୍‌ ଚିଟ୍‌’ ଦେଇଥିଲେ। ଏହି ରାୟର ପୁନର୍ବିଚାର ଲାଗି ପ୍ରାର୍ଥନା କରି ଆବେଦନକାରୀଙ୍କ ଦ୍ବାରା ଉପସ୍ଥାପିତ ‘ଚୋରି ଦଲିଲ’ କୋର୍ଟ ବିଚାରକୁ ନ ନେବା ଲାଗି ଆଟର୍ଣ୍ଣି ଜେନେରାଲ ଯୁକ୍ତି ଦର୍ଶାଇ ଥିଲେ। ମାନ୍ୟବର ସୁପ୍ରିମ୍‌ କୋର୍ଟ ଏଜିଙ୍କ ଯୁକ୍ତିକୁ କେବଳ ଅଗ୍ରାହ୍ୟ କରି ଦେଇ ନଥଲେ, ପାଲଟା ପ୍ରଶ୍ନ ମଧୢ କରିଥିଲେ ଯେ, ଦୁର୍ନୀତି, ଅନିୟମିତତାକୁ ଘଣ୍ଟ ଘୋଡ଼ାଇବା ଲାଗି ଗୋପନୀୟତାକୁ ଢାଲ କରାଯାଉ ନାହିଁ ତ? ଚୋରି ଗୋପନୀୟ ଦଲିଲକୁ ବିଚାରକୁ ନେଇ ଡିସେମ୍ବର ୧୪ ରାୟର ପୁନର୍ବିଚାର ଲାଗି ଅଦାଲତ ରାଜି ହୋଇଛନ୍ତି। ଫଳରେ ରାଫେଲ୍‌ ବିବାଦକୁ କବର ଦେବା ଲାଗି ମୋଦୀ ସରକାରଙ୍କ ଆଉ ଏକ ଉଦ୍ୟମ ପଣ୍ତ ହୋଇ ଯାଇଛି। ଗତ ପ୍ରାୟ ଦେଢ଼ ବର୍ଷ ହେଲା ମୋଦୀ ସରକାରଙ୍କ ପିଛା ଛାଡ଼ୁନଥିବା ରାଫେଲ ଭୂତ ଅଳ୍ପ ବ୍ୟବଧାନ ପରେ ପୁନଃ ଆତ୍ମପ୍ରକାଶ କରି ତାର ପଞ୍ଝାକୁ ଆହୁରି ଶକ୍ତ କରିଛି। ମାମଲାର ପରବର୍ତ୍ତୀ ତାରିଖ ମାର୍ଚ୍ଚ ୧୪।

ସରକାରଙ୍କ ପାଇଁ ଅଡୁଆ ହେଲା, ପ୍ରମୁଖ ଜାତୀୟ ସମ୍ବାଦପତ୍ର ‘ହିନ୍ଦୁ’ ଏବ˚ ଆଉ ଏକ ସମ୍ବାଦ ସ˚ସ୍ଥା ଏଏନ୍‌ଆଇରେ ପ୍ରଘଟ ଏହି ଗୋପନୀୟ ଦଲିଲ ଅନୁଯାୟୀ, ରାଫେଲ୍‌ ଖର୍ଦ୍ଦି ପାଇଁ ହୋଇଥିବା ବୁଝାମଣାରେ ‘ବ୍ୟାଙ୍କ୍‌ ଗ୍ୟାରେଣ୍ଟି’ ସର୍ତ୍ତକୁ ବାଦ୍‌ ଦିଆଯିବା ଫଳରେ ରାଫେଲ୍‌ ଯୁଦ୍ଧ ବିମାନର ନିର୍ମାତା କମ୍ପାନିକୁ ଲାଭ ମିଳିଛି। ଅନ୍ୟ ପକ୍ଷରେ ଭାରତ ପାଇଁ ୩୬ଟି ରାଫେଲ୍‌ ଖର୍ଦ୍ଦି ଅନ୍ତତଃ ୨୪୬ ନିୟୁତ ୟୁରୋ ମହଙ୍ଗା ପଡ଼ିଛି। ଏହାକୁ କଥାବାର୍ତ୍ତା ପାଇଁ ମନୋନୀତ ଇଣ୍ତିଆନ୍‌ ନେଗୋସିଏଟିଙ୍ଗ୍‌ ଟିମ୍‌ର କେତେକ ସଦସ୍ୟ ବିରୋଧ କରିଥିଲେ। କିନ୍ତୁ, ଏହାକୁ ଗୁରୁତ୍ବ ଦିଆଯାଇ ନ ଥିଲା। ଆଶ୍ଚର୍ଯ୍ୟର ବିଷୟ ହେଲା, ସରକାରଙ୍କ ପକ୍ଷରୁ ଏହି ତଥ୍ୟର ଖଣ୍ତନ କରାଯାଇ ନାହିଁ କି ଦଲିଲର ବିଶ୍ବସନୀୟତା ଉପରେ କୌଣସି ପ୍ରଶ୍ନ ଉଠାଯାଇନାହିଁ। ଜାତୀୟ ନିରାପତ୍ତାକୁ ଢାଲ ଓ ସରକାରୀ ଗୋପନୀୟତା ଆଇନକୁ ଅସ୍ତ୍ର କରି କଠୋର ସତ୍ୟକୁ ପ୍ରତିହତ କରି ଆତ୍ମରକ୍ଷା ପାଇଁ ସରକାର ଉଦ୍ୟମ କରିଛନ୍ତି। ଏପରିକି, ଔଷଧ ବିକଳରେ ତାଟିଆ କାମୁଡ଼ା ନ୍ୟାୟରେ ଚୋରି ଗୋପନୀୟ ଦଲିଲ ପ୍ରଘଟ କରିଥିବାରୁ ସ˚ପୃକ୍ତ ଗଣମାଧୢମ ସ˚ସ୍ଥା ବିରୋଧରେ ଆପରାଧିକ କାର୍ଯ୍ୟାନୁଷ୍ଠାନ ଓ ଆବେଦନକାରୀଙ୍କ ବିରୋଧରେ ଅଦାଲତ ଅବମାନନା ମାମଲା ଦାଏର ପାଇଁ ଧମକ ଦିଆଯାଇଥିଲା। ବାର୍ତ୍ତାରେ ଥିବା ସତ୍ୟକୁ ସ୍ବୀକାର ନକରି ବାର୍ତ୍ତାବହକୁ ଦଣ୍ତ ଦେଇ ଲାଭ କ’ଣ?

ମାନ୍ୟବର କୋର୍ଟ କିନ୍ତୁ ଗୋପନ ଦଲିଲ ସ˚କେତ ଦେଉଥିବା ସତ୍ୟକୁ ଗୁରୁତ୍ବ ଦେଇଛନ୍ତି। ଏବେ ସ୍ବାଭାବିକ ଭାବେ ପ୍ରଶ୍ନ ଉଠୁଛି, ରାଫେଲ୍‌ ଖର୍ଦ୍ଦି ସମ୍ପର୍କିତ ସମସ୍ତ ତଥ୍ୟ ସରକାର ସୁପ୍ରିମ୍‌ କୋର୍ଟଙ୍କୁ ଜଣାଇଥିଲେ ନା କିଛି ତଥ୍ୟ କୋର୍ଟଙ୍କଠାରୁ ମଧୢ ଲୁଚାଇ ରଖିଥିଲେ? ଯାହା ଏବେ ପଦାକୁ ଆସିଛି। ଜଉମୁଦ ଦିଆ ଲଫାପାରେ କୋର୍ଟଙ୍କୁ ଯଦି ସବୁ ତଥ୍ୟ ଦିଆଯାଇ ନଥିଲା, ତେବେ ସେହି ଅସ˚ପୂର୍ଣ୍ଣ ତଥ୍ୟ ଆଧାରରେ କୋର୍ଟଙ୍କ ରାୟ ଗ୍ରହଣୀୟ ହେବ କେମିତି? ଯଦି କୁହାଯାଏ, ଅସ˚ପୂର୍ଣ୍ଣ ତଥ୍ୟ ଦେଇ ସରକାର କୋର୍ଟଙ୍କୁ ବିଭ୍ରାନ୍ତ କରିଛନ୍ତି, ତେବେ ବୋଧହୁଏ ଅତ୍ୟୁକ୍ତି ହେବ ନାହିଁ।
ସରକାରଙ୍କ ସମସ୍ତ ଯୁକ୍ତିକୁ ପ୍ରତ୍ୟାଖ୍ୟାନ କରି ଅଦାଲତ ସ୍ପଷ୍ଟ କରି ଦେଇଛନ୍ତି ଯେ, କୋର୍ଟଙ୍କ ସାମନାକୁ ଅଣାଯାଇଥିବା ଗୋପନୀୟ ଦଲିଲ, ସେ ଚୋରି ହୋଇଥାଉ ପଛେ, ନିଶ୍ଚୟ ବିଚାରକୁ ନିଆଯିବ। ଉଲ୍ଲେଖନୀୟ ହେଲା, ରାଫେଲ୍‌ କାରବାରରେ ଅନିୟମିତତା, ନିର୍ଦ୍ଦିଷ୍ଟ ଭାବେ ପ୍ରଧାନମନ୍ତ୍ରୀଙ୍କ ଦପ୍ତର ପକ୍ଷରୁ ସମାନ୍ତରାଳ କଥାବାର୍ତ୍ତା ନେଇ ଗତ ଫେବ୍ରୁଆରି ୮ରେ ‘ହିନ୍ଦୁ’ରେ ଗୋଟିଏ ରିପୋର୍ଟ ପ୍ରକାଶ ପାଇଥିଲା। ପ୍ରଧାନମନ୍ତ୍ରୀଙ୍କ ଦ୍ବାରା ସମାନ୍ତରାଳ କଥାବାର୍ତ୍ତା ଉପରେ ପ୍ରତିରକ୍ଷା ମନ୍ତ୍ରଣାଳୟର ଅଧିକାରୀମାନେ ଆପତ୍ତି ଉଠାଇଥିଲେ। ପ୍ରତିରକ୍ଷା ମନ୍ତ୍ରଣାଳୟର ଏକ ନଥିରେ ଦିଆଯାଇଥିବା ‘ନୋଟି˚’ ବା ମନ୍ତବ୍ୟକୁ ଉଦ୍ଧାର କରି ଏହି ରିପୋର୍ଟ ପ୍ରକାଶ ପାଇଥିଲା। ଏହି ରିପୋର୍ଟ ଉପରେ ପ୍ରତିରକ୍ଷା ମନ୍ତ୍ରୀ ନିର୍ମଳା ସୀତାରମଣ ସ˚ସଦରେ ନିଜର ପ୍ରତିକ୍ରିୟା ରଖିଥିଲେ। ସେତେବେଳେ ପ୍ରତିରକ୍ଷା ମନ୍ତ୍ରୀ ମହୋଦୟା ସାମାନ୍ୟତମ ସୂଚନା ସୁଦ୍ଧା ଦେଇନଥିଲେ ଯେ, ‘ଚୋରି ହୋଇଥିବା ଗୋପନୀୟ ଦଲିଲ’ ଆଧାରରେ ରିପୋର୍ଟ ପ୍ରକାଶ ପାଇଛି। ସରକାରୀ ଗୋପନୀୟତା ଆଇନର ଉଲ୍ଲ˚ଘନ ହୋଇଥିବା ବିଷୟରେ ମଧୢ ସେ ସୂଚନା ଦେଇ ନଥିଲେ। ଏବେ ହଠାତ୍‌ ସରକାରୀ ଗୋପନୀୟତା ଆଇନର ଉଲ୍ଲ˚ଘନ ବିଷୟ କୁହାଯାଉଛି କାହିଁକି? ସତ୍ୟକୁ ଚପାଇ ଦେବା ପାଇଁ ‘ଦଲିଲ ଚୋରି’ ତତ୍ତ୍ବ ଏକ ନୂଆ ଆବିଷ୍କାର? ଏହା ସ୍ବତଃ ରାଫେଲ୍‌ ପ୍ରସଙ୍ଗରେ ସରକାରଙ୍କ ସ୍ବଚ୍ଛତାକୁ ଅଧିକ ସନ୍ଦିଗ୍‌ଧ କରି ଦେଉଛି।

ସରକାରଙ୍କ କଥାକୁ ଯଦି ମାନି ବି ନିଆଯାଏ ଯେ, ଗୋପନୀୟ ଦଲିଲ ଚୋରି ହୋଇଛି ଓ ଗୋପନୀୟତା ଆଇନର ଖିଲାପ କରି ଗଣମାଧୢମ ଏହାକୁ ପ୍ରକାଶ କରିଛି, ତେବେ ଏହା ଦେଶର ବୃହତ୍ତର ସ୍ବାର୍ଥ ଓ ସ୍ବଚ୍ଛତା ଦୃଷ୍ଟିରୁ ସ୍ବାଗତଯୋଗ୍ୟ। ଅନ୍ଧାର ଭିତରେ ବନ୍ଦୀ ରଖାଯାଇଥିବା ସତ୍ୟକୁ ମୁକୁଳାଇ ଆଲୋକକୁ ଆଣି ଗଣମାଧୢମ ସ୍ବଧର୍ମ ପାଳନ କରିଛି ମାତ୍ର। ଏହା ଜାତୀୟ ନିରାପତ୍ତାର ପରିପନ୍ଥୀ ନୁହେଁ, ବର˚ ବୃହତ୍ତର ଜାତୀୟ ସ୍ବାର୍ଥର ଅନୁକୂଳ। ଗୋପନୀୟ ଦଲିଲ ସାମନାକୁ ଆସି ନଥିଲେ, ବୋଫର୍ସ ଗୁମର ଫିଟି ନଥାନ୍ତା କି ‘ପାନାମା ପେପର୍ସ’ ପ୍ରକାଶ ପାଇ ନଥିଲେ ଅନେକ କୋଟିପତି, ପ୍ରଭାବଶାଳୀଙ୍କ ବେନିୟମ, ଅସାଧୁ କାରବାର ଉପରୁ ପରଦା ହଟି ନ ଥାଆନ୍ତା। ବୋଫର୍ସ ଠାରୁ ଆରମ୍ଭ କରି କୋଇଲା ଆବଣ୍ଟନରେ ଦୁର୍ନୀତି ପର୍ଯ୍ୟନ୍ତ ବିଭିନ୍ନ ଭ୍ରଷ୍ଟାଚାର ମାମଲାରେ ତଥାକଥିତ ‘ଗୋପନୀୟ ଦଲିଲ’ କୋର୍ଟ ବିଚାରକୁ ନେଇ ନ୍ୟାୟିକ ସିଦ୍ଧାନ୍ତରେ ପହଞ୍ଚି ଥିବାର ଅନେକ ନଜିର ରହିଛି। ତେଣୁ ରାଫେଲ ମାମଲାରେ ଗୋପନୀୟ ଦଲିଲ ଯଦି ସତ୍ୟ ଉନ୍ମୋଚନରେ ସହାୟକ ହୁଏ, ତେବେ ତାହା ଅଦାଲତ ବିଚାରକୁ ନେବେ ନାହିଁ କାହିଁକି? ଭାରତ-ପାକିସ୍ତାନ ମଧୢରେ ଉତ୍ତେଜନା ପରିପ୍ରେକ୍ଷୀରେ ଜାତୀୟ ନିରାପତ୍ତା ପ୍ରସଙ୍ଗକୁ ମୁଖ୍ୟ ହତିଆର କରି ଊଣେଇଶ ଭୋଟ ଲଢେ଼ଇରେ ବିଜୟୀ ହେବାର ଆଶା ବାନ୍ଧିଥିବା ମୋଦୀ ସରକାରଙ୍କ ପାଇଁ ଏହା ଅଡୁଆ ହୋଇପାରେ। କିନ୍ତୁ ଆବେଦନକାରୀଙ୍କ ଦ୍ବାରା ଉପସ୍ଥାପିତ ଗୋପନୀୟ ଦଲିଲ ବିଚାରକୁ ନେବା ଲାଗି ସୁପ୍ରିମ୍‌ କୋର୍ଟଙ୍କ ନିଷ୍ପତ୍ତି ଏକ ଠିକଣା ପଦକ୍ଷେପ। ରାଫେଲ୍‌ ପ୍ରସଙ୍ଗରେ ସରକାରଙ୍କ ସନ୍ଦିଗ୍‌ଧ ମତିଗତି ପରିପ୍ରେକ୍ଷୀରେ ଏଠାରେ ଉତ୍କଳମଣି ଗୋପବନ୍ଧୁ ଦାସଙ୍କ ‘ଧର୍ମପଦ’ କାବ୍ୟର ଗୋଟିଏ ଅ˚ଶ ଉଦ୍ଧାର କରାଯାଇପାରେ।
‘‘ଲୁଚି ରହେନାହିଁ ସତ୍ୟ ଚିରଦିନ,
କାଳେ ହୁଏ ତା’ ବିବୃତ୍ତି।’’

ସମ୍ବନ୍ଧିତ ଖବର