ଆଶା କମ, ଆଶଙ୍କା ଅଧିକ

ସ୍ବାଧୀନତୋତ୍ତର ଭାରତରେ ସା˚ପ୍ରଦାୟିକ ସଦ୍ଭାବ, ଜାତୀୟ ଏକତା ଓ ସ˚ହତି ସହ ଯୋଡ଼ି ହୋଇଥିବା ସବୁଠାରୁ ଅଧିକ ସ୍ପର୍ଶକାତର ବିବାଦ ହେଉଛି- ରାମ ଜନ୍ମଭୂମି- ବାବ୍ରୀ ମସ୍‌ଜିଦ ବିବାଦ। ସ୍ବାଧୀନତାର ଶହେ ବର୍ଷ ପୂର୍ବରୁ ୧୮୫୩ରେ ହିନ୍ଦୁ ପୂଜକ ଏବ˚ ମୌଲାନାଙ୍କ ମଧୢରେ ଗୋଷ୍ଠୀ ସ˚ଘର୍ଷରୁ ଆରମ୍ଭ ହୋଇଥିବା ଅଯୋଧୢା ବିବାଦ, ଯାହା ଆଜିବି ଅସମାହିତ ଏବ˚ ବିସ୍ଫୋରକ ଅବସ୍ଥାରେ ରହିଛି। ଅଯୋଧୢାର ୨.୭୭ ଏକର ବିବାଦୀୟ ଜମିକୁ ନେଇ ଆଗତ ମାମଲାର ବିଚାର ଅବସରରେ ମାନ୍ୟବର ସୁପ୍ରିମ୍‌ କୋର୍ଟ ୧୬୬ ବର୍ଷ ପୁରୁଣା ମନ୍ଦିର- ମସ୍‌ଜିଦ୍‌ ବିବାଦର ଆପୋସ ସମାଧାନ ଲାଗି ଆଉ ଏକ ପ୍ରୟାସ କରିଛନ୍ତି। ଉଚ୍ଚତମ ନ୍ୟାୟାଳୟଙ୍କ ମାର୍ଫତରେ କଥାବାର୍ତ୍ତା ଜରିଆରେ ଆପୋସ ସମାଧାନ ଲାଗି ଏହା ଶେଷ ସୁଯୋଗ ହୋଇପାରେ। ପ୍ରଧାନ ବିଚାରପତି ରଞ୍ଜନ ଗୋଗୋଇଙ୍କ ଅଧୢକ୍ଷତାରେ ପାଞ୍ଚଜଣିଆ ଖଣ୍ତପୀଠ ଏକ ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତିରେ ବିବାଦ ସହ ସମ୍ପୃକ୍ତ ସମସ୍ତ ପକ୍ଷଙ୍କ ସହ ଆଲୋଚନା କରି ଆପୋସ ସମାଧାନ ବାଟ ବାହାର କରିବା ଲାଗି ଗୋଟିଏ ମଧୢସ୍ଥି ମଣ୍ତଳୀ ନିଯୁକ୍ତ କରିଛନ୍ତି। ସୁପ୍ରିମ୍‌ କୋର୍ଟର ପୂର୍ବତନ ବିଚାରପତି ନ୍ୟାୟମୂର୍ତ୍ତି ଏଫ୍‌ଏମ୍‌ କଲ୍ଲିପୁଲ୍ଲାଙ୍କ ଅଧୢକ୍ଷତାରେ ଗଠିତ ତିନିଜଣିଆ ମଧୢସ୍ଥି ମଣ୍ତଳୀର ଅନ୍ୟ ଦୁଇ ସଦସ୍ୟ ହେଲେ ଆଧୢାତ୍ମିକ ଗୁରୁ ତଥା ଆର୍ଟ ଅଫ୍‌ ଲିଭି˚ର ମୁଖ୍ୟ ଶ୍ରୀ ଶ୍ରୀ ରବିଶଙ୍କର ଏବ˚ ବରିଷ୍ଠ ଆଇନଜୀବୀ ଶ୍ରୀରାମ ପନ୍ତୁ। ମଧୢସ୍ଥିମାନେ ଆବଶ୍ୟକ ମନେ କଲେ ମଣ୍ତଳୀରେ ଅଧିକ ସଦସ୍ୟଙ୍କୁ ମଧୢ ନେଇ ପାରିବେ। ସୁପ୍ରିମ କୋର୍ଟଙ୍କ ପ୍ରତ୍ୟକ୍ଷ ତଦାରଖରେ ମଧୢସ୍ଥି ମଣ୍ତଳୀ ଆଗାମୀ ଏକ ସପ୍ତାହ ମଧୢରେ ବିଚାର-ଆଲୋଚନା ପ୍ରକ୍ରିୟା ଆରମ୍ଭ କରି ଆଠ ସପ୍ତାହ ମଧୢରେ ନିଜର ରିପୋର୍ଟ ଦେବେ। ଚୂଡ଼ାନ୍ତ ରିପୋର୍ଟ ଦେବା ପୂର୍ବରୁ ଚାରି ସପ୍ତାହ ପରେ ଗୋଟିଏ ଅନ୍ତରୀଣ ରିପୋର୍ଟ ପ୍ରଦାନ ଲାଗି ମଧୢସ୍ଥି ମଣ୍ତଳୀକୁ ପରାମର୍ଶ ଦିଆଯାଇଛି। କୋର୍ଟ ସ୍ପଷ୍ଟ କରି ଦେଇଛନ୍ତି ଯେ,କଥାବାର୍ତ୍ତା ଅଯୋଧୢାରେ ହେବ ଓ ମଧୢସ୍ଥି ମଣ୍ତଳୀଙ୍କ ବିଭିନ୍ନ ପକ୍ଷ ସହ କଥାବାର୍ତ୍ତାର ବିବରଣୀ ସମ୍ପୂର୍ଣ୍ଣ ଗୋପନୀୟ ରହିବ। ସେଥିପାଇଁ କଥାବାର୍ତ୍ତାର ବିବରଣୀ ପ୍ରକାଶ ପାଇଁ ଗଣମାଧୢମକୁ ବାରଣ କରାଯାଇଛି।

ସବୁଠାରୁ ଗୁରୁତ୍ବପୂର୍ଣ୍ଣ ହେଲା ଉଚ୍ଚତମ ନ୍ୟାୟାଳୟ ଅତ୍ୟନ୍ତ ସ୍ପଷ୍ଟ କରି ଦେଇଛନ୍ତି, ଅଯୋଧୢାର ୨.୭୭ ଏକର ପରିମିତ ଜମିକୁ ନେଇ ବିବାଦ ଗୋଟିଏ ଦେଵାନି ବିବାଦ ମାତ୍ର ନୁହେଁ। ରାମ ଜନ୍ମଭୂମି-ବାବ୍ରୀ ମସ୍‌ଜିଦ୍‌ ବିବାଦ ସହ ଦୁଇଟି ଧାର୍ମିକ ସ˚ପ୍ରଦାୟର ଧର୍ମୀୟ ଭାବାବେଗ ମଧୢ ଯୋଡ଼ି ହୋଇଛି। ସେ ଦୃଷ୍ଟିରୁ ବିବାଦର କୌଣସି ନ୍ୟାୟିକ ଫଇସଲା ଅପେକ୍ଷା ଆପୋସ ସମାଧାନ ଅଧିକ ଶ୍ରେୟସ୍କର। ଏହି ବିଚାରକୁ ଆଧାରରେ ଦେଢ଼ ଶହ ବର୍ଷରୁ ଅଧିକ ପୁରୁଣା ସ୍ପର୍ଶକାତର ବିବାଦର ‘ସ୍ଥାୟୀ ସମାଧାନ’ ପାଇଁ ଉଚ୍ଚତମ ଅଦାଲତଙ୍କ ସଦ୍ୟତମ ପ୍ରୟାସ ନିଶ୍ଚିତ ଭାବେ ସର୍ବାନ୍ତକରଣରେ ସ୍ବାଗତଯୋଗ୍ୟ। ସମସ୍ତ ସମ୍ପୃକ୍ତ ପକ୍ଷ ଏଥିରେ ସହଯୋଗ କରିବା ଉଚିତ।

ନିଃସନ୍ଦେହ, ଶୀର୍ଷ ଅଦାଲତଙ୍କ ଉଦ୍ଦେଶ୍ୟ ଅତ୍ୟନ୍ତ ମହତ୍‌। ଦେଶରେ ସା˚ପ୍ରଦାୟିକ ସଦ୍ଭାବ, ଶାନ୍ତି ଓ ଏକତା ପାଇଁ ଏହାର ସଫଳତା ସମସ୍ତଙ୍କ କାମ୍ୟ। ତଥାପି, ଅଯୋଧୢା ବିବାଦର ଆପୋସ ସମାଧାନ ଲାଗି ପ୍ରୟାସର ଧାରାବାହିକ ବିଫଳତାର ପୃଷ୍ଠଭୂମି ଓ କଠୋର ସାମାଜିକ ଓ ରାଜନୈତିକ ବାସ୍ତବତା ପରିପ୍ରେକ୍ଷୀରେ ଉଚ୍ଚତମ ନ୍ୟାୟାଳୟଙ୍କ ପ୍ରୟାସର ସଫଳତା ନେଇ ଆଶା ଅପେକ୍ଷା ଆଶଙ୍କା ଯଥେଷ୍ଟ ଅଧିକ। ନବେ ଦଶକରୁ ଆଜି ପର୍ଯ୍ୟନ୍ତ ବିବାଦର ଆପୋସ ସମାଧାନ ଲାଗି ଅନ୍ତତଃ ତିନିଥର ଆଖିଦୃଶିଆ ପ୍ରୟାସ ହୋଇଛି। କିନ୍ତୁ ପ୍ରତ୍ୟେକ ଥର ଏହା ଗଣମାଧୢମରେ ଶିରୋନାମା ମଣ୍ତନ କରିଛି ସିନା ଲକ୍ଷ୍ୟ ହାସଲରେ ସଫଳ ହୋଇନାହିଁ। ପ୍ରଥମ ଦଫା ପ୍ରୟାସ ସ୍ବରୂପ ରାମମନ୍ଦିର ଆନ୍ଦୋଳନର ନେତୃତ୍ବ ନେଇଥିବା ବିଶ୍ବ ହିନ୍ଦୁ ପରିଷଦ ଓ ବାବ୍ରୀ ମସ୍‌ଜିଦ୍‌ କ୍ରିୟାନୁଷ୍ଠାନ କମିଟି ମଧୢରେ ବିଭିନ୍ନ ପର୍ଯ୍ୟାୟରେ କଥାବାର୍ତ୍ତା ହୋଇଥିଲା। କିନ୍ତୁ କୌଣସି ନିର୍ଯାସ ବାହାରିବା ପୂର୍ବରୁ ଅଚଳାବସ୍ଥା ମଧୢରେ କଥାବାତ୍ତାରେ ପୂର୍ଣ୍ଣଚ୍ଛେଦ ପଡ଼ିଲା। ଦ୍ବିତୀୟ ପ୍ରୟାସ ସ୍ବରୂପ ୨୦୦୩ରେ କାଞ୍ଚି କାମକୋଟି ପୀଠର ଶଙ୍କରାଚାର୍ଯ୍ୟ ମଧୢସ୍ଥି ଭାବେ ଅଣ୍ଟାଭିଡ଼ି କଥାବାର୍ତ୍ତା ପ୍ରକ୍ରିୟା ଆରମ୍ଭ କରିଥିଲେ। କିନ୍ତୁ ଶଙ୍କରାଚାର୍ଯ୍ୟଙ୍କ ହିନ୍ଦୁ ସପକ୍ଷବାଦୀ ଆଭିମୁଖ୍ୟ ଯୋଗୁ କଥାବାର୍ତ୍ତା ଆଗେଇ ପାରିଲା ନାହିଁ। ଅଯୋଧୢା ସହ କାଶୀ ଓ ମଥୁରା ମଧୢ ହିନ୍ଦୁଙ୍କୁ କେବେ ନା କେବେ ହସ୍ତାନ୍ତର ବିଷୟ ମୁସଲମାନ ସ˚ପ୍ରଦାୟ ବିଚାର କରିବା ଉଚିତ ବୋଲି ମୁସଲିମ ପର୍ସନାଲ ଲ’ ବୋର୍ଡକୁ ଶଙ୍କରଚାର୍ଯ୍ୟ ଚିଠି ଲେଖିଲା ପରେ ସମାଧାନ ପାଇଁ କଥାବାର୍ତ୍ତାର ସବୁ ଦ୍ବାର ଆପେ ବନ୍ଦ ହୋଇ ଯାଇଥିଲା। ୨୦୧୭ରେ ଆଧୢାତ୍ମିକ ଗୁରୁ ଶ୍ରୀ ଶ୍ରୀ ରବିଶଙ୍କର ଓ ସିହା ଵାକଫ ବୋର୍ଡର ଅଧୢକ୍ଷ ଵାସିମ ରିଜଭିଙ୍କ ପକ୍ଷରୁ ଆଉ ଏକ ସାନି ପ୍ରୟାସରୁ ମଧୢ କୌଣସି ସୁଫଳ ମିଳି ନଥିଲା। ସେହିବର୍ଷ ମଧୢସ୍ଥତା ପାଇଁ ତତ୍କାଳୀନ ପ୍ରଧାନ ବିଚାରପତି ଜେ.ଏସ୍‌. କେହର ପ୍ରସ୍ତାବ ଦେଇଥିଲେ। କିନ୍ତୁ କୌଣସି ପକ୍ଷ ଏଥିପାଇଁ ଆଗ୍ରହ ଦେଖାଇ ନଥିଲେ। ଫଳରେ ପ୍ରକ୍ରିୟା ଆରମ୍ଭ ସୁଦ୍ଧା ହୋଇପାରି ନ ଥିଲା। ସତର ବର୍ଷ ପୂର୍ବେ ୨୦୦୨ରେ ତତ୍କାଳୀନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀ ଅଯୋଧୢା ବିବାଦର ଆପୋସ ସମାଧାନ ଲକ୍ଷ୍ୟରେ ବିଭିନ୍ନ ପକ୍ଷଙ୍କ ସହ ଆଲୋଚନା ଲାଗି ଏକ ସ୍ବତନ୍ତ୍ର ସେଲ୍‌ ଖୋଲିଥିଲେ। କିନ୍ତୁ ବିବାଦର ସମାଧାନ ଦିଗରେ ଇଞ୍ଚେ ବି ଅଗ୍ରଗତି ହୋଇନଥିଲା।

ମୋଟାମୋଟି ବିବାଦ ଯେଉଁଠି ଥିଲା ସେଇଠି ଅଛି। କୌଣସି ପକ୍ଷର ମନୋଭାବରେ ସାମାନ୍ୟତମ ପରିବର୍ତ୍ତନର ଲକ୍ଷଣ ପରିଲକ୍ଷିତ ହେଉନାହିଁ। ଏବେ ସୁପ୍ରିମ୍‌ କୋର୍ଟ ନିଯୁକ୍ତ ମଧୢସ୍ଥି ମଣ୍ତଳୀଙ୍କ ଜରିଆରେ ଯେ ସ୍ଥିତାବସ୍ଥା ବଦଳିବ, ସେ ନେଇ ଆଶା କ୍ଷୀଣ। ବିବାଦର ସମାଧାନ ଖୋଜିବା ଲାଗି ଅତୀତର ନିଷ୍ଫଳ ପ୍ରୟାସ ସୁପ୍ରିମ୍‌ କୋର୍ଟଙ୍କ ସାନି ଉଦ୍ୟମର ଭବିଷ୍ୟତ ଉପରେ ଯେତିକି ପ୍ରଶ୍ନବାଚୀ ସୃଷ୍ଟି କରୁଛି, ବିବାଦରେ ସମ୍ପୃକ୍ତ ଗୋଟିଏ ପକ୍ଷର ଆଭିମୁଖ୍ୟରେ କଠୋରତା ତାଜା ପ୍ରୟାସର ସଫଳତାକୁ ତା ଠାରୁ ଅଧିକ ସନ୍ଦେହାଚ୍ଛନ୍ନ କରିଦେଉଛି। ଅଯୋଧୢା ଜମି ମାମଲାରେ ପକ୍ଷଭୁକ୍ତ ତିନିଟି ପକ୍ଷଙ୍କ ମଧୢରୁ ଗୋଟିଏ ପକ୍ଷ ଅଦାଲତଙ୍କ ମଧୢସ୍ଥତା ପ୍ରସ୍ତାବକୁ ଗ୍ରହଣ କରି ନାହାନ୍ତି। ୨୦୧୦ରେ ଆହ୍ଲାବାଦ ହାଇକୋର୍ଟ ଅଯୋଧୢାର ୨.୭୭ ଏକର ବିବାଦୀୟ ଜମିକୁ ତିନି ପକ୍ଷଙ୍କ ମଧୢରେ ସମାନ ପରିମାଣରେ ବାଣ୍ଟି ଦେଇଥିଲେ। ଏହି ତିନିଟି ପକ୍ଷ ହେଲେ ୧. ନିର୍ମୋହୀ ଆଖଡ଼ା, ୨. ସୁନ୍ନୀ ଵାକଫ୍‌ ବୋର୍ଡ ଏବ˚ ରାମଲାଲ୍ଲା।

ପ୍ରଥମ ଦୁଇଟି ପକ୍ଷ ମଧୢସ୍ଥିଙ୍କ ଜରିଆରେ ଆପୋସ ସମାଧାନ ପ୍ରସ୍ତାବକୁ ଗ୍ରହଣ କରି ନେଇଛନ୍ତି। କିନ୍ତୁ ରାମଲାଲ୍ଲାଙ୍କୁ ପ୍ରତିିନିଧିତ୍ବ କରୁଥିବା ମନ୍ଦିର ସପକ୍ଷବାଦୀ ପକ୍ଷ ପ୍ରସ୍ତାବକୁ ପ୍ରତ୍ୟାଖ୍ୟାନ କରି ଦେଇଛନ୍ତି। ଏହି ପକ୍ଷର ବିଶ୍ବାସ ଯେ, ଅଯୋଧୢାରେ ଥିବା ଏକ ରାମ ମନ୍ଦିରକୁ ଭାଙ୍ଗି ସେହି ସ୍ଥାନରେ ୧୫୨୬ରେ ବାବ୍ରୀ ମସଜିଦ ନିର୍ମାଣ କରାଯାଇଥିଲା। ତେଣୁ ୧୫୨୬ ପୂର୍ବବର୍ତ୍ତୀ ଅବସ୍ଥା ବାହାଲ କରାଯାଉ। ଏଥିରେ କୌଣସି ‘ସାଲିସ’ ହେବ ନାହିଁ। ମଧୢସ୍ଥିଙ୍କ ଜରିଆରେ କଥାବାର୍ତ୍ତା ଦ୍ବାରା ମାମଲାର ବିଚାର ଅଯଥା ବିଳମ୍ବିତ ହେବ। ଏହା ରାମଲାଲ୍ଲାଙ୍କୁ ପ୍ରତିନିଧିତ୍ବ କରୁଥିବା ପକ୍ଷ ଲିଖିତ ଭାବେ ଜଣାଇ ଦେଇଛନ୍ତି। ଏହା କାହାକୁ ଅଜଣା ନୁହେଁ, ପରୋକ୍ଷ ଓ ପ୍ରତ୍ୟକ୍ଷରେ ରାମଲାଲ୍ଲାଙ୍କୁ ବିଶ୍ବ ହିନ୍ଦୁ ପରିଷଦ ପ୍ରାୟୋଜିତ ରାମ-ଜନ୍ମଭୂମି ନ୍ୟାସ ପ୍ରତିନିଧିତ୍ବ କରୁଛି। ଉତ୍ତର- ପ୍ରଦେଶର କ୍ଷମତାସୀନ ଯୋଗୀ ଆଦିତ୍ୟ ନାଥଙ୍କ ନେତୃତ୍ବାଧୀନ ବିଜେପି ସରକାର ମଧୢ ମଧୢସ୍ଥତା ପ୍ରସ୍ତାବକୁ ବିରୋଧ କରିଛନ୍ତିି। ଏହାର ଅର୍ଥ ବୃହତ୍ତର ହିନ୍ଦୁତ୍ବ ପରିବାରର; ଯାହାର କେନ୍ଦ୍ର ଓ ଅନେକ ରାଜ୍ୟର ଶାସନରେ ଥିବା ବିଜେପି ଗୋଟିଏ ଅ˚ଶ, ମଧୢସ୍ଥିଙ୍କ ଜରିଆରେ ଆପୋସ ସମାଧାନ ପାଇଁ ରାଜି ନୁହନ୍ତି। ଯଦି ଉତ୍ତର ପ୍ରଦେଶ ସରକାର ସମେତ ଅନ୍ୟ ହିନ୍ଦୁ ସ˚ଗଠନଙ୍କ ବିରୋଧ ସହ ଗତ ଜାନୁଆରିରେ ଅଯୋଧୢାରେ ଅଧିଗୃହୀତ ୬୭ ଏକର ଜମିକୁ ମୂଳ ମାଲିକ ମାନଙ୍କୁ ଫେରାଇ ଦେବା ଲାଗି କେନ୍ଦ୍ର ସରକାରଙ୍କ କୋର୍ଟରେ ଆବେଦନକୁ ଯୋଡ଼ି ଦେଖାଯାଏ, ତେବେ ସାନି ଉଦ୍ୟମର ସଫଳତା ନେଇ ଆଶଙ୍କାର ମାତ୍ରା ଆହୁରି ବଢ଼ିଯାଏ। ତଥାପି, ଆଶା ଏମିତି ଏକ ଶବ୍ଦ, ଯାହା ପଛରେ ଅଦ୍ଭୁତ ଶକ୍ତି ଥାଏ। ଆଶା କରିବା, ଅଯୋଧୢା ପ୍ରସଙ୍ଗରେ ସମ୍ପୃକ୍ତ ସବୁ ପକ୍ଷଙ୍କ କଠୋର ମନୋଭାବରେ ପରିବର୍ତ୍ତନ ଆସିବ। ମୁକାବିଲା ବଦଳରେ ମିଳାମିଶାର ଆଭିମୁଖ୍ୟ ଗୁରୁତ୍ବ ପାଇବ। ଏବ˚ ଉଚ୍ଚତମ ନ୍ୟାୟାଳୟଙ୍କ ସାନି ପ୍ରୟାସ ଆପୋସ ସମାଧାନ ଲାଗି ବାଟ ଫିଟାଇବ।

ସମ୍ବନ୍ଧିତ ଖବର