ବେକାରି ହିଁ ମୁଖ୍ୟ ପ୍ରସଙ୍ଗ

0

ପୁଲଵାମା ଘଟଣା ପରବର୍ତ୍ତୀ ଭାରତ-ପାକିସ୍ତାନ ସାମରିକ ଉତ୍ତେଜନା ମଧୢରେ ଦେଶରେ ଉଠିଥିବା ରାଷ୍ଟ୍ରବାଦ ଓ ଦେଶପ୍ରେମର ତୋଫାନରେ ଆସନ୍ନ ନିର୍ବାଚନ ଦୃଶ୍ୟପଟରୁ ଉତ୍କଟ ବେକାରି, କୃଷିରେ ସଙ୍କଟ ଭଳି ଘରୋଇ ପ୍ରସଙ୍ଗ ସମ୍ପୂର୍ଣ୍ଣ ହଜିଯିବ। ଅନେକ ରାଜନୈତିକ ପଣ୍ତିତ, ଭୋଟ-ଗଣକ ଏ ପ୍ରକାର ଆକଳନ କରୁଥାଇ ପାରନ୍ତି। ଶାସକ ପକ୍ଷଙ୍କ ମଧୢ ଦୃଢ଼ ବିଶ୍ବାସ ଯେ, ଜାତୀୟ ନିରାପତ୍ତା ବିଷୟ ମୁଖ୍ୟ ନିର୍ବାଚନ ପ୍ରସଙ୍ଗର ସ୍ଥାନ ଦଖଲ କରିନେବା ଫଳରେ ଅନ୍ୟ ସବୁ ଜ୍ବଳନ୍ତ ଘରୋଇ ପ୍ରସଙ୍ଗର ଗୁରୁତ୍ବ ଫିକା ପଡ଼ିଯାଇଛି; ଯାହା ଊଣେଇଶ ଲଢେ଼ଇର ମଇଦାନରେ କ୍ଷମତାସୀନ ଦଳକୁ ସ୍ବତଃ ଏକ ସୁବିଧାଜନକ ସ୍ଥିତିରେ ରଖିଛି। ସରକାର ବିରୋଧରେ ଦାନା ବାନ୍ଧୁଥିବା ପ୍ରତିକୂଳତାକୁ ପ୍ରତିହତ କରି ଅନୁକୂଳ ବାତାବରଣ ସୃଷ୍ଟି ହେଉଥିବା ଆଶା କରି ବିଜେପି ଓ ଅନ୍ୟ ଏନ୍‌ଡିଏ ସହଯୋଗୀ ବେଶ୍‌ ଆଶ୍ବସ୍ତ ମଧୢ ଅନୁଭବ କରୁଥାଇପାରନ୍ତି।

ତେବେ, ବାସ୍ତବତା ହେଲା ରାଷ୍ଟ୍ରବାଦ ଓ ଦେଶପ୍ରେମର କୋଳାହଳ ଭିତରେ ବେକାରି ସମସ୍ୟା- କୃଷି ସଙ୍କଟ ଭଳି ଜ୍ବଳନ୍ତ ଘରୋଇ ପ୍ରସଙ୍ଗ ସାମୟିକ ଭାବେ ସାମାନ୍ୟ ନିଷ୍ପ୍ରଭ ହୋଇପଡ଼ିଥିଲେ ବି ନିର୍ବାଚନ ଦୃଶ୍ୟପଟରୁ ଏସବୁ ପ୍ରସଙ୍ଗ ସମ୍ପୂର୍ଣ୍ଣ ଅପସରି ଯିବ ବୋଲି ଏ ଆକଳନ ଓ ବିଶ୍ବାସ ଭ୍ରମାତ୍ମକ ସାବ୍ୟସ୍ତ ହୋଇପାରେ। ବିଶେଷକରି, ଦେଶର ପ୍ରାୟ ନବେ କୋଟି ମତଦାତାଙ୍କ ମଧୢରେ ଏକ ବିଶାଳ ବର୍ଗ ୧୮ରୁ ୩୫ ବର୍ଷ ବୟସ ଗୋଷ୍ଠୀ ଭୋଟରଙ୍କୁ ଜର୍ଜରିତ କରୁଥିବା ବେକାରି ସମସ୍ୟାକୁ ଅଣଦେଖା କରିବା ପ୍ରତିଦ୍ବନ୍ଦ୍ବୀ ଦଳଙ୍କ ପାଇଁ ମହଙ୍ଗା ପଡ଼ିପାରେ। ଦେଶରେ ନିଯୁକ୍ତି ମରୁଡ଼ି ଯୋଗୁ ଯୁବବର୍ଗଙ୍କ ମଧୢରେ ରହିଥିବା ଅସନ୍ତୋଷର ଅନ୍ତଃସ୍ରୋତ ରାଷ୍ଟ୍ରବାଦ ଓ ଦେଶଦ୍ରୋହର ଝଡ଼କୁ ପ୍ରତିହତ କରି ସରକାର ବିରୋଧୀ ହାଵାର ରୂପ ନେବାକୁ ଅଧିକ ସମୟ ଲାଗିବ ନାହିଁ। ସାମରିକ ଉତ୍ତେଜନା ଧୀରେ ଧୀରେ ପ୍ରଶମିତ ହେଉଥିବା ବେଳେ କ୍ଷେତ୍ର ସ୍ତରରୁ ଏ ନେଇ ଯଥେଷ୍ଟ ସ˚କେତ ମଧୢ ମିଳୁଛି।

ଦେଶରେ ବେକାରି ହାର ୪୫ ବର୍ଷରେ ସର୍ବାଧିକ ସ୍ତରରେ ପହଞ୍ଚିଥିବା ସୂଚନା ଦେଉଥିବା ଏନ୍‌ଏସ୍‌ଏସ୍‌ଓ ରିପୋର୍ଟକୁ ସରକାର ଚାପିଦେଲେ। ସର୍ଭେ ‘ଅସମ୍ପୂର୍ଣ୍ଣ’ ଆଳ ଦେଖାଇ ରିପୋର୍ଟ ସର୍ବଜନୀନ କରାଗଲା ନାହିଁ। ତେବେ ବାସ୍ତବତା ପ୍ରତି ଆଖି ବୁଜି ଦେଲେ ବାସ୍ତବତା ବଦଳି ଯାଏ ନାହିଁ। ଫେବ୍ରୁଆରିରେ ଗଣମାଧୢମରେ ପ୍ରକାଶିତ ଏନ୍‌ଏସ୍‌ଏସ୍‌ଓର ‘ଲିକ୍‌’ ରିପୋର୍ଟ ଅନୁଯାୟୀ ଦେଶରେ ବେକାରି ହାର ୨୦୧୧-୧୨ରୁ ୨୦୧୭-୧୮ ମଧୢରେ ୨.୨%ରୁ ୬.୨%କୁ ବୃଦ୍ଧି ପାଇଥିଲା। ମାସକ ବ୍ୟବଧାନ ପରେ ପ୍ରକାଶିତ ଏକାଧିକ ଘରୋଇ ସ˚ସ୍ଥାର ରିପୋର୍ଟରେ ବେକାରି ହାରର ଊର୍ଦ୍ଧ୍ବଗାମୀ ଧାରା ଜାରି ରହିଥିବା ସ୍ପଷ୍ଟ ହୋଇଛି। ଅର୍ଥାତ୍‌ ତରୁଣ ଭାରତରେ ଏନ୍‌ଏସ୍‌ଏସ୍‌ଓ ରିପୋର୍ଟ ଅନୁଯାୟୀ ବେକାରି ସମସ୍ୟା ଯେତିକି ଉଦ୍‌ବେଗଜନକ ଥିଲା, ତାହା ଆହୁରି ଉଦ୍‌ବେଗ ଜନକ ରୂପ ନେଇଛି। ସିଏମ୍‌ଆଇଇ (ସେଣ୍ଟର ଫର‌୍‌ ମନିଟରି˚ ଇଣ୍ତିଆନ୍‌ ଇକୋନୋମି)ର ରିପୋର୍ଟ ଅନୁଯାୟୀ ୨୦୧୯ ଫେବ୍ରୁଆରିରେ ଦେଶରେ ବେକାରି ହାର ୭.୨% ରେ ପହଞ୍ଚିଛି। ଏହା ଗତ ୨୯ ମାସରେ ସର୍ବାଧିକ। ୨୦୧୬ ସେପ୍‌ଟେମ୍ବର ପରେ ୨ କୋଟି ୫୭ ଲକ୍ଷ ନିଯୁକ୍ତି ସ˚କୁଚିତ ହୋଇଛି। ସିଏମ୍‌ଆଇଇର ଆକଳନ ଅନୁଯାୟୀ ୨୦୧୭ ଫେବ୍ରୁଆରିରେ ଦେଶରେ ନିଯୁକ୍ତିରେ ଥିବା ଲୋକଙ୍କ ସ˚ଖ୍ୟା ଥିଲା ପ୍ରାୟ ୪୦୭.୫ ନିୟୁତ। ୨୦୧୯ ଫେବ୍ରୁଆରିରେ ଏହା ପ୍ରାୟ ୪୦୦ ନିୟୁତକୁ ଖସି ଆସିଛି। ଏସ୍‌ଆଣ୍ତପି ସ˚ସ୍ଥାର ସର୍ଭେ ଅନୁଯାୟୀ ଦେଶର ୮୭% ପୁରୁଷ ଓ ୮୩% ମହିଳା ନିଜର ଆର୍ଥିକ ଭବିଷ୍ୟତ ନେଇ ଚିନ୍ତିତ। ଏହାର କାରଣ କାମଧନ୍ଦା ନେଇ ଅନିଶ୍ଚିତତା। ଆଉ ଏକ ସ˚ସ୍ଥା ‘ଡିଲୋଇଟି’ ପକ୍ଷରୁ କେବଳ ମହିଳା ନିଯୁକ୍ତି ନେଇ ପ୍ରକାଶିତ ରିପୋର୍ଟରେ ୨୦୧୮ରେ ନିଯୁକ୍ତିରେ ମହିଳାଙ୍କ ସ˚ଖ୍ୟା ପ୍ରାୟ ଅଧା ହ୍ରାସ ପାଇଛି। ୨୦୦୫ରେ ଦେଶର ମହିଳାଙ୍କ ମଧୢରୁ ୩୬.୭% ମହିଳା ଶ୍ରମଶକ୍ତିରେ ସାମିଲ ଥିଲେ। କିନ୍ତୁ ୨୦୧୮ରେ ଏହା ୨୬%କୁ ହ୍ରାସ ପାଇଛି। ଏହାର ଅର୍ଥ ବିଭିନ୍ନ କାରଣରୁ ମହିିଳାଙ୍କ ପାଇଁ ନିଯୁକ୍ତି ସୁଯୋଗ ଅଧିକ ସଙ୍କୁଚିତ ହୋଇ ଚାଲିଛି।

ଘରୋଇ ସର୍ବେକ୍ଷଣ ସ˚ସ୍ଥାମାନଙ୍କ ରିପୋର୍ଟରେ ପ୍ରତିିଫଳିତ ଏହି ଉତ୍କଟରୁ ଉତ୍କଟତର ହୋଇ ଚାଲିଥିବା ବେକାରିର ଉଦ୍‌ବେଗଜନକ ଚିତ୍ରକୁ ସରକାର ଅସ୍ବୀକାର କରିପାରନ୍ତି। କିନ୍ତୁ ଏହାର ଆଗୁଆ ସୂଚନା ଅପ୍ରକାଶିତ ଏନ୍‌ଏସ୍‌ଏସ୍‌ଓ ରିପୋର୍ଟରୁ ମିଳି ସାରିଥିଲା। କୁଶଳୀ ବ୍ୟକ୍ତିଙ୍କ ମଧୢରେ ନିଯୁକ୍ତି ପାଇ ନଥିବା ବେକାରଙ୍କ ଭାଗ ୨୦୧୧-୧୨ରୁ ୨୦୧୭-୧୮ ମଧୢରେ ଦୁଇଗୁଣ ବୃଦ୍ଧି ପାଇ ୫.୯%ରୁ ୧୨.୪%ରେ ପହଞ୍ଚିଥିଲା। ଉଭୟ ବୈଷୟିକ ଓ ଅଣ-ବୈଷୟିକ ଶିକ୍ଷିତଙ୍କ ମଧୢରେ ବି ବେରୋଜଗାରଙ୍କ ସ˚ଖ୍ୟା ବୃଦ୍ଧି ପାଇଥିବା ଏନ୍‌ଏସ୍‌ଓ ରିପୋର୍ଟରେ ଦର୍ଶାଯାଇଥିଲା। ଭାରତୀୟ ରେଟି˚ ସ˚ସ୍ଥା ସିଏଆର‌୍‌ଇ ଅନୁଯାୟୀ କପୋର୍ରେଟ କ୍ଷେତ୍ରରେ ନିଯୁକ୍ତି ଅଭିବୃଦ୍ଧି ୨୦୧୭ରେ ୪.୨% ତୁଳନାରେ ୨୦୧୮ରେ ୩.୮% ଥିଲା। ୧,୬୦୦ଟି କର୍ପୋରେଟ ସ˚ସ୍ଥାର ନିଯୁକ୍ତି ସ˚କ୍ରାନ୍ତ ତଥ୍ୟ ଉପରେ ଏହି ଆକଳନ କରାଯାଇଛି। ବାର୍ଷିକ ୫୦୦ କୋଟିରୁ କମ୍‌ ଟଙ୍କାର କାରବାର କରୁଥିବା ସ˚ସ୍ଥାରେ ନୂଆ ନିଯୁକ୍ତି ସୁଯୋଗ ସୃଷ୍ଟି ହୋଇଥିବା ବେଳେ ୫୦୦ କୋଟି ଟଙ୍କାରୁ ଅଧିକ କାରବାର କରୁଥିବା ସ˚ସ୍ଥାରେ ନିଯୁକ୍ତି ସୁଯୋଗ ସ˚କୁଚିତ ହୋଇଛି। ତେବେ ଆଗାମୀ ନିର୍ବାଚନ ଓ ରାଜନୈତିକ-ସାମାଜିକ ଦୃଷ୍ଟିରୁ ଯେଉଁ ତଥ୍ୟଟି ସବୁଠାରୁ ଗୁରୁତ୍ବପୂର୍ଣ୍ଣ ତଥା ସ୍ପର୍ଶକାତର ତା’ହେଲା ୧୫ରୁ ୨୯ ବର୍ଷ ବୟସ ଗୋଷ୍ଠୀରେ ବେକାରି ହାର ୧୭.୪%।

ସମସ୍ୟା ଉତ୍କଟ ଓ ସ୍ଥିତି ନିଶ୍ଚୟ ଅତ୍ୟନ୍ତ ଗମ୍ଭୀର। କୌଣସି ଦେଶ ପାଇଁ ଯୁବକଙ୍କ ମଧୢରେ ଗୋଟିଏ ବିଶାଳ ବର୍ଗ କାମଧନ୍ଦା ନ ପାଇ ବେକାର ବସି ରହିବା ଅର୍ଥନୈତିକ ଓ ସାମାଜିକ ଦୃଷ୍ଟିରୁ ଆଦୌ ଏକ ସୁସ୍ଥ ସ˚କେତ ନୁହେଁ। ବିଡ଼ମ୍ବନା ହେଲା, ଭାରତ ହେଉଛି ବିଶ୍ବର ସବୁଠାରୁ ଅଧିକ ଯୁବକ ବସବାସ କରୁଥିବା ଦେଶ। ପ୍ରାୟ ୧୨୫ କୋଟି ଲୋକସ˚ଖ୍ୟାର ହାରାହାରି ବୟସ ୨୯ ବର୍ଷ। ଏ ଯୁବ ମାନବ ସମ୍ବଳ ଭାରତର ଶ୍ରେଷ୍ଠ ପୁଞ୍ଜି। କିନ୍ତୁ ଦେଶର ଅର୍ଥନୈତିକ- ସାମାଜିକ ପ୍ରଗତିରେ ଏ ଶ୍ରେଷ୍ଠ ପୁଞ୍ଜିର ଉଚିତ ବିନିଯୋଗ ଦିଗରେ ବେକାରି ସବୁଠାରୁ ବଡ଼ ବାଧକ। ଏହାର କାରଣ କ’ଣ? ସେହି ପାରମ୍ପରିକ ଚାହିଦା- ଯୋଗାଣ ତତ୍ତ୍ବ। ଚାହିଦା ଅନୁଯାୟୀ ନିଯୁକ୍ତି ସୁଯୋଗ ସୃଷ୍ଟି ହେଉନାହିଁ। ଏକ ଆକଳନ ଅନୁଯାୟୀ ଆଗାମୀ ୧୫ ବର୍ଷ ପାଇଁ ବାର୍ଷିକ ହାରାହାରି ୧ କୋଟି ୬୦ ଲକ୍ଷ ନୂଆ ନିଯୁକ୍ତି ସୁଯୋଗ ସୃଷ୍ଟି ହେବା ଆବଶ୍ୟକ। କିନ୍ତୁ ବିଗତ ବର୍ଷ ମାନଙ୍କରେ ଏହାର ଏକ ପଞ୍ଚମା˚ଶ ସୁଦ୍ଧା ନୂଆ ନିଯୁକ୍ତି ସୃଷ୍ଟି ହୋଇ ନାହିଁ। ପରିଣତି ବେକାରଙ୍କ ବାହିନୀର ଆକାର ବଢ଼ିଚାଲିଛି। ନିଯୁକ୍ତି ସୁଯୋଗ ସୃଷ୍ଟି ଲାଗି ବିପୁଳ ପୁଞ୍ଜି ବିନିଯୋଗ ଆବଶ୍ୟକ। ଦେଶୀ ହେଉ କି ବିଦେଶୀ, ଯେତିକି ପରିମାଣର ପୁଞ୍ଜି ବିନିଯୋଗ ହେଉଛି, ତାହା ଚାହିଦା ଅନୁପାତରେ ନିଯୁକ୍ତି ସୃଷ୍ଟି ଲାଗି ଯଥେଷ୍ଟ ନୁହେଁ। ପ୍ରଶ୍ନ ଉଠିପାରେ, ଯଦି ପୁଞ୍ଜି ବିନିଯୋଗ ହେଉନାହିଁ, ତେବେ ଅର୍ଥନୈତିକ ଅଭିବୃଦ୍ଧି ହାର ସନ୍ତୋଷଜନକ ହେଉଛି କେମିତି? ପ୍ରକୃତରେ ସରକାରୀ ଖର୍ଚ୍ଚ ହିଁ ଅଭିବୃଦ୍ଧିର ମୁଖ୍ୟ ଇନ୍ଧନ ଭାବେ କାମ କରୁଛି। ନିଯୁକ୍ତିର ବିପୁଳ ସମ୍ଭାବନା ଥିବା ଘରୋଇ କ୍ଷେତ୍ରରେ ପୁଞ୍ଜି ବିନିଯୋଗ ଆଦୌ ଉତ୍ସାହଜନକ ନୁହେଁ। ଏହା ଉପରେ ନୂଆ କାରିଗରି, ଅତ୍ୟାଧୁନିକ ସ୍ବୟ˚ଚାଳିତ ବ୍ୟବସ୍ଥାର ପ୍ରବର୍ତ୍ତନ ଅନେକ ନିଯୁକ୍ତି ଖାଇ ଯାଉଛି। ଷ୍ଟାର୍ଟଅପ୍‌, ମେକ୍‌-ଇନ୍‌-ଇଣ୍ତିଆ, ମୁଦ୍ରା ଆଦି ଯୋଜନାଗୁଡ଼ିକରେ ନିଶ୍ଚୟ କିଛି ନିଯୁକ୍ତି ସୃଷ୍ଟିି ହୋଇଛି, କିନ୍ତୁ ଲକ୍ଷ୍ୟ ତୁଳନାରେ ଖୁବ୍‌ କମ୍‌। ଅନେକ ସମୟରେ ଏହି ସବୁ ଯୋଜନାରେ ନୂଆ ନିଯୁକ୍ତି ସୁଯୋଗ ସୃଷ୍ଟି ନେଇ ସରକାର ଦେଉଥିବା ତଥ୍ୟ ଅତିରଞ୍ଜିତ ଓ ଅବାସ୍ତବ। ଯେମିତି ଏମ୍‌ଏସ୍‌ଏମ୍‌ଇ କ୍ଷେତ୍ରରେ ତିନି ବର୍ଷରେ ୧୧,୫୪,୨୯୩ଟି ନୂଆ ନିଯୁକ୍ତି ସୃଷ୍ଟି ହେଉଥିବା ଦାବି କରାଯାଉଛି। ଅଥଚ ସିଆଇଆଇର ଏକ ତାଜା ଆକଳନ ଅନୁଯାୟୀ ଚାରି ବର୍ଷରେ ଏହି କ୍ଷେତ୍ରରେ ସୃଷ୍ଟି ହୋଇଥିବା ନୂତନ ନିଯୁକ୍ତି ସ˚ଖ୍ୟା ମାତ୍ର ୩.୩୨ ଲକ୍ଷ। ‘ମୁଦ୍ରା’ ଯୋଜନାରେ ୨୦୧୫ରୁ ୨୦୧୭ ମଧୢରେ ୫ରୁ ୭ କୋଟି ପର୍ଯ୍ୟନ୍ତ ନୂଆ ନିଯୁକ୍ତି ସୃଷ୍ଟି ହୋଇଥିବା ଦାବି କରାଯାଉଛି। କିନ୍ତୁ ଏକ ସ୍ବାଧୀନ ସ˚ସ୍ଥାର ଆକଳନ ଅନୁଯାୟୀ ଏହି ସ˚ଖ୍ୟା ୧.୭ କୋଟିରୁ ଅଧିକ ହେବ ନାହିଁ। ଅତିରଞ୍ଜିତ ତଥ୍ୟ ଦେଇ ଶାସକ ପକ୍ଷ ଆତ୍ମତୃପ୍ତି ଲାଭ କରିପାରନ୍ତି। କିନ୍ତୁ ଏହାଦ୍ବାରା ସମସ୍ୟାର ସମାଧାନ ହେବ ନାହିଁ। ଅତିରଞ୍ଜିତ ଦାବି ନିଷ୍ଠୁର ବାସ୍ତବତାକୁ ଏଡ଼ାଇଯିବାର ଏକ ଚତୁର କୌଶଳ। ମୋଦୀ ସରକାର ୨୦୧୪ରେ କ୍ଷମତାକୁ ଆସିବା ବେଳେ ବାର୍ଷିକ ଅନ୍ତତଃ କୋଟିଏ ନୂଆ ନିଯୁକ୍ତି ସୁଯୋଗ ସୃଷ୍ଟିର ପ୍ରତିଶ୍ରୁତି ଦେଇଥିଲେ। ଅନ୍ୟ ବହୁ ପ୍ରତିଶ୍ରୁତି ଭଳି ଏହି ପ୍ରତିଶ୍ରୁତି ପାଳନରେ ସରକାର ବିଫଳ ହୋଇଛନ୍ତି। ସେଥିପାଇଁ ସରକାର କଦାପି ଚାହିଁବେ ନାହିଁ ଯେ ନିର୍ବାଚନରେ ଏ ପ୍ରସଙ୍ଗ ଉଠୁ। କିନ୍ତୁ କେବଳ ସରକାରୀ ଦଳ ନୁହେଁ, ସବୁ ରାଜନୈତିକ ଦଳଙ୍କୁ ମନେ ରଖିବାକୁ ହେବ ଯେ, ଏହି ଉତ୍କଟ ବେକାରି ସମସ୍ୟାର ବାସ୍ତବତାକୁ ଏଡ଼ାଇ ଯିବା ସମ୍ଭବ ନୁହେଁ। ଯୁବ ବର୍ଗ ନିଶ୍ଚୟ ପ୍ରଶ୍ନ କରିବେ, ନିଯୁକ୍ତି ସୃଷ୍ଟି ଲାଗି ତୁମର ଯୋଜନା କ’ଣ? ନୂଆ ନିଯୁକ୍ତି ସୁଯୋଗ ସୃଷ୍ଟି ଲାଗି ଯେଉଁ ପକ୍ଷ ଏକ ବାସ୍ତବବାଦୀ, ବିଶ୍ବସନୀୟ ଯୋଜନା ଉପସ୍ଥାପନ କରିବେ, ଯୁବ ବର୍ଗ ସେହି ପକ୍ଷ ପ୍ରତି ଢଳିବା ସମ୍ଭାବନା ଅଧିକ।

ସମ୍ବନ୍ଧିତ ଖବର

Leave A Reply

Your email address will not be published.