ନୂଆ ଖେଳ

ଯୀଶୁଖ୍ରୀଷ୍ଟ, ମହାତ୍ମା ଗାନ୍ଧୀ ଓ ମାର୍ଟିନ୍‌ ଲୁଥର‌୍‌ କିଙ୍ଗ୍‌- ଏମାନଙ୍କ ମଧୢରେ କି ସାମଞ୍ଜସ୍ୟ ଦେଖାଯାଇଥାଏ? ଗୋଟିଏ ଉତ୍ତର ହେଲା- ଏ ତିନିଜଣ ଯାକ ଯୁଗ ପୁରୁଷ ‘ଯେସାକୁ ତେସା’ ନିୟମରେ ବିଶ୍ବାସ କରୁନଥିଲେ; ଗୋଟିଏ ପଟ ଗାଲରେ ଚାପୁଡ଼ା ପଡ଼ିଲେ, ସେମାନେ ଆରପଟ ଗାଲଟି ମଧୢ ଦେଖାଇ ଦେବାରେ ବିଶ୍ବାସ କରୁଥିଲେ। ତେବେ ଆଉ ଏକ ଉତ୍ତର ହେଉଛି- ଏ ତିନିଜଣ ଯାକ ହତ୍ୟାକାଣ୍ତର ଶିକାର ହୋଇ ପ୍ରାଣ ହରାଇଥିଲେ। ଗଣିତ, ଅର୍ଥନୀତିରୁ ଆରମ୍ଭ କରି ମନସ୍ତତ୍ତ୍ବ, ରାଜନୀତି ବିଜ୍ଞାନ, ଜୈବ ବିଜ୍ଞାନ ଓ ଏପରିକି ନୀତିଶାସ୍ତ୍ର ପର୍ଯ୍ୟନ୍ତରେ ପ୍ରଭାବ ବିସ୍ତାର କରିଥିବା ‘ଗେମ୍‌ ଥିଓରି’ (ଖେଳ ତତ୍ତ୍ବ) ନାମକ ପାରସ୍ପରିକ ଆଚରଣ ତତ୍ତ୍ବର ଏକ ଶାଖା ଅନୁସାରେ ଏ ତିନିଜଣଙ୍କର ଏଭଳି ଅନ୍ତ ଘଟିବାର ଅନ୍ୟତମ କାରଣ ହେଉଛି ସେମାନଙ୍କର ସେଇ ଆରପଟ ଗାଲ ଦେଖାଇଦେବା ନୀତି। ଏହି ତତ୍ତ୍ବ ଅନୁସାରେ ନୈତିକତା ଦୃଷ୍ଟିରୁ ଏପରି ଗାଲ ଦେଖାଇ ଦେବା ଏକ ଆଦର୍ଶ ଆଚରଣ ହୋଇପାରେ, କିନ୍ତୁ ଆତ୍ମରକ୍ଷା ପାଇଁ ଅର୍ଥାତ୍‌ ବଞ୍ଚି ରହିବା ପାଇଁ ଏହା ଆଦୌ ଉପଯୋଗୀ ନୁହେଁ।

ଗେମ୍‌ ଥିଓରିରେ ବହୁଳ ବ୍ୟବହୃତ ଏକ ସୁପରିଚିତ ଗୋଲକଧନ୍ଦାର ନାମ ହେଉଛି- ‘ଦି ପ୍ରିଜନର୍ସ ଡିଲେମା’ (ବନ୍ଦୀର ଦ୍ବିଧା)। ଧରାଯାଉ ସଲିମ୍‌ ଓ ତୋଫାନ୍‌ ନାମକ ଦୁଇଜଣ ବ୍ୟାଙ୍କ୍‌ ଡକାୟତ ପୁଲିସ ହାତରେ ଧରାପଡ଼ି ଅଲଗା ଅଲଗା କୋଠରିରେ ବନ୍ଦୀ ଅବସ୍ଥାରେ ଅଛନ୍ତି ଏବ˚ ପରସ୍ପର ମଧୢରେ ସମ୍ପର୍କ ସ୍ଥାପନ କରିବାର କୌଣସି ସୁଯୋଗ ନାହିଁ। ସେମାନଙ୍କଠାରୁ ସ୍ବୀକାରୋକ୍ତି ଆଦାୟ କରିବା ପାଇଁ ସେମାନଙ୍କ ଆଗରେ ଅଲଗା ଅଲଗା ବିକଳ୍ପ ମାନ ରଖାଯାଇଛି: ଯଦି ଉଭୟ ଦୋଷ ସ୍ବୀକାର କରନ୍ତି ତେବେ ଉଭୟ ପାଇବେ ୫ ବର୍ଷ ଲେଖାଏଁ କାରାଦଣ୍ତ; ଯଦି ସଲିମ୍‌ ସ୍ବୀକାର କରେ କିନ୍ତୁ ତୋଫାନ୍‌ ସ୍ବୀକାର ନକରେ ତେବେ ସଲିମ୍‌ ପାଇବ ୩ ମାସ ଓ ତୋଫାନ୍‌ ପାଇବ ୧୦ ବର୍ଷ; ଯଦି ତୋଫାନ୍‌ ସ୍ବୀକାର କରେ କିନ୍ତୁ ସଲିମ ନକରେ ତେବେ ତୋଫାନ୍‌ ପାଇବ ୩ ମାସ ଓ ସଲିମ୍‌ ୧୦ ବର୍ଷ; ଯଦି ଉଭୟ ସ୍ବୀକାର ନକରନ୍ତି ତେବେ ଉଭୟ ପାଇବେ ୧ ବର୍ଷ ଲେଖାଏଁ କାରାଦଣ୍ତ। ଏଥିରୁ ସ୍ପଷ୍ଟ ଯେ ଯଦି ଉଭୟଙ୍କର ପରସ୍ପର ଉପରେ ସ˚ପୂର୍ଣ୍ଣ ବିଶ୍ବାସ ଥିବ ତେବେ ଉଭୟ ଚୁପ୍‌ ରହି ୧ ବର୍ଷ ମାତ୍ର ଲେଖାଏଁ ଜେଲ୍‌ ଭୋଗିବାକୁ ପସନ୍ଦ କରିବେ। ଏହା ହେଉଛି ମାନବିକତା ବା ସହଯୋଗର ମାର୍ଗ,ଯାହା ଯୀଶୁ-ଗାନ୍ଧୀ-କିଙ୍ଗ୍‌ ସୁଲଭ ମାର୍ଗ। ଗାନ୍ଧୀଙ୍କ ସମ୍ବନ୍ଧରେ କୁହାଯାଇଥାଏ: ‘‘ସ୍ବାର୍ଥର ପାଇଁ ଭାଇ ବୁକେ ଭାଇ ଚାଳଇ ଯେଉଁଠି ଛୁରୀ/ସେଇଠି ଶୁଭିଲା ତାପସ କଣ୍ଠୁ ମାନବିକତାର ତୁରୀ।’’ ତେଣୁ ଏପରି ଏକ ସ୍ବାର୍ଥକୈନ୍ଦ୍ରିକ ଦୁନିଆରେ ବାସ୍ତବରେ ଯାହା ଘଟିବ, ତାହା ହେଲା ଉଭୟ ସଲିମ୍‌ ଓ ତୋଫାନ୍‌ ପରସ୍ପରର ସମ୍ଭାବ୍ୟ ଆଚରଣରୁ ଫାଇଦା ଉଠାଇ ନିଜେ ମାତ୍ର ୩ ମାସ ଜେଲ୍‌ଦଣ୍ତ ପାଇବା ଆଶାରେ ଦୋଷ ସ୍ବୀକାର କରି ପକାଇବେ। ଫଳ ହେବ ଉଭୟଙ୍କ ପାଇଁ ୫ ବର୍ଷ ଲେଖାଏଁ ଜେଲ୍‌।

ଉପର ଉଦାହରଣରେ ସଲିମ୍‌ ଓ ତୋଫାନ୍‌ ମଧୢରେ ଏପରି ଛକାପଞ୍ଝା ଗୋଟିଏ ଥରରେ ଶେଷ ହୋଇ ଯାଇଥାଏ। ବାସ୍ତବ ଦୁନିଆରେ କିନ୍ତୁ ସେମାନଙ୍କୁ ବାରମ୍ବାର ଅନୁରୂପ ଭାବରେ ପରସ୍ପରର ସମ୍ମୁଖୀନ ହେବାକୁ ପଡ଼ିଥାଏ। ପ୍ରଥମ ଥର ଜଣକୁ ଜଣା ନଥାଏ ଅନ୍ୟ ଜଣକ କ’ଣ କରିବ; କିନ୍ତୁ ପରବର୍ତ୍ତୀ ଥର ଜଣକର ମନେଥିବ ପୂର୍ବଥର ଅନ୍ୟଜଣକର ଆଚରଣ କିଭଳି ହୋଇଥିଲା। ଏଣିକି ବଞ୍ଚି ରହିବାକୁ ହେଲେ ସରଳ ବିଶ୍ବାସ ତ୍ୟାଗ କରି ସେମାନଙ୍କୁ ଯେସାକୁ ତେସା ନୀତି ଅବଲମ୍ବନ କରିବାକୁ ହେବ। ଏଥିରେ ପ୍ରତିପକ୍ଷର ପୂର୍ବବର୍ତ୍ତୀ ଆଚରଣ ଅନୁସାରେ ନିଜର ଆଚରଣ ସ୍ଥିର କରାଯାଏ ଏବ˚ ନିଜର ଆଚରଣ ପ୍ରତିପକ୍ଷର ଆଚରଣକୁ କିଭଳି ପ୍ରଭାବିତ କରିବାର ସମ୍ଭାବନା ଥାଏ, ସେଥିପ୍ରତି ମଧୢ ଧୢାନ ଦିଆଯାଇଥାଏ। ଗାଣିତିକ ମନସ୍ତତ୍ତ୍ବବିତ୍‌ ଆନାତୋଲ୍‌ ରାପାପୋର୍ଟ‌୍‌ ପ୍ରସ୍ତୁତ କରିଥିବା ଗେମ୍‌ ଥିଓରିର ଏକ ଶାଖା ଏହି ‘ଯେସାକୁ ତେସା’ (ଟିଟ୍‌ ଫର‌୍‌ ଟ୍ୟାଟ୍‌) ରଣକୌଶଳ ହେଉଛି ବେଶ୍‌ ସରଳ। ଏହା ଅନୁସାରେ ତୁମେ ପ୍ରଥମ ରାଉଣ୍ତ୍‌ରେ ତୁମ ପ୍ରତିପକ୍ଷକୁ ସହଯୋଗର ହାତ ବଢ଼ାଇବ; ପରେ ପ୍ରତିପକ୍ଷର ଆଚରଣ ସହିତ ଖାପ ଖାଇବା ଭଳି ତୁମର ଆଚରଣ ବଦଳାଇବ। ଯଦି ପ୍ରତିପକ୍ଷ ସହଯୋଗ ପ୍ରଦର୍ଶନ କରେ, ତୁମେ ସହଯୋଗ କରି ଚାଲିବ, ଯଦି ପ୍ରତିପକ୍ଷ ବିଶ୍ବାସଘାତକତା କରେ, ତୁମେ ତୁରନ୍ତ ତାର ଜବାବ ଦେବ। ‘ଯେସାକୁ ତେସା’ ନିୟମ ଅନୁସାରେ ଗୋଟିଏ ବା ଦୁଇଟି ଯେସା ବଦଳରେ ଏକ ତେସା କରାଯାଇପାରେ। ଏଥିରୁ ସ୍ପଷ୍ଟ ଯେ ପ୍ରଥମ ରାଉଣ୍ତ୍‌ରେ ପ୍ରଦର୍ଶିତ ଉତ୍ତମ ଆଚରଣ ହେଉଛି ସ˚ପୂର୍ଣ୍ଣ ସର୍ତ୍ତମୂଳକ। ଯେସାକୁ ତେସା କୌଶଳ ନିଜର ଅତ୍ୟଧିକ ଭଲପଣିଆ ଯୋଗୁଁ ହୀନ ପ୍ରତିପକ୍ଷ ଦ୍ବାରା ଶୋଷିତ ହେବାରୁ ବ୍ୟକ୍ତିକୁ ରକ୍ଷା କରିଥାଏ। ପ୍ରତିପକ୍ଷ ତୁମର ଉଦ୍ଦେଶ୍ୟ ସ୍ପଷ୍ଟ ରୂପେ ଜାଣିଯିବା ପରେ ଶେଷରେ ତୁମ ସହିତ ଶଠତା ପରିବର୍ତ୍ତେ ସହଯୋଗ ପ୍ରତିଷ୍ଠା କରିବା ଶ୍ରେୟସ୍କର ମଣିବ।

ବର୍ତ୍ତମାନର ପୃଥିବୀରେ ଗେମ୍‌ ଥିଓରିର ଏହି ସ˚ସ୍କରଣର ଏକ ଉଦାହରଣ କେହି ଯଦି ଖୋଜୁଥାନ୍ତି, ତାଙ୍କୁ ଉରି ଓ ପୁଲଵାମା ପରେ ଭାରତ ପାକିସ୍ତାନକୁ ଦେଇଥିବା ଜବାବ ଠାରୁ ଆଉ ଅଧିକ ଶକ୍ତିଶାଳୀ ଉଦାହରଣ କିଛି ମିଳିବ ନାହିଁ। ନରେନ୍ଦ୍ର ମୋଦୀ ପ୍ରଧାନମନ୍ତ୍ରୀ ହେବା ପରେ ପ୍ରଥମେ ପାକିସ୍ତାନ ପ୍ରତି ସହଯୋଗର ହାତ ବଢ଼ାଇ ପାକିସ୍ତାନର ପ୍ରଧାନମନ୍ତ୍ରୀ ନଵାଜ ସରିଫ୍‌ଙ୍କୁ ତାଙ୍କର ଶପଥ ଗ୍ରହଣ ଉତ୍ସବକୁ ଆମନ୍ତ୍ରିତ କଲେ ଓ ଏ ପରିକି ବିଦେଶରୁ ଫେରିବା ବାଟରେ ବାଟ ଭାଙ୍ଗି ସରିଫ୍‌ଙ୍କ ବାସଭବନକୁ ଯାଇ ସୌଜନ୍ୟମୂଳକ ସାକ୍ଷାତ କଲେ। କିନ୍ତୁ କ˚ଗ୍ରେସ ନେତୃତ୍ବାଧୀନ ଉପା ସରକାରର ଅତୀତର ନିଷ୍କ୍ରିୟତା ଓ ‘ଭଲପଣିଆ’ ସହିତ ପାକିସ୍ତାନ ଏପରି ଅଭ୍ୟସ୍ତ ହୋଇଯାଇଥିଲା (କ˚ଗ୍ରେସ ନେତା ‘ମହାତ୍ମା’ ନଭଜୋତ୍‌ ସି˚ହ ସିଦ୍ଧୁ ହେଉଛନ୍ତି ଏହି ନୀତିର ସଦ୍ୟତମ ବାହକ) ଯେ ମୋଦୀଙ୍କର ଏ ସହଯୋଗର ହାତ ତାର ଆଚରଣରେ କୌଣସି ପରିବର୍ତ୍ତନ ଘଟାଇଲା ନାହିଁ। ପଠାଣକୋଟ୍‌ ଏଆରଫୋର୍ସ ଛାଉଣୀ ଉପରେ ଆକ୍ରମଣ ପରେ ମଧୢ ଆମେ ଆକ୍ରମଣକାରୀଙ୍କର ଚିହ୍ନଟ ପାଇଁ ପାକିସ୍ତାନର ସହଯୋଗ ଲୋଡ଼ିଥିଲୁ। ଉରି ଆକ୍ରମଣ ପରେ ଯାଇ ଆମେ ‘ଯେସାକୁ ତେସା’ ଗେମ୍‌ ଥିଓରିକୁ ଅନୁସରଣ କରିବା ଭଳି ଏକ ‘ସର୍ଜିକାଲ୍‌ ଷ୍ଟ୍ରାଇକ୍‌’ ରଚନା କରି ପାକିସ୍ତାନକୁ ଆମର ନୂତନ ଗେମ୍‌ ବା ଖେଳ ନୀତିର ସୂଚନା ଦେଇଥିଲୁ ଯାହାକୁ ସ˚ସ୍କୃତରେ କୁହାଯାଇଥାଏ ‘କଣ୍ଟକେନୈବ କଣ୍ଟକମ୍‌’। ବାଇବଲ୍‌ର ଓଲ୍‌ଡ ଟେଷ୍ଟାମେଣ୍ଟ୍‌ର ପ୍ରତିହି˚ସାପରାୟଣ ଈଶ୍ବର ଏହାକୁ ଆହୁରି ସ୍ପଷ୍ଟ କରି କହିଥିଲେ: ‘ଆଖି ବଦଳରେ ଆଖିଟିଏ, ଏବ˚ ଦାନ୍ତ ବଦଳରେ ଦାନ୍ତଟିଏ।’ ଏହା ଅନୈତିକ ଶୁଭୁଥାଇପାରେ, କିନ୍ତୁ ପ୍ରକୃତରେ ଏହି ନୀତି ମାଧୢମରେ ଯଦି ଦୀର୍ଘକାଳୀନ ଶାନ୍ତି ପ୍ରତିଷ୍ଠା ହୋଇପାରେ ତେବେ ଏହା ଯୀଶୁସୁଲଭ ସହନଶୀଳତା ଅପେକ୍ଷା ଅଧିକ ନୈତିକ ସାବ୍ୟସ୍ତ ହୋଇଥାଏ।

ଯେସାକୁ ତେସା ନୀତିରେ ଯେ ସହଯୋଗର ଆଦୌ ସ୍ଥାନ ନାହିଁ, ଏପରି ନୁହେଁ। ପ୍ରତିପକ୍ଷ ଯଦି ଏହାର ପ୍ରଭାବରେ ନିଜର ବଦମାସିରୁ ଓହରି ଯାଇ ଶାନ୍ତି ପ୍ରତିଷ୍ଠା ପାଇଁ ଆଗ୍ରହ ଦେଖାଏ, ଭାରତ ସେତେବେଳେ ଯେସାକୁ ତେସା ନିୟମ ପାଳନ କରି ସତର୍କତାର ସହିତ ସେଥିରେ ସହଯୋଗ କରିବା ଉଚିତ। କିନ୍ତୁ ଯଦି ଶତ୍ରୁ ପୁଣି ବିଶ୍ବାସଘାତକତା କରେ, ଭାରତ ପୁଣି ସର୍ଜିକାଲ୍‌ ଷ୍ଟ୍ରାଇକ୍‌ ବା ବାଲାକୋଟ୍‌ ଏଆର‌୍‌ ଷ୍ଟ୍ରାଇକ୍‌ ଭଳି ଭୀଷଣ ଯେସାକୁ ତେସା ପ୍ରତିଆକ୍ରମଣ କରିବା ଉଚିତ। ମୋଦୀଙ୍କ ଗେମ୍‌ ଥିଓରି ପ୍ରୟୋଗ ଯେ ଫଳପ୍ରଦ ହୋଇଛି, ତାହାର ବୋଧହୁଏ ଏକ ସୂଚନା ମିଳିଛି ବର୍ତ୍ତମାନ ପାକିସ୍ତାନ ନିଜକୁ ଏକ ନୂଆ ଶାନ୍ତିକାମୀ ପାକିସ୍ତାନ ବୋଲି କରିଥିବା ଘୋଷଣାରୁ। କିନ୍ତୁ ସେଠାରେ ସେନାବାହିନୀ, ସରକାର ଓ ଇସଲାମୀୟ ମୌଳବାଦୀମାନଙ୍କ ମଧୢରେ କ୍ଷମତା ସମୀକରଣ ଯାହା,ଅଦୂର ଭବିଷ୍ୟତରେ ସେଥିଯୋଗୁଁ ପାକିସ୍ତାନ ପଟୁ ପୁଣି ଯେ ଆକ୍ରମଣ ନହେବ, ତାହା କହିହେବ ନାହିଁ। ଭାରତ ଯଦି ଦୀର୍ଘକାଳ ଧରି ଯେସାକୁ ତେସା ନୀତିରେ ଅଟଳ ରହେ, ତେବେ ଯାଇ ଶେଷରେ ଦୀର୍ଘକାଳ ପାଇଁ ପାକିସ୍ତାନ ଏଥିରୁ ନିବୃତ୍ତ ରହିବାକୁ ଉଚିତ ମନେକରିବ। ତେଣୁ କେନ୍ଦ୍ରରେ ଯେଉଁ ସରକାର ରହୁନା କାହିଁକି, ଭାରତ ନିରବଚ୍ଛିନ୍ନ ଭାବରେ ଏହି ନୀତି ଅବଲମ୍ବନ କରିଚାଲିବାକୁ ହେବ।

ସମ୍ବନ୍ଧିତ ଖବର