‘ଭୋଲ୍‌’ ଗୋଲ୍‌ମାଲ୍‌

0

ପ୍ରାୟ ପାଞ୍ଚ ବର୍ଷ ତଳେ ମାଡ୍ରାସ ହାଇକୋର୍ଟର ବିଚାରପତି ଜଷ୍ଟିସ୍‌ ଏନ୍‌ କିରୁବାକରନ୍‌ ଦେଶବ୍ୟାପୀ ଏକ ହୈଚୈ ସୃଷ୍ଟି କରିଥିଲେ, ଯେତେବେଳେ ମହିଳାଙ୍କୁ ପାରିବାରିକ ହି˚ସାରୁ ସୁରକ୍ଷା ଦେବା ପାଇଁ ଉଦ୍ଦିଷ୍ଟ ଆଇନ ଅନ୍ତର୍ଗତ ଏକ ମାମଲାର ଶୁଣାଣି କଲାବେଳେ ସେ ପ୍ରସ୍ତାବ ଦେଇଥିଲେ ଯେ ବିବାହ ପୂର୍ବରୁ ଉଭୟ ବର ଓ କନ୍ୟାଙ୍କର ପ୍ରଜନନ କ୍ଷମତା ସମ୍ବନ୍ଧରେ ନିଶ୍ଚିତ ହେବା ପାଇଁ ସେମାନଙ୍କର ବିଧିବଦ୍ଧ ଡାକ୍ତରୀ ପରୀକ୍ଷା କରାଯିବା ଉଚିତ। ଯେହେତୁ ପ୍ରଜନନ ଅକ୍ଷମତା କାରଣରୁ ଘଟୁଥିବା ବିବାହ ବିଚ୍ଛେଦ ସ˚ଖ୍ୟାରେ ବୃଦ୍ଧି ଘଟିଚାଲିବା ଦେଖାଯାଉଛି, ପ୍ରାକ୍‌-ବିବାହ ଯାଞ୍ଚ ସେ ସମସ୍ୟାକୁ ମୂଳୁ ମାରିଦେବ ବୋଲି ଜଷ୍ଟିସ୍‌ କିରୁବାକରନ୍‌ ବିଶ୍ବାସ କରନ୍ତି। ସେଇ ଜଷ୍ଟିସ୍‌ କିରୁବାକରନ୍‌ ପାରିବାରିକ ସୁଖ ଶାନ୍ତି ସୁରକ୍ଷା ପାଇଁ ଗତ ସପ୍ତାହରେ ସେଇଭଳି ଆଉ ଏକ ନିର୍ଦ୍ଦେଶ ଦେଇଛନ୍ତି ଯାହା ପୁଣି ଥରେ ଦେଶ ସାରା ଚର୍ଚ୍ଚାର ବିଷୟ ହୋଇପଡ଼ିଛି।

କହିବା ବାହୁଲ୍ୟ ପତି କିମ୍ବା ପତ୍ନୀଙ୍କର ପରକୀୟା ପ୍ରୀତି ବୈବାହିକ ଜୀବନରେ ଝଡ଼ ସୃଷ୍ଟି କରିଥାଏ। ଏଥିଯୋଗୁଁ ଅପହରଣ, ହତ୍ୟାକାଣ୍ତ ଭଳି ଅପରାଧମାନ ମଧୢ ଘଟିଥାଏ। ଏହିପରି ଏକ ହତ୍ୟାକାଣ୍ତ ଅଭିଯୁକ୍ତଙ୍କର ଆବେଦନର ଶୁଣାଣି କରିବା ଅବସରରେ ମାଡ୍ରାସ୍‌ ହାଇକୋର୍ଟର ଏହି ମାନ୍ୟବର ବିଚାରପତି ‘ମେଗା ଟିଭିି ସିରିଆଲ୍‌’ ସବୁ ଏବ˚ ସିନେମା ଆଦିର ପ୍ରଭାବରେ ସମାଜରେ ପରକୀୟା ପ୍ରୀତି ବୃଦ୍ଧି ପାଉଛି କି, ତାହା ନିଶ୍ଚିତ କରିବା ପାଇଁ ଉଭୟ କେନ୍ଦ୍ର ସରକାର ଏବ˚ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ସରକାରଙ୍କୁ ସେ ପଚାରିଥିବା ଏଇଭଳି ୨୦ଟି ପ୍ରଶ୍ନ ମଧୢରେ ରହିଛି ଇଣ୍ଟରନେଟ୍‌, ସୋସିଆଲ୍‌ ମିଡିଆ, ପାଶ୍ଚାତ୍ୟ ସ˚ସ୍କୃତି, ଆଧୁନିକ ଜୀବନ ଶୈଳୀ ତଥା ମହିଳାମାନଙ୍କର ବୃତ୍ତିଗତ ସ୍ବାଧୀନତା ଆଦିର ପରକୀୟା ପ୍ରୀତି ସହିତ ସମ୍ଭାବ୍ୟ ସମ୍ପର୍କ ସମ୍ବନ୍ଧିତ ପ୍ରଶ୍ନମାନ। ଜଷ୍ଟିସ୍‌ କିରୁବାକରନ୍‌ ଓ ଜଷ୍ଟିସ୍‌ ଅବଦୁଲ୍‌ କୁଦ୍ଦୋସ୍‌ଙ୍କର ବେଞ୍ଚ୍‌ ପରକୀୟା ପ୍ରୀତିରେ ଦେଖାଯାଉଥିବା ବୃଦ୍ଧିକୁ ଏକ ସାମାଜିକ ବିପତ୍ତି ରୂପେ ବର୍ଣ୍ଣନା କରି ଅବସରପ୍ରାପ୍ତ ବିଚାରପତି ଓ ବିଶେଷଜ୍ଞ ମାନଙ୍କୁ ନେଇ ଏକ ପ୍ୟାନେଲ୍‌ ଦ୍ବାରା ଏହାର ଅନୁଶୀଳନ କରାଯିବା ପାଇଁ ମଧୢ ସୁପାରିସ କରିଛନ୍ତି।

ବିଚାରପତି ଦ୍ବୟଙ୍କର ସାମାଜିକ ସଚେତନତା ଓ ସମସ୍ୟାର ସମାଧାନ ଖୋଜିବା ପାଇଁ ଆଗ୍ରହ ନେଇ କୌଣସି ସନ୍ଦେହ ନାହିଁ। ସେମାନେ ଯେଉଁଭଳି ଚିନ୍ତା ପ୍ରକଟ କରିଛନ୍ତି ସେଭଳି ଚିନ୍ତା କରିବାରେ ସେମାନେ ପ୍ରଥମ ନୁହଁନ୍ତି। ସମାଜର ଅନେକ ଚିନ୍ତାଶୀଳ ବ୍ୟକ୍ତି ପରକୀୟା ପ୍ରୀତି ଏକ ଅପସ˚ସ୍କୃତି ରୂପେ ବିଚାର କରିଥାନ୍ତି ଏବ˚ ଧର୍ଷଣ ଆଦି ଅନ୍ୟାନ୍ୟ ସାମାଜିକ ବ୍ୟାଧି ଭଳି ଏଥିପାଇଁ ମଧୢ ଅପସ˚ସ୍କୃତିର ମୁଖ୍ୟ ବାହକ ରୂପେ ସିନେମା ଓ ଟେଲିଭିଜନ୍‌କୁ ଦାୟୀ କରିଥାନ୍ତି। ଏଭଳି ଅଭିଯୋଗରେ କେତେ ସତ୍ୟତା ରହିଛି ତାହା ନିର୍ଣ୍ଣୟ କରିବାରେ ସରକାର କେତେ ଦୂର ସଫଳ ହେବେ ବା ନହେବେ ତାହା ଜୁନ୍‌ ତୃତୀୟ ସପ୍ତାହରେ ମାମଲାର ପରବର୍ତ୍ତୀ ଶୁଣାଣି ସମୟରେ ହୁଏତ ଜଣାପଡ଼ିବ, କିନ୍ତୁ ପରକୀୟା ପ୍ରୀତି ସମସ୍ୟାର ମଧୢ ଏପରି ଅନ୍ୟ ଏକ ଦିଗ ରହିଛି, ଯାହା ଅଦାଲତର ନିର୍ଦ୍ଦେଶନାମାରେ ସ୍ଥାନ ପାଇ ନାହିଁ ଏବ˚ ଯାହାକୁ ଆଶ୍ରୟ କରି ସରକାର ତାଙ୍କ ଉପରେ ଅଦାଲତ ନ୍ୟସ୍ତ କରିଥିବା ଦାୟିତ୍ବରୁ ଯଦି ଖସିଯିବାକୁ ଚେଷ୍ଟା କରନ୍ତି, ସେଥିରେ କେହି ତଥ୍ୟାଭିଜ୍ଞ ବ୍ୟକ୍ତି ଆଶ୍ଚର୍ଯ୍ୟ ହେବେ ନାହିଁ। ଉପରୋକ୍ତ ବିଚାରପତି ଦ୍ବୟ ମଧୢ ଏକମତ ହେବେ ଯେ ସମାଜର ସମସ୍ତ ଟିଭି ସିରିଆଲ୍‌ ବା ସିନେମା ଦେଖୁଥିବା, କିମ୍ବା ଇଣ୍ଟର‌୍‌ନେଟ୍‌ ବ୍ୟବହାର କରୁଥିବା ଅଥବା ସୋସିଆଲ୍‌ ମିଡିଆରେ ସକ୍ରିୟ ଥିବା ବିବାହିତ ନାରୀ ଓ ପୁରୁଷମାନେ ପରକୀୟା ପ୍ରୀତିରେ ପ୍ରବୃତ୍ତ ହୋଇ ନଥାନ୍ତି। ତେଣୁ ଯେଉଁମାନେ ପରକୀୟା ପ୍ରୀତି ପ୍ରତି ଆକର୍ଷିତ ହୋଇଥାନ୍ତି, ସେମାନେ ଅନ୍ୟ କୌଣସି କାରଣ ଦ୍ବାରା ପ୍ରଭାବିତ ହେଉଥିବାର ଦୃଢ଼ ସମ୍ଭାବନା ଯେ ରହିଛି ତାହା ନ୍ୟାୟମୂର୍ତ୍ତି ଦ୍ବୟ ଅସ୍ବୀକାର କରିପାରିବେ ନାହିଁ। ଏ କ୍ଷେତ୍ରରେ ଗବେଷକମାନେ ଆବିଷ୍କାର କରିଛନ୍ତି ଯେ ସିନେମା ବା ଟିଭି ବା ସୋସିଆଲ୍‌ ମିଡିଆ ଭଳି ପରିବେଶଗତ କାରଣ ମାନ ଅପେକ୍ଷା ମନୁଷ୍ୟର ପରକୀୟାପ୍ରବଣତାକୁ ଯାହା ଅଧିକ ନିୟନ୍ତ୍ରିତ କରିଥାଏ ତାହା ବୋଧହୁଏ ହେଉଛି ସେ ବହନ କରୁଥିବା ଜିନ୍‌। ଅଷ୍ଟ୍ରେଲୀୟ ଗବେଷକ ବ୍ରେଣ୍ତାନ୍‌ ଜିଏଶ୍ଚ୍ ୨୦୧୪ରେ କରିଥିବା ଏକ ଅନୁଶୀଳନରୁ ଆବିଷ୍କାର କରିଥିଲେ ଯେ ପୁରୁଷମାନଙ୍କର ପରକୀୟା ପ୍ରବୃତ୍ତିର ୬୩ ଶତା˚ଶ ସେମାନଙ୍କର ଜିନ୍‌ ଦ୍ବାରା ପ୍ରଭାବିତ ହେଉଥିବା ବେଳେ ନାରୀମାନଙ୍କର ପରକୀୟା ପ୍ରବୃତ୍ତିର ୪୦% ଜିନ୍‌ ଦ୍ବାରା ପ୍ରଭାବିତ ହୋଇଥାଏ। ଏହାକୁ ସତ୍ୟ ସାବ୍ୟସ୍ତ କଲା ଭଳି ଦେଖାଯାଇଥିଲା ଯେ ଅବିକଳ ଏକା ପ୍ରକାର ଜିନ୍‌ ବହନ କରୁଥିବା ଅବିକଳ ଯମଜ (ଆଇଡେଣ୍ଟିକାଲ୍‌ ଟ୍ବିନ୍‌ସ)ମାନଙ୍କର ପରକୀୟାପ୍ରବଣତା ବା ବିମୁଖତା ସ˚ପୂର୍ଣ୍ଣ ଏକାଭଳି ହୋଇଥିବା ବେଳେ ସାଧାରଣ ଯମଜ (ଫ୍ରାଟର୍ନାଲ୍‌ ଟ୍ବିନ୍‌ସ) ମାନଙ୍କର ଏହା ଭିନ୍ନ ଭିନ୍ନ ହୋଇଥାଏ, କାରଣ ସେମାନଙ୍କର ଜିନ୍‌ ଏକା ଭଳି ହୋଇ ନଥାଏ।

କେତେକ ଗବେଷକ ପରକୀୟାପ୍ରବଣତା ଉପରେ ଜିନ୍‌ର ସମ୍ଭାବ୍ୟ ପ୍ରଭାବ ନିର୍ଣ୍ଣୟ କରିବା ପାଇଁ ‘ଭୋଲ୍‌’ ନାମକ ଏକ ମୂଷା ଜାତୀୟ ଜୀବକୁ ବ୍ୟବହାର କରିଥାନ୍ତି। ଏହା ଜଣାଶୁଣା ଯେ ‘ପ୍ରେରି ଭୋଲ୍‌’ ନାମକ ଏକ ଜାତିର ଭୋଲ୍‌ ଦୁଇଟି ମଧୢରେ ଥରେ ପତି-ପତ୍ନୀ ସମ୍ପର୍କ ସ୍ଥାପିତ ହୋଇଗଲେ ସେମାନେ ସାରା ଜୀବନ ପରସ୍ପର ପ୍ରତି ବିଶ୍ବସ୍ତ ରହିଥାନ୍ତି। କିନ୍ତୁ ‘ପ୍ରେରି ଭୋଲ୍‌’ର ନିକଟ ସ˚ପର୍କୀୟ ‘ମଣ୍ଟେନ୍‌ ଭୋଲ୍‌’ ମାନଙ୍କଠାରେ ଠିକ୍‌ ଏହାର ବିପରୀତ ପ୍ରବୃତ୍ତି ପରିଲକ୍ଷିତ ହୋଇଥାଏ। ମଣ୍ଟେନ୍‌ ଭୋଲ୍‌ ଦମ୍ପତି ମାନଙ୍କ ମଧୢରେ ଥରେ ଯୌନ ସ˚ପର୍କ ସ୍ଥାପିତ ହେବା ପରେ ସେମାନେ ପାର୍ଟନର‌୍‌ ପରିବର୍ତ୍ତନ କରିଚାଲିବା ଦେଖାଯାଇଥାଏ। ପାଖାପାଖି ଏକା ଜାତିର ଦୁଇ ପ୍ରାଣୀଙ୍କର ଦାମ୍ପତ୍ୟ ବିଶ୍ବସ୍ତତାରେ ଏଭଳି ଆକାଶ ପାତାଳ ଫରକ୍‌ ଏହାର କାରଣ ଖୋଜୁଥିବା ଗବେଷକମାନଙ୍କ ପାଇଁ ସେମାନଙ୍କୁ ଅତ୍ୟନ୍ତ ଉପଯୁକ୍ତ ନମୁନାରେ ପରିଣତ କରିଛି। ସେମାନଙ୍କୁ ନେଇ ଲାବରଟରିରେ କରାଯାଇଥିବା ଅନୁସନ୍ଧାନରୁ ଜଣାପଡ଼ିଛି ଯେ ‘ଭାସୋପ୍ରେସିନ୍‌’ ନାମକ ହର୍ମୋନ୍‌ ଗ୍ରହଣ କରିବା ପାଇଁ ପ୍ରେରି ଭୋଲ୍‌ର ମସ୍ତିଷ୍କରେ ଅଧିକ ସ˚ଖ୍ୟକ ଗ୍ରହଣକାରୀ କୋଷ ବା ରିସେପ୍ଟର‌୍‌ ମାନ ଥାଏ। ‘ପ୍ରେରି ଭୋଲ୍‌’ ଦମ୍ପତି ଯେତେବେଳେ ସ˚ଗମରେ ବ୍ୟାପୃତ ହୁଅନ୍ତି ସେମାନଙ୍କର ଶରୀର ଅଧିକ ‘ଭାସୋପ୍ରେସିନ୍‌’ କ୍ଷରଣ କରେ, ଯାହାକୁ ମସ୍ତିଷ୍କର ‘ରିସେପ୍ଟର’ମାନେ ଗ୍ରହଣ କରି ସେମାନଙ୍କ ଠାରେ ଏକ ଆନନ୍ଦମୟ ଅନୁଭୂତିର ବନ୍ୟା ସୃଷ୍ଟି କରିଦିଅନ୍ତି। ଏହି ଆନନ୍ଦ ଅନୁଭୂତି ସେମାନଙ୍କର ଦାମ୍ପତ୍ୟ ସ˚ପର୍କକୁ ସର୍ବଦା ମଜଭୁତ ଓ ଅତୁଟ କରି ରଖିଥାଏ। ‘ମଣ୍ଟେନ୍‌ ଭୋଲ୍‌’ମାନଙ୍କର ମସ୍ତିଷ୍କରେ କିନ୍ତୁ ବହୁ କମ୍‌ ସ˚ଖ୍ୟକ ଭାସୋପ୍ରେସିନ୍‌ ରିସେପ୍ଟର ଥିବା ଦେଖାଯାଏ। ସେମାନଙ୍କ ମଧୢରେ ଯୌନ ସଙ୍ଗମ ତେଣୁ ସେମାନଙ୍କ ମସ୍ତିଷ୍କରେ ଅନୁରୂପ ଆନନ୍ଦ ଲହରୀ ସୃଷ୍ଟି କରି ନଥାଏ। ସେମାନେ ତେଣୁ ଆନନ୍ଦ ସନ୍ଧାନରେ ବାରମ୍ବାର ପାର୍ଟନର‌୍‌ ବଦଳାଇ ଚାଲିଥାନ୍ତି।

ହର୍ମୋନ୍‌ ରିସେପ୍ଟର‌୍‌ ମାନଙ୍କର ସ୍ଥାନ ଏବ˚ ସମ୍ବେଦନଶୀଳତାକୁ ନିୟନ୍ତ୍ରଣ କରିଥାଏ ଜିନ୍‌। ୧୯୯୯ରେ ଜଣେ ଗବେଷକ ଏକ ‘ପ୍ରେରି ଭୋଲ୍‌’ଠାରୁ ଭାସୋପ୍ରେସିନ୍‌ ରିସେପ୍ଟର‌୍‌ ଜିନ୍‌ ନେଇ ଏକ ଭାଇରସ୍‌ ମାଧୢମରେ ତାହାକୁ ପରକୀୟାପ୍ରବଣ ‘ମଣ୍ଟେନ୍‌ ଭୋଲ୍‌’ର ଜିନୋମ୍‌ରେ ସ୍ଥାପନ କରି ଦେଲେ। ଦେଖାଗଲା ସେଇ ଜିନ୍‌ ପରିବର୍ତ୍ତିତ ଯୌନ-ଅବିଶ୍ବସ୍ତ ମଣ୍ଟେନ୍‌ ଭୋଲ୍‌ ତାର ସେ ଆଚରଣ ପରିତ୍ୟାଗ କରି ଏକ ସ˚ପୂର୍ଣ୍ଣ ବିଶ୍ବସ୍ତ ପାର୍ଟନର‌୍‌ରେ ପରିଣତ ହୋଇଗଲା- ତା’ର ସମ୍ପର୍କୀୟ ପ୍ରେରି ଭୋଲ୍‌ ଭଳି। ଉଲ୍ଲେଖଯୋଗ୍ୟ ଯେ ‘ଭାସୋପ୍ରେସିନ୍‌’ ଏପରି ପ୍ରଭାବ ସୃଷ୍ଟି କରୁଥିବା ଏକମାତ୍ର ହର୍ମୋନ୍‌ ନୁହେଁ। ‘ଅକ୍ସିଟୋସିନ୍‌’ ହେଉଛି ଏଇଭଳି ଆଉ ଏକ ହର୍ମୋନ୍‌। ଯେଉଁ ମାଈ ଭୋଲ୍‌ଙ୍କ ଠାରେ ଅଧିକ ସ˚ଖ୍ୟକ ଅକ୍ସିଟୋସିନ୍‌ ରିସେପ୍ଟର‌୍‌ ମାନ ଥାଏ ସେମାନେ ସାରା ଜୀବନ ପାଇଁ ବିଶ୍ବସ୍ତ ରହିବାର ସମ୍ଭାବନା ଅଧିକ ହୋଇଥାଏ। ତା’ହେଲେ ସମାଜରେ କେତେକ ପୁରୁଷ ଓ ନାରୀ କ’ଣ ‘ପ୍ରେରି ଭୋଲ୍‌’ର ମସ୍ତିଷ୍କ ନେଇ ବିଚରଣ କରୁଛନ୍ତି ଯେଉଁମାନେ ପରକୀୟା ବିମୁଖ ଏବ˚ ଆଉ କେତେକ ‘ମଣ୍ଟେନ୍‌ ଭୋଲ୍‌’ର ମସ୍ତିଷ୍କ ନେଇ ବୁଲୁଛନ୍ତି ଯେଉଁମାନେ ପରକୀୟାପ୍ରବଣ? ମନେ ହେଉଛି ଅଦାଲତ ନିର୍ଦ୍ଦେଶିତ ପ୍ୟାନେଲ୍‌ ପରକୀୟା ପ୍ରୀତିର କାରଣ ଖୋଜିବା ବେଳେ ସିନେମା ବା ଟିଭିକୁ ଅତିକ୍ରମ କରି ମନୁଷ୍ୟମାନଙ୍କ ମଧୢରେ ଥିବା ଏହି ଦୁଇ ଜାତିର ଭୋଲ୍‌ମାନଙ୍କୁ ମଧୢ ଚିହ୍ନଟ କରିବାକୁ ପଡ଼ିବ।

ସମ୍ବନ୍ଧିତ ଖବର

Leave A Reply

Your email address will not be published.