‘ପାର୍ଟି ଟ୍ରାନ୍‌ସଫର’

0

ବିଶ୍ବର ଅନ୍ୟତମ ଲୋକପ୍ରିୟ ଫୁଟବଲ୍‌ ଟୁର୍ଣ୍ଣାମେଣ୍ଟ ଇ˚ଲଣ୍ତ ପ୍ରିମିୟର ଲିଗ୍‌ ଆରମ୍ଭ ପୂର୍ବରୁ ନାମୀ-ଦାମୀ ତାରକା ଖେଳାଳିଙ୍କୁ ନିଜ ଦଳରେ ସାମିଲ କରିବା ଲାଗି ଅ˚ଶଗ୍ରହଣକାରୀ କ୍ଲବ୍‌ଗୁଡ଼ିକ ମଧୢରେ ତୀବ୍ର ପ୍ରତିଦ୍ବନ୍ଦ୍ବିତା ହୁଏ। ମୋଟା ଅଙ୍କର ଅର୍ଥରେ ଖେଳାଳିଙ୍କ ଖର୍ଦି-ବିକ୍ରି ହୁଏ। ଫଳରେ ଗତବର୍ଷର ଲିଗ୍‌ରେ ଗୋଟିଏ ନିର୍ଦ୍ଦିଷ୍ଟ କ୍ଲବ୍‌ର ଜର୍ସି ପିନ୍ଧି ମଇଦାନକୁ ଓହ୍ଲାଇଥିବା ଖେଳାଳି ଏଥର ଲିଗ୍‌ରେ ଅନ୍ୟ ଗୋଟିଏ ଦଳର ଜର୍ସିରେ ଖେଳିବା ଦେଖାଯାଏ। ପେସାଦାର କ୍ରୀଡ଼ାରେ ଦଳ ପ୍ରତି ଆନୁଗତ୍ୟ ବୋଲି କିଛି ନ ଥାଏ, ଯେଉଁ ଦଳ ଅଧିକ ଦାମ୍‌ ଦେଲା, ଖେଳାଳି ସେହି ଦଳର। ଦାମ୍‌ ହିଁ ନିର୍ଣ୍ଣାୟକ। ଏ ବ୍ୟବସ୍ଥାକୁ ‘କ୍ଲବ୍‌ ଟ୍ରାନ୍ସଫର‌୍‌’ କୁହାଯାଏ। ବିଶ୍ବର ପ୍ରାୟ ସବୁ ପେସାଦାର କ୍ରୀଡ଼ା ଲିଗ୍‌ରେ ଏହି ‘କ୍ଲବ୍‌ ଟ୍ରାନ୍ସଫର‌୍‌’ର ବ୍ୟବସ୍ଥା ପ୍ରଚଳିତ। ଯେମିତି, ଆମ ଭାରତର କ୍ରିକେଟ୍‌ ଆଇପିଏଲ୍‌ ପୂର୍ବରୁ ଖେଳାଳିଙ୍କ ନିଲାମ ହୁଏ। କ୍ରିକେଟରଙ୍କ ଦାମ୍‌ ନିର୍ଦ୍ଧାରଣ କରେ, ସେ ଏଥର କେଉଁ ଦଳ ପାଇଁ ଖେଳିବେ। ସେଥିପାଇଁ ଏଥର ମୁମ୍ବାଇ ଇଣ୍ତିଆନ୍‌ ପାଇଁ ଖେଳିଥିବା କ୍ରିକେଟର‌୍‌ଙ୍କୁ ଆର ଥରକୁ କୋଲ୍‌କାତା ନାଇଟ୍‌ ରାଇଡର‌୍‌ସ କିମ୍ବା ରାଜସ୍ଥାନ ରୟାଲ୍‌ସ ଦଳରେ ଖେଳିବା ଦେଖାଯାଏ।

‘କ୍ଲବ୍‌ ଟ୍ରାନ୍ସଫର‌୍‌’ ଢାଞ୍ଚାରେ ଭାରତୀୟ ରାଜନୀତିରେ ମଧୢ ନିର୍ବାଚନ ପୂର୍ବରୁ ରାଜନେତାଙ୍କ ‘ପାର୍ଟି ଟ୍ରାନ୍ସଫର‌୍‌’ ଏକ ପରମ୍ପରା ଭାବେ ପ୍ରଚଳିତ। ତେବେ ମୌଳିକ ପ୍ରଭେଦ ହେଲା, ପେସାଦାର ଖେଳରେ ‘କ୍ଲବ୍‌ ଟ୍ରାନ୍ସଫର‌୍‌’ ବ୍ୟବସ୍ଥାର ଆଇନଗତ ମାନ୍ୟତା ରହିଛି। ନୈତିକତା ଦୃଷ୍ଟିରୁ ଏ ବ୍ୟବସ୍ଥା ଉପରେ କୌଣସି ପ୍ରଶ୍ନ ଉଠାଇବା ଅବାନ୍ତର। ଅନ୍ୟପକ୍ଷରେ ଭାରତୀୟ ରାଜନୀତିରେ ନିର୍ବାଚନ ପରବର୍ତ୍ତୀ ନିର୍ବାଚିତ ପ୍ରତିନିଧିଙ୍କ ‘ପାର୍ଟି ଟ୍ରାନ୍ସଫର‌୍‌’ ବା ଦଳ ବଦଳ ଉପରେ ଆଇନଗତ କଟକଣା ଥିଲେ ସୁଦ୍ଧା ପ୍ରାକ୍‌- ନିର୍ବାଚନ ଦଳବଦଳ ନେଇ ସେମିତି କୌଣସି ଆଇନଗତ କଟକଣା ନାହିଁ। କିନ୍ତୁ ନୀତି, ନୈତିକତା ଦୃଷ୍ଟିରୁ ଏ ପ୍ରାକ୍‌-ନିର୍ବାଚନୀ ‘ପାର୍ଟି ଫ୍ରାନ୍ସଫର‌୍‌’ ବା ଦଳ ବଦଳର ଧାରା କଦାପି ପ୍ରଶ୍ନର ଊର୍ଦ୍ଧ୍ବରେ ନୁହେଁ। ଏହାର କାରଣ ମଧୢ ସ୍ପଷ୍ଟ। ଫୁଟବଲ, କ୍ରିକେଟ୍‌ ଭଳି ରାଜନୀତି ଆଉ ଗୋଟିଏ ଖେଳ ମାତ୍ର ନୁହେଁ କି ରାଜନୀତିକୁ ଖାଲି ଆଉ ଏକ ପେସା ବୋଲି କୁହାଯାଇ ପାରିବ ନାହିଁ। ରାଜନୀତି ଶ୍ରେଷ୍ଠ ନୀତି ବୋଲି ମର୍ଯ୍ୟାଦା ପାଏ, ଏଥିପାଇଁ ଯେ, ଏହାର ପ୍ରାଣପିଣ୍ତ ହେଲା ଜନ ସେବା, ଦେଶ ଓ ଜାତିର ସ୍ବାର୍ଥରକ୍ଷା ଓ ଜନଗଣଙ୍କ କଲ୍ୟାଣ ସାଧନ। ଏହା ସତ୍ତ୍ବେ ଭାରତୀୟ ରାଜନୀତିରେ ଦଳ ବଦଳର ପରମ୍ପରା ଅସୁସ୍ଥ, ଅସ୍ବସ୍ତିକର ହେଲେ ମଧୢ ଏକ ବାସ୍ତବତା। ଅବଶ୍ୟ, ଗୋଟିଏ ବହୁଦଳୀୟ ଗଣତାନ୍ତ୍ରିକ ବ୍ୟବସ୍ଥାରେ ଦଳବଦଳର କିଛି ସକରାତ୍ମକ ଦିଗକୁ ଅଣଦେଖା କରାଯାଇ ନପାରେ। ଗଣତନ୍ତ୍ରକୁ ଅଧିକ ସକ୍ରିୟ ଓ ଚଳଚଞ୍ଚଳ କରିବାରେ ଏହାର ଅବଦାନ କିଛି ନ୍ୟୂନ ନୁହେଁ। ଭାରତ ଏକ ବହୁଦଳୀୟ ଗଣତନ୍ତ୍ର। କିନ୍ତୁ କୌଣସି ଦଳରେ ଆଭ୍ୟନ୍ତରୀଣ ଗଣତନ୍ତ୍ର ପାଇଁ ସ୍ଥାନ ଅତ୍ୟନ୍ତ ସୀମିତ। ଦଳୀୟ ଶୃଙ୍ଖଳା ଆଳରେ ଭିନ୍ନମତର କଣ୍ଠରୋଧ ଓ ନେତୃତ୍ବର ସ୍ବେଚ୍ଛାଚାରିତା ବିରୋଧରେ ପ୍ରତିବାଦ ଲାଗି ଦଳବଦଳ ଏକ ଆୟୁଧ। କିନ୍ତୁ, ନୀତି ନୈତିକତା ଦୃଷ୍ଟିରୁ ଏହା ଶାଣହୀନ। କାରଣ, ବୃହତ୍ତର ସ୍ବାର୍ଥ କିମ୍ବା ଭିନ୍ନମତାଦର୍ଶ ଅପେକ୍ଷା, ଆତ୍ମ ସ୍ବାର୍ଥ ରକ୍ଷା, ବ୍ୟକ୍ତିଗତ ରାଜନୈତିକ ଉଚ୍ଚାକା˚କ୍ଷା ଦଳବଦଳର ପ୍ରଧାନ କାରକ। ସ୍ବାଧାନତା ପରବର୍ତ୍ତୀ ଭାରତୀୟ ରାଜନୀତିରେ ଏହାର ଅସ˚ଖ୍ୟ ନଜିର ରହିଛି। ସେହି ଅସ˚ଖ୍ୟ ନଜିର ଲମ୍ବା ତାଲିକାରେ ସଦ୍ୟ ସ୍ଥାନ ପାଇଛି ରାଜ୍ୟର ପୂର୍ବତନ ବିଜେଡି ମନ୍ତ୍ରୀ ଡ. ଦାମୋଦର ରାଉତଙ୍କ ବିଜେପିରେ ଯୋଗଦାନ।

ବିଗତ ନିର୍ବାଚନ ଗୁଡ଼ିକ ଭଳି ଊଣେଇଶ ନିର୍ବାଚନ ପାଇଁ ତାରିଖ ଘୋଷଣାର ବହୁ ମାସ ପୂର୍ବରୁ ଆରମ୍ଭ ହୋଇ ଏବେ ମଧୢ ଓଡ଼ିଶାରେ ଜାରି ରହିଛି ‘ପାର୍ଟି ଟ୍ରାନ୍‌ସଫର‌୍‌’ ବା ଦଳ ବଦଳର କ୍ରମ। ଏକାଧିକ ବିଧାୟକଙ୍କ ସମେତ, ବହୁ ପୂର୍ବତନ ସା˚ସଦ, ବିଧାୟକ, ପଞ୍ଚାୟତ ପ୍ରତିନିଧି ଓ ଅନ୍ୟ ବହୁ ପ୍ରମୁଖ ରାଜନୈତିକ ବ୍ୟକ୍ତିତ୍ବ ନିଜ କର୍ମୀ, ସମର୍ଥକଙ୍କ ସହ ପକ୍ଷ ବଦଳାଇଛନ୍ତି। କିଏ କ˚ଗ୍ରେସ ଛାଡ଼ି ବିଜେଡିରେ ଯୋଗ ଦେଇଛନ୍ତି ତ ଆଉ କିଏ ବିଜେଡିରୁ ଆସି ବିଜେପିରେ ସାମିଲ ହୋଇଛନ୍ତି। ଆଉ କେହି ଅନ୍ୟ ଦଳରୁ ଆସି କ˚ଗ୍ରେସ ଶିବିରରେ ଯୋଗ ଦେଇଛନ୍ତି। ଦଳବଦଳକାରୀ ନେତାଙ୍କ ଏହି ଗହଳି ମଧୢରେ ବର୍ତ୍ତମାନ ପର୍ଯ୍ୟନ୍ତ ଯଦି କେହି ସବୁଠାରୁ ଅଧିକ ଆମୋଦ ଓ ଆଲୋଡ଼ନ ସୃଷ୍ଟି କରି ଧୢାନ ଆକର୍ଷଣ କରିଛନ୍ତି, ତେବେ ସେ ହେଉଛନ୍ତି ଡ. ଦାମୋଦର ରାଉତ। ଅବଶ୍ୟ, ରାଜନୀତିରେ କେବଳ ସେ ସୃଷ୍ଟି କରିଥିବା ଆମୋଦ ଓ ଆଲୋଡ଼ନ ପରିପ୍ରେକ୍ଷୀରେ ଦାମ ବାବୁଙ୍କ ବିଜେପିରେ ଯୋଗଦାନ ବିଶେଷ ଆଲୋଚନାର ଅପେକ୍ଷା ରଖୁନାହିଁ। ଦାମ-ବିଜେପି ଦୀର୍ଘ ଟଣାଓଟରାର ପୃଷ୍ଠଭୂମିରେ ଏହି ବିଜୁ ଅନୁଗତ ନେତାଙ୍କ ପଦ୍ମ ଦଳରେ ଯୋଗଦାନରେ ରାଜନୀତିରେ ନୀତି-ନୈତିକତାର ଯେଉଁ ଅବକ୍ଷୟ ପ୍ରତିଫଳିତ ହୋଇଛି, ତାହା ନିଶ୍ଚୟ ଉଦ୍‌ବେଗଜନକ ଓ ଆଲୋଚନାର ଅପେକ୍ଷା ରଖୁଛି।

‘ରାଜନୀତିରେ କିଛି ସ୍ଥାୟୀ ନୁହେଁ, ନା ଶତ୍ରୁ ନା ମିତ୍ର। ସମୟ ଓ ପରିସ୍ଥିତି ବଦଳିବା ସହ ଶତ୍ରୁ ଓ ମିତ୍ର ମଧୢ ବଦଳି ଯାଆନ୍ତି। ଯଦି କିଛି ସ୍ଥାୟୀ, ତେବେ ତାହା ହେଉଛି ‘ନ୍ୟସ୍ତ ସ୍ବାର୍ଥ।’ ରାଜନୀତିରେ ଗତକାଲି ବୋଲି କିଛି ନାହିଁ। ରାଜନୀତିରେ ବାରମ୍ବାର ଦୋହରାଯାଉଥିବା ଏଭଳି କେତେକ ଆପ୍ତ ବାକ୍ୟର ଆଲୋକରେ ଦାମ ବାବୁଙ୍କ ବିଜେପିରେ ଯୋଗଦାନକୁ ବିଚାର କରିବା ଅତ୍ୟନ୍ତ ସହଜ ଓ ସରଳ। କିନ୍ତୁ ପ୍ରସଙ୍ଗ ଏତେ ସହଜ କି ସରଳ ନୁହେଁ। ଦାମ ବାବୁ କେଉଁ ଦଳକୁ ଗଲେ? ଯେଉଁ ଦଳର ନୀତି ଓ ନେତାଙ୍କୁ ସେ ନିଜର ସ୍ବଭାବ ସୁଲଭ ଚଟୁଳ ଶବ୍ଦ ବାଣରେ ନିର୍ଘାତ ଆକ୍ରମଣ କରୁଥିଲେ। କେଉଁ ନେତାଙ୍କ ସହ କାନ୍ଧକୁ କାନ୍ଧ ମିଳାଇ ଲୁଣି ପାଣିରେ ପଦ୍ମ ଫୁଟାଇବାର ସ˚କଳ୍ପକୁ ସାକାର କରିବେ? ସେହି ନେତା, ଯାହାଙ୍କ ସରପଞ୍ଚ ହେବା ଯୋଗ୍ୟତା ଓ କ୍ଷମତା ଉପରେ ଦାମ ବାବୁ ପ୍ରଶ୍ନ ଉଠାଉଥିଲେ। କୌଣସି ନିର୍ବାଚନ ମଣ୍ତଳୀରେ ଲଢ଼ିଲେ ବି ଯେଉଁ ନେତାଙ୍କୁ ହରାଇବେ ବୋଲି ସେ ପଣ କରିଥିଲେ। କେଉଁ ଦଳର କର୍ମକର୍ତ୍ତା ଓ କର୍ମୀମାନେ ଦାମବାବୁଙ୍କ ସହକର୍ମୀ ହେବେ? ସେହି ଦଳର କର୍ମକର୍ତ୍ତା, ଯେଉଁମାନେ ସାମ୍ବାଦିକ ସମ୍ମିଳନୀ କରି ମନ୍ତ୍ରିମଣ୍ତଳରୁ ଦାମଙ୍କ ବହିଷ୍କାର ଦାବି କରୁଥିଲେ। ସେହି କର୍ମୀ ଯେଉଁମାନେ ହାତରେ ପ୍ଲାକାର୍ଡ, ମୁହଁରେ ଦାମ ବିରୋଧୀ ନାରା ସହ ରାସ୍ତାକୁ ଓହ୍ଲାଇଥିଲେ। ଅଳ୍ପ କିଛି ମାସ ତଳର ଏହି ଘଟଣା ସବୁ ଦାମବାବୁ ଓ ବିଜେପି ବାଲାଏ ଭୁଲି ଯାଇ ପାରନ୍ତି। କିନ୍ତୁ ରାଜ୍ୟର ଜନତାଙ୍କ ମନରେ ତାହା ଏବେ ମଧୢ ତାଜା। ଏହା ଦାମବାବୁଙ୍କ ପାଇଁ ଯେତିକି ଅଡୁଆ, ବିଜେପି ପାଇଁ ତା’ଠାରୁ ଅଧିକ ଅଡୁଆ। ବିଜେପିରେ ଯୋଗ ଦେଇ ଦାମ ବାବୁ ନିଜ ଛେପ ନିଜେ ଯେତେ ଢୋକିଛନ୍ତି, ରାଜ୍ୟ ବିଜେପିକୁ ଦାମ ବାବୁଙ୍କୁ କୋଳେଇ ତା’ଠାରୁ ଅଧିକ ଛେପ ଢୋକିବାକୁ ପଡ଼ିଛି। ବିଜେପି ହିଁ ଦାମ ବାବୁଙ୍କ ମହିଳା ବିରୋଧୀ ଓ ଜାତିଆଣ ମନ୍ତବ୍ୟର ସବୁଠାରୁ ଉଚ୍ଚ ସ୍ବରରେ ପ୍ରତିବାଦ କରିଥିଲା। ବିଜେପିର ତୀବ୍ର ପ୍ରତିବାଦ ଦାମଙ୍କ ମନ୍ତ୍ରୀ ପଦ ଯିବାର ମୁଖ୍ୟ କାରଣ ଥିଲା।

‘ରାଜନୀତିରେ ନୈତିକତାର କୌଣସି ସମ୍ପର୍କ ନାହିଁ’। ପଞ୍ଚଦଶ ଶତାବ୍ଦୀର ମାକିଆଭିଲିଙ୍କ ଏହି ଉକ୍ତିକୁ ଉଦ୍ଧାର କରି ଅନେକ ଦାମବାବୁ ଓ ବିଜେପିକୁ ନୀତି-ନୈତିକତାର ଦୃଷ୍ଟିକୋଣରୁ ନିର୍ଦ୍ଦୋଷ ପ୍ରମାଣପତ୍ର ଦେଇପାରନ୍ତି। ଉଭୟଙ୍କ ରାଜନୈତିିକ ଶତ୍ରୁ ଗୋଟିଏ ହୋଇଥିବାରୁ ପ୍ରତିଦ୍ବନ୍ଦ୍ବୀର ମୁକାବିଲା ଲାଗି ଦୁଇପକ୍ଷ ଏକାଠି ହେବାର କୌଣସି ଅସ୍ବାଭାବିକତା ଦେଖି ନପାରନ୍ତି। ମାଓ ସେତୁ˚ଙ୍କ ରଣନୀତି ସହ ତୁଳନା କରି ବିଜେପି ଓ ଦାମବାବୁଙ୍କ ମିଳନକୁ ଏକ ରଣନୀତିର ଆଖ୍ୟା ମଧୢ ଦେଇ ପାରନ୍ତି। ତେବେ ମାକିଆଭିଲି କି ମାଓଙ୍କ ତତ୍ତ୍ବ ଗଣତନ୍ତ୍ର ପାଇଁ ପ୍ରଯୁଜ୍ୟ ନୁହେଁ। ମାକିଆଭିଲିଙ୍କ ପାଞ୍ଚଶହ ବର୍ଷ ପୁରୁଣା ତତ୍ତ୍ବ ତତ୍କାଳୀନ ରାଜତନ୍ତ୍ର କିମ୍ବା ବର୍ତ୍ତମାନର ଗୋଟିଏ ସ୍ବେଚ୍ଛାଚାରୀ ଏକଛତ୍ରବାଦୀ ଶାସନ ବ୍ୟବସ୍ଥା ପାଇଁ ଉପଯୁକ୍ତ ଓ ପ୍ରାସଙ୍ଗିକ ମନେ ହୋଇପାରେ। କିନ୍ତୁ ଗୋଟିଏ ଗଣତନ୍ତ୍ରରେ ରାଜନୀତି କଦାପି ନୀତିନୈତିକତା ଓ ଆଦର୍ଶ ମୂଲ୍ୟବୋଧଠାରୁ ସମ୍ପର୍କ ଛିିନ୍ନ କରିପାରିବ ନାହିଁ। ନୀତି, ନୈତିକତା ବିନା ଗଣତନ୍ତ୍ରରେ ରାଜନୀତି ଅନ୍ତଃସାରଶୂନ୍ୟ। ନୀତି-ନୈତିକତାକୁ କବର ଦେଇ କ୍ଷମତା ଆହରଣ କରିବା ଶାସନ ଗାଦିରେ ବସିବା ସହଜ ହୋଇପାରେ। କିନ୍ତୁ ଶାସକର ନୈତିକ କର୍ତ୍ତୃତ୍ବ ବିନା ଶାସନ ସମ୍ଭବ ନୁହେଁ।

ପ୍ରଖ୍ୟାତ ଆମେରିକୀୟ ଲେଖକ ମାର୍କ ଟ୍ବାଇନ୍‌ ଏକଦା କହିଥିଲେ ମାନବ ଜାତି ନୀତି ନୈତିକତା, ମାନବୀୟ ମୂଲ୍ୟବୋଧ ଦୃଷ୍ଟିରୁ କେତେ ତଳକୁ ଖସି ଯାଇପାରେ, ତାହା ନିର୍ବାଚନ ସମୟରେ ଲୋକଙ୍କ ଆଚରଣରୁ ଜଣାପଡେ଼। ଟ୍ବାଇନ୍‌ଙ୍କ ଏହି ଉକ୍ତି ନିଷ୍ଠୁର ହେଲେ ସୁଦ୍ଧା କେତେ ନିରାଟ ସତ୍ୟ, ନିର୍ବାଚନ ପୂର୍ବରୁ ଦଳବଦଳକାରୀଙ୍କ ଆଚରଣ ଓ ଉଚ୍ଚାରଣରୁ ତା’ର ଯଥେଷ୍ଟ ପ୍ରମାଣ ମିଳିଗଲାଣି। ଆଶା, ନିର୍ବାଚନରେ ଭାରତୀୟ ମତଦାତା, ନେତାଙ୍କ ବାଟରେ ନଯାଇ ନିଜର ବିବେକ, ବିଚାର, ବୁଦ୍ଧି ଖଟାଇ ଗଣତନ୍ତ୍ରରେ ନୀତି ନୈତିକତାର ରକ୍ଷା କରି ଏହାର ଗରିମା ବଢ଼ାଇବେ।

ସମ୍ବନ୍ଧିତ ଖବର

Leave A Reply

Your email address will not be published.