ଘୃଣା ପ୍ରଣୋଦିତ ନରସଂହାର

ଆଇସ୍‌ଲ୍ୟାଣ୍ତ୍‌ ପରେ ନ୍ୟୁଜିଲ୍ୟାଣ୍ତ୍‌ ହେଉଛି ବିଶ୍ବର ଦ୍ବିତୀୟ ସବୁଠାରୁ ଅଧିକ ଶାନ୍ତିପୂର୍ଣ୍ଣ ଦେଶ। ୨୦୧୭ରେ ଦେଶରେ ମାତ୍ର ୩୫ ଜଣଙ୍କ ହତ୍ୟା କିମ୍ବା ଅନ୍ୟ କାରଣରୁ ଅପମୃତ୍ୟୁ ଘଟିଥିଲା। ଏହା ନ୍ୟୁଜିଲାଣ୍ତରେ ଶାନ୍ତିର ରାଜୁତିର ସୁଖଦ ସୂଚକ। କିନ୍ତୁ ଗତ ସପ୍ତାହର ଶୁକ୍ରବାର ପରେ ପରିସ୍ଥିତି ବଦଳି ଯାଇଛି। ଏକାଧିକ ଦ୍ବୀପର ଏହି କ୍ଷୁଦ୍ର ଶାନ୍ତିର ଭୂଖଣ୍ତରେ ଏବେ ଭୟ ଓ ଆତଙ୍କର ରାଜୁତି। ଶୁକ୍ରବାର ଦିନ ଖ୍ରୀଷ୍ଟଚର୍ଚ୍ଚର ଦୁଇଟି ମସଜିଦରେ ଘଟିଥିବା ନରସ˚ହାର ଘଟଣା ଶାନ୍ତି ସହ ଅଭ୍ୟସ୍ତ ୫୦ ଲକ୍ଷ ନ୍ୟୁଜିଲାଣ୍ତବାସୀଙ୍କୁ ସ୍ତବ୍‌ଧ କରି ଶୋକରେ ବୁଡ଼ାଇ ଦେଲା। ଜଣେ ୨୮ ବର୍ଷ ବୟସ୍କ ବନ୍ଧୁକଧାରୀ ନରପିଶାଚର ଗୁଳିରେ ୪୯ ଜଣ ନିରୀହ ପୁରୁଷ, ମହିଳା ଓ ନିଷ୍ପାପ ଶିଶୁଙ୍କ ଅକାଳ ମୃତ୍ୟୁ ହୋଇଛି। ସ୍ତବ୍‌ଧ ନ୍ୟୁଜିଲାଣ୍ତବାସୀ ଶୋକ ସାଗରରୁ ଧୀରେ ଧୀରେ ଉପରକୁ ଉଠୁଥିଲେ ସୁଦ୍ଧା ଭବିଷ୍ୟତରେ ଏ ପ୍ରକାର ନରକୀୟ ହି˚ସାର ପୁନରାବୃତ୍ତି ଆଶଙ୍କା ସେମାନଙ୍କୁ ଆତଙ୍କିତ କରି ରଖିଛି।

ଶ୍ବେତାଙ୍ଗଙ୍କ ବର୍ଣ୍ଣଗତ ପ୍ରାଧାନ୍ୟ ଉପରେ ଗର୍ବ କରୁଥିବା ଜଣେ ଉନ୍ମାଦ ‘‘ହ୍ବାଇଟ୍‌ ସୁପ୍ରିମାସିଷ୍ଟ’ ଗୋରା ଯୁବକର ଖ୍ରୀଷ୍ଟଚର୍ଚ୍ଚ ମସ୍‌ଜିଦରେ ଉନ୍ମତ୍ତ ହି˚ସ୍ର ତାଣ୍ତବ ରଚିଛି। ଏହା ଆଉ ଏକ ଭୟଙ୍କର ସ˚କେତ ଯେ ବିଶ୍ବରେ ଉଗ୍ର ଦକ୍ଷିଣପନ୍ଥୀ ରାଷ୍ଟ୍ରବାଦ, ଚରମ ବର୍ଣ୍ଣ ବିଦ୍ବେଷ, ଧାର୍ମିକ ଅସହିଷ୍ଣୁତା, ଶରଣାର୍ଥୀ, ଅପ୍ରବାସୀ ବିଦେଶୀ ବିରୋଧୀ ଘୃଣାର ସ˚କ୍ରମଣ ବଢ଼ି ବଢ଼ି ଚାଲିଛି। ୟୁରୋପ, ଉତ୍ତର ଆମେରିକାରୁ ଆରମ୍ଭ କରି ଅନ୍ୟ ଗୋରା ବହୁଳ ଅନେକ ଅଞ୍ଚଳକୁ ଏହାର ବିଷ ସ˚ଚରି ଯାଉଛି। ଆତତାୟୀ ଆକ୍ରମଣ ଲାଗି ମସ୍‌ଜିଦକୁ ବାଛିଲା ଏଥିପାଇଁ ଯେ ସେଠାରେ ଅଣ-ଶ୍ବେତାଙ୍ଗ, ଅନ୍ୟ ଧର୍ମୀ ଶରଣାର୍ଥୀ-ଅନୁପ୍ରବେଶକାରୀ ଅପ୍ରବାସୀ ବିଦେଶୀ ପ୍ରାର୍ଥନା ପାଇଁ ଠୁଳ ହୋଇଛନ୍ତି। ତାର ଉଦ୍ଦେଶ୍ୟ ଥିଲା ସେମାନଙ୍କ ମଧୢରୁ କିଛିଙ୍କୁ ନିପାତ କରି ବିଶ୍ବକୁ ଏମାନଙ୍କ ଅଯଥା ବୋଝରୁ ହାଲୁକା କରିବ। କୌଣସି ପ୍ରକାର ଚରମପନ୍ଥା ବା ଉଗ୍ରବାଦ ଯେ ଶେଷରେ ଆତଙ୍କବାଦର ରୂପ ନେଇ ହି˚ସାରେ ପ୍ରକାଶ ପାଏ। ଏହାର ଆଉ ଏକ ନୃଶ˚ସ ପ୍ରମାଣ ହେଲା ନ୍ୟୁଜିଲାଣ୍ତ ମସ୍‌ଜିଦରେ ଜଘନ୍ୟ ନରସ˚ହାର। ଆତତାୟୀ ଅଷ୍ଟ୍ରେଲୀୟ ଯୁବକ ବ୍ରେଣ୍ଟନ୍‌ ଟରାଣ୍ଟ ହିଂସାକାଣ୍ଡର ଏକ ସିଧା ପ୍ରସାରଣ ସହ ୭୪ ପୃଷ୍ଠାର ଇସ୍ତାହାର ଜାରି କରିଛି। ୨୦୧୧ରେ ଓସଲୋ ଠାରେ ୭୭ ଜଣ ଅପ୍ରବାସୀ ବିଦେଶୀଙ୍କୁ ହତ୍ୟା କରିଥିବା ଯୁବକ ନରେଵର ଏଣ୍ତର୍ସ ଭେରିଙ୍ଗ୍‌ ବ୍ରେଇଭିକ୍‌ ଓ ,ବ୍ରେଣ୍ଟନ୍‌ ଟରାଣ୍ଟର ଇସ୍ତାହାର ମଧୢରେ କୌଣସି ପାର୍ଥକ୍ୟ ନାହିଁ। ବିଷୟ, ଶବ୍ଦ, ଭାଷା ଓ ଭାବନା ସବୁ ସମାନ। ଶ୍ବେତାଙ୍ଗଙ୍କ ବର୍ଣ୍ଣଗତ ଅହଂକାର ଓ ଅଣଶ୍ବେତାଙ୍ଗଙ୍କ ପ୍ରତି ବି‌ଦ୍ବେ‌ଷ, ଘୃଣା ଅସହିଷ୍ଣୁତାର ଗନ୍ଧ ଇସ୍ତାହାରରେ ରହିଛି। ପୁଣି ଥରେ ବ୍ରେଣ୍ଟନ୍‌ ଟରାଣ୍ଟ ଦେହରାଇଛି ଯେ ଶ୍ବେତାଙ୍ଗମାନେ ଶ୍ରେଷ୍ଠ ମଣିଷ। ଅନ୍ୟ ବର୍ଣ୍ଣ ଓ ଧର୍ମର ମଣିଷମାନେ ଇତର ପ୍ରାଣୀ। ୟୁରୋପ ସମେତ ଅନ୍ୟ ଗୋରା ବହୁଳ ଦେଶକୁ ଆସି ବସବାସ କରୁଥିବା ଅପ୍ରବାସୀ ଅନ୍ୟ ବର୍ଣ୍ଣ ଓ ଅନ୍ୟ ଧର୍ମର ଏସୀୟ, ଆଫ୍ରିକୀୟମାନେ ଆକ୍ରମଣକାରୀ, ଅପା˚କ୍ତେୟ, ଅଲୋଡ଼ା। ଶ୍ବେତାଙ୍ଗଙ୍କ ମେଳରେ ଏହି ଅପବିତ୍ର, ମ୍ଳେଚ୍ଛ ଅଣ-ଶ୍ବେତାଙ୍ଗଙ୍କ ଉପସ୍ଥିତି ସ˚ପୃକ୍ତ ରାଷ୍ଟ୍ରର ସୁରକ୍ଷା ପ୍ରତି ବିପଦ। ଅପ୍ରବାସୀ-ବିଦେଶୀଙ୍କ ଯୋଗୁ ଦେଶୀଙ୍କ ଜୀବନ ଜୀବିକା ବିପନ୍ନ। ଅପ୍ରବାସୀ-ବିଦେଶୀ ଅଣ-ଶ୍ବେତାଙ୍ଗଙ୍କ ପ୍ରତି ଏ ପ୍ରକାର ଉଗ୍ର ମାନସିକତା କେବଳ ୟୁରୋପ ଓ ଉତ୍ତର ଆମେରିକାରେ ନୁହେଁ, ବିଶ୍ବର ଅନ୍ୟ ସ୍ଥାନରେ ୟୁରୋପୀୟଙ୍କ ଦ୍ବାରା ସ୍ଥାପିତ ପୂର୍ବତନ ଉପନିବେଶ ଗୁଡ଼ିକରେ ମଧୢ ଘନୀଭୂତ ହୋଇ ଚାଲିଛି। ଏହାର ପରିଣତି ହେଉଛି ଗତ ୨୦୦୨ରୁ ୨୦୧୮ ମଧୢରେ ବିଶ୍ବର ତଥାକଥିତ ଉନ୍ନତ, ସମୃଦ୍ଧ ଓ ସଭ୍ୟରାଷ୍ଟ୍ରଗୁଡ଼ିକରେ ୧୬୭ଟି ହି˚ସାକାଣ୍ତ ୧୫୮ଟି ଜୀବନ ନେଇଛି। ପ୍ରତିଟି ହି˚ସା ଘଟଣାର ମୂଳ କାରଣ ସେହି ସମାନ ଦକ୍ଷିଣପନ୍ଥୀ ରାଷ୍ଟ୍ରବାଦ, ଉଗ୍ର ବର୍ଣ୍ଣ ବିଦ୍ବେଷ ମିଶ୍ରିତ ଶରଣାର୍ଥୀ, ଅପ୍ରବାସୀ ବିଦେଶୀ ବିରୋଧୀ ମନୋଭାବ।

ଆହୁରି ଉଦ୍‌ବେଗ ଓ ଦୁର୍ଭାଗ୍ୟର ବିଷୟ ହେଲା, ଏ ପ୍ରକାର ଉଗ୍ର ଜାତୀୟତାବାଦ ଓ ବର୍ଣ୍ଣ ବୈଷମ୍ୟକୁ ଉଦାରବାଦୀ ପାଶ୍ଚାତ୍ୟ ଗଣତନ୍ତ୍ରର କେତେକ ଦକ୍ଷିଣପନ୍ଥୀ ରାଜନୈତିକ ନେତା ଓ ଦଳମାନଙ୍କର ପ୍ରୋତ୍ସାହନ। ପ୍ରତ୍ୟକ୍ଷରେ ବା ପରୋକ୍ଷରେ ସାମାଜିକ ଓ ରାଜନୈତିକ ବାତାବରଣରେ ଘୃଣା ଓ ବିଦ୍ବେଷର ଜହର ମିଶାଉଥିବା ନେତାମାନଙ୍କ ତାଲିକାରେ ସର୍ବାଗ୍ରେ ରହିିବେ ବିଶ୍ବର ସବୁଠାରୁ ସମୃଦ୍ଧ ଗଣତନ୍ତ୍ର ଯୁକ୍ତରାଷ୍ଟ୍ର ଆମେରିକାର ରାଷ୍ଟ୍ରପତି ଡୋନାଲ୍‌ଡ ଟ୍ରମ୍ପ୍‌। ରାଷ୍ଟ୍ରପତି ଟ୍ରମ୍ପଙ୍କ ‘ଆମେରିକା ଫାଷ୍ଟ’ ମାର୍କା ରାଷ୍ଟ୍ରବାଦ ଉପରକୁ ନିରୀହ ମନେ ହେଉ ଥିଲେ ବି ଅସଲରେ ଘାତକ। ସମାବେଶୀ ହେବା ପରିବର୍ତ୍ତେ ଏହା ପାତରଅନ୍ତର ଓ ବିଦ୍ବେଷମୂଳକ। ଏହାର ପ୍ରତିଫଳନ କେବଳ ଟ୍ରମ୍ପ୍‌ଙ୍କ ଆଭ୍ୟନ୍ତରୀଣ ସୁରକ୍ଷା ନୀତି, ଅପ୍ରବାସୀ-ବିଦେଶୀଙ୍କ ଆଗମନକୁ ରୋକିବା ଲାଗି ମେକ୍ସିକୋ ସୀମାରେ ବିଶାଳ ପ୍ରାଚୀର ନିର୍ମାଣରେ ସୀମିତ ନୁହେଁ। ଆମେରିକାର ସଂକୀର୍ଣ୍ଣ ସ୍ବାର୍ଥାନ୍ବେ‌ଷୀ ବୈଦେଶିକ ଓ ବାଣିଜ୍ୟ ନୀତିରେ ମଧୢ ଏହାର ପ୍ରତିଫଳନ ସ୍ପଷ୍ଟ। ଦ୍ବିତୀୟ ବିଶ୍ବଯୁଦ୍ଧ ପରେ ଗଣତନ୍ତ୍ର, ମାନବାଧିକାରର ସୁରକ୍ଷା କରି ଏକ ସମାନତାପୂର୍ଣ୍ଣ ମୁକ୍ତ ଅର୍ଥନୈତିକ-ରାଜନୈତିକ ବିଶ୍ବ ବ୍ୟବସ୍ଥା ବାହାଲ ସହ ବିଶ୍ବ ଶାନ୍ତିର ଜଗୁଆଳିର ଦାୟିତ୍ବ ନେଇଥିଲା ଯୁକ୍ତରାଷ୍ଟ୍ର ଆମେରିକା। କିନ୍ତୁ ଡୋନାଲ୍‌ଡ ଟ୍ରମ୍ପ୍‌ ହ୍ବାଇଟ୍‌ ହାଉସ୍‌କୁ ଯିବା ପରେ ଆମେରିକା ନିଜ କାନ୍ଧରୁ ସେହି ଦାୟିତ୍ବ ଓହ୍ଲାଇ ଦେଇଛି। ଟ୍ରମ୍ପ୍‌ଙ୍କ ଭଳି ପାଶ୍ଚାତ୍ୟର ଆହୁରି କେତେକ ଗଣତନ୍ତ୍ରରେ ଦକ୍ଷିଣପନ୍ଥୀ ନେତାଙ୍କ ଶାସନ ଦଖଲ ଏବ˚ ଅନ୍ୟ କେତେକ ରାଷ୍ଟ୍ରରେ ଦକ୍ଷିଣପନ୍ଥୀ ରାଜନୈତିକ ଶକ୍ତିଙ୍କ କାୟାବିସ୍ତାର ଉଦାରବାଦକୁ ଠେଲି ଦକ୍ଷିଣପନ୍ଥୀ ଚରମବାଦର ପ୍ରସାର ଲାଗି ସ୍ଥାନ ତିଆରି କରିଛି। ପାଶ୍ଚାତ୍ୟ ଗଣତନ୍ତ୍ରରେ ଉଦାରବାଦ ଯେ ଗୁରୁତ୍ବ ହରାଉଛି, ତା’ର ଗୋଟିଏ ଉଦାହରଣ ଥିଲା ବ୍ରେକ୍‌ଜିଟ୍‌ ସପକ୍ଷରେ ଗଣଭୋଟ। ତେବେ ବିପଦ ହେଲା, ଦକ୍ଷିଣପନ୍ଥୀ ଚରମ ରାଷ୍ଟ୍ରବାଦ, ଘୃଣା, ବିଦ୍ବେଷ ଓ ଅସହିଷ୍ଣୁତାର ସଂକ୍ରମଣ। କେବଳ ନିର୍ବାଚିତ ଏକଛତ୍ରବାଦ ପାଇଁ ସୁଯୋଗ ତିଆରିକରୁନାର୍ହି । ଏହା ବିଷ ମଞ୍ଜି ବୁଣୁଛି, ତାହା ଆତଙ୍କବାଦକୁ ଜନ୍ମ ଦେଉଛି। ବିଦେଶୀ, ଅଣ-ଶ୍ବେତାଙ୍ଗଙ୍କୁ ଆକ୍ରମଣକାରୀ ଆଖ୍ୟା ଦେଇ ଖ୍ରୀଷ୍ଟଚର୍ଚ୍ଚ ନରସ˚ହାର ଏହାର ତାଜା ଉଦାହରଣ। ବିଡ଼ମ୍ବନା ହେଲା, ଚରମ ଦକ୍ଷିଣପନ୍ଥୀ, ଉଗ୍ର ରାଷ୍ଟ୍ରବାଦୀ ଶ୍ବେତାଙ୍ଗମାନେ ଭୁଲି ଯାଉଛନ୍ତି ଯେ ଦୁଇ ତିନି ଶହ ବର୍ଷ ତଳେ ଆକ୍ରମଣକାରୀ-ଅନୁପ୍ରବେଶକାରୀ ଭାବେ ଅଣ-ଶ୍ବେତାଙ୍ଗଙ୍କ ମାଟି ଆଫ୍ରିକା ଓ ଏସିଆରେ ଉପନିବେଶ ସ୍ଥାପନ କରିଥିଲେ। ଇତିହାସ ଏହାର ସାକ୍ଷୀ। ନ୍ୟୁଜିଲାଣ୍ତ ଓ ଅଷ୍ଟ୍ରେଲିଆକୁ ଆଜି ଶ୍ବେତାଙ୍ଗମାନେ ନିଜର ମାଟି ବୋଲି ଦାବି କରୁଛନ୍ତି। ୧୭୮୮ରେ ଅନୁପ୍ରବେଶକାରୀ ୟୁରୋପୀୟମାନେ ଏହି ମାଟିର ମୂଳବାସିନ୍ଦାଙ୍କୁ ଦମନ କରି ସେଠାରେ ନିଜର ଉପନିବେଶ ସ୍ଥାପନ କରିଥିଲେ। କେତେକ କଠୋରପନ୍ଥୀ ‘ହ୍ବାଇଟ୍‌ ସୁପ୍ରିମାସିଷ୍ଟ’ଙ୍କ ହି˚ସାକୁ ମୌଳବାଦୀ ଇସଲାମୀୟ ଆତଙ୍କବାଦର ଜବାବରେ ୟୁରୋପୀୟ ସ˚ସ୍କରଣ ବୋଲି ଯୁକ୍ତି କରି ଶ୍ବେତାଙ୍ଗଙ୍କ ଆତଙ୍କବାଦକୁ ଯଥାର୍ଥ ସାବ୍ୟସ୍ତ କରୁଛନ୍ତି। ଇସଲାମୀୟ ଆତଙ୍କବାଦର ଯଦି ଏହା ଜବାବ, ତେବେ ଶାନ୍ତିର ଦୂତ ମହାତ୍ମା ଗାନ୍ଧୀଙ୍କୁ ସ୍ମରଣ କରିବାକୁ ପଡ଼ିବ। ଗାନ୍ଧୀଙ୍କ ମତରେ ଆଖି ବଦଳରେ ଯଦି ଆଖି ନୀତି ହୁଏ, ତେବେ ସାରା ଦୁନିଆ ଅନ୍ଧ ହୋଇଯିବ। ହି˚ସାର ଉତ୍ତର କଦାପି ହି˚ସା ନୁହେଁ। ଅହି˚ସା, ସହିଷ୍ଣୁତା ବିନା ମାନବଜାତିର ଭବିଷ୍ୟତ ଅନ୍ଧାର। ଶାନ୍ତିପୂର୍ଣ୍ଣ ସହାବସ୍ଥାନ ଅସମ୍ଭବ। ରଙ୍ଗ, ଧର୍ମ ଓ ଜାତି ଆଧାରରେ କୌଣସି ପ୍ରକାର ଭେଦଭାବ ମାନବୀୟ ମୂଳ୍ୟବୋଧର ପରିପନ୍ତୀ।

ନ୍ୟୁଜିଲାଣ୍ତରେ ଘଟିଥିବା ନରସ˚ହାର ଘଟଣାରେ ଭାରତୀୟଙ୍କ ପାଇଁ ମଧୢ ଗୋଟିଏ ବାର୍ତ୍ତା ଅଛି। ରାଷ୍ଟ୍ରବାଦ ଆଳରେ ବିବିଧତା, ବହୁତା ପ୍ରତି ଉଗ୍ର ଧର୍ମୀୟ ଓ ସାମାଜିକ ଅସହିଷ୍ଣୁତାର ସ˚କ୍ରମଣକୁ ରୋକାଯିବା ଏକାନ୍ତ ଜରୁରୀ। ଅନ୍ୟଥା ଏହା ଚରମ ଦକ୍ଷିଣପନ୍ଥୀ ଉଗ୍ରବାଦକୁ ପ୍ରୋତ୍ସାହିତ କରିବ। ଭାରତୀୟ ଗଣତନ୍ତ୍ରକୁ ଏହା କେବଳ ବିପନ୍ନ କରିବ ନାହିଁ, ଅଚିରେ ଆତଙ୍କବାଦର ରୂପ ନେବା ଆଶଙ୍କାକୁ ମଧୢ ଏଡ଼ାଯାଇ ନପାରେ। ଅବଶ୍ୟ, ଏ ପ୍ରସଙ୍ଗରେ ନ୍ୟୁଜିଲାଣ୍ତବାସୀଙ୍କ ଠାରୁ ଭାରତୀୟଙ୍କ ଉଦ୍ଦେଶ୍ୟରେ ଆଶାବାଦର ଏକ ଉଜ୍ଜ୍ବଳ ସ˚କେତ ମଧୢ ରହିଛି। ମସ୍‌ଜିଦ ନରସ˚ହାର ଘଟଣାରେ ମ୍ରିୟମାଣ ନ୍ୟୁଜିଲାଣ୍ତବାସୀ ନିଜ ସ୍ବଭାବ ସୁଲଭ ଶୈଳୀରେ ଆତଙ୍କବାଦର ବିନମ୍ର ଅଥଚ ଦୃଢ଼ ପ୍ରତିବାଦ ଜଣାଇଛନ୍ତି। ହି˚ସାର ଶିକାର ମୃତାହତଙ୍କ ପାଇଁ ଶୋକ ପ୍ରକାଶ କରିବା ସହ ସେମାନଙ୍କ ପରିବାର ପରିଜନଙ୍କ ପ୍ରତି ସହାନୁଭୂତି ଜଣାଇ ଶାନ୍ତି କାମନା କରିଛନ୍ତି। ସୋସିଆଲ ମିଡିଆ ଓ ଗଣମାଧୢମରେ ନ୍ୟୁଜିଲାଣ୍ତର ଜାତୀୟ ପକ୍ଷୀ ‘କିୱି’ ଚଢେ଼ଇର ଆଖିରୁ ଲୁହ ଗଡ଼ାଉଥିବାର ଚିତ୍ର ସହ ଗୋଯିଏ ବାର୍ତ୍ତା ବହୁଳ ପ୍ରସାରିତ ହେଉଛି । ବାର୍ତ୍ତାଟି ହେଲା ‘‘ଏ ଦେଶ ତୁମ ଘର, ଏଠି ତୁମକୁ ସୁରକ୍ଷା ଦିଆଯାଇ ନ ପାରିବା ଦୁଃଖ ଓ ଲଜ୍ଜାର ବିଷୟ’। ଶାନ୍ତି, ସମାନୁଭୂତି, ସହିଷ୍ଣୁତାର ଏ ସନ୍ଦେଶ ନିଶ୍ଚୟ ବିଶ୍ବବାସୀଙ୍କ ହୃଦୟକୁ ଛୁଇଁବ; ଯାହା ଭାରତ ସମେତ ବିଶ୍ବର କୋଣଅନୁକୋଣରେ ଦାନା ବାନ୍ଧୁଥିବା କଠୋରପନ୍ଥୀ ଚରମବାଦକୁ ତରଳାଇ ଦେବାର ସାମର୍ଥ୍ୟ ଓ ସମ୍ଭାବନା ରଖେ।

ସମ୍ବନ୍ଧିତ ଖବର