ଇତିଶ୍ରୀ ମାମଲାର ଇତି-ବାର୍ତ୍ତା

ଟିକିରି ଶିକ୍ଷୟିତ୍ରୀ ଇତିଶ୍ରୀ ପ୍ରଧାନ ହତ୍ୟା ମାମଲାରେ ଶେଷ ପର୍ଯ୍ୟନ୍ତ ସଂପୂର୍ଣ୍ଣ ନ୍ୟାୟ ହୋଇପାରିଲା ନାହିଁ। ଅକ୍ଟୋବର ୨୭, ୨୦୧୩ ରାତିରେ କିଏ ବା କେଉଁମାନେ ଇତିଶ୍ରୀଙ୍କୁ ଜିଅନ୍ତା ଜାଳି ହତ୍ୟା କରିଥିଲେ? ଦୀର୍ଘ ଦୁଇ ବର୍ଷ ତିନି ମାସ ଧରି ଅନୁସନ୍ଧାନ ପରେ ସୁଦ୍ଧା ଦେଶର ପ୍ରମୁଖ ତଦନ୍ତକାରୀ ସଂସ୍ଥା ସିବିଆଇ ଏ ପ୍ରଶ୍ନର ଉତ୍ତର ଖୋଜିବାରେ ବିଫଳ ହେଲେ। ଫଳରେ ଅଗତ୍ୟା ମାନ୍ୟବର ସୁପ୍ରିମ୍‌ କୋର୍ଟ ମାମଲାକୁ ବନ୍ଦ କରି ଦେଇଛନ୍ତି। ଇତିଶ୍ରୀ ମାମଲାରେ ମାନ୍ୟବର ‘ଇତି’ର ନ୍ୟାୟିକ ମୋହର ଲାଗିଛି। କିନ୍ତୁ ଏହା ସହ ୨୦୧୧ ଜୁଲାଇରୁ ଆରମ୍ଭ ହୋଇ ୨୦୧୭, ନଭେମ୍ବରରେ ସମାପ୍ତ ହୋଇଥିବା ଏହି ଦୁର୍ଭାଗ୍ୟଜନକ ଆପରାଧିକ ପ୍ରକରଣକୁ ସାଧାରଣ ଓ ପୁଲିସ ପ୍ରଶାସନର ଅଦକ୍ଷତା, ଉଦାସୀନତା, ସମ୍ବେଦନଶୀଳତା ଓ ଉତ୍ତରଦାୟିତ୍ୱ ଶୂନ୍ୟତାର ଆଉ ଏକ କଳଙ୍କିତ ଅଧ୍ୟାୟ ଭାବେ ପ୍ରାମାଣିକ ମିଳିଛି।

ଇତିଶ୍ରୀ ହତ୍ୟାକାଣ୍ଡ ପଛର ଷଡ଼ଯନ୍ତ୍ରକାରୀ ଧରାପଡ଼ି ଅଦାଲତ ଦ୍ୱାରା ଦୋଷୀ ସାବ୍ୟସ୍ତ ହୋଇ ଏବେ ଜେଲ୍‌ରେ। ଅଥଚ, ଜଘନ୍ୟ ଷଡ଼ଯନ୍ତ୍ରକୁ କାର୍ଯ୍ୟକାରୀ କରିଥିବା ହତ୍ୟାକାରୀ ଧରାପଡ଼ିବା ତ ଦୂରେ ଥାଉ, ଚିହ୍ନଟ ସୁଦ୍ଧା ହୋଇ ପାରିଲା ନାହିଁ। ୨୦୧୩ ଅକ୍ଟୋବର ୨୭ ତାରିଖ ରାତିରେ ଶିକ୍ଷା ସହାୟିକା ଇତିଶ୍ରୀଙ୍କ ଦେହରେ କିରୋସିନି ଢାଳି ନିଆଁ ଲଗାଇଥିବା ଅଚିହ୍ନା ଦୁର୍ବୃତ୍ତ ସେମିତି ‘ଅଚିହ୍ନା’ ରହି ଆଇନ ହାତରୁ ଖସି ଯାଇଛି। ପ୍ରଥମେ, ରାଜ୍ୟର ପ୍ରମୁଖ ଅପରାଧ ଅନୁସନ୍ଧାନକାରୀ ସଂସ୍ଥା କ୍ରାଇମ୍‌ ବ୍ରାଞ୍ଚ୍‌ ଓ ପରେ ସୁପ୍ରିମ୍‌ କୋର୍ଟଙ୍କ ନିର୍ଦ୍ଦେଶରେ ଦେଶର ଶୀର୍ଷ ତଦନ୍ତକାରୀ ସଂସ୍ଥା ସିବିଆଇ ଦୁଇ ବର୍ଷରୁ ଅଧିକ ସମୟ ଧରି ଅନୁସନ୍ଧାନ ଚଳାଇଲେ। ସିବିଆଇ ଦଳ ବାରମ୍ବାର ଘଟଣାସ୍ଥଳ ପରିଦର୍ଶନ କଲେ। ତିନିଶହରୁ ଅଧିକ ଲୋକଙ୍କୁ ପଚରାଉଚୁରା କରି ଛାନ୍‌ଭିନ୍‌ ଚଳେଇଲେ। ତଥାପି ହତ୍ୟାକାରୀର ସୁରାକ୍‌ ମିଳିଲା ନାହିଁ। ଏ ନିଷ୍ଫଳ ତଦନ୍ତ ନିଶ୍ଚିତ ଭାବେ ଉଭୟ ରାଜ୍ୟ ଓ କେନ୍ଦ୍ରୀୟ ତଦନ୍ତକାରୀ ସଂସ୍ଥାଙ୍କ ଅନୁସନ୍ଧାନ ଶୈଳୀ ତଥା କାର୍ଯ୍ୟ ଦକ୍ଷତା ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି। ନିକଟ ଅତୀତରେ ଏହା ଦ୍ୱିତୀୟ ବହୁଚର୍ଚ୍ଚିତ ଅପରାଧ ଘଟଣା, ଯେଉଁଠି ସିବିଆଇର ଅନୁସନ୍ଧାନ ନିଷ୍ଫଳ ହୋଇଛି। ନିକଟରେ ଆରୁଷି ହତ୍ୟା ମାମଲାରେ ମଧ୍ୟ ସିବିଆଇ ପ୍ରକୃତ ହତ୍ୟାକାରୀଙ୍କୁ ଚିହ୍ନଟ କରିବାରେ ସଫଳ ହୋଇ ପାରିନାହିଁ। ଇତିଶ୍ରୀ ହତ୍ୟା ମାମଲାରେ କେବଳ ଅନୁସନ୍ଧାନ ଦକ୍ଷତା ଉପରେ ପ୍ରଶ୍ନ ଉଠିନାହିଁ। ପ୍ରତ୍ୟକ୍ଷରେ ନହେଲେ ବି ପରୋକ୍ଷରେ ରାଜନୈତିକ ବ୍ୟକ୍ତିଙ୍କ ସଂପୃକ୍ତି ପରିପ୍ରେକ୍ଷୀରେ ତଦନ୍ତ ନେଇ ସନ୍ଦେହର ବାଦଲ ମଧ୍ୟ ସୃଷ୍ଟି ହୋଇଛି।

ଉଲ୍ଲେଖନୀୟ ବିଷୟ ହେଲା, ଏହି ମାମଲାରେ ଯେଉଁ ରାଜନୈତିକ ବ୍ୟକ୍ତିଙ୍କ ସଂପୃକ୍ତି ବିଷୟ ସନ୍ଦେହ ଘେରକୁ ଆସିଥିଲା, ସେହି ବ୍ୟକ୍ତି ପ୍ରଥମେ ରାଜ୍ୟରେ କ୍ଷମତାସୀନ ଦଳରେ ଥିଲେ ଓ ଏବେ କେନ୍ଦ୍ରରେ କ୍ଷମତାସୀନ ଦଳରେ ଯୋଗ ଦେଇଛନ୍ତି। ଇତିଶ୍ରୀ ହତ୍ୟା ତଦନ୍ତ ରାଜନୀତି ଦ୍ୱାରା ପ୍ରଭାବିତ ହୋଇଛି କି ନାହିଁ, ତାହା ନିର୍ଦ୍ଦିଷ୍ଟ କରି କୁହାଯାଇ ନ ପାରେ। କିନ୍ତୁ ଗୋଟିଏ ବିଷୟ ଅତ୍ୟନ୍ତ ସ୍ପଷ୍ଟ ଯେ ଆମ ବ୍ୟବସ୍ଥାରେ ଅନେକ ଆପରାଧିକ ଘଟଣାର, ଯେଉଁଠି ରାଜନୈତିକ ବ୍ୟକ୍ତିଙ୍କ ସଂପୃକ୍ତିର ଅଭିଯୋଗ ଥାଏ, ସେଇଠି ତଦନ୍ତ ବାଟବଣା ହୋଇଯାଏ। ଏହାର ଅନେକ ନଜିର ରହିଛି। ଏହି ଧାରାରେ ପ୍ରଥମେ କ୍ରାଇମ୍‌ ବ୍ରାଞ୍ଚ୍‌ ଓ ଏବେ ସିବିଆଇ ତଦନ୍ତ ସନ୍ଦିଗ୍‌ଧ ହୋଇପଡ଼ିଛି। ତଦନ୍ତକୁ ରାଜନୀତି ପ୍ରଭାବିତ କରିଥାଉ କି ନଥାଉ, ଏଥିରେ କୌଣସି ସନ୍ଦେହ ନାହିଁ ଯେ, ନିଷ୍ଫଳ ତଦନ୍ତ ସିବିଆଇର ବିଶ୍ୱସନୀୟତାକୁ କ୍ଷୁଣ୍ଣ କରିଛି। କୌଣସି ଅପରାଧରେ ସାଧାରଣ ପୁଲିସ ବିଫଳ ହେଲେ ଲୋକେ ପ୍ରଥମେ କ୍ରାଇମ୍‌ ବ୍ରାଞ୍ଚ୍‌ ଓ ଶେଷରେ ସିବିଆଇ ତଦନ୍ତ ଦାବି କରନ୍ତି; ଏହି ବିଶ୍ୱାସରେ ଯେ ସତ୍ୟର ଉଦ୍‌ଘାଟନ ହେବ। କିନ୍ତୁ ଇତିଶ୍ରୀ ହତ୍ୟା ମାମଲାରେ ତଦନ୍ତର ନିର୍ଯ୍ୟାସ ଲୋକଙ୍କ ସେ ବିଶ୍ୱାସକୁ ଆଘାତ ଦେଇଛି।

ତେବେ ହତ୍ୟାକାରୀଙ୍କୁ ଚିହ୍ନଟ କରିବାରେ ତଦନ୍ତକାରୀ ସଂସ୍ଥାଙ୍କ ବିଫଳତା ଯେତିକି ଚିନ୍ତାଜନକ, ଏହି ମାମଲାରେ ସାମନାକୁ ଆସିଥିବା ସାଧାରଣ ଓ ପୁଲିସ ପ୍ରଶାସନର ସମ୍ବେଦନଶୂନ୍ୟ , ଉତ୍ତରଦାୟିତ୍ୱହୀନ ଚରିତ୍ର ତା’ଠାରୁ ଅଧିକ ଦୁଃଖଦାୟକ ଓ ବିପଜ୍ଜନକ। ମୃତ୍ୟୁ ପରେ ତ ଇତିଶ୍ରୀଙ୍କୁ ସଂପୂର୍ଣ୍ଣ ନ୍ୟାୟ ମିଳିଲା ନାହିଁ, ମୃତ୍ୟୁ ପୂର୍ବରୁ ବି ତାଙ୍କୁ ନା ନ୍ୟାୟ ନା ସୁରକ୍ଷା ମିଳିଥିଲା। ଶାସନ କଳ ଯଦି ସମ୍ବେଦନଶୀଳ ହୋଇ ଦାୟିତ୍ୱବୋଧର ସହ କର୍ତ୍ତବ୍ୟ ସଂପାଦନ କରିଥାନ୍ତେ, ତେବେ ହୁଏତ ଇତିଶ୍ରୀଙ୍କ ଜୀବନ ରକ୍ଷା ହୋଇ ପାରିଥାନ୍ତା। ଶାସନ କଳର ସମ୍ବେଦନଶୂନ୍ୟତା, ଦାୟିତ୍ୱହୀନତା ଶିକ୍ଷା ସହାୟିକାଙ୍କୁ ମରଣ ମୁହଁକୁ ଠେଲି ଦେଲା ବୋଲି ଯଦି କୁହାଯାଏ, ତେବେ ବୋଧହୁଏ ଅତିରଞ୍ଜନ ହେବ ନାହିଁ। ସ୍ୱର୍ଗତ ପୀଡ଼ିତା ଇତିଶ୍ରୀ ୨୦୧୧ ଜୁନ୍‌ରେ ଶିକ୍ଷା ସହାୟିକା ଭାବେ ଯୋଗ ଦେଲେ। ଏହାର ମାସକ ପରେ ଜୁଲାଇରେ ସେ ଯୌନ ନିର୍ଯାତନାର ଶିକାର ହେଲେ। ୨୦୧୧ ଜୁଲାଇରୁ ୨୦୧୩ ଅକ୍ଟୋବରରେ ହତ୍ୟା ପର୍ଯ୍ୟନ୍ତ ପୀଡ଼ିତା ଇତିଶ୍ରୀ ସ୍ଥାନୀୟ, ଶିକ୍ଷାଧିକାରୀ ଓ ଥାନାବାବୁଙ୍କ ଠାରୁ ଆରମ୍ଭ କରି ଜିଲ୍ଲାପାଳ, ଏସ୍‌ପି, ବିଭାଗୀୟ ସଚିବ, ପୁଲିସ ଡିଜି: ଏପରିକି ମୁଖ୍ୟମନ୍ତ୍ରୀଙ୍କ ପର୍ଯ୍ୟନ୍ତ, ସାଧାରଣ ଓ ପୁଲିସ ପ୍ରଶାସନର ଏମିତି କେହି ଅଧିକାରୀ ନାହାନ୍ତି, ଯାହାଙ୍କ ପାଖରେ ନ୍ୟାୟ ଓ ସୁରକ୍ଷାର ଭିକ୍ଷା କରି ନାହାନ୍ତି। କିନ୍ତୁ ଇତିଶ୍ରୀଙ୍କ ଜୀବନ ଗଲା ପଛେ ତାଙ୍କୁ ସୁରକ୍ଷା ଦିଆଯାଇ ପାରିଲା ନାହିଁ। ରାଷ୍ଟ୍ର ଜଣେ ଅସହାୟା ମହିଳାଙ୍କୁ ସୁରକ୍ଷା ଦେଇ ନ ପାରିବା ନିଶ୍ଚିତ ଭାବେ ଦୁର୍ଭାଗ୍ୟଜନକ ଓ ପୂରା ବ୍ୟବସ୍ଥାକୁ କାଠଗଡ଼ାରେ ଛିଡ଼ା କରାଇଛି। ଜୀବଦ୍ଦଶାରେ ତ ନ୍ୟାୟ ମିଳି ନଥିଲା, ମୃତ୍ୟୁ ପରେ ବି ସଂପୂର୍ଣ୍ଣ ନ୍ୟାୟ ମିଳିଲା ନାହିଁ। ଅର୍ଧସତ୍ୟ, ଯେମିତି ସତ୍ୟ ନୁହେଁ, ଅସଂପୂର୍ଣ୍ଣ ନ୍ୟାୟ କଦାପି ନ୍ୟାୟ ନୁହେଁ।

ଦୁର୍ଭାଗ୍ୟର ବିଷୟ ହେଲା, ଇତିଶ୍ରୀଙ୍କ ହତ୍ୟା ପରେ ପରେ ହିଁ ଜଳ ଜଳ ହୋଇ ଜଣାପଡ଼ି ଯାଇଥିଲା ଯେ, ଏ ନରକୀୟ ଅପରାଧ ପାଇଁ ଷଡ଼ଯନ୍ତ୍ରକାରୀ ସ୍କୁଲ୍‌-ସବ୍‌-ଇନ୍‌ସପେକ୍ଟର ଦଣ୍ଡସେନା ଓ ନିଆଁ ଲଗାଇଥିବା ଅଚିହ୍ନା ଦୁର୍ବୃତ୍ତ ଯେତିକି ଦାୟୀ, ତଳୁ ଉପର ପର୍ଯ୍ୟନ୍ତ ପୁଲିସ ଓ ସାଧାରଣ ପ୍ରଶାସନର ବାବୁଭାୟାମାନଙ୍କ ଉଦାସୀନତା ଓ ସମ୍ବେଦନଶୂନ୍ୟତା ମଧ୍ୟ ସେତିକି ଦାୟୀ। କିନ୍ତୁ ସରକାରଙ୍କ ପକ୍ଷରୁ ନିଜ ଆଡୁ କର୍ତ୍ତବ୍ୟରେ ଖିଲାପ ଓ ଅବହେଳା କରିଥିବା ବାବୁମାନଙ୍କୁ ଚିହ୍ନଟ କରି କାର୍ଯ୍ୟାନୁଷ୍ଠାନ ପାଇଁ କୌଣସି ପ୍ରୟାସ ହୋଇ ନଥିଲା। ଶେଷରେ ଏ କ୍ଷେତ୍ରରେ ମଧ୍ୟ ଅଦାଲତଙ୍କୁ ହସ୍ତକ୍ଷେପ କରିବାକୁ ପଡ଼ିଥିଲା। ଏହା ହିଁ ଆମ ବ୍ୟବସ୍ଥାର ବିଡ଼ମ୍ବିତ ଚରିତ୍ର। ସାଧାରଣତଃ ଯାହା ଶାସନ କଳର ‘ରୁଟିନ୍‌ କାର୍ଯ୍ୟ’, ସେଥିପାଇଁ ମଧ୍ୟ ନ୍ୟାୟିକ ହସ୍ତକ୍ଷେପ ଆବଶ୍ୟକ ପଡୁଛି। ଏଥିରେ ନ୍ୟାୟିକ ସକ୍ରିୟତା ପାଇଁ ନ୍ୟାୟପାଳିକାକୁ ଦାୟୀ କରାଯିବ କାହିଁକି? କୋର୍ଟଙ୍କ ଆଦେଶରେ ହୋଇଥିବା ପ୍ରଶାସନିକ ତଦନ୍ତରେ ୧୩ ଜଣ ଅଧିକାରୀଙ୍କୁ କର୍ତ୍ତବ୍ୟରେ ଅବହେଳା ପାଇଁ ଦାୟୀ କରାଗଲା। କିନ୍ତୁ କେବଳ ଚାରିଜଣ ତଳିଆ କର୍ମଚାରୀଙ୍କ ବିରୋଧରେ ଆଖିଦୃଶିଆ କାର୍ଯ୍ୟାନୁଷ୍ଠାନ ବ୍ୟତୀତ ଅନ୍ୟ ବଡ଼ବଡ଼ିଆଙ୍କୁ ଧର୍ମକୁ ଆଖିଠାର ଭଳି ନାମକୁ ମାତ୍ର ମୃଦୁ କାର୍ଯ୍ୟାନୁଷ୍ଠାନ ସହ ଛାଡ଼ି ଦିଆଗଲା। ଏମିତିରେ ଶାସନରେ କର୍ତ୍ତବ୍ୟବୋଧ, ଉତ୍ତରାଦାୟିତ୍ୱବୋଧ ଆସିବ କେମିତି? ଅଭିଜ୍ଞତାରୁ କୌଣସି ଶିକ୍ଷା ମିଳୁନାହିଁ, ଫଳତଃ ନା ଶାସନର ନା ପୁଲିସର ଚରିତ୍ରରେ କୌଣସି ପରିବର୍ତ୍ତନ ଆସୁଛି। ସମ୍ବେଦନଶୂନ୍ୟତା, ଉତ୍ତରଦାୟିତ୍ୱହୀନତା, ଅଦକ୍ଷତାର କ୍ରମ ଜାରି ରହିଛି। ଏ ଚରିତ୍ର ବଦଳିବା ଏକାନ୍ତ ଆବଶ୍ୟକ। ଅନ୍ୟଥା ନିରୀହା ଇତିଶ୍ରୀଙ୍କୁ ତ ଜୀବନରେ ସୁରକ୍ଷା ଓ ମୃତ୍ୟୁରେ ନ୍ୟାୟ ମିଳିଲା ନାହିଁ, ବ୍ୟବସ୍ଥା ପ୍ରତି ମଧ୍ୟ ଅନ୍ୟ ଇତିଶ୍ରୀମାନଙ୍କ ଆସ୍ଥା ଓ ବିଶ୍ୱାସ ତୁଟିଯିବ।

ସମ୍ବନ୍ଧିତ ଖବର