ସ୍ବର୍ଗ-ନର୍କ

ବେଳେ ବେଳେ ରାଜନେତାଙ୍କ ଆଚରଣରେ ଅତିଷ୍ଠ ହୋଇ ପଡ଼ିଥିବା କାହାରି କାହାରି ମୁହଁରୁ ଶୁଣିବାକୁ ମିଳିଥାଏ ଯେ ନେତାମାନଙ୍କ ପାଇଁ ନର୍କରେ ଏକ ବିଶେଷ ସ୍ଥାନ ସୁରକ୍ଷିତ ଥାଏ (ଯେମିତି ଇଉରୋପିଆନ୍‌ କମିସନ୍‌ର ପ୍ରେସିଡେଣ୍ଟ୍‌ ଡୋନାଲ୍‌ଡ ଟସ୍କ୍‌ ବ୍ରିଟେନ୍‌ର ରାଜନେତାମାନଙ୍କ ସମ୍ବନ୍ଧରେ ଗତ ମାସରେ କହି ଚାଞ୍ଚଲ୍ୟ ସୃଷ୍ଟି କରିଥିଲେ)। ସୋମବାର ଦିନ ପଞ୍ଚଭୂତରେ ଲୀନ ହୋଇଯାଇଥିବା ମନୋହର ପାରିକର କିନ୍ତୁ ଏପରି ଏକ ବିରଳ ରାଜନେତା ଥିଲେ, ଯାହାଙ୍କର ରାଜନୈତିକ ପ୍ରତିପକ୍ଷମାନେ ମଧୢ ସ୍ବୀକାର କରିବେ ଯେ ତାଙ୍କ ପାଇଁ ସ୍ବର୍ଗରେ ହିଁ ଏକ ବିଶେଷ ସ୍ଥାନ ସୁରକ୍ଷିତ ହୋଇ ରହିଥିଲା, ଯେଉଁଠି ସେ ପହଞ୍ଚି ସାରିଥିବେ।
୧୯୫୫ରେ ଗୋଆର ଏକ ମଧୢବିତ୍ତ ପରିବାରରେ ଜନ୍ମିତ ମନୋହର ପାରିକର ପିଲା ବେଳରୁ ରାଷ୍ଟ୍ରୀୟ ସ୍ବୟ˚ସେବକ ସ˚ଘ ସହିତ ଓତପ୍ରୋତ ଭାବରେ ଜଡ଼ିତ ଥିଲେ। ଏହି ସ˚ଗଠନର ସମାଲୋଚକମାନଙ୍କର ଧାରଣା ଯେ ଏଠାରେ ସମସ୍ତ ପ୍ରକାର ଆଧୁନିକତା ବିରୋଧୀ ରକ୍ଷଣଶୀଳ ଚିନ୍ତାଧାରାର ପ୍ରଚାର ଓ ପ୍ରସାର ଘଟିଥାଏ। ମନୋହର ପାରିକର କିନ୍ତୁ ଏହାକୁ ସମ୍ପୂର୍ଣ୍ଣ ମିଥ୍ୟା ପ୍ରମାଣିତ କଲା ଭଳି ମର୍ଯ୍ୟାଦାଜନକ ବୈଷୟିକ ଶିକ୍ଷାନୁଷ୍ଠାନ ବମ୍ବେ ଆଇଆଇଟିରେ ଧାତବ ଇ˚ଜିନିଅରି˚ (ମେଟାଲର୍ଜି) ଅଧୢୟନ କରି ସାରି ପ୍ରଥମେ ବ୍ୟବସାୟ ପରେ ରାଜନୀତିରେ ପ୍ରବେଶ କରିଥିଲେ। ରାଜନୀତିର ପଙ୍କିଳ ଦୁନିଆରେ ଯାହା ତାଙ୍କୁ ଅନ୍ୟ ସମସ୍ତଙ୍କ ଠାରୁ ନିଆରା କରି ଦେଖାଇଥିଲା, ତାହା ହେଲା ତାଙ୍କର ସମ୍ପୂର୍ଣ୍ଣ ସାଧୁତା, ସରଳ ଜୀବନଶୈଳୀ ଓ ସବୁ ପକ୍ଷର ସହଯୋଗ ହାସଲ କରିବାର ଦକ୍ଷତା। ପାରିକରଙ୍କର ସରଳ ଜୀବନଶୈଳୀ ତାଙ୍କ ଜୀବିତାବସ୍ଥାରେ ମଧୢ କିମ୍ବଦନ୍ତିରେ ପରିଣତ ହୋଇ ଯାଇଥିଲା। ଭାରତର ରକ୍ଷାମନ୍ତ୍ରୀ ଥିବା ସମୟରେ ସେ ତାଙ୍କ ପାଇଁ ଉପଲବ୍‌ଧ ସ୍ବତନ୍ତ୍ର ବିମାନ ବ୍ୟବହାର ନକରି ଜଣେ ସାଧାରଣ ଯାତ୍ରୀ ଭଳି ଧାଡ଼ିରେ ଛିଡ଼ା ହୋଇ ନିୟମିତ କମର୍ସିଆଲ୍‌ ବିମାନରେ ଯାତ୍ରା କରିବା ଦୃଶ୍ୟ ସହଯାତ୍ରୀମାନଙ୍କୁ ଯେତିକି ଆମୋଦିତ କରୁଥିଲା, ମୁମ୍ବାଇ ଭଳି ସହରକୁ ଗସ୍ତ ସମୟରେ ସେ ଯିବା ଆସିବା କରିବା ପାଇଁ ସାଧାରଣ ଭଡ଼ା ଟ୍ୟାକ୍‌ସି ବ୍ୟବହାର କରିବା ସେତିକି ଆଶ୍ଚର୍ଯ୍ୟ କରୁଥିଲା।
ପାରିକର ଯେତେବେଳେ ରାଜନୀତିରେ ପ୍ରବେଶ କଲେ ସେତେବେଳେ ଗୋଆର ମହାରାଷ୍ଟ୍ରବାଦୀ ଗୋମନ୍ତକ ପାର୍ଟି ଥିଲା ସେଠାକାର ସବୁଠାରୁ ଶକ୍ତିଶାଳୀ ଆଞ୍ଚଳିକ ରାଜନୈତିକ ଦଳ। ପାରିକର ତା’ର ପ୍ରଭାବକୁ କ୍ଷୁଣ୍ଣ କରି ତାଙ୍କ ଦଳ ଭାରତୀୟ ଜନତା ପାର୍ଟିକୁ ସେଠାରେ ଏକ ଅଧିକ ଶକ୍ତିଶାଳୀ ପାର୍ଟି ରୂପେ ଉଭା କରାଇବାରେ ସଫଳ ହେଲେ। ୧୯୯୪ରେ ସେ ଭାଜପାର ପ୍ରାର୍ଥୀ ରୂପେ ପ୍ରଥମ କରି ନିର୍ବାଚନୀ ରାଜନୀତିରେ ପ୍ରବେଶ କରିଥିଲେ ଏବ˚ ପାନାଜି ଆସନରୁ ବିଜୟୀ ହୋଇଥିଲେ। ୧୯୯୯ରେ ସେ ବିରୋଧୀ ଦଳ ନେତା ରୂପେ ଉଭା ହେଲେ ଏବ˚ ୨୦୦୦ ଅକ୍ଟୋବରରେ ପ୍ରଥମ ଥର ପାଇଁ ଗୋଆର ମୁଖ୍ୟମନ୍ତ୍ରୀ ରୂପେ ଦାୟିତ୍ବ ଗ୍ରହଣ କଲେ। ଯଦିବା ତାଙ୍କର ପ୍ରଥମ ପାଳି ମୁଖ୍ୟମନ୍ତ୍ରିତ୍ବର ୨୦୦୨ ଫେବ୍ରୁଆରି ୨୭ରେ ଅନ୍ତ ଘଟିଲା ସେ ପୁନଃ ନିର୍ବାଚିତ ହୋଇ ୨୦୦୨ ଜୁନ୍‌ ୫ରେ ପୁଣି ଥରେ ସେ ରାଜ୍ୟର ମୁଖ୍ୟମନ୍ତ୍ରୀ ରୂପେ ଦାୟିତ୍ବ ନେଲେ। ତେବେ ୨୦୦୫ରେ କେତେକ ବିଧାୟକଙ୍କ ଇସ୍ତଫା ଯୋଗୁଁ ତାଙ୍କ ସରକାର ଏକ ସ˚ଖ୍ୟାଲଘୁ ସରକାରରେ ପରିଣତ ହୋଇଯାଇଥିଲା ଓ ସେ କ୍ଷମତାଚ୍ୟୁତ ହୋଇଥିଲେ। ୨୦୧୨ରେ କିନ୍ତୁ ସେ ଏକ ଚମକପ୍ରଦ ପ୍ରତ୍ୟାବର୍ତ୍ତନ ହାସଲ କରିଥିଲେ, ଯେତେବେଳେ ବିଧାନସଭାର ୪୦ଟି ଆସନରୁ ତାଙ୍କ ନେତୃତ୍ବରେ ଭାଜପା ୨୧ଟି ଆସନରେ ବିଜୟ ଲାଭ କରି ପୂର୍ଣ୍ଣ ସ˚ଖ୍ୟାଗରିଷ୍ଠତା ହାସଲ କଲା। ସେ ପୁଣିଥରେ ମୁଖ୍ୟମନ୍ତ୍ରୀ ହେଲେ ଓ ତାଙ୍କ ମୁଖ୍ୟମନ୍ତ୍ରିତ୍ବ ସମୟରେ ୨୦୧୪ ନିର୍ବାଚନରେ ଭାଜପା ଗୋଆର ଦୁଇଟି ଯାକ ଲୋକସଭା ଆସନରେ ବିଜୟ ଲାଭ କଲା।
ନରେନ୍ଦ୍ର ମୋଦୀ ପ୍ରଧାନମନ୍ତ୍ରୀ ହେବା ପରେ ପାରିକରଙ୍କୁ ଗୁରୁତ୍ବପୂର୍ଣ୍ଣ ପ୍ରତିରକ୍ଷା ମନ୍ତ୍ରଣାଳୟ ଦାୟିତ୍ବ ପ୍ରଦାନ କରିବାରୁ ସେ ବାଧୢ ହୋଇ ଗୋଆ ଛାଡ଼ି ଦିଲ୍ଲୀ ଚାଲିଆସିଲେ। ଗୋଆରେ କିନ୍ତୁ ତାଙ୍କର ଅନୁପସ୍ଥିତିର ପ୍ରଭାବ ଅନୁଭୂତ ହେଲା, ଯେତେବେଳେ ୨୦୧୭ ବିଧାନସଭା ନିର୍ବାଚନରେ ଭାଜପା ସ˚ଖ୍ୟାଗରିଷ୍ଠତା ହରାଇ ବସିଲା। ଗୋଆକୁ ହାତଛଡ଼ା ନକରିବାକୁ ଦଳ ତାଙ୍କୁ ପୁଣି ରାଜ୍ୟକୁ ଫେରାଇ ଆଣିଲା ଓ ସେ ଦୁଇ ଆଞ୍ଚଳିକ ଦଳ ‘ଗୋଆ ଫର‌୍‌ଵାର୍ଡ ପାର୍ଟି’ ଏବ˚ ‘ଏମ୍‌ଜିପି’ ସହିତ ମେଣ୍ଟ ସ୍ଥାପନ କରି ମୁଖ୍ୟମନ୍ତ୍ରୀ ରୂପେ ସରକାର ଗଠନ କରିବାରେ ସଫଳ ହେଲେ। ଗତ ବର୍ଷ ଫେବ୍ରୁଆରିରେ ତାଙ୍କର ସ୍ବାସ୍ଥ୍ୟରେ ଅବନତି ଦେଖାଦେବା ପରେ ସେ ମୁମ୍ବାଇ ଓ ପରେ ନ୍ୟୁୟର୍କ ଯାଇ ଚିକିତ୍ସିତ ହେଲେ। ସେ ଫେରିଆସିବା ପରେ ଘରେ ରହି ଚିକିତ୍ସିତ ହେଉଥିଲେ ଓ ଗୋଆ ଏବ˚ ଦିଲ୍ଲୀର ଏମ୍‌ସକୁ ମଧୢ ଯା’ଆସ କରୁଥିଲେ। କ୍ରମେ ସର୍ବସାଧାରଣରେ ତାଙ୍କର ଆବିର୍ଭାବ ବିରଳ ହୋଇଯାଇଥିଲା ଏବ˚ ଶେଷରେ ନିଜର ବାସଭବନରେ ହିଁ ଶେଷ ନିଃଶ୍ବାସ ତ୍ୟାଗ କରିଥିଲେ।
ଗୋଆର ସ˚ଖ୍ୟାଲଘୁ କ୍ୟାଥଲିକ୍‌ ଓ ମୁସଲମାନଙ୍କ ସହିତ ବିଶ୍ବାସ ଓ ସହଯୋଗ ପ୍ରତିଷ୍ଠା କରିବାରେ ପାରିକର ଯେଉଁଭଳି ସଫଳ ହୋଇଥିଲେ, ତାଙ୍କ ପୂର୍ବରୁ କୌଣସି ନେତା ସେପରି କରିପାରିନଥିଲେ। ତାଙ୍କର ରାଜନୀତି ଯେଉଁଭଳି ସଫଳ ଓ ଅନ୍ତର୍ଭୁକ୍ତୀ ଥିଲା, ତାଙ୍କର ନିୟମିତ ଏବ˚ ଉନ୍ନୟନ ପ୍ରଶାସନ ମଧୢ ସେଇଭଳି ଫଳପ୍ରଦ ଥିଲା। ତେବେ ଯାହା ଅଧିକ ଉଲ୍ଲେଖନୀୟ, ତାହା ହେଉଛି ଦେଶର ପ୍ରତିରକ୍ଷା ମନ୍ତ୍ରୀ ରୂପେ ସେ କଟାଇଥିବା ୨୮ ମାସ। ତାଙ୍କ ସମୟରେ ସେନା ବାହିନୀ ପାକିସ୍ତାନ ଉପରେ କରିଥିବା ସର୍ଜିକାଲ ଷ୍ଟ୍ରାଇକ୍‌ ଯେଉଁଭଳି ଜନମାନସକୁ ଚମକାଇ ଦେଇଥିଲା, ୨୦୧୬ ଅଗଷ୍ଟରେ ଉରି ଅଞ୍ଚଳରେ ସେନା କାଯ୍ୟାନୁଷ୍ଠାନରେ ପାଞ୍ଚଜଣ ଅନୁପ୍ରବେଶକାରୀ ଆତଙ୍କବାଦୀ ପ୍ରାଣ ହରାଇବା ପରେ ସେ ପ୍ରଦାନ କରିଥିବା ମନ୍ତବ୍ୟ ସେଇଭଳି ମର୍ମଭେଦୀ ଥିଲା। ସେ କହିଥିଲେ ଯେ ମୃତ୍ୟୁ ପରେ ଏହି ଆତଙ୍କବାଦୀ ପାକିସ୍ତାନକୁ ଫେରି ଯାଇଛନ୍ତି। ତାଙ୍କ ଉକ୍ତିର ମର୍ମ ହେଲା ସେମାନେ ମୃତ୍ୟୁ ପରେ ନର୍କକୁ ଯିବା ନିଶ୍ଚିତ ଏବ˚ ଯେହେତୁ ପାକିସ୍ତାନ ହେଉଛି ଏକ ନର୍କ, ତେଣୁ କୁହାଯାଇପାରେ ସେମାନଙ୍କୁ ପାକିସ୍ତାନକୁ ପଠାଇ ଦିଆଗଲା। ପାକିସ୍ତାନ ପ୍ରତି ପାରିକରଙ୍କର ଏହି ଆକ୍ଷେପ କ˚ଗ୍ରେସକୁ ଏପରି ଅସୁଖକର ଲାଗିଲା ଯେ ସେ ଦଳର ଯୁବନେତ୍ରୀ ଦିବ୍ୟା ସ୍ପନ୍ଦନା ଓରଫ ଚିତ୍ରତାରକା ରାମ୍ୟା ପାରିକରଙ୍କୁ ଖଣ୍ତନ କରି ପାକିସ୍ତାନର ଭୂରି ଭୂରି ପ୍ରଶ˚ସା କରିଥିଲେ, ସତେ ଯେମିତି ପାକିସ୍ତାନ ଏକ ସ୍ବର୍ଗ।
ଏ ଭଳି ସାମୟିକ ଘଟଣାମାନ ସେ ସମୟରେ ଅଧିକ ଚର୍ଚ୍ଚିତ ହୋଇଥିଲେ ମଧୢ ଯାହା ଅଧିକ ଗୁରୁତ୍ବପୂର୍ଣ୍ଣ ଥିଲା, ତାହା ହେଲା ପାରିକର ତାଙ୍କ ସମୟରେ ପ୍ରତିରକ୍ଷା ମନ୍ତ୍ରଣାଳୟର କାର୍ଯ୍ୟ ସ˚ସ୍କୃତିରେ ଆଣିବାକୁ ଚେଷ୍ଟା କରିଥିବା ନିଃଶବ୍ଦ ବିପ୍ଳବ। ସେ ଦାୟିତ୍ବ ଗ୍ରହଣ କରିବା ସମୟରେ ସେ ମନ୍ତ୍ରଣାଳୟରେ ଏପରି ଏକ ଭୟ ଓ ସନ୍ଦେହର ବାତାବରଣ ବିରାଜମାନ କରୁଥିଲା ଯେ କେହି କିଛି ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ନେବାକୁ ପଛଘୁଞ୍ଚା ଦେଉଥିଲେ। ଉତ୍ତମ ବୈଷୟିକ ଜ୍ଞାନ ତଥା ତୀକ୍ଷ୍‌ଣ ଧୀ-ସମ୍ପନ୍ନ ପାରିକରଙ୍କର ସାଧୁତା ଏପରି ଜଣାଶୁଣା ଓ ଆତ୍ମବିଶ୍ବାସ ଏପରି ଦୃଢ଼ ଥିଲା ଯେ ସେ ସାହସିକ ନିଷ୍ପତ୍ତିମାନ ନେବାକୁ କେବେ ପଛାଉ ନଥିଲେ। ସେ ହିଁ ‘ଓରପ୍‌’ ଭଳି ଏକ ପୁରୁଣା ଜଟିଳ ଗଣ୍ଠି ଫିଟାଇ ପାରିଥିଲେ। ଭାରତର ପ୍ରତିରକ୍ଷା ପ୍ରସ୍ତୁତିରେ ଘରୋଇ କ୍ଷେତ୍ରର ଗୁରୁତ୍ବପୂର୍ଣ୍ଣ ଭୂମିକା ସମ୍ବନ୍ଧରେ ସେ ସମ୍ପୂର୍ଣ୍ଣ ସଚେତନ ଥିଲେ। ରାଜନୈତିକ ଦୃଷ୍ଟିରୁ ଏହା ଏକ ବିପଦସ˚କୁଳ ଉଦ୍ୟମ ହୋଇଥିଲେ ହେଁ ତାଙ୍କ ସମୟରେ ସେ ପ୍ରତିରକ୍ଷା ଉତ୍ପାଦନରେ ଘରୋଇ ଶିଳ୍ପକୁ ସମ୍ପୃକ୍ତ କରିବାକୁ ଯେଉଁଭଳି ଉଦ୍ୟମ କରିଥିଲେ ତାହା ତାଙ୍କ ପୂର୍ବରୁ କିମ୍ବା ତାଙ୍କ ପରେ କୌଣସି ରକ୍ଷାମନ୍ତ୍ରୀ କରିବାକୁ ସାହସ କରିପାରି ନାହାନ୍ତି। ସରକାରୀ ପକ୍ଷ ଓ ଘରୋଇ ଉଦ୍ୟୋଗୀଙ୍କ ମଧୢରେ ନିୟମିତ ଆଲୋଚନା ପାଇଁ ସେ ଆରମ୍ଭ କରିଥିବା ‘ଶନିବାର କ୍ଲବ୍‌’ ହେଉଛି ଏହାର ସାକ୍ଷୀ। ତାଙ୍କର ଦେଶଭକ୍ତି, ସାଧୁତା ଓ ସାହସ ସ୍ବର୍ଗରେ ଦେବତାମାନଙ୍କର ମଧୢ ମନ ହରଣ କରୁଥିବ।

ସମ୍ବନ୍ଧିତ ଖବର