ପତଙ୍ଗ ପ୍ରଳୟ!

ଫ୍ରାଞ୍ଜ୍‌ କାଫ୍‌କାଙ୍କର ସୁପ୍ରସିଦ୍ଧ କ୍ଷୁଦ୍ର ଉପନ୍ୟାସ ‘ଦି ମେଟାମର୍ଫୋସିସ୍‌’ (ଘଟାନ୍ତର)ରେ ନାୟକ ଗ୍ରେଗର‌୍‌ ସାମ୍‌ସା ସକାଳେ ନିଦରୁ ଉଠିବା ବେଳକୁ ତାଙ୍କର ଘଟ ପରିବର୍ତ୍ତନ ହୋଇ ସେ ଏକ ବିଶାଳ କୀଟ ବା ପତଙ୍ଗରେ ପରିଣତ ହୋଇ ଯାଇଛନ୍ତି। ସେ ନିର୍ଦ୍ଦିଷ୍ଟ ଭାବରେ କିପରି ରୂପ ଧାରଣ କରିଥିଲେ କାଫ୍‌କା ଜାଣିଶୁଣି ତାହା ସ୍ପଷ୍ଟ କରି ନଥିଲେ ଏବ˚ ୧୯୧୫ରେ ତାଙ୍କର ପ୍ରକାଶକଙ୍କ ନିକଟକୁ ଏକ ପତ୍ର ଲେଖି ବହିର ମଲାଟରେ ସେ କୀଟର କୌଣସି ଚିତ୍ର ଅଙ୍କନ କରିବାକୁ ବାରଣ କରିଥିଲେ। ଏହି ନିଷେଧାଦେଶ କିନ୍ତୁ ପରବର୍ତ୍ତୀ ସମୟରେ କାଫ୍‌କା-ଅନୁରକ୍ତମାନଙ୍କୁ ଏହି ରୂପାନ୍ତରିତ ଗ୍ରେଗର‌୍‌ ସାମ୍‌ସାଙ୍କର ନିର୍ଦ୍ଦିଷ୍ଟ ରୂପ ସମ୍ବନ୍ଧରେ କଳ୍ପନାଜଳ୍ପନା କରିବା ପାଇଁ ବେଶ୍‌ ଖୋରାକ୍‌ ଯୋଗାଇ ଦେଇଥିଲା। ଏହି ରହସ୍ୟ ଆବିଷ୍କାର କରିବା ପାଇଁ ଯଦି କାହାର ସବୁଠାରୁ ଅଧିକ ଯୋଗ୍ୟତା ଥିଲା, ସେ ହେଉଛନ୍ତି ବି˚ଶ ଶତାବ୍ଦୀର ସର୍ବାଧିକ ଆଦୃତ ଉପନ୍ୟାସମାନଙ୍କ ତାଲିକାରେ ଚତୁର୍ଥ ସ୍ଥାନ ଅଧିକାର କରିଥିବା ‘ଲୋଲିଟା’ର ରଚୟିତା ବିଚକ୍ଷଣ ରୁଷୀୟ ମୂଳର ଇ˚ରେଜୀ ଔପନ୍ୟାସିକ-ଅଧୢାପକ ଭ୍ଲାଦିମିର‌୍‌ ନାବୋକଭ୍‌। ସାହିତ୍ୟ ବାହାରେ ନାବୋକଭ୍‌ ମଧୢ ଥିଲେ ଜଣେ ପତଙ୍ଗ-ବିଶେଷଜ୍ଞ, ଯାହାଙ୍କର ନିଶା ଥିଲା ଦେଶ ବିଦେଶ ବୁଲି ପ୍ରଜାପତିମାନଙ୍କୁ ଅନୁଧାବନ କରିବା। କାଫ୍‌କାଙ୍କ କାହାଣୀର ଟିକିନିଖି ଅନୁଶୀଳନ କରି ନାବୋକଭ୍‌ ସିଦ୍ଧାନ୍ତରେ ଉପନୀତ ହୋଇଥିଲେ ଯେ ଗ୍ରେଗର‌୍‌ ସାମ୍‌ସା ପ୍ରାୟ ତିନିଫୁଟ ଲମ୍ବର ଏକ ଉଡ଼ିବାକ୍ଷମ ବିଟ୍‌ଲରେ ପରିଣତ ହୋଇଯାଇଥିଲେ।
ଏହା ପରେ ଗ୍ରେଗର‌୍‌ ସାମ୍‌ସାଙ୍କ ପ୍ରତି ତାଙ୍କ ପରିବାର ସଦସ୍ୟମାନଙ୍କ ଆଭିମୁଖ୍ୟ ସେଇଭଳି ହୋଇଯାଇଥିଲା, ଯେଉଁଭଳି କୀଟପତଙ୍ଗମାନଙ୍କ ପ୍ରତି ମନୁଷ୍ୟର ସାଧାରଣତଃ ହୋଇଥାଏ- ଅବାଞ୍ଛିତ, ଭୟ ବା ବିକାର ଉଦ୍ରେକକାରୀ ଏକ ବିପଜ୍ଜନକ ଉପସ୍ଥିତି। ସମସ୍ତେ ତାଙ୍କଠାରୁ ଦୂରେଇ ରହିବାକୁ ଚେଷ୍ଟା କରିଛନ୍ତି ଓ ଥରେ ତାଙ୍କର ପିତା ତାଙ୍କୁ ତଡ଼ିବା ପାଇଁ ତାଙ୍କ ଉପରକୁ ଆପ୍‌ଲମାନ ପିଙ୍ଗିବା ଫଳରେ ଗ୍ରେଗର‌୍‌ ଗୁରୁତର ଭାବରେ ଜଖମ ହୋଇ ଚଳତ୍‌ଶକ୍ତି ହରାଇଛନ୍ତି। ଶେଷରେ ସେ ମ୍ରିୟମାଣ ହୋଇ ପ୍ରାଣତ୍ୟାଗ କରିଛନ୍ତି। କାଫ୍‌କା ତାଙ୍କ କାହାଣୀର ମୁଖ୍ୟ ଚରିତ୍ରକୁ ଘଟ ପରିବର୍ତ୍ତନ ପରେ ଏପରି ଏକ କୀଟରେ ପରିଣତ କରିବା ପଛରେ ରହିଥିବା କାରଣ ବୋଧହୁଏ ହେଉଛି କୀଟପତଙ୍ଗମାନଙ୍କ ପ୍ରତି ରହିଥିବା ମନୁଷ୍ୟର ଏହି ସ୍ବାଭାବିକ ବିରୋଧ ଭାବ।
କୀଟପତଙ୍ଗମାନଙ୍କ ପ୍ରତି ଏଇଭଳି ଏକ ବିରୋଧ ଭାବ ହିଁ ପ୍ରଖ୍ୟାତ ପକ୍ଷୀ ବିଶେଷଜ୍ଞ ସଲିମ୍‌ ଅଲିଙ୍କୁ ପ୍ରବର୍ତ୍ତାଇଥିଲା କହିବାକୁ ଯେ ଯଦି ପକ୍ଷୀ ନଥାନ୍ତେ, ତେବେ ପୃଥିବୀ କୀଟପତଙ୍ଗମାନଙ୍କର ଦଖଲକୁ ଚାଲି ଯାଇଥାନ୍ତା। ତାଙ୍କ କହିବାର ମର୍ମ ହେଲା କୀଟପତଙ୍ଗମାନେ ରାକ୍ଷସ ଭଳି ଗଛପତ୍ର, ଫସଲ ଆଦି ଖାଇ ସଫା କରିଦିଅନ୍ତି ଏବ˚ ସେମାନଙ୍କର ଅତି ଦ୍ରୁତ ଗତିରେ ବ˚ଶ ବୃଦ୍ଧି ଘଟିଥାଏ। ଯଦି ସେମାନଙ୍କ ସ˚ଖ୍ୟା ଅନିୟନ୍ତ୍ରିତ ଭାବରେ ବୃଦ୍ଧି ପାଇ ଚାଲେ ତେବେ ସେମାନଙ୍କ ଦ୍ବାରା ସୃଷ୍ଟ ଖାଦ୍ୟାଭାବ ଯୋଗୁଁ ପୃଥିବୀରେ ମନୁଷ୍ୟ ସମେତ ଅନ୍ୟାନ୍ୟ ଜୀବଜନ୍ତୁମାନେ ଲୋପ ପାଇ ଯିବେ। ଏ ବିଷୟରେ ଏକ ସମ୍ୟକ୍‌ ଧାରଣା ଦେବାକୁ ଯାଇ ସଲିମ୍‌ ଅଲି କାନାଡ଼ାର ଜଣେ ପତଙ୍ଗ ବିଶେଷଜ୍ଞଙ୍କୁ ଉଦ୍ଧାର କରି କହିଥିଲେ ଯେ ଗୋଟିଏ ହଳ କଲୋରାଡୋ ବିଟ୍‌ଲକୁ ଯଦି ଅବାଧରେ ଛାଡ଼ି ଦିଆଯାଏ, ସେମାନେ ଗୋଟିଏ ମାତ୍ର ଋତୁରେ ନିଜ ସ˚ଖ୍ୟାରେ ବୃଦ୍ଧି ଘଟାଇ ୬୦ ନିୟୁତରେ ପହଞ୍ଚାଇ ଦେବେ! ମାଈ ପଙ୍ଗପାଳମାନେ ମାଟି ତଳେ ପେଟିକାମାନ ଭିତରେ ଅଣ୍ତା ଦେଇଥାନ୍ତି। ପ୍ରତି ପେଟିକାରେ ପ୍ରାୟ ୧୦୦ଟି ଲେଖାଏଁ ଅଣ୍ତା ଦିଆଯାଇଥାଏ। ପ୍ରତି ମାଈ ପଙ୍ଗପାଳ ଅନେକ ଗୁଡ଼ିଏ ପେଟିକାରେ ଅଣ୍ତା ଭର୍ତ୍ତି କରିଥାଏ। ଏଥିରୁ କୋଟି କୋଟି ସ˚ଖ୍ୟାର ପଙ୍ଗପାଳ ବାହାରି ଆକାଶରେ ଉଡ଼ିଯିବା ବେଳେ ବାଦଲର ଭ୍ରମ ସୃଷ୍ଟି କରିଥାନ୍ତି। ସେମାନେ ଯେଉଁ ବାଟେ ଯାଆନ୍ତି, ସବୁ ଘାସ ପତ୍ର ଫସଲ ଖାଇ ଲଣ୍ତା କରି ଦିଅନ୍ତି। ଗୋଟିଏ ସଁବାଳୁଆ ପ୍ରତିଦିନ ନିଜ ଓଜନର ଦୁଇଗୁଣ ସବୁଜପତ୍ର ଖାଇଥାଏ। ଅଧିକା˚ଶ ପକ୍ଷୀମାନଙ୍କର ମୁଖ୍ୟ ଖାଦ୍ୟ ହେଉଛି କୀଟପତଙ୍ଗ ତଥା ସେମାନଙ୍କର ଅଣ୍ତା ଓ ଲାର୍ଭା। ହଳେ ବଣି ସେମାନଙ୍କ ଶାବକମାନଙ୍କ ପାଇଁ ଝିଣ୍ଟିକା ଓ ଅନ୍ୟାନ୍ୟ ପତଙ୍ଗ ଆଦି ଆହାର ଧରି ଦିନକୁ ୩୭୦ଥର ବସାକୁ ଆସିବା ଦେଖାଯାଇଛି। ପକ୍ଷୀମାନେ ହେଉଛନ୍ତି କୀଟପତଙ୍ଗ ସ˚ଖ୍ୟାର ପ୍ରାକୃତିକ ନିୟନ୍ତ୍ରକ।
ଆଧୁନିକ କୃଷି କିନ୍ତୁ କେବଳ ଏହି ପ୍ରାକୃତିକ କୀଟପତଙ୍ଗ ନିୟନ୍ତ୍ରଣ ଉପରେ ନିର୍ଭର କରି ନଥାଏ। ଫସଲର ଶତ୍ରୁ ଏହି କୀଟପତଙ୍ଗମାନଙ୍କର ବିନାଶ ପାଇଁ ରାସାୟନିକ କୀଟନାଶକର ବ୍ୟାପକ ବ୍ୟବହାର ଆଧୁନିକ କୃଷିର ଏକ ଅବିଚ୍ଛେଦ୍ୟ ଅଙ୍ଗରେ ପରିଣତ ହୋଇ ସାରିଛି। ଏହାର ଏକ ପାର୍ଶ୍ବ ପ୍ରଭାବ ରୂପେ ମନୁଷ୍ୟର ଖାଦ୍ୟରେ କୀଟନାଶକର ଉପସ୍ଥିତି ଯୋଗୁଁ ସ୍ବାସ୍ଥ୍ୟ ପ୍ରତି ବିପଦ ଦେଖା ଦେଉଛି। କିନ୍ତୁ ଏହା ଏକମାତ୍ର ପାର୍ଶ୍ବ ପ୍ରଭାବ ନୁହେଁ। ଯେଉଁ କୀଟପତଙ୍ଗମାନଙ୍କର ଧ୍ବ˚ସ ସାଧନ ନିମିତ୍ତ ମନୁଷ୍ୟ ଏଭଳି ଉପାୟ ଅବଲମ୍ବନ କରୁଛି, ସେଇ କୀଟପତଙ୍ଗମାନଙ୍କର ଧ୍ବ˚ସ ହିଁ ଅନ୍ୟ ଏକ କାରଣରୁ କୃଷି ପାଇଁ ଏକ ସମସ୍ୟା ରୂପେ ଉଭା ହେବାକୁ ଆରମ୍ଭ କଲାଣି। ଏହା ସ୍କୁଲ ଛାତ୍ରମାନଙ୍କୁ ମଧୢ ଜଣା ଯେ କୀଟପତଙ୍ଗମାନେ ପରାଗ ସ˚ଗମରେ ସାହାଯ୍ୟ କରିଥାନ୍ତି। ସେମାନଙ୍କ ସ˚ଖ୍ୟାରେ ଯଦି ଅତିରିକ୍ତ ହ୍ରାସ ଘଟେ ତେବେ ପରାଗ ସ˚ଗମ ବାଧାପ୍ରାପ୍ତ ହୋଇ କେବଳ ଯେ ଫସଲ ଉତ୍ପାଦନ ବାଧାପ୍ରାପ୍ତ ହେବ, ତାହା ନୁହେଁ, ଉଦ୍ଭିଦ ଜଗତ୍‌ର ପ୍ରଜନନ ଓ ବ˚ଶବୃଦ୍ଧି ମଧୢ ଅନେକା˚ଶରେ ବାଧାପ୍ରାପ୍ତ ହେବ। କୀଟପତଙ୍ଗମାନେ ପ୍ରତ୍ୟକ୍ଷ ଓ ପରୋକ୍ଷ ଭାବରେ ଅନ୍ୟାନ୍ୟ ଅନେକ ପଶୁପକ୍ଷୀଙ୍କର ଆହାର ହୋଇଥିବାରୁ ସେମାନଙ୍କର ବିଲୋପ ସାରା ଜୀବଜଗତ୍‌ ପ୍ରତି ଏକ ଖାଦ୍ୟାଭାବ ବିପଦ ସୃଷ୍ଟି କରିବ। ଯଦି ଏହା ଚରମ ସ୍ତରରେ ପହଞ୍ଚେ, ତେବେ ଶେଷରେ ସାରା ପରିବେଶ ଭୁଶୁଡ଼ି ପଡ଼ିବ ବୋଲି ପତଙ୍ଗ ବିଶେଷଜ୍ଞମାନେ ଆଶଙ୍କା ପ୍ରକାଶ କରନ୍ତି।
ସେମାନଙ୍କର ଏଭଳି ଆଶଙ୍କାର କାରଣ ହେଲା ବିଭିନ୍ନ ସର୍ବେକ୍ଷଣମାନଙ୍କରୁ ବର୍ତ୍ତମାନ ଜଣାପଡ଼ିଲାଣି ଯେ ବିଗତ ଦଶନ୍ଧିମାନଙ୍କରେ ପୃଥିବୀରେ କୀଟପତଙ୍ଗ ସ˚ଖ୍ୟାରେ ପ୍ରାୟ ୫୦% ହ୍ରାସ ଘଟି ସାରିଲାଣି। ‘ନ୍ୟୁୟର୍କ ଟାଇମ୍‌ସ’ ସମ୍ବାଦପତ୍ର ଘୋଷଣା କରିସାରିଲାଣି: ‘ପତଙ୍ଗ ପ୍ରଳୟ ଉପସ୍ଥିତ।’ ଏହା ସତ ହୋଇଥିଲେ ସା˚ଘାତିକ; କିନ୍ତୁ ଏହାକୁ ସତ୍ୟ ସାବ୍ୟସ୍ତ କରିବା ପାଇଁ ଯେଉଁ ଭଳି ପୃଥିବୀବ୍ୟାପୀ ସର୍ବେକ୍ଷଣର ଆବଶ୍ୟକତା ରହିଛି ଏ ପର୍ଯ୍ୟନ୍ତ ସେପରି ସର୍ବେକ୍ଷଣ କରାଯାଇ ନାହିଁ ଓ ତାହା ମଧୢ ସହଜ ନୁହେଁ। ଭାରତ, ଚୀନ୍‌, ଆଫ୍ରିକା, ଦକ୍ଷିଣ ଆମେରିକା ଭଳି ଅଞ୍ଚଳମାନଙ୍କରେ ଜଙ୍ଗଲୀ କୀଟପତଙ୍ଗମାନଙ୍କର କୌଣସି ନିର୍ଭରଯୋଗ୍ୟ ଆକଳନ ଏ ଯାଏ କରାଯାଇ ନାହିଁ। କେବଳ ସୀମିତ ସର୍ବେକ୍ଷଣ ଓ ଅନୁମାନ ଉପରେ ନିର୍ଭର କରି ଏ ଯେଉଁ ପତଙ୍ଗ ପ୍ରଳୟର କୋକୁଆ ଭୟ ସୃଷ୍ଟି କରାଯାଇଛି ତାହା ତେଣୁ ତତ୍‌କ୍ଷଣାତ୍‌ କୌଣସି ବିପଦର ସମ୍ଭାବନା ବହନ କରେ ନାହିଁ।
ତେବେ ଏହାକୁ ଏକ ସତର୍କ ଘଣ୍ଟି ରୂପେ ଗ୍ରହଣ କରି ଯଦି ଏବେଠାରୁ ଆବଶ୍ୟକ ପଦକ୍ଷେପ ନିଆଯାଏ, ତେବେ ଭବିଷ୍ୟତରେ କୀଟପତଙ୍ଗମାନଙ୍କ ସହିତ ପରିବେଶକୁ ମଧୢ ସୁରକ୍ଷିତ ରଖି ହେବ। ଏପରି ଗୋଟିଏ ଉପାୟ ହେଉଛି କୀଟନାଶକ ପ୍ରୟୋଗ ନକରି ଜୈବ କୃଷି କୌଶଳ ଅବଲମ୍ବନ କରିବା। କୀଟ ଆକ୍ରମଣରୁ ରକ୍ଷା ପାଇଁ ‘ବିଟି କଟନ୍‌’ ଭଳି ଜେନେଟିକ୍‌ ପରିବର୍ତ୍ତିତ ଫସଲ ଚାଷ କରାଯିବା ଉଚିତ। ସେହିପରି ଜୈବ କୃଷିର ଅମଳ କମ୍‌ ହେଉଥିବାରୁ ବହୁ ଅଧିକ ଅମଳକ୍ଷମ ‘ଜିଏମ୍‌୍‌’ ଫସଲ ପ୍ରତି ବିରୋଧ ତ୍ୟାଗ କରି ତାହାକୁ ଚାଷ କରାଯାଇପାରେ। ତା’ହେଲେ କୀଟପତଙ୍ଗ ସୁରକ୍ଷିତ ରହିବେ। ଫସଲ ଅମଳ ସୁରକ୍ଷିତ ରହିବ, ପରିବେଶ ସୁରକ୍ଷିତ ରହିବ, ପକ୍ଷୀମାନଙ୍କୁ ମଧୢ ଯଥେଷ୍ଟ କୀଟପତଙ୍ଗ ଖାଦ୍ୟ ମିଳିବ ଓ ସଲିମ୍‌ ଅଲି କହିବା ଭଳି ସେମାନେ ପୃଥିବୀକୁ କୀଟପତଙ୍ଗଙ୍କ ଦଖଲକୁ ଯିବାକୁ ଦେବେ ନାହିଁ। ତେବେ କାଫ୍‌କା ଅର୍ଥାତ୍‌ ଗ୍ରେଗର‌୍‌ ସାମ୍‌ସାଙ୍କ ସମସ୍ୟାର କିନ୍ତୁ କୌଣସି ସମାଧାନ ନାହିଁ!

ସମ୍ବନ୍ଧିତ ଖବର