ବୁଧବାର ଦିନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦେଶବାସୀଙ୍କୁ ଦେଇଥିବା ସୂଚନା ଅନୁସାରେ ଭାରତର ପ୍ରତିରକ୍ଷା ବୈଜ୍ଞାନିକମାନେ ସମ୍ପୂର୍ଣ୍ଣ ସ୍ବଦେଶୀ ଉଦ୍ୟମରେ ନିର୍ମାଣ କରିଥିବା ସାଟେଲାଇଟ୍-ବିଧ୍ବ˚ସକ କ୍ଷେପଣାସ୍ତ୍ର (ଏ-ସାଟ୍ ମିସାଇଲ୍) ମାଡ଼ କରି ପୃଥିବୀ ଉପରେ ନୀଚା କକ୍ଷପଥରେ (ଲିଓ) ଥିବା ଏକ ଅଦରକାରୀ ସାଟେଲାଇଟ୍କୁ ଧ୍ବ˚ସ କରିବାରେ ସଫଳ ହୋଇଛନ୍ତି। ଏପରି କ୍ଷମତା ହାସଲ କରିବାରେ ଆମେରିକା, ରୁଷିଆ ଓ ଚୀନ୍ ପରକୁ ଭରାତ ଚତୁର୍ଥ ଦେଶରେ ପରିଣତ ହୋଇଛି। ଆଧୁନିକ ଯୁଦ୍ଧରେ ସାଟେଲାଇଟ୍ମାନଙ୍କର ଗୁରୁତ୍ବପୂର୍ଣ୍ଣ ଅବଦାନ ରହିଥିବାରୁ ଆବଶ୍ୟକ ହେଲେ ଶତ୍ରୁ ପକ୍ଷର ସାଟେଲାଇଟ୍ ଧ୍ବ˚ସ କରିବା ପାଇଁ ଭାରତ ଆପଣା ବଳରେ ହାସଲ କରିଥିବା ଏହି ମହାଶୂନ୍ୟ ଲଢେ଼ଇ କ୍ଷମତା ଦେଶର ପ୍ରତିରକ୍ଷା କ୍ଷମତା ବୃଦ୍ଧି କରିବା ଦିଗରେ ଏକ ଅତ୍ୟନ୍ତ ଗୁରୁତ୍ବପୂର୍ଣ୍ଣ ପଦକ୍ଷେପ।
Sambad is now on WhatsApp
Join and get latest news updates delivered to you via WhatsApp
ଶୀତଳ ଯୁଦ୍ଧ ଯୁଗରେ ଉଭୟ ଆମେରିକା ଓ ରୁଷିଆ ମହାଶୂନ୍ୟରେ ନିଜର ସାମରିକ କ୍ଷମତା ବୃଦ୍ଧି କରିବା ପାଇଁ ତତ୍ପର ହୋଇ ପଡ଼ିଥିଲେ। ଏ-ସାଟ୍ କ୍ଷେପଣାସ୍ତ୍ର ନିର୍ମାଣ ଏହି ପ୍ରତିଯୋଗିତାର ଅ˚ଶ ବିଶେଷ ଥିଲା। ଶୀତଳ ଯୁଦ୍ଧ ଯୁଗର ଅବସାନ ପରେ ମହାଶୂନ୍ୟରେ ଏହି ସାମରିକ ପ୍ରତିଯୋଗିତା କିଛି କାଳ ପାଇଁ ଶିଥିଳ ହୋଇଯାଇଥିଲା। କିନ୍ତୁ ୧୯୯୦-୯୧ର ପ୍ରଥମ ଉପସାଗରୀୟ ଯୁଦ୍ଧ (ଗଲ୍ଫ ଵାର୍)ରେ ଆମେରିକା ସାଟେଲାଇଟ୍ର ଏପରି ବ୍ୟାପକ ବ୍ୟବହାର କରିଲା ଯାହା ଭବିଷ୍ୟତର ଯୁଦ୍ଧରେ ବିଜୟ ବା ପରାଜୟରେ ମହାଶୂନ୍ୟର ଗୁରୁତ୍ବପୂର୍ଣ୍ଣ ଭୂମିକା ସମ୍ବନ୍ଧରେ କୌଣସି ସନ୍ଦେହର ଅବକାଶ ରଖିଲା ନାହିଁ। ସେ ଯୁଦ୍ଧରେ ସାଟେଲାଇଟ୍ର ବହୁଳ ବ୍ୟବହାରକୁ ଲକ୍ଷ୍ୟ କରି ସାମରିକ ପର୍ଯ୍ୟବେକ୍ଷକମାନେ ସେ ଯୁଦ୍ଧକୁ ପୃଥିବୀର ‘ପ୍ରଥମ ମହାଶୂନ୍ୟ ଯୁଦ୍ଧ’ (‘ଫାଷ୍ଟ୍ ସ୍ପେସ୍ ଵାର୍’) ରୂପେ ଅଭିହିତ କରିଛନ୍ତି। ନାଭିଗେସନ୍ (ଦିଗ ନିରୂପଣ), କମ୍ୟୁନିକେସନ୍ (ଯୋଗାଯୋଗ), ଏବ˚ ମ୍ୟାପିଙ୍ଗ୍ (ନକ୍ସା ଅଙ୍କନ) ଆଦି କାର୍ଯ୍ୟ ମୁଖ୍ୟତଃ ସାଟେଲାଇଟ୍ ଭିତ୍ତିକ ହୋଇ ଆମେରିକୀୟ ବାହିନୀକୁ ଦ୍ରୁତ ଏବ˚ ନିଶ୍ଚିତ ବିଜୟ ହାସଲ କରିବାରେ ଯେଉଁଭଳି ସାହାଯ୍ୟ କଲା ତାହା ଚମକପ୍ରଦ ଥିଲା।
୧୯୯୮-୯୯ର କସୋଭୋ ଯୁଦ୍ଧରେ ସାଟେଲାଇଟ୍ର ଏହି ନିର୍ଣ୍ଣାୟକ ଭୂମିକା ଆହୁରି ଦୃଢ଼ୀଭୂତ ହୋଇଗଲା। ଭୂ-ପୃଷ୍ଠରୁ ପ୍ରାୟ ୧୯,୦୦୦ କିମି ଉପରେ ଥିବା ‘ଗ୍ଲୋବାଲ୍ ପୋଜିସନିଙ୍ଗ୍ ସାଟେଲାଇଟ୍’ (ଜିପିଏସ୍) ପ୍ରେରଣ କରୁଥିବା ସ୍ଥାନ, ଦିଗ ଏବ˚ ସମୟ ସମ୍ବନ୍ଧିତ ସିଗ୍ନାଲ୍ମାନ ବ୍ୟବହାର କରି ଆମେରିକା ଖଞ୍ଜିଥିବା ଅସ୍ତ୍ରଶସ୍ତ୍ର ମାନ ପ୍ରତିପକ୍ଷ ସର୍ବିଆନ୍ ବାହିନୀ ଉପରେ ନିର୍ଭୁଲ ଭାବରେ ମାଡ଼ କରିପାରିଲା, ଯାହା ସର୍ବିଆନ୍ମାନଙ୍କୁ ଧରାଶାୟୀ କରିଦେଲା।
ବର୍ତ୍ତମାନ ଆମେରିକାର ନିଜ ଦେଶଠାରୁ ବହୁ ଦୂରରେ ଥିବା ଅଞ୍ଚଳମାନଙ୍କରେ ନିଜର ଶକ୍ତି ପ୍ରଦର୍ଶନ କରିବାର ଯେଉଁ କ୍ଷମତା ତାକୁ ପୃଥିବୀର ଏକମାତ୍ର ମହାଶକ୍ତିର ମର୍ଯ୍ୟାଦା ପ୍ରଦାନ କରିଛି, ସାଟେଲାଇଟ୍ର ବ୍ୟବହାର ସେଥି ସହିତ ଅଙ୍ଗାଙ୍ଗୀ ଭାବରେ ଜଡ଼ିତ। ନିରାପଦ ଯୋଗାଯୋଗରୁ ଆରମ୍ଭ କରି ପାଣିପାଗ ଓ ଦିଗ ନିର୍ଣ୍ଣୟ ସମ୍ବନ୍ଧିତ ସୂଚନା ପ୍ରଦାନ ଏବ˚ ଶତ୍ରୁପକ୍ଷର କ୍ଷେପଣାସ୍ତ୍ର କ୍ଷେପଣ ପୂର୍ବରୁ ସତର୍କ ସୂଚନା ପ୍ରଦାନ ଆଦି ଦ୍ବାରା ସାଟେଲାଇଟ୍ ମାନ ଆମେରିକାର ସାମରିକ ବାହିନୀମାନଙ୍କୁ ଶତ୍ରୁପକ୍ଷର କୌଣସି ଅଚାନକ ଆକ୍ରମଣର ମୁକାବିଲା କରିବା ପାଇଁ ସମ୍ପୂର୍ଣ୍ଣ ସକ୍ଷମ କରିଥାନ୍ତି। ୟୁରୋପ୍ ଓ ଏସିଆରେ ଥିବା ନିଜର ମିତ୍ର ରାଷ୍ଟ୍ରମାନଙ୍କୁ ଦୂରରେ ଥାଇ ମଧୢ ସୁରକ୍ଷା ଯୋଗାଇବାରେ ଆମେରିକାର କ୍ଷମତା ଅନେକା˚ଶରେ ଏହି ସାଟେଲାଇଟ୍ମାନଙ୍କ ଉପରେ ନିର୍ଭରଶୀଳ।
ଆମେରିକାର ପ୍ରତିପକ୍ଷମାନଙ୍କ ଦୃଷ୍ଟିକୁ ଏହା ଯେ ଏଡ଼ାଇ ଯାଇଛି, ତାହା ନୁହେଁ। ବିଶେଷ କରିି ରୁଷିଆ ଓ ଚୀନ୍ ଏ କ୍ଷେତ୍ରରେ ଚୁପ୍ ହୋଇ ବସି ନାହାନ୍ତି। ୨୦୧୫ରେ ଚୀନ୍ ଘୋଷଣା କରିଥିବା ତା’ର ଭବିଷ୍ୟତର ରଣକୌଶଳ ଯୋଜନାରେ ମହାଶୂନ୍ୟକୁୁ ସାମରିକ ପ୍ରତିଯୋଗିତାରେ ନୂତନ ନିର୍ଣ୍ଣାୟକ ଶିଖର (‘ନିଉ କମାଣ୍ତିଙ୍ଗ୍ ହାଇଟ୍ସ’) ରୂପେ ବର୍ଣ୍ଣନା କରାଯାଇଥିଲା। ଚୀନ୍ ଇତି ମଧୢରେ ନିଜର ସାମରିକ, ମହାକାଶ ଏବ˚ କମ୍ପ୍ୟୁଟର୍ ମିସନ୍ମାନଙ୍କୁ ଗୋଟିଏ ଛତା ତଳେ ରଖିବା ଉଦ୍ଦେଶ୍ୟରେ ଏକ ‘ଷ୍ଟ୍ରାଟେଜିକ୍ ସପୋର୍ଟ ଫୋର୍ସ’ ମଧୢ ସ୍ଥାପନ କରିଛି। ରୁଷିଆ ମଧ୍ୟ ପ୍ରତିଦ୍ବନ୍ଦ୍ବୀମାନଙ୍କ ସହିତ ତାଳ ଦେଇ ସେଇଭଳି ଏକ ସମନ୍ବିତ ‘ଏରୋେସ୍ପେସ୍ ଫୋର୍ସ୍’ ଗଠନ କକରିଛି। ଏହାକୁ ଯେଉଁ ଦାୟିତ୍ବ ଦିଆଯାଇଛି ସେଥିରେ ମହାଶୂନ୍ୟରୁ ଆସୁଥିବା ବିପଦକୁ ଠାବ କରିବା ଏବ˚ ତାହାର ସମୁଚିତ ମୁକାବିଲା କରିବା ଅନ୍ତର୍ଭୁକ୍ତ।
ଉଭୟ ଦେଶ ସମ୍ଭାବ୍ୟ ଯୁଦ୍ଧରେ ଆମେରିକାର ସାମରିକ ବାହିନୀ ମାନଙ୍କର ଫଳପ୍ରଦ କାର୍ଯ୍ୟ କରିବା କ୍ଷମତାକୁ ନଷ୍ଟ କରିବା ପାଇଁ ‘ଏ-ସାଟ୍’ ଅସ୍ତ୍ରଶସ୍ତ୍ରମାନ ନିର୍ମାଣ ଓ ମୁତୟନରେ ଲାଗିପଡ଼ିଛନ୍ତି। ଚୀନ୍ ହାତରେ ଏକ କାର୍ଯ୍ୟକ୍ଷମ ‘ଏ-ସାଟ୍’ କ୍ଷେପଣାସ୍ତ୍ର ରହିଛି ଯାହାକୁ ଭୂ-ପୃଷ୍ଠରୁ କ୍ଷେପଣ କରି ନୀଚା କକ୍ଷପଥ (ଲୋ ଅର୍ବିଟ୍)ରେ ଥିବା ସାଟେଲାଇଟ୍କୁ ମାଡ଼ କରି ଧ୍ବ˚ସ କରି ଦେଇ ହେବ। ଚୀନ୍ର ସେନାବାହିନୀ ‘ଏ-ସାଟ୍’ କ୍ଷେପଣାସ୍ତ୍ର ବ୍ୟବହାରକୁ ତାଲିମରେ ଅନ୍ତର୍ଭୁକ୍ତ କରି ସାରିଲାଣି। ରୁଷିଆ ଦାବି କରିଛି ଯେ ଆମେରିକୀୟ ସାଟେଲାଇଟ୍ ଧ୍ବ˚ସ କରିବା ପାଇଁ ଶୂନ୍ୟରୁ ହିଁ ‘ଏ-ସାଟ୍’ କ୍ଷେପଣାସ୍ତ୍ର ଛାଡ଼ିବାର କ୍ଷମତା ସେ ହାସଲ କରି ସାରିଛି- ଅର୍ଥାତ୍ ଏହି କ୍ଷେପଣାସ୍ତ୍ରକୁ ଏକ ବିମାନରୁ କ୍ଷେପଣ କରାଯାଇ ପାରିବ। ସାଟେଲାଇଟ୍ର ସେନ୍ସର୍ ସବୁକୁ ଅଚଳ କରି ବସ୍ତୁତଃ ତାକୁ ଅକାମି କରିଦେବା ପାଇଁ ଉଭୟ ଚୀନ୍ ଓ ରୁୁଷିଆ ଲେଜର୍ ଟେକ୍ନୋଲୋଜି ମଧୢ ବିକାଶ କରୁଛନ୍ତି ବୋଲି ପ୍ରକାଶ ପାଇଛି।
ଆମେରିକାର ପ୍ରତିରକ୍ଷା ବିଭାଗ ସୂତ୍ରରୁ ପ୍ରକାଶିତ ସୂଚନା ଅନୁଯାୟୀ ଅନ୍ୟ ଏକ ସାଟେଲାଇଟ୍ରୁ ‘ଏ-ସାଟ୍’ ମିସାଇଲ୍ କ୍ଷେପଣ କରିବାର କ୍ଷମତା ହାସଲ କରିବା ପାଇଁ ଚୀନ୍ ବର୍ତ୍ତମାନ ଉଦ୍ୟମ ଚଳାଇଛି। ୨୦୧୮ରେ ଜେନିଭାରେ ଅନୁଷ୍ଠିତ ଜାତିସ˚ଘର ନିରସ୍ତ୍ରୀକରଣ ସମ୍ମିଳନୀରେ ଆମେରିକାର ପରରାଷ୍ଟ୍ର ବିଭାଗ ରୁଷିଆର ଏକ ସାମରିକ ସାଟେଲାଇଟ୍ ପ୍ରଦର୍ଶନ କରିଥିବା ଅସ୍ବାଭାବିକ ଆଚରଣ ସମ୍ପର୍କରେ ଗଭୀର ଚିନ୍ତା ପ୍ରକଟ କରିଥିଲା। ଚୀନ୍ ମଧୢ ବହୁ ଅଧିକ ଉଚ୍ଚ କକ୍ଷ ପଥରେ ଥିବା ସାଟେଲାଇଟ୍ ଉପରେ କ୍ଷେପଣାସ୍ତ୍ର ମାଡ଼ କରିବା କ୍ଷମତା ହାସଲ ପାଇଁ ଉଦ୍ୟମ ଚଳାଇଛି।
ପୃଥିବୀର ବୃହତ୍ ଶକ୍ତିମାନେ ମହାକାଶରେ ଏହିପରି ନିଜର ସାମରିକ ମା˚ସପେଶୀ ସ˚ଚାଳନ କରୁଥିବା ବେଳେ, ଭାରତ ଏହି ଅନନ୍ୟ ସାଧାରଣ କ୍ଲବ୍ରେ ଧସେଇ ପଶିବା ଭାରତୀୟ ମହାକାଶ ବିଜ୍ଞାନ ଗବେଷଣାର ଉଜ୍ଜ୍ବଳ ଉପଲବ୍ଧି ପଥରେ ଆଉ ଏକ ସଦ୍ୟ ସ୍ଥାପିତ କୀର୍ତ୍ତିସ୍ତମ୍ଭ। ଆଧୁନିକ ଯୁଦ୍ଧରେ ଶତ୍ରୁର ସାଟେଲାଇଟ୍ ନଷ୍ଟ କରିବା ହେଉଛି ଶତ୍ରୁକୁ ଅନ୍ଧ କରିଦେବା ଭଳି। ଭାରତର ଏପରି କ୍ଷମତା ରହିଛି ଜାଣି ଶତ୍ରୁ ସ˚ଯତ ରହିବାକୁ ଉଚିତ ମଣିବ।