ନିର୍ବାଚନର ଶୁଦ୍ଧତା ପାଇଁ…

0

ଭାରତୀୟ ନିର୍ବାଚନର ଶୁଦ୍ଧତା ଏବ˚ ମତଦାନ ଲାଗି ବ୍ୟବହାର ହେଉଥିବା ‘ବିବାଦୀୟ’ ଇଭିଏମ୍‌ (ଇଲେକ୍ଟ୍ରୋନିକ୍‌ ଭୋଟି˚ ମେସିନ୍‌)ର ବିଶ୍ବସନୀୟତା ସହ ଯୋଡ଼ି ହୋଇଥିବା ଏକ ଗୁରୁତ୍ବପୂର୍ଣ୍ଣ ମାମଲା ଏବେ ମାନ୍ୟବର ଉଚ୍ଚତମ ନ୍ୟାୟାଳୟରେ ବିଚାରାଧୀନ ଅଛି। ଆଗାମୀ ନିର୍ବାଚନରେ ପ୍ରଥମ ଥର ପାଇଁ ପ୍ରତି ଇଭିଏମ୍‌ ସହ ଖଞ୍ଜା ହେବାକୁ ଯାଉଥିବା ‘ଭିଭିପାଟ’(ଭିଭିପିଏଟି -ଭୋଟର ଭେରିଫାଏଡ୍‌ ପେପର ଅଡିଟ୍‌ ଟ୍ରେଲ୍‌)ରୁ କେତେ ଭାଗ ‘ଭିଭିପାଟ’ର ଯାଞ୍ଚ ପାଇଁ ଏଥିରୁ ବାହାରୁଥିବା ଭୋଟ କାଗଜର ଗଣତି ହେବ? (ଭିଭିପାଟ ଇଭିଏମ୍‌ ସହ ଖଞ୍ଜା ଯାଇଥିବା ଏକ ଯନ୍ତ୍ର; ଯାହା ଇଭିଏମ୍‌ରେ ବଟନ ଚିପି ମତଦାତା ଦେଉଥିବା ଭୋଟ୍‌ର ରେକର୍ଡ ରଖେ। ଆବଶ୍ୟକ ସ୍ଥଳେ ‘ଭିଭିପାଟ’ରେ ରେକର୍ଡ କାଗଜ ଭୋଟ୍‌ର ଗଣତି କରାଯାଇ ଇଭିଏମ୍‌ରେ ‘ଲକ୍‌’ ଭୋଟ ସହ ମିଳାଇ ଯାଞ୍ଚ କରାଯାଇପାରେ)। ଏହି ପ୍ରଶ୍ନ ଉପରେ ନିର୍ବାଚନ କମିସନ ୨୮ ତାରିଖ ଅପରାହ୍‌ଣ ୪ଟା ସୁଦ୍ଧା ଏକ ସତ୍ୟପାଠ ଜରିଆରେ ନିଜର ମତ ରଖିଥିବେ ଓ ଆଗାମୀ ଏପ୍ରିଲ୍‌ ପହିଲାରେ ସୁପ୍ରିମ୍‌ କୋର୍ଟ ଏହା ଉପରେ ବିଚାର କରି ଫଇସଲା ଶୁଣାଇ ପାରନ୍ତି। ୨୧ଟି ଦଳ ପକ୍ଷରୁ ଅନ୍ତତଃ ୫୦% ‘ଭିଭିପାଟ’ ଯାଞ୍ଚ ପାଇଁ ଆବେଦନ ଉପରେ ଏହି ମାମଲା ଚାଲିଛି। ଇଭିଏମ୍‌ରେ ଗଡ଼ବଡ଼ ଓ ଭୋଟ ଜାଲିଆତିର ଅଭିଯୋଗ କରି ‘ବ୍ୟାଲଟ ପେପର’ ବ୍ୟବସ୍ଥାର ପୁନଃପ୍ରବର୍ତ୍ତନ ଲାଗି ବିଭିନ୍ନ ପ୍ରମୁଖ ବିରୋଧୀ ଦଳଙ୍କ ଦାବି ପରିପ୍ରେକ୍ଷୀରେ ଏହି ମାମଲାର ରାୟ ବେଶ୍‌ ସୁଦୂରପ୍ରସାରୀ ଗୁରୁତ୍ବ ବହନ କରୁଛି।

ଭାରତୀୟ ନିର୍ବାଚନରେ ମତଦାନ ଲାଗି ପ୍ରଥମେ ପରୀକ୍ଷାମୂଳକ ଭାବେ ୧୯୮୨ରେ ଇଭିଏମ୍‌ର ପ୍ରଚଳନ ହୋଇଥିଲା। ଗତ ଦୁଇ ଦଶକ ଧରି ନିରବଚ୍ଛିନ୍ନ ଭାବେ ଉଭୟ ବିଧାନସଭା ଓ ଲୋକସଭା ନିର୍ବାଚନରେ ଇଭିଏମ୍‌ ବ୍ୟବହାର ହୋଇ ଆସୁଛି। ତେବେ, ପ୍ରାୟ ପ୍ରତ୍ୟେକ ଥର କୌଣସି ନା କୌଣସି ପକ୍ଷ ଏହାର ବିଶ୍ବସନୀୟତା ଉପରେ ପ୍ରଶ୍ନ ଉଠାଇ ଆସୁଛନ୍ତି। ଇଭିଏମ୍‌ ବିଶ୍ବସନୀୟତା ଦୃଷ୍ଟିରୁ ‘ରକ୍ଷା କବଚ’ ସ୍ବରୂପ ୨୦୧୩ରେ ପ୍ରଥମେ ନାଗାଲାଣ୍ତ ଓ ମିଜୋରାମର କେତେକ ଭୋଟ ଗ୍ରହଣ କେନ୍ଦ୍ରରେ ଇଭିଏମ୍‌ ସହ ଭିଭିପାଟ ମଧୢ ଖଞ୍ଜା ଗଲା। ସେହି ବର୍ଷ ସୁପ୍ରିମ୍‌ କୋର୍ଟ ଏକ ଗୁରୁତ୍ବପୂର୍ଣ୍ଣ ରାୟରେ ନିର୍ଦ୍ଦେଶ ଦେଲେ ଯେ ଅଳ୍ପ କିଛି ସ˚ଖ୍ୟକ ଇଭିଏମ୍‌ରେ ନୁହେଁ, ମତଦାନ ପାଇଁ ବ୍ୟବହାର ହେଉଥିବା ସବୁ ଇଭିଏମ୍‌ରେ ଭିଭିପାଟର ବ୍ୟବସ୍ଥା ହେଉ। ଫଳରେ ମତଦାତାମାନେ କେଉଁ ପ୍ରାର୍ଥୀଙ୍କୁ ଭୋଟ ଦେଉଛନ୍ତି ତାହା ନିଜେ ଦେଖି ପାରିବେ ଓ ଏହାର ଏକ ରେକର୍ଡ ମଧୢ ରହିବ। କୌଣସି ପ୍ରକାର ଦ୍ବନ୍ଦ୍ବ କିମ୍ବା ସନ୍ଦେହ ହେଲେ ଭିଭିପାଟ କାଗଜରେ ରେକର୍ଡ ହୋଇଥିବା ଭୋଟର ମଧୢ ଗଣତି କରାଯାଇ ଇଭିଏମ୍‌ରେ ପଡ଼ିଥିବା ଭୋଟ ସ˚ଖ୍ୟା ସହ ମିଳା ଯାଇ ପାରିବ। ସୁପ୍ରିମ୍‌ କୋର୍ଟଙ୍କ ଏହି ରାୟ ସତ୍ତ୍ବେ ୨୦୧୩ ପରବର୍ତ୍ତୀ ସମୟରେ ଅନୁଷ୍ଠିତ ବିଭିନ୍ନ ବିଧାନସଭା ଓ ଚଉଦ ସାଧାରଣ ନିର୍ବାଚନରେ ସବୁ ଇଭିଏମ୍‌ ସହ ‘ଭିଭିପାଟ’ ଖଞ୍ଜା ଯାଇପାରିନଥିଲା। ଅତ୍ୟନ୍ତ ସୀମିତ ସ˚ଖ୍ୟକ ଇଭିଏମ୍‌ରେ ଭିଭିପାଟ ଲାଗୁ ଥିଲା। ନିକଟ ଅତୀତରେ ଅନୁଷ୍ଠିତ କେତେକ ରାଜ୍ୟର ବିଧାନସଭା ନିର୍ବାଚନରେ ସବୁ ଇଭିଏମ୍‌ ସହ ‘ଭିଭିପାଟ’ର ବ୍ୟବସ୍ଥା ପରେ ଆସନ୍ତା ୧୧ ତାରିଖ ଠାରୁ ଆରମ୍ଭ ହେଉଥିବା ସାଧାରଣ ନିର୍ବାଚନରେ ପ୍ରଥମ ଥର ପାଇଁ ଦେଶବ୍ୟାପୀ ସବୁ ଇଭିଏମ୍‌ ସହ ଭିଭିପାଟର ମଧୢ ବ୍ୟବସ୍ଥା କରାଯାଇଛି।

ଏହା ନିଶ୍ଚିତ ଭାବେ ଏକ ବଳିଷ୍ଠ ପଦକ୍ଷେପ ଓ ସ୍ବାଗତଯୋଗ୍ୟ। ତେବେ ସବୁ ଇଭିଏମ୍‌ରେ ଭିଭିପାଟର ବ୍ୟବସ୍ଥା ହେଲେ ସୁଦ୍ଧା ଭିଭିପାଟ ଯାଞ୍ଚ ଲାଗି ନିର୍ବାଚନ ଆୟୋଗ ସ୍ଥିର କରିଥିବା ବ୍ୟବସ୍ଥା ଏହାର ମୂଳ ଉଦ୍ଦେଶ୍ୟକୁ ପୂରଣ କରିପାରୁ ନାହିଁ। ଗୋଟିଏ ବିଧାନସଭା ନିର୍ବାଚନ ମଣ୍ତଳୀର କେବଳ ଗୋଟିଏ ମାତ୍ର ନମୁନା ଭିଭିପାଟ ଯାଞ୍ଚ ଲାଗି ମତଦାତାଙ୍କ ଭୋଟ ରେକର୍ଡ ହୋଇଥିବା କାଗଜ ଭୋଟ୍‌ର ଗଣତି ପାଇଁ ନିର୍ବାଚନ ଆୟୋଗ ନିଷ୍ପତ୍ତି ନେଇଛନ୍ତି। ଫଳରେ ପୂରା କସରତର ମୂଳ ଉଦ୍ଦେଶ୍ୟ ପରାହତ ହେବାର ଆଶଙ୍କା ରହିଛି। ଓଡ଼ିଶା କଥା ନିଆଯାଉ। ରାଜ୍ୟରେ ମୋଟ ଭୋଟ ଗ୍ରହଣ କେନ୍ଦ୍ର ସ˚ଖ୍ୟା ୩୭,୬୦୬। ଏଥିରୁ ମାତ୍ର ଗୋଟିଏ ବୁଥ୍‌ରେ ବ୍ୟବହୃତ ଇଭିଏମ୍‌ ଓ ଭିଭିପାଟର ଭୋଟ ସ˚ଖ୍ୟାକୁ ମିଳାଇ ରାଜ୍ୟବ୍ୟାପୀ ସବୁ ୩୭,୬୦୬ଟି ଯାକ ବୁଥ୍‌ର ଇଭିଏମ୍‌କୁ ବିଶ୍ବସନୀୟତାର ପ୍ରମାଣପତ୍ର ଦେବା ଯଥାର୍ଥ ହେବ ନାହିଁ। ନିର୍ବାଚନ ଆୟୋଗଙ୍କ ପ୍ରଚଳିତ ବ୍ୟବସ୍ଥାରେ ହଜାର ହଜାର କୋଟି ଟଙ୍କା ଖର୍ଚ୍ଚରେ ଇଭିଏମ୍‌ ସହିତ ଖଞ୍ଜା ଯାଇଥିବା ଭିଭିପାଟ ଏକ ଅଳଙ୍କାର ହେବ ସିନା, ଏହା ଇଭିଏମ୍‌ ନେଇ ଉଠିଥିବା ସନ୍ଦେହ ମୋଚନ ଦିଗରେ ବିଶେଷ ସହାୟକ ହୋଇପାରିବ ନାହିଁ। ନିର୍ବାଚନରେ ଜାଲିଆତିର ଅଭିଯୋଗ ଯାଞ୍ଚର ଯେମିତି କୌଣସି ଅବକାଶ ନରହେ, ସେଥିପାଇଁ ଇଭିଏମ୍‌ର ବିଶ୍ବସନୀୟତା ଓ ମତଦାନର ପବିତ୍ରତା ରକ୍ଷା ଏକାନ୍ତ ଆବଶ୍ୟକ। ଅଧିକ ସ˚ଖ୍ୟକ ବୁଥ୍‌ରେ ‘ଭିଭିପାଟ’ ଯାଞ୍ଚ ଲାଗି କାଗଜ ଭୋଟ୍‌ର ଗଣତି ଏ ଦିଗରେ ନିଶ୍ଚୟ ସହାୟକ ହେବ।

ସୁଖର କଥା, ଗତ ସୋମବାର ଦିନ ମାମଲାର ଶୁଣାଣି ବେଳେ ପ୍ରଧାନ ବିଚାରପତି ରଞ୍ଜନ ଗଗୋଇଙ୍କ ଅଧୢକ୍ଷତାରେ ଗଠିତ ଖଣ୍ତପୀଠ ଅଧିକ ଭିିଭିପାଟ ଯାଞ୍ଚ ସପକ୍ଷରେ ଅନୁକୂଳ ମତ ପୋଷଣ କରିଛନ୍ତି। ମତଦାନ ପାଇଁ ବ୍ୟବହୃତ ୫୦% ଇଭିଏମ୍‌ ଓ ଏହା ସହ ଖଞ୍ଜା ଯାଇଥିବା ‘ଭିଭିପାଟ’ରୁ ବାହାରୁଥିବା ଭୋଟ କାଗଜର ମେଳକ ପାଇଁ ବିରୋଧୀ ଦଳଙ୍କ ଆବେଦନ ବାସ୍ତବବାଦୀ ହୋଇ ନପାରେ। ଅନ୍ୟପକ୍ଷରେ ପ୍ରତି ବିଧାନସଭା ଆସନରେ ମାତ୍ର ଗୋଟିଏ ଇଭିଏମ୍‌ ଓ ଭିଭିପାଟ ‘ମେଳକ’ ପାଇଁ ନିର୍ବାଚନ ଆୟୋଗଙ୍କ ବ୍ୟବସ୍ଥା ମଧୢ ସନ୍ଦେହ ମୋଚନ ପାଇଁ ଯଥେଷ୍ଟ ନୁହେଁ। ଗୋଟିଏ ବିଶେଷଜ୍ଞ କମିଟିଙ୍କ ସୁପାରିସକୁ ଭିତ୍ତି କରି ନିର୍ବାଚନ ଆୟୋଗଙ୍କ ନିଷ୍ପତ୍ତି ପରିସ˚ଖ୍ୟାନ ତତ୍ତ୍ବ ଓ ବୈଷୟିକ ଦୃଷ୍ଟିକୋଣରୁ ଠିକ୍‌ ହୋଇଥାଇପାରେ। ତେବେ ଏଠାରେ ପ୍ରସଙ୍ଗକୁ କେବଳ ବୈଷୟିକ ଓ ପରିସ˚ଖ୍ୟାନ ତତ୍ତ୍ବ ଦୃଷ୍ଟିକୋଣରୁ ବିଚାର କରାଯାଇ ନପାରେ। ଇଭିଏମ୍‌ର ବିଶ୍ବସନୀୟତା ଓ ନିର୍ବାଚନ ପ୍ରକ୍ରିୟାର ଶୁଦ୍ଧତା ଏଠାରେ ମୂଳ ପ୍ରସଙ୍ଗ। ଆମ୍‌ ଆଦ୍‌ମୀ ପାର୍ଟିର ପ୍ରସ୍ତାବ ହେଲା, ଗୋଟିଏ ବିଧାନସଭା ନିର୍ବାଚନ ମଣ୍ତଳୀରେ ବ୍ୟବହୃତ ଇଭିଏମ୍‌ ମଧୢରୁ ଅନ୍ତତଃ ୨୫% ଇଭିଏମରେ ‘ଲକ୍‌’ ହୋଇଥିବା ଭୋଟ ଓ ଭିଭିପାଟର କାଗଜ ଭୋଟର ମେଳକ ପାଇଁ ଗଣତି ହେବା ଉଚିତ। ଅନ୍ୟ କେତେକ ବିଶେଷଜ୍ଞଙ୍କ ପ୍ରସ୍ତାବ ହେଲା, ଅନ୍ତତଃ ୧୪ଟି ବୁଥ୍‌ର ଇଭିଏମ୍‌ର ‘ଇଲେକ୍ଟ୍ରୋନିକ୍‌ ଭୋଟ’ ଓ ତତ୍‌ ସ˚ଲଗ୍ନ ଭିଭିପାଟର କାଗଜ ଭୋଟର ଗଣତି ହେଉ। ୧୪ଟି ଇଭିଏମ୍‌- ଏଥିପାଇଁ ଯେ, ସାଧାରଣତଃ ୧୪ଟି ଟେବୁଲରେ ପର୍ଯ୍ୟାୟକ୍ରମେ ଭୋଟ ଗଣତି ହୋଇଥାଏ। ପ୍ରତ୍ୟେକ ଟେବୁଲର ଯେ କୌଣସି ଗୋଟିଏ ଇଭିଏମ୍‌କୁ ନମୁନା ଭାବେ ନେଇ ତତ୍‌ ସ˚ଲଗ୍ନ ଭିଭିପାଟ କାଗଜ ଭୋଟ ସହ ମେଳକ ପାଇଁ ଗଣତି ହେଲେ ସନ୍ଦେହର ଅବକାଶ ଯଥେଷ୍ଟ ମାତ୍ରାରେ ହ୍ରାସ ପାଇବ।

ଅବଶ୍ୟ, ଏ ବ୍ୟବସ୍ଥା ଦ୍ବାରା ଭୋଟ ଗଣତି ପ୍ରକ୍ରିୟା ଅଧିକ ସମୟ ସାପେକ୍ଷ ହୋଇପାରେ। ଏହା ଦ୍ବାରା ଫଳାଫଳ ଘୋଷଣା ବିଳମ୍ବିତ ହୋଇପାରେ। କିନ୍ତୁ ଇଭିଏମ୍‌ର ବିଶ୍ବସନୀୟତାକୁ ସନ୍ଦେହର ଊର୍ଦ୍ଧ୍ବରେ ରଖି ନିର୍ବାଚନର ଶୁଦ୍ଧତା ନିଶ୍ଚିତ କରିବା ଲାଗି ଏହା ଅନିବାର୍ଯ୍ୟ। ଆଶା, ନିର୍ବାଚନ କମିସନ ପ୍ରସଙ୍ଗର ଗମ୍ଭୀରତାକୁ ହୃଦୟଙ୍ଗମ କରିବେ ଓ ଯଥାସମ୍ଭବ ଅଧିକ ଭିଭିପାଟର ଗଣତି ପାଇଁ ରାଜି ହୋଇ ଆବଶ୍ୟକ ବ୍ୟବସ୍ଥା ଗ୍ରହଣ କରିବେ। ବିଶ୍ବର ସର୍ବବୃହତ୍‌ ଗଣତାନ୍ତ୍ରିକ କସରତର ବିଶ୍ବସନୀୟତା ଓ ପବିତ୍ରତା ରକ୍ଷା କରିବା ଦିଗରେ ଏହା ଏକ ଉଜ୍ଜ୍ବଳ ମାଇଲଖୁଣ୍ଟ ହେବ।

ସମ୍ବନ୍ଧିତ ଖବର

Leave A Reply

Your email address will not be published.