ସି˚ହ-ଗଧ-ତନ୍ତ୍ର

‘ସମ୍ବାଦ’ର ମାର୍ଚ୍ଚ ୩୧ର ‘ରବିବାର’ ପତ୍ରିକାର ପ୍ରଚ୍ଛଦ ପ୍ରସଙ୍ଗ ବର୍ତ୍ତମାନର ନିର୍ବାଚନୀ ମାନଚିତ୍ର ସହିତ ପରିଚିତ ଥିବା କୌଣସି ପାଠକ ପାଠିକାଙ୍କୁ ବିସ୍ମିତ କରି ନଥିବ। ଆସନ୍ନ ନିର୍ବାଚନ ପାଇଁ ବିଭିନ୍ନ ରାଜନୈତିକ ଦଳ ଛିଡ଼ା କରାଉଥିବା ପ୍ରାର୍ଥୀମାନଙ୍କ ମଧୢରୁ ଅନେକଙ୍କର ସ˚କ୍ଷିପ୍ତ ପରିଚୟ ପ୍ରଦାନ କରି ଆଲେଖ୍ୟଟିରେ କୁହାଯାଇଛି: ‘‘ଓଡ଼ିଶା ରାଜନୀତିରେ… ଚଳିତ ନିର୍ବାଚନ ଋତୁରେ ପରିବାର ପ୍ରବଣତା ଯେଉଁ ଭଳି ଉତ୍କଟ ହୋଇଛି, ତାହା ଚିନ୍ତାଜନକ।’’ ତେବେ ଓଡ଼ିଶା ପରିପ୍ରେକ୍ଷୀରେ ଏଭଳି ଚିନ୍ତା ସମ୍ପୂର୍ଣ୍ଣ ଯଥାର୍ଥ ହୋଇଥିଲେ ହେଁ, ଗଣତାନ୍ତ୍ରିକ ରାଜନୀତିରେ ପରିବାରବାଦ ବା ବ˚ଶବାଦ କେବଳ ଓଡ଼ିଶାରେ ସୀମିତ ନୁହେଁ ଏବ˚ ଏହି ବ୍ୟାଧି ସମ୍ବନ୍ଧରେ ଚିନ୍ତାପ୍ରକଟ କରିବାରେ ‘ରବିବାର’ର ଆଲେଖ୍ୟକାର ପ୍ରଥମ ମନ୍ତବ୍ୟକାର ନୁହନ୍ତି।

ସାରା ଭାରତର ରାଜନୀତିକୁ ଏହି ବ˚ଶବାଦ ବ୍ୟାଧି କିପରି ଆକ୍ରାନ୍ତ କରିଛି ତାହାର ଏକ ବିଶଦ ବର୍ଣ୍ଣନା ଦେଖିବାକୁ ମିଳେ ନ୍ୟୁୟର୍କ ବିଶ୍ବବିଦ୍ୟାଳୟର ରାଜନୀତି ପ୍ରଫେସର କାଞ୍ଚନ ଚନ୍ଦ୍ରାଙ୍କ ଦ୍ବାରା ସ˚କଳିତ, ୨୦୧୬ରେ କେମ୍ବ୍ରିଜ୍‌ ବିଶ୍ବବିଦ୍ୟାଳୟ ଦ୍ବାରା ପ୍ରକାଶିତ ପୁସ୍ତକ, ‘ଡେମୋକ୍ରାଟିକ୍‌ ଡାଇନାଷ୍ଟିଜ୍‌: ଷ୍ଟେଟ୍‌, ପାର୍ଟି, ଆଣ୍ତ୍‌ ଫ୍ୟାମିଲି ଇନ୍ କନ୍‌ଟେଂପରାରି ଇଣ୍ଡିଆନ୍‌ ପଲିଟିକ୍‌ସ’(ଗଣତାନ୍ତ୍ରିକ ବଂଶ: ସାଂପ୍ରତିକ ଭାରତୀୟ ରାଜନୀତିରେ ରାଷ୍ଟ୍ର, ଦଳ ଏବଂ ପରିବାର)ରେ। ଏହି ପୁସ୍ତକରେ ଦର୍ଶାଯାଇଛି ଯେ ଯଦିବା ନେହରୁ-ଗାନ୍ଧୀ ପରିବାର ହେଉଛି ଭାରତୀୟ ରାଜନୀତିରେ ବ˚ଶବାଦ ପ୍ରସାରର ଶ୍ରେଷ୍ଠତମ ତଥା ସର୍ବାଧିକ ପରିଚିତ ଉଦାହରଣ, ସ୍ବାଧୀନତା ପରବର୍ତ୍ତୀ ସମୟରେ ଅନେକ ସାଧାରଣ ପରିବାରରୁ ଆସିଥିବା ନେତାମାନଙ୍କର ପରିବାର ପିଢ଼ି ପରେ ପିଢ଼ି ରାଜନୈତିକ କ୍ଷେତ୍ରକୁ ନିଜ ଦଖଲରେ ରଖିବାରେ ସଫଳ ହୋଇଛି। ପୁସ୍ତକରେ ପ୍ରଦାନ କରାଯାଇଥିବା ଅନେକ ଏପରି ଉଦାହରଣ ମଧୢରୁ ଗୋଟିଏ ନମୁନା ସମାଜବାଦୀ ପ୍ରତିଷ୍ଠାତା ଉତ୍ତରପ୍ରଦେଶର ସାଇଫାଇ ନାମକ କୌଣସି ଏକ ଗ୍ରାମର ମୁଲାୟମ ସି˚ହ ଯାଦବ ନାମକ କୌଣସି ଏକ ବ୍ୟକ୍ତି ‘ସମାଜବାଦୀ ପାର୍ଟି’ ନାମକ ଏକ ସଫଳ ରାଜନୈତିକ ଦଳ ପ୍ରତିଷ୍ଠା କଲା ପରେ ତାଙ୍କର ସମ୍ପ୍ରସାରିତ ପରିବାରର ଅନ୍ୟୂନ ୧୧ ଜଣ ସଦସ୍ୟ ନିର୍ବାଚନୀ ରାଜନୀତିରେ ସକ୍ରିୟ ରହିବା ଦେଖାଯାଇଛି। ପଶ୍ଚିମରେ ଚାଭନ୍‌ରୁ ପୂର୍ବରେ ଗୋଗୋଇ, ଉତ୍ତରରେ ଅବଦୁଲ୍ଲାରୁ ଦକ୍ଷିଣରେ କରୁଣାନିଧି ପର୍ଯ୍ୟନ୍ତ ଆକୁମାରୀ ହିମାଚଳ ଭାରତରେ ବ˚ଶବାଦୀ ଗଣତନ୍ତ୍ରର ପ୍ରସାର ଘଟାଇବାରେ ସାହାଯ୍ୟ କରିଥିବା ପରିବାରମାନଙ୍କ ମଧୢରୁ ମାତ୍ର କେତୋଟି ନାମ।

ପୁସ୍ତକରେ ଦର୍ଶାଯାଇଛି ଯେ ଦଶନ୍ଧି ପରେ ଦଶନ୍ଧି ୧୯୭୭ରୁ ୨୦୦୪ ମଧୢରେ ହୋଇଥିବା ସ˚ସଦୀୟ ନିର୍ବାଚନମାନଙ୍କରେ ପ୍ରାର୍ଥୀମାନଙ୍କ ମଧୢରେ ବ˚ଶବାଦର ଉପସ୍ଥିତି କ୍ରମାଗତ ବୃଦ୍ଧି ପାଇ ଚାଲିଥିବା ପରିଲକ୍ଷିତ ହୋଇଛି। ଉଲ୍ଲେଖଯୋଗ୍ୟ, ଏମାନେ ହେଉଛନ୍ତି ପ୍ରାୟ ସମସ୍ତେ କ˚ଗ୍ରେସ ନେତା ପିସି ଚାକୋଙ୍କ ସଦ୍ୟପ୍ରଦତ୍ତ ମନ୍ତବ୍ୟ ଅନୁସାରେ ଦେଶର ‘ପ୍ରଥମ ପରିବାର’ର ମର୍ଯ୍ୟାଦା ପାଇବା ପାଇଁ ହକ୍‌ଦାର ଗାନ୍ଧୀ-ନେହରୁ ପରିବାର ବାହାରର ପ୍ରାର୍ଥୀମାନେ। ସେଇ ପୁସ୍ତକରେ ସ୍ଥାନୀତ ପରିସ˚ଖ୍ୟାନ ଅନୁସାରେ ୨୦୦୪ରୁ ୨୦୧୪ ମଧୢରେ ଭାରତୀୟ ପାର୍ଲାମେଣ୍ଟର ସଦସ୍ୟମାନଙ୍କ ମଧୢରୁ ପ୍ରାୟ ଏକ-ଚତୁର୍ଥା˚ଶ ଥିଲେ ବ˚ଶବାଦୀ: ୨୦୦୪-୨୦%, ୨୦୦୯-୩୦%, ୨୦୧୪-୨୨%। ପୁସ୍ତକରେ ଦର୍ଶାଯାଇଛି ଯେ ଦଳର ଆକାର, ଆଦର୍ଶ, ବୟସ, ନେତୃତ୍ବ ଏବ˚ ସମର୍ଥନ ଭିତ୍ତିଭୂମିର ଆକାର ନିର୍ବିଶେଷରେ ପାର୍ଲାମେଣ୍ଟରେ ପ୍ରବେଶ କରୁଥିବା ପ୍ରାୟ ସମସ୍ତ ରାଜନୈତିକ ଦଳର ସଦସ୍ୟମାନଙ୍କ ମଧୢରେ ଏହି ବ˚ଶବାଦୀମାନଙ୍କୁ ଦେଖାଯାଇଥାଏ।

ରାଜନୀତିରେ ବ˚ଶବାଦର ନିକଟତମ ସାମାଜିକ ଅନୁଷ୍ଠାନ ହେଉଛି ଜାତିପ୍ରଥା। ପୁରୁଣା ଜାତିପ୍ରଥା ଅନୁସାରେ ଗୋଟିଏ ଜାତି ପାଇଁ ସ˚ରକ୍ଷିତ ବୃତ୍ତିରୁ ଅନ୍ୟ ଜାତିର ସଦସ୍ୟମାନେ ବହିର୍ଭୁକ୍ତ ହୋଇଥିବା ଭଳି ବ˚ଶବାଦ ଅଧୀନରେ ଗୋଟିଏ ପରିବାର ଦଖଲ କରି ରହିଥିବା ରାଜନୈତିକ କ୍ଷମତା କ୍ଷେତ୍ରର ଶୀର୍ଷ ସ୍ଥାନରେ ଅନ୍ୟ ପରିବାର ବା ବ˚ଶର ସଦସ୍ୟମାନେ ପ୍ରବେଶ କରିପାରନ୍ତି ନାହିଁ। ଗଣତନ୍ତ୍ର ପ୍ରତ୍ୟେକ ନାଗରିକ ପାଇଁ ସମାନ ଅଧିକାର ଉପରେ ପ୍ରତିଷ୍ଠିତ ହୋଇଥିବାରୁ, ବ˚ଶବାଦ ଗଣତନ୍ତ୍ର ସହିତ ଆଦୌ ଖାପ୍‌ ଖାଏ ନାହିଁ। ଭାରତରେ ‘ବ˚ଶବାଦୀ ଗଣତନ୍ତ୍ର’ର ଯେଉଁଭଳି ଉତ୍ତରୋତ୍ତର ବୃଦ୍ଧି ଘଟି ଚାଲିଛି ତାହାକୁ ତେଣୁ ଗଣତନ୍ତ୍ରର ଜୟଯାତ୍ରା ନ କହି, ଏକ ଗଣତାନ୍ତ୍ରିକ ବିକୃତିର ଜୟଯାତ୍ରା ରୂପେ ଦେଖିବା ସମୀଚୀନ ହେବ। ଏଥିରୁ ମଧୢ ଏକ ସନ୍ଦେହ ଦୃଢ଼ ହୋଇଥାଏ ଯେ ଭାରତ ଏବେ ବି ଗଣତନ୍ତ୍ର ପାଇଁ ଏକ ଉପଯୁକ୍ତ କ୍ଷେତ୍ରରେ ପରିଣତ ହୋଇ ନାହିଁ। ଏ କଥା ଯଦି କେହି ବୋଧହୁଏ ସବୁଠାରୁ ଭଲ ଭାବରେ ଏଠାରେ ଗଣତନ୍ତ୍ରର ଉନ୍ମେଷ ସମୟରେ ବୁଝିଥିଲେ ସେ ହେଉଛନ୍ତି ଭାରତୀୟ ସମ୍ବିଧାନର ପ୍ରଣେତା ରୂପେ ଖ୍ୟାତ ଡକ୍ଟର‌୍‌ ବି ଆର‌୍‌ ଆମ୍ବେଦକର।

୧୯୪୮ ନଭେମ୍ବର ୪ରେ ବିତର୍କ ପାଇଁ ଚିଠା ସମ୍ବିଧାନ ଉପସ୍ଥାପିତ କରିବା ସମୟରେ ସେ କହିଥିଲେ: ‘‘ସାମ୍ବିଧାନିକ ନୈତିକତା ଏକ ସ୍ବାଭାବିକ ମାନସିକତା ନୁହେଁ। ଏହାକୁ କର୍ଷଣ କରିବାକୁ ହେବ। ଆମେ ହୃଦୟଙ୍ଗମ କରିବା ଦରକାର ଯେ ଆମ ଲୋକମାନେ ଏ ପର୍ଯ୍ୟନ୍ତ ଏହା ଶିଖି ପାରି ନାହାନ୍ତି। ଭାରତରେ ଗଣତନ୍ତ୍ର ହେଉଛି ଭାରତୀୟ ମୃତ୍ତିକା ଉପରେ ଲେପନ କରାଯାଇଥିବା ଏକ ଆସ୍ତରଣ ମାତ୍ର, ଯାହା ହେଉଛି ଅନ୍ତର୍ନିିହିତ ଭାବରେ ଅଗଣତାନ୍ତ୍ରିକ।’’ ଜାତିପ୍ରଥାର ଘୋର ବିରୋଧ ଆମ୍ବେଦକର ବ˚ଶବାଦର ବସ୍ତୁତଃ ଜାତିବାଦୀ ଚରିତ୍ର ସମ୍ବନ୍ଧରେ ଯେ ସମ୍ପୂର୍ଣ୍ଣ ସଚେତନ ଥିଲେ, ଏଥିରେ କୌଣସି ସନ୍ଦେହ ନାହିଁ। ଅନେକ ସମୟରେ ରାଜନୈତିକ ବ˚ଶର ପ୍ରତିଷ୍ଠାତା ଜଣକ ଜଣେ ସୁଯୋଗ୍ୟ ବ୍ୟକ୍ତି ହୋଇଥାନ୍ତି। କିନ୍ତୁ ପିଢ଼ି ପରେ ପିଢ଼ି ତାଙ୍କର ଦାୟାଦମାନେ ଯେ ଅନୁରୂପ ଯୋଗ୍ୟତା ବହନ କରି ଚାଲିବେ, ତାହା ଆଦୌ ସମ୍ଭବ ନୁହେଁ। ସାମ୍ପ୍ରତିକ ଭାରତୀୟ ରାଜନୀତି ଏପରି ଅଯୋଗ୍ୟ ବ˚ଶବାଦୀ ଦାୟାଦମାନଙ୍କର ଉଦାହରଣରେ ଭରପୂର, ଯାହାର ଉଲ୍ଲେଖ ନିଷ୍ପ୍ରୟୋଜନ।

ପରିବାରବାଦର ଏହି ଅନ୍ତର୍ନିହିତ ବିପଦ ସମ୍ବନ୍ଧରେ ସତର୍କବାଣୀ ଶୁଣାଇବାରେ ଅଗ୍ରଗଣ୍ୟ ଥିଲେ ବିଶିଷ୍ଟ ରାଜନୈତିକ ଦାର୍ଶନିକ ତଥା ଯୁକ୍ତରାଷ୍ଟ୍ର ଆମେରିକାର ଅନ୍ୟତମ ପ୍ରତିଷ୍ଠାତା ପିତା ଥୋମାସ ପେନ୍‌, ଯିଏ ୧୭୭୬ (ଆମେରିକୀୟ ସ୍ବାଧୀନତା ସ˚ଗ୍ରାମ ବର୍ଷ)ରେ ତାଙ୍କ ପ୍ରସିଦ୍ଧ ପୁସ୍ତକ ‘କମନ୍‌ ସେନ୍‌ସ’ (ସାଧାରଣ ଜ୍ଞାନ)ରେ ଲେଖିଥିଲେ: ‘‘ଯେହେତୁ ସମସ୍ତ ମନୁଷ୍ୟ ହେଉଛନ୍ତି ମୂଳରୁ ସମାନ, ଜନ୍ମ ଅନୁସାରେ ନିଜ ପରିବାରକୁ ଚିରଦିନ ପାଇଁ ଅନ୍ୟମାନଙ୍କଠାରୁ ଅଧିକ ସୁବିଧା ସୁଯୋଗ ଦେବାର ଅଧିକାର କାହାର ବି ନାହିଁ ଏବ˚ ଯଦିବା ସେ ତାର ସମସାମୟିକମାନଙ୍କ ଠାରୁ କିଛି ସମାନ ଲାଭ କରିବା ପାଇଁ ହକ୍‌ଦାର ହୋଇଥାଇପାରେ, ତାର ଉତ୍ତରାଧିକାରୀମାନେ ମଧୢ ତାହାକୁ ଉତ୍ତରାଧିକାର ସୂତ୍ରରେ ଲାଭ କରିବା ପାଇଁ ସମ୍ପୂର୍ଣ୍ଣ ଅଯୋଗ୍ୟ ହୋଇ ପାରନ୍ତି। ବ˚ଶଗତ ଉତ୍ତରାଧିକାର ବିରୁଦ୍ଧରେ ଏକ ଶକ୍ତିଶାଳୀ କାରଣ ହେଲା ପ୍ରକୃତି ଏହାର ବିରୋଧ କରେ ନଚେତ୍‌ ସେ ମାନବ ଜାତିକୁ ବାରମ୍ବାର ଏପରି ଏକ ସି˚ହ ସ୍ଥାନରେ ଏକ ଗଧ ଦେଇ ଏହା (ବ˚ଶଗତ ଉତ୍ତରାଧିକାର) କୁ ଏପରି ହାସ୍ୟାସ୍ପଦ କରନ୍ତା ନାହିଁ।’’ ‘ବ˚ଶବାଦୀ ଗଣତନ୍ତ୍ର’କୁ ଟମ୍‌ ପେନ୍‌ଙ୍କୁ ଅନୁସରଣ କରି ‘ସି˚ହ-ଗଧ-ତନ୍ତ୍ର’ କହିଲେ ଭୁଲ ହେବ ନାହିଁ।

ସମ୍ବନ୍ଧିତ ଖବର