ଆଞ୍ଚଳିକ ଦଳଙ୍କ ଗୁରୁତ୍ବ

0

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ‘ଜାତୀୟ ଦଳ’ ବିଜେପି ଊଣେଇଶ ନିର୍ବାଚନ ପାଇଁ ତିରିଶରୁ ଅଧିକ ଆଞ୍ଚଳିକ ଦଳଙ୍କ ସହ ମେଣ୍ଟ କିମ୍ବା ଆସନ ବୁଝାମଣା କରିଛି। ପଶ୍ଚିମରେ ମହାରାଷ୍ଟ୍ର ଠାରୁ ଆରମ୍ଭ କରି ପୂର୍ବରେ ଆସାମ ପର୍ଯ୍ୟନ୍ତ, ଉତ୍ତରରେ ପଞ୍ଜାବ ଠାରୁ ଦକ୍ଷିଣରେ ତାମିଲନାଡୁ, କେରଳ ପର୍ଯ୍ୟନ୍ତ ଆଞ୍ଚଳିକ ଦଳମାନେ ବିଜେପି ନେତୃତ୍ବାଧୀନ ଏନ୍‌ଡିଏର ଅ˚ଶୀଦାର ଅଛନ୍ତି। ଆଞ୍ଚଳିକ ଦଳଙ୍କ ସହାୟତାରେ ହିଁ ଅଟଳ ବିହାରୀ ବାଜପେୟୀଙ୍କ ନେତୃତ୍ବରେ ହିନ୍ଦୁତ୍ବ ଦଳ ପ୍ରଥମେ କେନ୍ଦ୍ରରେ କ୍ଷମତାକୁ ଆସିଥିଲା। ଖୋଦ୍‌ ମୋଦୀ ମଧୢ ଗତ ପାଞ୍ଚବର୍ଷ ହେଲା ଯେଉଁ ଏନ୍‌ଡିଏ-୨ ସରକାରର ନେତୃତ୍ବ ନେଇ ଆସୁଛନ୍ତି, ତାହା ଏକ ମେଣ୍ଟ ସରକାର ଓ ମନ୍ତ୍ରିମଣ୍ତଳରେ ଅନେକ ଆଞ୍ଚଳିକ ଦଳଙ୍କ ପ୍ରତିନିଧିତ୍ବ ରହିଛି। ଅଥଚ ବିଡ଼ମ୍ବନା ହେଲା, ଚଳିତ ନିର୍ବାଚନରେ ମୋଦୀ ମହୋଦୟଙ୍କ ପ୍ରଚାରରେ କଟ୍ଟର ଆଞ୍ଚଳିକ ଦଳ ବିରୋଧୀ ଆଭିମୁଖ୍ୟ ସ୍ପଷ୍ଟ। ଅବଶ୍ୟ, ନିର୍ବାଚନ ତାରିଖ ଘୋଷଣାର ବହୁ ପୂର୍ବରୁ ସେ ଆଞ୍ଚଳିକ ଦଳମାନଙ୍କୁ ଭାରତୀୟ ରାଜନୀତିର ଦୁଷ୍ଟବ୍ରଣ ଖଳନାୟକ ଭାବେ ଚିତ୍ରଣ କରି ଆସୁଛନ୍ତି। ମୋଦୀଙ୍କ ମତ ଯେ, ଆଞ୍ଚଳିକ ଦଳମାନେ ରାଜନୈତିକ ସ୍ଥିରତାର ପରିପନ୍ଥୀ, ପ୍ରଗତିରେ ବାଧକ। ଏନ୍‌ଡିଏ ବାହାରେ ଥିବା ଆଞ୍ଚଳିକ ଦଳମାନଙ୍କ ମେଳି ପାଇଁ କୌଣସି ପ୍ରକାର ଉଦ୍ୟମକୁ ପ୍ରଧାନମନ୍ତ୍ରୀ ସହଜରେ ଗ୍ରହଣ କରି ପାରି ନାହାନ୍ତି। ‘ଫେଡେରାଲ୍‌ ଫ୍ରଣ୍ଟ୍‌’ ନାମରେ ଆଞ୍ଚଳିକ ଦଳଙ୍କ ଏକ ସାମ୍ମୁଖ୍ୟ ଗଠନ ପାଇଁ ଉଦ୍ୟମକୁ ସମାଲୋଚନା କରିବାକୁ ଯାଇ ଏହାକୁ ଅସାଧୁ, ଭ୍ରଷ୍ଟାଚାରୀଙ୍କ ମେଳି ବୋଲି ଅଭିହିତ କରିଥିଲେ। ଆଞ୍ଚଳିକ ଦଳଙ୍କ ପ୍ରତି ଏହି କଠୋର ଅସହିଷ୍ଣୁତାରେ ମୋଦୀଙ୍କ ଦୋମୁହାଁ ନୀତି ଲୁଚି ରହି ପାରୁନାହିଁ। ଗୋଟିଏ ପଟେ କ୍ଷମତା ହାସଲ ପାଇଁ ଆଞ୍ଚଳିକ ଦଳଙ୍କ ହାତ ଧରୁଛ, ଅନ୍ୟପକ୍ଷରେ ଆଞ୍ଚଳିକ ଦଳଙ୍କୁ ଅସାଧୁ, ଭ୍ରଷ୍ଟାଚାରୀ, ସ୍ଥିରତା ଓ ପ୍ରଗତିର ବାଧକ କହୁଛ।

ଗତ ଗୁରୁବାର ଦିନ ଆଞ୍ଚଳିକ ଦଳଙ୍କ ଦ୍ବାରା ଶାସିତ ତିନିଟି ରାଜ୍ୟରେ ନିର୍ବାଚନୀ ସଭାମାନଙ୍କରେ ପ୍ରଧାନମନ୍ତ୍ରୀଙ୍କ ଭାଷଣରେ ଆଞ୍ଚଳିକ ରାଜନୈତିକ ଶକ୍ତିଙ୍କ ପ୍ରତି ତୀବ୍ର ଅସହିଷ୍ଣୁତା ପ୍ରତିଫଳିତ ହୋଇଛି। ଓଡ଼ିଶା, ତେଲେଙ୍ଗାନା ଓ ଆନ୍ଧ୍ର ପ୍ରଦେଶର ବିଭିନ୍ନ ସ୍ଥାନରେ ଭାଷଣ ଦେଇ ମୋଦୀ ଶାସନରେ ଥିବା ଆଞ୍ଚଳିକ ଦଳଙ୍କ ବିରୋଧରେ ଭୀଷଣ ବର୍ଷିବା ସହ, ବିଜେପିର ବହୁ ପ୍ରଚାରିତ ‘ଡବଲ ଇଞ୍ଜିନ୍‌’ ତତ୍ତ୍ବର ଓକିଲାତି କରିଥିଲେ। ‘ଡବଲ ଇଞ୍ଜିନ୍‌’ର ଅର୍ଥ ଉଭୟ ରାଜ୍ୟ ଓ କେନ୍ଦ୍ରରେ ଗୋଟିଏ ସମାନ ଦଳର ସରକାର। ବିଜେପିର ଏହି ‘ଡବଲ ଇଞ୍ଜିନ୍‌’ ତତ୍ତ୍ବ କିନ୍ତୁ ଦେଶର ଭାଷାଗତ, ସା˚ସ୍କୃତିକ, ଅଞ୍ଚଳଗତ ବିବିଧତାକୁ ବିଚାରକୁ ନେଇ ସମ୍ବିଧାନରେ ସ୍ଥାନ ପାଇଥିବା ସ˚ଘୀୟ ବ୍ୟବସ୍ଥା ତଥା ଭାବନାର ପରିପନ୍ଥୀ। ସା˚ପ୍ରତିକ ରାଜନୈତିକ ବାସ୍ତବତା ଦୃଷ୍ଟିରୁ ମଧୢ ମୋଦୀଙ୍କ ‘ଡବଲ ଇଞ୍ଜିନ୍‌’ ତତ୍ତ୍ବ ଅତି ମାତ୍ରାରେ ଉଚ୍ଚାକା˚କ୍ଷୀ ମନେ ହୁଏ।

ମୋଦୀ ତଥା ବିଜେପିର କେନ୍ଦ୍ରୀୟ ନେତୃତ୍ବ ଚାହାନ୍ତୁ କି ନ ଚାହାନ୍ତୁ, ଭାରତୀୟ ରାଜନୀତିରେ ଆଞ୍ଚଳିକ ଆଶା, ଆକା˚କ୍ଷା ଓ ଜାତିଗତ, ଭାଷାଗତ ପରିଚୟକୁ ଆଧାର କରି ଗଠିତ ଆଞ୍ଚଳିକ ଦଳଙ୍କ ଶକ୍ତିରେ ଲଗାତାର ବୃଦ୍ଧି ଏକ ବାସ୍ତବତା। ପ୍ରଥମ ଲୋକସଭାରେ ମାତ୍ର ୭% ଆସନ ଆଞ୍ଚଳିକ ଦଳଙ୍କ ହାତରେ ଥିଲା। ଗତ ୨୦୧୪ ଷୋଡ଼ଶ ଲୋକସଭାରେ ୩୨% ଆସନ ସହ ଆଞ୍ଚଳିକ ଦଳଙ୍କ ଉପସ୍ଥିତି ବୃଦ୍ଧି ପାଇଛି। ଅର୍ଥାତ୍‌, ପ୍ରଥମ ଲୋକସଭା ଠାରୁ ଷୋଡ଼ଶ ଲୋକସଭା ଭିତରେ ଆଞ୍ଚଳିକ ଦଳଙ୍କ ଉପସ୍ଥିତିି ଚାରିଗୁଣରୁ ଅଧିକ ବୃଦ୍ଧି ପାଇଛି, ଯାହା ନିଶ୍ଚୟ ଉଲ୍ଲେଖନୀୟ। ଆଞ୍ଚଳିକ ଦଳଙ୍କ ଉତ୍ତରଣ ସ୍ବାଭାବିକ ଭାବେ ଲୋକସଭାରେ ଜାତୀୟ ଦଳଙ୍କ ସ୍ଥିତିକୁ ସ˚କୁଚିତ କରିଛି। ପ୍ରଥମ ଦଶଟି ଲୋକସଭା ପର୍ଯ୍ୟନ୍ତ ପ୍ରତି ଦଶ ଆସନରେ ଜାତୀୟ ଦଳଙ୍କ ହାତରେ ୮ଟି ଥିଲା। ଏବେ ପ୍ରତି ୧୦ଟି ଲୋକସଭା ଆସନରେ ଜାତୀୟ ଦଳଙ୍କ ଭାଗ ୬କୁ କମି ଆସିଛି। ଗତ ଲୋକସଭାରେ ୩୧ଟିରେ ଆଞ୍ଚଳିକ ଦଳର ପ୍ରତିନିଧିତ୍ବ ଥିଲା। ୧୯୮୪ରେ ପ୍ରଥମ ଥର ଗୋଟିଏ ଆଞ୍ଚଳିକ ଦଳ (ତେଲୁଗୁ ଦେଶମ) ସର୍ବବୃହତ୍‌ ବିରୋଧୀ ଦଳ ଭାବେ ମାନ୍ୟତା ପାଇଥିଲା। ତେବେ ୧୯୯୬ ପରେ ଲୋକସଭାରେ ଆଞ୍ଚଳିକ ଦଳଙ୍କ ଉପସ୍ଥିତି ଉଲ୍ଲେଖନୀୟ ଭାବେ ବୃଦ୍ଧି ପାଇ ଆସୁଛି। ଅନେକ ରାଜ୍ୟରେ ଆଞ୍ଚଳିକ ଦଳମାନେ କ୍ଷମତାକୁ ଆସିବା ଫଳରେ ସ˚ସଦର ଉପର ସଦନ ରାଜ୍ୟସଭାରେ ମଧୢ ଆଞ୍ଚଳିକ ଦଳଙ୍କ ପ୍ରତିନିଧିତ୍ବ ବଢ଼ିଛି। ଭୋଟ ଦୃଷ୍ଟିରୁ ଦେଖିଲେ ମଧୢ ଆଞ୍ଚଳିକ ଦଳଙ୍କ ପ୍ରତି ମତଦାତାଙ୍କ ସମର୍ଥନ ବୃଦ୍ଧି ପାଇ ଚାଲୁଛି। ୧୯୮୪ ନିର୍ବାଚନରେ ଆଞ୍ଚଳିକ ଦଳମାନେ ୧୧.୨% ଭୋଟ ପାଇଥିବା ବେଳେ ୨୦୧୪ରେ ତାହା ୪୬.୬%କୁ ବୃଦ୍ଧି ପାଇଛି। ଅନ୍ୟ ପକ୍ଷରେ ଦୁଇ ପ୍ରମୁଖ ଜାତୀୟ ଦଳ ବିଜେପି (୩୧.୩୪%) ଓ କ˚ଗ୍ରେସ (୧୯.୫୨%)ର ମିଳିତ ଭୋଟ ଭାଗ ୫୦.୮୬%। କ୍ଷମତାକୁ ଆସିଥିବା ଏନ୍‌ଡିଏ ମେଣ୍ଟର ୩୮.୫% ଭୋଟରେ ଆଞ୍ଚଳିକ ସହଯୋଗୀଙ୍କ ଅବଦାନ ଥିଲା ୭% ଭୋଟ। ସେହିପରି କ˚ଗ୍ରେସ ନେତୃତ୍ବାଧୀନ ୟୁପିଏର ୨୩%ରେ ଆଞ୍ଚଳିକ ସହଯୋଗୀଙ୍କ ଯୋଗଦାନ ଥିଲା ୪%।

ଚଉଦ ନିର୍ବାଚନର ଏ ପରିସ˚ଖ୍ୟାନ କ’ଣ ସୂଚାଉଛି? ଭାରତୀୟ ରାଜନୀତି ତଥା ଦେଶର ସ˚ସଦୀୟ ଗଣତାନ୍ତ୍ରିକ ଶାସନ ବ୍ୟବସ୍ଥାରେ ଆଞ୍ଚଳିକ ଦଳଙ୍କ କ୍ରମବର୍ଦ୍ଧିଷ୍ଣୁ ଗୁରୁତ୍ବକୁ ଅସ୍ବୀକାର କରିବା ଅର୍ଥ ବାସ୍ତବତାକୁ ଅସ୍ବୀକାର। ଏଥର ନିର୍ବାଚନରେ ମୋଦୀଙ୍କ ଆଉ ଏକ ସ୍ଲୋଗାନ୍‌- ‘ମଜବୁର ନୁହେଁ, ମଜବୁତ ସରକାର’। ଏହି ସ୍ଲୋଗାନ୍‌ ଜରିଆରେ ପ୍ରଧାନମନ୍ତ୍ରୀ ଗୋଟିଏ ବାର୍ତ୍ତା ଦେବାକୁ ଚାହାନ୍ତି ଯେ, ଆଞ୍ଚଳିକ ଦଳଙ୍କୁ ନେଇ ଗଠିତ ଏକ ମେଣ୍ଟ ସରକାର କଦାପି ଦୃଢ଼ ହୋଇପାରିବ ନାହିଁ। କିନ୍ତୁ ଇତିହାସରେ ଏହାର ବୀପରିତ ଉଦାହରଣ ରହିଛି। ବାଜପେୟୀଙ୍କ ନେତୃତ୍ବରେ ୧୯୯୯ରୁ ୨୦୦୪ ପର୍ଯ୍ୟନ୍ତ ପୂରା ପାଞ୍ଚବର୍ଷିଆ କାର୍ଯ୍ୟକାଳର ଏନ୍‌ଡିଏ ସରକାର ଏବ˚ ୨୦୦୪ରୁ ୨୦୧୪ ପର୍ଯ୍ୟନ୍ତ ଡ. ମନମୋହନ ସି˚ହଙ୍କ ନେତୃତ୍ବାଧୀନ ୟୁପିଏ ସରକାର ବହୁ ଦଳୀୟ ମେଣ୍ଟ ସରକାର ହୋଇଥିଲେ ସୁଦ୍ଧା ଅନେକ ପ୍ରସଙ୍ଗରେ ଦୃଢ଼ ନିଷ୍ପତ୍ତି ନେଇଥିଲେ। ଉଭୟ ସରକାରଙ୍କ ଅମଳରେ ଅନେକ ଯୁଗାନ୍ତକାରୀ ବିକାଶମୂଳକ ଏବ˚ କଲ୍ୟାଣମୂଳକ ଯୋଜନାର ଅୟମାରମ୍ଭ ହୋଇଥିଲା। ଗତ ପାଞ୍ଚବର୍ଷର ନିଜର ମେଣ୍ଟ ସରକାର ସମ୍ପର୍କରେ ପ୍ରଧାନମନ୍ତ୍ରୀ ମୋଦୀ କ’ଣ ମନ୍ତବ୍ୟ ଦେବେ? ମଜବୁତ ହେବା ଲାଗି ଗୋଟିଏ ସରକାର ଏକଦଳୀୟ ହେବା ଜରୁରୀ ନୁହେଁ। ବାଜପେୟୀ ମିଳିତ ସରକାରର ନେତୃତ୍ବ ନେଇ ତ ପୁଣି କାର‌୍‌ଗିଲ୍‌ ପରିସ୍ଥିତିର ଠିକଣା ମୁକାବିଲା କରିପାରିଥିଲେ! ପୂର୍ଣ୍ଣ ସ˚ଖ୍ୟାଗରିଷ୍ଠତା ମଧୢ ମଜବୁତ ସରକାର ପାଇଁ ଏକ ଜରୁରୀ ପ୍ରାକ୍‌-ଆବଶ୍ୟକତା ନୁହେଁ। ପି.ଭି. ନରସି˚ହ ରାଓଙ୍କ କ˚ଗ୍ରେସ ସରକାର ସ˚ଖ୍ୟାଲଘୁ ହେବା ସତ୍ତ୍ବେ ଉଦାରୀକରଣ ରାସ୍ତାରେ ଭାରତୀୟ ଅର୍ଥନୀତିକୁ ନେବା ଲାଗି ସାହସର ସହ ଦୃଢ଼ ନିଷ୍ପତ୍ତି ନେଇ ପାରିଥିଲେ। ମଜବୁତ ସରକାର ସହ ଦୃଢ଼ ନେତୃତ୍ବର କଥା ମଧୢ କୁହାଯାଉଛି। ୨୦୦୪ରେ କ˚ଗ୍ରେସ ଏକକ ସ˚ଖ୍ୟାଗରିଷ୍ଠତା ପାଇ ଆସିବା ବେଳେ କେହି କ’ଣ ଭାବିଥିଲେ ଯେ, ମନମୋହନ ସି˚ହ ୟୁପିଏ ମେଣ୍ଟ ସରକାରର ନେତୃତ୍ବ ନେବେ। ଏହାକୁ ମଧୢ ଅସ୍ବୀକାର କରାଯାଇ ପାରିବ ନାହିଁ ଯେ, ଡ. ସି˚ହ ୟୁପିଏକୁ କ୍ରମାଗତ ଦ୍ବିତୀୟଥର ଲାଗି କ୍ଷମତାକୁ ଆଣିବାରେ ସମର୍ଥ ହୋଇଥିଲେ।

ତେଣୁ ମୋଦୀଙ୍କ ‘ମଜବୁତ ସରକାର, ଦୃଢ଼ ନେତୃତ୍ବ’ ସ୍ଲୋଗାନ୍‌ ବାସ୍ତବତା ଠାରୁ ଧୢାନ ହଟାଇବା ଲାଗି ଏକ କୌଶଳ ହୋଇପାରେ, କିନ୍ତୁ ବାସ୍ତବତାର କଷଟିରେ ଖାଣ୍ଟି ଉତୁରୁ ନାହିଁ। ବାସ୍ତବତା ଠାରୁ ମୁହଁ ଫେରାଇ ନେଲେ ବାସ୍ତବତା ବଦଳି ଯାଏ ନାହିଁ। ମୋଦୀଙ୍କ ପାଇଁ ଅସ୍ବସ୍ତିକର ହେଲେ ସୁଦ୍ଧା ସା˚ପ୍ରତିକ ରାଜନୀତିରେ ଆଞ୍ଚଳିକ ରାଜନୈତିକ ଦଳଙ୍କ ଶକ୍ତି ଓ ଗୁରୁତ୍ବ ବୃଦ୍ଧି ଏକ ବାସ୍ତବତା। ଆଗାମୀ ସାଧାରଣ ନିର୍ବାଚନ ପରବର୍ତ୍ତୀ ରାଜନୈତିକ ଦୃଶ୍ୟପଟରେ ଆଞ୍ଚଳିକ ଦଳମାନଙ୍କ ଭୂମିକା ପୂର୍ବାପେକ୍ଷା ଅଧିକ ନିର୍ଣ୍ଣାୟକ ହେବା ନିଃସ‌େନ୍ଦହ।

ସମ୍ବନ୍ଧିତ ଖବର

Leave A Reply

Your email address will not be published.