ମୂଳା ଚିହ୍ନଟ

ଭାରତୀୟ ରିଜର୍ଭ ବ୍ୟାଙ୍କ୍‌ର ବିଭିନ୍ନ ପରିଚୟ ମଧୢରୁ ଗୋଟିଏ ହେଲା ଏହା ହେଉଛି ଦେଶରେ ବ୍ୟାଙ୍କ୍‌ମାନଙ୍କ କାର୍ଯ୍ୟକଳାପ ଉପରେ ତୀକ୍ଷ୍‌ଣ ନଜର ରଖିଥିବା ଏକ ନିୟନ୍ତ୍ରକ ସ˚ସ୍ଥା। ବ୍ୟାଙ୍କ୍‌ମାନଙ୍କ ଖାତାରେ ଥିବା ପରିଶୋଧ ହେଉନଥିବା ବା ଖିଲାପି ଋଣ ବର୍ତ୍ତମାନ ଏକ ବିଶାଳ ସମସ୍ୟା ରୂପେ ଦେଖା ଦେଇ ଦେଶର ବିତ୍ତୀୟ ସ୍ବାସ୍ଥ୍ୟ ପ୍ରତି ଘୋର ବିପଦ ସୃଷ୍ଟି କରିଛି। ଏହି ଖିଲାପି ଋଣ ବା ତଥାକଥିତ ‘ଏନ୍‌ପିଏ’ ଉପରେ ଲଗାମ ଦେଇ ବ୍ୟାଙ୍କ୍‌ମାନଙ୍କୁ ସ˚ଯତ କରିବା ପାଇଁ ୨୦୧୮ ଫେବ୍ରୁଆରି ୧୨ରେ ରିଜର୍ଭ ବ୍ୟାଙ୍କ୍‌ ଏକ କଡ଼ା ନିୟନ୍ତ୍ରଣକାରୀ ନିର୍ଦ୍ଦେଶନାମା ବା ‘ସର୍କୁଲାର‌୍‌’ ଜାରି କରିଥିଲା। ସର୍କୁଲାର‌୍‌ ଅନୁସାରେ କୌଣସି କମ୍ପାନି ତାର ସର୍ତ୍ତ ଅନୁସାରେ ଋଣ ପରିଶୋଧ କରିବାରେ ଗୋଟିଏ ବି ଦିନ ବିଳମ୍ବ କରିଲେ, ସେ କମ୍ପାନିକୁ ଦେବାଳିଆ ଘୋଷଣା କରାଯିବ ଏବ˚ ଏଭଳି କମ୍ପାନି ଯଦି ୧୮୦ ଦିନ ମଧୢରେ ଋଣଦାତା ବ୍ୟାଙ୍କ୍‌ ସହିତ ଏହାର ସମାଧାନ କରିବାରେ ବିଫଳ ହୁଏ, ତା’ହେଲେ ତାକୁ ଦେବାଳିଆ ଅଦାଲତକୁ ଭିଡ଼ା ଯିବ। ବର୍ତ୍ତମାନ ପାଇଁ ଏଭଳି କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ ନିମିତ୍ତ ସର୍ବନିମ୍ନ ଖିଲାପି ଋଣର ପରିମାଣକୁ ୨,୦୦୦ କୋଟି ଟଙ୍କାରେ ଧାର୍ଯ୍ୟ କରାଯାଇଥିବା ବେଳେ ସମୟକ୍ରମେ ଏହି ସୀମାକୁ ଆହୁରି ତଳକୁ ଖସାଇ ଅଧିକ ସ˚ଖ୍ୟକ ଋଣ ଖିଲାପକାରୀଙ୍କୁ ଏଥିରେ ଅନ୍ତର୍ଭୁକ୍ତ କରାଯିବା ପାଇଁ ଯୋଜନା ରଖାଯାଇଥିଲା।

ମଙ୍ଗଳବାର ଦିନ ସୁପ୍ରିମ୍‌ କୋର୍ଟ କେତେକ ପ୍ରଭାବିତ ଋଣଗ୍ରସ୍ତ କମ୍ପାନିମାନଙ୍କର ଆବେଦନର ବିଚାର କରି ପ୍ରଦାନ କରିଥିବା ରାୟରେ ରିଜର୍ଭ ବ୍ୟାଙ୍କ୍‌ର ଏହି ବହୁଚର୍ଚ୍ଚିତ ବିବଦମାନ ୧୨/୨ ସର୍କୁଲାର‌୍‌କୁ ଅବୈଧ ଘୋଷଣା କରି ବାତିଲ କରି ଦେଇଛନ୍ତି, ଯାହା ବ୍ୟାଙ୍କ୍‌ ଋଣ ନିୟନ୍ତ୍ରଣ କ୍ଷେତ୍ରରେ ଏକ ଓଲଟପାଲଟ ସୃଷ୍ଟି କରିଛି। ରିଜର୍ଭ ବ୍ୟାଙ୍କ୍‌ ସୁପ୍ରିମ୍‌ କୋର୍ଟରେ ଦାଖଲ କରିଥିବା ପିଟିସନ୍‌ ଅନୁସାରେ ୧୨/୨ ସର୍କୁଲାର‌୍‌ର ପରିସରଭୁକ୍ତ ହେଉଛନ୍ତି ୧୫୭ଟି କମ୍ପାନି ଯେଉଁମାନଙ୍କର ପରିଶୋଧ ଅପେକ୍ଷାରେ ଥିବା ଋଣର ପରିମାଣ ହେଉଛି ଅନ୍ୟୂନ ୨,୦୦୦ କୋଟି ଟଙ୍କା ଲେଖାଏଁ, ଏବ˚ ଏମାନଙ୍କର ଏଭଳି ଅବସ୍ଥାରେ ଥିବା ମୋଟ ଋଣର ପରିମାଣ ହେଉଛି ୧୨ ଲକ୍ଷ କୋଟି ଟଙ୍କାରୁ ଅଧିକ। ଏହା ବାଦ୍‌ ଆହୁରି ୪୦ଟି ବଡ଼ ବଡ଼ କମ୍ପାନି ଅଛନ୍ତି, ଯେଉଁମାନଙ୍କର ପରିଶୋଧ ହୋଇ ନଥିବା ଅନ୍ୟୂନ ୪.୫ ଲକ୍ଷ କୋଟି ଟଙ୍କାର ଋଣ ସମାଧାନ ନିମିତ୍ତ ସେମାନଙ୍କ ପ୍ରତି ‘ଇନ୍‌ସଲ୍‌ଭେନ୍‌ସି ଆଣ୍ତ୍‌ ବ୍ୟାଙ୍କ୍ରପ୍‌ସି କୋଡ୍‌’ (ଆଇବିସି) ଲାଗୁ କରାଯାଇ ସେମାନଙ୍କୁ ‘ନେସନାଲ୍‌ କମ୍ପାନି ଲ’ ଟ୍ରିବ୍ୟୁନାଲ’ (‘ଏନ୍‌ସିଏଲ୍‌ଟି’)କୁ ପଠାଇ ଦିଆଯାଇଛି।

ସୁପ୍ରିମ୍‌ କୋର୍ଟ ବର୍ତ୍ତମାନ ତାଙ୍କ ରାୟରେ ରିଜର୍ଭ ବ୍ୟାଙ୍କ୍‌ ସର୍କୁଲାର‌୍‌ରେ ଅନ୍ୟ କୌଣସି ଦୋଷତ୍ରୁଟି ପ୍ରତି ଅଙ୍ଗୁଳି ନିର୍ଦ୍ଦେଶ କରି ନାହାନ୍ତି, କୋର୍ଟ କେବଳ କହିଛନ୍ତି ଯେ ରିଜର୍ଭ ବ୍ୟାଙ୍କ୍‌ ଏଭଳି ସର୍କୁଲାର‌୍‌ ଜାରି କରି ନିଜର କ୍ଷମତା ବହିର୍ଭୂତ କାର୍ଯ୍ୟ କରିଛନ୍ତି, ଯାହା ଅସାମ୍ବିଧାନିକ ଏବ˚ ଅବୈଧ। ସୁପ୍ରିମ୍‌ କୋର୍ଟଙ୍କ ମତରେ ଯେଉଁ ବ୍ୟାଙ୍କିଙ୍ଗ୍‌ ‘ରେଗୁଲେସନ୍‌ ଆକ୍ଟର ଧାରା-୩୫ଏଏ‘ ଅନୁସାରେ ରିଜର୍ଭ ବ୍ୟାଙ୍କ୍‌ ଉପରୋକ୍ତ ସର୍କୁଲାର ଜାରି କରିଥିଲା, ସେପରି କରିବା ପାଇଁ ସେହି ଆକ୍ଟ ରିଜର୍ଭ ବ୍ୟାଙ୍କ୍‌କୁ ଅଧିକାର ଦେଇନାହିଁ। ଅର୍ଥାତ୍‌ ରିଜର୍ଭ ବ୍ୟାଙ୍କ୍‌ ନିର୍ଦ୍ଦିଷ୍ଟ ଋଣ ଖିଲାପକାରୀ କମ୍ପାନିର ପରିସ୍ଥିତିକୁ ସମୀକ୍ଷା ନକରି ଧୁଆ ମୂଳା ଅଧୁଆ ମୂଳା ସମାନ କରି ସମସ୍ତ ଋଣ ଖିଲାପକାରୀ କମ୍ପାନିମାନଙ୍କୁ ଗୋଠ କରି ଗୋଟିଏ ସର୍କୁଲାର‌୍‌ ବଳରେ ‘ଆଇବିସି’ ଅନୁଯାୟୀ ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ କରିପାରିବ ନାହିଁ। କୋର୍ଟ ସ୍ପଷ୍ଟ କରି ଦେଇଛନ୍ତି ଯେ ଆଇନ ଅନୁସାରେ ପ୍ରତ୍ୟେକ କମ୍ପାନିର ମାମଲାକୁ ଅଲଗା ଅଲଗା ବିଚାର କରି, କେନ୍ଦ୍ର ସରକାରଙ୍କ ଅନୁମୋଦନ ପରେ ଯାଇ ସେ ମାମଲାକୁ ‘ଆଇବିସି’ ପରିସରଭୁକ୍ତ କରାଯାଇପାରିବ।

ଯେଉଁ ସବୁ କମ୍ପାନିମାନେ ରିଜର୍ଭ ବ୍ୟାଙ୍କ୍‌ ସର୍କୁଲାର ବିରୋଧରେ ସୁପ୍ରିମ୍‌କୋର୍ଟରେ ଆବେଦନ କରିଥିଲେ ସେମାନଙ୍କ ମଧୢରେ ଅଛନ୍ତି ଘରୋଇ ଶକ୍ତି ଉତ୍ପାଦନକାରୀ, ବସ୍ତ୍ର ନିର୍ମାତା, ଚିନି ଉତ୍ପାଦନକାରୀ ଏବ˚ ଜାହାଜ ଚଳାଚଳ କମ୍ପାନିମାନ। କହିବା ବାହୁଲ୍ୟ ଏମାନଙ୍କର ବ୍ୟବସାୟକୁ ପ୍ରଭାବିତ କରୁଥିବା ଉପାଦାନ ମାନଙ୍କରେ ବହୁତ ତାରତମ୍ୟ ରହିଥାଏ, ଯାହା ଉପରେ ସେମାନଙ୍କର ଲାଭ କ୍ଷତି ନିର୍ଭର କରିଥାଏ। ଉଦାହରଣ ସ୍ବରୂପ ଶକ୍ତି ଉତ୍ପାଦନକାରୀ କମ୍ପାନିମାନଙ୍କୁ ନିଆଯାଉ। ରାଜନୈତିକ ଦଳମାନେ ଯେତେବେଳେ ସେମାନଙ୍କର ମତଦାତାମାନଙ୍କୁ ମାଗଣା ବିଦ୍ୟୁତ୍‌ ଶକ୍ତି ଯୋଗାଇବାକୁ ନିଷ୍ପତ୍ତି ନିଅନ୍ତି କିମ୍ବା ସେମାନେ ବ୍ୟବହାର କରୁଥିବା ବିଦ୍ୟୁତ୍‌ ଶକ୍ତି ଉପରେ ରିହାତି ଦିଅନ୍ତି, ସେତେବେଳେ ସମ୍ପୃକ୍ତ ଶକ୍ତି କମ୍ପାନି ତାର ନ୍ୟାୟୋଚିତ ମୂଲ୍ୟ ପାଇବା ଘୋର ଅନିଶ୍ଚିତତା ମଧୢକୁ ଠେଲି ହୋଇଯାଏ। ବିତରକ (ଡିଷ୍ଟ୍ରିବ୍ୟୁସନ୍‌) କମ୍ପାନିମାନେ ଉତ୍ପାଦନକାରୀ କମ୍ପାନିକୁ ଠିକଣା ସମୟରେ ପାଉଣା ଦେଇ ପାରନ୍ତି ନାହିଁ, କାରଣ ସେମାନେ ଠିକଣା ସମୟରେ ରାଜ୍ୟ ସରକାରଙ୍କଠାରୁ ସେମାନଙ୍କର ପାଉଣା ପାଇ ନଥାନ୍ତି। ସରକାରୀ ସୂତ୍ରରୁ ଉପଲବ୍‌ଧ ସୂଚନା ଅନୁସାରେ ବିତରକ କମ୍ପାନିମାନେ ପାଇବାକୁ ଥିବା ଏଭଳି ମୋଟ ବାକିଆ ପାଉଣାର ଆକାର ହେଉଛି ପ୍ରାୟ ୧୬,୦୦୦ କୋଟି ଟଙ୍କା। ସେହିପରି, ସରକାରୀ ହସ୍ତକ୍ଷେପ ଯୋଗୁଁ ବିଦ୍ୟୁତ୍‌ ଉତ୍ପାଦକ ଓ ବିତରକମାନେ ଆବଶ୍ୟକ ହେଉଥିଲେ ମଧୢ ଏହାର ମୂଲ୍ୟରେ ବୃଦ୍ଧି ଘଟାଇ ପାରନ୍ତି ନାହିଁ। ତେଣୁ ଏଠାରେ ଋଣ ଖିଲାପ ପାଇଁ ଦୋଷୀ କିଏ ତାହା ନିର୍ଣ୍ଣୟ କରିବା ଏକ ସିଧାସଳଖ ବ୍ୟାପାର ନୁହେଁ।

ଯେଉଁ ସବୁ କମ୍ପାନି ପ୍ରକୃତ ପାରିପାର୍ଶ୍ବିକ ସମସ୍ୟା ଯୋଗୁଁ କ୍ଷତିଗ୍ରସ୍ତ ହୋଇ ଠିକଣା ସମୟରେ ଋଣ ପରିଶୋଧ କରିପାରିନାହାନ୍ତି ସେମାନଙ୍କ ପ୍ରତି ଏକ କଠୋର ନୀତି ଅବଲମ୍ବନ କରିବା ପରିବର୍ତ୍ତେ ସେମାନଙ୍କୁ ସମସ୍ୟାର ସମାଧାନ ପାଇଁ ଅଧିକ ସମୟ ଦିଆଯିବା ଉଚିତ। ଯେଉଁମାନେ କିନ୍ତୁ ଜାଣିଶୁଣି ଅଧମ ନୀତି ଅବଲମ୍ବନ କରି ଋଣ ଖିଲାପ କରି ଚାଲିଛନ୍ତି, ସେମାନଙ୍କ ପ୍ରତିି କଠୋର କାର୍ଯ୍ୟାନୁଷ୍ଠାନ କରାଯିବା ଉଚିତ। ସୁପ୍ରିମ୍‌ କୋର୍ଟଙ୍କ ରାୟ ପରେ ରିଜର୍ଭ ବ୍ୟାଙ୍କ୍‌କୁ କଷ୍ଟ କରି ଧୁଆ ମୂଳା ଅଧୁଆ ମୂଳା ଅଲଗା କରିବାକୁ ପଡ଼ିବ।

ସମ୍ବନ୍ଧିତ ଖବର