ସୁସ୍ଥ ବିତର୍କ ହେଉ

ଜାତୀୟ ସ୍ତରରେ ମୁଖ୍ୟ ବିରୋଧୀ କ˚ଗ୍ରେସ ଗତ ମଙ୍ଗଳବାର ‘ହମ୍‌ ନିଭାଏଙ୍ଗେ’ ଶୀର୍ଷକ ଦଳର ନିର୍ବାଚନ ଇସ୍ତାହାର ଜାରି କରିଛି। ଊଣେଇଶ ଜନାଦେଶ ହାସଲ ଲାଗି ଚଳିତ ଗଣତାନ୍ତ୍ରିକ କସରତର ମୋଡ଼ ବଦଳାଇବା ଲକ୍ଷ୍ୟରେ ଏହା ଏକ ପ୍ରୟାସ। କ୍ଷମତାସୀନ ଭାରତୀୟ ଜନତା ପାର୍ଟି ରାଷ୍ଟ୍ରବାଦ ଓ ଜାତୀୟ ନିରାପତ୍ତା ପ୍ରସଙ୍ଗକୁ ଦଳୀୟ ପ୍ରଚାର ଅଭିଯାନର କେନ୍ଦ୍ରରେ ରଖି ଆସିଥିବା ବେଳେ ଦାରିଦ୍ର୍ୟ, ବେକାରି, କୃଷି ସ˚କଟ ଆଦି ଦେଶକୁ ଜର୍ଜରିତ କରୁଥିବା କେତେ ପ୍ରସଙ୍ଗ ପ୍ରତି ମତଦାତାଙ୍କ ଧୢାନ ଫେରାଇବା ଲାଗି କ˚ଗ୍ରେସର ଏହା ଏକ ସଚେତନ ଉଦ୍ୟମ। ଏମିତି ନୁହେଁ ଯେ, କ˚ଗ୍ରେସ ଇସ୍ତାହାରରେ ଜାତୀୟ ନିରାପତ୍ତା ଓ ଆତଙ୍କବାଦ ପ୍ରସଙ୍ଗ ଆଦୌ ସ୍ଥାନ ପାଇନାହିଁ। ତେବେ ଅନ୍ୟ ପ୍ରସଙ୍ଗ ଅପେକ୍ଷା ଦାରିଦ୍ର୍ୟ, ବେକାରି, କୃଷି, ମହିଳା ସୁରକ୍ଷା ଆଦି ଜ୍ବଳନ୍ତ ଘରୋଇ ପ୍ରସଙ୍ଗ ଅଧିକ ପ୍ରାଥମିକତା ପାଇଛି।
ଏବେ ଦେଖାଯାଉ, ଦାରିିଦ୍ର୍ୟ, ବେକାରି, କୃଷି ଆଦି ପ୍ରସଙ୍ଗରେ କ˚ଗ୍ରେସ ଇସ୍ତାହାରରେ କ’ଣ ରହିଛି। ପୂର୍ବରୁ ଦଳର ଅଧୢକ୍ଷ ରାହୁଲ ଗାନ୍ଧୀ ଘୋଷଣା କରିଥିବା ନ୍ୟୂନତମ ଆୟ ଯୋଜନା (‘ନ୍ୟାୟ’)କୁ ଇସ୍ତାହାରରେ ପ୍ରମୁଖତାର ସହ ସ୍ଥାନ ଦିଆଯାଇଛି। ଏହି ଯୋଜନାରେ ଦେଶର ୨୦% ଦରିଦ୍ରତମ ପରିବାରଙ୍କୁ ମାସିକ ଛଅ ହଜାର ଟଙ୍କା ହିସାବରେ ବାର୍ଷିକ ୭୨,୦୦୦ ଟଙ୍କାର ନିଶ୍ଚିତ ରୋଜଗାର ସହାୟତା ପ୍ରଦାନ ଲାଗି ଦଳ ପ୍ରତିଶ୍ରୁତି ଦେଇଛି। ଏକ ‘ବାସ୍ତବବାଦୀ’ ଯୋଜନା ଭାବେ ଉପସ୍ଥାପନ ଲାଗି ହିତାଧିକାରୀ ଚୟନଠାରୁ ଆରମ୍ଭ କରି କାର୍ଯ୍ୟକାରିତା ପର୍ଯ୍ୟନ୍ତ ଏହାର ସମ୍ପୂର୍ଣ୍ଣ ରୂପରେଖ ଦିଆଯାଇଛି। ‘ନ୍ୟାୟ’ ଅତ୍ୟନ୍ତ ଉଚ୍ଚାକା˚କ୍ଷୀ ଓ ଅବାସ୍ତବ ମନେ ହେଉଥିଲେ ବି ଜିଡିପିର ୨% ଖର୍ଚ୍ଚରେ ଏହାର କାର୍ଯ୍ୟକାରିତା ସମ୍ଭବ ବୋଲି ଦଳ ଦାବି କରିଛି। ଏହାଛଡ଼ା, ଦାରିଦ୍ର୍ୟ ମୁକାବିଲା ଉଦ୍ଦେଶ୍ୟରେ ୟୁପିଏ ସରକାରଙ୍କ ଅମଳର ‘ମନରେଗା’ରେ ସର୍ବନିମ୍ନ ୧୦୦ ବଦଳରେ ୧୫୦ ଦିନର କାମ ଯୋଗାଇ ଦେବାର ପ୍ରତିଶ୍ରୁତି ଦିଆଯାଇଛି। ଚାଷୀଙ୍କ ସମସ୍ୟା ପ୍ରସଙ୍ଗରେ କୃଷି ପାଇଁ କେନ୍ଦ୍ରରେ ଏକ ସ୍ବତନ୍ତ୍ର ବଜେଟ ସହ ‘ଋଣ ମୁକ୍ତି’ ଲାଗି ପ୍ରତିଶ୍ରୁତି ଦିଆଯାଇଛି। କୃଷି ଋଣ ଖିଲାପକୁ ଫୌଜଦାରୀ ଅପରାଧ ପରିବର୍ତ୍ତେ ଦେଵାନି ଅପରାଧ ଭାବେ ବିଚାର କରାଯିବ। ଶିକ୍ଷା ପାଇଁ ଜିଡିପିର ୬% ଖର୍ଚ୍ଚ ଓ ଉତ୍ତମ ମାନର ସାର୍ବଜନୀନ ସ୍ବାସ୍ଥ୍ୟ ସେବା ପାଇଁ ପ୍ରତିଶ୍ରୁତି ଦିଆଯାଇଛି। ବେକାରି ପ୍ରସଙ୍ଗରେ ଦଳର ପ୍ରତିଶ୍ରୁତି ହେଲା, ମାର୍ଚ୍ଚ ୨୦୨୦ ସୁଦ୍ଧା କେନ୍ଦ୍ର ଓ ରାଜ୍ୟ ସରକାର ଗୁଡ଼ିକରେ ଖାଲିଥିବା ପ୍ରାୟ ୨୨ ଲକ୍ଷ ଚାକିରିରେ ନିଯୁକ୍ତି ଦିଆଯିବ। ପଞ୍ଚାୟତ ସ୍ତରରେ ବହୁସ˚ଖ୍ୟାରେ ନିଯୁକ୍ତି ସୁଯୋଗ ସୃଷ୍ଟିି କରାଯିବ ବୋଲ ପ୍ରତିଶ୍ରୁତ ଦିଆଯାଇଛି।
କ˚ଗ୍ରେସ ନିର୍ବାଚନ ଇସ୍ତାହାରରେ ଦାରିଦ୍ର୍ୟ, ବେକାରି ଓ କୃଷି ସ˚କଟର ମୁକାବିଲା ସକାଶେ ଦିଆଯାଇଥିବା ପ୍ରତିଶ୍ରୁତି ନିଶ୍ଚୟ ସକାରାତ୍ମକ। କାଗଜରେ ଭଲ ଦେଖାଯାଉଛି, କାନକୁ ମଧୢ ଭଲ ଶୁଣାଯାଉଛି। କିନ୍ତୁ ବାସ୍ତବ କ୍ଷେତ୍ରରେ ଏହା କେତେଦୂର କାର୍ଯ୍ୟକାରୀ ହୋଇ ପାରିବ? ଏଥିପାଇଁ ଆବଶ୍ୟକ ସମ୍ବଳ ଆସିବ କୁଆଡ଼ୁ? ଏ ସବୁ ପ୍ରଶ୍ନ କ˚ଗ୍ରେସ ପ୍ରତିଶ୍ରୁତିର ବିଶ୍ବସନୀୟତା ଉପରେ ସନ୍ଦେହର ବାଦଲ ସୃଷ୍ଟି କରୁଥିଲେ ସୁଦ୍ଧା ନିଶ୍ଚୟ ବିତର୍କର ଅପେକ୍ଷା ରଖୁଛି। ତେବେ ଏହା ସନ୍ଦେହ ଓ ବିତର୍କର ଊଦ୍ର୍ଧ୍ବରେ ଯେ, କ˚ଗ୍ରେସ ଇସ୍ତାହାର ଉଠା ଯାଇଥିବା ବେକାରି, ଦାରିଦ୍ର୍ୟ ଆଦି ସମସ୍ୟା ଆଜି ଦିନରେ ଏକ ନିଷ୍ଠୁର ବାସ୍ତବତା। ସମସ୍ୟା ଗୁଡ଼ିକର ପ୍ରଭାବଶାଳୀ ମୁକାବିଲା ଲାଗି ପନ୍ଥା ନିର୍ଦ୍ଧାରଣ ମଧୢ ଏକାନ୍ତ ଆବଶ୍ୟକ। ସମସ୍ୟା ସମାଧାନ ଲାଗି କ˚ଗ୍ରେସ ଦେଇଥିବା ପ୍ରସ୍ତାବର ଅନେକ ବିକଳ୍ପ ମଧୢ ଥାଇପାରେ। କିନ୍ତୁ ବିଡ଼ମ୍ବନା ହେଲା, ସମସ୍ୟାର ସମାଧାନ ଲାଗି ବିଳ୍ପ ପ୍ରସ୍ତାବ ହେବା ଅପେକ୍ଷା ଶାସକ ପକ୍ଷ ସମସ୍ୟାକୁ ଏଡ଼ାଇ ଯିବା ଲାଗି ଅଧିକ ତତ୍ପର।
କ˚ଗ୍ରେସ ନିର୍ବାଚନ ଇସ୍ତାହାର ଉପରେ ଶାସକ ବିଜେପି ନେତୃବୃନ୍ଦଙ୍କ ପ୍ରତିକ୍ରିୟାରୁ ଏ ସ˚କେତ ମିଳୁଛି। ଯେହେତୁ କ˚ଗ୍ରେସ ଉଠାଇଥିବା ପ୍ରସଙ୍ଗଗୁଡ଼ିକ ଶାସକ ପକ୍ଷ ପାଇଁ ଅପ୍ରୀତିକର, ଅଡୁଆ ସେଥିପାଇଁ ପୂର୍ବ ନିର୍ଦ୍ଧାରିତ ରଣନୀତି ଅନୁଯାୟୀ ଜାତୀୟ ନିରାପତ୍ତା, ରାଷ୍ଟ୍ରୀୟବାଦକୁ ଆଗକୁ ଆଣି କୃଷି, ବେକାରି, ଦାରିଦ୍ର୍ୟ ଆଦି ବିଷୟକୁ ପଛକୁ ଠେଲି ଦିଆଯାଉଛି। ବେକାରି, କୃଷି ସ˚କଟ ଓ ଦାରିଦ୍ର୍ୟର ମୁକାବିଲା ପାଇଁ ବିକଳ୍ପ ଯୋଜନା କ’ଣ? ସେ ସମ୍ପର୍କରେ ବିଜେପିର ମୁଖପାତ୍ରମାନେ କୌଣସି ସୂଚନା ଦେଉ ନାହାନ୍ତି। ଅର୍ଥମନ୍ତ୍ରୀ ଅରୁଣ ଜେଟ୍‌ଲୀ, ପ୍ରତିରକ୍ଷା ମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ଠାରୁ ଆରମ୍ଭ କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ପର୍ଯ୍ୟନ୍ତ ବିଜେପିି ନେତୃବୃନ୍ଦ କ˚ଗ୍ରେସର ପ୍ରତିଶ୍ରୁତିକୁ ‘ଡାହା ମିଛ’ ବୋଲି ଅଭିହିତ କରିଛନ୍ତି ସିନା କୌଣସି ବିକଳ୍ପ ସମାଧାନ ପନ୍ଥା ସମ୍ପର୍କରେ ସୂଚନା ଦେଇନାହାନ୍ତି। ଏହାର ଅର୍ଥ କ’ଣ ବେକାରି, ଦାରିଦ୍ର୍ୟ, କୃଷିରେ ସ˚କଟ ଆଦି ସମସ୍ୟା ସହ ଦେଶ ଯୁଝୁ ନାହିଁ? ସମସ୍ୟା ପ୍ରତି ମୁହଁ ମୋଡ଼ି ଦେଲେ ସମସ୍ୟା ହଟିଯାଏ ନାହିଁ। ସମସ୍ୟାର ମୁକାବିଲା ଲାଗି ପ୍ରଥମେ ଏହାକୁ ସ୍ବୀକାର କରିବାକୁ ପଡ଼ିବ। ଉଲ୍ଲେଖନୀୟ ହେଲା, କ˚ଗ୍ରେସ ନିର୍ବାଚନ ଇସ୍ତାହାରରେ ଉଠାଯାଇଥିବା ଦାରିଦ୍ର୍ୟ, ବେକାରି ଆଦି ସମସ୍ୟାକୁ ବିଜେପି ନେତୃବୃନ୍ଦ ଏଡ଼ାଇ ଯାଉଥିବା ବେଳେ ଜାତୀୟ ସୁରକ୍ଷା ଓ ଆତଙ୍କବାଦ ପ୍ରସଙ୍ଗରେ କ˚ଗ୍ରେସର କେତେକ ପ୍ରସ୍ତାବ ଉପରେ ବିଜେପି ନେତାମାନେ ଶାଣିତ ପ୍ରତିକ୍ରିୟା ରଖିଛନ୍ତି। ଉତ୍ତର ପୂର୍ବାଞ୍ଚଳ ଓ କଶ୍ମୀରରେ ବିଚ୍ଛିନ୍ନତାବାଦୀ କାର୍ଯ୍ୟକଳାପର ମୁକାବିଲା ପାଇଁ ସେନା ବାହିନୀକୁ ଦିଆଯାଇଥିବା ସ୍ବତନ୍ତ୍ର କ୍ଷମତା ସ˚କ୍ରାନ୍ତ ଆଇନ ‘ଆର୍ମଡ୍‌ ଫୋର୍ସେସ୍‌ ସ୍ପେସାଲ ପାଵାର ଆକ୍ଟ’ (ଏ.ଏଫ.ଏସ.ପି.ଏ) ଓ ଦେଶଦ୍ରୋହ ଆଇନର ସ˚ଶୋଧନ ଲାଗି କ˚ଗ୍ରେସର ପ୍ରତିଶ୍ରୁତିକୁ ବିଜେପି ‘ବିପଜ୍ଜନକ’ ଓ ଜାତୀୟ ନିରାପତ୍ତାର ପରିପନ୍ଥୀ ବୋଲି ଦର୍ଶାଇଛି। ଅମିତ ଶାହଙ୍କ ମତ ହେଲା, ଏ.ଏଫ.ଏସ.ପି.ଏ ଓ ଦେଶଦ୍ରୋହ ଆଇନ କୋହଳ ହେଲେ ଦେଶ ବିରୋଧୀ ବିଚ୍ଛିନ୍ନତାବାଦୀ ଶକ୍ତି ଉତ୍ସାହିତ ହେବେ। ‘ଭାରତ ମାତାକୀ ଜୟ’ ବଦଳରେ ‘ଭାରତ ତେରେ ଟୁକ୍‌ଡେ ଟୁକ୍‌ଡେ ହୋଙ୍ଗେ’ ଧ୍ବନି ଅଧିକ ପ୍ରତିଧ୍ବନିତ ହେବ।
କ˚ଗ୍ରେସର ଦାରିଦ୍ର୍ୟ ମୁକାବିଲା ପାଇଁ ‘ନ୍ୟାୟ’ ପ୍ରତିଶ୍ରୁତି କେତେଦୂର କାର୍ଯ୍ୟକାରୀ ହୋଇପାରିବ? ଏହା ଯେମିତି ଏକ ପ୍ରଶ; ଏ.ଏଫ.ଏସ.ପି.ଏର ସ˚ଶୋଧନ ନେଇ ବିଜେପିର ଆଶଙ୍କା କେତେ ଯଥାର୍ଥ? ସେମିତି ଏକ ପ୍ରଶ୍ନ। କିନ୍ତୁ ଏହା ଅସଲ ପ୍ରଶ୍ନ ନୁହେଁ। ଅସଲ ପ୍ରଶ୍ନ ହେଲା-ଯଦି ଜାତୀୟ ସୁରକ୍ଷା ପ୍ରସଙ୍ଗରେ କ˚ଗ୍ରେସର ପ୍ରସ୍ତାବ ଉପରେ ନିଜସ୍ବ ବିକଳ୍ପ ମତ ରଖି ବିଜେପି ନେତୃବୃନ୍ଦ ବିତର୍କ ପାଇଁ ପ୍ରସ୍ତୁତ, ତେବେ ଦାରିଦ୍ର୍ୟ, ବେକାରି, କୃଷି ସ˚କଟ ଆଦି ଅନ୍ୟ ପ୍ରସଙ୍ଗ ଉପରେ ବିକଳ୍ପ ପ୍ରସ୍ତାବ ରଖି ବିତର୍କ ପାଇଁ କୁଣ୍ଠିତ କାହିଁକି? ଜାତୀୟ ନିରାପତ୍ତା ସହ ବେକାରି ଓ ଦାରିଦ୍ର୍ୟର ମୁକାବିଲା ମଧୢ ଗୁରୁତ୍ବପୂର୍ଣ୍ଣ। ଜାତୀୟ ନିରାପତ୍ତା ପ୍ରସଙ୍ଗ ଉପରେ ବିତର୍କ ସହ ଦାରିଦ୍ର୍ୟ, ବେକାରି, ଓ କୃଷି ସମସ୍ୟା ମୁକାବିଲା ଲାଗି ବିଭିନ୍ନ ବିକଳ୍ପ ପନ୍ଥା ବିତର୍କର ବିଷୟ ହେଉ। କୌଣସି ପ୍ରକାର ଏକପାଖିଆ ମନୋଭାବ ଗଣତନ୍ତ୍ର ପାଇଁ ଅନୁକୂଳ ନୁହେଁ। ‘କ˚ଗ୍ରେସ ମୂଳପୋଛ ହୋଇଗଲେ ଦାରିଦ୍ର୍ୟ ମଧୢ ମୂଳପୋଛ ହୋଇଯିବ’; ବିଭିନ୍ନ ନିର୍ବାଚନ ସଭାରେ ପ୍ରଧାନମନ୍ତ୍ରୀଙ୍କ ଏ ପ୍ରକାର ଭାଷଣରେ ତାଳି ମାଡ଼ ହୋଇପାରେ। କିନ୍ତୁ ଗରିବଙ୍କ ସମସ୍ୟାର ସମାଧାନ ହେବ ନାହିଁ। ପୁଲଵାମା ଆତଙ୍କବାଦୀ ଆକ୍ରମଣ ଘଟଣା ପରେ ଜାତୀୟ ନିରାପତ୍ତା ନିଶ୍ଚୟ ଏକ ଗୁରୁତ୍ବପୂର୍ଣ୍ଣ ପ୍ରସଙ୍ଗ ଭାବେ ଉଭା ହୋଇଛି। ନିର୍ବାଚନ ପରିପ୍ରେକ୍ଷୀରେ ଏହା ଶାସକ ପକ୍ଷକୁ ସୁହାଉଛି। ତା ବୋଲି ଯେ ଅନ୍ୟ ସବୁ ପ୍ରସଙ୍ଗ ହଜିଯିବ, ଏହା ମନେ କରିବା ଏକ ଭ୍ରମ। ପ୍ରାକ୍‌- ନିର୍ବାଚନ କାଳରେ ଯେତେ ସବୁ ଜନମତ ସର୍ଭେ ରିପୋର୍ଟ ପ୍ରକାଶ ପାଇଛି, ପ୍ରତ୍ୟେକ ରିପୋର୍ଟର ସାଧାରଣ ମତଦାତା ବେକାରି, ଦାରିଦ୍ର୍ୟ ଓ କୃଷି ଆଦି ପ୍ରସଙ୍ଗ ଉପରେ ପ୍ରାୟ ସମାନ ଗୁରୁତ୍ବ ଦେଉଛନ୍ତି। ତେଣୁ ନିଜକୁ ସୁହାଉଥିବା ଗୋଟିଏ ପ୍ରସଙ୍ଗକୁ ଧରି ଦେଶବାସୀଙ୍କ ଆଶା-ଆକା˚କ୍ଷା ସହ ଯୋଡ଼ି ହୋଇଥିବା ଅନ୍ୟ ପ୍ରସଙ୍ଗକୁ ଏଡ଼ାଇଯିବା ଏକ ବଳିଷ୍ଠ ନେତୃତ୍ବର ଲକ୍ଷଣ ନୁହେଁ। ଆଶା, କ˚ଗ୍ରେସର ନିର୍ବାଚନ ଇସ୍ତାହାରରେ ଉଠାଯାଇଥିବା ସବୁ ଜ୍ବଳନ୍ତ ପ୍ରସଙ୍ଗ ଉପରେ ସୁସ୍ଥ ବିତର୍କ ପାଇଁ ଶାସକ ପକ୍ଷ ଆଗେଇ ଆସିବେ।

ସମ୍ବନ୍ଧିତ ଖବର