ଅଶ୍ବାରୋହିଣୀ କୃଷ୍ଣା

‘‘ମା, ଦେଖ।’’ ‘‘ମୁଁ ଦେଖୁଛି ଧନ।’’ …‘‘ତୁ ବହୁତ ସୁନ୍ଦର ଦିଶୁଛୁ, ଧନ।’’ ‘‘ତୁମେ ବି ବହୁତ ସୁନ୍ଦର।’’ କିଛି ସମୟ ପରେ ଛୋଟ ଝିଅଟି ଘର ଭିତରେ ଥାଇ ଝରକାରୁ ତାକୁ ଦେଖୁଥିବା ତା’ର ମା’ଙ୍କୁ ଡାକି କହିଲା: ‘‘ମା’, ଦେଖ ମୁଁ ଏ ବାଡ଼କୁ ବି କେମିତି ଡେଇଁ ଯିବି!’’ ତାହା ହିଁ ଥିଲା ଚାରିବର୍ଷ ବୟସର ଛୋଟ ଝିଅ ବନି ବଟ୍‌ଲର‌୍‌ ଏ ପୃଥିବୀରେ କହିଥିବା ଶେଷ କଥା। ଯେଉଁ ସେଟ୍‌ଲାଣ୍ତ୍‌ ପନି (ଏକ ଜାତିର ଅଳ୍ପ ଉଚ୍ଚତା ବିଶିଷ୍ଟ ଘୋଡ଼ା) ପିଠିରେ ବସି ବନି ତା’ର ବାଡ଼ ଡିଆଁ ଦକ୍ଷତା ପ୍ରଦର୍ଶନ କରୁଥିଲା, ସେ ଘୋଡ଼ାଟି ଏଥର ସାମାନ୍ୟ ଅଧିକ ଉଚ୍ଚର ବାଡ଼ଟିକୁ ଡେଇଁ ନପାରି ପଡ଼ିଗଲା ଏବ˚ ଆରୋହୀ ବନି ତା’ ପିଠିରୁ ଛିଟ୍‌କି ପଡ଼ି ଶେଷ ନିଃଶ୍ବାସ ତ୍ୟାଗ କଲା। କୁନି ଝିଅର ଘୋଡ଼ା ଚଢ଼ିବା ନିଶାକୁ ସନ୍ତୁଷ୍ଟ କରିବା ପାଇଁ ଝିଅକୁ ନିଜ ପ୍ରାଣଠାରୁ ଅଧିକ ଭଲ ପାଉଥିବା ପିତା ରେଟ୍‌ ବଟ୍‌ଲର‌୍‌ ତା ପାଇଁ ସେହି ସେଟ୍‌ଲାଣ୍ତ୍‌ ପନିଟି କିଣି ଦେଇଥିଲେ। ‘ସମ୍ବାଦ’ର ଅନେକ ପାଠିକା ଉପର ବର୍ଣ୍ଣିତ ଏ ଚରିତ୍ରମାନଙ୍କୁୁ ଚିହ୍ନଟ କରି ସାରିଥିବେ: ସେମାନେ ହେଉଛନ୍ତି ପୃଥିବୀସାରା ନାରୀମାନଙ୍କର ସର୍ବକାଳୀନ, ସର୍ବାଧିକ ପ୍ରିୟ ଉପନ୍ୟାସ ମାନଙ୍କ ମଧୢରେ ଅନ୍ୟତମ ବିବେଚିତ ମାର୍ଗରେଟ୍‌ ମିଚେଲ୍‌ଙ୍କର ‘ଗନ୍‌ ଵିଥ୍‌ ଦି ଦି ଵିଣ୍ତ୍‌’ର ନାୟକ ରେଟ୍‌ ବଟ୍‌ଲର‌୍‌, ନାୟିକା ତଥା ତାଙ୍କର ପତ୍ନୀ ସ୍କାର୍ଲେଟ୍‌ ଓ’ହାରା ଏବ˚ ସେମାନଙ୍କର କନିଷ୍ଠତମ ସନ୍ତାନ, ଚାରିବର୍ଷର ବାଳିକା ବନି ବଟ୍‌ଲର‌୍‌। ପିତାଙ୍କ ନାମ ଅନୁସାରେ ବନି ତା’ର ପନିର ନାମ ରଖିଥିଲା- ମିଷ୍ଟର‌୍‌ ବଟ୍‌ଲର‌୍‌।
ବାଳିକା ବନି ବଟ୍‌ଲର‌୍‌ର ଘୋଡ଼ା ଚଢ଼ା ସଉକ ଯୋଗୁଁ ଘଟିଥିବା ଏହି ଟ୍ରାଜିକ୍‌ ଅନ୍ତ ଯେଉଁ ଭଳି ‘ଗନ୍‌ ଵିଥ୍‌ ଦି ଵିଣ୍ତ୍‌’ର ପାଠିକାମାନଙ୍କ ପାଇଁ ହୃଦୟ ବିଦାରକ ସାବ୍ୟସ୍ତ ହୋଇ ଆସିଛି, ବର୍ତ୍ତମାନ କେରଳର ତ୍ରିଶୁଶ୍‌ର ବାଳିକା ସି.ଏ. କୃଷ୍ଣା ତା’ର ଘୋଡ଼ା ରାଣା କୃଷ୍ଣା ପିଠିରେ ବସି ତା’ର ଦଶମ ଶ୍ରେଣୀ ବୋର୍ଡ ପରୀକ୍ଷା ଦେବାକୁ ଯିବାର ଦୃଶ୍ୟ ଭାରତର ନାରୀମାନଙ୍କୁ ସେଇଭଳି ଗର୍ବ ଓ ଉଲ୍ଲାସରେ ଉଦ୍‌ବେଳିତ କରୁଥିବ। ହୁଏତ ‘ଗନ୍‌ ଵିଥ୍‌ ଦି ଵିଣ୍ତ୍‌’ର ଉପରୋକ୍ତ ଦୃଶ୍ୟ ଯେମିତି ପାଠିକାମାନଙ୍କ ଆଖିରୁ ଦୁଃଖର ଲୁହ ଝରାଇଥାଏ, କୃଷ୍ଣା ର ଅଶ୍ବାରୋହଣ ଦୃଶ୍ୟ ସେମିତି କେତେ ଆଖିରୁ ଆନନ୍ଦାଶ୍ରୁ ଝରାଇ ପାରୁଥାଏ। କୃଷ୍ଣାର ଘୋଡ଼ା ଚଢ଼ା ନିଶାର ଆରମ୍ଭ ହେଉଛି ତା’ର ସ୍କୁଲରୁ, ଯେଉଁଠି ଆଗ୍ରହୀ ଛାତ୍ର ଛାତ୍ରୀ ମାନଙ୍କୁ ଅଶ୍ବାରୋହଣ ଶିକ୍ଷା ମଧୢ ପ୍ରଦାନ କରାଯାଇଥାଏ। ସ୍କୁଲ୍‌ରେ ଘୋଡ଼ା ପିଠିରେ ଥରେ ବସିବା ପରେ କୃଷ୍ଣାଠାରେ ଘୋଡ଼ା ମାନଙ୍କ ପ୍ରତି ଏପରି ଏକ ଦୁର୍ବାର ପ୍ରବଣତା ସୃଷ୍ଟି ହେଲା, ଯାହା ଲକ୍ଷ୍ୟ କରି ତା’ର ପିତା ତାର ୧୧ଶ ଜନ୍ମଦିନରେ ତା’ପାଇଁ ପ୍ରଥମ ଘୋଡ଼ାଟି କିଣି ଦେଇଥିଲେ ଏବଂ କୃଷ୍ଣା ଦଶମ ଶ୍ରେଣୀରେ ପ୍ରବେଶ କରିବା ସମୟରେ ତା’ ପାଇଁ ଦ୍ବିତୀୟ ଘୋଡ଼ାଟି କିଣି ଦେଇଥିଲେ। କୃଷ୍ଣାର ଅନ୍ୟ ଘୋଡ଼ାଟିର ନାମ ହେଲା, ଉପଯୁକ୍ତ ଭାବରେ, ‘ଝାନ୍‌ସି ରାଣୀ’। ରେଟ୍‌ ବଟ୍‌ଲର‌୍‌ଙ୍କ ଭଳି ଝିଅର ଘୋଡ଼ା ସଉକ ପୂରଣ କରୁଥିବା କୃଷ୍ଣାର ପିତାଙ୍କର ନାମ ହେଉଛି ଅଜୟ କାଳିନ୍ଦୀ ଏବ˚ ସେ ହେଉଛନ୍ତି ବୃତ୍ତିରେ ସ୍ଥାନୀୟ ନାରାୟଣନାଥ ମହାବିଷ୍ଣୁ ମନ୍ଦିରରେ ସେବା କରୁଥିବା ଜଣେ ପୂଜକ। ତାଙ୍କ ମା’ ଇନ୍ଦୁ ହେଉଛନ୍ତି ଜଣେ ଗୃହିଣୀ। ଘୋଡ଼ା ପାଇବା ପରଠାରୁ କୃଷ୍ଣା ବଜାର ସଉଦା କରିବା ପାଇଁ ମଧୢ ଘୋଡ଼ା ଚଢ଼ି ଯିବା ଦେଖା ଯାଇଥାଏ, ଯେପରି ଅନ୍ୟ ପିଲାମାନେ ସାଇକେଲ୍‌ ବା ମଟର ସାଇକେଲ୍‌ ନେଇ ଯାଇଥାନ୍ତିି।
କୃଷ୍ଣା ଘୋଡ଼ା ପିଠିରେ ବସି ପରୀକ୍ଷା ଦେବାକୁ ଯିବାର ଦୃଶ୍ୟର ଭିଡ଼ିଓ ରେକର୍ଡି˚ କରି କେହି ଜଣେ ସୋସିଆଲ୍‌ ମିଡିଆରେ ସ୍ଥାନୀତ କରିଦେବା ପରେ ତାହା କେରଳରେ ବେଶ୍‌ ଚର୍ଚ୍ଚାର ବିଷୟ ହୋଇ ଯାଇଥିଲା। କିନ୍ତୁ ସେ ଭିଡିଓ ଯେତେବେଳେ ଶିଳ୍ପପତି ମଟରଗାଡ଼ି ନିର୍ମାତା ଆନନ୍ଦ ମହୀନ୍ଦ୍ରାଙ୍କ ନଜରରେ ପଡ଼ିଲା, ତାହା ତାଙ୍କୁ ଏଭଳି ଅଭିଭୂତ କରିଦେଲା ଯେ ସେ ଟ୍ବିଟ୍‌ କରି ପକାଇଲେ: ‘‘ଚମତ୍କାର! ନାରୀ ଶିକ୍ଷା ଘୋଡ଼ା ଭଳି ଝପଟି ଯାଉଛି…. ଏ କ୍ଲିପ୍‌ ପୃଥିବୀ ବ୍ୟାପୀ ଭାଇରାଲ୍‌ ହୋଇଯିବା ପାଇଁ ଯୋଗ୍ୟ। ଏହା ମଧୢ ଅବିଶ୍ବସନୀୟ ଭାରତ!’’ ସେ ମଧୢ ଟ୍ବିଟ୍‌ କରି ଘୋଡ଼ା ସହିତ କୃଷ୍ଣାର ଏକ ଫଟୋ ପାଇବାକୁ ଅନୁରୋଧ କଲେ ଯାହାକୁ ତାଙ୍କର ସ୍କ୍ରିନ୍‌ ସେଭର‌୍‌ ରୂପେ ସେ ରଖିବାକୁ ଚାହାନ୍ତି। ସେ କହିଛନ୍ତି: ‘‘ସେ (କୃଷ୍ଣା) ହେଉଛି ମୋ’ ହିରୋ। ସେ (କୃଷ୍ଣା) ଘୋଡ଼ାରେ ବସି ସ୍କୁଲ ଦିଗରେ ମାଡ଼ି ଚାଲିବା ଦୃଶ୍ୟ ମୋ ଭିତରେ ଭବିଷ୍ୟତ ପାଇଁ ଆଶା ଭରି ଦେଲା…।’
ଏଥିରେ ସନ୍ଦେହ ନାହିଁ ଯେ ଅଶ୍ବାରୋହୀ ଜଣକ ଯଦି ବାଳିକା କୃଷ୍ଣା ନ ହୋଇ ବାଳକ କୃଷ୍ଣ ହୋଇ ଥାନ୍ତା, ତା ହେଲେ ମହୀନ୍ଦ୍ରାଙ୍କ ଠାରେ ଏପରି ଭାବାବେଗର ଜୁଆର ସୃଷ୍ଟି ହୋଇ ନଥାନ୍ତା। ଘୋଡ଼ାକୁ ଚିର କାଳ ଶକ୍ତିର ପ୍ରତୀକ ରୂପେ ଦେଖା ହୋଇ ଆସିଛି। ଚିତ୍ରକଳା, ଭାସ୍କର୍ଯ୍ୟରୁ ଆରମ୍ଭ କରି ଦୌଡ଼ ପ୍ରତିଯୋଗିତା ଓ ଯୁଦ୍ଧ କ୍ଷେତ୍ର ପର୍ଯ୍ୟନ୍ତରେ ଏହି ଚତୁଷ୍ପଦ ପ୍ରାଣୀଟିକୁ ଯେଉଁଭଳି ବେଗ, ସାହସ, ଶକ୍ତି ଓ ଏପରିକି ବୁଦ୍ଧିର ପ୍ରତିନିଧି ରୂପେ ବ୍ୟବହାର ତଥା ପ୍ରଦର୍ଶିତ କରାଯାଇ ଆସିଛି, ଅନ୍ୟ କୌଣସି ପ୍ରାଣୀ କ୍ଷେତ୍ରରେ ତାହା ଘଟିନାହିଁ। ଘୋଡ଼ାକୁ କେନ୍ଦ୍ର କରି ସବୁ ସଭ୍ୟତାରେ ଅସୁମାରି କାହାଣୀ ଓ କି˚ବଦନ୍ତିମାନ ସହିତ ଆମେ ପରିଚିତ: ଆଲେକ୍‌ଜାଣ୍ତର‌୍‌ଙ୍କର ବୁସେଫାଲସ୍‌ଠାରୁ ରାଣା ପ୍ରତାପଙ୍କ ଚେତକ ପର୍ଯ୍ୟନ୍ତ। ତେଣୁ ଦୁର୍ବଳା ରୂପେ ପରିଚିତ ନାରୀମାନଙ୍କ ମଧୢରୁ କେହି ଜଣେ ଯେତେବେଳେ ଘୋଡ଼ା ପିଠିରେ ବସିବା ଦେଖାଯାଏ, ତାହାକୁ ନାରୀ ସଶକ୍ତୀକରଣର ଏକ ଶକ୍ତିଶାଳୀ ଚିତ୍ର ରୂପେ ବିବେଚନା କରିବା ସ୍ବାଭାବିକ। ଆନନ୍ଦ ମହୀନ୍ଦ୍ରା ତେଣୁ କୃଷ୍ଣାଙ୍କ ଅଶ୍ବାରୋହଣ ଦେଖି ଏପରି ଅଭିଭୂତ ହୋଇ ପଡ଼ିବାରେ କିଛି ଆଶ୍ଚର୍ଯ୍ୟ ହେବାର ନାହିଁ।
ତେବେ ଏହା ବିରଳ ହେଲେ ମଧୢ ନାରୀମାନଙ୍କର ଅଶ୍ବାରୋହଣ ପ୍ରତି ଏକ ବିଶେଷ ଆକର୍ଷଣ ରହିଥାଏ। ଗୋଟିଏ ଆକର୍ଷଣ ଅବଶ୍ୟ ହେଲା ଉପର ବର୍ଣ୍ଣିତ ଶକ୍ତି ପ୍ରଦର୍ଶନ। କିନ୍ତୁ ଏହାର ବିପରୀତ ମଧୢ ଠିକ୍‌। ତାହା ହେଲା- ଶକ୍ତିହୀନତା। କାରଣ ଘୋଡ଼ା ପିଠିରେ ଯେତେ ଶକ୍ତିଶାଳୀ ଜଣେବସି ପଡ଼ୁନା କାହିଁକି, ଘୋଡ଼ାର ଶାରୀରିକ ଶକ୍ତି ନିକଟରେ ତା’ର ଶକ୍ତି ତୁଚ୍ଛା ଏକ ଅସୀମ ଶକ୍ତିଶାଳୀ ଘୋଡ଼ାକୁ ନିଜ ଇଚ୍ଛା ଅନୁଯାୟୀ କାର୍ଯ୍ୟ କରାଇବାକୁ ହେଲେ ତାକୁ ଅତ୍ୟନ୍ତ ସମ୍ବେଦନଶୀଳତା ସହିତ ମନାଇବା ଆବଶ୍ୟକ। ଆଉ ଏହା ବୋଧହୁଏ ହେଉଛି ଏକ ଦକ୍ଷତା ଯେଉଁଥିରେ ନାରୀମାନେ ପୁରୁଷମାନଙ୍କୁ ବହୁ ପଛରେ ପକାଇ ଦେବେ। ତେଣୁ ଘୋଡ଼ାକୁ ମଣ କରିବା ବାଳିକା କୃଷ୍ଣାଙ୍କ ପାଇଁ ଯେଉଁଭଳି ଏକ ସ୍ବାଭାବିକ କାର୍ଯ୍ୟ ହୋଇଛି, ବୋଧହୁଏ କୌଣସି ବାଳକ କୃଷ୍ଣ ପାଇଁ ସେପରି ସହଜ ହୁଅନ୍ତା ନାହିଁ! ବନି ବଟଲର ପରି ଘୋଡ଼ା ପିଠିରେ ବସି କୃଷ୍ଣା ସତେ ଯେମିତି ଦେଶବାସୀଙ୍କୁ କହୁଛି : ‘ଦେଖ, ମୁଁ କେମିତି ଘୋଡ଼ା ଚଢ଼ି ପରୀକ୍ଷା ବାଡ଼କୁ ଡେଇଁବାକୁ ଯାଉଛି!’ କୃତିତ୍ବର ସହିତ ସେ ବାଡ଼କୁ ଡେଇଁବା ପାଇଁ ଅଶ୍ବାରୋହିଣୀ କୃଷ୍ଣାଙ୍କୁ ଆମର ଅଶେଷ ଶୁଭ କାମନା।

ସମ୍ବନ୍ଧିତ ଖବର