ବାକ୍‌ ସ୍ବାଧୀନତାର ବିଜୟ

ମାନ୍ୟବର ସୁପ୍ରିମ୍‌ କୋର୍ଟଙ୍କ ଡିସେମ୍ବର ୧୪, ୨୦୧୮ର ରାୟ ଏବ˚ ପରେ ସିଏଜିଙ୍କ ରିପୋର୍ଟକୁ ଦର୍ଶାଇ ରାଫେଲ୍‌ ବିବାଦକୁ ଶୀତଳ ଭଣ୍ତାରକୁ ଠେଲି ଦେବା ଲାଗି ମୋଦୀ ସରକାରଙ୍କ ଉଦ୍ୟମ ବିଫଳ ହୋଇଛି। ସପ୍ତଦଶ ଲୋକସଭା ପାଇଁ ପ୍ରଥମ ପର୍ଯ୍ୟାୟ ମତଦାନ ଆରମ୍ଭ ହେବାର ଦିନକ ପୂର୍ବରୁ ଶାସକ ପକ୍ଷ ସକାଶେ ଅଡ଼ୁଆ ସୃଷ୍ଟି କରିବା ଆଶଙ୍କା ମଧୢରେ ରାଫେଲ୍‌ କିଣାରେ ଦୁର୍ନୀତି ଓ ଅନିୟମିତତା ଅଭିଯୋଗକୁ କେନ୍ଦ୍ର କରି ଉଠିଥିବା ବିବାଦ ପୁଣି ଫେରିଆସିଛି। ୫୯୦୦୦ କୋଟି ଟଙ୍କାର ରାଫେଲ୍‌ କାରବାରରେ ସରକାରଙ୍କୁ ‘କ୍ଲିନ୍‌ଚିଟ୍‌’ ପ୍ରଦାନ ପୂର୍ବକ ରାୟର ସମୀକ୍ଷା ପାଇଁ ଆଗତ ଏକ ଆବେଦନକୁ ସୁପ୍ରିମ୍‌ କୋର୍ଟ ବିଚାର ଲାଗି ଗ୍ରହଣ କରିଛନ୍ତି। ଫଳରେ ବିବାଦୀୟ ରାଫେଲ୍‌ କାରବାରର ତଦନ୍ତ ଲାଗି ସାନି ସମ୍ଭାବନା ସୃଷ୍ଟି ହୋଇଛି। ସୁପ୍ରିମ୍‌ କୋର୍ଟଙ୍କ ଏହି ରାୟ ଗୋଟିଏ ପଟେ ସରକାରୀ ପକ୍ଷଙ୍କ ପାଇଁ ଶକ୍ତ ଧକ୍କା ହୋଇଥିବା ବେଳେ, ଅନ୍ୟ ପଟେ ସରକାରଙ୍କୁ ଘେରିବା ଲାଗି ବିରୋଧୀଙ୍କୁ ନୂଆ ରସଦ ଯୋଗାଇଛି।

ରାଫେଲ୍‌ କାରବାରର ଦୁର୍ନୀତି ଓ ଅନିୟମିତତା ଅଭିଯୋଗର ପୁନଃବିଚାର ଲାଗି ସୁପ୍ରିମ୍‌କୋର୍ଟଙ୍କ ନିଷ୍ପତ୍ତିର ରାଜନୈତିକ ଦୃଷ୍ଟିରୁ ନିର୍ବାଚନ ଉପରେ କ’ଣ ପ୍ରଭାବ ପଡ଼ିବ? ଶେଷରେ ଉଚ୍ଚତମ ନ୍ୟାୟାଳୟ ରାଫେଲ କାରବାରର ତଦନ୍ତ ଲାଗି ନିର୍ଦ୍ଦେଶ ଦେବେ କି? ଏ ସବୁ ପ୍ରଶ୍ନର ହଠାତ୍‌ କୌଣସି ଉତ୍ତର ମିଳି ନପାରେ। ଏହା କେବଳ କଳ୍ପନାଜଳ୍ପନାର ବିଷୟ ମାତ୍ର। କିନ୍ତୁ ଗେରଟିଏ ବିଷୟ ନିଶ୍ଚିତ ଯେ ଭାରତୀୟ ଗଣତନ୍ତ୍ର ପାଇଁ ଏହାର ସୁଦୂରପ୍ରସାରୀ ସକାରାତ୍ମକ ପ୍ରଭାବ ରହିଛି। ଉଚ୍ଚତମ ନ୍ୟାୟାଳୟଙ୍କ ରାୟ ଦେଶର ଗଣତାନ୍ତ୍ରିକ ସମ୍ବିଧାନ ପ୍ରତ୍ୟେକ ନାଗରିକଙ୍କ ପାଇଁ ନିଶ୍ଚିତ କରିଥିବା ବାକ୍‌-ସ୍ବାଧୀନତାର ଏକ ବୃହତ୍‌ ବିଜୟ। ଗଣମାଧୢମର ସ୍ବାଧୀନତାକୁ ଆହୁରି ଦୃଢ଼ୀଭୂତ କରିବା ଦିଗରେ ଆଉ ଏକ ମାଇଲ ଖୁଣ୍ଟ। ‘ଗୋପନୀୟତା’ ଆଳରେ ସରକାରୀ କାର୍ଯ୍ୟରେ ସ୍ବଚ୍ଛତାକୁ ଯେ ଜଳାଞ୍ଜଳି ଦିଆଯାଇ ନପାରେ, ଏହା ତା’ର ଆଉ ଏକ ନ୍ୟାୟିକ ଚେତାବନୀ। ଦୁର୍ନୀତି ଓ ଅନିୟମିତତାକୁ ଲୋକଲୋଚନକୁ ଆଣିବା ଉଦ୍ଦେଶ୍ୟରେ ଅନୁସନ୍ଧାନ ମୂଳକ ସାମ୍ବାଦିକତାକୁ ମଧୢ ଏହା ଏକ ସ୍ବୀକୃତି।

ଫ୍ରାନ୍ସର ଡାସଲଟ କମ୍ପାନିରୁ ୩୬ଟିି ରାଫେଲ ଯୁଦ୍ଧ ବିମାନ କିଣାରେ କୌଣସି ଅନିୟମିତତା ହୋଇ ନାହିଁ। ତେଣୁ ଏହାର ତଦନ୍ତର ଆବଶ୍ୟକତା ନାହିଁ ବୋଲି ଗତ ଡିସେମ୍ବର ୧୪ରେ ସୁପ୍ରିମ୍‌ କୋର୍ଟ ରାୟ ଦେଇଥିଲେ। ଏହାର ପୁନର୍ବିଚାର ପାଇଁ ପୂର୍ବତନ ମନ୍ତ୍ରୀ ଅରୁଣ ସୌରୀ, ଯଶୋବନ୍ତ ସିହ୍ନା ଏବ˚ ବିଶିଷ୍ଟ ଆଇନଜୀବୀ ପ୍ରଶାନ୍ତ ଭୂଷଣଙ୍କ ପକ୍ଷରୁ କୋର୍ଟରେ ଏକ ମିଳିତ ଆବେଦନ ଦାଖଲ କରାଯାଇଥିଲା। ତେବେ ବିଚାର ପାଇଁ ଏ ଆବେଦନର ଗ୍ରହଣୀୟତା ଉପରେ ସରକାର ଆପତ୍ତି ଉଠାଇଥିଲେ। ସରକାରଙ୍କ ମୁଖ୍ୟ ଯୁକ୍ତି ଥିଲା ଯେ, ଆବେଦନକାରୀମାନେ ଯେଉଁ ସବୁ ଦଲିଲ୍‌ ଆଧାରରେ ମାମଲାର ପୁନର୍ବିଚାର ଲାଗି ପ୍ରାର୍ଥନା କରିଛନ୍ତି, ସେ ସବୁ ଦଲିଲ ଜାତୀୟ ସୁରକ୍ଷା ଦୃଷ୍ଟିରୁ ଅତ୍ୟନ୍ତ ସ୍ପର୍ଶକାତର ଓ ଗୋପନୀୟ। ସେହି ଦଲିଲ୍‌କୁ ଅନଧିକାର ଭାବେ ‘ଚୋରି’ କରି ଅସାଧୁ ଉପାୟରେ ହାସଲ କରାଯାଇ ଥିବାରୁ ତାହା ପ୍ରମାଣ ଭାବେ ଗ୍ରହଣଯୋଗ୍ୟ ନୁହେଁ। ଏପରିକି, ‘ଚୋରି’ ଦସ୍ତାବିଜ ଉପସ୍ଥାପନ କରିଥିବା ଆବେଦନକାରୀ ଏବ˚ ଏହାକୁ ପ୍ରକାଶ କରିଥିବା ଗଣମାଧୢମ ସ˚ସ୍ଥା ବିରୋଧରେ ସରକାରୀ ଗୋପନୀୟତା ଆଇନ-୧୯୨୩ (ଅଫିସିଆଲ୍‌ ସିକ୍ରେଟ୍‌ ଆକ୍ଟ-୧୯୨୩) ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ଲାଗି ସରକାରଙ୍କ ପକ୍ଷରୁ ଆଟର୍ଣ୍ଣି ଜେନେରାଲ କେ.କେ. ବେଣୁଗୋପାଳ ଦାବି କରିଥିଲେ। ‘ଏଭିଡେନ୍‌ସ ଆକ୍ଟ’ର ୧୨୩ ଧାରା ଅନୁଯାୟୀ ‘ଚୋରି’ ଗୋପନୀୟ ଦସ୍ତାବିଜକୁ ବିଶ୍ବସନୀୟ ପ୍ରମାଣ ଭାବେ ଗ୍ରହଣ କରାଯାଇ ନ ପାରେ ବୋଲି ସେ ଦର୍ଶାଇଥିଲେ। ଏହି ଚୋରି କରି କିମ୍ବା ଅନଧିକାର ଭାବେ ସରକାରୀ ଫାଇଲରୁ ଫଟୋକପି କରି ଉପସ୍ଥାପିତ ଦସ୍ତାବିଜ ଆଧାରରେ ରାଫେଲ ରାୟର ସମୀକ୍ଷା ପାଇଁ ଆବେଦନକୁ ଗ୍ରହଣ ନ କରିବା ଲାଗି ଆଟର୍ଣ୍ଣି ଜେନେରାଲ ନିବେଦନ କରିଥିଲେ।

କିନ୍ତୁ ପ୍ରଧାନ ବିଚାରପତି ନ୍ୟାୟମୂର୍ତ୍ତି ରଞ୍ଜନ ଗୋଗୋଇଙ୍କ ଅଧୢକ୍ଷତାରେ ଗଠିତ ତିନିଜଣିଆ ଖଣ୍ତପୀଠ ଏକ ସର୍ବସମ୍ମତ ରାୟରେ ଆଟର୍ଣ୍ଣି ଜେନେରାଲଙ୍କ ସମସ୍ତ ଯୁକ୍ତିକୁ ଅଗ୍ରାହ୍ୟ କରି ଆବେଦନକାରୀମାନେ ଦାଖଲ କରିଥିବା ‘ଗୋପନୀୟ’ ଦସ୍ତବିଜକୁ ପ୍ରମାଣ ଭାବେ ଗ୍ରହଣ କରି ଏହାର ଆଧାରରେ ପୂର୍ବ ରାୟର ପୁନର୍ବିଚାର ଲାଗି ରାଜି ହୋଇଛନ୍ତି। ଖଣ୍ତପୀଠର ଅଧୢକ୍ଷ ପ୍ରଧାନ ବିଚାରପତି ନ୍ୟାୟମୂର୍ତ୍ତି ଗୋଗୋଇ ଓ ଅନ୍ୟତମ ସଦସ୍ୟ ନ୍ୟାୟମୂର୍ତ୍ତି ଏସ୍‌.କେ.କାଉଲ ଗୋଟିଏ ରାୟ ଲେଖିଥିବା ବେଳେ ନ୍ୟାୟମୂର୍ତ୍ତି କେ.ଟି. ଥୋମାସ୍‌ ଏକ ପୃଥକ୍‌ ଅଥଚ ପରିପୂରକ ରାୟରେ ସରକାରୀ ଗୋପନୀୟତା ଆଳରେ ସମ୍ବିଧାନର ୧୯ ଧାରାରେ ନିଶ୍ଚିତ କରାଯାଇଥିବା ‘ଅଭିବ୍ୟକ୍ତିର ଅଧିକାର’ ଓ ଗଣମାଧୢମର ସ୍ବାଧୀନତା ସହ କୌଣସି ପ୍ରକାର ସାଲିସ କରାଯାଇପାରିବ ନାହିଁ ବୋଲି ମତ ଦେଇଛନ୍ତି। ଦୁଇଟି ପୃଥକ୍‌ ପୃଥକ୍‌ ଅଥଚ ପରସ୍ପରର ପରିପୂରକ ସର୍ବସମ୍ମତ ରାୟର ସାରା˚ଶ ହେଲା, କୌଣସି ଗୋପନୀୟ ଦଲିଲକୁ ପ୍ରକାଶ କରିବା ଲାଗି ନା ଗଣମାଧୢମକୁ ବାରଣ କରାଯାଇପାରିବ, ନା ନ୍ୟାୟପାଳିକା ଏହାକୁ ପ୍ରମାଣ ଭାବେ ଗ୍ରହଣ କରିପାରିବେ ନାହିଁ ବୋଲି କୌଣସି ଆଇନଗତ ବ୍ୟବସ୍ଥା ଅଛି। ବୃହତ୍ତର ଜନସ୍ବାର୍ଥ ଦୃଷ୍ଟିରୁ ଗୋପନୀୟ ଦଲିଲ୍‌ର ପ୍ରକାଶ ପାଇଁ ଗଣମାଧୢମ ଏବ˚ ଏହାର ଯାଞ୍ଚ ଲାଗି ନ୍ୟାୟପାଳିକା ସ˚ପୂର୍ଣ୍ଣ ଭାବେ ଅଧିକାରପ୍ରାପ୍ତ। ଏହା କେବଳ ଅଧିକାର ନୁହେଁ, ଏହି ଦୁଇ ସ˚ସ୍ଥାର କର୍ତ୍ତବ୍ୟ ମଧୢ। ୧୯୭୧ରେ ନ୍ୟୁୟର୍କ ଟାଇମ୍ସ ଦ୍ବାରା ଗୋପନୀୟ ‘ପେଣ୍ଟାଗନ୍‌ ପେପର‌୍‌ସ’ ପ୍ରକାଶ ମାମଲାରେ ଆମେରିକାର ସୁପ୍ରିମ୍‌ କୋଟଙ୍କ ରାୟକୁ ଦୃଷ୍ଟାନ୍ତ ଭାବେ ଗ୍ରହଣ କରି ‘ଦି-ହିନ୍ଦୁ’ ରାଫେଲ୍‌ କାରବାର ନେଇ କେତେକ ଗୋପନୀୟ ଦଲିଲର ପ୍ରକାଶକରି କୌଣସି ଆଇନ ବହିର୍ଭୂତ କାର୍ଯ୍ୟ କରି ନାହାନ୍ତି ବୋଲି ମତ ଦେଇଛନ୍ତି। ରାୟରେ ଉଲ୍ଲେଖ କରାଯାଇଛି ଯେ ସମ୍ବିଧାନର ୧୯ ଧାରାର ୨ ଉପଧାରାରେ ବାକ୍‌ ସ୍ବାଧୀନତା ଉପରେ ଯେତିକି କଟକଣା ଲାଗୁ କରାଯାଇଛି, ତା’ ବ୍ୟତୀତ ଅନ୍ୟ କୌଣସି ଅତିରିକ୍ତ କଟକଣା ଲଗାଯାଇ ପାରିବ ନାହିଁ। ଗୋପନୀୟ ଦଲିଲ ପ୍ରକାଶନ ଦ୍ବାରା ଜାତୀୟ ନିରାପତ୍ତା ବିପନ୍ନ ହେବା ଏବ˚ ଫ୍ରାନ୍ସ ସହ ବୈଦେଶିକ ସମ୍ପର୍କ ପ୍ରଭାବିତ ହେବା ଯୁକ୍ତିକୁ ମଧୢ ଉଚ୍ଚତମ ନ୍ୟାୟାଳୟ ଖାରଜ କରି ଦେଇଛନ୍ତି। ବାକ୍‌ ସ୍ବାଧୀନତାରୁ ବଞ୍ଚିତ କରିବା ଲାଗି ଗୋପନୀୟତା ଏକ ଆଳ ହୋଇ ନ ପାରେ।

ସୁପ୍ରିମ୍‌ କୋର୍ଟଙ୍କ ବୁଧବାର ରାୟର ଆଉ ଏକ ଗୁରୁତ୍ବପୂର୍ଣ୍ଣ ଓ ଉଜ୍ଜ୍ବଳ ଦିଗ ହେଲା ସୂଚନା ଅଧିକାର ଆଇନର ଗୁରୁତ୍ବକୁ ସ୍ବୀକୃତି। ମାନ୍ୟବର ଉଚ୍ଚତମ ନ୍ୟାୟାଳୟ ସ୍ପଷ୍ଟ କରି ଦେଇଛନ୍ତି ଯେ, ଦୁର୍ନୀତି ଓ ମାନବାଧିକାର ପ୍ରସଙ୍ଗରେ ସୂଚନା ହାସଲ ପାଇଁ ଭାରତୀୟ ନାଗରିକଙ୍କୁ ଯେଉଁ ଅଧିକାର ପ୍ରଦାନ କରାଯାଇଛି, ଗୋପନୀୟତା, ଜାତୀୟ ସୁରକ୍ଷା କିମ୍ବା ବୈଦେଶିକ ସମ୍ପର୍କ ପ୍ରଭାବିତ ହେବା ଆଳରେ ସେ ଅଧିକାରର ହନନ ହୋଇ ପାରିବ ନାହିଁ। ଏହା ସ୍ବତଃ ବ୍ରିଟିସ ଶାସନ ଅମଳର ମାନ୍ଧାତିଆ ସରକାରୀ ଗୋପନୀୟତା ଆଇନ-୧୯୨୩ ଉପରେ ୨୦୦୫ରେ ପ୍ରଣୀତ ସୂଚନା ଅଧିକାର ଆଇନର ଅଗ୍ର ପ୍ରାଧାନ୍ୟକୁ ସ୍ବୀକୃତି। ନିଃସନ୍ଦେହ, ବିବାଦୀୟ ରାଫେଲ୍‌ କାରବାର ଉପରେ ବିଚାର କରୁ କରୁ ଗତକାଲି ମାନ୍ୟବର ଉଚ୍ଚତମ ନ୍ୟାୟାଳୟ ତାଙ୍କ ରାୟରେ ଗଣତନ୍ତ୍ରକୁ ଅଧିକ ସୁଦୃଢ଼ କରିବା ଦିଗରେ ଏକ ନୂଆ ମାଇଲଖୁଣ୍ଟ ସ୍ଥାପନ କରିଛନ୍ତି; ଯାହା ବାକ୍‌ ସ୍ବାଧୀନତା, ନିଦ୍ଦଷ୍ଟ ଭାବେ ଗଣମାଧୢମର ସ୍ବାଧୀନତା ଓ ସରକାରୀ ବ୍ୟାପାରରେ ସ୍ବଚ୍ଛତାକୁ ମର୍ଯ୍ୟାଦା ପ୍ରଦାନ କରୁଛି।

ସମ୍ବନ୍ଧିତ ଖବର