ନିର୍ବାଚନର ମିଶ୍ର ଚିତ୍ର

0

ସପ୍ତଦଶ ଲୋକସଭା ନିର୍ବାଚନ ପାଇଁ ପ୍ରଥମ ପର୍ଯ୍ୟାୟ ମତଦାନ ଅବସରରେ ଭାରତୀୟ ନିର୍ବାଚନର ଏକ ମିଶ୍ର ଚିତ୍ର ଦେଖିବାକୁ ମିଳିଛି। ମତଦାନ ପାଇଁ ଭୋଟରଙ୍କ ମଧୢରେ ବିପୁଳ ଉତ୍ସାହ, ଭୋଟ ଗ୍ରହଣ କେନ୍ଦ୍ର ସମ୍ମୁଖରେ ଉଭୟ ପୁରୁଷ ଓ ମହିଳା ଭୋଟରଙ୍କ ଲମ୍ବା ଧାଡ଼ି ବିଶ୍ବର ସର୍ବବୃହତ୍‌ ଗଣତାନ୍ତ୍ରିକ କସରତର ଗୋଟିଏ ସୁଖଦ ତଥା ଉଜ୍ଜ୍ବଳ ଚିତ୍ର ପ୍ରଦାନ କରୁଛି। ଅନ୍ୟପକ୍ଷରେ ମତଦାନ ବେଳେ ବିଭିନ୍ନ ସ୍ଥାନରେ ହି˚ସା ଏକ ନକରାତ୍ମକ ଦୁଃଖଦ ଚିତ୍ର ଉପସ୍ଥାପନ କରୁଛି। କେତେକ ମାଓ ପ୍ରଭାବିତ ଓ ହି˚ସା ଉପଦ୍ରୁତ ଅଞ୍ଚଳରେ ଭୟ ଓ ଆତଙ୍କ ଯୋଗୁଁ ଭୋଟର ମତଦାନ ପାଇଁ ସାହସ କରି ନପାରିବା ଚିତ୍ରକୁ ଅଧିକ ଦୁଃଖଦ କରି ଦେଉଛି।

ସାତ ପର୍ଯ୍ୟାୟ ବିଶିଷ୍ଟ ନିର୍ବାଚନର ପ୍ରଥମ ପର୍ଯ୍ୟାୟରେ ୧୮ଟି ରାଜ୍ୟ ଓ ଦୁଇଟି କେନ୍ଦ୍ରଶାସିତ ଅଞ୍ଚଳର ୯୧ଟି ଲୋକସଭା ଆସନ ପାଇଁ ମତଦାନ ହୋଇଥିଲା। ଆନ୍ଧ୍ରପ୍ରଦେଶ, ଅରୁଣାଚଳ, ଓଡ଼ିଶା ଓ ସିକିମରେ ଲୋକସଭା ସହ ବିଧାନସଭା ପାଇଁ ମଧୢ ମତଦାନ ହୋଇଛି। ଏହି ପର୍ଯ୍ୟାୟରେ ମୋଟ ୧୪ କୋଟି ୨୧ ଲକ୍ଷ ମତଦାତାଙ୍କ ମଧୢରୁ ବିଭିନ୍ନ ରାଜ୍ୟରେ ୬୦%ରୁ ୮୦% ପର୍ଯ୍ୟନ୍ତ ମତଦାନ ହୋଇଛି। ଏପରିକି କେତେକ ରାଜ୍ୟରେ ମତଦାନ ହାର ୮୦%କୁ ମଧୢ ଟପିଯାଇଛି। ଏହା ପ୍ରାରମ୍ଭିକ ଆକଳନ। ଚୂଡ଼ାନ୍ତ ରିପୋର୍ଟର ମତଦାନ ହାର ଆହୁରି ଅଧିକ ହେବା ସମ୍ଭାବନା ରହିଛି। ଯେମିତି, ଓଡ଼ିଶାରେ ଚାଟିଟି ଲୋକସଭା ଓ ୨୮ଟି ବିଧାନସଭା ଆସନରେ ୬୮% ମତଦାନ ହୋଇଥିବା ପ୍ରାରମ୍ଭିକ ଆକଳନ ହୋଇଥିଲା। କିନ୍ତୁ ପରେ ୭୩.୭୬% ମତଦାନ ହୋଇଥିବା ଆଧିକାରିକ ଭାବେ ସୂଚନା ଦିଆଯାଇଛି। ମୋଟାମୋଟି ପ୍ରାୟ ସବୁ ରାଜ୍ୟରେ ଚଉଦ ନିର୍ବାଚନର ମତଦାନ ସହ ସମାନ ଅଥବା ତା’ଠାରୁୁ ଅଳ୍ପ କିଛି କମ୍‌ କିମ୍ବା ଅଧିକ ସ˚ଖ୍ୟାରେ ଭୋଟର ନିଜର ଗଣତାନ୍ତ୍ରିକ ଅଧିକାର ସାବ୍ୟସ୍ତ କରିଛନ୍ତି। ଅନେକ ପାଶ୍ଚାତ୍ୟ ଗଣତନ୍ତ୍ରରେ ସବୁ ନାଗରିକଙ୍କୁ ଭୋଟ ଦାନ ଅଧିକାର ମିଳିନଥିବା ବେଳେ ଭାରତୀୟ ଗଣତନ୍ତ୍ରର ଜନ୍ମଠାରୁ ଭୋଟଦାନ ଅଧିକାରକୁ ସାର୍ବଜନୀନ କରାଯାଇ ପ୍ରତ୍ୟେକ ସାବାଳକଙ୍କୁ ମତଦାନ ଅଧିକାର ଦିଆଯାଇଛି। ସଚେତନତାର ଅଭାବ, ଶିକ୍ଷା, ସାମାଜିକ ଓ ଅର୍ଥନୈତିକ ଅନଗ୍ରସରତା କାରଣରୁ ଗଣତନ୍ତ୍ରର ସାତ ଦଶକ ପରେ ବି ମତଦାନ ହାର ୭୦% ଛୁଇଁ ପାରି ନାହିଁ। ଦୁଇଟି ସାଧାରଣ ନିର୍ବାଚନରେ ଦେଶର ଯୋଗ୍ୟ ଭୋଟରଙ୍କ ମଧୢରୁ ଅଧା ବି ଭୋଟ ଦେଇ ନଥିଲେ। ପରବର୍ତ୍ତୀ ସମୟରେ ୧୯୬୨ରୁ ୨୦୦୯ ପର୍ଯ୍ୟନ୍ତ ହାରାହାରି ମତଦାନ ୫୫%ରୁ ୬୦% ରହିଥିଲେ ମଧୢ କୌଣସି ଥର ଏହା ୬୫% ଛୁଇଁ ନଥିଲା। ଗତ ୨୦୧୪ରେ ମତଦାନ ହାର ପ୍ରଥମ ଥର ପାଇଁ ୬୫% ଟପି ୬୬.୪୪% ହୋଇଥିଲା। ମତଦାନ ହାର ଆହୁରି ବଢ଼ିଲେ ଗଣତନ୍ତ୍ର ଅଧିକ ସମାବେଶୀ ହୋଇପାରିବ। ଅବଶ୍ୟ ଏକ ଉଲ୍ଲେଖନୀୟ ବିଷୟ ହେଲା, ୧୯୬୨ରୁ ୨୦୧୪ ମଧୢରେ ପୁରୁଷଙ୍କ ତୁଳନାରେ ମହିଳାଙ୍କ ମତଦାନ ହାର ଅଧିକ ବୃଦ୍ଧି ପାଇଛି। ଏହି ସମୟ ମଧୢରେ ପୁରୁଷ ମତଦାନ ହାର ୪.୯% ବଢ଼ିଥିବା ବେଳେ ମହିଳା ମତଦାନ ହାର ୧୮.୮% ବଢ଼ି ୪୬.୭%ରୁ ୬୫.୫ରେ ପହଞ୍ଚିଛି। ମତଦାନ ପ୍ରକ୍ରିୟାରେ ଅଧିକ ସ˚ଖ୍ୟାରେ ମହିଳାଙ୍କ ଅ˚ଶଗ୍ରହଣ ଯେ କୌଣସି ଗଣତନ୍ତ୍ର ପାଇଁ ଏକ ସକରାତ୍ମକ ସ˚କେତ।

ନାଗରିକଙ୍କ ମଧୢରେ ନିଜର ଅଧିକାର ଓ ଦାୟିତ୍ବ ପ୍ରତି ସଚେତନତା ବୃଦ୍ଧିର ସୂଚନା ଦେଉଥିବା କ୍ରମାଗତ ମତଦାନ ହାର ବୃଦ୍ଧିର ସି˚ହ ଭାଗ ଶ୍ରେୟ ନିଶ୍ଚୟ ଭାରତର ନିର୍ବାଚନ କମିସନଙ୍କୁ ମିଳିବ। ଭୋଟରଙ୍କ ଘରଠାରୁ ମତଦାନ କେନ୍ଦ୍ରର ଦୂରତା କମାଇବା ପ୍ରତି କମିସନ ବିଶେଷ ଧୢାନ ଦେଇ ଆସୁଛନ୍ତି। ସେଥିପାଇଁ ଭୋଟ ଗ୍ରହଣ କେନ୍ଦ୍ରର ସ˚ଖ୍ୟା ଉଲ୍ଲେଖନୀୟ ଭାବେ ବୃଦ୍ଧି ପାଇଛି। ୧୯୫୨ରେ ୧୭ କୋଟି ୩୨ ଲକ୍ଷ ମତଦାତାଙ୍କ ପାଇଁ ୧ ଲକ୍ଷ ୯୬ ହଜାର ଭୋଟ ଗ୍ରହଣ କେନ୍ଦ୍ର ପ୍ରତିଷ୍ଠା କରାଯାଇଥିଲା। ୨୦୧୪ରେ ୮୩ କୋଟି ୪୧ ଲକ୍ଷ ମତଦାତାଙ୍କ ପାଇଁ ମତଦାନ କେନ୍ଦ୍ର ସ˚ଖ୍ୟା ଥିଲା ୯ ଲକ୍ଷ ୨୮ ହଜାର। ଊଣେଇଶ ନିର୍ବାଚନରେ ୯୦ କୋଟି ମତଦାତାଙ୍କ ପାଇଁ ୧୦ ଲକ୍ଷରୁ ଅଧିକ ମତଦାନ କେନ୍ଦ୍ରର ବ୍ୟବସ୍ଥା କରାଯାଇଛି। ଏତେ ବଡ଼ ଗଣତାନ୍ତ୍ରିକ କସରତର ଆୟୋଜନ ଓ ପରିଚାଳନା ଗୋଟିଏ ହିମାଳୟତୁଲ୍ୟ ଆହ୍ବାନ। କିନ୍ତୁ ସମ୍ବିଧାନର ୩୨୪ ଧାରାରେ ଦିଆଯାଇଥିବା କ୍ଷମତା, ଏକ ଅଣ-ରାଜନୈତିକ ଅମଲାତନ୍ତ୍ର ଓ ଉନ୍ନତ ବୈଷୟିକ କାରିଗରି କୌଶଳର ଉପଯୋଗ ଜରିଆରେ ଆହ୍ବାନର ମୁକାବିଲାରେ କମିସନ ଅନେକ ମାତ୍ରାରେ ସଫଳ ବୋଲି କୁହାଯିବ। ପ୍ରଥମ ପର୍ଯ୍ୟାୟରେ ପ୍ରଥମ ଥର ପାଇଁ ବ୍ୟବହାର ହୋଇଥିବା ଭିଭିପାଟ୍‌ର ମାତ୍ର ୧.୭% ଏବ˚ ୧.୭୩% ଇଭିଏମ୍‌ରେ ତ୍ରୁଟି ଏକ ଆଶ୍ବାସନାର ବିଷୟ। ତେବେ ନିର୍ବାଚନର ଅବାଧ ଓ ମୁକ୍ତ ଚରିତ୍ର ନିଶ୍ଚିତ କରିବା ଦିଗରେ କମିସନଙ୍କୁ ଆହୁରି ଅଧିକ ବାଟ ଯିବାକୁ ପଡ଼ିବ। ନିର୍ବାଚନ ମୁକ୍ତ ଓ ଅବାଧ ହେବା ସହ ମତଦାତାଙ୍କ ସକ୍ରିୟତା ଓ ଆଗ୍ରହ ଯୋଡ଼ି ହୋଇଛି। ନିର୍ବାଚନ ଯେତିକି ଅଧିକ ମୁକ୍ତ ଓ ଅବାଧ ହେବ, ନିର୍ବାଚନରେ ମତଦାତାଙ୍କ ଅ˚ଶଗ୍ରହଣ ମଧୢ ସେତିକି ଅଧିକ ବଢ଼ିବ। ଏ ଦିଗରେ କମିସନ୍‌ ଅଧିକ ଯତ୍ନଶୀଳ ହେବେ ବୋଲି ଆଶା।

ଅବାଧ ଓ ମୁକ୍ତ ନିର୍ବାଚନ ପରିଚାଳନା ପ୍ରତି ସବୁଠାରୁ ବଡ଼ ବିପଦ ହେଲା ହି˚ସା। ହି˚ସା ଏକ ଭୟର ବାତାବରଣ ସୃଷ୍ଟି କରେ, ଯାହା ଅବାଧ ଓ ମୁକ୍ତ ନିର୍ବାଚନ ପାଇଁ ଆଦୌ ଅନୁକୂଳ ନୁହେଁ। ଦୁର୍ଭାଗ୍ୟର ବିଷୟ ଯେ, ପ୍ରଥମ ପର୍ଯ୍ୟାୟ ମତଦାନ ବେଳେ ହି˚ସା ଯୋଗୁ ଅନେକ ସ୍ଥାନରେ ନିର୍ବାଚନ ପ୍ରଭାବିତ ହୋଇଛି। ଆନ୍ଧ୍ର ପ୍ରଦେଶରେ ଶାସକ ତେଲୁଗୁଦେଶମ୍‌ ଓ ଅନ୍ୟତମ ଆଞ୍ଚଳିକ ଦଳ ଵାଇଏସ୍‌ଆର‌୍‌ କ˚ଗ୍ରେସର କର୍ମୀଙ୍କ ମଧୢରେ ସ˚ଘର୍ଷ ଘଟି ୨ ଜଣଙ୍କ ମୃତ୍ୟୁ ହୋଇଛି। କଶ୍ମୀରର ବାରମୂଳା ଆସନରେ ସୁରକ୍ଷା କର୍ମୀଙ୍କ ଗୁଳିରେ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଛି। ଉତ୍ତରପ୍ରଦେଶରେ କେତେକ ବୁଥ୍‌ରେ ଫାଙ୍କା ଗୁଳି ଚାଳନା କରି ମତଦାତାଙ୍କୁ ଆତଙ୍କିତ କରାଯାଇଥିଲା। ଏହାଛଡ଼ା ଅନେକ ସ୍ଥାନରେ ଇଭିଏମ୍‌ ଭଙ୍ଗା ଘଟଣା ଘଟିଥିବା କମିସନ୍‌ ସୂଚନା ଦେଇଛନ୍ତି। ପଶ୍ଚିମବଙ୍ଗରେ କେତେକ ଆସନରେ ହି˚ସା ଯୋଗୁ ମତଦାନ ପ୍ରଭାବିତ ହୋଇଥିବା ବିଜେପି ନିର୍ବାଚନ କମିସନ୍‌ଠାରେ ଅଭିଯୋଗ କରିଛି। ମତଦାନରେ ଇଭିଏମ୍‌ର ପ୍ରବର୍ତ୍ତନ ପରେ ବହୁବର୍ଷ ପର୍ଯ୍ୟନ୍ତ ନିର୍ବାଚନକୁ ଆକ୍ରାନ୍ତ କରି ଆସିଥିବା ‘ବୁଥ୍‌ ଦଖଲ’ ଏବେ ଇତିହାସ। କିନ୍ତୁ ହି˚ସାର ଭୟ, ଟଙ୍କା ଓ ମଦର ପ୍ରଲୋଭନ ଦେଖାଇ ମତଦାନକୁ ପ୍ରଭାବିତ କରିବା ଉଦ୍ୟମ ଏକ ପରୋକ୍ଷ ‘ବୁଥ୍‌ ଦଖଲ’ ବୋଲି କୁହାଯାଇପାରେ। ନିର୍ବାଚନରେ ବାହୁବଳ ଓ ଅର୍ଥବଳ ସ˚କ୍ରମଣର ଏହା ପରିଣତି। ପ୍ରଥମ ପର୍ଯ୍ୟାୟରେ ପ୍ରତିଦ୍ବନ୍ଦ୍ବିତା କରୁଥିବା ୧୭% ପ୍ରାର୍ଥୀଙ୍କ ବିରୋଧରେ ଆପରାଧିକ ମାମଲା ରହିଛି। ପ୍ରାର୍ଥୀଙ୍କ ମଧୢରେ ଏକ ତୃତୀୟା˚ଶରୁ ଅଧିକ କୋଟିପତି। ବିଭିନ୍ନ ସ୍ଥାନରେ ହି˚ସା ଯଦି ବାହୁବଳର ପ୍ରକୋପ ବୃଦ୍ଧିର ଅଶୁଭ ସ˚କେତ, ତେବେ ବର୍ତ୍ତମାନ ସୁଦ୍ଧା ୬୦୭ କୋଟି ନଗଦ ଟଙ୍କା ସମେତ ୨,୪୨୬ କୋଟି ଟଙ୍କା ମୂଲ୍ୟର ସୁନା ରୁପା, ମଦ ଓ ଅନ୍ୟ ମାଦକ ଦ୍ରବ୍ୟ ଜବତ ହେବା ଅର୍ଥବଳର ପ୍ରାଦୁର୍ଭାବ ପ୍ରତି ଇଙ୍ଗିତ। ଅର୍ଥବଳ ଓ ବାହୁବଳ ଉପରେ ପ୍ରଭାବଶାଳୀ ଅଙ୍କୁଶ ବିନା ଅବାଧ ଓ ମୁକ୍ତ ନିର୍ବାଚନ ସମ୍ଭବ ନୁହେଁ।

ପ୍ରଥମ ପର୍ଯ୍ୟାୟ ମତଦାନ ବେଳେ ମିଳିଥିବା ଆଉ ଏକ ଦୁଃଖଦ ଚିତ୍ର ହେଲା ବ୍ୟାଲଟ ଉପରେ ବୁଲେଟର ବିଜୟ। ଓଡ଼ିଶା, ଆନ୍ଧ୍ର, ଛତିଶଗଡ଼ ଓ ମହାରାଷ୍ଟ୍ରର ମାଓ ଉପଦ୍ରୁତ ଇଲାକାରେ ୩୦ରୁ ଅଧିକ ବୁଥ୍‌ରେ ଲାଲ ଆତଙ୍କର ଭୟ ମତଦାତାଙ୍କ ଠାରୁ ଭୋଟଦାନ ଅଧିକାର ଛଡ଼ାଇ ନେଇଛି। ଆତଙ୍କବାଦ ଆଗରେ ରାଷ୍ଟ୍ରର କ୍ଷମତା ଦୁର୍ବଳ ପଡୁଥିବାର ଏହା ଅସୁସ୍ଥ ସ˚କେତ। ଆତଙ୍କବାଦର ଭୟରେ କେତେକ ବୁଥ୍‌ରେ ‘ଶୂନ’ ମତଦାନ ହୋଇଥିବା ବେଳେ ଆଉ କେତେକ ସ୍ଥାନରେ ଏହା ମତଦାନ ହାରକୁ ପ୍ରଭାବିତ କରିଛି। ଜମ୍ମୁ ଅଞ୍ଚଳର ୭୦%ରୁ ଅଧିକ ମତଦାନ ହୋଇଥିବା ବେଳେ ଆତଙ୍କବାଦ ଉପଦ୍ରୁତ କଶ୍ମୀର ଉପତ୍ୟକାରେ ମତଦାନ ହାର ମାତ୍ର ୩୫%ରେ ସୀମିତ ରହିବା ନିର୍ବାଚନ ଉପରେ ଆତଙ୍କବାଦର ପ୍ରତିକୂଳ ପ୍ରଭାବର ଗୋଟିଏ ଦୁଃଖଦ ଉଦାହରଣ। ନିର୍ବାଚନ ପ୍ରକ୍ରିୟାକୁ ହି˚ସା ଓ ଆତଙ୍କବାଦର ଛାଇରୁ ମୁକ୍ତ ରଖିବା ଲାଗି ନିରାପତ୍ତା ବ୍ୟବସ୍ଥାକୁ ଅଧିକ କଡ଼ାକଡ଼ି କରିବାକୁ ପଡ଼ିବ। ଫଳରେ ଭୋଟରଙ୍କ ମନରେ ସୁରକ୍ଷା ନେଇ ବିଶସ୍ବାସ ଜନ୍ମିବ। ନିର୍ବାଚନକୁ ଆତଙ୍କବାଦର ଛାଇରୁ ମୁକୁଳାଇବା ଲାଗି କଡ଼ା ସୁରକ୍ଷା ତ ଆବଶ୍ୟକ। କିନ୍ତୁ ନିର୍ବାଚନକୁ ରାଜନୈତିକ ହି˚ସାରୁ ମୁକ୍ତ ରଖିବା ଲାଗି ପ୍ରତିଦ୍ବନ୍ଦ୍ବୀ ଦଳଙ୍କ ଭୂମିକା ଅଧିକ ଗୁରୁତ୍ବପୂର୍ଣ୍ଣ। ନିର୍ବାଚନୀ ହି˚ସା ରୋକିବା ଲାଗି ରାଜନୈତିକ ଦଳଙ୍କ ଠାରୁ ଅଧିକ ଦାୟିତ୍ବବୋଧ ଓ ଗଣତାନ୍ତ୍ରିକ ଆଚରଣ ଓ ଉଚ୍ଚାରଣ ଆଶା କରାଯାଏ। ଗଣତନ୍ତ୍ରରେ ସବୁ ମତବାଦ ପାଇଁ ସ୍ଥାନ ଅଛି କିନ୍ତୁ ଆତଙ୍କବାଦ କିମ୍ବା ହି˚ସା ଓ ଅସହିଷ୍ଣୁତା ଲାଗି କୌଣସି ସ୍ଥାନ ନାହିଁ।

ସମ୍ବନ୍ଧିତ ଖବର

Leave A Reply

Your email address will not be published.