ଏହା ବର୍ତ୍ତମାନ ବେଶ୍ ଜଣାଶୁଣା ଯେ ଭାରତୀୟ ବ୍ୟାଙ୍କ୍ମାନେ ଏକ ଗୁରୁତର ‘ଖରାପ ଋଣ’ ସମସ୍ୟାର ସମ୍ମୁଖୀନ। ସାଧାରଣ ଭାବରେ କହିଲେ ଯେଉଁ ଋଣ ଉପରେ ଠିକଣା ସମୟରେ ସୁଧ ଆଦାୟ ହୋଇ ପାରୁ ନଥାଏ, ତାହା ହେଉଛି ଏକ ଖରାପ ଋଣ। ଋଣ ଖରାପ ହୋଇଯିବା ଅର୍ଥ ବ୍ୟାଙ୍କ୍ ପାଇଁ ଆୟର ସ୍ରୋତ ଶୁଖି ଯିବା। ଏହି ଆୟକୁ ବ୍ୟବହାର କରି ବ୍ୟାଙ୍କ୍ ତାର ଜମାକାରୀମାନଙ୍କୁ ସୁଧ ପ୍ରଦାନ କରିଥାଏ। ଏଣୁ ଯଦି ଅଧିକରୁ ଅଧିକ ଋଣ ଖରାପ ହେବାରେ ଲାଗେ ତାହା ସମ୍ପୃକ୍ତ ବ୍ୟାଙ୍କ୍ ଓ ତାର ଜମାକାରୀମାନଙ୍କ ପାଇଁ ବିପଦ ସୃଷ୍ଟି କରିଥାଏ। ଏହି ପରିପ୍ରେକ୍ଷୀରେ ଉଲ୍ଲେଖଯୋଗ୍ୟ ଯେ ଭାରତର ମୋଟ ୩୮ଟି ପଞ୍ଜୀକୃତ ବାଣିଜ୍ୟିକ ବ୍ୟାଙ୍କ୍ମାନଙ୍କର ମୋଟ ଖରାପ ଋଣ ପରିମାଣ ବର୍ତ୍ତମାନ (ଜୁନ୍ ଚଉଠ ଶେଷ ସୁଦ୍ଧା)୮ ଲକ୍ଷ କୋଟି ଟଙ୍କା ଟପି ଗଲାଣି। ଏହା ହେଉଛି ବ୍ୟାଙ୍କ୍ମାନେ ଦେଇଥିବା ମୋଟ ଋଣର ପ୍ରାୟ ୧୧%। ନିର୍ଦ୍ଧାରିତ ନିୟମ ଅନୁଯାୟୀ ଖରାପ ଋଣ ଅନୁପାତ ୭% ଭିତରେ ରହିବା ହେଉଛି ନିରାପଦ। ଅର୍ଥାତ୍ ଭାରତୀୟ ବ୍ୟାଙ୍କ୍ ମାନଙ୍କର ଖରାପ ଋଣ ପରିସ୍ଥିତି ବିପଦ ସୀମା ଲଂଘନ କରିସାରିଲାଣି। ରିଜର୍ଭବ୍ୟାଙ୍କ୍ର ଜଣେ ଅବସରପ୍ରାପ୍ତ ଡେପୁଟି ଗଭର୍ଣ୍ଣର କିନ୍ତୁ କହିଛନ୍ତି ଯେ ଯଦି ସବୁ ପ୍ରକାର ସମସ୍ୟାଗ୍ରସ୍ତ ଋଣମାନଙ୍କୁ ହିସାବକୁ ନିଆଯାଏ ତେବେ ବ୍ୟାଙ୍କ୍ମାନଙ୍କର ମୋଟ ଖରାପ ଋଣ ପରିମାଣ ହେବ ୨୦ ଲକ୍ଷ କୋଟି ଟଙ୍କା! ତାତ୍ପର୍ଯ୍ୟପୂର୍ଣ୍ଣ ଭାବରେ ଦେଶର ବ୍ୟାଙ୍କ୍ ଶିଳ୍ପର ୭୦% ୨୧ଟି ରାଷ୍ଟ୍ରାୟତ୍ତ ବ୍ୟାଙ୍କ୍ମାନଙ୍କ ନିୟନ୍ତ୍ରଣରେ ଥିବା ବେଳେ ଖରାପ ଋଣ ସବୁର ୯୦% ଦେଖିବାକୁ ମିଳେ ଏହି ୨୧ଟି ରାଷ୍ଟ୍ରାୟତ୍ତ ବ୍ୟାଙ୍କ୍ମାନଙ୍କ ଖାତାରେ।
Sambad is now on WhatsApp
Join and get latest news updates delivered to you via WhatsApp
ଖରାପ ଋଣର ବିଧିବଦ୍ଦ ନାମ ହେଉଛି ‘ଏନ୍ପିଏ’ (ନନ୍ପର୍ଫର୍ମିଙ୍ଗ୍ ଆସେଟ୍)। ମୋଦୀ ସରକାର ବର୍ତ୍ତମାନ ବ୍ୟାଙ୍କ୍ମାନେ ସମ୍ମୁଖୀନ ହୋଇଥିବା ‘ଏନ୍ପିଏ’ ସମସ୍ୟାକୁ ପୂର୍ବର ‘ୟୁପିଏ’ ସରକାରଠାରୁ ଉତ୍ତରାଧିକାର ସୂତ୍ରରେ ମିଳିଥିବା ଏକ ଖାନ୍ଦାନୀ ବୋଝ ରୂପେ ବର୍ଣ୍ଣନା କରି ଏହାର ସମାଧାନ ପାଇଁ ବିଭିନ୍ନ ପଦକ୍ଷେପମାନ ନେବାରେ ଲାଗିଛନ୍ତି। ଏହି ଦିଗରେ ନିଆଯାଇଥିବା ସଦ୍ୟତମ ପଦକ୍ଷେପ ହେଉଛି ଗତ ସପ୍ତାହରେ ପ୍ରଚଳିତ ଦେବାଳିଆ ଆଇନ୍ ‘ଇନ୍ସଲ୍ଭେନ୍ସି ଆଣ୍ଡ୍ ବ୍ୟାଙ୍କ୍ରପ୍ସି କୋଡ୍’ (‘ଆଇବିସି’)ରେ ସଂଶୋଧନ ପାଇଁ ପ୍ରବର୍ତ୍ତନ କରାଯାଇଥିବା ଏକ ଅଧ୍ୟାଦେଶ (ଅର୍ଡିନାନ୍ସ)। ଯେଉଁ କମ୍ପାନି ବା ବ୍ୟବସାୟମାନେ ବ୍ୟାଙ୍କ୍ରୁ ଋଣ ନେଇ ଚୁକ୍ତି ମୁତାବକ ସୁଧ ଦେଉନାହାନ୍ତି ବା ପରିଶୋଧ କରୁନାହାନ୍ତି ସେମାନଙ୍କର ସମ୍ପତ୍ତିକୁ ବାଜ୍ୟାପ୍ତ କରି ଯଥାସମ୍ଭବ ଅର୍ଥ ଆଦାୟ କରିବାରେ ସହାୟତା କରିବା ପାଇଁ ୨୦୧୬ରେ ଏହି ‘ଆଇବିସି’ ପ୍ରଣୟନ କରାଯାଇଥିଲା।
ଏହା କାର୍ଯ୍ୟକାରୀ ହେବା ସମୟରେ କିନ୍ତୁ ଏକ ନୂତନ ବିଶେଷ ଧରଣର ସମସ୍ୟାର ସମ୍ମୁଖୀନ ହେଉଥିବା ଦେଖାଗଲା। ସମସ୍ୟାଟି ଏହିପରି। ଋଣ ଖିଲାପକାରୀ କମ୍ପାନିର ସମ୍ପତ୍ତି ନିଲାମ କରାଯିବା ସମୟରେ ତାହାର ପ୍ରକୃତ ମୂଲ୍ୟରେ ବିଶେଷ ହ୍ରାସ ଘଟାଇବା ଆବଶ୍ୟକ ହୋଇଥାଏ। ବିତ୍ତୀୟ ଭାଷାରେ ଏହି ମୂଲ୍ୟ ହ୍ରାସକୁ ‘ବାଳକଟା’ (ହେଆର୍ କଟ୍) ବୋଲି କୁହାଯାଇଥାଏ। ଅନେକ ସମୟରେ ଦେଖାଯାଇଛି ସମ୍ପୃକ୍ତ କମ୍ପାନିର ପ୍ରତଷ୍ଠୋତା (ପ୍ରମୋଟର୍)ମାନେ ଏହି ବାଳକଟାକୁ ଅପେକ୍ଷା କରି ରହିଥାନ୍ତି। ଯେତେବେଳେ କଟା ହେବା ପରେ ବାଳ ବେଶ୍ ଛୋଟ ହୋଇଯାଏ, ସେମାନେ ନିଲାମ ଧରି କମ୍ପାନିଟିକୁ ପୁଣି କିଣି ନିଅନ୍ତି। ବୁଝାଇବା ଦରକାର ନାହିଁ ଯେ ଏହି ପ୍ରକ୍ରିୟା ସେମାନଙ୍କ ପାଇଁ ଋଣ ଖିଲାପିକୁ ବେଶ୍ ଲାଭଜନକ କରି ତୋଳିଥାଏ। ଦେବାଳିଆ କମ୍ପାନିର ପରିସମ୍ପତ୍ତିର ଏଭଳି ବାଳକଟା ନିଲାମ ସମ୍ପୃକ୍ତ ବ୍ୟାଙ୍କ୍କୁ ଲଣ୍ଡା କରି କମ୍ପାନିର ପ୍ରମୋଟର୍ମାନଙ୍କୁ ପରିପୁଷ୍ଟ କରିବାର ସମ୍ଭାବନା ବହନ କରିଥାଏ। ପ୍ରମୋଟର୍ମାନଙ୍କୁ ନିଲାମରେ ପ୍ରବେଶ କରି ପୁଣି ନିଜ କମ୍ପାନିର ପରିସମ୍ପତ୍ତି କ୍ରୟ କରି କମ୍ପାନିକୁ ନିଜ ନିୟନ୍ତ୍ରଣକୁ ଫେରାଇ ନେବାରୁ ଅଟକାଇବା ପାଇଁ ମୂଳ ଆଇବିସି ଆଇନରେ କୌଣସି ବ୍ୟବସ୍ଥା ନଥିଲା। ଏବେ ଗତ ଗୁରୁବାର ଦିନ ରାଷ୍ଟ୍ରପତିଙ୍କ ସ୍ୱାକ୍ଷର ଲାଭ କରି ବଳବତ୍ତର ହୋଇଥିବା ଅଧ୍ୟାଦେଶ ଆଇବିସିରେ ଥିବା ଉପରୋକ୍ତ ଦୁର୍ବଳତା ଦୂର କରିବା ପାଇଁ ଉଦ୍ଦିଷ୍ଟ।
ଅଧ୍ୟାଦେଶ ଅନୁସାରେ ଦୋଷୀ ପ୍ରମୋଟର୍ମାନେ, ଜାଣିଶୁଣି ଋଣ ଖିଲାପ କରୁଥିବା ବ୍ୟକ୍ତିମାନେ, ଋଣ ଖିଲାପକାରୀମାନଙ୍କର ଗ୍ୟାରେଣ୍ଟର୍ମାନେ ଏବଂ କମ୍ପାନିମାନଙ୍କର ଅଯୋଗ୍ୟ ଘୋଷିତ ନିର୍ଦ୍ଦେଶକମାନେ ଉପରୋକ୍ତ ନିଲାମରେ ଅଂଶଗ୍ରହଣ କରି ପାରିବେ ନାହିଁ। ଏହାର ଅର୍ଥ ଯେଉଁମାନଙ୍କର ପ୍ରତ୍ୟକ୍ଷ ବା ପରୋକ୍ଷ କୁପରିଚାଳନା ଯୋଗୁଁ କମ୍ପାନିଟି ରୁଗ୍ଣ ହୋଇ ଋଣ ପରିଶୋଧ କରିବାକୁ ଅସମର୍ଥ ହୋଇ ପଡ଼ିଥାଏ, ସେମାନେ ଆଇବିସିର ଗଳା ବାଟ ଦେଇ ପୁଣି ଆଉ କମ୍ପାନିଟିକୁ ନିଜ ଅକ୍ତିଆର ମଧ୍ୟକୁ ନେଇ ପାରିବେ ନାହିଁ। ଯେଉଁ ଚିନ୍ତାଧାରା ଏଭଳି ଏକ ପଦକ୍ଷେପ ନେବାକୁ ସରକାରଙ୍କୁ ବାଧ୍ୟ କରିଛି ତାହା ହେଲା କୌଣସି ଯୁକ୍ତିଯୁକ୍ତ ଅର୍ଥନୈତିକ କାରଣ ଯୋଗୁଁ ନୁହେଁ, କମ୍ପାନିର ପ୍ରମୋଟର୍ମାନଙ୍କର ବେପରୁଆ କାର୍ଯ୍ୟ କିମ୍ବା ମନ୍ଦ ଉଦ୍ଦେଶ୍ୟ ପ୍ରଣୋଦିତ କାର୍ଯ୍ୟ ଯୋଗୁଁ ହିଁ କମ୍ପାନିଟି ରୁଗ୍ଣ ହୋଇ ପଡ଼ିଥାଏ। ପ୍ରମୋଯର୍ମାନେ ବା ପରିଚାଳକମାନେ ଋଣ ରାଶିକୁ ଘୋଷିତ କାର୍ଯ୍ୟରେ ବିନିଯୋଗ ନ କରି, ଅନ୍ୟାନ୍ୟ ଅଘୋଷିତ ଉଦ୍ୟୋଗରେ ଲଗାଇ ଦେଇଥାନ୍ତି (ଯେମିତି ବିଜୟ ମାଲ୍ୟା) କିମ୍ବା ସିଧାସଳଖ ଉଡ଼ାଇ ଦେଇଥାନ୍ତି। ଥରେ ବ୍ୟାଙ୍କ୍ଠାରୁ ଏକ ବିଶାଳ ଋଣ ପାଇଯିବା ପରେ ଏହି ଋଣ କର୍ତ୍ତାମାନେ ସେଇ ବ୍ୟାଙ୍କ୍ଠାରୁ ସହଜରେ ଆହୁରି ଅଧିକ ଋଣ ମଧ୍ୟ ପାଇଯାଆନ୍ତି, କାରଣ ବ୍ୟାଙ୍କ୍ ଆଶଶକରେ ନୂଆ ଋଣ ସାହାଯ୍ୟରେ ସେମାନେ ପୁରୁଣା ଋଣ ଉପରେ ସୁଧ ଆଦି ପୈଠ କରି ଋଣଟିକୁ ‘ଏନ୍ପିଏ’ ହେବାରୁ ରକ୍ଷା କରିବେ। ‘ଏନ୍ପିଏ’ ହେଉଛି ବ୍ୟାଙ୍କ୍ ପାଇଁ ଏକ କଳାଦାଗ।
ବ୍ୟାଙ୍କ୍ ମାନଙ୍କର ସ୍ୱାସ୍ଥ୍ୟ ଫେରାଇ ଆଣିବା ପାଇଁ ସରକାରଙ୍କର ଏହି ଉଦ୍ୟମ ପଛରେ ରହିଥିବା ଉଦ୍ବେଗ ବୁଝିବା କଷ୍ଟକର ନୁହେଁ। କିନ୍ତୁ ଅଧ୍ୟାଦେଶଟିର କଠୋରତା ଏବଂ ବ୍ୟାପକତା ଦେଖିଲେ ମନରେ ଏକ ଆଶଙ୍କା ଉପୁଜେ ଯେ ଏହା ଧୁଆମୂଳା ଓ ଅଧୁଆମୂଳାକୁ ସମାନ କରି ଦେଉନାହିଁ ତ? ଦେଶର ସବୁ ଋଗ୍ଣ କମ୍ପାନିର ପ୍ରମୋଟର୍ମାନେ ଜଣେ ଜଣେ ବିଜୟ ମାଲ୍ୟା ନୁହଁନ୍ତି। ବେଳେବେଳେ ବଜାରରେ ଅସ୍ଥିରତା, ଆନ୍ତର୍ଜାତିକ ପରିସ୍ଥିତିରେ ଅଭାବିତ ପରିବର୍ତ୍ତନ, ରାଜନୈତିକ ପରିସ୍ଥିତି କିମ୍ବା ସରକାରୀ ନୀତି ଯୋଗୁଁ ମଧ୍ୟ ଏକ କମ୍ପାନିର ବ୍ୟବସାୟ ବୁଡ଼ିଯାଇପାରେ। ଏଥିପାଇଁ ପ୍ରମୋଟର୍ମାନଙ୍କୁ ଅର୍ଥନୈତିକ ଅସ୍ପୃଶ୍ୟରେ ପରିଣତ କରିବା ନା ନ୍ୟାୟସମ୍ମତ ନା ଫଳପ୍ରଦ ହୋଇପାରେ। ଆଉ ମଧ୍ୟ ଏପରି କେତେକ ଉଦ୍ୟୋଗ ରୁଗ୍ଣ ହୋଇ ପଡ଼ିପାରିଥାନ୍ତି ଯେଉଁଗୁଡ଼ିକୁ ପୁଣି ଚଳନକ୍ଷମ କରିବାର କୌଶଳ କେବଳ ସେଇ ପ୍ରମୋଟର୍ ମାନଙ୍କଠାରେ ହିଁ ଉପଲବ୍ଧ ଥାଏ। ସେମାନଙ୍କୁ ଆଉ ଥରେ ସୁଯୋଗ ନ ଦେବା ଅର୍ଥ ରୋଗୀକୁ ସୁସ୍ଥ କରିବା ପାଇଁ ଉଦ୍ୟମ ନ କରି ମୃତ୍ୟୁ ମୁଖକୁ ଠେଲି ଦେବା। ମୂଳା ଚିହ୍ନଟ ପାଇଁ ଯେ ଆଇନରେ ବ୍ୟବସ୍ଥା ରହିବା ଉଚିତ- ଅଧ୍ୟାଦେଶଟିକୁ ଆଇନ୍ରେ ପରିଣତ କଲାବେଳେ ସରକାର ଏକଥା ନଭୁଲନ୍ତୁ।