ଅସ୍ବଚ୍ଛ ନିର୍ବାଚନ ବଣ୍ତ୍‌

0

ଗତବର୍ଷ ଜାନୁଆରିରେ ରାଜନୈତିକ ଚାନ୍ଦା ପ୍ରସଙ୍ଗରେ ସରକାରଙ୍କ ଦ୍ବାରା ପ୍ରବର୍ତ୍ତିତ ନିର୍ବାଚନ ବଣ୍ତ୍‌ ବିରୋଧରେ ଆଗତ ମାମଲାରେ ମାନ୍ୟବର ସୁପ୍ରିମ୍‌ କୋର୍ଟ ଏକ ମଧୢମ ପନ୍ଥା ଗ୍ରହଣ କରିଛନ୍ତି। ତିନିଦିନ ଧରି ଶୁଣାଣି ପରେ ଅନ୍ତରୀଣ ରାୟରେ ଉଚ୍ଚତମ ନ୍ୟାୟାଳୟ ବଣ୍ତ୍‌ ଉପରେ ରହିତାଦେଶ ଜାରି କରିନାହାନ୍ତି କି ଏହାକୁ ‘କ୍ଲିନ୍‌ଚିଟ’୍‌ ମଧୢ ଦେଇ ନାହାନ୍ତି। ତେବେ, ନିର୍ବାଚନ ବଣ୍ତ୍‌ର ସ୍ବଚ୍ଛତା ଓ ନିର୍ବାଚନର ଶୁଦ୍ଧତା ଉପରେ ଏହାର ପ୍ରଭାବ ତଥା ଏହି ବ୍ୟବସ୍ଥା ସହ ଯୋଡ଼ି ହୋଇଥିବା ଆୟକର ଆଇନ ସମେତ ଅନ୍ୟାନ୍ୟ ଆଇନରେ ସ˚ଶୋଧନର ପୁଙ୍ଖାନୁପୁଙ୍ଖ ତର୍ଜମା ସକାଶେ ଚୂଡ଼ାନ୍ତ ଶୁଣାଣି ଲାଗି ନିଷ୍ପତ୍ତି ନେଇଛନ୍ତି। ଏହା ନିର୍ବାଚନ ବଣ୍ତ୍‌ ବିରୋଧରେ ଆବେଦନକାରୀଙ୍କୁ ନିରାଶ କରିଥାଇପାରେ। କିନ୍ତୁ ରାଜନୈତିକ ଚାନ୍ଦା ପ୍ରସଙ୍ଗରେ ଅସ୍ବଚ୍ଛତାକୁ ପ୍ରଶ୍ରୟ ଦେଇ ନିର୍ବାଚନର ଶୁଦ୍ଧତା ଓ ନିରପେକ୍ଷତାକୁ ପ୍ରଭାବିତ କରିବା ଆଶଙ୍କା ରଖୁଥିବା ଏହି ଆଇନଗତ ବ୍ୟବସ୍ଥା ବିରୋଧରେ ନ୍ୟାୟିକ ହସ୍ତକ୍ଷେପର ଆଶାକୁ ଏହା ଉଜ୍ଜୀବିତ ରଖିଛି।

‘ନିର୍ବାଚନ ବଣ୍ତ୍‌ରେ ସ୍ବ୍ବଚ୍ଛତାର ଅଭାବ ଏକ ଗୁରୁତର ପ୍ରସଙ୍ଗ ଏବ˚ ନିର୍ବାଚନ ବ୍ୟବସ୍ଥାର ଶୁଦ୍ଧତା ଉପରେ ମଧୢ ଏହାର ସୁଦୂରପ୍ରସାରୀ ପ୍ରଭାବ ରହିଛି।’ ଅନ୍ତରୀଣ ରାୟ ପ୍ରକାଶ ବେଳେ ତିନିଜଣିଆ ଖଣ୍ତପୀଠର ଅଧୢକ୍ଷ ତଥା ପ୍ରଧାନ ବିଚାରପତି ରଞ୍ଜନ ଗୋଗୋଇଙ୍କ ଏହି ଟିପ୍ପଣୀରୁ ସ˚କେତ ସ୍ପଷ୍ଟ ଯେ, ବଣ୍ତ୍‌ ବ୍ୟବସ୍ଥା ସପକ୍ଷରେ ସରକାରଙ୍କ ଯୁକ୍ତିକୁ ଅଦାଲତ ଅଗ୍ରାହ୍ୟ କରି ଦେଇଛନ୍ତି। ନିର୍ବାଚନର ଶୁଦ୍ଧତା ଓ ନିରପେକ୍ଷତା ଉପରେ ଏହାର ପ୍ରତିକୂଳ ପ୍ରଭାବ ନେଇ ଉଠାଯାଇଥିବା ଆଶଙ୍କା ଅମୂଳକ ନୁହେଁ ବୋଲି କୋର୍ଟ ଯଥେଷ୍ଟ ଇଙ୍ଗିତ ଦେଇଛନ୍ତି।

ନିର୍ବାଚନ ବଣ୍ତ୍‌ ବିରୋଧରେ ଅନ୍ୟତମ ମୁଖ୍ୟ ଆପତ୍ତି ହେଲା- ଏଥିରେ ଚାନ୍ଦାଦାତା ବା ବଣ୍ତ୍‌ କିଣିଥିବା ବ୍ୟକ୍ତି ବ୍ୟବସାୟିକ/ଶିଳ୍ପାନୁଷ୍ଠାନର ପରିଚୟ ଗୋପନୀୟ ରଖାଯିବା ବ୍ୟବସ୍ଥା ଅସ୍ବଚ୍ଛତାକୁ ପ୍ରଶ୍ରୟ ଦେଉଛି। ଏହା ବିରୋଧରେ ସରକାରଙ୍କ ପକ୍ଷରୁ ଆଟର୍ଣ୍ଣି ଜେନେରାଲ (ଏଜି) କେ.କେ. ଭେନୁଗୋପାଲଙ୍କ ଯୁକ୍ତି ବଡ଼ ବିଚିତ୍ର। ଏଜିଙ୍କ ଯୁକ୍ତି ଥିଲା, ରାଜନୈତିକ ଦଳମାନେ କେଉଁଠୁ ଚାନ୍ଦା ପାଇଲେ, ସେମାନଙ୍କ ଆୟର ଉତ୍ସ କ’ଣ, ଏ ସବୁ ବିଷୟରେ ସାଧାରଣ ମତଦାତା ଜାଣିବାର କୌଣସି ଆବଶ୍ୟକତା ନାହିଁ। ସେ ଆହୁରି ମଧୢ ଯୁକ୍ତି କରିଥିଲେ ଯେ ନିର୍ବାଚନରେ କଳାଧନର ପ୍ରାଦୁର୍ଭାବକୁ ପ୍ରତିହତ କରିବା ଉଦ୍ଦେଶ୍ୟରେ ନିର୍ବାଚନ ବଣ୍ତ୍‌ ଏକ ପରୀକ୍ଷା। ଆଟର୍ଣ୍ଣି ଜେନେରାଲଙ୍କ ପ୍ରଥମ ଯୁକ୍ତି ନିର୍ବାଚନରେ ସ୍ବଚ୍ଛତା ଆଣିବା ଲାଗି ସୁପ୍ରିମ୍‌କୋର୍ଟ ପୂର୍ବରୁ ଦେଇଥିବା ଅନେକ ରାୟର ବିରୋଧାଭାସ। ସୁପ୍ରିମ୍‌କୋର୍ଟଙ୍କ ରାୟ ଓ ବିଭିନ୍ନ ସମୟରେ ଜାରି ନିର୍ଦ୍ଦେଶାବଳୀ ଅନୁଯାୟୀ ନିର୍ବାଚନରେ ପ୍ରତିଦ୍ବନ୍ଦ୍ବିତା କରୁଥିବା ପ୍ରାର୍ଥୀମାନଙ୍କ ଶିକ୍ଷାଗତ ଯୋଗ୍ୟତା, ଆୟ, ସମ୍ପତ୍ତି ପରିମାଣ ଓ ଆପରାଧିକ ମାମଲା ସମ୍ପର୍କରେ ସୂଚନା ଦେବାକୁ ବାଧୢତାମୂଳକ କରାଯାଇଛି। ଯଦି ପ୍ରାର୍ଥୀଙ୍କ ସମ୍ପର୍କରେ ସମସ୍ତ ବ୍ୟକ୍ତିଗତ ତଥ୍ୟ ମତଦାତାର ଜାଣିବାର ଅଧିକାର ଅଛି, ତେବେ ସେହି ପ୍ରାର୍ଥୀଙ୍କୁ ମନୋନୀତ କରିଥିବା ରାଜନୈତିକ ଦଳଙ୍କ ଆୟ ଓ ଆୟର ଉତ୍ସ ସମ୍ପର୍କରେ ଜାଣିବାର ଅଧିକାରରୁ ମତଦାତାକୁ ବଞ୍ଚିତ କରାଯିବ କିପରି? ପ୍ରଚଳିତ ନିର୍ବାଚନ ବଣ୍ତ୍‌ ବ୍ୟବସ୍ଥାରେ କେଉଁ ଦଳକୁ କିଏ, କେତେ ଚାନ୍ଦା ଦେଇଛି ତାହା ଗୋପନୀୟ। ଯେଉଁ ଦଳର ମନୋନୀତ ପ୍ରାର୍ଥୀଙ୍କୁ ସେମାନେ ବାଛୁଛନ୍ତି, ସେହି ଦଳ କେଉଁଠୁ ଚାନ୍ଦା ପାଇ ପ୍ରାର୍ଥୀଙ୍କ ପାଇଁ ନିର୍ବାଚନରେ ଖର୍ଚ୍ଚ କରୁଛି, ତାହା ମତଦାତା ଜାଣିବା ଦରକାର। ଏହା ନିର୍ବାଚନରେ ସ୍ବଚ୍ଛତା ତଥା ନିର୍ବାଚନର ଅବାଧ, ମୁକ୍ତ ଚରିତ୍ର ସହ ଓତଃପ୍ରୋତ ଭାବେ ଯୋଡ଼ି ହୋଇଛି। ଉପଯୁକ୍ତ ପ୍ରତିନିଧି ଚୟନ ପାଇଁ ମତଦାତାର ଭୋଟ ଅଧିକାରର ଗୋଟିଏ ଅବିଚ୍ଛେଦ୍ୟ ଅ˚ଶ ହେଲା ଜାଣିବାର ଅଧିକାର। ଏ ପ୍ରସଙ୍ଗରେ ନିର୍ବାଚନ ଆୟୋଗଙ୍କ ମତ ସରକାରଙ୍କ ମତର ସମ୍ପୂର୍ଣ୍ଣ ବିପରୀତ। ଉଚ୍ଚତମ ନ୍ୟାୟାଳୟରେ କମିସନଙ୍କ ପକ୍ଷରୁ ଦାଖଲ ସତ୍ୟପାଠରେ କୁହାଯାଇଛି ଯେ, ନିର୍ବାଚନ ବଣ୍ତ୍‌ ବ୍ୟବସ୍ଥାରେ ଚାନ୍ଦାଦାତାଙ୍କ ଗୋପନୀୟତାକୁ ଆଇନଗତ ମାନ୍ୟତା ଦିଆଯାଇଛି। ଫଳରେ ପ୍ରାର୍ଥୀଙ୍କ ନିର୍ବାଚନ ଖର୍ଚ୍ଚର ସୂତ୍ର ସମ୍ପର୍କରେ ମତଦାତାମାନେ ଅସମ୍ପୂର୍ଣ୍ଣ ତଥ୍ୟ ପାଉଛନ୍ତି; ଯାହା ସ୍ବଚ୍ଛତାର ପରିପନ୍ଥୀ ଏବ˚ ନିଷ୍ପତ୍ତି ନେବାରେ ମତଦାତାଙ୍କ ପାଇଁ ବାଧକ।

ସରକାରଙ୍କ ଦ୍ବିତୀୟ ଯୁକ୍ତି- ନିର୍ବାଚନରେ କଳାଧନର ପ୍ରାଦୁର୍ଭାବ ଉପରେ ଅଙ୍କୁଶ ଲାଗି ନିର୍ବାଚନ ବଣ୍ତ୍‌ ଏକ ଆୟୁଧ। ଏହା କେବଳ ଧର୍ମକୁ ଆଖିଠାର। ବର˚, କୁହାଯାଇପାରେ ନିର୍ବାଚନ ପାଇଁ କଳାଧନର ଆଗମନ ଲାଗି ଏହା ଏକ ଆଇନସିଦ୍ଧ ଦ୍ବାର। କୌଣସି ବ୍ୟବସ୍ଥାରେ ଗୋପନୀୟତା ସ୍ବତଃ ଅସ୍ବଚ୍ଛ ଓ ଅସାଧୁ କାରବାରକୁ ପ୍ରଶ୍ରୟ ଦେଇଥାଏ। ନିର୍ବାଚନ ବଣ୍ତ୍‌ରେ ବ୍ୟାଙ୍କ୍‌ ମାଧୢମରେ ଚାନ୍ଦା ଆସୁଥିଲେ ମଧୢ ଏଥିରେ କଳାଧନ ପାଇଁ ଅନେକ ଗଳାବାଟ ରହିଛି। ନିର୍ବାଚନ ବଣ୍ତ୍‌ରେ ଏମିତି କେତେକ ବ୍ୟବସ୍ଥା ରହିଛି ଯାହା ଆପେ ଅସ୍ବଚ୍ଛତାକୁ ପ୍ରୋତ୍ସାହନ ଏବ˚ କଳାଧନ ପାଇଁ ଗଳାବାଟ। (୧) ଚାନ୍ଦା ଦେଉଥିବା ବ୍ୟକ୍ତି, ବ୍ୟବସାୟିକ ଅନୁଷ୍ଠାନ ଓ କର୍ପୋରେଟ୍‌ ସ˚ସ୍ଥାଙ୍କ ନାମ ଗୋପନୀୟ ରହିବ। (୨) ବ୍ୟବସାୟିକ ସ˚ସ୍ଥାଙ୍କ ଆୟ-ବ୍ୟୟର ହିସାବରେ ଚାନ୍ଦା ପରିମାଣ ଉଲ୍ଲେଖ ବାଧୢତାମୂଳକ ନୁହେଁ। (୩) ପୂର୍ବରୁ ବ୍ୟବସାୟିକ ଓ କର୍ପୋରେଟ୍‌ ସ˚ସ୍ଥାମାନେ ଲାଭର କେତେ ଭାଗ ରାଜନୈତିକ ଚାନ୍ଦା ଦେଇପାରିବେ ତାର ଗୋଟିଏ ସୀମା ଧାର୍ଯ୍ୟ ହୋଇଥିଲା। କିନ୍ତୁ ନିର୍ବାଚନ ବଣ୍ତ୍‌ ବ୍ୟବସ୍ଥାରେ ରାଜନୈତିକ ଚାନ୍ଦା ଲାଗି କୌଣସି ସୀମା ନାହିଁ। (୪) ରାଜନୈତିକ ଚାନ୍ଦା ଦେବା ଲାଗି ଗୋଟିଏ କମ୍ପାନି ଅନ୍ତତଃ ୩ ବର୍ଷ ପୂର୍ବରୁ ପ୍ରତିଷ୍ଠା ହୋଇଥିବା ଜରୁରୀ ନୁହେଁ। ଫଳରେ ରାତାରାତି ‘ସେଲ୍‌ କମ୍ପାନି’ ଖୋଲାଯାଇ କଳାଟଙ୍କାକୁ ରାଜନୈତିକ ଚାନ୍ଦା ଭାବେ ଧଳାରେ ପରିଣତ କରାଯାଇପାରେ। ଏତେ ସବୁ ଛିଦ୍ର ସତ୍ତ୍ବେ ନିର୍ବାଚନ ବଣ୍ତ୍‌ କଳାଧନ ଉପରେ ଅଙ୍କୁଶ ବୋଲି ସରକାରଙ୍କ ଯୁକ୍ତି ହାସ୍ୟାସ୍ପଦ ମନେ ହେଉଛି। ନିର୍ବାଚନ ଆୟୋଗ ମଧୢ ସରକାରଙ୍କ ଏହି ଯୁକ୍ତିକୁ ଦୃଢ଼ ଭାବେ ଖଣ୍ତନ କରିଛନ୍ତି। ଆୟୋଗଙ୍କ ସ୍ପଷ୍ଟ ମତ ହେଲା ଯେ ଏହା ନିର୍ବାଚନରେ କଳାଧନକୁ ପ୍ରୋତ୍ସାହନ। ନିର୍ବାଚନ ବଣ୍ତ୍‌ ସମ୍ପର୍କରେ ଆୟୋଗଙ୍କ ପକ୍ଷରୁ କୋର୍ଟରେ ଦାଖଲ ହିସାବ ସୂଚନା ଦେଉଛି ଯେ ଏ ବ୍ୟବସ୍ଥା କ୍ଷମତାସୀନ ଦଳକୁ ଏକପାଖିଆ ଭାବେ ସୁହାଉଛି। ନିର୍ବାଚନ ବଣ୍ତ ଜରିଆରେ ମିଳିଥିବା ୨୨୧ କୋଟି ଟଙ୍କାର ଚାନ୍ଦାରୁ କେବଳ ଶାସକ ଦଳ ବିଜେପିକୁ ମିଳିଛି ୨୧୦ କୋଟି ଟଙ୍କା। ଅନ୍ୟ ଦଳମାନଙ୍କ ଭାଗରେ ମାତ୍ର ୧୧ କୋଟି ଟଙ୍କା ମିଳିଛି। ଏହା ନିଶ୍ଚୟ ଏକ ବିପଜ୍ଜନକ ସ˚କେତ। ଚାନ୍ଦା ଦୃଷ୍ଟିରୁ ନିର୍ବାଚନ ବଣ୍ତ୍‌ ଶାସକ ଦଳ ସହ ଅନ୍ୟ ପ୍ରତିଦ୍ବନ୍ଦ୍ବୀଙ୍କ ପାଇଁ ନିର୍ବାଚନରେ ଏକ ସମତଳ ପ୍ରାଙ୍ଗଣ ଦେଉନାହିଁ। ସରକାରୀ ନୀତି ଓ ନିଷ୍ପତ୍ତିକୁ ନିଜ ସପକ୍ଷରେ ପ୍ରଭାବିତ କରିବା ଲାଗି ରାଜନୈତିକ ଚାନ୍ଦାକୁ ଆୟୁଧ କରାଯିବା ଆଶଙ୍କାକୁ ମଧୢ ଅସ୍ବୀକାର କରାଯାଇ ନପାରେ।

ଗୋଟିଏ ଗଣତାନ୍ତ୍ରିକ ବ୍ୟବସ୍ଥା, ଯେଉଁଠି ନିର୍ବାଚନ ଖର୍ଚ୍ଚ ପାଇଁ କୌଣସି ରାଷ୍ଟ୍ରୀୟ ପାଣ୍ଠି ନାହିଁ, ସେଠାରେ ରାଜନୈତିକ ଦଳମାନେ କେଉଁଠୁ ପାଣ୍ଠି ପାଉଛନ୍ତି, ତାହା ସାଧାରଣ ନାଗରିକ ଜାଣିବା ଏକାନ୍ତ ଆବଶ୍ୟକ। ସରକାରରେ ଥାଉ ଅବା ବିରୋଧୀ ପକ୍ଷରେ, ଗୋଟିଏ ରାଜନୈତିକ ଦଳର ନୀତି, କାର୍ଯ୍ୟକ୍ରମର ମୂଲ୍ୟାୟନ ଲାଗି ସମ୍ପୃକ୍ତ ଦଳର ଆୟର ସ୍ରୋତ ସମ୍ପର୍କରେ ସବିଶେଷ ସୂଚନା ମତଦାତାଙ୍କ ପାଇଁ ଉପଲବ୍‌ଧ ହେବା ଗୋଟିଏ ଗଣତାନ୍ତ୍ରିକ ବ୍ୟବସ୍ଥାରେ ଜରୁରୀ। ଅନ୍ୟଥା ସରକାରୀ ବିରୋଧୀ ନିର୍ବିଶେଷରେ ଦଳଙ୍କ ନୀତି ଓ କାର୍ଯ୍ୟକ୍ରମ ନେଇ ସନ୍ଦେହର ଅବକାଶ ଅବଶ୍ୟ ରହିବ। ଆଶା, ମାନ୍ୟବର ସୁପ୍ରିମ୍‌ କୋର୍ଟ ନିର୍ବାଚନ ଆୟୋଗ, ଆବେଦନକାରୀ ‘ଆସୋସିଏସିନ୍‌ ଫର ଡିମୋକ୍ରାଟିକ୍‌ ରାଇଟ୍‌ସ’ (ଏଡିଆର‌୍‌) ଓ ଅନ୍ୟ ସମସ୍ତ ପକ୍ଷଙ୍କ ତଥ୍ୟ ଓ ଯୁକ୍ତିର ଆଲୋକରେ ନିର୍ବାଚନ ବଣ୍ତ୍‌ର ବିଚାର କରି ଏକ ଚୂଡ଼ାନ୍ତ ଫଇସଲା ଶୁଣାଇବେ; ଯାହା ରାଜନୈତିକ ଚାନ୍ଦା ପ୍ରସଙ୍ଗରେ ସ୍ବଚ୍ଛତା, ନିର୍ବାଚନ ପ୍ରକ୍ରିୟାରେ ଶୁଦ୍ଧତା, ମତଦାତାଙ୍କ ଜାଣିବାର ଅଧିକାର ସୁରକ୍ଷା ଦିଗରେ ସହାୟକ ହୋଇ ଭାରତୀୟ ଗଣତନ୍ତ୍ରକୁ ଆହୁରି ଅଧିକ ସୁଦୃଢ଼ କରିବ।

ସମ୍ବନ୍ଧିତ ଖବର

Leave A Reply

Your email address will not be published.