ବିମୁଦ୍ରାୟନର ଯନ୍ତ୍ରଣା

0

ଭାରତ ସରକାରଙ୍କ ଚଳିତ ଦଶକର ସବୁଠାରୁ ବିବାଦୀୟ ନିଷ୍ପତ୍ତି- ବିମୁଦ୍ରାୟନକୁ ଅଠେଇଶ ମାସ ବିତିଗଲାଣି। କିନ୍ତୁ ବିମୁଦ୍ରାୟନ ଜନିତ ଯନ୍ତ୍ରଣାର ତଥାପି ଉପଶମ ହୋଇ ପାରିନାହିଁ। ବିଶେଷ କରି, ନିଯୁକ୍ତି କ୍ଷେତ୍ରରେ ଏହାର ଘାତକ ପ୍ରଭାବର କୁପରିଣାମ ଏବେ ମଧୢ ଦେଶର ଶ୍ରମଶକ୍ତି ଭୋଗୁଛନ୍ତି। ନିଯୁକ୍ତି ସୁଯୋଗର ଉତ୍କଟ ମରୁଡ଼ିର ମାଡ଼ରୁ ତ୍ରାହି ପାଇବା ଲାଗି ଉତ୍ପାଦନକ୍ଷମ ଶ୍ରମଶକ୍ତି ବାଟ ଖୋଜି ପାଉନାହାନ୍ତି। ଅଜିମ ପ୍ରେମ୍‌ଜୀ ବିଶ୍ବବିଦ୍ୟାଳୟ ପକ୍ଷରୁ ସଦ୍ୟ ପ୍ରକାଶିତ ‘ଷ୍ଟେଟ୍‌ ଅଫ୍‌ ଵାର୍କି˚ ଇଣ୍ତିଆ- ୨୦୧୯’ ରିପୋର୍ଟର ଏହାହିଁ ନିର୍ଯାସ।

ସିଏମ୍‌ଆଇଇ (ସେଣ୍ଟର ଫର ମନିଟରି˚ ଅଫ୍‌ ଇଣ୍ତିଆନ୍‌ ଇକୋନମି) ପକ୍ଷରୁ ୧,୬୦,୦୦ ପରିବାରଙ୍କଠାରୁ ସ˚ଗୃହୀତ ନିଯୁକ୍ତି ଓ ରୋଜଗାର ସ˚କ୍ରାନ୍ତ ମୌଳିକ ତଥ୍ୟ ଆଧାରରେ ପ୍ରସ୍ତୁତ ‘ଷ୍ଟେଟ୍‌ ଅଫ୍‌ ଵାର୍କି˚ ଇଣ୍ତିଆ’ ରିପୋର୍ଟ ଅନୁଯାୟୀ ୨୦୧୬, ନଭେମ୍ବର ବିମୁଦ୍ରାୟନ ପରେ ୨୦୧୮ ଶେଷ ସୁଦ୍ଧା ଦୁଇ ବର୍ଷରେ ଅତିିକମ୍‌ରେ ୫୦ ଲକ୍ଷ ନିଯୁକ୍ତି ହଜି ଯାଇଛି। ୨୦୧୧ ତୁଳନାରେ ୨୦୧୮ରେ ଦେଶରେ ବେକାରି ହାର ଦୁଇଗୁଣ ବୃଦ୍ଧି ପାଇ ୬% ଟପିବା ପଛରେ ମଧୢ ବିମୁଦ୍ରାୟନର ଏକ ନିର୍ଣ୍ଣାୟକ ଅବଦାନ ଥିବା ରିପୋର୍ଟରେ ଇଙ୍ଗିତ କରାଯାଇଛି। ଅବଶ୍ୟ, ଏହା ପ୍ରଥମ ନୁହେଁ ଯେତେବେଳେ କୌଣସି ରିପୋର୍ଟରେ ବେକାରି ସମସ୍ୟା ପାଇଁ ବିମୁଦ୍ରାୟନକୁ ପରୋକ୍ଷରେ କିମ୍ବା ପ୍ରତ୍ୟକ୍ଷରେ ଦାୟୀ କରାଯାଇଛି। ଏହା ପୂର୍ବରୁ ସିଏମ୍‌ଆଇଇର ରିପୋର୍ଟରେ ମଧୢ କେବଳ ୨୦୧୮ରେ କୋଟିଏରୁ ଅଧିକ ନିଯୁକ୍ତି ଉଚ୍ଛେଦର ଏକ ପ୍ରମୁଖ କାରଣ ଭାବେ ବିମୁଦ୍ରାୟନ ଆଡ଼କୁ ଅଙ୍ଗୁଳି ନିର୍ଦ୍ଦେଶ କରାଯାଇଥିଲା। ଅନେକ ବିଶେଷଜ୍ଞ ଓ ଅର୍ଥନୈତିକ ବିଶାରଦ ମଧୢ ଅନୁରୂପ ମତପୋଷଣ କରିଛନ୍ତି। ଅବଶ୍ୟ, ସରକାରଙ୍କ ପକ୍ଷରୁ ଦୃଢ଼ ଭାବେ ଏହାର ଖଣ୍ତନ କରାଯାଇଛି। ଅଜିମ ପ୍ରେମ୍‌ଜୀ ବିଶ୍ବବିଦ୍ୟାଳୟର ସଦ୍ୟ ପ୍ରକାଶିତ ରିପୋର୍ଟରେ ବେକାରିର ଯେଉଁ ଉତ୍କଟ ଚିତ୍ର ଅଙ୍କାଯାଇଛି, ଖୋଦ୍‌ ସରକାରଙ୍କ ‘ଅପ୍ରକାଶିତ’ ଏନ୍‌ଏସ୍‌ଏସ୍‌ଓ ରିପୋର୍ଟରେ ମଧୢ ତାହା ପ୍ରତିଫଳିତ ହୋଇଥିଲା। ଏନ୍‌ଏସ୍‌ଏସ୍‌ଓ ରିପୋର୍ଟକୁ ‘ଅସମ୍ପୂର୍ଣ୍ଣ’ କହି ସରକାର ଚପାଇ ଦେଇଛନ୍ତି। ରିପୋର୍ଟ ଚପାଇ ଦେଲେ ବାସ୍ତବତା ଲୁଚିି ଯିବ ନାହିଁ।

ଅପ୍ରୀତିକର ହେଲେ ସୁଦ୍ଧା ନିଷ୍ଠୁର ବାସ୍ତବତା ହେଲା, ବିମୁଦ୍ରାୟନର ପ୍ରଭାବରେ ଆରମ୍ଭ ହୋଇଥିବା ନିଯୁକ୍ତି ସ˚କୋଚନର ଧାରା ଜାରି ରହିଛି। ଏକ ଆକଳନ ଅନୁଯାୟୀ ୨୦୧୮ ଜାନୁଆରି- ଏପ୍ରିଲରେ ଗ୍ରାମାଞ୍ଚଳ କର୍ମକ୍ଷମ ଲୋକଙ୍କ ମଧୢରୁ ୭୨% ବିଭିନ୍ନ ପ୍ରକାର କାମଧନ୍ଦାରେ ନିୟୋଜିତ ଥିଲେ। କିନ୍ତୁ ୨୦୧୮ ଡିସେମ୍ବର ବେଳକୁ ନିଯୁକ୍ତିରେ ଥିବା ଲୋକଙ୍କ ଭାଗ ୬୮% କୁ ଖସି ଆସିଛି। ସହରାଞ୍ଚଳରେ ମଧୢ ସମାନ ଅବସ୍ଥା। ନିଯୁକ୍ତିରେ ଥିବା ସହରୀ ଲୋକଙ୍କ ଭାଗ ୬୮%ରୁ ୬୫%କୁ ଖସି ଆସିଛି। ନିଯୁକ୍ତିରେ ଥିବା ଶ୍ରମଶକ୍ତିର ଏହି ହିସାବ ସହ ଅପ୍ରକାଶିତ ଏନ୍‌ଏସ୍‌ଏସ୍‌ଓ ରିପୋର୍ଟରଆକଳନ ମଧୢ ମେଳ ଖାଉଛି। ଏନ୍‌ଏସ୍‌ଏସ୍‌ଓ ରିପୋର୍ଟ ଅନୁଯାୟୀ ୨୦୧୧-୧୨ରେ ୩୦.୪ କୋଟି ଲୋକ ନିଯୁକ୍ତିରେ ଥିଲେ। ୨୦୧୭-୧୮ ବେଳକୁ ଏହି ସ˚ଖ୍ୟା ୨୮.୬ କୋଟିକୁ କମି ଆସିଛି। ପ୍ରତ୍ୟେକ ବର୍ଷ ଦେଶରେ ଅନ୍ୟୂନ କୋଟିଏ ନିଯୁକ୍ତି ଆଶାୟୀ ରୋଜଗାର ତଲାସରେ ବାହାରୁଥିବା ବେଳେ ଶ୍ରମଶକ୍ତିର ସ˚କୋଚନ ଏକ ଅଶୁଭ ସ˚କେତ। ଏହାର ଅର୍ଥ ଚାହିଦା ମୁତାବକ ନୂଆ ନିଯୁକ୍ତି ସୃଷ୍ଟି ହେଉ ନାହିଁ। ଅଥଚ, ଅନ୍ୟପକ୍ଷରେ ପୂର୍ବରୁ ସୃଷ୍ଟି ହୋଇଥିବା କିଛି ନିଯୁକ୍ତି ହଜି ଯାଉଛି। ପରିଣତି, ବେକାରି ସମସ୍ୟା ଉତ୍କଟରୁ ଉତ୍କଟତର ହୋଇ ଚାଲିଛି। ଏଥିରୁ ମଧୢ ଏହା ସ୍ପଷ୍ଟ ଯେ, ନୂଆ ନିଯୁକ୍ତି ସୁଯୋଗ ସୃଷ୍ଟି ଲାଗି ଗତ ପାଞ୍ଚବର୍ଷରେ ପ୍ରବର୍ତ୍ତିତ ‘ମେକ୍‌ ଇନ୍‌ ଇଣ୍ତିଆ’ ‘ଷ୍ଟାର୍ଟ ଅଫ୍‌ ଇଣ୍ତିଆ’ ଆଦି ବିଭିନ୍ନ ଯୋଜନାରୁ ଆଖିଦୃଶିଆ ସୁଫଳ ମିଳି ନାହିଁ।

‘ଷ୍ଟେଟ୍‌ ଅଫ୍‌ ଵାର୍କି˚ ଇଣ୍ତିଆ’ ରିପୋର୍ଟରେ ପ୍ରତିଫଳିତ ବେକାରିର ଉତ୍କଟ ଚିତ୍ରର ଗୋଟିଏ ଅତ୍ୟନ୍ତ ଉଦ୍‌ବେଗଜନକ ଦିଗ ହେଲା- ଯେତିକି ଅଧିକ ଶିକ୍ଷିତ, ସେତେ ଅଧିକ ବେକାରି ଆଶଙ୍କା। ଅର୍ଥାତ୍‌ ଅଳ୍ପ ଶିକ୍ଷିତଙ୍କ ମଧୢରେ ବେକାରିଙ୍କ ଭାଗ ଯେତିକି, ଶିକ୍ଷିତଙ୍କ ମଧୢରେ ବେକାରଙ୍କ ଭାଗ ତା’ଠାରୁ ବହୁଗୁଣ ଅଧିକ। ୨୦୧୬- ୨୦୧୮ ଦୁଇ ବର୍ଷରେ ପଞ୍ଚମ ଶ୍ରେଣୀ କିମ୍ବା ତା’ଠାରୁ କମ୍‌ ଶିକ୍ଷା ପ୍ରାପ୍ତଙ୍କ ପାଇଁ ନିଯୁକ୍ତି କ୍ଷେତ୍ରରେ ଅଭିବୃଦ୍ଧି ୪୫% ହୋଇଥିବା ବେଳେ ଦ୍ବାଦଶ ପର୍ଯ୍ୟନ୍ତ ଶିକ୍ଷିତ ଓ ସ୍ନାତକଙ୍କ ପାଇଁ ନିଯୁକ୍ତିରେ ଅଭିବୃଦ୍ଧି ଯଥାକ୍ରମେ ୧୨% ଓ ୬% ହୋଇଛି। ଗୋଟିଏ ପକ୍ଷରେ ଶିକ୍ଷାର ପ୍ରସାର ଫଳରେ ସ୍ନାତକ ଓ ବିଭିନ୍ନ ବୈଷୟିକ ଡିଗ୍ରିଧାରୀଙ୍କ ସ˚ଖ୍ୟା ବଢ଼ି ବଢ଼ି ଚାଲିଛି। ଅଥଚ ଅନ୍ୟପକ୍ଷରେ ଏହି ଶିକ୍ଷିତ ସ୍ନାତକଙ୍କ ପାଇଁ ନିଯୁକ୍ତିର ସୁଯୋଗ ନାହିଁ। ସେଥିପାଇଁ ସାଧାରଣ ଭାବେ ବେକାରି ହାର ୩%ରୁ ୬%କୁ ବୃଦ୍ଧି ପାଇଥିବା ବେଳେ ସ୍ନାତକଙ୍କ ମଧୢରେ ବେକାରି ହାର ୧୦%ରୁ ୧୫%କୁ ବୃଦ୍ଧି ପାଇଛି। ଏହା ସାମାଜିକ ଦୃଷ୍ଟିରୁ ଏକ ଗୁରୁତର ସମସ୍ୟା। ବିଶ୍ବର ଯୁବ ଲୋକସ˚ଖ୍ୟାର ସର୍ବାଧିକ ଭାରତୀୟ। କିନ୍ତୁ ଦେଶର ବିଶାଳ ବେକାରି ବାହିନୀର ୮୦% ହେଉଛନ୍ତି ୧୫ରୁ ୨୯ ବର୍ଷ ବୟସ ବର୍ଗର। ‘ତରୁଣ ଭାରତ’ର ଏହା ଏକ ବିଡ଼ମ୍ବିତ ଚିତ୍ର।

କେବଳ ବିଭିନ୍ନ ରିପୋର୍ଟରେ ଉଲ୍ଲେଖ ଥିବା ପରିସ˚ଖ୍ୟାନ ନୁହେଁ, ନିୟମିତ ବ୍ୟବଧାନରେ ଗଣମାଧୢମରେ ଶିରୋନାମାକୁ ଆସୁଥିବା ଖବର ମଧୢ ଅଧିକରୁ ଅଧିକ ଗମ୍ଭୀର ରୂପ ନେଉଥିବା ବେକାରି ସମସ୍ୟାର ଦୁଃଖଦ ଚିତ୍ର ଉପସ୍ଥାପନ କରେ। ଗତ ୨୦୧୮ ଫେବ୍ରୁଆରିରେ ପ୍ରକାଶିତ ଏକ ଖବର। ତାମିଲନାଡୁରେ ୯,୬୦୦ ଟାଇପିଷ୍ଟ, ଷ୍ଟେନୋଗ୍ରାଫର, ଗ୍ରାମ୍ୟ ପ୍ରଶାସନିକ ଅଧିକାରୀ ପଦରେ ନିଯୁକ୍ତି ଲାଗି ବିଜ୍ଞପ୍ତି ପ୍ରକାଶ ପାଇଲା। ଆବେଦନକାରୀଙ୍କ ସ˚ଖ୍ୟା ଥିଲା ପ୍ରାୟ ୧୯ ଲକ୍ଷ। ଆବେଦନକାରୀଙ୍କ ମଧୢରେ ଥିଲେ ୯୯୬ ପିଏଚ୍‌ଡ଼ି, ୨,୩୦୦ ଏମ୍‌ଫିଲ୍‌, ଏମ୍‌ବିଏ. ଏମ୍‌ଟେକ୍‌ ଡିଗ୍ରୀଧାରୀ। ୨୦୧୮ ମାର୍ଚ୍ଚରେ ପ୍ରକାଶିତ ଆଉ ଏକ ଖବର ଅନୁଯାୟୀ ରେଳବାଇରେ ୯୦ ହଜାର ଚାକିରି ପାଇଁ ଆବେଦନକାରୀଙ୍କ ସ˚ଖ୍ୟା ଥିଲା ପ୍ରାୟ ୨ କୋଟି। ବର୍ଷକ ପରେ ଏବେ ଅବସ୍ଥା କ’ଣ? ୨୦୧୯ ଫେବ୍ରୁଆରିର ଗୋଟିଏ ଖବର। ତାମିଲନାଡୁରେ ୧୧୪ ସଫେଇ କର୍ମଚାରୀ ପଦ ପାଇଁ ଏମ୍‌ବିଏ, ଏମ୍‌ଟେକ୍‌, ବିଟେକ୍‌ ଡିଗ୍ରୀଧାରୀଙ୍କ ସମେତ ଆବେଦନକାରୀଙ୍କ ସ˚ଖ୍ୟା ଥିଲା ୪,୬୦୦। ରାଜସ୍ଥାନରେ ସଚିବାଳୟରେ ୧୮ଟି ଚତୁର୍ଥ ଶ୍ରେଣୀ କର୍ମଚାରୀ ପଦ ଲାଗି ଇଞ୍ଜିନିୟର, ଏମ୍‌ବିଏଙ୍କ ସମେତ ଆବେଦନକାରୀଙ୍କ ସ˚ଖ୍ୟା ୧୨,୪୫୩। ଅବସ୍ଥା ସୁଧୁରିବା ପରିବର୍ତ୍ତେ ଯେ ଅଧିକରୁ ଅଧିକ ବିଗିଡ଼ି ଚାଲଛି, ଏହା ତା’ର ଅଶୁଭ ସ˚କେତ।

ରାସ୍ତାକଡ଼ରେ ଚା’ ଦୋକାନ, ‘ଫାଷ୍ଟଫୁଡ୍‌’ ଠେଲା ସ˚ଖ୍ୟା ନିଶ୍ଚୟ ବଢ଼ିଛି। ‘ଡେଲିଭରି ବୟ’ ‘ଟ୍ୟାକ୍ସି ଡ୍ରାଇଭର’ ଭାବେ ନିଯୁକ୍ତି ପାଇଁ ସୁଯୋଗ ସ˚ପ୍ରସାରିତ ହୋଇଛି। କିନ୍ତୁ ଏହାକୁ ‘ଆତ୍ମ ନିଯୁକ୍ତି’ କିମ୍ବା ‘ଅର୍ଥପୂର୍ଣ୍ଣ ନିଯୁକ୍ତି’ କୁହାଯାଇ ପାରିବ ନାହିଁ। ଏହା ଅନେକ ଶିକ୍ଷିତଙ୍କ ପାଇଁ ଏକ ବାଧୢବାଧକତା। ନେତାଏ ଚା’ ଓ ପକୋଡି ବିକାକୁ ‘ଆତ୍ମ ନିଯୁକ୍ତି’ର ଆଖ୍ୟା ଦେଇ ଉତ୍କଟ ବେକାରି ସମସ୍ୟା ଉପରୁ ଧୢାନ ହଟାଇବାକୁ ଚେଷ୍ଟା କରିପାରନ୍ତି। କିନ୍ତୁ ସମସ୍ୟା ଯେଉଁଠି କି ସେଇଠି। କୌଣସି ଚା’ ବିକାଳି କିମ୍ବା ପକୋଡ଼ି ଦୋକାନୀ ସ୍ବପ୍ନ ଦେଖି ନଥାଏ ଯେ, ତା’ପୁଅ ମଧୢ ତା’ପରି ଚା’ ପକୋଡି ଦୋକାନ ଖୋଲୁ। କଷ୍ଟକରି ଏଥିପାଇଁ ପୁଅ- ଝିଅଙ୍କୁ ସେ ସ୍କୁଲ, କଲେଜ ପଠାଇ ଶିକ୍ଷିତ କରିନାହିଁ। କିନ୍ତୁ ଶିକ୍ଷାନୁଯାୟୀ ନିଯୁକ୍ତି କାହିଁ? କିନ୍ତୁ ନା ଏ ବାସ୍ତବତାକୁ ନା ବିମୁଦ୍ରାୟନର ଘାତକ ପ୍ରଭାବକୁ ସରକାର ମାନିବାକୁ ପ୍ରସ୍ତୁତ। କେବଳ ଶିକ୍ଷିତ ନୁହେଁ, ଲିଙ୍ଗ ନିର୍ବିଶେଷରେ ପ୍ରତ୍ୟେକ କର୍ମକ୍ଷମ ବ୍ୟକ୍ତି ପାଇଁ ଯୋଗ୍ୟତା ଭିତ୍ତିରେ କାମଧନ୍ଦା ଯୋଗାଇ ଦେବା ଏକ କଲ୍ୟାଣମୂଳକ ରାଷ୍ଟ୍ରର ଦାୟିତ୍ବ। ଆଶା, ନିର୍ବାଚନ ପରବର୍ତ୍ତୀ ସରକାର ରାଷ୍ଟ୍ରର ଏହି କର୍ତ୍ତବ୍ୟ ପାଳନ ଲାଗି ଆବଶ୍ୟକ ନୀତି ଗ୍ରହଣ କରି ଉତ୍କଟ ବେକାରି ସମସ୍ୟାର ପ୍ରଭାବଶାଳରୀ ମୁକାବିଲା ଦିଗରେ ପ୍ରୟାସ କରିବେ।

ସମ୍ବନ୍ଧିତ ଖବର

Leave A Reply

Your email address will not be published.