ଆମ ଗଣତାନ୍ତ୍ରିକ ଚରିତ୍ର

ସପ୍ତଦଶ ଲୋକସଭା ପାଇଁ ସାତ ପର୍ଯ୍ୟାୟ ବିଶିଷ୍ଟ ସାଧାରଣ ନିର୍ବାଚନ ଶେଷ ହେବା ପରେ ଦଳମତ ନିର୍ବିଶେଷରେ ନେତା, ରାଜନୈତିକ କର୍ମୀ, ବୁଦ୍ଧିଜୀବୀ, ସାମାଜିକ କର୍ମୀଙ୍କ ସମେତ ଆମ୍‌ଜନତା ଗୋଟିଏ ଦାବିକୁ ପୁଣି ଦୋହରାଇବେ ଯେ, ଭାରତର ଗଣତନ୍ତ୍ର ଆଉ ଏକ ପରୀକ୍ଷାରେ ସଫଳତାର ସହ ଉତ୍ତୀର୍ଣ୍ଣ ହୋଇ ଏକ ନୂଆ ମାଇଲ ଖୁଣ୍ଟ ଅତିକ୍ରମ କରିଛି। ଏ ପ୍ରକାର ଦାବି ଆଦୌ ଅଯଥାର୍ଥ ମଧୢ ନୁହେଁ। ଭାରତର ସ୍ବାଧୀନତାକୁ ବିରୋଧ କରି ପୂର୍ବତନ ବ୍ରିଟିସ୍‌ ପ୍ରଧାନମନ୍ତ୍ରୀ ଵିନ୍‌ଷ୍ଟନ୍‌ ଚର୍ଚ୍ଚିଲ୍‌ କହିଥିଲେ- ‘ଭାରତ ସ୍ବାଧୀନ ହେଲେ ଦଳେ ଖଣ୍ଟ ତସ୍କର, ନିର୍ବୋଧଙ୍କ ହାତକୁ କ୍ଷମତା ଚାଲିଯିବ। ଭାରତୀୟ ନେତାମାନଙ୍କ ବୌଦ୍ଧିକ ସ୍ତର ଅତ୍ୟନ୍ତ ନିମ୍ନମାନର, ‘ପାଳ ମଣିଷ’ ଭଳି ସେମାନେ ଦୁର୍ବଳ। ସେମାନଙ୍କ ମୁହଁରେ ମଧୁର ବଚନ, ଅଥଚ ମନ ଓ ହୃଦୟରେ ଖଳ ବୁଦ୍ଧି। ସେମାନେ କ୍ଷମତା ପାଇଁ ପରସ୍ପର ସହ ଲଢେ଼ଇ କରିବେ ଓ ଭାରତ ଅରାଜକତା ମଧୢରେ ଡୁବିଯିବ।’ ଗତ ସାଢେ଼ ସାତ ଦଶକର ଅଭିଜ୍ଞତା କହୁଛି, ଭାରତୀୟ ନେତା ଓ ଜନତା ଚର୍ଚ୍ଚିଲଙ୍କୁ ଭୁଲ ପ୍ରମାଣିତ କରିଛନ୍ତି। ସ୍ବାଧୀନତା ପାଇଥିବା ବିଶ୍ବର ଅନେକ ଉପନିବେଶ କ୍ଷମତା ପାଇଁ ଲଢେ଼ଇ ଯୋଗୁ ଅରାଜକତା ଭିତରେ ଏକଛତ୍ରବାଦ ଆଡ଼କୁ ଟାଣି ହୋଇ ଯାଉଛନ୍ତି। କିନ୍ତୁ ଭାରତ ଗଣତନ୍ତ୍ର ରାସ୍ତାରେ ତା’ର ଯାତ୍ରା ଜାରି ରଖିଛି। ୧୯୪୯, ନଭେମ୍ବର ୨୫ରେ ସମ୍ବିଧାନ ସଭାରେ ଏକ ଭାଷଣରେ ସମ୍ବିଧାନ ପ୍ରଣେତା ବିଆର‌୍‌ ଆମ୍ବେଦକର ସ୍ବାଧୀନତା ପରବର୍ତ୍ତୀ ଭାରତର ଭବିଷ୍ୟତ ସମ୍ପର୍କରେ ତିନିଟି ସତର୍କବାଣୀ ଶୁଣାଇଥିଲେ। ସେଥିରୁ ଗୋଟିଏ ଥିଲା, ଭାରତ ଭଳି ଏକ ଦେଶରେ ଗଣତନ୍ତ୍ର ଏକଛତ୍ରବାଦରେ ରୂପାନ୍ତରିତ ହେବା ଆଶଙ୍କା ନେଇ ସତର୍କତା। ଭାରତବାସୀ ସତର୍କ ରହିଛନ୍ତି ଓ ସମ୍ବିଧାନ ଅନୁଯାୟୀ ଏକ ସ˚ସଦୀୟ ଗଣତାନ୍ତ୍ରିକ ବ୍ୟବସ୍ଥା ଚଳାଇ ରଖିଛନ୍ତି। ସାର୍ବଜନୀନ ଭୋଟ ଅଧିକାର ସହ ନିୟମିତ ନିର୍ବାଚନ ଏହାର ବଳିଷ୍ଠ ପ୍ରମାଣ।

ତେବେ ବିଶ୍ବର ସର୍ବବୃହତ୍‌ ଗଣତାନ୍ତ୍ରିକ କସରତ ନିୟମିତ ନିର୍ବାଚନକୁ ଦେଖାଇ ଦେଶରେ ଗଣତନ୍ତ୍ରର ସଫଳତା ଦାବି କରି ବିଶ୍ବ ସମୁଦାୟଙ୍କ ପ୍ରଶ˚ସା ସାଉଁଟୁଥିବା ପ୍ରତ୍ୟେକ ଭାରତୀୟ ନିଶ୍ଚୟ ଅନୁଭବ କରୁଥିବେ ଯେ, ଦେଶବାସୀଙ୍କ ସାମୂହିକ ଗଣତାନ୍ତ୍ରିକ ଚରିତ୍ରର କ୍ରମାଗତ ଅଧୋପତନ ଘଟୁଛି। ଗଣତନ୍ତ୍ରର ଜୟଯାତ୍ରାରେ ଗଣତାନ୍ତ୍ରିକ ନୀତି, ଆଦର୍ଶ, ମୂଲ୍ୟବୋଧ ଅବକ୍ଷୟମୁଖୀ ହୋଇପଡିିଛି। ବିଶିଷ୍ଟ ଆମେରିକୀୟ ଲେଖକ ମାର୍କ ଟ୍ବାଇନ୍‌ଙ୍କ ଗୋଟିଏ ମନ୍ତବ୍ୟ ଥିଲା, ମଣିଷ କେତେ ତଳକୁ ଖସି ଯାଇପାରେ, ତାହା ନିର୍ବାଚନ ସମୟରେ ଦେଖିବାକୁ ମିଳେ। ଏବେ ନିର୍ବାଚନ ସମୟରେ ଆମ ନେତାଏ କେତେ ତଳକୁ ଖସି ପାରନ୍ତି ଓ ସାମୂହିକ ଭାବେ ଭାରତୀୟ ଆମ୍‌ ଜନତାଙ୍କ ସାମୂହିକ ଗଣତାନ୍ତ୍ରିକ ଚରିତ୍ରରେ କେମିତି ଦ୍ରୁତ ସ୍ଖଳନ ଘଟୁଛି, ତାହା ଦେଖିବାକୁ ମିଳୁଛି। ପ୍ରତି ନିର୍ବାଚନ ପରେ ଭାରତରେ ଗଣତନ୍ତ୍ର ସୁଦୃଢ଼ ହେଉଛି ବୋଲି ଆମେ ଦାବି କରିପାରୁ। କିନ୍ତୁ ବାସ୍ତବରେ ପ୍ରତ୍ୟେକ ନିର୍ବାଚନ ପରେ ଗାଣତନ୍ତ୍ରିକ ନୀତି, ଆଦର୍ଶ, ମୂଲ୍ୟବୋଧ ଆହୁରି ଅଧିକ ଦୁର୍ବଳ ହେଉଛି। ଏହାର ମୂଳ କାରଣ ହେଲା ଯେନତେନ ପ୍ରକାରେଣ ଭୋଟ ଜିଣିବାର ବ୍ୟଗ୍ରତା।

ଜାତି, ଧର୍ମ ନାମରେ ଭୋଟ ଭିକ୍ଷା କେବଳ ଅନୈତିକ ଓ ଗଣତନ୍ତ୍ରର ପରିପନ୍ଥୀ ନୁହେଁ, ଅପରାଧ ମଧୢ। ନିର୍ଦ୍ଦିଷ୍ଟ ଭାବେ ଆଇନରେ ଏବ˚ ଆଦର୍ଶ ନିର୍ବାଚନ ଆଚରଣ ବିଧିରେ ଏଥିପାଇଁ ବାରଣ କରାଯାଇଛି। କିନ୍ତୁ ଖୋଲାଖୋଲି ଜାତି ଓ ଧର୍ମ ନାମରେ ମତଦାତାଙ୍କ ସମର୍ଥନ ହାସଲ ଲାଗି ପ୍ରୟାସ ଚାଲିଛି। କିଏ ‘ଅଲ୍ଲୀ’, ‘ବଜରଙ୍ଗବଲୀ’ଙ୍କୁ ଏକାଠି କରାଉଛି ତ ଆଉ କେହି ଅଲ୍ଲୀ ଓ ବଜରଙ୍ଗବଲୀଙ୍କୁ ପରସ୍ପରଠାରୁ ଅଲଗା କରି ବିଭାଜନ ରେଖା ଟାଣୁଛି। ଉଦ୍ଦେଶ୍ୟ ସମାନ- ଧର୍ମ ଓ ଜାତିକୁ ବ୍ୟବହାର କରି ଭୋଟ ବେପାର। ଶାସକ ପକ୍ଷର ନେତା ଯଦି ନିଜର ‘ପଛୁଆ ଜାତି’ ପରିଚୟକୁ ବେକରେ ଝୁଲାଇ ବୁଲୁଛନ୍ତି, ତେବେ ପ୍ରତିପକ୍ଷ ବିରୋଧୀ ନେତା ନିଜ କାନ୍ଧର ପଇତା ଦେଖାଇବାକୁ ପଛାଉ ନାହାନ୍ତି। ଏ ପ୍ରକାର ଆଚରଣରେ ମଧୢ ଆପତ୍ତି ନଥାନ୍ତା, ଯଦି ସା˚ପ୍ରଦାୟିକ ଜାତିଆଣ ବିଦ୍ବେଷ ସୃଷ୍ଟି ପାଇଁ ଉଚ୍ଚାରଣରେ ସଚେତନ ଉଦ୍ୟମ ହୁଅନ୍ତା ନାହିଁ। ଏହା କେବଳ ଅବାଧ, ମୁକ୍ତ ନିର୍ବାଚନ ତଥା ଗଣତାନ୍ତ୍ରିକ ଭାବନାର ପ୍ରତିକୂଳ ନୁହେଁ ଦେଶର ଏକତା, ଅଖଣ୍ତତାର ମଧୢ ପରିପନ୍ଥୀ। ଗୋଟିଏ ପଟେ ଦେଶର ଏକତା, ଅଖଣ୍ତତା ଓ ଜାତୀୟ ନିରାପତ୍ତାକୁ ପ୍ରସଙ୍ଗ କରି ଭୋଟ ମଗାଯାଉଛି, ଅନ୍ୟପଟେ ଦେଶର ଅବିଚ୍ଛେଦ୍ୟ ଅଙ୍ଗ କଶ୍ମୀର ଓ କଶ୍ମୀରୀ ବିରୋଧୀ ସ୍ଲୋଗାନ୍‌ ଦିଆଯାଉଛି। ଏହାଦ୍ବାରା କଶ୍ମୀର ଭାରତର ଏକ ଭୌଗୋଳିକ ଅ˚ଶ ହୋଇ ରହିବ ସିନା ଭାରତ ସହ କଶ୍ମୀରୀଙ୍କ ଆବେଗିକ ସମ୍ପର୍କ ନିଶ୍ଚୟ ପ୍ରଭାବିତ ହେବ। ପରସ୍ପର ବିରୋଧରେ ଅଶାଳୀନ ମନ୍ତବ୍ୟ, ବ୍ୟକ୍ତିଗତ କୁତ୍ସାରଟନା ନିର୍ବାଚନର ପରିବେଶକୁ କଳୁଷିତ କରି ଦେଉଛି। ଆଦର୍ଶ ଆଚରଣ ବିଧି ଉଲ୍ଲ˚ଘନ ନେଇ ନିର୍ବାଚନ ଆୟୋଗଙ୍କ ପାଖରେ ଗଦା ଗଦା ଅଭିଯୋଗ। ଏଥିରୁ କ୍ବଚିତ୍‌ କୌଣସି ଅଭିଯୋଗ ଉପରେ କିଛି କାର୍ଯ୍ୟାନୁଷ୍ଠାନ ହେଉଛି। ଅଧିକା˚ଶ ଅଭିଯୋଗ ଉପରେ ଆୟୋଗ ଅସହାୟ। ଆଉ କେତେକ କ୍ଷେତ୍ରରେ ଆୟୋଗଙ୍କ ନିର୍ଦ୍ଦେଶ ପ୍ରତି ଖାତିର ନାହିଁ। ଯେଉଁଠି ଗଣତାନ୍ତ୍ରିକ ନୀତି, ନିୟମ, ଗଣତାନ୍ତ୍ରିକ ଅନୁଷ୍ଠାନ ପ୍ରତି ସମ୍ମାନ ନାହିଁ, ସେଇଠି ଗଣତାନ୍ତ୍ରିକ ଆଦର୍ଶ ଓ ମୂଲ୍ୟବୋଧର ସ୍ଥାନ କାହିଁ? ନେତାଙ୍କ ଅଗଣତାନ୍ତ୍ରିକ ଆଚରଣକୁ ଜନତା ବରଦାସ୍ତ କରିଯିବା ସାମୂହିକ ଗଣତାନ୍ତ୍ରିକ ଚରିତ୍ରର ଅଧୋପତନର ଲକ୍ଷଣ।

ସବୁ ଦଳ ଗଣତନ୍ତ୍ରର ସୁରକ୍ଷା ଲାଗି ରାଜନୀତିର ଅପରାଧୀକରଣ ନେଇ ବେଶ୍‌ ଉଦ୍‌ବିଗ୍ନ। ଅଥଚ, ପ୍ରାୟ ସବୁ ଦଳଙ୍କ ପ୍ରାର୍ଥୀ ତାଲିକାରେ ବହୁସ˚ଖ୍ୟାରେ ‘ଦାଗୀ’ ନେତାଙ୍କ ନାମ। ଏପରିକି, ଆତଙ୍କବାଦୀ କାର୍ଯ୍ୟକଳାପରେ ସମ୍ପୃକ୍ତ ଥିବା ଅଭିଯୋଗରେ ଅଭିଯୁକ୍ତଙ୍କୁ ପ୍ରାର୍ଥୀ ମନୋନୀତ କରାଯାଉଛି। ଏହି ଦୋମୁହାଁ ନୀତିର ଚରମ ଉଦାହରଣ ଦେଖିବାକୁ ମିଳିଛି ଭୋପାଳ ଲୋକସଭା ଆସନ ପାଇଁ ପ୍ରାର୍ଥୀ ଚୟନରେ। ମାଲେଗାଓଁ ବିସ୍ଫୋରଣ ଘଟଣାରେ ଅନ୍ୟତମ ଅଭିଯୁକ୍ତ ସାଧ୍ବୀ ପ୍ରଜ୍ଞା ଠାକୁରଙ୍କୁ ବିଜେପି ଏଠାରେ ପ୍ରାର୍ଥୀ ମନୋନୀତ କରିଛି। ହିନ୍ଦୁ ହେଉ କି ମୁସଲମାନ, ଆତଙ୍କବାଦର କୌଣସି ଧର୍ମ ନାହିଁ। ପୁଲଵାମା ଆକ୍ରମଣ ରଚିଥିବା ଜୈସେ-ଏ-ମହମ୍ମଦ ମାନବବାଦ ପ୍ରତି ଯେମିତି ବିପଦ, ମାଲେଗାଓଁ ବିସ୍ଫୋରଣ ଘଟଣାର ସନ୍ଦିଗ୍ଧ ‘ଅଭିନବ ଭାରତ’ ମଧୢ ସେମିତି ବିପଦ। ଧର୍ମ କିମ୍ବା ଦେଶ ନାମରେ ଆତଙ୍କବାଦର ବାଛବିଚାର କରାଯାଇ ନପାରେ। ଆଇନ ଦୃଷ୍ଟିରୁ ସାଧ୍ବୀ ପ୍ରଜ୍ଞାଙ୍କୁ ପ୍ରାର୍ଥୀ କରାଯିବାରେ କୌଣସି ଅସୁବିଧା ନାହିଁ। କିନ୍ତୁ ନୈତିକତା ଦୃଷ୍ଟିରୁୁ କ’ଣ ଏହା ଠିକ୍‌? ଯାହା ନୈତିକତା ଦୃଷ୍ଟିରୁ ଠିକ୍‌ନୁହେଁ, ତାହା ରାଜନୈତିକ ଦୃଷ୍ଟିରୁ ମଧୢ ଗ୍ରହଣୀୟ ନୁହେଁ। ନୀତି, ନୈତିକତା ବିନା ଗଣତନ୍ତ୍ର ଅନ୍ତଃସାରଶୂନ୍ୟ। ଆତଙ୍କବାଦ ବିରୋଧରେ ରଣହୁଙ୍କାର ଦେଉଥିବା ଦଳ ଯଦି ଜଣେ ଅଭିଯୁକ୍ତ(ଯାହାଙ୍କ ବିରୋଧରେ ଆତଙ୍କବାଦ ନେଇ ମାମଲା ବିଚାରାଧୀନ)ଙ୍କୁ ପ୍ରାର୍ଥୀ କରେ, ତେବେ ଏହା କ’ଣ ସ˚କେତ ଦେଉଛି?

ଭାରତୀୟ ଗଣତନ୍ତ୍ରରେ ନୀତି-ନୈତିକତା, ଆଦର୍ଶ ଯେ ମୂଲ୍ୟହୀନ, ତା’ର ଆଉ ଏକ ଦୁଃଖଦ ପ୍ରମାଣ ହେଲା, ନିର୍ବାଚନରେ ବ୍ୟାପକ ‘ଭୋଟ ପାଇଁ ନୋଟ’ କାରବାର। ମାତ୍ର ଦୁଇଟି ପର୍ଯ୍ୟାୟ ମତଦାନ ସରିଛି। ଅଥଚ ୨,୬୦୦ କୋଟିରୁ ଅଧିକ ନଗଦ ଟଙ୍କା, ମଦ, ମାଦକଦ୍ରବ୍ୟ ଓ ସୁନା ରୁପା ଆଦି ଜବତ ହେଲାଣି। ଏହା କେବଳ ତୁଷାର ପର୍ବତର ଉପରକୁ ଦେଖାଯାଉଥିବା ଭାଗ ମାତ୍ର। ଦୈନିକ ଶହେ କୋଟି ନଗଦ ଟଙ୍କା ଓ ଅନ୍ୟ ଅବକାରୀ ସାମଗ୍ରୀ ଜବତ ହେଉଥିବା ଏହାର ପ୍ରମାଣ ଯେ, ମତଦାତାଙ୍କୁ ଅସାଧୁ ଉପାୟରେ ପ୍ରଭାବିତ କରିବା ଲାଗି ଅର୍ଥବଳର ବ୍ୟାପକ ପ୍ରୟୋଗ ହେଉଛି। ନେତାମାନେ ଟଙ୍କା ଦେଇ ଭୋଟ କିଣିବାକୁ ବ୍ୟଗ୍ର, ଜନତା ମଧୢ ଟଙ୍କା ବଦଳରେ ନିଜର ବହୁମୂଲ୍ୟ ଭୋଟ ନିଲାମ କରିବାକୁ ଉତ୍ସାହିତ। ଏହା କ’ଣ ସୂଚାଉଛି? ଗଣତନ୍ତ୍ର ନାମରେ ନେତା, ଜନତା, ଆମେ ସମସ୍ତେ ନିଜେ ନିଜକୁ ଭଣ୍ତାଉଛୁ। ଭାରତୀୟ ଗଣତନ୍ତ୍ର ପ୍ରକୃତରେ ସୁଦୃଢ଼ ହେବ ସେତେବେଳେ, ଯେତେବେଳେ ଗଣତାନ୍ତ୍ରିକ ନୀତି, ଆଦର୍ଶ ଓ ମୂଲ୍ୟବୋଧ ପ୍ରତି ପ୍ରଗାଢ଼ ବିଶ୍ବାସ ସହ ଭାରତୀୟଙ୍କ ସାମୂହିକ ଗଣତାନ୍ତ୍ରିକ ଚରିତ୍ରରେ ଗୁଣାତ୍ମକ ପରିବର୍ତ୍ତନ ଆସିବ।

ସମ୍ବନ୍ଧିତ ଖବର