ଶେଷ ଅସ୍ତ୍ର

0

ପ୍ରାଚୀନ ଗ୍ରୀକ୍‌ ଦାର୍ଶନିକମାନଙ୍କ ସମୟରୁ ତର୍କଶାସ୍ତ୍ରରେ ଏକ ବିରୋଧାଭାସ (ପାରାଡକ୍ସ)ର ଉପସ୍ଥାପନା ପାଇଁ କୁମ୍ଭୀରକୁ ଉଦାହରଣ ରୂପେ ବ୍ୟବହାର କରାଯାଇଛି, ଯାହା ତେଣୁ ‘କୁମ୍ଭୀର ବିରୋଧାଭାସ’ ବା ‘କ୍ରକୋଡାଇଲ ପାରାଡକ୍ସ’ ରୂପେ ପରିଚିତ। ପାରାଡକ୍ସଟି ହେଉଛି ଏହିପରି। ଶିଶୁଟିଏ ଏକ କୁମ୍ଭୀର ହାବୁଡ଼ରେ ପଡିଛି। ଶିଶୁର ପିତାମାତା ତାଙ୍କୁ ଛାଡ଼ି ଦେବା ପାଇଁ କୁମ୍ଭୀର ପାଖରେ ନେହୁରା ହୁଅନ୍ତେ କୁମ୍ଭୀର ସେମାନଙ୍କ ନିକଟରେ ଏକ ସର୍ତ୍ତ ରଖିିଛି। ସର୍ତ୍ତ ଅନୁସାରେ କୁମ୍ଭୀରର ପରବର୍ତ୍ତୀ ପଦକ୍ଷେପ- ସେ ଶିଶୁଟିକୁ ଛାଡ଼ି ଦେବ କି ଛାଡ଼ିବ ନାହିଁ- ସମ୍ବନ୍ଧରେ ଶିଶୁଟିର ପିତା ଯଦି ସଠିକ୍‌ ଭବିଷ୍ୟବାଣୀ କରିପାରିବେ, ତେବେ କୁମ୍ଭୀର ଶିଶୁଟିକୁ ଫେରାଇ ଦେବ; ଯଦି ପିତାଙ୍କର ଭବିଷ୍ୟବାଣୀ ଭୁଲ ହୁଏ, ତେବେ କୁମ୍ଭୀର ଶିଶୁଟିକୁ ଛାଡ଼ିବ ନାହିଁ। ଯଦି ପିତା ଅନୁମାନ କରନ୍ତି ଯେ କୁମ୍ଭୀର ଶିଶୁଟିକୁ ଫେରାଇ ଦେବ, ତେବେ କୁମ୍ଭୀର ପକ୍ଷରେ ସର୍ତ୍ତ ପାଳନ କରିବାରେ କିଛି ଅସୁବିଧା ନାହିଁ: ଯଦି ପିତାଙ୍କ ଅନୁମାନ ଠିକ୍‌ ହୋଇଥିବ, ତେବେ ସେ ଶିଶୁଟିକୁ ସର୍ତ୍ତ ଅନୁଯାୟୀ ତାଙ୍କୁ ଫେରାଇ ଦେବ; ଆଉ ଯଦି ପିତାଙ୍କ ଅନୁମାନ ଭୁଲ୍‌ ହୋଇଥାଏ, ତାହେଲେ କୁମ୍ଭୀର ସର୍ତ୍ତ ଅନୁସାରେ ଶିଶୁଟିକୁ ଫେରାଇବ ନାହିଁ- ଖାଇ ଦେବ। ସମସ୍ୟା ହେବ ଯଦି ପିତା କୁମ୍ଭୀରର ସ୍ବଭାବ ଜାଣି ଅନୁମାନ କରନ୍ତି ଯେ କୁମ୍ଭୀର ଶିଶୁଟିକୁ ଫେରାଇବ ନାହିଁ। ଯଦି ତାଙ୍କର ଏହି ଅନୁମାନ ଠିକ୍‌ ହୋଇଥାଏ, ତେବେ ସର୍ତ୍ତ ଅନୁସାରେ କୁମ୍ଭୀର ଶିଶୁଟିକୁ ତାଙ୍କୁ ଫେରାଇ ଦେବା କଥା; କିନ୍ତୁ କୁମ୍ଭୀର ଯଦି ତାହା କରେ ତେବେ ପିତାଙ୍କ ଭବିଷ୍ୟବାଣୀ ଭୁଲ ସାବ୍ୟସ୍ତ ହେବ। ତେଣୁ କୁମ୍ଭୀର ପିଲାଟିକୁ ଫେରାଇବ କିପରି? ପିଲାଟି କୁମ୍ଭୀର କବ୍‌ଜାରେ ରହି ତା’ର ଆହାରରେ ପରିଣତ ହେବ। ଆଉ, ଯଦି ପିତାଙ୍କ ଏହି ଭବିଷ୍ୟବାଣୀ ଭୁୁଲ୍‌ ହୋଇଥାଏ, ତେବେ ତା’ର ଅର୍ଥ କୁମ୍ଭୀର ଶିଶୁଟିକୁ ଫେରାଇ ଦେବାକୁ ମନସ୍ଥ କରିଛି, କିନ୍ତୁ ସର୍ତ୍ତ ଅନୁସାରେ ପିତା ଭୁଲ୍‌ ଭବିଷ୍ୟବାଣୀ କରିଥିବାରୁ କୁମ୍ଭୀର ଶିଶୁଟିକୁ ଫେରାଇବ ନାହିଁ।

ସରକାରଙ୍କୁ ‘ମା ବାପା’ ବୋଲି କୁହାଯାଇଥାଏ। ସେଇ ନ୍ୟାୟରେ ରାଜନଗର ବିଧାନସଭା କ୍ଷେତ୍ର ମଧୢରେ ଥିବା ଭିତରକନିକା ନେସନାଲ୍‌ ପାର୍କ ଅଞ୍ଚଳର ୨୨ଟି ଗ୍ରାମର ପ୍ରାୟ ୪୦,୦୦୦ ବାସିନ୍ଦାଙ୍କର ମା ବାପା ହେଉଛନ୍ତି ଓଡ଼ିଶା ସରକାର। ବର୍ଷ ବର୍ଷ ଧରି ଏହି ହତଭାଗ୍ୟ ସନ୍ତାନମାନେ ଯେଉଁଭଳି ସେଠାରେ ସମ୍ପୂର୍ଣ୍ଣ ରୂପେ କୁମ୍ଭୀରମାନଙ୍କ କବ୍‌ଜାରେ ରହିଆସିଛନ୍ତି, ତାହା ଦେଖି ଜଣେ ଗ୍ରୀକ୍‌ ଦାର୍ଶନିକ ବୋଧହୁଏ କହିଥାନ୍ତେ ଏମାନଙ୍କର ଦୁର୍ଭାଗ୍ୟ ସମ୍ଭବତଃ ହେଉଛି କୁମ୍ଭୀରମାନଙ୍କ ସହିତ ଏମାନଙ୍କର ବାପା ମା କରିଥିବା ଉପରୋକ୍ତ ପାରାଡକ୍ସ ଭଳି କୌଣସି ଏକ ଚୁକ୍ତିର ପରିମାଣ। ଅତୀତରେ ଏହି ସ୍ତମ୍ଭରେ ସେ ଅଞ୍ଚଳବାସୀଙ୍କର ଏହି କୁମ୍ଭୀରଜନିତ ଦୁର୍ଦଶା ପ୍ରତି ଏକାଧିକ ଥର ଦୃଷ୍ଟି ଆକର୍ଷଣ କରାଯାଇଛି। ଏବେ ଏକ ଜାତୀୟ ସମ୍ବାଦପତ୍ରର ପ୍ରଥମ ପୃଷ୍ଠାରେ ପ୍ରକାଶିତ ଖବର ଏହି ସମସ୍ୟା ଉପରେ ପୁଣିଥରେ ସଦ୍ୟ ଆଲୋକପାତ କରିବା ସହିତ ଅଞ୍ଚଳବାସୀ ଏଥିରୁ ନିସ୍ତାର ପାଇବା ପାଇଁ ଯେଉଁ ରଣକୌଶଳ ଅବଲମ୍ବନ କରିବାକୁ ଯାଉଛନ୍ତି ବୋଲି ସୂଚନା ପ୍ରଦାନ କରିଛି, ତାହା ସେମାନଙ୍କ ପାଇଁ ଏ ଚୁକ୍ତିରୁ ମୁକ୍ତି ପାଇବାର ଏକମାତ୍ର ତଥା ଶେଷ ଉପାୟ ଭଳି ମନେ ହୁଏ। ୨୦୧୪ ସାଧାରଣ ନିର୍ବାଚନ ପୂର୍ବରୁ ଏହି ସମ୍ବାଦପତ୍ର (‘ସମ୍ବାଦ’) ଏହି ସ୍ତମ୍ଭରେ ଠିକ୍‌ ଏଇଭଳି ଏକ ପ୍ରସ୍ତାବ ଦେଇଥିଲା।

ପ୍ରକାଶିତ ଖବର ଅନୁସାରେ ଏପ୍ରିଲ୍‌ ୨୯ ତାରିଖରେ ସେଠାରେ ଅନୁଷ୍ଠିତ ହେବାକୁ ଯାଉଥିବା ସାଧାରଣ ନିର୍ବାଚନରେ ଉପରୋକ୍ତ ଗ୍ରାମବାସୀମାନେ ଗୋଟିଏ ମାତ୍ର ପ୍ରସଙ୍ଗକୁ ଆଧାର କରି ସେମାନଙ୍କର ମତଦାନ କରିବାକୁ ନିଷ୍ପତ୍ତି ନେଇଛନ୍ତି: କୁମ୍ଭୀରଠାରୁ ମୁକ୍ତି। ଯେଉଁ ଦଳ ସେମାନଙ୍କୁ ସେଠାରେ ଆତଙ୍କରାଜ ଚଳାଇଥିବା ବଉଳା କୁମ୍ଭୀରମାନଙ୍କଠାରୁ ସୁରକ୍ଷା ଦେବାକୁ ପ୍ରତିଶ୍ରୁତି ଦେବ, ସେମାନେ ସେଇ ଦଳ ସପକ୍ଷରେ ହିଁ ମତଦାନ କରିବେ ବୋଲି କହିଛନ୍ତି। ଅନ୍ୟ କୌଣସି ପ୍ରସଙ୍ଗରେ ସେମାନଙ୍କର କିଛି ଯାଏଆସେ ନାହିଁ। ସେମାନେ ଏଭଳି ସମ୍ପୂର୍ଣ୍ଣ ଏକମୁଖୀ ହେବାର କାରଣ ସୁବିଦିତ ଏବ˚ ଉପରୋକ୍ତ ସମ୍ଭାଦପତ୍ର ରିପୋର୍ଟରେ ତାହା ବିସ୍ତାରିତ ଭାବରେ ଉପସ୍ଥାପିତ ହୋଇଛି ମଧୢ। ଜୀବନ ଯେତେବେଳେ ସ˚କଟାପନ୍ନ, ସେତେବେଳେ ଅନ୍ୟ କୌଣସି ପ୍ରସଙ୍ଗ କୌଣସି ଗୁରୁତ୍ବ ବହନ ନ କରିବା ସ୍ବାଭାବିକ।

୧୯୭୫ ପୂର୍ବରୁ ନଦୀ ନାଳରୁ ମାଛ ମାରିବା ସେ ଅଞ୍ଚଳର ବାସିନ୍ଦାମାନଙ୍କର ଏକ ପ୍ରଧାନ ଜୀବିକା ଥିଲା। ସେ ବର୍ଷ ସେଠାରେ କୁମ୍ଭୀର ପ୍ରଜନନ ପ୍ରକଳ୍ପ ଆରମ୍ଭ ହେବା ପରଠାରୁ ସେମାନଙ୍କ ଜୀବିକା ଅର୍ଜ୍ଜନ ଯେ କେବଳ କଷ୍ଟକର ହୋଇ ପଡ଼ିଛି, ତାହା ନୁହେଁ, ସେମାନଙ୍କର ଜୀବନ ପ୍ରତି ଘୋର ବିପଦ ଦେଖା ଦେଇଛି। ଏହାର କାରଣ କୁମ୍ଭୀର ହେଉଛି ପ୍ରାଗୈତିହାସିକ ଯୁଗରୁ ଏପର୍ଯ୍ୟନ୍ତ ତିଷ୍ଠି ରହିଥିବା ଏକ ବିଶାଳ ସରୀସୃପ (ତାର ସମସାମୟିକ ଡାଇନୋସର‌୍‌ କେଉଁ ସୁଦୂର ଅତୀତରୁ ବିଲୁପ୍ତ ହୋଇ ସାରିଛନ୍ତି) ଯାହାର ମସ୍ତିଷ୍କର ଆକାର ହେଉଛି ଏକ ବାଦାମ ମଞ୍ଜିଟିଏ ପରି କ୍ଷୁଦ୍ର। ଏହି କ୍ଷୁଦ୍ର ମସ୍ତିଷ୍କରେ କେବଳ ଗୋଟିଏ ମାତ୍ର ପ୍ରବୃତ୍ତି ପାଇଁ ସ୍ଥାନ ଅଛି- ମାରିବା ଓ ଖାଇବା। ଏହା ହେଉଛି ପ୍ରକୃତି ସୃଷ୍ଟ ଏକ ବିଶୁଦ୍ଧ ମାରଣ ଯନ୍ତ୍ର। ଓଡ଼ିଆରେ ଗୋଟିଏ ଢ଼ଗ ଅଛି: ‘‘ପାଣି ଭିତରେ ଘର କରି କୁମ୍ଭୀର ସଙ୍ଗେ କଳି!’’ ପାଣିକୂଳରେ ବସବାସ କରୁଥିବା ଲୋକମାନଙ୍କ ପାଇଁ ଏହା ଏକ ସତର୍କ ବାଣୀ। କିନ୍ତୁ ରାଜନଗର ବାସିନ୍ଦାମାନଙ୍କ ପାଇଁ ଏ ସତର୍କ ବାଣୀ ନିରର୍ଥକ, କାରଣ ସେମାନେ କୁମ୍ଭୀର ସହିତ କେବେ କଳି କରିନାହାନ୍ତି। ଏହି ଜୀବନ୍ତ ମାରଣ ଯନ୍ତ୍ର କାହାକୁ ହତ୍ୟା କରିବା ପାଇଁ କଳି ଭଳି କୌଣସି ଉପଲକ୍ଷ୍ୟ ଖୋଜି ନଥାଏ। କେବଳ ନଈ ନାଳ ନୁହେଁ, ଏହି ଘାତକ ସରୀସୃପ ଓର ଉଣ୍ତି ଲୁଚି ଲୁଚି ଆସି ବାସିନ୍ଦାଙ୍କ ବାଡ଼ି ଗଡ଼ିଆରୁ ଗୁହାଳ ପର୍ଯ୍ୟନ୍ତରେ ପଶି ଯାଇ ଶିକାର ଅପେକ୍ଷାରେ ଛକି ରହୁଛି। ବିଲରେ ବେଉଷଣ କରୁଥିବା ଚାଷୀଙ୍କୁ ପଛରୁ ଛକି ଛକି ଆସି ଉଠାଇ ନେଉଛି।

ଏହାର ପରିଣତି ସ୍ବରୂପ ସେଇ ରିପୋର୍ଟ ଅନୁସାରେ ଗତ ଦଶନ୍ଧିରେ କୁମ୍ଭୀର ଆକ୍ରମଣରେ ୫୦-୬୦ ମନୁଷ୍ୟ ଓ ଶହ ଶହ ଗୃହପାଳିତ ପଶୁଙ୍କର ପ୍ରାଣନାଶ ହୋଇଛି। ଏହି ଜଳ ଦାନବ ଯୋଗୁଁ ଲୋକମାନେ ଅହରହ ଆତଙ୍କିତ ଅବସ୍ଥାରେ କାଳାତିପାତ କରୁଛନ୍ତି। ମା’ ବାପ ସରକାରଙ୍କର କୁମ୍ଭୀର ସହିତ ଚୁକ୍ତି ଅନୁସାରେ ମୃତକ ପରିବାରକୁ କ୍ଷତିପୂରଣ ଓ କାଁଭାଁ କୁମ୍ଭୀର ମୁହଁରୁ ରକ୍ଷା ପାଇଥିବା କାହାକୁ ସାହସିକତା ସାବାସି ଦିଆଯାଉଛି। ଅଞ୍ଚଳବାସୀ କିନ୍ତୁ ସବୁଦିନ ପାଇଁ କୁମ୍ଭୀର ପାଖରେ ବନ୍ଧକ ପଡ଼ିଛନ୍ତି। ଯେଉଁ ବନବିଭାଗ ବାବୁମାନେ ଏ ହତଭାଗା ମାନଙ୍କୁ ଉପଦେଶ ଦେଇଥାନ୍ତି ଯେ ସେମାନେ ପାଣିଠାରୁ ଦୂରେଇ ରୁହନ୍ତୁ, କୁମ୍ଭୀର ଚାଷ ଯୋଗୁଁ ସେମାନଙ୍କ ଜୀବନ କେବେ ବିପଦାପନ୍ନ ହୁଏନାହିଁ ଏବ˚ ଜୀବିକା ବେଶ୍‌ ସ୍ବଚ୍ଛଳ ହୋଇଥାଏ। ଏମାନଙ୍କ କବ୍‌ଜାରୁ ମୁକ୍ତି ପାଇବା ପାଇଁ ଏକକ ପ୍ରସଙ୍ଗ ମିଳିତ ଭୋଟ୍‌ ହିଁ ଅଞ୍ଚଳବାସୀଙ୍କର ଶେଷ ଅସ୍ତ୍ର। ସେମାନେ ଯଦି ଏଥର ମଧୢ ଏ ଅସ୍ତ୍ରର ସଫଳ ପ୍ରୟୋଗ ନ କରି ପାରନ୍ତି, ତେବେ କୁମ୍ଭୀର ମୁହଁରୁ ସେମାନଙ୍କର ନିସ୍ତାର ନାହିଁ- ‘କ୍ରକୋଡାଇଲ୍‌ ପାରାଡକ୍ସ’ର ହତଭାଗ୍ୟ ଶିଶୁଟି ଭଳି।

ସମ୍ବନ୍ଧିତ ଖବର

Leave A Reply

Your email address will not be published.