ବି˚ଶ ଶତାବ୍ଦୀର ସର୍ବାଧିକ ପ୍ରଭାବଶାଳୀ ଅର୍ଥନୀତିଜ୍ଞମାନଙ୍କ ମଧୢରେ ଅଗ୍ରଗଣ୍ୟ ଜୋସେଫ୍ ସୁମ୍ପିଟର୍ ହେଉଛନ୍ତି ସମ୍ଭବତଃ ପ୍ରଥମ ପଣ୍ତିତ ଯିଏ ଉଦ୍ୟୋଗମାନଙ୍କର ସୃଷ୍ଟି ଓ ବିଲୟ ସମ୍ବନ୍ଧରେ ଅନ୍ତର୍ଦୃଷ୍ଟି ସମ୍ବଳିତ ତତ୍ତ୍ବମାନ ପ୍ରଣୟନ କରିଥିଲେ। ତାଙ୍କର ଏ ସ˚କ୍ରାନ୍ତରେ ପ୍ରସିଦ୍ଧତମ ଅନ୍ତର୍ଦୃଷ୍ଟି- ଯାହା ସହିତ ସୁମ୍ପିଟର୍ଙ୍କୁ ଜାଣିଥିବା ଓ ନ ଜାଣିଥିବା ବିଭିନ୍ନ କ୍ଷେତ୍ରର ବିଜ୍ଞଜନମାନେ ସୁପରିଚିତ- ହେଉଛି ‘ସୃଜନାତ୍ମକ ଧ୍ବ˚ସ’ (‘କ୍ରିଏଟିଭ୍ ଡେଷ୍ଟ୍ରକ୍୍ସନ୍’)। ପୁରୁଣାର ଧ୍ବ˚ସସ୍ତୂପ ଭିତରୁ ନୂଆର ଅଙ୍କୁରୋଦ୍ଗମ ହୋଇଥାଏ। ଅଷ୍ଟ୍ରିଆରେ ଜନ୍ମ ଓ ଶିକ୍ଷା ଲାଭ ଏବ˚ ଆମେରିକାରେ ଅଧୢାପନା କରିଥିବା ସୁମ୍ପିଟର୍ ବୋଧହୁଏ ହିନ୍ଦୁ ଧର୍ମର କର୍ମଫଳ ତତ୍ତ୍ବ ସହିତ ପରିଚିତ ନ ଥିଲେ। ନଚେତ୍ ସେ ବୋଧହୁଏ କହିଥାନ୍ତେ ଉଦ୍ୟୋଗୀମାନେ ଶେଷରେ ଚକ ପୂରା ଘୂରିଯିବା ଭଳି ନିଜର କର୍ମଫଳ ଭୋଗ କରିଥାନ୍ତି। ଯେମିତି ଘଟିଛି ଜେଟ୍ ଏଆର୍େଵଜ୍ କ୍ଷେତ୍ରରେ।
Sambad is now on WhatsApp
Join and get latest news updates delivered to you via WhatsApp
୧୯୭୨ରେ ମାଲେସିଆ-ସିଙ୍ଗାପୁର ଏଆର୍ଲାଇନ୍ସ ବିଭାଜିତ ହୋଇ ଏହାର ଗୋଟିଏ ଭାଗ ସିଙ୍ଗାପୁର ଏଆରଲାଇନ୍ସ ରୂପେ ଆବିର୍ଭୂତ ହେବା ପରେ, ସେମାନେ ଏହାକୁ ଏକ ବିଶ୍ବଶ୍ରେଣୀୟ ଏଆର୍ଲାଇନ୍ସରେ ପରିଣତ କରିବା ପାଇଁ ଦୃଢ଼ ସ˚କଳ୍ପ ନେଲେ। ସେ ସମୟରେ ଜେଆର୍ଡି ଟାଟାଙ୍କ ଦ୍ବାରା ପ୍ରତିଷ୍ଠିତ ‘ଏଆର୍ ଇଣ୍ତିଆ’ ଥିଲା ପୃଥିବୀର ଶ୍ରେଷ୍ଠ ଏଆର୍ଲାଇନ୍ସମାନଙ୍କ ମଧୢରେ ଅନ୍ୟତମ। ସିଙ୍ଗାପୁର ସରକାରଙ୍କର ପ୍ରତିନିଧିମାନେ ତେଣୁ ଗୁରୁଜ୍ଞାନ ନେବା ପାଇଁ ଆସି ପହଞ୍ଚିଲେ ଜେଆର୍ଡିଙ୍କ ପାଖରେ। ନିଜର ବଦାନ୍ୟତା ପାଇଁ ପ୍ରସିଦ୍ଧ ଜେଆର୍ଡି ଅକୁଣ୍ଠିତ ଚିତ୍ତରେ ସେମାନଙ୍କୁ ଉତ୍ତମ ସେବା ପ୍ରଦାନ, ମନଜିଣା ନମ୍ରତା ତଥା ପରିଚାଳନାଗତ ଉତ୍କର୍ଷ ସମ୍ବନ୍ଧିତ ଏକ ଏଆରଲାଇନ୍ର ଚମତ୍କାର ସଫଳତା ହାସଲ ପାଇଁ ଆବଶ୍ୟକ ସମସ୍ତ ଅନୁଭୂତି ଲବ୍ଧ ଜ୍ଞାନ କୌଶଳ ହସ୍ତାନ୍ତରିତ କରିଲା ପରେ ସେମାନେ ତାହାକୁ ଆଧାର କରି ଯେଉଁ ଏଆରଲାଇନ୍ଟି ପ୍ରତିଷ୍ଠା କଲେ ତାହା ବର୍ଷ ପରେ ବର୍ଷ ପୃଥିବୀର ଶ୍ରେଷ୍ଠତମ ଏଆରଲାଇନ୍ର ସ୍ଥାନ ଦଖଲ କରି ରହିଆସିଛି।
ସତେ ଯେମିତି ଗୁରୁ ଋଣ ପରିଶୋଧ କଲା ଭଳି ୧୯୯୪ରେ ସେମାନେ ପୁଣି ଥରେ ଆସି ଟାଟା କମ୍ପାନି ନିକଟରେ ପହଞ୍ଚିଲେ। ଏଥର ସେମାନେ କୌଣସି ନୂତନ ଜ୍ଞାନ ପାଇଁ ନୁହେଁ, ଟାଟା ସହିତ ମିଶି ଏକ ଏଆରଲାଇନ୍ ଗଠନ ପ୍ରସ୍ତାବ ନେଇ। ଏହା ସମସ୍ତଙ୍କୁ ଚମତ୍କୃତ କଲା ଭଳି ଏକ ପ୍ରସ୍ତାବ ଥିଲା: ପୃଥିବୀର ଶ୍ରେଷ୍ଠତମ ଏଆରଲାଇନ୍ ଭାରତର ବୃହତ୍ତମ ତଥା ସର୍ବାଧିକ ମର୍ଯ୍ୟାଦାଜନକ ଶିଳ୍ପଗୋଷ୍ଠୀ ସହିତ ମିଳିତ ହୋଇ ସ୍ଥାପନ କରିବେ- ‘ଟାଟା ସିଙ୍ଗାପୁର ଏଆରଲାଇନ୍ସ’। ଉଭୟ କମ୍ପାନିର ପରିଚାଳକମାନେ ଓ ଭବିଷ୍ୟତର ବିମାନଯାତ୍ରୀମାନେ ଏ ସମ୍ଭାବନା ନେଇ ଉଚ୍ଚାଟ ଅନୁଭବ କରୁଥିଲେ ହେଁ, ଏଠାରେ ଅନ୍ତତଃ ଦୁଇଜଣ ଗୁରୁତ୍ବପୂର୍ଣ୍ଣ ଚରିତ୍ର ଏ ପ୍ରସ୍ତାବର ସମ୍ପୂର୍ଣ୍ଣ ବିରୋଧୀ ଥିଲେ। ଜଣେ ହେଲେ ସେ ସମୟର ବିମାନ ଚଳାଚଳ ମନ୍ତ୍ରୀ ଓ ଅନ୍ୟ ଜଣଙ୍କ ହେଲେ ନରେଶ ଗୋୟାଲ୍ ନାମକ କୌଣସି ଏକ ବ୍ୟକ୍ତି। ଏହା ଲୁଚାଛପା ନ ଥିଲା ଯେ ଜେଟ୍ ଏଆର୍େଵଜ୍ର ଏହି ପ୍ରତିଷ୍ଠାତା ତାଙ୍କର ନୂଆ କରି ଡେଣା ମେଲାଇଥିବା ଏହି ନବଜାତକ ପ୍ରତି ଉପରୋକ୍ତ ପ୍ରସ୍ତାବିତ ମିଳିତ ଉଦ୍ୟୋଗ ଘାତକ ସାବ୍ୟସ୍ତ ହେବ ବୋଲି ଆତଙ୍କିତ ହୋଇପଡ଼ିଥିଲେ। ତାଙ୍କ ଦ୍ବାରା ଉପଯୁକ୍ତ ଭାବରେ ପ୍ରଭାବିତ ହୋଇ ମନ୍ତ୍ରୀ ମହୋଦୟ ଦେଇଥିବା କଥା ଫେରାଇ ନେଲେ, ନିୟମରେ ପରିବର୍ତ୍ତନ ଘଟାଇଲେ, ଅନୁମତି ପତ୍ର ଫେରାଇ ନେଲେ। ଏ ଭଳି ଅନ୍ଧାରି କଳାରେ ପ୍ରତିଯୋଗିତା କରିବା ଟାଟାର ସ୍ବଭାବ ବିରୁଦ୍ଧ। ତେଣୁ ପରାଜୟ ସ୍ବୀକାର କରି ଟାଟା ଚୁପ୍ ହୋଇ ରହିଲା ଏବ˚ ସିଙ୍ଗାପୁର ଇଣ୍ଟରନେସନାଲ୍ ଏଆର୍ଲାଇନ୍ସ (ଏସ୍ଆଇଏ) ସିଙ୍ଗାପୁର ଫେରିଯାଇ ସେମାନେ ଯାହା କରିବାରେ ପାରଦର୍ଶୀ, ତାହା କରିବାରେ ଲାଗି ପଡ଼ିଲେ- ପୃଥିବୀର ଶ୍ରେଷ୍ଠତମ ଏଆର୍ଲାଇନ୍ର ପରିଚାଳନା କରିବା।
ବର୍ତ୍ତମାନ ଚକ ଘୂରିଯାଇଛି। ନରେଶ ଗୋୟାଲ୍ ବିଦା ହୋଇ ଯାଇଛନ୍ତି, ତାଙ୍କର ଏକଦା ବହୁ ଉଚ୍ଚରେ ଉଡ଼ୁଥିବା ଜେଟ୍ ଏଆର୍େଵଜ୍ ଡେ଼ଣାକଟା ପକ୍ଷୀ ପରି ଭୂଇଁରେ ପଡ଼ି ଛଟପଟ ହେଉଛି ଏବ˚ ତାତ୍ପର୍ଯ୍ୟପୂର୍ଣ୍ଣ ଭାବରେ ଯେଉଁ ଅନ୍ୟ ଏଆରଲାଇନ୍ଟିଏ ଆକାଶରେ ଜେଟ୍ ଏଆର୍େଵଜ୍ର ସ୍ଥାନ ଦଖଲ କରିବାକୁ ଜୋର୍ସୋର୍ ଲାଗିପଡିଛି, ସେ ହେଲା ‘ବିସ୍ତାରା’। ବିସ୍ତାରା ହେଉଛି ଟାଟା ଗ୍ରୁପ୍ ଏବ˚ ଏସ୍ଆଇଏ ମିଳିତ ଉଦ୍ୟମରେ ପ୍ରତିଷ୍ଠିତ ହୋଇଥିବା ନୂତନ ଉଦ୍ୟୋଗ, ଯାହାକୁ କୁହାଯାଇପାରେ ଟାଟା ସିଙ୍ଗାପୁର ଏଆର୍ଲାଇନ୍ସର ଦ୍ବିତୀୟ ସ˚ସ୍କରଣ। ସୁମ୍ପିଟର୍ ଏହାକୁ କର୍ମଫଳ ଭିତ୍ତିକ ଚକ୍ରାକାର ଉଦ୍ୟୋଗ ତତ୍ତ୍ବ ରୂପେ ବୋଧହୁଏ ଅଭିହିତ କରନ୍ତେ।
ଜେଟ୍ ଏଆର୍େଵଜ୍ର ପ୍ରସ୍ଥାନ ଭାରତୀୟ ବିମାନ ସେବା ଯାତ୍ରୀ ପରିବହନ କ୍ଷେତ୍ରରେ ଏକ ବିଶାଳ ଗର୍ତ୍ତ ସୃଷ୍ଟି କରିଛି, ୧୫,୦୦୦ କର୍ମଚାରୀଙ୍କର ଭବିଷ୍ୟତ ଅନିଶ୍ଚିତତା ମଧୢକୁ ଠେଲି ଦେଇଛି, ବ୍ୟାଙ୍କ୍ମାନେ ଦେଇଥିବା ୮,୦୦୦ କୋଟି ଟଙ୍କାର ଋଣ ବୁଡିଯାଇ ସେମାନଙ୍କର ଏନ୍ପିଏ ପରିସ୍ଥିତିକୁ ଆହୁରି ଶୋଚନୀୟ କରିବାକୁ ବସିଛି। ତେଣୁ ଖାଉଟିମାନଙ୍କ ଠାରୁ ଆରମ୍ଭ କରି, କର୍ମଚାରୀ ଓ ଋଣଦାତାମାନଙ୍କ ପର୍ଯ୍ୟନ୍ତ ଚାହିଁ ବସିଛନ୍ତି କେଉଁ ନୂତନ ଉଦ୍ୟୋଗୀ ବା ନିବେଶକ ଶେଷରେ ଜେଟ୍କୁ କ୍ରୟ କରି କ୍ଷୟକ୍ଷତିକୁ ନିୟନ୍ତ୍ରଣ କରିବେ କି ଏଆର୍ଲାଇନଟି ବିଲୁପ୍ତ ହୋଇଯିବ।
ଏସବୁ ଚାଞ୍ଚଲ୍ୟ ଚାଲୁ ରହିଥିବା ସମୟରେ ଅନ୍ୟ ଯେଉଁ ଘଟଣାଟି ହୁଏତ ଅନେକଙ୍କ ଦୃଷ୍ଟିକୁ ଏଡାଇ ଯାଇଥିବ, ତାହା ହେଲା ଏ ସମ୍ପର୍କରେ ବର୍ତ୍ତମାନ କ୍ଷମତାସୀନ ଏନ୍ଡିଏ ସରକାରର ଆଚରଣ ଓ ଆଭିମୁଖ୍ୟ। ଯେତେବେଳେ ୨୦୧୦ରେ ବିଜୟ ମାଲ୍ୟାଙ୍କ କିଙ୍ଗ୍ ଫିସର୍ ଏଆରଲାଇନ୍ସ ଅନୁରୂପ ସମସ୍ୟାର ସମ୍ମୁଖୀନ ହୋଇଥିଲା ସେତେବେଳେ ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ତିଆ ୟୁପିଏ ସରକାରଙ୍କ ଇଚ୍ଛା ଅନୁସାରେ ମାଲ୍ୟାଙ୍କ ଋଣର ପୁନର୍ଗଠନ ନିମିତ୍ତ ଏକ ବିଶେଷ କୋହଳ ନୀତି ଅବଲମ୍ବନ କରିଥିଲା। ତା’ର ସୁଯୋଗ ନେଇ ମାଲ୍ୟାଙ୍କର ଅପରିଣାମଦର୍ଶୀ ଆଚରଣ ଅପରିବର୍ତ୍ତିତ ରହିଲା ଯାହାର ଶେଷ ପରିଣାମ କିପରି ଶୋଚନୀୟ ହୋଇଛି ତାହା ସମସ୍ତଙ୍କୁ ଜଣା।
ସେ ତୁଳନାରେ ଦେଖିଲେ ଭାଜପା ନେତୃତ୍ବାଧୀନ ଏନ୍ଡିଏ ସରକାର ଏକ ସାଧାରଣ ନିର୍ବାଚନର ସମ୍ମୁଖୀନ ହୋଇଥିଲେ ମଧୢ ଏବ˚ ତା’ ବିରୁଦ୍ଧରେ ନିଯୁକ୍ତି ସୃଷ୍ଟିରେ ବିଫଳତା ଅଭିଯୋଗ ହେଉଥିଲେ ମଧୢ, ଏହା ପୂର୍ବବର୍ତ୍ତୀ ସରକାର ମାଲ୍ୟାଙ୍କ ପ୍ରତି ପ୍ରଦର୍ଶନ କରିଥିବା କୋମଳ ଆଚରଣ ଏବେ ନରେଶ ଗୋୟାଲ୍ଙ୍କ ପ୍ରତି ପ୍ରଦର୍ଶନ କରିବା ପରିବର୍ତ୍ତେ ସମସ୍ୟାର ସମାଧାନ ଋଣଦାତା ବ୍ୟାଙ୍କମାନଙ୍କ ଉପରେ ଓ ବଜାର ଉପରେ ଛାଡି ଦେଇଛନ୍ତି। ଏହା ଉଭୟ ଅର୍ଥନୈତିକ ପରିପକ୍ବତା ଏବ˚ ରାଜନୈତିକ ସାହସିକତାର ଏକ ବିରଳ ପ୍ରଦର୍ଶନ। ଏ ସରକାରଙ୍କର ନୀତି ନିର୍ଦ୍ଧାରକମାନେ ନିଶ୍ଚିତ ରୂପେ ଜୋସେଫ୍ ସୁମ୍ପିଟରଙ୍କ ‘କ୍ରିଏଟିଭ୍ ଡେଷ୍ଟ୍ରକସନ୍’ ତତ୍ତ୍ବର ବିଜ୍ଞତାରେ ଯେ ବିଶ୍ବାସ କରନ୍ତି ତାହାର ଏହା ପ୍ରମାଣ। ଯଦି ଜେଟ୍ ଆଉ ଡେଣା ମେଲାଇ ନପାରେ, ତେବେ କେଉଁ ଏକ ନୂତନ ପକ୍ଷୀ ଯେ ଆକାଶରେ ଦେଖା ଦେବ, ଏହା ହିଁ ବିଶ୍ବାସ।