ତେଲ ତାତି

ନିର୍ବାଚନର ତାତି ପୂରା ଥଣ୍ତା ନ ପଡୁଣୁ ମହଙ୍ଗା ତେଲ-ପେଟ୍ରୋଲ, ଡିଜେଲ-ର ତାତିରେ ଦେଶବାସୀ ଡହଳ ବିକଳ ହେବା ଆଶଙ୍କା ଘନୀଭୂତ ହେବାରେ ଲାଗିଛି। ଆନ୍ତର୍ଜାତିକ ବଜାରରେ ଅଶୋଧିତ ତେଲର ଦର ବଢ଼ି ଚାଲିଥିଲେ ସୁଦ୍ଧା ନିର୍ବାଚନକୁ ଆଖି ଆଗରେ ରଖି କ୍ଷମତାସୀନ ସରକାରଙ୍କ ଚାପରେ ରାଷ୍ଟ୍ରାୟତ୍ତ ତୈଳ କମ୍ପାନିମାନେ ଡିଜେଲ ଓ ପେଟ୍ରୋଲର ଖୁଚୁରା ଦର ବଢ଼ାଇ ପାରୁ ନାହାନ୍ତି। ମାର୍ଚ୍ଚ ୧୦ରେ ନିର୍ବାଚନ ସୂଚୀ ଘୋଷଣା ଦିନ ଭାରତ ବ୍ୟାରେଲ୍‌ ପିଛା ୫୪.୫୨ ଡଲାର ଦରରେ ଅଶୋଧିତ ତେଲ ଖର୍ଦି କରିଥିଲା। ଏପ୍ରିଲ ୨୪ ବେଳକୁ ଖର୍ଦି ମୂଲ୍ୟ ବ୍ୟାରେଲ୍‌ ପିଛା ୬୬.୭ ଡଲାରକୁ ବୃଦ୍ଧି ପାଇଥିଲେ ସୁଦ୍ଧା ପମ୍ପରେ ତେଲ ଦର ନାମମାତ୍ର ବୃଦ୍ଧି କିମ୍ବା ମୋଟାମୋଟି ସ୍ଥିର ରହିଛି। ଉଦାହରଣ ସ୍ବରୂପ ବେଙ୍ଗାଲୁରରେ ମାର୍ଚ୍ଚ ୧୦ରେ ପେଟ୍ରୋଲ ଓ ଡିଜେଲ ଦର ଲିିଟର ପିଛା ଯଥାକ୍ରମେ ଟ୭୪.୮୪ ପ. ଓ ଟ୬୯.୮୮ପ. ଥିଲା। ଏପ୍ରିଲ ୨୪ରେ ଦର ଯଥାକ୍ରମେ ଟ୭୫.୩୩ପ. ଓ ଟ. ୬୮.୬୧ପ ରହିଛି। କିନ୍ତୁ ଭାରତର ତେଲ ଖର୍ଦି ମୂଲ୍ୟରେ ପାଖାପାଖି ୧୨ ଡଲାର ବୃଦ୍ଧି ଅନୁପାତରେ ଏହି ସମୟ ମଧୢରେ ଖୁଚୁରା ତେଲ ଦର ଲିଟର ପ୍ରତି ୬ରୁ ୭ ଟଙ୍କା ବଢ଼ିବା କଥା। ନିର୍ବାଚନ ପାଇଁ ଚାପରେ ତେଲ ଦରର କୃତ୍ରିମ ନିୟନ୍ତ୍ରଣ ମେ ୧୯ରେ ଶେଷ ପର୍ଯ୍ୟାୟ ମତଦାନ ପରେ ଆଉ ସମ୍ଭବ ହୋଇ ନପାରେ। ପିଛିଲା କ୍ଷତିର ଭରଣା ସହ ଆନ୍ତର୍ଜାତିକ ବଜାରରେ ଅଶୋଧିତ ତେଲର ଦର ବୃଦ୍ଧି ଅନୁଯାୟୀ ପର୍ଯ୍ୟାୟକ୍ରମେ ରାଷ୍ଟ୍ରାୟତ୍ତ କମ୍ପାନିମାନେ ତେଲ ଦର ବୃଦ୍ଧି କରିବା ଏକ ପ୍ରକାର ନିଶ୍ଚିତ।

ଇତିମଧୢରେ ଆଉ ଏକ ଘଟଣା ମଧୢ ଭାରତ ପାଇଁ ତୈଳ ଯୋଗାଣ କ୍ଷେତ୍ରରେ ନୂଆ ସମସ୍ୟା ସୃଷ୍ଟି କରିଛି; ଯାହାର ପ୍ରଭାବରେ ଭାରତୀୟ ଖାଉଟିଙ୍କ ପାଇଁ ପେଟ୍ରୋଲ ଓ ଡିଜେଲ ଆହୁରି ମହଙ୍ଗା ହେବା ଆଶଙ୍କାକୁ ଏଡ଼ାଯାଇ ପାରୁନାହିଁ। ବାସନ୍ଦ ବ୍ୟବସ୍ଥା ସତ୍ତ୍ବେ ଇରାନ୍‌ରୁ ଅଶୋଧିତ ତେଲ ଆମଦାନି ପାଇଁ ଆମେରିକା ଦେଇଥିବା ରିହାତିର ୧୮୦ ଦିନିଆ ଅବଧି ଆସନ୍ତା ମେ’ ୨ରେ ସମାପ୍ତ ହୋଇଯିବ। ଫଳରେ ଶସ୍ତାରେ ଓ ସହଜ ଋଣ ଜରିଆରେ ତେଲ ଆମଦାନି ପାଇଁ ଭାରତର ବାଟ ବନ୍ଦ ହୋଇଯିବ। ଇରାନ୍‌ ହେଉଛି ଭାରତକୁ ତେଲ ଯୋଗାଉଥିବା ତୃତୀୟ ବୃହତ୍ତମ ରପ୍ତାନିକାରୀ ଦେଶ। ଭାରତକୁ ଅଶୋଧିତ ତୈଳ ରପ୍ତାନି ଦୃଷ୍ଟିରୁ ପ୍ରଥମ ଦୁଇ ଦେଶ ହେଲେ, ଇରାକ୍‌ ଓ ସାଉଦିଆରବ। ଇରାନ୍‌ରୁ ଦୈନିକ ଭାରତ ପ୍ରାୟ ୧୧ ଲକ୍ଷ ବ୍ୟାରେଲ୍‌ ତେଲ ଆମଦାନି କରେ। ପ୍ରତିଦିନ ଭାରତ ଆବଶ୍ୟକ କରୁଥିବା ପାଖାପାଖି ୫୦ ଲକ୍ଷ ବ୍ୟାରେଲର ଏହା ଏକ କ୍ଷୁଦ୍ର ଭାଗ। କିନ୍ତୁ ଇରାନ୍‌ ଯୋଗାଉଥିବା ତେଲ ଅପେକ୍ଷାକୃତ ଶସ୍ତା ଓ ସହଜ ଋଣରେ ଉପଲବ୍ଧ ହେଉଥିବାରୁ ତେଲ ଆମଦାନି ବନ୍ଦ ହେଲେ, ଘରୋଇ ତେଲ ଦର ପ୍ର୍ରଭାବିତ ହେବ।

ଗତ ସୋମବାର ଦିନ ଆମେରିକା ରାଷ୍ଟ୍ରପତି ଡୋନାଲ୍‌ହ ଟ୍ରମ୍ପ୍‌ ଘୋଷଣା କଲେ ଯେ, ଇରାନ୍‌ରୁ ତେଲ ଆମଦାନି ପାଇଁ ଭାରତ ସମେତ ଆଠଟି ଦେଶକୁ ଦିଆଯାଇଥିବା ରିହାତି ମିଆଦ ଆଉ ବୃଦ୍ଧି କରାଯିବ ନାହିଁ। ଟ୍ରମ୍ପ୍‌ଙ୍କ ଏହି ଘୋଷଣା ପରେ ଆନ୍ତର୍ଜାତିକ ବଜାରରେ ତେଲ ଦର ଉପରମୁହାଁ ହୋଇପଡ଼ିଛି। ଡିସେମ୍ବର ୨୦୧୮ରେ ଅଶୋଧିତ ତେଲର ଦର ବ୍ୟାରେଲ୍‌ ପିଛା ୫୯ ଡଲାର ଥିଲା। ଏପ୍ରିଲ ୨୬, ୨୦୧୯ରେ ଏହା ୭୫ ଡଲାରରେ ପହଞ୍ଚି ଯାଇଛି। ଇରାନ୍‌ରୁ ଯୋଗାଣ ବନ୍ଦ ପରେ ଅନ୍ୟ ପେଟ୍ରୋଲିୟମ୍‌ ଉତ୍ପାଦନକାରୀ ରାଷ୍ଟ୍ରମାନେ ଚାହିଦା ଅନୁଯାୟୀ ଉତ୍ପାଦନ ନ ବଢ଼ାଇଲେ ତେଲ ଦର ଆହୁରି ବୃଦ୍ଧି ପାଇପାରେ। ଏହାର ବୋଝ ଭାରତ ଭଳି ମୁଖ୍ୟତଃ ଆମଦାନି ଉପରେ ନିର୍ଭରଶୀଳ ଦେଶମାନଙ୍କୁ ବୋହିବାକୁ ପଡ଼ିବ। ଭାରତ ତା’ର ତେଲ ଚାହିଦାର ୮୦% ଆମଦାନି କରେ। ଫଳରେ ତୈଳ ଦର ବୃଦ୍ଧି ଭାରତର ଅର୍ଥନୀତି ଉପରେ ବ୍ୟାପକ ଓ ଗଭୀର ପ୍ରଭାବ ପକାଇଥାଏ। ତୈଳ ଆମଦାନି ବାବଦ ଖର୍ଚ୍ଚ ବୃଦ୍ଧି ଯୋଗୁଁ ଚଳନ୍ତି ଖାତା (କରେଣ୍ଟ ଆକାଉଣ୍ଟ)ର ନିଅଣ୍ଟିଆ ବୃଦ୍ଧି ପାଇବା ସହ ମୋଟାମୋଟି ବିତ୍ତୀୟ ନିଅଣ୍ଟକୁ ମଧୢ ଏହା ପ୍ରଭାବିତ କରିବ। ତେଲ ଦର ବୃଦ୍ଧିର ପ୍ରଭାବରେ ଅନ୍ୟାନ୍ୟ ଖାଉଟି ସାମଗ୍ରୀର ଦାମ୍‌ ମଧୢ ଉପରମୁହାଁ ହୋଇ ସାଧାରଣ ଜନତାଙ୍କୁ ମହଙ୍ଗା ନିଆଁରେ ହନ୍ତସନ୍ତ କରିପାରେ।

ପ୍ରଶ୍ନ ଉଠିପାରେ ଇରାନ୍‌ ବିରୋଧରେ ଆମେରିକାର ବାସନ୍ଦ ବ୍ୟବସ୍ଥାକୁ ମାନିବା ଲାଗି ଭାରତ କ’ଣ ବାଧୢ? ଆମେରିକାର କଟକଣାକ୍‌ୁ ଏଡ଼ାଇ ଭାରତ କାହିଁକି ଇରାନ୍‌ରୁ ତେଲ ଆମଦାନି ଅବ୍ୟାହତ ରଖିପାରିବ ନାହିଁ? କାଗଜପତ୍ରରେ ଭାରତର ବୈଦେଶିକ ନୀତିର ଆଦର୍ଶଗତ ଆଭିମୁଖ୍ୟ ଦୃଷ୍ଟିରୁ ଆମେରିକାର ନାଲି ଆଖିକୁ ଭ୍ରୁକ୍ଷେପ କରିବା ଉଚିତ ନୁହେଁ। ଆମେରିକାର ବାସନ୍ଦ ସତ୍ତ୍ବେ ଇରାନ୍‌ ସହ ବାଣିଜ୍ୟିକ ସମ୍ପର୍କ ଜାରି ରଖିବାରେ କୌଣସି ଅସୁବିଧା ନାହିଁ। ୨୦୧୫ରେ ବୈଦେଶିକ ମନ୍ତ୍ରୀ ସୁଷମା ସ୍ବରାଜଙ୍କ ଏକ ବୟାନରେ ମଧୢ ଭାରତର ଏହି ଆଭିମୁଖ୍ୟ ପ୍ରତିଫଳିତ ହୋଇଥିଲା। ସ୍ବରାଜ କହିଥିଲେ ଯେ, ମିଳିତ ଜାତିସ˚ଘ ବ୍ୟତୀତ ଅନ୍ୟ କୌଣସି ଦେଶ ପକ୍ଷରୁ ଲାଗୁ କରାଯାଉଥିବା ଏକତରଫା ବାସନ୍ଦ ବ୍ୟବସ୍ଥାକୁ ମାନିିବା ଲାଗି ଭାରତ ବାଧୢ ନୁହେଁ। କିନ୍ତୁ ଆନ୍ତର୍ଜାତିକ ସ୍ତରରେ କ୍ଷମତାର ଭାରସାମ୍ୟ ପରିପ୍ରେକ୍ଷୀରେ ବାସ୍ତବତା ଯାହା, ସେଥିରେ ଭାରତର ଆଦର୍ଶବାଦୀ କୂଟନୀତି ଦେଶର ବୃହତ୍ତର ସ୍ବାର୍ଥ ଦୃଷ୍ଟିରୁ ଆଦୌ ବାସ୍ତବବାଦୀ ନୁହେଁ। ଆମେରିକାର ସଦିଚ୍ଛା ଓ ସହଯୋଗ ବଦଳରେ ଇରାନ୍‌ ସହ ବାଣିଜ୍ୟିକ ସମ୍ପର୍କ ଲାଭଦାୟକ ନୁହେଁ। ଆତଙ୍କବାଦ, ଜାତୀୟ ନିରାପତ୍ତା ଓ ଦକ୍ଷିଣ-ଏସିଆରେ ନିଜର ସ୍ଥିତିକୁ ସୁଦୃଢ଼ କରିବା ଲାଗି ଆମେରିକା ସହ ବନ୍ଧୁତା ରକ୍ଷା ଭାରତ ପକ୍ଷରେ ଏକାନ୍ତ ଆବଶ୍ୟକ। ଆମେରିକାର ସହଯୋଗ ବିନା ଭାରତ ପକ୍ଷରେ ଚୀନ୍‌- ପାକ୍‌ ମେଣ୍ଟର ମୁକାବିଲା ସହଜ ନୁହେଁ।

ଏ ପରିସ୍ଥିତିରେ ଭାରତ ଆଗରେ ବିକଳ୍ପ କ’ଣ? ଆମେରିକା, ସାଉଦିଆରବ ଏବ˚ ଅନ୍ୟ ପେଟ୍ରୋଲ ଉତ୍ପାଦନକାରୀ ରାଷ୍ଟ୍ରଙ୍କ ଠାରୁୁ ଶସ୍ତା ଓ ସହଜ ଋଣରେ ତେଲ ଆମଦାନି ପାଇଁ କୂଟନୈତିକ ପ୍ରୟାସ। ଇରାନ୍‌ରୁ ତେଲ ଯୋଗାଣ ବନ୍ଦ ଫଳରେ ପ୍ରଭାବିତ ଚୀନ୍‌, ତୁର୍କୀ ଆଦି ଅନ୍ୟ ଦେଶଙ୍କ ସହ ବିକଳ୍ପ ସୂତ୍ରରୁ ଯୋଗାଣ ଜାରି ରଖିବା ଲାଗି ମିଳିତ ଉଦ୍ୟମ। ଆନ୍ତର୍ଜାତିକ ସ୍ତରରେ ଏହି ସ୍ବଳ୍ପମିଆଦୀ କୂଟନୈତିକ ଉଦ୍ୟମ ସହ ସମସ୍ୟାର ମୁକାବିଲା ଲାଗି ଦୀର୍ଘମିଆଦୀ ସୂତ୍ରରେ ଆଭ୍ୟନ୍ତରୀଣ ଉଦ୍ୟମର ମଧୢ ଆବଶ୍ୟକତା ରହିଛି। ତେଲ ଯୋଗାଣ ଓ ଦରବୃଦ୍ଧି ନେଇ ଏ ସମସ୍ୟା ପ୍ରଥମ ନୁହେଁ। ନିୟମିତ ବ୍ୟବଧାନରେ ଏ ପ୍ରକାର ସମସ୍ୟା ସହ ଭାରତକୁ ଯୁଝିବାକୁ ପଡୁଛି। ଉଲ୍ଲେଖନୀୟ ହେଲା ଯେଉଁ ସବୁ କାରଣରୁ ଆନ୍ତର୍ଜାତିକ ତୈଳ ବଜାରରେ ବିଭିନ୍ନ ସମୟରେ ଅସ୍ଥିରତା ଓ ଅନିଶ୍ଚିତତା ଦେଖାଯାଇଥାଏ, ସେଥିରେ ଭାରତର କୌଣସି ଭୂମିକା ନଥାଏ। ଅଥଚ, ଏକ ବୃହତ୍‌ ତେଲ ଆମଦାନକାରୀ ଦେଶ ଭାବେ ଏହାର କୁପରିଣାମ ଭୋଗିବାକୁ ପଡେ଼। ଏଭଳି ପରିସ୍ଥିତିର ସମ୍ମୁଖୀନ ହେବା ଲାଗି ତୈଳ ଆମଦାନି ଉପରେ ଯଥାସମ୍ଭବ ନିର୍ଭରଶୀଳତା ହ୍ରାସ ଜରୁରୀ। ଭାରତ ସରକାର ଲକ୍ଷ୍ୟ ରଖିଛନ୍ତି ଯେ, ଆଗାମୀ ୨୦୨୨ ସୁଦ୍ଧା ଦେଶର ତେଲ ଆମଦାନି ଚାହିଦାର ୮୦%ରୁ ୬୭%କୁ ହ୍ରାସ କରାଯିବ। କିନ୍ତୁ ଏହା ଶୂନ୍ୟରେ ସମ୍ଭବ ନୁହେଁ। ଲକ୍ଷ୍ୟ ହାସଲ ଲାଗି ଘରୋଇ ତେଲ ଉତ୍ପାଦନ ବୃଦ୍ଧି ଏକାନ୍ତ ଆବଶ୍ୟକ। ମାର୍ଚ୍ଚ, ୨୦୧୮ର ସୂଚନା ଅନୁଯାୟୀ ଦେଶରେ ୫୯୪.୪୯ ନିୟୁତ ମେଟ୍ରିକ୍‌ ଟନ୍‌ ତେଲ ଗଚ୍ଛିତ ଅଛି। କିନ୍ତୁ ବାର୍ଷିକ ଉତ୍ପାଦନ ମାତ୍ର ୩୭,୮୦୦ ହଜାର ମେଟ୍ରିକ୍‌ ଟନ୍‌ରେ ସ୍ଥିର ରହିଛି। ଘରୋଇ ତେଲ ଉତ୍ପାଦନ ବୃଦ୍ଧି ସହ ବିକଳ୍ପ ଇନ୍ଧନ ଉତ୍ପାଦନ ଉପରେ ଗୁରୁତ୍ବ ଦେଲେ ଯାଇ ଦେଶର ଇନ୍ଧନ ନିରାପତ୍ତା ସହ ଯୋଡ଼ି ହୋଇଥିବା ବର୍ତ୍ତମାନ ଭଳି ପରିସ୍ଥିତିର ସଫଳ ମୁକାବିଲା କରାଯାଇ ପାରିବ।

ସମ୍ବନ୍ଧିତ ଖବର