ନ୍ୟାୟ ନିକିତି

0

ପ୍ରଧାନ ବିଚାରପତି ନ୍ୟାୟମୂର୍ତ୍ତି ରଞ୍ଜନ ଗଗୋଇଙ୍କ ବିରୋଧରେ ‘ଯୌନ ବ୍ୟଭିଚାର’ ଅଭିଯୋଗ ବିଚାରର ପ୍ରାରମ୍ଭରେ ବାଟ ହୁଡ଼ି ଯାଇଥିବା ନ୍ୟାୟିକ ପ୍ରକ୍ରିୟା ପୁଣି ଠିକଣା ବାଟକୁୁ ଫେରି ଆସିବା ଆଶ୍ବାସନାର ବିଷୟ। ନ୍ୟାୟିକ ପ୍ରକ୍ରିୟାର ମୌଳିକ ଧର୍ମ ଅନୁଯାୟୀ ପୀଡିତାଙ୍କ ଅଭିଯୋଗର ସତ୍ୟାସତ୍ୟ ପରଖିବା ଲାଗି ଯେଉଁଠୁ କଷଟି ପରୀକ୍ଷା ଆରମ୍ଭ ହେବା କଥା, ସେଇଠୁ ଆରମ୍ଭ ହୋଇଛି। ପୀଡ଼ିିତାଙ୍କ ଅଭିଯୋଗ ପଛରେ ଏକ ‘ବୃହତ୍ତର ଷଡ଼୍‌ଯନ୍ତ୍ର’ ଅଭିଯୋଗର ଆଉ ଏକ ସମାନ୍ତରାଳ ତଦନ୍ତ ବର୍ତ୍ତମାନ ପାଇଁ ସ୍ଥଗିତ ରହିଛି। ଏହି ମାମଲାରେ ନ୍ୟାୟ ପ୍ରକ୍ରିୟାର ସ୍ବଚ୍ଛତା ଓ ନ୍ୟାୟପାଳିକାର ନିରପେକ୍ଷତା ନେଇ ଉଠିଥିବା ସନ୍ଦେହର ଘନ ବାଦଲ ଅନେକ ମାତ୍ରାରେ ପତଳା ପଡ଼ିଛି। ନ୍ୟାୟିକ ପ୍ରକ୍ରିୟାରେ ସବୁଠାରୁ ଗୁରୁତ୍ବପୂର୍ଣ୍ଣ ହେଲା, ନ୍ୟାୟ ମିଳିବ ବୋଲି ନ୍ୟାୟାଶ୍ରୟୀଙ୍କ ସମେତ ସମସ୍ତ ପକ୍ଷ, ଏପରିକି ମାମଲା ସହ ଆଦୌ ସମ୍ପୃକ୍ତ ନଥିବା ସାଧାରଣ ଜନତାଙ୍କ ବିଶ୍ବାସ। ପୀଡ଼ିତାଙ୍କ ଅଭିଯୋଗ ଉପରେ ଯେଉଁ ଢଙ୍ଗରେ ନ୍ୟାୟିକ ପ୍ରକ୍ରିୟା ଆରମ୍ଭ ହୋଇଥିଲା, ସେଥିରେ ନ୍ୟାୟ ମିଳିବ ବୋଲି ବିଶ୍ବାସ ଅପେକ୍ଷା ଅଧିକ ଅବିଶ୍ବାସ ମଧୢରେ ନ୍ୟାୟ ହଜିଯିବ ବୋଲି ଆଶଙ୍କା ପ୍ରକାଶ ପାଇଥିଲା।

ପ୍ରଧାନ ବିଚାରପତିଙ୍କ ବିରୋଧରେ ଅଭିଯୋଗ ପ୍ରସଙ୍ଗରେ ସକାରାତ୍ମକ ସ˚କେତ ଦେଉଥିବା ଦୁଇଟି ଘଟଣା ନ୍ୟାୟିକ ପ୍ରକ୍ରିୟାକୁ ପୁଣି ବାଟକୁ ଫେରାଇ ଆଣିବା ଫଳରେ ଆଶଙ୍କା ଦୂର ହୋଇ ନ୍ୟାୟ ହେବ ବୋଲି ବିଶ୍ବାସ ଜନ୍ମିଛି। ପ୍ରଥମ ଘଟଣାଟି ହେଲା ପୀଡ଼ିତାଙ୍କ ଅଭିଯୋଗର ତଦନ୍ତ ପାଇଁ ଗଠିତ ଆଭ୍ୟନ୍ତରୀଣ କମିଟିରେ ମହିଳା ସଦସ୍ୟାଙ୍କ ସ˚ଖ୍ୟାଗରିଷ୍ଠତା। ସୁପ୍ରିମ୍‌ କୋର୍ଟଙ୍କ ୧୯୯୭ର ବିଶାଖା ନିର୍ଦ୍ଦେଶାବଳୀ ଅନୁଯାୟୀ କାର୍ଯ୍ୟସ୍ଥଳରେ ଯୌନ ଉତ୍ପୀଡ଼ନ ଅଭିଯୋଗର ତଦନ୍ତ ଲାଗି ଆଭ୍ୟନ୍ତରୀଣ କମିଟିର ସଦସ୍ୟଙ୍କ ମଧୢରେ ସ˚ଖ୍ୟାଗରିଷ୍ଠ ମହିଳା ହେବା ବିଧେୟ। କିନ୍ତୁ ସୁପ୍ରିମ୍‌କୋର୍ଟର ଜଣେ ପୂର୍ବତନ ମହିଳା କର୍ମଚାରୀ ପ୍ରଧାନ ବିଚାରପତିଙ୍କ ବିରୋଧରେ ଆଣିଥିବା ଅଭିଯୋଗର ତଦନ୍ତ ପାଇଁ ତିନିଜଣ ନ୍ୟାୟମୂର୍ତ୍ତିଙ୍କୁ ନେଇ ଗଠିତ କମିଟିରେ କେବଳ ମାତ୍ର ଜଣେ ମହିଳା ବିଚାରପତି ସଦସ୍ୟା ଥିଲେ। କମିଟିକୁ ମନୋନୀତ ଅନ୍ୟତମ ସଦସ୍ୟ ନ୍ୟାୟମୂର୍ତ୍ତି ଏନ୍‌ଭି ରମନ୍ନା ସ୍ବଇଚ୍ଛାରେ କମିଟିରୁ ଓହରି ଗଲା ପରେ ତାଙ୍କ ସ୍ଥାନରେ ଜଣେ ମହିଳା ବିଚାରପତିଙ୍କୁ କମିଟିରେ ନିଆଯାଇଛି। ଏବେ ନ୍ୟାୟମୂର୍ତ୍ତି ଏସ୍‌.ଏ ବୋବଡେ଼ଙ୍କ ଅଧୢକ୍ଷତାରେ ଗଠିତ ଆଭ୍ୟନ୍ତରୀଣ କମିଟିରେ ଦୁଇ ମହିଳା ବିଚାରପତି ନ୍ୟାୟମୂର୍ତ୍ତି ଇନ୍ଦୁ ମାଲହୋତ୍ରା ଏବ˚ ନ୍ୟାୟମୂର୍ତ୍ତି ଇନ୍ଦିରା ବାନାର୍ଜୀ ସଦସ୍ୟା ଅଛନ୍ତି। ତଥାପି କମିଟି ବିଶାଖା ନିର୍ଦ୍ଦେଶାବଳୀ ଅନୁଯାୟୀ ସବୁ ସର୍ତ୍ତ ପୂରଣ କରୁନାହିଁ। ସୁପ୍ରିମ୍‌କୋର୍ଟର ବାହାରୁ ଜଣେ ମହିଳା ସଦସ୍ୟାଙ୍କୁ କମିଟିରେ ନିଆଯିବା ବ୍ୟବସ୍ଥାକୁ ଏଡ଼ାଇ ଦିଆଯାଇଛି। ଏହି ‘ନିଅଣ୍ଟ’ ସତ୍ତ୍ବେ ପ୍ରଧାନ ବିଚାରପତିଙ୍କ ବିରୋଧରେ ଯୌନ ଶୋଷଣ ଅଭିଯୋଗର ତଦନ୍ତ ପାଇଁ ଗୋଟିଏ ଆଭ୍ୟନ୍ତରୀଣ କମିଟି ଗଠିତ ହେବା ଅଭୂତପୂର୍ବ ଓ ନିଶ୍ଚିତ ଭାବେ ଏକ ଉଜ୍ଜ୍ବଳ ଦୃଷ୍ଟାନ୍ତ। ଉଲ୍ଲେଖନୀୟ ଯେ, କର୍ମସ୍ଥଳୀରେ ମହିଳାଙ୍କ ପ୍ରତି ଯୌନ ଉତ୍ପୀଡ଼ନ ଅଭିଯୋଗର ତଦନ୍ତ ପାଇଁ ସବୁ ସରକାରୀ- ବେସରକାରୀ ସ˚ସ୍ଥାରେ ‘ଆଭ୍ୟନ୍ତରୀଣ କମିଟି’ ଗଠନ ଲାଗି ସୁପ୍ରିମ୍‌କୋର୍ଟ ‘ବିଶାଖା ନିର୍ଦ୍ଦେଶାବଳୀ’ ଜାରି କରିଥିଲେ। ଅଥଚ, ଉଚ୍ଚତମ ନ୍ୟାୟାଳୟର ବିଚାରପତିଙ୍କ ବିରୋଧରେ ଅନୁରୂପ ଅଭିଯୋଗ ଆସିଲେ ଆଭ୍ୟନ୍ତରୀଣ ତଦନ୍ତର ପଦ୍ଧତି କ’ଣ ହେବ, ସେ ବିଷୟ ସ୍ପଷ୍ଟ କରି ନଥିଲେ। ଏହି ପୃଷ୍ଠଭୂମିରେ ପ୍ରଧାନ ବିଚାରପତିଙ୍କ ବିରୋଧରେ ଅଭିଯୋଗର ତଦନ୍ତ ପାଇଁ ଗ୍ରହଣ କରାଯାଇଥିବା ପଦ୍ଧତି ଭବିଷ୍ୟତ ପାଇଁ ଉଦାହରଣ ହୋଇ ରହିବ।

ଏଥିରୁ ଶିକ୍ଷା ହେଲା ଯେ, ସିଧାସଳଖ ପ୍ରଧାନ ବିଚାରପତିଙ୍କ ଅଧୢକ୍ଷତାରେ ଏକ ତିନିଜଣିଆ ଖଣ୍ତପୀଠ ପୀଡ଼ିତାଙ୍କ ଅଭିଯୋଗର ବିଚାର ନକରି, ପ୍ରଥମେ ଆଭ୍ୟନ୍ତରୀଣ କମିଟି ଜରିଆରେ ଅଭିଯୋଗର ତଦନ୍ତ କରାଇବା ଉଚିତ ଥିଲା। ଯାହାଫଳରେ ପୀଡ଼ିତା ଅଭିଯୋଗକାରିଣୀଙ୍କୁ ନିଜ ପକ୍ଷ ରଖିବାର ସୁଯୋଗ ମିଳିଥାନ୍ତା। କିନ୍ତୁ ହେଲା କ’ଣ? ଅଭିଯୋଗକାରିଣୀଙ୍କୁ ପକ୍ଷ ରଖିବାର କୌଣସି ସୁଯୋଗ ନ ଦେଇ ଖଣ୍ତପୀଠ ମାମଲାର ଶୁଣାଣି କଲେ। ଖଣ୍ତପୀଠର ଅଧୢକ୍ଷ ଆସନରେ ବସିଥିବା ଖୋଦ୍‌ ଅଭିଯୁକ୍ତ ପ୍ରଧାନ ବିଚାରପତି ଅଭିଯୋଗକାରିଣୀଙ୍କ ଚରିତ୍ର ସ˚ହାର କଲା ଭଳି ମନ୍ତବ୍ୟ ଦେଇ ଏକ ଅସୁସ୍ଥ ଓ ଅ-ନ୍ୟାୟିକ ଉଦାହରଣ ସୃଷ୍ଟି କଲେ। ଦେଶର ସର୍ବୋଚ୍ଚ ନ୍ୟାୟପାଳିକା ଏବ˚ ସର୍ବୋଚ୍ଚ ନ୍ୟାୟାଧିକାରୀଙ୍କ ଦ୍ବାରା ଏହା ଥିଲା ନ୍ୟାୟିକ ମର୍ଯ୍ୟାଦାର ଖୋଲା ଉଲ୍ଲ˚ଘନ। ସୁଖର କଥା ଶୁକ୍ରବାର ତିନି ଜଣିଆ ଆଭ୍ୟନ୍ତରୀଣ କମିଟି କାର୍ଯ୍ୟ ଆରମ୍ଭ କରିଛନ୍ତିି। ପୀଡ଼ିତା ଅଭିଯୋଗକାରିଣୀଙ୍କୁ ନିଜ ପକ୍ଷ ରଖିବା ଲାଗି ପୂର୍ଣ୍ଣ ସୁଯୋଗ ଦେଇ ଦୁଇଘଣ୍ଟା କାଳ ଶୁଣିଛନ୍ତି। ଅସମ୍ପୂର୍ଣ୍ଣ ରହିଥିବା ଶୁଣାଣି ସୋମବାର ଦିନ ମଧୢ ଜାରି ରହିବ। ଆଭ୍ୟନ୍ତରୀଣ କମିଟିଙ୍କ ତଦନ୍ତର ନିର୍ଯାସ ଯାହା ବି ହେଉ, ବର୍ତ୍ତମାନ ପାଇଁ ଆଶ୍ବାସନା ଯେ ସ୍ବାଭାବିକ ନ୍ୟାୟିକ ପ୍ରକ୍ରିୟାର ସର୍ବନିମ୍ନ ପ୍ରାକ୍‌-ଆବଶ୍ୟକତା ପୂରଣ ହୋଇଛି। ଅଭିଯୋଗକାରିଣୀଙ୍କୁ ପକ୍ଷ ରଖିବାର ସୁଯୋଗ ମିଳିଛି ଓ ଯାହାଙ୍କ ବିରୋଧରେ ଅଭିଯୋଗ ସେ ଏହି ପ୍ରକ୍ରିୟାରେ ସମ୍ପୃକ୍ତ ନାହାନ୍ତି।

ଏ ମାମଲାରେ ନ୍ୟାୟ ହେବ ବୋଲି ଆଶା ଓ ବିଶ୍ବାସ ଜନ୍ମାଇଥିବା ଦ୍ବିତୀୟ ଘଟଣାଟି ହେଲା ସମାନ୍ତରାଳ ଭାବେ ‘ଷଡ଼୍‌ଯନ୍ତ୍ର ଦିଗ’ର ତଦନ୍ତ ସ୍ଥଗିତ ରଖାଯିବା। ସୁପ୍ରିମ୍‌ କୋର୍ଟର ପୂର୍ବତନ ବିଚାରପତି ନ୍ୟାୟମୂର୍ତ୍ତି ଅନଙ୍ଗ କୁମାର ପଟ୍ଟନାୟକଙ୍କୁ ‘ଷଡ଼୍‌ଯନ୍ତ୍ର ଦିଗ’ର ତଦନ୍ତ ଦାୟିତ୍ବ ଦିଆଯାଇଛି। କିନ୍ତୁ ନ୍ୟାୟମୂର୍ତ୍ତି ପଟ୍ଟନାୟକ ସ୍ପଷ୍ଟ କରି ଦେଇଛନ୍ତି ଯେ, ପୀଡ଼ିତାଙ୍କ ମୂଳ ଅଭିଯୋଗ ଉପରେ ନ୍ୟାୟମୂର୍ତ୍ତି ବୋବଡେ଼ଙ୍କ ଅଧୢକ୍ଷତାରେ ଆଭ୍ୟନ୍ତରୀଣ କମିଟିର ତଦନ୍ତ ନ ସରିବା ପର୍ଯ୍ୟନ୍ତ ‘ଷଡ଼୍‌ଯନ୍ତ୍ର ଦିଗ’ର ତଦନ୍ତ ଆରମ୍ଭ ହେବ ନାହିଁ। ଏ ନିଷ୍ପତ୍ତି ସମ୍ପୂର୍ଣ୍ଣ ନ୍ୟାୟୋଚିତ ଏବ˚ ନ୍ୟାୟିକ ପ୍ରକ୍ରିୟାର ମର୍ଯ୍ୟାଦାର ରକ୍ଷା ଦିଗରେ ଏକ ଉଚିତ ପଦକ୍ଷେପ। ସମାନ୍ତରାଳ ଭାବେ ଦୁଇଟି ତଦନ୍ତ ପ୍ରକ୍ରିୟା ପରସ୍ପର ଦ୍ବାରା ପ୍ରଭାବିତ ହେବା ଆଶଙ୍କା ରହିଛି। ଯାହା ନ୍ୟାୟିକ ପ୍ରକ୍ରିୟାର ଶୁଦ୍ଧତା ଓ ନିରପେକ୍ଷତା ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିପାରେ। ଏଠାରେ ଉଲ୍ଲେଖ କରାଯାଇପାରେ ଯେ, ପ୍ରଧାନ ବିଚାରପତିଙ୍କ ବିରୋଧରେ ଅଭିଯୋଗ ଏକ ବୃହତ୍ତର ଷଡ଼ଯନ୍ତ୍ର୍ର ଅ˚ଶ ବିଶେଷ ବୋଲି ଜଣେ ଓକିଲ ଅଭିଯୋଗ କରିଥିଲେ। ପ୍ରଧାନ ବିଚାରପତିଙ୍କ ବିରୋଧରେ ମାମଲା ଦାଏର‌୍‌ ପାଇଁ ଓକିଲଙ୍କୁ କୁଆଡେ଼ ଦେଢ଼ କୋଟି ଟଙ୍କା ଯଚା ଯାଇଥିଲା। ଓକିଲ ଉତ୍ସବ ସି˚ ବେନ୍‌ସଙ୍କ ଏହି ଅଭିଯୋଗର ତଦନ୍ତ ପାଇଁ ନ୍ୟାୟମୂର୍ତ୍ତି ଏ.କେ. ପଟ୍ଟନାୟକଙ୍କୁ ସୁପ୍ରିମ୍‌ କୋର୍ଟ ଦାୟିତ୍ବ ଦେଇଛନ୍ତି। ତେବେ ଗତ ୨୫ ତାରିଖ ଜାରି ନିର୍ଦେଶରେ ତଦନ୍ତ ସମାପ୍ତ କରିବା ଲାଗି ନ୍ୟାୟମୂର୍ତ୍ତି ପଟ୍ଟନାୟକଙ୍କ ପାଇଁ କୌଣସି ନିର୍ଦ୍ଦିଷ୍ଟ ସମୟ ସୀମା ଧାର୍ଯ୍ୟ କରାଯାଇ ନାହିଁ। ନ୍ୟାୟମୂର୍ତ୍ତି ପଟ୍ଟନାୟକଙ୍କ ମତ ହେଲା, ଯେହେତୁ ପୀଡ଼ିତାଙ୍କ ମୂଳ ଅଭିଯୋଗର ତଦନ୍ତ ପ୍ରାଥମିକତା ଦାବି କରେ, ‘ଷଡ଼୍‌ଯନ୍ତ୍ର ଦିଗ’ର ତଦନ୍ତ ଆଉ କିଛି ସମୟ ଅପେକ୍ଷା କରିପାରେ।

ଆଶା, ଏହି ଅତ୍ୟନ୍ତ ସମ୍ବେଦନଶୀଳ ମାମଲାର ତଦନ୍ତ ଓ ବିଚାର ବେଳେ ଅକ୍ଷରେ ଅକ୍ଷରେ ନ୍ୟାୟିକ ମର୍ଯ୍ୟାଦା ରକ୍ଷା କରାଯିବ। ଉଭୟ ଆଭ୍ୟନ୍ତରୀଣ କମିଟି ଓ ନ୍ୟାୟମୂର୍ତ୍ତି ପଟ୍ଟନାୟକ ନ୍ୟାୟିକ ପ୍ରକ୍ରିୟାର ମୌଳିକ ଦିଗଗୁଡ଼ିକ ପ୍ରତି ଯଥୋଚିତ ଗୁରୁତ୍ବ ଦେବେ। ଏହା ଏକାନ୍ତ ଅପରିହାର୍ଯ୍ୟ, ଏଥିପାଇଁ ଯେ, ମାମଲାରେ ଗୋଟିଏ ପକ୍ଷରେ ନ୍ୟାୟପାଳିକାର ଗରିମା, ଗୋଟିଏ ଉଚ୍ଚପଦର ମର୍ଯ୍ୟାଦା ଓ ଅନ୍ୟପକ୍ଷରେ ନ୍ୟାୟ ବ୍ୟବସ୍ଥା ଉପରେ ସାଧାରଣ ଲୋକଙ୍କ ଆସ୍ଥା, ବିଶ୍ବାସ ଓ ସର୍ବୋପରି ମହିଳାଙ୍କ ସମ୍ମାନ ଯୋଡ଼ି ହୋଇଛି। ନ୍ୟାୟର ତରାଜୁ ଯେମିତି ସାମାନ୍ୟ ଏପଟସେପଟ ନହୁଏ, ସେଥିପାଇଁ ନ୍ୟାୟିକ ପ୍ରକିୟାକୁ ଖଣ୍ତାଧାରରେ ଚାଲିବାକୁ ପଡ଼ିବ।

ସମ୍ବନ୍ଧିତ ଖବର

Leave A Reply

Your email address will not be published.